Unknown

 

 

 

 

 

 

 

 

 

 

 

ପଞ୍ଚପୁଷ୍ପ

କଳ୍ପନା କୁମାରୀ ଦେବୀ

 

ରୁପହୀନ, ରୂପ ଯାର, ସ୍ନିଗ୍‌ଧ ଅବୟବେ

କମନୀୟ ମୋ ପ୍ରାଣରେ ଅତୁଳ ବିଭବେ

ଶବ୍ଦହୀନ ଗୀତ ଯାର ମଧୁର ଗୁଞ୍ଜନେ

ହୃଦୟର ବିଜନତା ଭରେ ଅନୁକ୍ଷଣେ ।

 

ଜୀବନର ଦୈନ୍ୟ ବ୍ୟଥା ହାହାକାର ଭୁଲି,

ହସ୍ତେ ମୋର ଯାହା ପାଇଁ ଜାଗରୁକ ତୁଳୀ ।

ସେ ଅରୂପ କରପଦ୍ମେ ଏ ମୋ ନିବେଦନ

ଅମୃତରେ ଚିର-ଭରି-ରଖୁ-ଏ ମରମ ।

Image

 

ଗୋପାଳପୁରର ବିଜନ ବେଳାଭୂଇଁରେ ଗୋଧୂଳିର ଶାନ୍ତଛାୟା ନଇଁ ଆସିଛି । ତଥାପି ବାୟୁମଣ୍ଡଳର ସ୍ତରେ ସ୍ତରେ ଜାଗି ରହିଛି ଦୁରନ୍ତ ବୈଶାଖ । କିନ୍ତୁ ରାତି ଯେତିକି ପାଖେଇ ଆସୁଛି, ସମୁଦ୍ରର ତଟଭୂଇଁ ସେତିକି ମୁଖର ହୋଇ ଉଠୁଛି ।

 

ଦୂର ଦିଗ୍‍ବଳୟର ନୀଳିମା ରେଖାତଳେ ଝଡ଼ର ସୂଚନା ଦେଖାଦେଲାଣି । ଆଖି ଆଗରେ ବିକ୍ଷୁବ୍‌ଧ ବଙ୍ଗୋପସାଗର ସୀମାହୀନ ଭାବେ କାୟା ବିସ୍ତାର କରିଯାଇଛି ଏବଂ ତାହାରି କୂଳେ କୂଳେ ତନ୍ଦ୍ରାଚ୍ଛନ୍ନ କିଶୋରୀ ପରି ଠିଆ ହୋଇରହିଛି ଛୋଟ ଛୋଟ ନୋଳିଆ ପଲ୍ଲୀ । ଏକାଂଶରେ କେତେକ କୋଠାବାଡ଼ି ଦେଖାଗଲେ ମଧ୍ୟ ବିଂଶ ଶତାବ୍ଦୀର ସମୃଦ୍ଧି ସେଠି ଦେଖାଯାଏ ନାହିଁ ବରଂ ବହୁ ଭାବରେ ଆଖିରେ ପଡ଼େ ଅପରିଚ୍ଛିନ୍ନ ଦାରିଦ୍ର୍ୟ, ରୁଗ୍‌ଣତା ଆଉ ତାର ନିରୋଳା କାରୁଣ୍ୟ ।

 

ଜଳବାୟୁ ପରିବର୍ତ୍ତନ ପାଇଁ ଯେଉଁ କେତେଜଣ ଆସିଛନ୍ତି ସେମାନଙ୍କ ଭିତରେ ଓଡ଼ିଆଙ୍କ ସହିତ ବଙ୍ଗାଳୀଙ୍କ ସଂଖ୍ୟା ହିଁ ଗରିଷ୍ଠତା ହାସଲ କରି ପାରିଚି । ଏ ଅଞ୍ଚଳରେ ଘରଭଡ଼ାଟା ଖୁବ୍‌ କମ୍‌ । ଖାଦ୍ୟ ପଦାର୍ଥ ଭିତରେ ମାଛ ହିଁ ପ୍ରଧାନ ସେଥିଯୋଗୁଁ ଅନେକଙ୍କ ପକ୍ଷେ ଏହି କ୍ଷୁଦ୍ର ସହରଟି ଯେ ଲୋଭନୀୟ ଏଥିରେ ସନ୍ଦେହ ନାହିଁ । କିନ୍ତୁ ଏମାନଙ୍କ ଭିତରେ ଆଉରି ଜଣେ ଜଣେ ଦେଖା ଯାଆନ୍ତି ଯେଉଁମାନଙ୍କର ଏହି ଦୁଇଟି ବ୍ୟବସ୍ଥା ପ୍ରତି ଆସକ୍ତି କମ୍‌ । ସେମାନେ ହେଉଛନ୍ତି ମାନସଚାରୀ ପଦ୍ମଭୁକ୍‌ର ଦଳ ।

 

ଏହି ଦଳ ଭିତରେ ରହି ଯାଇଛି ଅରୂପ । ସୁଦୁର କଟକ ସହରରୁ ସେ ଏଠିକି ଆସିଚି । ସାଙ୍ଗରେ ତାର ଅଛନ୍ତି ନାରୀ ବନ୍ଧୁ ମହାଶ୍ୱେତା, ତାର ମା’ ମାହେଶ୍ୱରୀ ଦେବୀ ଓ ଚାକର ପିଲା ଯୋଗୀ । ଏହାଛଡ଼ା ତା ସହିତ ଅଛି ଆଉ ଗୋଟିଏ ନାରୀ ପ୍ରତିମା ସର୍ବଜୟା । ସର୍ବଜୟାକୁ ନାରୀ କହିଲେ ଅତ୍ୟୁକ୍ତି ହେବ ନିଶ୍ଚୟ ! ! ତନୁ ମନରେ ତାର ନବ ତାରୁଣ୍ୟର ପ୍ରଲେପ ଲାଗିଥିଲେ ସୁଦ୍ଧା ସର୍ବଜୟା ଏ ଅବଧି ବାଳିକା ସ୍ୱଭାବର ସୀମୀ ପାର ହୋଇ ଯାଇ ନାହିଁ । ମହାଶ୍ୱେତାର କେଉଁ ଦୂର ସମ୍ପର୍କୀୟ ଦାଦା ଝିଅ ଭଉଣୀ ସେ । ସର୍ବଜୟାର ପାରିବାରିକ ଇତିହାସ ହୁଏତ ଥିଲା । କିନ୍ତୁ ତାହା ସଂକ୍ଷିପ୍ତ । ଅଭାଗୀର ଜୀବନରେ ମାତୃ ପରିଚୟ ଘଟି ନାହିଁ । ବାପା ତାର ଥିଲେ ମହାଶ୍ୱେତାର ବାପା ଗୋପାଳ ପଟ୍ଟନାୟକଙ୍କ ଘରୋଇ ସମ୍ପତ୍ତିର ଗୁମାସ୍ତା । କଟକ ଜିଲାର ସୁଦୁର କେଉଁ ମଫସଲରେ ଗୋପାଳ ପଟ୍ଟନାୟକଙ୍କର ଜମିଦାରୀ ଥିଲା । ସେଇଠି ରହି ସେ ବୁଝାସୁଝା କରୁଥିଲେ । ପ୍ରାୟ ଦୁଇବର୍ଷ ହେବ ଏକ କଠିନ ରୋଗର ଅତ୍ୟାଚାର ସହି ନ ପାରି ସେ ସଂସାରରୁ ବିଦାୟ ନେଇ ଯାଇଛନ୍ତି । ସର୍ବଜୟା ଏହିକ୍ଷଣି ସର୍ବହରା । ଅଜ୍ଞାତ ଦୁଇଟି ନର ନାରୀର ସ୍ମୃତିସ୍ତମ୍ଭ ରୂପେ ସଂସାରର ସମସ୍ତ ହିଂସା, ଦୁଃଖ ନିର୍ଯ୍ୟାତନା ଭିତରେ ସେ ମୁଣ୍ଡ ଟେକି ଠିଆ ହୋଇ ରହିଚି । ମୁଣ୍ଡ ଉପରେ ତାର ଦୁରନ୍ତ ବୈଶାଖର ଝଞ୍ଜା, ପୌଷର ତୁହିନ ଶୀତଳ ରାତି, ବସନ୍ତର ମଧୁ କମନୀୟ ଛାୟା କେତେ ଯେ ଓହ୍ଲେଇ ଆସୁଚି କେହି ତାର ହିସାବ ରଖୁ ନାହିଁ । ନିଜେ ସର୍ବଜୟା ମଧ୍ୟ । ଝଡ଼ର ଆଘାତରେ ବସନ୍ତର ମୃଦୁ ସ୍ପର୍ଶରେ କୌଣସି ବିଲକ୍ଷଣ ସେ ପ୍ରକାଶ କରିନାହିଁ । କ୍ଷୁଦ୍ର ଜୀବନର ନିର୍ମମ ପରିବେଶ ଭିତରେ ସେ ରହି ଯାଉଚି ଅଟଳ ଅଚଳ ସର୍ବଂସହା ।

 

ଦୀର୍ଘ ଦୁଇମାସର ଅସୁସ୍ଥତା ପରେ ଅଭିଜ୍ଞ ଡାକ୍ତରଙ୍କର ପରାମର୍ଶ କ୍ରମେ ମହାଶ୍ୱେତା କିଛି କାଳ ପାଇଁ ବରଣ କରି ନେଇଚି ଏହି ନିରାଡ଼ମ୍ବର ଜୀବନ । ତା ମତରେ ଏମିତି କାଳ କ୍ଷେପଣ ଏକ ପ୍ରକାର ନିର୍ବାସନ ବ୍ୟତୀତ ଆଉ କିଛି ନୁହେଁ । ଏଠି ଯେମିତି ନିର୍ବାସନଟା ହିଁ ନିଜସ୍ୱ-

 

ପ୍ରଥମେ ପ୍ରଥମେ ମହାଶ୍ୱେତା ଖୁବ୍‌ ଆଶ୍ୱସ୍ତି ବୋଧ କରୁଥିଲା । ତାର ମନେ ହେଉଥିଲା ସୁସ୍ଥତା ଅପେକ୍ଷା ଅସୁସ୍ଥତା ତାର ଯେପରି ବଢ଼ି ଉଠୁଚି । ସେହି ଅସୁସ୍ଥତା ଥିଲା ତା ମନର । କଟକର କଠିନ କଳରୋଳ ଭିତରେ ସେ ବଢ଼ିଚି । ତାକୁ ହିଁ ସେ ଭଲ ପାଇ ଶିଖିଚି । ଗୋପାଳପୁରର ବିସ୍ତୀର୍ଣ୍ଣ ବେଳାଭୂମି, ଦିଗନ୍ତ ପ୍ରସାରୀ ଶ୍ୟାମ ଝାଉଁବନ ଆଉ ସର୍ବୋପରି ନିଜର ଶାନ୍ତ, ସ୍ନିଗ୍‌ଧ ପରିବେଶତାକୁ ଯେପରି ପ୍ରତି ମୁହୂର୍ତ୍ତରେ ପୀଡ଼ନ କରି ଚାଲିଥିଲା । ଆସିବା ପରେ ପରେ ସେ ପ୍ରାୟ କଟକ ଫେରି ଯିବାପାଇଁ ଅସ୍ଥିର ହୋଇ ଉଠିଲା ।

 

ଠିକ୍‌ ଏମିତି ସନ୍ଧି ମୁହୂର୍ତ୍ତରେ ଗୋପାଳପୁରରେ ଆସି ପହଞ୍ଚିଲେ କଟକର ଦଳେ ସ୍ତ୍ରୀ, ପୁରୁଷ । ସେମାନେ ସ୍ୱନାମଧନ୍ୟ କଳିଙ୍ଗ କଳା ମନ୍ଦିରର ଅଭିନେତା ଅଭିନେତ୍ରୀ । ଏମାନେ ପ୍ରାୟ ପ୍ରତିବର୍ଷ ବସନ୍ତକାଳ ପ୍ରାରମ୍ଭରୁ ଗ୍ରୀଷ୍ମଋତୁ ଶେଷ ପର୍ଯ୍ୟନ୍ତ ଓଡ଼ିଶା, ଓଡ଼ିଶା ବାହାରେ ବିଭିନ୍ନ ଜାଗାରେ ତମ୍ବୁ ପକାନ୍ତି । ସେମାନଙ୍କ ସହିତ ଆସିଚନ୍ତି ମ୍ୟାନେଜର ଉମାଶଙ୍କର ଚୌଧୁରୀ । ପରିଚାଳକା ନିବେଦିତା ଦେବୀ । ନିର୍ଦ୍ଦେଶକ ତୁଷାରକାନ୍ତି ସାମୁଏଲ ।

 

ମହାଶ୍ୱେତାର ଖୁବ୍‌ ନିକଟରେ ସେମାନେ ଆସ୍ଥାନ ଜମେଇନେଲେ । ଘନିଷ୍ଠତା ବଢ଼ିଲା-। ଏଥିରେ ଯେପରି ମହାଶ୍ୱେତାର ଆଶ୍ୱସ୍ତି ବହୁ ପରିମାଣରେ କଟିଗଲା ।

 

ପ୍ରଥମ ଦୁଇଦିନ କୌଣସି ବ୍ୟବସ୍ଥା ହୋଇପାରିଲା ନାହିଁ । ଶ୍ରୀଯୁକ୍ତ ଉମାଶଙ୍କର ବାବୁ, ଶ୍ରୀମତୀ ଦେବୀ ସବୁ ସମୟରେ କାର୍ଯ୍ୟବ୍ୟସ୍ତ ରହିଲେ । କିନ୍ତୁ ଅନ୍ୟମାନଙ୍କ ପାଇଁ ବ୍ୟସ୍ତତାର ଅବସର ରହିଲା ନାହିଁ । ବରଂ ସମୁଦ୍ରର ତୀରେ ତୀରେ ଫୁଟିଉଠିଲା ଅସଂଖ୍ୟ ପାଦଚିହ୍ନ । ପଥେ ପଥେ ଭରିଗଲା ମଧୁଗୁଞ୍ଜନ, ପ୍ରାନ୍ତରେ ପ୍ରାନ୍ତରେ ଖେଳିଲା ରୂପର ପ୍ରବାହ । ତାହାରି ସହିତ ନିଜକୁ ମିଶେଇ ଦେଲା ମହାଶ୍ୱେତା । ସେ ଜଣ ଜଣକର ହାତ ଧରି ଖେଳିଲା । ଗୀତ ଗାଇ ଗାଇ ବୁଲିଲା-। ଆଜିର ନାଟ୍ୟସାହିତ୍ୟ ନେଇ ଆଲୋଚନା କଲା, ପୁଣି ତର୍କ ଉଠେଇଲା । ତାର ସମସ୍ତ ମାନସିକ ଅଭାବ ଯେପରି ଦୂର ହୋଇଗଲା ଆସ୍ତେ ଆସ୍ତେ ।

 

ମହାଶ୍ୱେତାର ପ୍ରକୃତିସ୍ଥତା ଲକ୍ଷ୍ୟକରି ମା ମାହେଶ୍ୱରୀ ଦେବୀ ଆଶ୍ୱସ୍ତିର ନିଶ୍ୱାସ ମାରିଲେ । ଏବେ ଯେମିତି ଝିଅ ପାଇଁ ତାଙ୍କର ଆଉ କୌଣସି ଦୁର୍ଭାବନା ନାହିଁ । ମହାଶ୍ୱେତାର ଉନ୍ନତ ସ୍ୱାସ୍ଥ୍ୟଶ୍ରୀ ଉପରେ ଦୃଷ୍ଟି ଦେଲେ ଅରୂପର ଅଙ୍ଗେ ଅଙ୍ଗେ ରୋମାଞ୍ଚ ଜାଗିଉଠେ । ଓଠ ଦୁଇଟି ଗଭୀର ତୃଷାର ଆଲୋଡ଼ନରେ ଅସ୍ଥିର ହୋଇଉଠେ । ସେହି ମୁହୂର୍ତ୍ତରେ ତାର ମନେହୁଏ ସେ ଯେପରି ଗୋଟିଏ ଆଶାୟୀ ଚାତକ ଆଉ ମହାଶ୍ୱେତା ସୁଦୂର ଆକାଶର ଖଣ୍ଡେ ଭସା ବାଦଲ-। ନିଜକୁ ଯଥା ସଂଭବ ଆୟତ୍ତ କରି ଦୂରକୁ ଦୂରକୁ ଘୁଞ୍ଚିଯାଏ ଅରୂପ ।

 

ମହାଶ୍ୱେତାର ଏହି ଅନବସର ମୁହୂର୍ତ୍ତ ଭିତରେ ଆଉ ଏକ ଚିନ୍ତାର ଅବକାଶ ଥିଲା । ତାର ଚାଲିଯିବା ପରେ ପରେ ଅରୂପ କେଉଁଠିକି କେଉଁଠିକି ବୁଲିବାକୁ ଗଲା, ସର୍ବଜୟା ସହିତ ଦିନ ଭିତରେ କେତେଥର କଥାବାର୍ତ୍ତା କଲା, ଆଉ ସେ କଥାବାର୍ତ୍ତା କେଉଁ କାରଣରୁ ସମ୍ଭବ ହୋଇପାରିଲା, ଅତି ଗୋପନରେ ତାର ହିସାବ ରଖିବା । ଅରୂପ ସମ୍ବନ୍ଧରେ ମହାଶ୍ୱେତାର କୌଣସି ସଂଶୟ ନ ଥିଲେ ମଧ୍ୟ ସର୍ବଜୟା ସମ୍ବନ୍ଧରେ ତାର ଧାରଣା ଅତି ନିଷ୍ଠୁର । କୌଣସି ଦିନ ଏ ସବୁର ସାମାନ୍ୟ ଆଭାସ ପାଇଲେ, ମହାଶ୍ୱେତାର କ୍ରୁର ସ୍ୱଭାବଟା ଭୟଙ୍କର ଭାବେ ଜାଗିଉଠେ-। ଦୁଇଦିନ ପରେ ରଙ୍ଗମଞ୍ଚ ପ୍ରସ୍ତୁତ ହୋଇଗଲା-। ଦୁଇଟି ନାଟକ ମଧ୍ୟ ଅଭିନୀତ ହୋଇଗଲା । ଅଭିନୟ କଲା ଯେ ଖୁବ୍‌ ଉଚ୍ଚକୋଟିର ଏଥିରେ ସନ୍ଦେହ ନାହିଁ । ପ୍ରଶଂସାର କଳଧ୍ୱନିରେ ଚଲାପଥ ମୁଖରିତ ହୋଇ ଉଠିଲା । ସମୁଦ୍ରର ବେଳାଭୂମିରେ ନିର୍ଜନ ପ୍ରାନ୍ତରରେ ବସିଲା ଆଲୋଚନା ସଭା-

 

ପର ରାତିରେ ଯେଉଁ ନାଟକ ଅଭିନୀତ ହେବାର କଥା, ସେଥିରେ ନାୟିକା ଭୂମିକାରେ ଓହ୍ଲେଇବେ ଶ୍ରୀମତୀ ନିବେଦିତା ଦେବୀ । ସକାଳ ହେବା ପରେ ପରେ ଏ ଖବର ଗୋପାଳପୁରର ଶିକ୍ଷିତ ଜନ ସମାଜ ଭିତରେ ଆସି ପହଞ୍ଚିଛି । ରାସ୍ତାଘାଟରେ ଚାଞ୍ଚଲ୍ୟ ଖେଳିଯାଇଛି । ଶତମାନସଚାରିଣୀ ନିବେଦିତା ଓଡ଼ିଶା ନାରୀ ମହଲର ଗୌରବ ନିଶ୍ଚୟ ! ! ଏଥିରେ ସନ୍ଦେହର ଅବକାଶ ନାହିଁ । ନିବେଦିତାକୁ ଘେରି ନାନା ଗଳ୍ପ ଗୁଜବ ରଟିଯାଇଛି । ସେ ମାଲିକ ଉମାଶଙ୍କର ଚୌଧୁରୀଙ୍କର କନ୍ୟା । ଧନୀ ଆଉ ମାନୀ ପିତାର ଏକମାତ୍ର ସନ୍ତାନ । ଆଜନ୍ମ କଳାର ପୂଜାରିଣୀ ସାଧନର ପୂଜାଦେବୀ ତଳେ ନିବେଦିତାର ନିବେଦିତ ଜୀବନ ବାତ୍ସଲ୍ୟ ରସରେ ରସାଣିତ । ଓଡ଼ିଶାର କେଉଁ ଅଖ୍ୟାତ, ନଗଣ୍ୟ. ନିପୀଡ଼ିତ ପଲ୍ଲୀରେ ଲୋକସେବାରେ ନିବେଦିତା ଅନେକ ଦିନ କଟେଇ ଆସିଛି । ଓଡ଼ିଶାର ବହୁ ଅଭାବ ଭିତରେ ସେ ଏକ ଜାଗ୍ରତ ପ୍ରତିଭା । ନିବେଦିତା ପ୍ରାପ୍ତ ବୟସ୍କା, ଶିକ୍ଷିତା, ତରୁଣୀ ଏବଂ କୁମାରୀ ।

 

କଟକ ଅଧିବାସୀ ପକ୍ଷେ ଏ ସମ୍ବାଦ ନୂଆ ନୁହେଁ । ନାରୀଶିଳ୍ପୀ ନିବେଦିତାଙ୍କ ସମ୍ବନ୍ଧରେ ଆଗ୍ରହ ଉତ୍ସାହ ଅଶେଷ । ସକାଳେ ଅରୂପ ଖବର ପାଇଲା, ତାକୁ ସାଦର ନିମନ୍ତ୍ରଣ ଜଣେଇ ଆସୁଚନ୍ତି ସ୍ୱୟଂ ନିବେଦିତା ଦେବୀ । ଖବର ଦେଲା ମହାଶ୍ୱେତା । ନିବେଦିତାଙ୍କୁ ରଙ୍ଗମଞ୍ଚରେ ବହୁଥର ଦେଖି ଲୋକ ମୁଖରୁ ଶୁଣିଥିଲେ ମଧ୍ୟ ତାଙ୍କ ସହିତ ସାକ୍ଷାତ ପରିଚୟ କେବେ ଘଟିନାହିଁ । ଏବେ ବନ୍ଧୁତ୍ୱର ସୁଯୋଗ ଆସିଚି । ତାହା ପୁଣି ଘନିଷ୍ଠତାରେ ପରିଣତ ହୋଇଯାଇଛି । ଏହା ଯେପରି ମହାଶ୍ୱେତାର ଜୀବନ ନାଟକରେ ଗୋଟିଏ ଅବିଚ୍ଛେଦ୍ୟ ସୁନ୍ଦର ଦୃଶ୍ୟ ଏ ସମ୍ପର୍କରେ ମହାଶ୍ୱେତାର ମଧ୍ୟ ଉତ୍ତେଜନା ଦେଖାଯାଇଥିଲା ।

 

ଧୀର ସ୍ୱରରେ ଅରୂପ କହିଲା, ତମେ ତ ଗୋପାଳପୁରର ନାରୀ ନୁହେଁ, ତେବେ ତମ ଭିତରେ ଏତେ ବେଶୀ ଉତ୍ତେଜନା ଦେଖାଦେଇଛି କାହିଁକି ?

 

ମହାଶ୍ୱେତା କହିଲା, ନିବେଦିତା ଦେବୀ ସମଗ୍ର କଟକର ସମ୍ମାନ ଯୋଗ୍ୟା ।

 

ସାମାନ୍ୟ ସତ୍ୟ ସହିତ ଯେ ରାଶିକୃତ ମିଥ୍ୟା ମିଶି ପ୍ରଚାର କାମ ଚଳେଇଥାଏ ଏକଥା କ’ଣ କଟକ ବାସୀ ଜାଣି ନାହାନ୍ତି ?

 

ନିଶ୍ଚୟ ଜାଣନ୍ତି ! କିନ୍ତୁ ଯାହାର ଆପାଦ ମସ୍ତକ ସୁଦ୍ଧା ଏକ ନିର୍ଭୁଲ ସତ୍ୟ ଆଉ ସତ୍ୟତାରେ ପୂର୍ଣ୍ଣ ସେଠି ପ୍ରଚାରର ପ୍ରଶ୍ନ ଉଠେନା ।

 

ଅରୂପ କହିଲା ନିର୍ଭୁଲ ? ତମେ କହିପାରିବ ?

 

ଉତ୍ତେଜିତ ହୋଇ ମହାଶ୍ୱେତା କହିଲା, ତାଙ୍କର ଜନ୍ମଟା ତ ଆଉ ମଫସଲର ଅନ୍ଧକାରରେ ନୁହେଁ ।

 

ଏକଥାର ତାତ୍ପର୍ଯ୍ୟ ଅଛି ନିଶ୍ଚୟ ! ! କିନ୍ତୁ ତା ଉପରେ କୌଣସି ଯୁକ୍ତି ନଉଠେଇ ମୃଦୁ ହସି ଅରୂପ କହିଲା, ନୁହେଁ ନିଶ୍ଚୟ !! କିନ୍ତୁ ଛାୟାଲୋକ ମଣିଷକୁ ଅନେକ ସମୟରେ ବିଭ୍ରାନ୍ତ କରେ । ଏ ଦେଶରେ ଇତିହାସଠାରୁ ଉପନ୍ୟାସର ପାଠକ ସଂଖ୍ୟା ବହୁତ ବେଶୀ । ଐତିହାସିକ ଯେତେ ପଣ୍ଡିତ ହେଉନା କାହିଁକି, ଗଣ ସମ୍ମାନ ସେ କମ ପାଇଥାଏ । କିନ୍ତୁ ଯେଉଁ ବ୍ୟକ୍ତି ଉପନ୍ୟାସ ଲେଖେ, ମଣିଷ ଜୀବନ ଉପରେ ବିଚାର କିମ୍ବା ଅବିଚାରକୁ ସମ୍ବଳ କରି, କଳ୍ପନାର ରଙ୍ଗ ବୋଳେ, ଲୋକ ସମାଜରେ ସେ ହୁଏ ଆଦରଣୀୟ ।

 

କିଛି ଗୋଟାଏ ବଳିଷ୍ଠ ଜବାବ ଦେବାକୁ ଯାଉଥିଲା ମହାଶ୍ୱେତା । କିନ୍ତୁ ଏମିତି ସମୟରେ ଦୁଇଜଣ ମହିଳାଙ୍କୁ ସାଙ୍ଗରେ ଧରି ଦୁଆର ମୁହଁରେ ଆସି ଠିଆହେଲା ସର୍ବଜୟା । ପରଦାର ଆଢ଼ୁଆଳରେ ଠିଆହୋଇ ସେ ଡାକିଲା—ଅପା.....

 

ଉଠି ଆସି ପରଦା ଆଡ଼େଇ ଚାହିଁଲା ମହାଶ୍ୱେତା । ଉଚ୍ଛ୍ୱସିତ ହୋଇ ଡାକିଉଠିଲା, ଆସନ୍ତୁ.....ଆସନ୍ତୁ.....

 

ସର୍ବଜୟା ଅନ୍ୟ କେଉଁ କାମ ଉଦ୍ଦେଶ୍ୟରେ ଫେରିଗଲା । ଦୁଆର ବନ୍ଧ ଡେଇଁ ଘରଭିତରକୁ ନିଃସଙ୍କୋଚରେ ପଶିଆସିଲେ ଦୁଇଜଣ ମହିଳା । ବସିବା ପାଇଁ ଚୌକି ଆଗେଇ ଦେଇ ସ୍ମିତ ମୁଖରେ ମହାଶ୍ୱେତା କହିଲା, ଇଏ ଆପଣଙ୍କର ଅରୂପବାବୁ, ଲୁବ୍‌ଧପ୍ରତିଷ୍ଠିତ କବି ଶ୍ରୀ ଅରୂପ ରଞ୍ଜନ ରାୟ......

 

ନମସ୍କାର ବିନିମୟ ହୋଇଗଲା । ଆସନ ଗ୍ରହଣ କରି ମୃଦୁସ୍ୱରରେ ମହିଳା ଦୁଇଟି କହିଲେ, ସୌଭାଗ୍ୟ ! ଆମ ଆସିବାର କାରଣ ତ ସେ ନିଜେ ।

 

ବିନୟ ସହକାରେ ଅରୂପ କହିଲା, ଏଇଟା ଆଜ୍ଞା ଶ୍ରୀମତୀ ପଟ୍ଟନାୟକଙ୍କର ଅତିଶୟୋକ୍ତି । ପ୍ରଚାର କାର୍ଯ୍ୟଟା ଚିରଦିନ ନାରୀ ଜାତିର ନିଜସ୍ୱ । ଏ ଭାଷା ପୁରୁଷର, ଏ ଭାଷା କିନ୍ତୁ ଆନ୍ତରିକ । ତାର ପ୍ରକାଶରେ ତିନୋଟି ମୁଗ୍‌ଧ ତାରୁଣ୍ୟ ସ୍ୱଚ୍ଛ ହସର ତରଙ୍ଗରେ ଫାଟି ପଡ଼ିଲା-। ଏମାନଙ୍କ ଭିତରେ ଜଣେ ତାର ଅନ୍ତରତମା, ଆଉ ଜଣେ ଅବଶ୍ୟ ନିବେଦିତା ଦେବୀ-। କିନ୍ତୁ ଅନ୍ୟ ଜଣେ କିଏ ? ତାହାହିଁ ଭାବିବାକୁ ଲାଗିଲା ଅରୂପ । କିନ୍ତୁ ତାର ଭାବନାକୁ ଖଣ୍ଡିତ କରି ମହାଶ୍ୱେତା କହିଲା, ଏମାନଙ୍କ ସହିତ ତମର ପରିଚୟ କରେଇଦିଏ । ୟାଙ୍କର ନାମ ହେଉଚି ମାନମୟୀ ଦେବୀ, ଆଉ ଇଏ ହେଉଚନ୍ତି ଶ୍ରୀମତୀ ନିରୁପମା ସାମୁଏଲ । ନିର୍ଦ୍ଦେଶକ ତୁଷାରକାନ୍ତି ସାମୁଏଲଙ୍କ ସ୍ତ୍ରୀ ।

 

ମଳୟକମ୍ପିତ ପୁଷ୍ପିତ ଲତିକାପରି ଆରକ୍ତ ଲଜ୍ଜାରେ ଶିହରୀ ଉଠିଲେ ନିରୁପମା ସାମୁଏଲ । କିନ୍ତୁ ତାଙ୍କର ଅକ୍ଷୁଣ୍ଣ ସ୍ୱାସ୍ଥ୍ୟସମ୍ପଦ ବେଶ ପରିପାଟୀ ଦେଖି ଗୋଟିଏ ଅନୁଢ଼ା କିଶୋରୀ ବୋଲି ଅରୂପର ଧାରଣା ହୋଇଥିଲା । ଏଥର ସେ ସଙ୍କୋଚ କାଟି ସିଧା ଭାବରେ ଚାହିଁ କହିଲା, ସୁଖୀ ହେଲି ଶ୍ରୀମତୀ ସାମୁଏଲ ! କଟକରେ ପାଞ୍ଚବର୍ଷ କଟେଇ ସାରିଥିଲେ ସୁଦ୍ଧା, ଆପଣଙ୍କ ସହିତ ପରିଚୟର ସୁଯୋଗ ଆସି ନ ଥିଲା । ଆଜି ଦିନଟାକୁ ମୁଁ ନିଶ୍ଚୟ ମନେ ରଖିବି ।

 

ହସି ହସି ମହାଶ୍ୱେତା କହିଲା, କଟକର କୌଣସି ସମ୍ପଦ ତମ ଆଖିରେ ପଡ଼େନାହିଁ । ପଡ଼େ କେବଳ ଅନ୍ଧାର ମୁଲକର ଶ୍ୟାମଳ ଧାନ କ୍ଷେତ, ଚଳଚଞ୍ଚଳା ମଧୁମତୀ, ଲଜ୍ଜାବନତା ପଲ୍ଳୀବଧୂ । ଆଉ କ’ଣ ...ମୁଁ ତ ଆଉ କବି ନୁହେଁ ଯେ ମୋତେ ସବୁ କଥା କହି ଆସିବ ।

 

ବେଶ ବେଶ, ଖୁବ ଭଲ ତ କହି ଆସୁଛି । ଆଉ ବାକି ରହୁଛି କ’ଣ ? କହି କହି ଉଚ୍ଚସ୍ୱର ତୋଳି ମହିଳା ଦୁଇଜଣ ହସିଉଠିଲେ । ଅରୂପର ଅନ୍ତର ଅବଧି ମହାଶ୍ୱେତାର ବାକ୍ୟବାଣ ପହଞ୍ଚିଗଲା, କିନ୍ତୁ ସେ ବ୍ୟଥିତ ନ ହୋଇ ହସିଦେଇ ଧୀର ସ୍ୱରରେ କହିଲା, ସେ ଯାହା ହେଉନା କାହିଁକି ଶ୍ୱେତା, ଏମାନଙ୍କର ଦର୍ଶନ ମୋ ପକ୍ଷରେ ଏକ ବିଡ଼ମ୍ବନା ମାତ୍ର ।

ମୃଦୁ ପ୍ରତିବାଦ କରି ମହିଳା ଦୁଇଜଣ କହିଲେ, ନା....ନା ।

ପାନ ସଜାଡ଼ି ଭିତରକୁ ଆସିଲା ସର୍ବଜୟା । ହାତର ରୁପାପାତ୍ରଟିକୁ ସମସ୍ତଙ୍କ ଆଗରେ ଥୋଇ ଦେଇ ସେ ପୁଣି ନୀରବ ପଦକ୍ଷେପରେ ଫେରିଗଲା । ପଛରୁ ଡାକି ଅରୂପ କହିଲା, ପିଇବାପାଇଁ ଗ୍ଳାସେ ପାଣି ପଠେଇ ଦେବ ତ ଜୟା !

ସର୍ବଜୟାର ତୁଣ୍ଡରେ ସମ୍ମତିର କୌଣସି ଲକ୍ଷଣ ଫୁଟିଲା ନାହିଁ । ସେ ପୁଣି ଧୀରେ ପଦପାତରେ ଘର ଭିତରୁ ବାହାରିଗଲା । ଅରୂପ କହିଲା, କାହିଁ ନିବେଦିତା ଦେବୀଙ୍କି ତ ଦେଖିବାକୁ ପାଇଲି ନାହିଁ ?

ନିରୁପମା ସାମୁଏଲ କହିଲେ, ସେ ତ ଏ ଚିଠି ଦେଇ ପଠେଇଛନ୍ତି ।

କାହାକୁ ? ମତେ ? ପରମ ବିସ୍ମୟରେ ସେମାନଙ୍କୁ ଅନେଇ ରହିଲା ଅରୂପ ।

ନା ମହାଶ୍ୱେତା ଦେବୀଙ୍କି ? କହି ଏକ ଖାମ ବନ୍ଦକରା ଚିଠି ମହାଶ୍ୱେତା ଆଡ଼କୁ ବଢ଼େଇ ଦେଲେ ନିରୁପମା । କହିଲେ, ଏଥର ଆମମାନଙ୍କୁ ଯିବାକୁ ଦିଅନ୍ତୁ, ପୁଣି ସନ୍ଧ୍ୟାକୁ ଦେଖାହେବ ।

 

ରଙ୍ଗମଞ୍ଚ ନା କେଉଁ କୁଟୀରରେ.....

 

କହିଦେଲେ ଆପଣଙ୍କର ଆଗ୍ରହ କମିଯିବ ।

 

କହି କହି ଅରୂପ ଉଦ୍ଦେଶ୍ୟରେ ଆହୁରି ନମସ୍କାର ଜଣେଇ ସମସ୍ତ ଘର ଭିତରେ ଏକ ମଧୁସ୍ମିତ ପବନ ଖେଳେଇ ମହିଲା ଦୁଇଜଣ ଚାଲିଗଲେ ।

 

ଭାଷାର ଆବେଗରେ ସେତେବେଳେ ସୁଦ୍ଧା ମହାଶ୍ୱେତାର ଆଖି ଦୁଇଟି ଥମ ଥମ କରି ଉଠୁଥିଲା । ତାର କହିଥିବା କଥାଟା ରୂପକୁ ଆଘାତ କରିଛି କି ନାହିଁ ସେ ସମ୍ବନ୍ଧରେ ସେ ଆଦୌ ଭାବିଲା ନାହିଁ । ଗୋଟାଏ ନିଷ୍ଠୁର ଆତ୍ମବିଳାସ ପାଇଁ ସେ ଲାଳାୟିତ ହେଇଉଠିଛି ଆଉ ସେହି ବିଳାସର ପ୍ରଧାନ ଉପଲକ୍ଷ୍ୟ ରୂପେ ଆଖି ଆଗରେ ତାର ଠିଆ ହେଇଛି ଅରୂପ । ଏମିତି ଏକ ଜଡ଼ ପରିସ୍ଥିତି ଭିତରେ ସେ ବିଚାର ବିବେଚନା ପାଇଁ ନିଜକୁ ସୁଯୋଗ ଦେବାକୁ ଆଦୌ ପ୍ରସ୍ତୁତ ନୁହେଁ, ତାର ହୃଦୟ ବନ୍ଧନ ଭିତରେ ବିନୟ, ସୌଜନ୍ୟର କଳ୍ପନା ସୁଦ୍ଧା ସେ କରି ପାରିନାହିଁ । ତାର ପ୍ରଣୟ ଆଉ ଶୃଙ୍ଖଳା ଭିତରେ ଦାନବତାର ଅଂଶ ହିଁ ପ୍ରବଳ ।

 

ଖାମ୍‍ର ଗୋଟିଏ ପାଖ ଛିଣ୍ଡେଇ ଦେଇ ଚିଠି ପଢ଼ିବାକୁ ଲାଗିଲା ମହାଶ୍ୱେତା । ନିବେଦିତାର ହାତଲେଖା । ଆଗରୁ ଏ ଅକ୍ଷର ସହିତ ତାର କୌଣସି ପରିଚୟ ନ ଥିଲେ ମଧ୍ୟ କେଉଁଠି କିଛି ଅସ୍ପଷ୍ଟତା ଦେଖିବାକୁ ପାଇଲା ନାହିଁ ମହାଶ୍ୱେତା । ନିଜର ପ୍ରୟୋଜନୀୟ ବକ୍ତବ୍ୟ ଟିକକ ବ୍ୟତୀତ କେଉଁଠାରେ ଭାବପ୍ରବଣତାର ଗୋଟିଏ ଶବ୍ଦ ସୁଦ୍ଧା ଖୋଜି ପାଇବା କଠିନ । କିନ୍ତୁ ଚିଠି ଖଣ୍ଡିକ ପଢ଼ୁ ପଢ଼ୁ ତାର ମୁହଁ ହାସ୍ୱୋଜ୍ଜଳ ହୋଇଉଠିଲା । ହୃଦୟାବେଗ ଆଉ ପ୍ରାଣର ଉଚ୍ଛ୍ୱାସରେ ସେ ଏତେ ଅସ୍ଥିର ହେଇ ଉଠିଲା ଯେ କୌଣସିମତେ ଆତ୍ମଗୋପନ କରି ପାରିଲା ନାହିଁ । ନିଜର ଆସନ ଛାଡ଼ି ସେ ଆସି ଅରୂପର ବିଛଣା ଉପରେ ଲୋଟିପଡ଼ିଲା । ସୁନ୍ଦର ଆଖି ଦୁଇଟି ତାର ଲଜ୍ଜାର ମଧୁଭାରରେ ନଇଁ ଆସିଲା ।

 

ମୃଦୁ ହସରେ ତାର ପ୍ରତିଦାନ ଦେଇ ଅରୂପ କହିଲା, ଆଜି ରାଜକୁମାର ମନପବନ ଘୋଡ଼ାର ସଂବାଦ ମିଳିଛି ନା କ’ଣ ?

 

ହୁଁ......

 

ନ ହେଲେ ଏ ମୁକ୍ତ ଆନନ୍ଦ ଆଉ କାହିଁକି !

 

ଏଥର ସଂଯତ ହେଇ ଉଠିବସିଲା ମହାଶ୍ୱେତା । ତଥାପି ତାର ସମସ୍ତ ଚେହେରାରେ ଚପଳ ତରଙ୍ଗର ଉଦ୍ଦାମତା ଜାଗି ରହିଛି । ଖୋଲା ଚିଠି ଉପରେ ଆଖି ରଖି ସେ କହିଲା, ନିବେଦିତା ଦେବୀ କାଲିଠାରୁ ଖବର ପଠେଇଥିଲେ ତମକୁ ନିମନ୍ତ୍ରଣ ଜଣେଇବା ପାଇଁ । ସେ ନିଜେ ଆସିବେ ଆଉ ଏହି ନିମନ୍ତ୍ରଣ ଦ୍ୱାରା ହିଁ ସେ ତମ ପ୍ରତିଭାର ପୂଜା କରି ଯିବେ । କିନ୍ତୁ ସେ ଆଜି କେତେକ ଅନିବାର୍ଯ୍ୟ କାରଣଯୋଗୁ ଆସି ପାରିଲେ ନାହିଁ । କିନ୍ତୁ ସେ ଯେ ଏମିତି ଖଣ୍ଡେ ଚିଠି ପଠେଇବେ ମୁଁ ଭାବି ପାରି ନ ଥିଲି ।

 

ମହାଶ୍ୱେତାର ଅବସ୍ଥା ଲକ୍ଷ୍ୟକରି ଅରୂପ କୌତୂହଳୀ ହେଇ ଉଠିଲା । କହିଲା, ଲେଖାଟା ନିଶ୍ଚୟ ରସ ରହସ୍ୟର....

 

ହୁଁ.... ଦେଖ....

 

ହାତକୁ ଚିଠିଟି ନେଇ ପଢ଼ିଲା ଅରୂପ । ବାସ୍ତବରେ ଚିଠିଟି ସଖୀଜନର । ଆନ୍ତରିକ ପରିହାସରେ ଆକର୍ଷଣୀୟ ହୋଇ ଉଠିଛି । ତଥାପି ଗୋଟିଏ ଧାଡ଼ିରେ ସୁଦ୍ଧା ଅପ୍ରାସଙ୍ଗିକ କିଛି ନାହିଁ । ମୁଖ୍ୟତଃ ଚିଠିଟିରେ ନିବେଦିତା ସମ୍ବୋଧନ କରିଚି ଶ୍ରୀମତୀ ରାୟ ! ସୁଚରିତାସୁ ...ଆଉ ଏହି ଧାଡ଼ିଟି ଯେ ମହାଶ୍ୱେତାର ଉଚ୍ଛ୍ୱାସର କାରଣ ହୋଇଉଠିଛି ଏଥିରେ ସନ୍ଦେହ ନାହିଁ । କିନ୍ତୁ ନିବେଦିତା ଦେବୀ କଣ ମହାଶ୍ୱେତା ଆଉ ତା ସମ୍ବନ୍ଧରେ ଏକବାର ନିଃସଂଶୟ....

 

ଅବାକ୍‌ ବିସ୍ମୟରେ ମହାଶ୍ୱେତା ଆଡ଼େ ଚାହିଁଲା ଅରୂପ । କିନ୍ତୁ ମହାଶ୍ୱେତା ସେଠି ନାହିଁ-। ନିଦାରୁଣ ଲଜ୍ଜାର ଉତ୍ପୀଡ଼ନରେ ଘରଛାଡ଼ି ପଳେଇଚି ସେ ।

 

ଅରୂପ କବି । ପୃଥିବୀର ପ୍ରଥମ କବିତା ହେଲା କ୍ରନ୍ଦସୀ । ଆଦି କବିର ଧାର ଧାର ଅଶ୍ରୁ ମିଶି କ୍ରନ୍ଦସୀ । କବିତାର ସୃଷ୍ଟି ହେଲା ବେଦନାରୁ । ହୃଦୟର ଆଦି ରହସ୍ୟ ଭେଦ କରି ଅପୂର୍ବ ସୃଜନର ଚେତନା ଜାଗି ଉଠିଛି, ଶ୍ଳୋକ । ବିଶ୍ୱମୃଷ୍ଟିର ସ୍ତର ସ୍ତର ଭେଦକରି ଉଠିଛି ପ୍ରାଣତନ୍ତ୍ରୀର ଝଙ୍କାର । ଛନ୍ଦେ ଛନ୍ଦେ ଭରିଉଠିଛି ଜୀବନ ମୃତ୍ୟୁର ନିଗୁଢ଼ ରହସ୍ୟ । ନର ଲୋକରେ ସ୍ୱର୍ଗର ପାରିଜାତ ଝରି ପଡ଼ିଛି କବିର ସାଧନାରେ । ଲେଖନୀରେ ଅଶ୍ରୁତପୂର୍ବ ଭାଷ୍ୟ ତୋଳି ସେ କହିଛି ପୃଥିବୀର ଜନ୍ମ ଇତିହାସ ।

 

ସେହି ପୃଥିବୀରେ ପ୍ରାଣସଂଚାର କରି ଆସିଥିଲେ ନବୀନ କିଶୋର ଶ୍ରୀକୃଷ୍ଣ । ନାରୀର ଅଭାବରେ ସେ ହେଲେ ବିରହୀ । ଶହ ଶହ ଯୁଗଧରି କବି ଲେଖିଥୋଇଲା ସେହି ବିରହର ଇତିବୃତ୍ତି । ବିରହଠାରୁ ଜନ୍ମ ହେଲା ମମତା । ମିଳନର ବାସନାରେ ନିତ୍ୟକାଳର ବିରହୀ ଆଖିର ଲୁହଢ଼ାଳି କାମନା କରିଚି– ଯାହାର ନାମ ନାରୀଶ୍ରେଷ୍ଠା । ଉଦ୍‌ବେଳ ଅଶ୍ରୁର ଏହି ଭାଷା ପୃଥିବୀକି ବାରମ୍ବାର ଶୁଣେଇ ଦିଆଯାଇଚି । ମିଳନର ଆକୁଳ ଆକାଙ୍‌କ୍ଷା ପ୍ରତି ଜୀବର ଅନ୍ତରରେ ଚିରସ୍ଥାୟୀ-। ଅନିର୍ବାଣ ଦୀପ ଶିଖାପରି ସେହି ଆକୁଳ ହା ହା କାରକୁ ବଞ୍ଚେଇ ରଖିବାପାଇଁ ବିଚ୍ଛେଦ ବେଦନାର ମସିରେ ଲେଖାରହିଚି କାବ୍ୟ କବିତା । ଶରାହତ ବଳାକାର ରକ୍ତ ପ୍ରବାହରେ ଫୁଟି ଉଠିଥିଲା, ଅନାଦି ଅଶ୍ରୁଳ କବିତାର କୋରକ । କିଏ ନ ଜାଣେ ?

 

କିନ୍ତୁ ବୁଝିନାହିଁ, ଏକା ସେହି ନାରୀ । କବିତାର ଛନ୍ଦେ ଛନ୍ଦେ ପ୍ରକାଶ ପାଇଚି କବିର ହୃଦୟ । ତାହା ଉଦାର ସହିଷ୍ଣୁତାର ଅସୀମତାରେ ଆତ୍ମସମାହିତ । ପ୍ରାଣରେ ଆଜି ତାର ପିପାସା । ଆଖିରେ ବ୍ୟର୍ଥତାର ଅଶ୍ରୁ । ଆଘାତ ଆନନ୍ଦର ସେହି ପ୍ରଳାପ କବିତାର ସୁଧାଧାର ରୂପେ ଉଚ୍ଛ୍ୱସିତ ହୋଇ ଉଠିଚି ।

 

ଅରୂପ ନିମନ୍ତ୍ରିତ ହୋଇଆସିଚି । ନିମନ୍ତ୍ରଣ ସେ ସ୍ୱୀକାର କରେନା, ସ୍ୱୀକାର କରେ ପ୍ରାଣର ଦାୟ । ନିଜ ଜୀବନର ଦାୟିତ୍ୱ । ତା ନିକଟରେ ଅନ୍ତରର ଆହ୍ୱାନ ହିଁ ପ୍ରବଳ । ସାଙ୍ଗରେ ଆସିଛି ମହାଶ୍ୱେତା । ନାରୀ । କୌଣସି ଦିନ ନାରୀର ଅସମ୍ମାନ କରିନାହିଁ ଅରୂପ । ଏହି ନାରୀର ଗର୍ଭରୁ ତାର ଜନ୍ମ । ନାରୀ ହେଲା ପୁରୁଷର ପ୍ରାଣଶକ୍ତି । ନାରୀର ସାଧନା ହିଁ ପୁରୁଷର ଜୀବନ । ପୁରୁଷ ବାଦ୍ୟ । ନାରୀ ବାଦିକା । ଅରୂପ ଭିତରେ ବିକାଶ ଲାଭ କରିଛି ପୁରୁଷୋତ୍ତମର ଆତ୍ମସତ୍ତା-। ନାରୀ ପାଇଁ ଯିଏ ନାରୀର ବହିରାବଣ ଭିତରେ ଆତ୍ମଗୋପନ କରିଥିଲା, ମୁଣ୍ଡରେ ବହିଥିଲା ଲାକ୍ଷାରସର ଆଧାର, ଯମୁନାର ଅଗାଧ ଜଳୋଚ୍ଛ୍ୱାସ ଭିତରେ ମେଲେଇ ଦେଇଥିଲା ଜୀବନ ତରୁଣୀ, ଶତ ଶତ ଦର୍ଶକଙ୍କ ମଝିରେ ଆଜି ପୁଣି ସେହି ନାରୀର ପ୍ରାଣଲୀଳା ଦେଖିବାପାଇଁ ଅପେକ୍ଷା କରି ବସିଚି ଅରୂପ ।

 

ଭିତରେ ଗୀତ ବାଦ୍ୟର ଆସର ଜମିଉଠିଚି । ସୁଦକ୍ଷ ଉମାଶଙ୍କର ବାବୁଙ୍କର ସୁବ୍ୟବସ୍ଥା ଆଉ ତାଙ୍କର ସହକାରୀ ମାନଙ୍କର ସହଯୋଗକୁ ଏଥିପାଇଁ ଧନ୍ୟବାଦ ନ ଦେଇ ରହି ହୁଏନାହିଁ । ନିବେଦିତା ଦେବୀଙ୍କର ନିର୍ଦ୍ଦେଶନା ମଧ୍ୟ ଏହା ଭିତରେ କାମ କରିଚି । ତାହା କାହାରି ନିକଟରେ ଅସ୍ପଷ୍ଟ ନୁହେଁ ।

 

କଳ୍ପନାର ରଙ୍ଗନେଇ ବଢ଼ିଉଠିଚି ସବୁଜଶ୍ରୀ । ଦୃଶ୍ୟମାନ ବାସ୍ତବତାରେ ଅରଣ୍ୟଲୋକର ମହା ନିର୍ଜନତାକୁ ଯେଉଁ ଅମର ମାନବ ମୂର୍ତ୍ତିମନ୍ତ କରିପାରିଚି ସେ ଧନ୍ୟବାଦାର୍ହ୍ୟ-। ପଛେ ପଛେ ମୋହାଚ୍ଛନ୍ନ ସୃଷ୍ଟିର ଇଙ୍ଗିତ, କିଏ ଯେପରି ଜୀବଜଗତକୁ ମୋହଗ୍ରସ୍ତ କରି ଯାଦୁମନ୍ତ୍ର ପଢ଼ି ଚାଲିଚି ।

 

ମିଥ୍ୟାକୁ ସତ୍ୟମୟ କରି ଉପଲବ୍‌ଧି କରିବାର ଆନନ୍ଦ । ସେହି ଆନନ୍ଦ ଉପଭୋଗ କରିବାପାଇଁ ସୁ-ରସିକ ଜନସାଧାରଣ ଦୁଇ ଦୁଇ ପିପାସିତ ଆଖି ନେଇ ଆକୁଳ ଆଗ୍ରହରେ ବସିରହିଚି । ସେହି ଆଖି ଯହି ନିଖୁଣ ଭାବରେ ମୁଗ୍‌ଧ ନ ହୋଇପାରେ ତାହେଲେ ହେବ କଠୋର ସମାଲୋଚନା । ଶହ ଶହ ଟଙ୍କାର ବିନିମୟରେ ସେମାନେ ଯଦି ପ୍ରତାରିତ ହୋଇ ନ ପାରିଲେ ଏମାନେ ଅପାର ଦୁଃଖ ବୋଧ କରିବେ । ମାୟା ଯଦି ବିଚିତ୍ର ହୁଏ ଶୁଭିବ କରତାଳି । ନିଜକୁ କେଇଟି ମୁହୂର୍ତ୍ତ ପାଇଁ ନିର୍ବୋଧ କରି ରଖିପାରିଲେ ଆର୍ଥିକ ସାର୍ଥକତା ହାତେ ହାତେ ମିଳି ଯିବ । ସମସ୍ତେ ରିକ୍ତ ହାତରେ ଘରକୁ ଫେରିଯିବେ । ସେହିଥିରେ ହିଁ ଆନନ୍ଦ ।

 

ନିସ୍ତବ୍‌ଧ ପ୍ରେକ୍ଷାଗୃହରେ ଉପବିଷ୍ଟ ଶତ ଶତ ନିର୍ବାକ ଦର୍ଶକର ଦୃଷ୍ଟିପଲକ ନିହିତ । ଯାହା ଏମାନେ ଚାହାନ୍ତି ତାହା ସଂପୂର୍ଣ୍ଣ ଦୁଃଷ୍ପ୍ରାପ୍ୟ । ସେହି ରସ ଏମାନେ ଚାହାନ୍ତି । ସାଧୁଭାଷାରେ ଯାହାକୁ କହନ୍ତି ରସୋତ୍ତୀର୍ଣ୍ଣ । ବଶୀକରଣ ବିଦ୍ୟାହିଁ ରଙ୍ଗମଞ୍ଚରେ ଖେଳେଇ ଦିଏ ଉଦ୍ଦାମ ପ୍ରାଣପ୍ରବାହ ।

 

ଅନ୍ଧକାର ପ୍ରେକ୍ଷାଗୃହରେ ଆସନ ଗ୍ରହଣ କରିଚି ଅରୂପ । ନିଜର ଅର୍ନ୍ତଦୃଷ୍ଟି ଦେଇ ସେ ଦେଖିବାକୁ ଚାହୁଁଚି ନାରୀର ଅନ୍ତର । ବାହାରର ଦୃଷ୍ଟି ନେଇ ସେ ଚିହ୍ନିବାକୁ ଚେଷ୍ଟାକରୁଚି ଭିତରର ମଣିଷକୁ । ଜନନୀ ନା ଦାନବୀ ? କେଉଁଟା ? ଅମୃତର ଶୀତଳ ସ୍ପର୍ଶ ନା ଲାଳସାର ଲେହନତା ? ସୃଜନର ମୋହ କଣ ନାରୀକି ପାଗଳ କରେ, ନା ଉନ୍ମତ୍ତ କରେ ବାସନାର ଉଗ୍ରଦାହ । ନିଜର ଆତ୍ମିକ ଶକ୍ତିଦ୍ୱାରା ବିଶ୍ୱର ନିଗୁଢ଼ ପ୍ରଣାଳୀରେ ସେ କଣ ନବ ଚେତନାର ପ୍ରକାଶ କରେ ? ନା ଲୀଳାୟିତ ଅଙ୍ଗଭଙ୍ଗୀ ନେଇ ସେ ସ୍ୱୀକାର କରେ ମୁଢ଼ ପୁରୁଷକୁ । ହୃଦୟର ଅର୍ଘ୍ୟ ଢାଳି ସେ କ’ଣ ସ୍ୱାମୀ ଦେବତାର ପାଦତଳେ ଆତ୍ମପୂଜା ଦିଏ ନା କାମନାର ଅଗ୍ନିକୁଣ୍ଡ ଜାଳି ତିଳ ତିଳ କରି ନିଷ୍ପେଷିତ କରେ ? ବହୁ ଜିଜ୍ଞାସାର ଜବାବ ଆଜି ଅରୂପର ବଡ଼ ଦରକାର ।

 

ମଞ୍ଚଉପର ମନର ରଙ୍ଗରେ ରଙ୍ଗିନ୍‌ ହୋଇଉଠିଚି । ନବ କିଂଶୁକର ରକ୍ତିମାରେ ଅରଣ୍ୟପଥ ରାଗରଞ୍ଜିତ । ଗିରିରାଜ ହିମାଳୟର ପାଦଦେଶରେ ପ୍ରାଚୀନ ମୁନି ଋଷି ତପର କଠୋରତାରେ ପ୍ରସ୍ତରୀଭୂତ । ଅରଣ୍ୟ ବିଟପୀର ଶାନ୍ତ ଛାୟାରେ ସମସ୍ତ ବନଲୋକ ଆଚ୍ଛନ୍ନ । ବିବିକ୍ତ ବନସ୍ଥଳୀରେ ଜ୍ୟୋସ୍ନାର ଜୁଆର ଆସିଚି । ରହି ରହି ଭାସି ଆସୁଛି ନାରୀପଦର ନୁପୁର ସିଂଜିନୀ । ବିନିଦ୍ର ବିହଙ୍ଗର କଣ୍ଠରେ ଜାଗିଉଠିଚି ବସନ୍ତ । ପୁଷ୍ପ ସ୍ତବକରେ ବାଣ ରଚି ବନେ ବନେ ଅତନୁର ଲୀଳା ଚାଲିଚି । ଏମିତି ସମୟରେ ଗିରିକନ୍ୟା ପାର୍ବତୀ ପୂଜା ବେଦୀତଳେ ଉପଗତ । ତାଣ୍ଡବୀ ରୁଦ୍ର ଧ୍ୟାନମଗ୍ନ । ସମସ୍ତ ଭୋଗବିଳାସ ବର୍ଜନ କରି ରାଜନନ୍ଦିନୀ ଆଜି ତପସ୍ୱିନୀ । ଏହି ସାଧନାର ସିଦ୍ଧି ହେବ କୁମାର ସଂଭବ । ଆଖିରେ ଆଖିରେ ଅଶ୍ରୁ ଜମିଆସୁଛି ।

 

ଖୁବ୍‌ ନିକଟରେ କାହାର ସ୍ୱର ଶୁଭିଲା । ଫେରି ଚାହିଁଲା ଅରୂପ । ପାଖରେ ଠିଆ ହୋଇଛନ୍ତି ନିରୁପମା ସାମୁଏଲ । କିଛି ମନେ ନଥିଲା ଅରୂପର ।

 

ନିରୁପମାନଙ୍କର ଆବିର୍ଭାବଟା ସଂପୂର୍ଣ୍ଣ ଅଭାବିତ । ଏଠି ସମ୍ମାନ ପ୍ରଦର୍ଶନର ସୁଯୋଗ ନାହିଁ । ଚାପାସ୍ୱରରେ ନିରୁପମା କହିଲେ, ଆପଣମାନେ ଆସିଛନ୍ତି । ଅତି ଆନନ୍ଦର କଥା । କିଛି ଅସୁବିଧା ହେଉନାହିଁ ତ ?

 

ନା, ନା, ଏକବାର ନିର୍ବିଘ୍ନରେ......

 

ଧୀରତା ସହକାରେ ମହାଶ୍ୱେତା ପଚାରିଲା, ଆପଣ ବୁଲୁଛନ୍ତି ?

 

ମୃଦୁ ହସି ନିରୁପମା କହିଲେ ଏ ଜୀବନକୁ ବହିଷ୍କାର କରିଦେଇଚି ଏବେ । ସେଥିଯୋଗୁ....

 

କଣ୍ଠରେ ଉଲ୍ଲାସ ଧରି ମହାଶ୍ୱେତା କହିଲା, କାରଣ ଶ୍ରୀଯୁକ୍ତ ସାମୁଏଲ ନିଶ୍ଚୟ....

 

ଅରୂପ କହିଲା, ପ୍ଳାଷ୍ଟିକ ସଭ୍ୟତା ଭିତରେ କାଳିଦାସଙ୍କର କୁମାର ସଂଭବ ମନୋହରଣ କରି ପାରିଚି ନିଶ୍ଚୟ !! ଓଡ଼ିଶାର ଏହି ପରିକଳ୍ପନାକୁ ଆଜି ଧନ୍ୟବାଦ ନ ଦେଇ ରହି ହେଉନାହିଁ ।

 

ମହାଶ୍ୱେତା କହିଲା, ଆଖି ଆଗର ତପକ୍ଳିଷ୍ଟା ପାର୍ବତୀଙ୍କ ଭିତରେ ନିବେଦିତା ଦେବୀଙ୍କି ମନେ ପକେଇ ହେଉନାହିଁ । ଅଙ୍ଗସୌଷ୍ଠବ ଯେମିତି ବିଂଶ ଶତାଦ୍ଦୀର ନୁହେଁ, ସୁଦୂର ପୁରାଣ ଯୁଗର...

 

ଅରୂପ କହିଲା, ଚମତ୍କାର ଚେହେରା ସତେ ! ଚେହେରା ସହିତ ପ୍ରତିଭାକୁ ମଧ୍ୟ ଅସ୍ୱୀକାର କରି ହେବ ନାହିଁ ।

 

ମହାଶ୍ୱେତା ଆଖି ଦୁଇଟି ଦପ୍‌ ଦପ୍‌ କରି ଉଠିଲା ।

 

ନିରୁପମା କହିଲେ, ଆପଣ କ’ଣ କେବେ ନିବେଦିତା ଦେବୀଙ୍କି ଦେଖି ନ ଥିଲେ ? କଟକରେ ରହନ୍ତି ତ ।

 

ମହାଶ୍ୱେତା କହିଲା, ସେ କୁପ ମଣ୍ତୁକ......

 

ନା...... ନା...... ପ୍ରତିବାଦ କରି ନିରୁପମା କହିଲେ, ହୁଏତ ଇଚ୍ଛା କରି ନାହାନ୍ତି ।

 

ସ୍ମିତ ହସି ଅରୂପ କହିଲା, କ୍ଷମା କରିବେ ଶ୍ରୀମତୀ ସାମୁଏଲ ! ଓଡ଼ିଶା ରଙ୍ଗମଞ୍ଚ ସମ୍ବନ୍ଧରେ ମୋର ଧାରଣା ବିରୂପ ।

 

ମହାଶ୍ୱେତା କହିଲା, ଆଜି ୟାଙ୍କର ନିବେଦିତା ଦେବୀଙ୍କ ସହିତ ଆଳାପ କରେଇ ଦିଅନ୍ତୁ ତ ଶ୍ରୀମତୀ ସାମୁଏଲ !

 

ଅରୂପ କହିଲା, ଏତେବଡ଼ ପ୍ରତିଭା ନିକଟରେ ମୁଁ ଯାଇ ମୋର ଶ୍ରଦ୍ଧା ନିବେଦନ କରିଆସିବି ଶ୍ରୀମତି ସାମୁଏଲ !

 

ଏଠି ଆଉ ଠିଆହୋଇ ବାକ୍ୟ ବିନିମୟ ସଂଭବ ନୁହେଁ । ଆଖ ପାଖର ଲୋକମାନଙ୍କର ବିରକ୍ତି ପ୍ରକାଶ ପାଇପାରେ । ତାହାଛଡ଼ା ନୂତନ ଦୃଶ୍ୟଅଙ୍କ ଆରମ୍ଭ ହେବ ଏଇକ୍ଷଣି । ସମସ୍ତ ପରିସ୍ଥିତିଟାକୁ ହୃଦୟଙ୍ଗମ କରି ନିରୁପମା କହିଲେ, ହେଉ ଆପଣ ଥାଉନ୍ତୁ । ସୁବିଧା ଦେଖି ମୁଁ ଆସି ଆପଣଙ୍କୁ ନେଇଯିବି ।

 

ହସି ହସି ମହାଶ୍ୱେତା କହିଲା, ମତେ ବି ଛାଡ଼ି ଯିବେନାହିଁ ।

 

ଚଞ୍ଚଳ ପାଦ ପକେଇ ସେଠୁ ବାହାରିଗଲେ ନିରୁପମା ।

 

ଅରୂପର କାନେ କାନେ ମହାଶ୍ୱେତା କହିଲା, ଅଭିନୟ ଦେଖି ଦେଖି ତମେ ନିଜକୁ ଏକବାର ଭୁଲିଯାଇଛ । କିନ୍ତୁ କହିଲ ନାହିଁ ତ, ତମ ଜୀବନରେ କେବେ କୁମାର ଜନ୍ମୋତ୍ସବର ଦିନ ଆସିବ ?

 

ତନ୍ମୟ ହୋଇ ମହାଶ୍ୱେତା ଆଡ଼େ ଚାହିଲା ଅରୂପ । କେଇଟି ନିମିଷ ମାତ୍ର, ତା’ପରେ ମଧୁସିକ୍ତ କଣ୍ଠରେ କହିଲା, ସେଥିପାଇଁ ତମର ସାଧନା ଦରକାର ।

 

ତା ହେଲେ ତମର ଏମିତି ଧ୍ୟାନମଗ୍ନ ରହିବା ଦରକାର ।

 

କହିଦେଇ ସେପଟକୁ ମୁହଁ ବୁଲେଇନେଲା ମହାଶ୍ୱେତା । ଆଜି ଅରୂପ ଅନୁଭବ କଲା ଚପଳ ତରଙ୍ଗର ଉଦ୍ଦାମତା । ଅନ୍ୟମନସ୍କ ଭାବରେ ସେ କହିଉଠିଲା, ଦେଖ ଦେଖ ପୁରୁଷର ପାଦତଳେ ନାରୀ କେମିତି ନିବିଡ଼ଭାବେ ଆତ୍ମନିବେଦନ କରିପାରେ । ଏହି ଆତ୍ମନିବେଦନର ଅନ୍ୟନାମ ହେଲା ମୋହନ ପ୍ରେମ ।

 

କିଛିକ୍ଷଣ ପରେ ଭାସିଆସିଲା କୋକିଳର କୁହୁଧ୍ୱନି । ସନ୍ଧ୍ୟା ସମାଗତ, ନିର୍ଜନ ବନଭୂଇଁରେ ପୂଜାରିଣୀ ପାର୍ବତୀ । ଏକାକୀ । ଶ୍ୟାମା, ସୁନ୍ଦରୀ, ଷୋଡ଼ଶୀ । ସମୁନ୍ନତ ବକ୍ଷସ୍ଥଳରେ ନବଯୌବନର ଭୂଷା । ବିପୁଳ ନିତମ୍ବର ଭାରରେ ଗତି ମନ୍ଥର । ଅଞ୍ଜଳୀ ଭରି ପୂଜା ଉପଚାର । କାୟ ମନବାକ୍ୟରେ ସେ ନିବେଦିତା ।

 

ହଠାତ୍‌ ଦେଖାଗଲା ଦେବତାର ଆସନ ଟଳୁଛି । ଚକିତ ହୋଇ ପାର୍ବତୀ ଚାହିଁଲେ । ଅଙ୍ଗେ ଅଙ୍ଗେ ବିଦ୍ଧ ହୋଇଯାଉଛି ଦୁରନ୍ତ ମଦନର ତୀକ୍ଷ୍‌ଣ ଶର । ଥର ଥର କରି କମ୍ପି ଉଠୁଛି ନବ ତାରୁଣ୍ୟ । କମ୍ପି ଉଠୁଛି ଦେବଲୋକ; ଆଉ ନର ଲୋକ......

 

ସମସ୍ତ ଜନସାଧାରଣ ମନ୍ତ୍ରମୁଗ୍‌ଧ । ଗୋଟିଏ ସୁଦ୍ଧା ପଲକପାତ ହେଉନାହିଁ । ଅଦୂର ଅନ୍ତରାଳରେ ବସି ବସି ଉମାଶଙ୍କର ବାବୁ ଅସ୍ଥିତ୍ୱ ଭୁଲି ଯାଇଛନ୍ତି । ନିର୍ବାକ ନିଶ୍ଚଳ ଶିଳାଶିଳ୍ପ ପରି ବସି ରହିଛନ୍ତି ନିର୍ଦ୍ଦେଶକ ତୁଷାରକାନ୍ତି ସାମୁଏଲ । ରଙ୍ଗମଞ୍ଚରେ ନିବେଦିତା ସଂପୂର୍ଣ୍ଣ ନବାଗତା କହିଲେ ଅତ୍ୟୁକ୍ତି ହେବନାହିଁ । ମାତ୍ର ପାଞ୍ଚବର୍ଷ । ପ୍ରଥମ ଗୋଟାଏ ବର୍ଷ ଜଡ଼ତା ଭିତରେ କଟେଇ ଦେଇଛି ନିବେଦିତା । କୌଣସି କାମରେ ନିଜକୁ ସେ ନିୟୋଗ କରି ପାରିନଥିଲା । ତା ପର ତିନିବର୍ଷ ଅଧ୍ୟୟନ ଭିତରେ ବିତିଯାଇଛି । ଚଳିତ ବର୍ଷ ସେ ପୂରାପୂରି ନିଜକୁ କଳା ଚର୍ଚ୍ଚାରେ ଉତ୍ସର୍ଗ କରିଦେଇଛି । ଐଶ୍ୱରିକ ପ୍ରତିଭା ଜାଗି ଉଠିଛି ସୁଯୋଗ ପାଇ ।

 

ଦୃଶ୍ୟାନ୍ତରର ପଟ୍ଟ ପତ୍ତନ ହେଲା । କିନ୍ତୁ କିଛି ମନେରଖି ପାରିନାହିଁ ଅରୂପ । ଏପଟ ସେପଟ କରି ସେ ଆଖି ଫେରେଇଲା । ଅବିଭୂତ ଆଖି ତାର, ମହାଶ୍ୱେତାର ଦୁଇଟି ସ୍ଥିର ଅପଲକ ଆଖି ଉପରେ ନିବଦ୍ଧ ହେଲା । ପାଖକୁ ସାମାନ୍ୟ ଢଳିଆସି ମହାଶ୍ୱେତା କହିଲା, ଗୋଟିଏ ଥରରେ ତମକୁ ଖୋଜି ପାଇବା କଠିନ ହେଲାଣି ।

 

ଅରୂପ କହିଲା, ପାଇବାରେ କ’ଣ ଦରକାର ଅଛି ?

 

ସର୍ବନାଶ ! ତୁମ ପାଟିରେ ଆଜି ଏ ନୂଆ କଥା କାହିଁକି ?

 

ନୂଆ ନୁହେଁ କିଛି । ଅରଣ୍ୟ ଲୋକର ଏହି ମହା ହିଂସ୍ରତା ମଝିରେ ମୁଁ କଳ୍ପନା କରୁଛି ଶାନ୍ତ ସରଳ ଗ୍ରାମ୍ୟପଥ ଆଉ ତମେ ଚିତ୍‌କାର କରୁଛ ଧୂଳି...... ଧୂଳି...... ।

 

ଶାନ୍ତ ସ୍ୱରରେ ମହାଶ୍ୱେତା କହିଲା, ଆଜି ଏ ଆଲୋଚନା ନ କଲେ ତମର ଅନ୍ତତଃ ଚଳିଯାନ୍ତା ।

 

ଯାଃ......ଥାଉ, ମୋର କୌଣସି ଆପତ୍ତି ନାହିଁ ।

 

ଓଠରେ ହସ ଧରି ଅରୂପ କହିଲା, ପୁରୁଷର ମାନ, ଦମ୍ଭ, ପୌରୁଷ ତମ ପାଖରେ ଏଥର ଛାଡ଼ିଦେଲି । ଏବେ କବି କଳ୍ପନାର ଶ୍ରେଷ୍ଠ ଅଭିବ୍ୟକ୍ତି ପୂର୍ଣ୍ଣପ୍ରାଣରେ ଉପଭୋଗ କରିପାରିଲେ ଶ୍ରମ ସାର୍ଥକ ହେବ ।

 

ମଧୁସ୍ମିତ ହସର ଝଲକରେ ମହାଶ୍ୱେତାର ଓଠ ଦୁଇଟି ଦଣ୍ତକ ପାଇଁ ଥରିଉଠିଲା । ତା’ପରେ ଆସ୍ତେ ଆସ୍ତେ ସେ କହିଲା, କ’ଣ ଏକା......

 

ଏକା ହେଲେ ମିଳେ ମଧୁ । ଦୁଇ ହେଲେ ମଧୁର ଉତ୍ତାପ......ସେହିପରି ହସ ଭିତରେ ମହାଶ୍ୱେତାର ଓଠରୁ ପୁଣି କେତୋଟି କଥା ଝରିପଡ଼ିଲା, ଏ ତ ନିଗୁଢ଼ ପ୍ରଣୟର କଥା......

 

ନିଶ୍ଚୟ !! କିନ୍ତୁ ତମେ ଯେ ମୋର ପ୍ରଣୟ ପ୍ରବାହରେ ସେତୁ ରଚନା କରିବସିଚ । ମୋର ଯାହା କିଛି ଇଛା, ଅନିଚ୍ଛା, ଦେୟ, ପ୍ରାପ୍ୟ, ଦାନ, ଦାକ୍ଷିଣ୍ୟ, କାମନା, ବାସନା, ସବୁନେଇ ଯେ ପ୍ରଣୟୀ, ସେହି ପ୍ରଣୟୀକି ତମେ ଅଞ୍ଜଳି ଟେକି ଦିଅ ମହାଶ୍ୱେତା !

 

ପ୍ରେକ୍ଷାଗୃହରେ ଅଧୀର ଉତ୍ତୋରଳ ଆରମ୍ଭ ହେଇଯାଇଚି । ଚାରିଆଡ଼େ ଥରେ ଆଖି ବୁଲେଇ ଆଣି ମହାଶ୍ୱେତା କହିଲା, ନିବେଦତା ଦେବୀଙ୍କ ସହିତ ଜାଲ ପାତିବ ?

 

ଅରୂପ କହିଲା, ଦୁର୍ଭାଗ୍ୟ......

 

ଭୟ, ନା ଅନିଚ୍ଛା...... ?

 

ଦୁଇଟାରୁ କେଉଁଟା ନୁହେଁ ।

 

କାହିଁକି ?

 

ଅରୂପ କହିଲା, ପ୍ରଶ୍ନଟା ଅକାରଣ ।

 

ମୁଁ ଯଦି ସେଥିପାଇଁ ଟିପଚିହ୍ନ, ଦସ୍ତଖତ ଦେଇଦିଏ ।

 

ତମେ କୁତ୍ସିତ ପଲ୍ଳୀର ଅଶିକ୍ଷିତା ଅବଲା ନୁହଁ ।

 

ବିହ୍ୱଳ ଆଖିରେ ମହାଶ୍ୱେତା ଅରୂପକୁ ଚାହିଁଲା । ଅରୂପ ଶାନ୍ତ, ସଂଯତ, ନିଶ୍ଚଳ, । ତାର କାନପାଖକୁ ମୁହଁ ଆଣି ମହାଶ୍ୱେତା କିଛି କହିବାକୁ ଚେଷ୍ଟାକଲା । ନା ଥାଉ । କିଛି କହିବାର ସମୟ ଏ ନୁହେଁ । କେବଳ କହିଲା, ବୁଝୁଚି ତମ ମନ କଥା । କପାଳରେ ପଙ୍କର ଟୀକା ପିନ୍ଧି, ଦେହରେ ଧୂଳିର ବିଭୂତି ବୋଳି, ତୃଣଶଯ୍ୟାରେ ମୁଁ ନିଦ୍ରାଗଲେ ତମେ ନିଶ୍ଚୟ ଶାନ୍ତ ପାଇବ ।

 

ପ୍ରେକ୍ଷାଗୃହ ପୁଣି ସ୍ତବ୍‌ଧ ହେଇଗଲା । ସମ୍ମାନ ଆଉ ଶ୍ରଦ୍ଧାରେ ମୁଗ୍‌ଧ ଜନତା ପୁଣି ନିର୍ବାକ ହେଇ ଯାଇଚି । ମଞ୍ଚ ଉପରେ ପୁଣି ଆବିର୍ଭାବ ହେଇଚି ତନ୍ୱୀ ପୂଜାରିଣୀର । ଏଥର ସେ ପୂଜାରିଣୀ ନୁହେଁ । ପୁଷ୍ପିତା ପ୍ରଣୟିନୀ । ତୃଷାର ଧବଳ ମଣିବନ୍ଧରେ ବକୁଳ କଳିକାର କଙ୍କଣ, ବକ୍ଷସ୍ଥଳରେ ନବମାଳିକାର ମାଳା, ଶ୍ରୁତିତଟରେ ନିଳୋତ୍ପଳ, ବେଣୀ ବନ୍ଧରେ ଚ୍ୟୁତ, ଅଶୋକର ଗୁଚ୍ଛ । ସତେ ଯେପରି ବିଜନ ବନଭୂମିରେ ମଦନ ମୂଚ୍ଛତ ଏକ ପୁଷ୍ପଧନୁ । ମଞ୍ଚ ଉପରେ ଦୃଷ୍ଟି ରଖି ଅରୂପ ପହିଲା, ଫେରିଯାଇ ତମ ପ୍ରଶ୍ନର ଉତ୍ତର ଦେବି ।

 

ଶେଷ ଯବନିକା ଯେତେବେଳେ ପଡ଼ିଲା ସେତେବଳେ ରାତି ପ୍ରାୟ ଏଗାରଟା । ବିପୁଳ ଜନତାର ମଦିର ବିଭୋର ଆଖି ନିର୍ବାକ ବିସ୍ମୟରେ ସହସା ଯେମିତି ଫେରିଯିବାର ସାମର୍ଥ୍ୟ ହରେଇ ବସିଲା । ପଥେ ପଥେ ଆରମ୍ଭ ହୋଇଗଲା ଜନତାର ପ୍ରବଳ ତୁଣ୍ତଗୋଳ ।

 

ପ୍ରେକ୍ଷାଳୟ ଯେତେବେଳେ ନିର୍ଜନ ହୋଇଆସିଲା, ସେତେବେଳେ ନିରୁପମା ଆସି ଅରୂପ ନିକଟରେ ଠିଆହେଲେ । ସେ ଯେମିତି ଏକ ଅଦୃଶ୍ୟ ଇଙ୍ଗିତରେ ପରିଚାଳିତ । ଅନ୍ତରେ ଅନ୍ତରେ ତାଙ୍କର କେଉଁ ଅଚିନ୍ତ୍ୟ ପୁରୁଷର ପ୍ରେରଣା ଜାଗିରହିଛି । ତାଙ୍କର ଏହି ଦୈତ୍ୟଗିରି ଦୁଇଟି ଅଦେଖା ଅଚିହ୍ନା ନରନାରୀର ଜୀବନ ନାଟକରେ କେଉଁ ଅଜଣା କରୁଣ ଦୃଶ୍ୟର ଅବତାରଣା କରିବ, ସେ ଜାଣନ୍ତି ନାହିଁ । ନିଜେ ହୁଏତ ସେ ନିଜ ସମ୍ବନ୍ଧରେ କିଛି ଚିନ୍ତାକରି ପାରି ନାହାନ୍ତି । ଅରୂପର ସାନିଧ୍ୟ ପାଇଁ ଯେ ତାଙ୍କ ରକ୍ତରେ ଆଲୋଡ଼ନ ଆସିନାହିଁ, ଏହା କୁହାଯାଇ ନପାରେ ।

 

କିନ୍ତୁ ଅରୂପର କୌଣସି ପ୍ରକାର ଚିତ୍ତବିକାର ନାହିଁ । ବିକ୍ଷୋଭ ମଧ୍ୟ ନାହିଁ । ଘାତ ପ୍ରତିଘାତ ସେ ସ୍ୱୀକାର କରେନା । କେବଳ ସତ୍ୟ, ନିଜର ଖୁବ୍‌ ନିକଟରେ ସେ ଚାହେଁ ଏକ ଚରମ ସତ୍ୟର ବିକାଶ । ସେ ମଧ୍ୟବର୍ତ୍ତୀ, ଆଗ ପଛରେ ତାର ମାନବ ଜୀବନର ରହସ୍ୟ ଜାଲ । ତାକୁ ନିର୍ଭୁଲଭାବେ ଜାଣିବାକୁ ହେବ ମାନବ ସୃଷ୍ଟିର ଇତିବୃତ୍ତି । ନାରୀ ରକ୍ତର ଗୋଟିଏ କ୍ଷୁଦ୍ର ବିନ୍ଦୁ ସେ, ପୁଣି ନାରୀର ଗର୍ଭରେ ହେବ ତା ଆତ୍ମ କଣିକାର ବିକାଶ । ଜପାମାଳାରେ ତାର ଆଜି ନୂତନ ପ୍ରଣୟର ଇଷ୍ଟମନ୍ତ୍ର । ସନ୍ଦେହ, ସୂକ୍ଷ୍ମପ୍ରବୃତ୍ତି, ବିମୂଢ଼ ଦୁର୍ବଳତା, ଜୀବନ ଦେବତାର ନିଭୃତ ନିବିଡ଼ତା ଅନ୍ତରର ବିସ୍ମୟ ନିଗୁଢ଼ ରହସ୍ୟ । ନାରୀର ନିତ୍ୟ ନୈବେଦ୍ୟର ଅଞ୍ଜଳି, ଗୋଟି ଗୋଟି କରି ଏ ସବୁକୁ ନ ଜାଣିଲେ ନାରୀ ସହିତ ପୁରୁଷର ବନ୍ଧନ ରହେନା । ଏହି ଦେଖା ଜଣାରୁ ଆସେ ଅଭିଜ୍ଞତା, ସେ ଅଭିଜ୍ଞତା ଯେପରି ଅରୂପର ସଂଶୟାଚ୍ଛନ୍ନ ନ ରହେ ।

 

ନିରୁପମାଙ୍କୁ ଦେଖି ଉଠି ଠିଆହେଲା ଅରୂପ । ସେ କିଛି କହିବା ଆଗରୁ କହିଲା, ଚାଲନ୍ତୁ ।

 

ନିରୁପମାଙ୍କ ପଛେ ପଛେ ଅରୂପ ସହିତ ମହାଶ୍ୱେତା ଚାଲିଲା । ଭିତରେ ଗୋଟାଏ ସୋଫା ଉପରେ ଗିରି ରାଜକନ୍ୟା ପାର୍ବତୀ ଦରଶୁଆ ହୋଇ ଆଖି ବୁଜିଚି । ସେପର୍ଯ୍ୟନ୍ତ ସର୍ବାଙ୍ଗରେ ସେହି ପୁଷ୍ପଭୂଷା ଲାଗି ରହିଚି । ତରୁଣ ଜୀବନରେ ଯାହାର ମୂଲ୍ୟ ବହୁତ ବେଶୀ । କପୋଳ ଦେଇ ବିନ୍ଦୁ ବିନ୍ଦୁ ଶ୍ରମବାରି ଝୁରୁ ଆସୁଚି, ଧୋଇହେଇ ଆସୁଚି କୁଙ୍କୁମ ଚନ୍ଦନର ଚିତ୍ରଲେଖା । ରଙ୍ଗିନୀ ଦୁଇଟି ଓଠ ଗୋଲାପର ଆରକ୍ତ କୋମଳିମାରେ ଝଳିଉଠୁଛି । ଆକର୍ଣ୍ଣ ବିସ୍ତାରିତ ଦୁଇଆଖିରେ ମୋହ କଜ୍ଜ୍ୱଳ । କପାଳରେ ସମ୍ମୋହନର ଟୀକା, ଆଗରୁ କୁହାଯାଇଛି ଯୌବନର ଏକ ଏକ ଉପଚାର ଧରି ରାଜନନ୍ଦିନୀ ଗିରିଜା ଜୀବନ ଦେବତାର ପାଦତଳେ ଅର୍ଘ୍ୟ ଢାଳିଥିଲା ।

 

ଅଦୂରରେ ଗୋଟାଏ ଟେବୁଲ ଫ୍ୟାନ ଘର ଘର କରି ଘୂରିଚାଲିଛି । ସେହି ଅପ୍ରାକୃତିକ ପବନ ତଳେ ନିବେଦିତାର ଶ୍ରମ କ୍ଳାନ୍ତ ଦେହ ଲୋଟି ପଡ଼ିଛି ।

 

ନିରୂପମା ଏମାନଙ୍କୁ ଠିଆ କରେଇ ନିବେଦିତାକୁ ଡାକିଲେ । ଧୀରେ ଧୀରେ ଯେପରି ଦୁଇଟି କମଳ କଳିକାର ପାଖୁଡ଼ା ଖୋଲି ଆସିଲା । ଆଖି ଖୋଲି ସାମନାରେ ମହାଶ୍ୱେତା ଆଉ ଅରୂପକୁ ଦେଖି ଟିକିଏ ଇତସ୍ତତ କରିଉଠିଲା ନିବେଦିତା । କ୍ଷିପ୍ରହସ୍ତରେ ଉତ୍ତରୀଟା ଟାଣିଆଣି ଲଜ୍ଜା ବଞ୍ଚେଇଲା ସେ । ତା’ପରେ ଆସନ ଛାଡ଼ି ସହାସ୍ୟ ନମସ୍କାର ଜଣେଇ ଅନ୍ତରର ନମ୍ରତା ପ୍ରକାଶ କଲା ।

 

ନିରୁପମା କହିଲେ, କ୍ରମାଗତ କେତେଦିନ ଧରି ଇଏ ଭାରି ଶ୍ରାନ୍ତ ।

 

ପ୍ରତି ନମସ୍କାର ଜଣେଇ ଅରୂପ କହିଲା, ଆପଣଙ୍କ ସହିତ ଦେଖାହେଲା, ଖୁବ୍‌ ଆନନ୍ଦର କଥା ।

 

ଅରୂପ ପ୍ରଥମ କରି ଦେଖୁଚି ନିବେଦିତାକୁ । ପ୍ରଥମ କରି ବି ଜଣେ ଅଭିନେତ୍ରୀ ସହିତ ଆଳାପ କରିବାକୁ ଯାଉଚି । ଯେଉଁ ଦୁର୍ଭାଗ୍ୟ ରାଜ୍ୟରେ ଅରୂପର ଜନ୍ମ । ସେଠି ଅଭିନେତ୍ରୀର ଜୀବନ ବିପଦାପନ୍ନ । ତାର ନାରୀତ୍ୱକୁ କେହି ଶ୍ରଦ୍ଧା କରେନାହିଁ । କେହି ତାର ମାତୃତ୍ୱକୁ ସମ୍ମାନ ଦିଏ ନାହିଁ । କିନ୍ତୁ ଅରୂପ ମନରେ ଦୁଇଟି ଅକ୍ଷର ବରାବର ଜାଗିରହିଛି, ନାରୀ......

 

ମହାଶ୍ୱେତା କହିଲା, ଆପଣଙ୍କର ଅରୂପ ବାବୁ ମିଛ କହିନାହାନ୍ତି । ନାଟ୍ୟଜଗତ ସମ୍ବନ୍ଧରେ ଯିଏ ସର୍ବଦା ନିରୁତ୍ସାହିତ, ଆପଣ ତାଙ୍କୁ ବଦଳେଇ ପାରିଛନ୍ତି । ସେଥିଯୋଗୁ ଆପଣ ପ୍ରଶଂସାର ପାତ୍ର ନିଶ୍ଚୟ ! ! ନିବେଦିତା ଉତ୍ତର ଦେଇ ପାରୁ ନ ଥିଲା । ଉତ୍ତର ଦେବାକୁ କିଛି ହୁଏତ ନଥିଲା ।

 

ମହାଶ୍ୱେତା କହି ଚାଲିଥିଲା, ଆପଣଙ୍କର ନାମ, ଆପରଙ୍କର ଯଶ ସମସ୍ତ ନାରୀ ସମାଜର ମୁଖ ଉଜ୍ଜ୍ୱଳ କରିଛି । ସତ କହିବାକୁ ଗଲେ ଚୌଧୁରୀ ଦମ୍ପତି ଧନ୍ୟ ହୋଇଛନ୍ତି । ଆଉରି ଧନ୍ୟ ହୋଇଛି ଏଇ ଉପବାସୀ ଓଡ଼ିଶା ।

 

ନିର୍ବିବାଦରେ ସବୁ ଶୁଣି ଯାଉଥିଲା ନିବେଦିତା । ତୁଣ୍ତରେ ତାର କୌଣସି ଭାଷା ଫୁଟୁନଥିଲା । ସେ କେବଳ ନିର୍ବୋଧ ବାଳିକା ପରି ଅନେଇ ରହିଥିଲା ।

 

କଣ୍ଠରେ ବିନୟ ଧରି ଅରୂପ କହିଲା, ଜଣେ ଅର୍ବାଚୀନ ପୁରୁଷର କୌତୂହଳକୁ କ୍ଷମା କରିବେ । ଆପଣ ପ୍ରାପ୍ତ ବୟସ୍କା, କିନ୍ତୁ ଅବିବାହିତା କାହିଁକି ?

 

କିଛିକ୍ଷଣ ଅରୂପକୁ ଚାହିଁ କଣ ଯେପରି ଭାବିବାକୁ ଲାଗିଲା ନିବେଦିତା । ତା ପରେ ଆସ୍ତେ ଆସ୍ତେ କହିଲା, ସେ ସଂପର୍କରେ ଏ ଅବଧି ଭାବିନାହିଁ ।

 

ଭାବିନାହାନ୍ତି ? ମହାଶ୍ୱେତାର ସ୍ୱରରେ ଉଦ୍ଦୀପନା ଫୁଟିଉଠିଲା । ଅରୂପର ଆଖି ଉପରେ ସେପର୍ଯ୍ୟନ୍ତ ଅନୁଢ଼ା କିଶୋରୀର ଆଖି ନିବଦ୍ଧ ରହିଛି । ଆଲୁଳାୟିତ କବରୀରୁ ତାର ଅଶୋକ ସ୍ତବକ ଝରିପଡ଼ୁଛି । ପ୍ରାକୃତ ତାରୁଣ୍ୟର ବିପୁଳ ବିଭବ ତାର ସର୍ବାଙ୍ଗରେ, ପ୍ରତି ସ୍ତରେ ସ୍ତରେ ସ୍ତବକେ ସ୍ତବକେ ଉଚ୍ଛ୍ୱସିତ ।

 

ଆନନ୍ଦିତ ହୋଇ ମହାଶ୍ୱେତା କହିଲା, ବିବାହ ନ କରିବା ଖୁବ୍‌ ଭଲକଥା ।

 

ମୃଦୁ ପ୍ରତିବାଦ ଜଣେଇ ନିବେଦିତା କହିଲା, ଭଲକଥା ନୁହେଁ ବରଂ ଖୁବ୍‌ ଖରାପ କଥା-

 

କାହିଁକି ? ଆଶ୍ଚର୍ଯ୍ୟ ହୋଇ ନିବେଦିତାର ଉତ୍ତରକୁ ଅପେକ୍ଷା କରି ରହିଲା ମହାଶ୍ୱେତା-

 

କିନ୍ତୁ ଅରୂପ କହିଲା, ତା ହେଲେ ସୃଷ୍ଟିର ଅବମାନନା କରାଯିବ । କେମିତି କହିଲ ?

 

ବିଂଶ ଶତାଦ୍ଦୀର ସୁଶିକ୍ଷିତା ନାରୀ ପ୍ରତିନିଧି ମହାଶ୍ୱେତା ପଟ୍ଟନାୟକ ଅନେକଟା ଯେମିତି ନିର୍ବୋଧ କୌତୂହଳରେ ଆଚ୍ଛନ୍ନ ହୋଇଉଠିଲା ।

 

ବାଧାଦେଇ ଅରୂପ କହିଲା, ତମ ପ୍ରଶ୍ନର ଉତ୍ତର ଦେବାର ସମୟ ଏ ନୁହେଁ ମହାଶ୍ୱେତା-। ଘରକୁ ଫେରିଯାଇ ମନେ କରେଇ ଦେବ ।

 

ମହାଶ୍ୱେତା ହୁଏତ କିଛି ଏ ସମ୍ୱନ୍ଧରେ ପଚାରିବାକୁ ଯାଉଥିଲା, କିନ୍ତୁ ତୁଣ୍ତରେ ତାର ଭାଷାର ପ୍ରକାଶ ହେବା ଆଗରୁ ଘର ଭିତରକୁ ଜଣେ ପୌଢ଼ ଭଦ୍ରଲୋକ ପଶିଆସିଲେ । ତାଙ୍କର ପଛେ ପଛେ ଆସିଲେ ଜଣେ ଚାରୁଦର୍ଶନ ତରୁଣ । ସେମାନେ ଯେମିତି ଭିତରେ ଏମାନଙ୍କୁ ଦେଖି ଇତସ୍ତତଃ କରି ଉଠିଲେ ।

 

ଅରୂପ କହିଲା, ଆଜି ପାଇଁ ଆମମାନଙ୍କୁ ଯିବାକୁ ଦିଅନ୍ତୁ । ଆମର ଯିବାର ସମୟ ହୋଇଛି ।

 

ବିନମ୍ର ଭଙ୍ଗୀରେ ନିବେଦିତା କହିଲା, ଆଉ ଅଳ୍ପ ସମୟ......

 

ମହାଶ୍ୱେତା ଖୁବ୍‌ ଧୀର ସ୍ୱରରେ ପଚାରିଲା, ଜଣେ ତ ମାନନୀୟ ଉମାଶଙ୍କର ବାବୁ, ଅନ୍ୟ ଜଣେ ?

 

ନିର୍ଦ୍ଦେଶକ ତୁଷାରକାନ୍ତି ସାମୁଏଲ......

 

ଦୁଇପାଦ ଆଗେଇ ଆସିଲେ ମହାଶ୍ୱେତା ଆଉ ଅରୂପ । ଏକାଥରେ ଚାରୋଟି ହାତ ଉପରକୁ ଉଠି ଆସିଲା । ମୁଣ୍ତ ନୁଆଇଁ ଦୁହେଁ ସମ୍ମାନ ଜଣେଇଲେ ।

 

ନିବେଦିତା କହିଲା, ଏ ଅରୂପ ବାବୁ । କବି ଅରୂପ ରାୟ ଆଉ ଇଏ ହେଉଛନ୍ତି ମହାଶ୍ୱେତା ପଟ୍ଟନାୟକ ।

 

ପ୍ରତି ନମସ୍କାର ଜଣେଇ ପୁଲକିତ କଣ୍ଠରେ ପ୍ରୌଢ଼ କହିଲେ, ଏଇଠି ରହନ୍ତି ବୋଧେ !!

 

ଶିଶୁକନ୍ୟା ପରି ନିବେଦିତା କହିଲା, ନା ବାବା, ଏମାନେ ଆମ କଟକର ବାସିନ୍ଦା ।

 

ଗଦ ଗଦ ସ୍ୱରରେ ପ୍ରୌଢ଼ କହିଲେ, ମୋର ଆଜି ଭାରି ଆନନ୍ଦ ହେଉଛି । ଗୋପାଳପୁରଟା ଓଡ଼ିଶାର ସୀମାରେଖା ନ ଡେଇଁଥିଲେ ମଧ୍ୟ ଏଠି ଅଣଓଡ଼ିଆଙ୍କ ପ୍ରାଧାନ୍ୟ ବେଶୀ ବୋଲି ମୋର ମନେ ହେଉଛି । କିନ୍ତୁ ସେମାନଙ୍କ ଭିତରେ ଆପଣମାନଙ୍କ ପରି ସମ୍ଭ୍ରାନ୍ତ ଓଡ଼ିଆ ପରିବାର ସହିତ ଦେଖା ସୌଭାଗ୍ୟର କଥା ।

 

ବିନୀତ ଭାବରେ ଅରୂପ କହିଲା, କଟକରେ ମୋର ରହିବା ପ୍ରାୟ ପାଞ୍ଚବର୍ଷରୁ ଅଧିକା ହେଲାଣି । କିନ୍ତୁ ଆପଣମାନଙ୍କ ସହିତ ଭେଟ ହେବାର ସୌଭାଗ୍ୟ ଘଟି ନ ଥିଲା । ଯାହାହେଉ ଗୋପାଳପୁର ଆସିବା ଆମ ମାନଙ୍କର ସାର୍ଥକ ହୋଇଛି ।

 

ଧୀର ହସି ତୁଷାର ସାମୁଏଲ କହିଲେ, ଓଡ଼ିଶାରେ ଜନ୍ମହୋଇ ଚୌଧୁରୀ ବାବୁ ବଙ୍ଗଳାରେ ବଢ଼ିଲେ । ଶିକ୍ଷାଦୀକ୍ଷା ଅର୍ଜନ କରି ଜୀବନର ଶୁଭଦେଲେ ସେଇଠି । କିନ୍ତୁ ମାଟି ମାର ଆକର୍ଷଣ ଏଡ଼େଇ ଚାଲିବାପାଇଁ କାହା ବୁକୁରେ ବଳ ଅଛି କହନ୍ତୁ । ଗତ ଦୁଇବର୍ଷ ତଳେ ସେ ପୁଣି ଜନ୍ମଭୂଇଁକି ଫେରି ଆସିଲେ ।

 

ଅରୂପ କହିଲା, ତାହେଲେ ବଙ୍ଗଳା ଆବହାଓ୍ୱା ଭିତରେ ନିବେଦିତା ଦେବୀ ଗଢ଼ିଉଠିଚନ୍ତି । ବୁଝିଲି । ସେଥିଯୋଗୁଁ ଉନ୍ନତି ତାଙ୍କର ସଂଶୟାଚ୍ଛନ୍ନ ନୁହେଁ ।

 

ତୁଷାର ସାମୁଏଲ କହିଲେ, ଓଡ଼ିଶାର ଜଣେ ଶିକ୍ଷିତ ସନ୍ତାନ ମୁହଁରେ ଏ ଭାଷା ମୁଁ ଆଶା କରିପାରି ନ ଥିଲି । ଆପଣ ଠିକ୍‌ କହି ନାହାଁନ୍ତି । ଓଡ଼ିଆର ରୁଚିବୋଧେ ଯେ କେତେ ଉନ୍ନତ୍ତ ଆପଣ କଳାଜଗତ ସଂସ୍ପର୍ଶରେ ନ ଆସିଲେ ଜାଣି ପାରିବେ ନାହିଁ ।

 

ତୁଷାର ସାମୁଏଲଙ୍କ କଥା ଲଜ୍ଜାକର ନିଶ୍ଚୟ !! କିନ୍ତୁ ଅରୂପ କୌଣସି ପ୍ରକାର ଲଜ୍ଜା ଅନୁଭବ ନ କରି ନିଃସଂକୋଚରେ କହିଲା, କଳାଜଗତର ସଂସ୍ପର୍ଶରେ ନ ଆସିଥିଲେ ମଧ୍ୟ ମୁଁ ସେ ସମ୍ବନ୍ଧରେ ଏକବାର ଅଜ୍ଞ ଆପଣ ଭାବନ୍ତୁ ନାହିଁ । କିନ୍ତୁ ଓଡ଼ିଶାରେ ଈର୍ଷା, ବିଦ୍ୱେଷ କୁସଂସ୍କାର, ମତାନ୍ଧତା ଉନ୍ନତିର ପଥରୋଧ କରି ବସିଚି । ତାପରେ ଆମ ଭିତରେ ନାନା ଆବର୍ଜ୍ଜନା ପୂରି ରହିଚି ।

 

ଉମାଶଙ୍କର ବାବୁ କହିଲେ, ମୋର ବୟସ ଆଜି ପଞ୍ଚାବନ । ମତେ ପ୍ରାୟ ଦଶବର୍ଷ ଦିନୁ ମୁଁ ନାଟ୍ୟଜଗତ ସହିତ ନିଜକୁ ମିଶେଇ ଦେଇଛି । କିନ୍ତୁ ପଇଁଚାଳିଶ ବର୍ଷର ମୋର ଏହି ଦୀର୍ଘ ଅଭିଜ୍ଞତା ଧରି ମୁଁ ଅରୂପ ବାବୁ କଥାକୁ ଅସ୍ୱୀକାର କରି ପାରିବି ନାହିଁ । ଆପଣ ହୁଏତ ଠିକ କହି ନାହାନ୍ତି ତୁଷାର ବାବୁ ।

 

ତୀବ୍ର ସ୍ୱରରେ ତୁଷାର ବାବୁ କହିଲେ, ଏପ୍ରକାର ମନୋବିକାରକୁ ମୁଁ ମାନି ନେଇ ପାରିବି ନାହିଁ ।

 

ହସି ହସି ଅରୂପ କହିଲା, ମାନିନେଇ ପାରିବେ ନାହିଁ ମାନେ ଫାଙ୍କି ଦେବେ, ଏଇ ତ ? କିନ୍ତୁ ମୋର ଗୋଟାଏ ପ୍ରଶ୍ନର ଜବାବ ଦିଅନ୍ତୁ । ଅବଶ୍ୟ ସେଇଟା ମୋର ଅନଧିକାର ଚର୍ଚ୍ଚା । ତଥାପି ଆଗରୁ କହି ରଖିଲି ଆପଣ ମତେ ସେଥିପାଇଁ କ୍ଷମା କରିବେ ।

 

କିଛିକ୍ଷଣ ଅଟକିଗଲା ଅରୂପ । ବୋଧେ ତୁଷାର ବାବୁଙ୍କୁ ଅପେକ୍ଷା କଲା । ତାପରେ କହିଲା, ଇଚ୍ଛା କରିଥିଲେ ଆପଣ ଶ୍ରୀମତୀ ସାମୁଏଲଙ୍କୁ କଳାଚର୍ଚ୍ଚାରେ ଆଜୀବନ ନିୟୋଗ କରି ପାରିଥାନ୍ତେ । କିନ୍ତୁ ଆପଣ ତାଙ୍କୁ ଗୃହବାସିନୀ କରି ରଖିଲେ କାହିଁକି ?

 

କହି କହି ନିରୁପମାଙ୍କୁ ଅନେଇଲା ଅରୂପ । ପ୍ରାରମ୍ଭିକ ସମ୍ଭାଷଣ ପରେ ସେ ଆଉ କୌଣସି କଥା କହି ନାହାନ୍ତି । ଗୋଟିଏ ପାଖରେ ଚୁପକରି ଠିଆ ହେଇ ସେ କେବଳ ଶୁଣି ଚାଲିଛନ୍ତି ଅରୂପର ପ୍ରଶ୍ନ ପରେ ଯେ ତାଙ୍କ ଉପରେ ସମସ୍ତଙ୍କର ଦୃଷ୍ଟିନିବଦ୍ଧ ହେଇଛି ସେ ବିଷୟରେ ସେ ଆଦୌ କୌତୂହଳୀ ନୁହନ୍ତି । ତାଙ୍କର ଶାନ୍ତମୁଖଶ୍ରୀ ଉପରେ କେବଳ ସ୍ମିତତାର ଆଭା । ସ୍ତ୍ରୀ ଉପରେ ସ୍ଥିର ଆଖିରଖି ପ୍ରଶାନ୍ତ ଚିତ୍ତରେ ତୁଷାରବାବୁ କହିଲେ, ଅନ୍ୟର ସ୍ୱାଧୀନତା ଉପରେ ହସ୍ତକ୍ଷେପ କରିବାକୁ କାହାରି ଅଧିକାର ନାହିଁ । ଆପଣ ବୋଧେ ଜାଣନ୍ତି ନାହିଁ ଯେ ସେ ଜନନୀ ହେଇ ସାରିଛନ୍ତି । ମାତୃତ୍ୱ ତାଙ୍କୁ ରଙ୍ଗମଞ୍ଚଠାରୁ ଦୂରେଇ ରଖିଛି ଆଉ ସେ ନିଜେ ସେଇ ଜୀବନଟାକୁ ଆନନ୍ଦର ସହିତ ଗ୍ରହଣ କରି ପାରିଛନ୍ତି । ମୁଁ ଏକା କାହିଁକି ଆପଣ ବି ତାଙ୍କର ଏହି ନିଷ୍ପାପ ମନୋବୃତ୍ତିକି ପସନ୍ଦ କରି ପାରିବେ । ପ୍ରଶଂସା ମଧ୍ୟ କରିବେ ।

 

ସ୍ୱାମୀଙ୍କର ଏହି ଆନ୍ତରିକ ଭାଷାରେ ନିରୁପମା ବିନମ୍ର ଲଜ୍ଜାରେ ଅବନତ ହେଇଗଲେ-। ତୁଷାର ବାବୁଙ୍କର ଏହି ଉତ୍ତର ଭିତରୁ ଅରୂପ ଯଥେଷ୍ଟ ସନ୍ତୋଷ ଖୋଜି ପାଇଲା-। ସଶ୍ରଦ୍ଧ କଣ୍ଠରେ କହିଲା, ଶ୍ରୀମତୀ ସାମୁଏଲ ଏଥିପାଇଁ ପ୍ରତ୍ୟେକ ମାର ଆଦର୍ଶ ସ୍ଥାନୀୟା, ଏଥିରେ ସନ୍ଦେହ ନାହିଁ । ଏତେକ୍ଷଣ ଅବଧି ମହାଶ୍ୱେତା ନୀରବରେ ସମସ୍ତ ପ୍ରଶ୍ନୋତ୍ତର ଶୁଣି ଯାଉଥିଲା-। ଆଲୋଚନାଟା ଯେତେବେଳେ ବ୍ୟକ୍ତିଗତ ପ୍ରଶଂସାର ପଥଧରି ଆଗେଇ ଚାଲିଲା ସେତେବେଳେ ସେ ଅସହିଷ୍ଣୁ ହୋଇ ଉଠିଲା । କିନ୍ତୁ ଭିତରର ଭାବକୁ ଚାପିରଖି କହିଲା, ଏଥର ଆମମାନଙ୍କୁ ଯିବାକୁ ଦିଅନ୍ତୁ ।

 

ନିବେଦିତା କହିଲା, ହିଁ ଅନେକ ରାତି ହେଲାଣି । ମୋର ମଧ୍ୟ ଅନ୍ୟଆଡ଼େ ଯିବାକୁ ଅଛି ।

 

ନିବେଦିତାର ମୁଣ୍ତ ଆଉଁଷୁ ଆଉଁଷୁ ଉମାଶଙ୍କର ବାବୁ କହିଲେ, ମା ମୋର କିଛିଦିନ ହେଲା ଭାରି କ୍ଳାନ୍ତ ।

 

ଏତେ ସମୟରେ ଅରୂପ ଯେମିତି ନିଜର ପରିବେଶ ଭିତରକୁ ଖସି ଆସିଲା । ରାତି ବହୁତ ହୋଇଛି, ସନ୍ଦେହ ନାହିଁ । ନିଜର ତୁଷାରଧବଳ ମଣିଷବନ୍ଧକୁ ଅନେଇ ଅନେଇ ସେ କହିଲା, ଚାଲ ଏଥର ଘରକୁ ଯିବା ଶ୍ୱେତା !

 

ଚାଲ.....

 

ଦୁଇହାତ ଯୋଡ଼ି ସମସ୍ତଙ୍କ ନିକଟରେ ଅନ୍ତରର ଶ୍ରଦ୍ଧା ନିବେଦନ କଲେ ଅରୂପ ଆଉ ମହାଶ୍ୱେତା । ତାପରେ ବାହାରକୁ ବାହାରି ଆସି ଦୁହେଁ ରାଜପଥ ଉପରେ ଆଗେଇ ଚାଲିଲେ ।

 

ରାତିରେ ଅରୂପକୁ ନିଦ ହେଲାନାହିଁ । ଦୁଇଟି ଆଖିରେ ତାର ଆଜି ସତ୍ୟ କଳ୍ପନାର ଏକ ମିଶାମିଶି ରଙ୍ଗର ମାୟା । ସୁଦୂର ମଫସଲର ସରଳ ଲଜ୍ଜା, ସଂଭ୍ରମ ଭିତରେ ପାଚେରୀ ଘେରା ଶାନ୍ତ ବନସ୍ପତି ପରି ତାର ଜୀବନ ଗଢ଼ି ଉଠିଚି । ସେହି କୋମଳ ବନ୍ଧନ ଭିତରେ ସେ କୌଣସି ଦିନ ଆଶାକରି ପାରିନଥିଲା ମହାଶ୍ୱେତାର ନିବିଡ଼ ଆନ୍ତରିକତା । ଏହି ଆନ୍ତରିକତା ତାକୁ ଆଣି ଠିଆ କରେଇଚି ନିବେଦିତା, ନିରୁପମା, ଉମାଶଙ୍କର ଚୌଧୁରୀଙ୍କର ମଧ୍ୟସ୍ଥଳରେ । କିନ୍ତୁ ତାର ପ୍ରାଣ ଆଜି ଲାଲାୟିତ, ତାରୁଣ୍ୟର ମୋହ ବନ୍ଧନ ଛାଡ଼ି ଏକ ବଣ୍ୟ ଆନନ୍ଦର ଉପଭୋଗ ପାଇଁ ବ୍ୟାକୁଳ ହେଇଉଠିଚି । ମନ ଚାହୁଁଚି ଏକ ଆରଣ୍ୟକ ସ୍ୱାଧୀନତାର ବିପୁଳ ଉଲ୍ଲାସ ।

 

ବିଛଣା ଛାଡ଼ି ଅରୂପ ଆସି ବାରଣ୍ତା ଉପରେ ଠିଆହେଲା । ଏଠି ଠିଆହେଲେ ଆଖିରେ ପଡ଼େ ବିସ୍ତୃତ ଗଗନ ଲୋକ । ଜ୍ୟୋସ୍ନାସ୍ନାତ ପୃଥିବୀ ନିସ୍ତବ୍ଧ-ନୁହେଁ । କେଉଁ କେଉଁ ତରୁଶାଖାରେ ଜାଗିରହିଚି ପକ୍ଷୀର କଳ କାକଳୀ । ମା ମାହେଶ୍ୱରୀ ଦେବୀ, ମହାଶ୍ୱେତା, ସର୍ବଜୟା, ଚାକର ଟୋକା ଯୋଗୀ ଜଣ ଜଣ କରି ନିଜର ବିଛଣା ଆବୋରି ଶୋଇ ପଡ଼ିଚନ୍ତି । ଅରୂପ ଶିଡ଼ିପାହାଚ ଦେଇ ଉପରକୁ ଉଠିଗଲା ।

 

ଘର, ଦ୍ୱାର, ଗଛପତ୍ରର କନ୍ଦି ବିକନ୍ଦିରେ ଜ୍ୟୋସ୍ନାର ପ୍ରବାହ ଛୁଟି ଚାଲିଚି । ଏକା ଏକା ଜ୍ୟୋସ୍ନାକୁ ଅନେଇ ଅନେଇ ଭାବିବା ଏକ ସୂକ୍ଷ୍ମ କୌତୂହଳ । କିନ୍ତୁ ପ୍ରାଣର ଅନୁରାଗ ଢାଳି ତାର ରହସ୍ୟ ଭେଦ କରିବା ଅନ୍ୟକଥା । ଅନ୍ତରର ଆଦିମ ବେଦନାକୁ ପ୍ରକାଶ କରିବାର କ୍ଷମତା ଅରୂପର ଅଛି । କିନ୍ତୁ ଆଶ୍ଚର୍ଯ୍ୟ ! ଏହି ଆଦି ବେଦନା ସହିତ ଯେମିତି ମିଶି ରହିଚି ଏକ ଗ୍ରାମ୍ୟ ଅନୁରାଗ । ଏଇଟା ଯେପରି ତାକୁ ଘେରି ରହିଥିବା ପରିଚିତ ଜଗତର ନୀତି, ନିଷ୍ଠାର ବାହାରେ । ମଝିରେ ମଝିରେ ଏକ ଉଦ୍ଦାମତା ଜାଗିଉଠେ । ସେଟା ପାର୍ବତ୍ୟ । କିନ୍ତୁ ମହାଶ୍ୱେତା କିଛି ବୁଝେନା-। ତାକୁ ବୁଝେଇ ହୁଏନା । ଦୁଃଖର ଦହନରେ ଜଳିପୋଡ଼ି ନଗଲେ ପ୍ରଣୟର ସାର୍ଥକତା ଆସେନା-। ଅନେକ କାଳର ଅନେକ ଅଶ୍ରୁ ହୃଦୟର ହା’ ହା’ କାରକୁ ଏକୀଭୂତ ନକଲେ ମଣିଷର ଅନ୍ତରରେ ପ୍ରବେଶ କରି ହୁଏନା ।

 

ଅରୂପର ଆଖି ଦୁଇଟି ବାଷ୍ପାଚ୍ଛନ୍ନ ହେଇଉଠିଲା ।

 

କିନ୍ତୁ ତାର ସଚେତନ ମନ ଭାବସ୍ରୋତରେ ଭାସିଯାଏନା । ନିଜର ପଦକ୍ଷେପ ସେ ଗଣିପାରେ । ମନ ତାର ଆକୁଳ ହେଲେ ବି ବିଭ୍ରାନ୍ତ ନୁହେଁ । ପଲ୍ଲୀର ଶାନ୍ତ ପରିବେଶ ତାକୁ ଆଗେଇ ଯିବାର ସଠିକ ବିବରଣୀ ଦେଇ ପାରିଚି । ଜୀବନର ଏହି ଅଦେଖା, ଅଚିହ୍ନା ଯାତ୍ରା ପଥରେ ପାଦ ତାର ଶିଥିଳ ନୁହେଁ । ବରଂ କ୍ଷିପ୍ର, ସତର୍କ । ନିଜର ଭାବ ବିହ୍ୱଳତା ତାର ଆୟତ୍ତାଧୀନ । କେବଳ ଏଇ ପର୍ଯ୍ୟନ୍ତ । ଏହାଠାରୁ ବେଶୀ ନୁହେଁ । ଏହି ତାର ମୌଳିକ ଶିକ୍ଷା ମନ୍ତ୍ର-। ସେଥିଯୋଗୁ ନିଜ ସମ୍ବନ୍ଧରେ ତାର କୌଣସି ଭୟ ନାହିଁ । ଅନ୍ୟକୁ ମଧ୍ୟ ଅବିଶ୍ୱାସ ନାହିଁ ।

 

ହଠାତ ଅରୂପ ଉପରେ ଏକ ଛାୟାପାତ ହେଲା । କିଏ ? ଧୀରେ ଧୀରେ ଆଗେଇ ଗଲା ସେ । ଏତେ ରାତିରେ ମାନବିକ ସତ୍ତାର କଳ୍ପନା କରି ହେଉନାହିଁ । ଭୟ, ଆଶଙ୍କା, ସଙ୍କୋଚ କେଉଁଟା ହେଲେ ଅରୂପର ଗତିରୋଧ କରି ପାରିଲାନାହିଁ । ନିର୍ଭୟ ସେ । ଚିରଦିନ ଅଭୟ ମନ୍ତ୍ର ଜପ କରି ଆସିଛି । ଭୟର ରୂପ ସେ ଦେଖିଚି । ଚିହ୍ନିଚି । ଅପମୃତ୍ୟୁ କାହାକୁ କହନ୍ତି ସେ ଜାଣିଚି । ଉତ୍ସୁକ ମନ ତାର ମୃତ୍ୟୁ ରହସ୍ୟ ଭେଦ କରି କେଉଁ ଅମୃତ ଲୋକର ସନ୍ଧାନ କରିଛି । ଜ୍ୟୋସ୍ନାର ଏହି କାଦମ୍ବିନୀ ଧାରା ତାର ପ୍ରତି ଶିରା, ଉପଶିରାରେ କେତେଥର ନିବିଡ଼ ବିହୁଳତା ଆଣି ଦେଇଛି-। ଆନନ୍ଦ ଅଶ୍ରୁରେ, ଦୁଃଖର ଆବେଗରେ ତାର ଏହି ବିବଶ, ଶିଥିଳ ତନୁ, ମନ ବିଧୂର ଚକ୍ରବାକ ପରି ଖୋଜି ବୁଲୁଛି ଆଶ୍ରୟ । ଦୁଃଖ ଆଉ ବ୍ୟଥାର ମଝିରେ ଆସିଛି ପୁଲକର ଶିହରଣ-। ବୁକୁ ଭାଙ୍ଗି ତାର ଭୂମିକମ୍ପର କମ୍ପନ ଜାଗିଛି । ଏ ଦେହର କାରା ତେଜି ତାର ଆତ୍ମସତ୍ତା ପକ୍ଷୀପରି ଉଡ଼ିଯାଇଛି ଗନ୍ଧର୍ବ ଲୋକର କାହିଁ କେତେ ଦୂରକୁ । ଅଜ୍ଞାନ ଶିଶୁପରି ଆଖି ଆଗରେ ଥେଇ ଥେଇ ହେଇ ନାଚିଚି ମୃତ୍ୟୁ । ସନ୍ତ୍ରସ୍ତ ହେଇ ସେ ଦେଖିଛି ସେହି ବୀଭତ୍ସ ଲୀଳା । ଦେଖିଛି ମାନବ ଜୀବନର କ୍ରମ ପରିଣତି ।

 

କିଛିକ୍ଷଣ ପରେ ମାନବର ଲଘୁପଦ ସଞ୍ଚାର ସ୍ଥିର ହେଇ ଆସିଲା । ଆକାଶର ଉତ୍ତର ପଥ ଧରି ବାଦଲର ଭେଳା ଭାସି ଚାଲିଚି । ଜ୍ୟେଷ୍ଠ ମାସ ପ୍ରାୟ ଶେଷ ହେଇ ଆସିଲାଣି । ଛାୟା ଲୋକରେ ସମସ୍ତ ଆକାଶ ପଥ ଧୂସର । ଯେଉଁ ଧୂସରତା କାକ ଜ୍ୟୋସ୍ନାର ଭ୍ରମ ସୃଷ୍ଟି କରେ । ଯାହାର ସନ୍ଧାନ ପାଇ କଳିକାର ଯୌବନ ଚେତିଉଠେ ।

 

ଆଗେଇ ଆସିଲା ଅରୂପ । ପାଦ ଶଦ୍ଦରେ ଚମକିଉଠି ଯିଏ ଚାହିଁଲା ସେ ତାର ଚିରଦିନର ପରିଚିତା ।

 

ତମେ ! ତମେ ଏତେବେଳ ଯାଏ ଶୋଇନାହଁ ?

 

ଅରୂପ ହସିଉଠିଲା । ନିମ୍ନସ୍ୱରରେ କହିଲା, ଏମିତି ରାତିରେ ତମେ ଯେ ଏକା...... ।

 

ସଲଜ୍ଜଭାବରେ ମହାଶ୍ୱେତା କହିଲା, ନିଦ ହେଲାନାହିଁ । ତମେ ତ କାବ୍ୟ କବିତା ନେଇ ଅବକାଶ ବିତେଇ ଦେଲ । ମୁଁ ଚିରଦିନ ନିଃସଂଗ ରହିଗଲି ।

 

ଅରୂପ କହିଲା, ସେ ନିଃସଙ୍ଗତା ତ ଅବାଞ୍ଛିତ ନୁହେଁ ।

 

ମହାଶ୍ୱେତା ମୁହଁ ଫେରାଇ ସିଧା ଭାବରେ ଚାହିଁଲା ।

 

ଅରୂପ କହିଲା, ସହରର ଚାରିକାନ୍ଥ ଭିତରେ ତମେ ବଢ଼ିଚ, ନିଜେ ନିଜକୁ ଭଲ ପାଇ ଶିଖିଚ । ନିଜେ ନିଜକୁ ଅନୁଭବ କରି ପାରିଚ ।

 

କିନ୍ତୁ ମୋର ଏ ପରିଚୟ କ’ଣ ଭଲ ନୁହେଁ ?

 

ଉଦ୍‌ଗ୍ରୀବ ହୋଇ ମହାଶ୍ୱେତା ଅନେଇ ରହିଲା । ଅରୂପ କହିଲା, ଭଲମନ୍ଦ ମୁଁ ଜାଣିନାହିଁ । ସେ ହେଲା ବ୍ୟକ୍ତିଗତ ମତାମତ । ମୋ ଆଖିରେ ଯେଉଁଟା ଶ୍ରୀମୟ ତମ ଆଖିରେ ଯେ ସେଇଟା ବିଶ୍ରୀ ନଦେଖା ଯିବ ତା କହି ହେବନାହିଁ ଶ୍ୱେତା !

 

ଆହତ ସ୍ୱରରେ ମହାଶ୍ୱେତା କହିଲା, ତମେ ପୁରୁଷ ଲୋକ, କଠୋର ତମର ହୃଦୟ । ତମ ପାଇଁ ଯଦି କାହାର ଛାତି ଫାଟିପଡ଼େ, ସେହି ଭଗ୍ନ ସ୍ତୁପ ତଳେ ଠିଆହୋଇ ତମେ ଦେଖିବ ଜୀବନ ଦେବତାର କୌତୁକ । ତମ ପାଇଁ କେହିଁ ଆଖିରୁ ଲୁହ ଢାଳି କାନ୍ଦିଲେ, ତମେ ଲେଖି ବସିବ କରୁଣ ରସର କବିତା ! ପ୍ରାଣ ବିନିମୟରେ ତମକୁ କେହି ପାଇବାକୁ ଚାହିଁ ବସିଲେ, ତମେ ସେଇଟାକୁ ବନ୍ଧନ ଯଶା ଭାବିନେବ । କେହି ତମକୁ ଉପେକ୍ଷା କରିଗଲେ ତମେ ଛୁଟିବ ତାର ପଛେ ପଛେ । ଅଶ୍ରୁର ମସିରେ ଲେଖନୀ ବୁଡ଼େଇ ରଚନା କରିବ ମହାକାବ୍ୟ । ଦାନ ନେଲାବେଳେ ଦୁଇ ଜାନୁପାତି ତମେ ଅଞ୍ଜଳି ପ୍ରସାରୀ ଦେବ । କିନ୍ତୁ ପ୍ରତିଦାନ ପାଇଁ ତମେ ଦେଖେଇ ଦେବ ନିଜ ନିଜର ନିଃସ୍ୱତା । ରସ ସୃଷ୍ଟିରେ ତମେ ଅବିଭୂତ ହୋଇପାର, କିନ୍ତୁ ନିଜକୁ ମିଶେଇ ଦେବାର କୁଣ୍ଠା ତମର ଚିରନ୍ତନ । ତମକୁ ନେଇ କଣ କରିହେବ କୁହ ତ !

 

ମୁହଁ ତୋଳିଲା ମହାଶ୍ୱେତା । ପରିଧାନରେ ତାର ବାସନ୍ତୀ ରଙ୍ଗର ଶାଢ଼ି ଆଉ ବ୍ଳାଉଜ୍‌ । ବନ୍ଧନହୀନ କେଶ ରାଶି ପବନରେ ଫୁର୍‌ ଫୁର୍‌ କରୁଛି । କପାଳରେ କୁଙ୍କୁମର ଟିପା । ଆୟତ ଦୁଇ ନିମ୍ମିଳିତ ଆଖି ଅବଚେତନ ଭ୍ରମର ପରି ଗମ୍ଭୀରତାରେ ସ୍ତବ୍‌ଧ । ରଙ୍ଗିନୀ ଦୁଇଟି ଓଠ ଉପରେ ଯେପରି ଶରଶଯ୍ୟା କରି ରହିଛି, ଦୁନିର୍ବାର ମଦନ ।

 

ସେହିଆଡ଼େ ଅପଲକ ଦୃଷ୍ଟିରଖି ବିହ୍ୱଳ ସ୍ୱରରେ ଅରୂପ କହିଲା, କ’ଣ ତମର ଇଚ୍ଛା ? କାହିଁକି ତମେ ଛାଇପରି ମୋର ପଛେ ପଛେ ଲାଗି ରହିଛ ?

 

ଆସ୍ତେ ଆସ୍ତେ ମହାଶ୍ୱେତା କହିଲା, କାୟା ସହିତ ଛାୟା ଅଙ୍ଗାଙ୍ଗୀଭାବେ ଜଡ଼ିତ । କିଏ କାୟା ? ଛାୟା ବା କାହାର ?

 

ଅରୂପର ହାତଧରି ପାଖକୁ ଟାଣିନେଲା ମହାଶ୍ୱେତା । କହିଲା, ଚାରିବର୍ଷର ସଂପର୍କ ଭିତରେ ବୁଝେିଇବାକୁ ଆଉରି ବାକି ରହିଗଲା ?

 

ଅରୂପ କିଛିକ୍ଷଣ ଚୁପ୍‌ କରି ରହି କହିଲା, ତମର ଇନ୍ଦ୍ରଜାଲ ଭେଦ କରିବା ମୋ ପକ୍ଷେ କଠିନ ଶ୍ୱେତା ! ପୁରୁଷ ମୁଁ, ବାଗୁରାର ନିରୀହ କରୁଣ ମୀନ । ଚିରଦିନ ନାରୀ ଇଙ୍ଗିତ ପୁରୁଷର ଗତି ନିୟନ୍ତ୍ରଣ କରି ଆସିଛି । ତମେ ନାରୀ ତଥାପି ତମେ ଚିରକାଳର ଆବରଣ ଖୋଲିଦିଅ । ଆସି ଠିଆ ହୁଅ ବିସ୍ତୃତ ଆକାଶ ତଳେ । ପୃଥିବୀର ମୁକ୍ତ ଆଲୋକରେ ମୁଁ ଦେଖେ ତମର ରୂପ । ରହସ୍ୟମୟୀର ରୂପଧରି ତମେ ଆଉ ଦେଖା ଦିଅନାହିଁ ।

 

ଆର୍ଦ୍ରଗଳାରେ ମହାଶ୍ୱେତା କହିଲା, କ’ଣ ଆଉ ତମେ ଜାଣିବାକୁ ଚାହୁଁଚ ?

 

ଅରୂପ କହିଲା, ଓଡ଼ିଶା ପଲ୍ଲୀର ନିଗୂଢ଼ ଅନ୍ଧକାର ଆଉ ଘୋର ଅଶିକ୍ଷା ଭିତରେ ମୋର ଜନ୍ମ । ସେ ମୋର ତୀର୍ଥଭୂମି, ସେ ହେବ ମୋର କର୍ମଭୂମି ।

 

ମହାଶ୍ୱେତା କହିଲା, କର୍ମ ଯେଉଁଠି ନାହିଁ ସେଠି କର୍ମୀର ଦରକାର ପଡ଼େନା ।

 

କଣ୍ଠରେ ଗାମ୍ଭୀର୍ଯ୍ୟ ଧରି ଅରୂପ କହିଲା, କର୍ମ ସେଠି ସୃଷ୍ଟିକରି କର୍ମୀ ଗଢ଼ିବାକୁ ହେବ । ଏକର ଏକର ପଡ଼ିଆ ଭୂଇଁ ଚିରି ଫଳେଇବାକୁ ହେବ ସୁନାର ଫସଲ । ଶହ ଶହ ଦରିଦ୍ର ଅଶିକ୍ଷିତ ମାନଙ୍କର କାନେ କାନେ ଶୁଣେଇବାକୁ ହେବ, ଶିକ୍ଷାର ମୂଳମନ୍ତ୍ର ।

 

ମହାଶ୍ୱେତା କହିଲା, ମୁଁ ଦେଖିନାହିଁ, ଯାହା ତମ ମୁହଁରୁ ଶୁଣିଛି । ଗାଁର ଶାନ୍ତ ପରିବେଶ, ତାର ସବୁଜ ସୁଷମା, ତାର ଦୈନନ୍ଦିନ ଜୀବନର ଗତି, ସବୁ ଯେମିତି ଅବଚେତନ ବୋଲି ମୋର ମନେହୁଏ । କିନ୍ତୁ ସହର କର୍ମ ଚଞ୍ଚଳ ଜୀବନର ଲୀଳାଭୂମି ।

 

ଅରୂପ କହିଲା, ତାହେଲେ ଏଇ ତମର ଦୃଷ୍ଟିକୋଣ ।

 

ମହାଶ୍ୱେତା ମୃଦୁ ହସି କହିଲା, ତମେ ଅଶିକ୍ଷିତ ଗ୍ରାମବାସୀ ନୁହଁ, ତମକୁ ବୁଝେଇବାକୁ ହେବ ମତେ । ପଲ୍ଲୀଗାଁର ନିଭୃତ ଅନ୍ଧକାର ଭିତରେ ସଭ୍ୟ ସମାଜରୁ ବିଚ୍ଛିନ୍ନ ହୋଇ ରହିବାଟାକୁ ମୁଁ ମୋର କଳ୍ପନାରେ ବି ଅବଧାରଣା କରିପାରେ ନାହିଁ । ଦୈନିକ କାଗଜ ତ ଦୂରର କଥା, ଯେଉଁଠି ସାପ୍ତାହିକ କାଗଜ ବି ଅର୍ଦ୍ଧମାସିକର ନିୟମାନୁବର୍ତ୍ତିତା ହରେଇ ବସିଛି, ଯେଉଁଠି ଟେଲିଫୋନ ବେତାର ବାର୍ତ୍ତା ରୂପ କଥାର ବିଷୟ ବସ୍ତୁ, ରୋଗ ଯନ୍ତ୍ରଣାରେ ବି ଔଷଧ ଯେଉଁଠି ସ୍ୱପ୍ନପରି ମନେହୁଏ ; ତମର ସେ ଶଙ୍ଖନୀଡ଼ ଯେଡ଼େ ଆକର୍ଷଣୀୟ ହେଉ, ଯେତେ ଲୋଭନୀୟ ହେଉ ମୁଁ ସେଠି ପାଗଳ ହୋଇଯିବି । ସେଠାକାର ସଂକୀର୍ଣ୍ଣ ପରିବେଶ ଭିତରେ ଆମ ଜୀବନର ଉପଯୁକ୍ତ ବିକାଶ ହେବନାହିଁ । ଆମର ଦରକାର କର୍ମତତ୍ପର ଜୀବନର କୋଳାହଳ, ଦରକାର କ୍ଳାନ୍ତିହୀନ ବୈଚିତ୍ର୍ୟମୟ ଜୀବନ ।

 

ଅରୂପର ମୁହଁ ଫିକା ହୋଇଆସିଲା । ହତାଶ ସ୍ୱରରେ ସେ କହିଲା, ମୋର ବିଶ୍ୱାସ ଥିଲା ଶ୍ୱେତା, ନିଜ ପ୍ରତିଭାର ବିକାଶ ପାଇଁ ତମେ ଶ୍ୟାମଳ ପଲ୍ଲୀର ଶାନ୍ତ, ଅଖ୍ୟାତ କୁଟୀର ବାଛିନେବ । ତମର ନାରୀତ୍ୱର ବିକାଶରେ ଗ୍ରାମ୍ୟନାରୀ ଠିଆ କରିବ ନିଜର ବଳିଷ୍ଠ ଚରିତ୍ର । ତମ ମାତୃତ୍ୱର ଉଜ୍ୱଳ ଆଲୋକରେ ସେ ଚିହ୍ନି ଶିଖିବ ନିଜକୁ । କିନ୍ତୁ ତମେ ଆଜି ବିଶ୍ୱାସଘାତକତା କରି ବସିଚ । ମୁଁ ଜାଣି ନଥିଲି ଶ୍ୱେତା, ତମେ ଇସ୍ପାତ ସହରର ଜଣେ ଅନ୍ଧ ଉପାସିକ ବୋଲି ।

 

କଥାର ଶେଷ ଆଡ଼କୁ ଆତ୍ମଅଭିମାନର କଷାଘାତରେ ଅରୂପର ସ୍ୱର ଭାଙ୍ଗି ପଡ଼ିଲା । ବୁଝିଲା ମହାଶ୍ୱେତା, ଏକ ଅନାଗତ ଆଶଙ୍କାରେ କମ୍ପି ଉଠିଲା ତାର କଣ୍ଠସ୍ୱର । କହିଲା, ମତେ ତମେ ଭୁଲ ବୁଝିଛ, ଚିରଦିନ ଏ ଭୁଲର ବୋଝ ବହି ତମେ କଣ ମୋଠାରୁ ଦୂରରେ ରହିଯିବ ।

 

ଅରୂପ କିଛି ସମୟ ସ୍ଥିର ଦୃଷ୍ଟିରେ ଚାହିଁଲା । ଦେହର ତଟ ଭୂଇଁ ଛୁଇଁ ତାରୁଣ୍ୟର ଚପଳ ସ୍ରୋତ ବହିଯାଉଛି । ଦୁଇ କୂଳରେ ତାର ସମ୍ମୋହନର ଉପଚାର । ବିହ୍ୱଳ ବଣ୍ୟ ମୃଗପରି ତରୁଣର ଧୈର୍ଯ୍ୟ ଦମ୍ଭର ସୀମା ଏଠି ସୀମିତ । ମହାଶ୍ୱେତାର ଖୁବ୍‌ ନିକଟକୁ ଲାଗିଆସି ନିମ୍ନ ସ୍ୱରରେ ଅରୂପ କହିଲା, ତା ଆଗରୁ ମୋର ଶାସ୍ତି ବିଧାନ କର ତମେ ମୋ ହାତରେ ତମେ ଏଡ଼େ ଅବିଚାର ପାଇବା ପୂର୍ବରୁ ଏ ସଂସାର ଯେମିତି ଛାଡ଼ିଯାଅ ।

 

ନିଜର ପିନ୍ଧାକାନିରେ ମହାଶ୍ୱେତାର ଲୁହ ପୋଛିଦେଲା ଅରୂପ ।

 

ଅଶ୍ରୁ ସଜଳ କଣ୍ଠରେ ମହାଶ୍ୱେତା କହିଲା, ତମର ଅବିଚାର ଯଦି ପାଏ ତା ହେଲେ ମରଣ ଆସୁ । ତମର ଆଶ୍ରୟ ହରେଇ କାଙ୍ଗାଳିନୀ, ହତଭାଗୀ ମରଣର ନିଭୟ ଆଶ୍ରୟ ଖୋଜିନେଉ । ତମର ଆଶୀର୍ବାଦ ଯେମିତି ଖୋଜିଦେଉ ସେଇ ଭରସା ।

 

ମୁଗ୍‌ଧ ତରୁଣ ରୂପସୀ ପ୍ରେୟସୀର ଦୁଇହାତ ତୋଳିନେଇ କହିଲା, ତମେ କହିବ, ମୁଁ ତମର କ’ଣ କରିପାରିବ ?

 

ମହାଶ୍ୱେତା କହିଲା, ହୃଦୟର ନିଭୃତରେ ଲୁଚେଇ ରଖିଛି ସ୍ପର୍ଶମଣି । ତାହାରି ଆଲୋକରେ ସମସ୍ତ ଜୀବନ ମୋର ଆଲୋକିତ ହେଉ । କହି କହି ଅରୂପର ପାଦତଳେ ଲୋଟିପଡ଼ିଲା ମହାଶ୍ୱେତା । ପୁରୁଷର ନୈତିକ ଦାୟିତ୍ୱ ଅରୂପ ବୁଝେ । ଜ୍ୟୋସ୍ନା ଜଡ଼ିତ ଏହି କଳ୍ପ ପୁରୀରେ ଅବଲୁଣ୍ଠିତା ଏହି ରାଜକୁମାରୀର ବିବଶ ଶିଥିଳ ତନୁଲତା ଆଡ଼େ ଚାହିଁ ଚାହିଁ ଅରୂପର ମନ ବନ୍ଧନ ହରେଇ ବସିଲା । ଦୁଇଟି ଆନନ୍ଦ ପିପାସୁ ପ୍ରାଣ ନିତ୍ୟ କାଳର ଆନନ୍ଦରେ ଏକାକାର କରି ମିଶେଇ ଦେଲା ନିଜକୁ ।

 

ବ୍ରାହ୍ମ ମୁହୂର୍ତ୍ତରେ ଅରୂପର ନିଦ ଭାଙ୍ଗିଗଲା । ସେତେବେଳେ ଆକାଶ ଅଙ୍ଗନରେ ଉଷାର ରକ୍ତଆଭା ଫୁଟିଉଠିଲାଣି । ଆଖପାଖର ଗଛ ଗହଳରେ ସକାଳ ପକ୍ଷୀ ଜାଗି ଉଠିଲେଣି । ଅସୀମ ଆକାଶ ଏଇକ୍ଷଣି ସେମାନଙ୍କୁ ଡାକଦେବ । କେଉଁ ଅନାମିକା ସାମୁଦ୍ରିକ ପକ୍ଷୀର କଣ୍ଠରୁ ଭାସି ଆସୁଛି ସଙ୍ଗୀତର ଲଳିତ ମୂର୍ଚ୍ଛନା । ଅଳ୍ପସମୟ ପରେ ପ୍ରାନ୍ତରେ ପ୍ରାନ୍ତରେ ବସିଯିବ ସୂର୍ଯ୍ୟର ବନ୍ଦନା ସଭା ।

 

ବିଛଣାରେ କର ଲେଉଟେଇ ଉଠି ବସିବାକୁ ଚେଷ୍ଟାକଲା ଅରୂପ । କିନ୍ତୁ କି ଏକ ମଧୁର ଆବେଗରେ ଆଖିପତା ଦୁଇଟି ତାର ଯେମିତି ଜଡ଼ି ରହୁଛି । ପ୍ରଭାତର ଶୀତ ପବନରେ ମିଶି ଆସୁଛି ନବମଲ୍ଲୀକାର ସୁଗନ୍ଧ । ଶଯ୍ୟା ଧାରରେ ତାର ଯେପରି ଲାଗିରହିଛି ଅଶରୀରୀ ଗନ୍ଧ ।

 

ଧୀରେ ଧୀରେ ଅରୂପର ତନ୍ଦ୍ରା କଟି ଆସିଲା । ଆଖି ଖୋଲି ସେ ଦେଖିଲା ଆଗରେ ତାର ସର୍ବଜୟା ଠିଆ ହୋଇଛି । ହାତରେ ତାର ଚା ପାତ୍ର ।

 

ଏଇଟା ସର୍ବଜୟାର ନିତ୍ୟ ନୈମିତ୍ତିକ କର୍ମଧାରା, କିନ୍ତୁ ଏହା ପୂର୍ବରୁ ଅରୂପର ଶଯ୍ୟାଧାରରେ ମହାଶ୍ୱେତାର ଆବିର୍ଭାବ ହୋଇଥାଏ । ଅରୂପକୁ ଡାକି ଉଠେଇଦେବା ହେଲା ତାର ପ୍ରଧାନ କାମ । ଏହି କର୍ମ ପଦ୍ଧତି ଭିତରେ ଯେ ନାରୀର ଏକ ମଧୁ ଆତ୍ମ ବିନୋଦନ ନ ଥାଏ, ତାହା କୁହାଯାଇ ନପାରେ । କିନ୍ତୁ ଆଜି ମହାଶ୍ୱେତା ପରିବର୍ତ୍ତେ ଆସିଛି ସର୍ବଜୟା । ସର୍ବଜୟା ମଧ୍ୟ ଲକ୍ଷ୍ମୀ ସ୍ୱରୂପା ନାରୀର ଅଂଶ ଧରି ବିଦ୍ୟମାନ ।

 

ସର୍ବଜୟା ଉପରେ ସସ୍ନେହଦୃଷ୍ଟି ଫିଙ୍ଗିକି ଏକ ଉଦ୍ଦେଶ୍ୟରେ ଯେମିତି ଘରୁ ବାହାରିଗଲା ଅରୂପ । କିଛିକ୍ଷଣ ପରେ ହାତମୁହଁ ଧୋଇ ଫେରିଆସିଲା ସେ । ଶୋଇବା ବିଛଣା ଉପରେ ବସିପଡ଼ି ପଚାରିଲା, ତମର ଅପା କାହାନ୍ତି ଜୟା !

 

ସଂକ୍ଷିସ୍ତ ଉତ୍ତର ଦେଇ ସର୍ବଜୟା କହିଲା, ସେ ଶୋଇଛି :

 

ଓଃ, ସେଥିପାଇଁ ତମର ଦର୍ଶନ ଆଜି ମିଳିଛି । କାଲି ରାତିରେ ବୋଧେ ଶୋଇବା ପୂର୍ବରୁ ମୁଁ କିଛି ପୁଣ୍ୟ କରିଥିଲି !

 

ସର୍ବଜୟା କହିଲା, ଚା ଥଣ୍ତା ହୋଇଗଲା ଯେ–

 

ତମର ଆବିର୍ଭାବ ଯେ ସେତକ ଭୁଲେଇ ଦେଇଛି ।

 

ଏ ଅରୂପର ପରିହାସ ନିଶ୍ଚୟ ! ! ପ୍ରତିଦାନରେ ସର୍ବଜୟାର ଓଠରେ ହସ ଫୁଟି ଉଠିଲା-। ଅରୂପର ମନେହଲା ସର୍ବଜୟାର ଏ ହସ ଯେପରି ଅନ୍ତରର କରୁଣ ରସରେ ସିକ୍ତ-। କିନ୍ତୁ ସେ ରସର ସୃଷ୍ଟି କେଉଁଠୁ ସେ ଜାଣିପାରିଲା ନାହିଁ ।

 

ସଯତ୍ନରେ ପିଆଲାରେ ଚା ଢାଳି ଅରୂପ ଆଡ଼କୁ ବଢ଼େଇ ଦେଲା ସର୍ବଜୟା । କହିଲା, ଅପାକୁ କ’ଣ ଖୁବ୍‌ ଦରକାର ଆପଣଙ୍କର ?

 

ଆଦୌ ନୁହେଁ, କହି ଚା ପିଇବାକୁ ଆରମ୍ଭ କଲା ଅରୂପ ।

 

ସର୍ବଜୟା କହିଲା, ତା ହେଲେ କ’ଣ ଖାଇବେ କହନ୍ତୁ !

 

ପିଆଲାରୁ ଆଖି ଉଠେଇ ଅରୂପ କିଛିକ୍ଷଣ ସର୍ବଜୟା ଆଡ଼େ ଚାହିଁଲା । ତାପରେ ଧୀର ସ୍ୱରରେ କହିଲା, ଏହାଛଡ଼ା ତମର କଣ ଆଉ କିଛି କରଣୀୟ ନାହିଁ ସର୍ବଜୟା ! ମହାଶ୍ୱେତାର ଉପସ୍ଥିତିରେ ପଚାରିବାକୁ ସୁଯୋଗ ପାଇନାହିଁ ଅରୂପ । ସର୍ବଜୟା ହାତରୁ ଚା ପାତ୍ର କାଢ଼ିନେଇ, ପ୍ରାତଃ ଭୋଜନର ତାଲିକା ମୁହେଁ ମୁହେଁ ଦେଇଦିଏ ମହାଶ୍ୱେତା । ସେହିପର୍ଯ୍ୟନ୍ତ ଅପେକ୍ଷା କରିଥାଏ ସର୍ବଜୟା । ଅନ୍ନଦାତ୍ରୀ, ବଡ଼ ଭଉଣୀର ଆଦେଶକୁ ସେ ସର୍ବାନ୍ତକରଣରେ ମାନିନିଏ କି ନାହିଁ କେଜାଣି ନୀରବରେ କିନ୍ତୁ ଫେରିଯାଏ । ତା ପରେ ପରେ ଠିକ୍‌ ସେହି ଖାଦ୍ୟ ସେ ବାଢ଼ିଦିଏ ।

 

ଅରୂପର ପ୍ରଶ୍ନରେ ସର୍ବଜୟାର ତୁଣ୍ତରେ ଉତ୍ତରର କୌଣସି ଭାଷା ଆସିଲା ନାହିଁ । ଅରୂପ ବୁଝିଲା । ତଳକୁ ଚାହିଁ ଚାହି ଭିତରର ଦୀର୍ଘ ଶ୍ୱାସକୁ ଚାପିବାକୁ ଚେଷ୍ଟା କରୁଛି ସେ । ଅନେକ ସମୟରେ ଅରୂପର ସର୍ବଜୟା ସମ୍ବନ୍ଧରେ ଜାଣିବାକୁ ଇଚ୍ଛାହୁଏ । ବ୍ୟବହାରରୁ ଏ ପରିବାରରେ ତାର ସ୍ଥାନ ସେ ନିରୂପଣ କରି ପାରିଥିଲେ ମଧ୍ୟ, ତାର ମନେହୁଏ ଆଉରି ଯେପରି ଏକ ଇତିହାସ ପୃଷ୍ଠା ଅଣଲେଉଟା ରହିଯାଇଛି ।

 

କଣ୍ଠରେ ସ୍ନେହ ଭରି ଅରୂପ କହିଲା, ବୁଝିଲି । ମୋ କଥାରେ ତମେ ଆଘାତ ପାଇଲ । ତଥାପି ମୁଁ ତମକୁ ପଚାରୁଚି ଜୟା ! ତମେ କାହିଁକି କାଲି ଆମ ସହିତ ଗଲ ନାହିଁ ? କ’ଣ ତମ ଅପା ମନାକଲେ ?

 

ସର୍ବଜୟା କହିଲା, ଅପା ମନା କରିବ କାହିଁକି ?

 

ତା’ହେଲେ ?

 

ଏ ପ୍ରଶ୍ନର ଜବାବ ଦେବାକୁ ଯାଇ ଯେମିତି ଚୁପ କରିଗଲା ସର୍ବଜୟା ।

 

ଅରୂପ ପୁଣି ପଚାରିଲା, ତମର କ’ଣ ଇଚ୍ଛା ହୁଏ ନାହିଁ ?

 

ସର୍ବଜୟା କହିଲା, ଇଚ୍ଛା ପ୍ରକାଶର ସୁଯୋଗ ଥିଲେ ସିନା ।

 

ସ୍ତବ୍‌ଧ ହୋଇ ସର୍ବଜୟାକୁ ଚାହିଁ ରହିଲା ଅରୂପ । ନିରୋଳା ସୁଯୋଗ ଯାଇ ସର୍ବଜୟା ମୁହଁରେ ଏକ ମହା ସତ୍ୟର ପ୍ରକାଶ ହୋଇଚି ଆଜି । ନିବେଦିତା ନାରୀ, ମହାଶ୍ୱେତା ନାରୀ, ନିରୁପମା ନାରୀ ଆଉ ସର୍ବଜୟା ମଧ୍ୟ ସେହି ପରମ ପ୍ରକୃତିର ସତ୍ତା । ଏ ପର୍ଯ୍ୟନ୍ତ ସେହି ମହାସତ୍ତାକୁ ଯେପରି ଅନୁଭବ କରି ପାରି ନ ଥିଲା ଅରୂପ । ଆଜି ଯେମିତି ତାର ଆଖି ଆଗରେ ନୂତନ ଏକ ହୃଦୟର ପ୍ରଦର୍ଶନୀ ଉଦ୍‌ଘାଟିତ ହୋଇଗଲା । ନିଜର ଅସୀମ ଭାବ ସମୁଦ୍ରରେ ବୁଡ଼ି ରହି ଧୀରେ ଧୀରେ ସେ ପଚାରିଲା, କାଲି ତମକୁ ପିଇବାକୁ ପାଣି ମାଗିଥିଲି । ଅନୁକମ୍ପା ପାଇଲି ନାହିଁ କାହିଁକି ?

 

ସ୍ମିତ ହସି ସର୍ବଜୟା କହିଲା, ଅପାର ଉପସ୍ଥିତିରେ ସେଇଟା ମୋର କାମ ନୁହେଁ ।

 

କିଏ କହିଲା ?

 

ମୋର ପାରିପାଶ୍ୱିକ ଅବସ୍ଥା । ମୋର ଅଭିଜ୍ଞତା ।

 

ପୂର୍ବପରି ସର୍ବଜୟାର ଓଠ କଣରେ ମୃଦୁ ହସ ଲେଖା ଲାଗି ରହିଚି । କିନ୍ତୁ ଅରୂପର ମନେହେଲା, ସେ ହସ ସହିତ ଯେମିତି ପ୍ରାଣରସର କୌଣସି ସଂପର୍କ ନାହିଁ । କେବଳ କରୁଣ ନିଷ୍ଠୁର ଅନୁଭୂତିର ଆଲେଖ୍ୟ । ଆଗରୁ ଉତ୍ତର ଦେବାକୁ ଯାଇ କିଛି ଗୋଟାଏ ହାସ ପରିହାସର ଅବତାରଣା କରିବାକୁ ଯାଉଥିଲା ଅରୂପ । କିନ୍ତୁ ଏ ସମ୍ଭାଷଣରେ ସେଥିଯୋଗୁଁ ଆଉ ନିଜ ଭିତରୁ ସାହସ ଖୋଜି ପାଇଲା ନାହିଁ, ସମର୍ଥନ ମଧ୍ୟ ପାଇଲା ନାହିଁ । ଚୁପ କରି କେବଳ ଅନେଇ ରହିଲା ସେ । ଯେପରି ଜିଜ୍ଞାସୁ ଦୁଇ ଆଖି ତାର ଆଜି ସର୍ବଜୟାର ବାହ୍ୟ ଅନ୍ତର ଭେଦ କରି ଯିବାକୁ ଚାହେଁ ।

 

ସର୍ବଜୟା କହିଲା, ଅପା ବୋଧେ ଉଠି ସାରିଥିବ । ତା’ର ଚା’ ଏଇଠି ଥାଉ । ମୁଁ ଯାଉଚି ତାକୁ କହିଦେବି ।

 

କହି କହି ସେ ଘରୁ ବାହରି ଯାଇଥିଲା ସର୍ବଜୟା । ଅରୂପ ଡାକିଲା, ସର୍ବଜୟା ଶୁଣ !

 

ଫେରି ଆସି ସର୍ବଜୟା କହିଲା, କଣ କହୁଛନ୍ତି ।

 

କେଇଟି ମୁହୂର୍ତ୍ତ ସର୍ବଜୟାର ମୁହଁକୁ ଅନେଇଲା ଅରୂପ । ତା’ ପରେ ମୃଦୁ ସ୍ୱରରେ କହିଲା, ତମେ ଚା’ ପିଇଲ ?

 

ସର୍ବଜୟା କହିଲା, କେବେ ତ ପିଏ ନାହିଁ ?

 

କେବେ ପିଅ ନାହିଁ ସତ ! କେହି ବି ତମକୁ ପିଇବାକୁ ଦେଇ ନାହିଁ । ଆଜି କିନ୍ତୁ ମୁଁ ନିଜେ ଚା’ ଗୋଳେଇ ତମକୁ ପିଆଇ ଦେବି ।

 

ଆଶ୍ଚର୍ଯ୍ୟ ହୋଇ ସର୍ବଜୟା ପଚାରିଲା, ହଠାତ୍‌ ଏ ମନୋବୃତ୍ତି ଜାଗିଲା କାହିଁକି ?

 

ଅରୂପ କହିଲା, ଏ ଆପଣ ଶବ୍ଦଟା ବଡ଼ ଶ୍ରୁତିକଟୁ ଜୟା । ପ୍ରଥମ ଏଇଟାକୁ ଛାଡ଼ିଦିଅ ତ-!

 

ଅରୂପର ଭାବ ପ୍ରବଣତା ନୂଆ ନୁହେଁ । ଏଠି ସନ୍ଦେହର ମଧ୍ୟ ଅବକାଶ ନାହିଁ । ମଧୁ ହସି ସର୍ବଜୟା କହିଲା, ଛାଡ଼ିଲି । କିନ୍ତୁ ଅପା...

 

ତମ ଅପାଙ୍କର ଆସନ ତ ଏଥିରେ ଘୁଞ୍ଚି ଯାଉନାହିଁ ଜୟା ! କିନ୍ତୁ ଚା’ ଯେ ଆଉ ଗୋଟିଏ କପ୍‌ ଅଛି ।

 

ନିଜର ଅଧିକାର ଥରେ ହରେଇ ଦେଲେ ଆଉ ମିଳେନାହିଁ ସର୍ବଜୟା !!

 

ପ୍ରତିବାଦ କରିବା ପାଇଁ କଥା ଖୋଜି ପାଇଲା ନାହିଁ ସର୍ବଜୟା । ନିର୍ବାକ ରହି ସେ କେବଳ ଅରୂପର କାର୍ଯ୍ୟକଳାପ ଲକ୍ଷ୍ୟ କରିବାକୁ ଲାଗିଲା । ନିଜ ହାତରେ ଚା’ ଢାଳି ସର୍ବଜୟା ଆଡ଼େ ଆଗେଇ ଆଣିଲା ସେ । କି ଏକ ଅନନୁଭୂତ ଆବେଗରେ ସର୍ବଜୟାର ହାତ ପାଦ ଥର ଥର କରି କମ୍ପି ଉଠିଲା । ଲାଞ୍ଛିତ, ନିପୀଡ଼ିତ ପ୍ରାଣପକ୍ଷୀ ତାର ଜୀବନ ମରଣର ଏହି ଦୁର୍ଲ୍ଲଭ ଲଗ୍ନରେ ଲଗ୍ନରେ ଖୋଜି ବସିଲା, ଅନନ୍ତ ଆକାଶର ସ୍ତର ସ୍ତର ଭେଦ କରି କେଉଁ ସ୍ୱଚ୍ଛ ଶ୍ୟାମଳ ଜୀବନର ମଧୁସ୍ପର୍ଶ ।

 

 

ଅରୂପର ଭାଗ୍ୟ ଖରାପ । କୌଣସିମତେ ବ୍ୟକ୍ତି ସ୍ୱାତନ୍ତ୍ର୍ୟ ପ୍ରକାଶ କରିବାକୁ ସେ ସମୟ ପାଇଲା ନାହିଁ । ଯଦିବା ସେ ବିଶ୍ରମ୍ଭ ଆଳାପ ପାଇଁ ସୁବିଧା ପାଇଲା, ମହାଶ୍ୱେତାର ଭୟ ତାର ପ୍ରତି ମୁହୂର୍ତ୍ତକୁ ଆଚ୍ଛନ୍ନ କରି ରଖିଲା । ସର୍ବଜୟା ଆଶ୍ରିତା । ସେ ଆତ୍ମୀୟା ହେଲେ ବି କ୍ରୀତଦାସୀ । ସେ ମଳିନା ହେଲେ ବି ଷୋଡ଼ଶୀ । ଏଥିପାଇଁ ଭାବିବାକୁ ଆଉ କିଛି ନାହିଁ । ଏମାନେ ଅନ୍ୟ ସମାଜର ଲୋକ । ସେ ଭିନ୍ନ ଜଗତର ପ୍ରାଣୀ । ମଝିର ବ୍ୟବଧାନ ପାଇଁ ମୁଣ୍ଡବ୍ୟଥାଟା ଅପ୍ରାସଙ୍ଗିକ ନିଶ୍ଚୟ !

 

ମଝିରେ କିଛି ଦିନ ବିତିଗଲା । ଅରୂପ ଆଉ ଥିଏଟର ଦେଖି ଗଲାନାହିଁ । ଏକା ଏକା ଗଲା ମହାଶ୍ୱେତା । ସେଥିପାଇଁ ଯେ ଅରୂପ ତା’ ଅସନ୍ତୋଷର କାରଣ ହେଇ ନ ଉଠିଚି ତାହା ନୁହେଁ । ମା’ ମାହେଶ୍ୱରୀ ଦେବୀ ମଧ୍ୟ ଏଥିପାଇଁ ଈଷତ୍‍ ବିରକ୍ତି ପ୍ରକାଶ କରିଛନ୍ତି । ମଝିରେ ମଝିରେ ଝିଅ ସହିତ ସେ ଯିବାକୁ ଲାଗିଲେ । କିନ୍ତୁ ସର୍ବଜୟା ତେବେ ସୁଦ୍ଧା ସମସ୍ତ ଦର୍ଶନାଭିଳାଷରୁ ବଞ୍ଚିତ ରହିଲା । ସକାଳେ ସେ ଚା ଯୋଗେଇ ଦିଏ । ରୋଷେଇ କରେ । ଘର ସଫା କରେ । ଆଶ୍ଚର୍ଯ୍ୟ ! ବିରକ୍ତି ନାହିଁ, ଦୁଃଖ ନାହିଁ । ଯମିତି ଏକ କ୍ଳାନ୍ତିହୀନ ବିରାମହୀନ ଯନ୍ତ୍ର ।

 

ସେ ଦିନ ଅରୂପ ତା ପାଖରେ ଜୁଟିଗଲା । କହିଲା, ଘରକରଣାରେ ଭାରି ଇଚ୍ଛା, ନୁହେଁ...

 

ଘର କରିବାକୁ ବାଧ୍ୟ ହେଲେ ଅନିଚ୍ଛାର ପ୍ରଶ୍ନ ଉଠେନା, ସର୍ବଜୟା ଜବାବ ଦେଲା ।

 

କିନ୍ତୁ ତମର ଅପାତ ଏ ସମ୍ବନ୍ଧରେ ଏକବାର ଉଦାସୀନ । କୌଣସି ଦିନ ତାଙ୍କ ହାତରୁ ଭାତ ଖାଇବାର ସୁଯୋଗ ଆସିଲା ନାହିଁ ।

 

ଶିକ୍ଷିତା ଝିଅ ଭାତ ରାନ୍ଧିଲେ ହାତ ପୋଡ଼ିଯିବ ।

 

ଅରୂପ ଚୁପ କରି ଅନେଇ ରହିଲା କେଇଟି ନିମିଷ ମାତ୍ର । ତାପରେ କହିଲା, ତମେ କ’ଣ ଅଶିକ୍ଷିତା ? ନ ହେଲା ବା କଲେଜ, ଓଡ଼ିଶାର କେତେ ଜଣ ଝିଅ ସ୍କୁଲ ପଢ଼ାର ସୁଯୋଗ ପାଆନ୍ତି ? ନିଜର ଘର ସଜାଡ଼ିବାର ଶିକ୍ଷାର ନ ଥିଲେ ସ୍ତ୍ରୀ ଜାତି ଶିକ୍ଷିତା ବୋଲି ବିବେଚନା ପାଏନା ।

 

ହସି ହସି ଅସ୍ଥିର ହୋଇପଡ଼ିଲା ସର୍ବଜୟା । ସେ ହସ ଭିତରୁ ସେ କହି ଉଠିଲା, ଏ ସବୁ ଖାଲି କଥାର କଥା–

 

ଅତ୍ୟନ୍ତ ବିଦ୍ରୂପ ସହକାରେ ରୋଷେଇ ଘରକୁ ଚାଲିଗଲା ସର୍ବଜୟା । ଆଜି ଯେମିତି ନିଜ ବିଶ୍ୱାସରେ ସେ ଦୃଢ଼ତା ଖୋଜି ପାଇଚି । ସ୍ନେହଟା ଅନ୍ଧ ନୁହେଁ । ସେଇଟା ହେଲା ଶକ୍ତି । ସେଇଟା ଅରୂପକୁ ସବଳ କରି ରଖିଚି । ମହାଶ୍ୱେତାକୁ ତେଜୋମୟୀ କରି ତୋଳିଚି । ସର୍ବଜୟାକୁ ସର୍ବଂସହାର ପରିଣତ କରିଚି । ଆଜି ଯେପରି ଅରୂପ ପ୍ରଥମ ଆଘାତ ପାଇ ଚୁପ କରି ରହିଲା । ଗୋଟିଏ କଥାରେ ସୁଯୋଗ ପାଇ ସର୍ବଜୟା ନିଜ ଜୀବନର ସମସ୍ତ ଲାଞ୍ଛନା, ତିରସ୍କାର ଫେରେଇ ଦେଇଗଲା ।

 

ତାରୁଣ୍ୟର କଳରୋଳ କମି ଆସିଚି । ଅସୀମ ଉଦାସରେ ଆଚ୍ଛନ୍ନ ହୋଇ ଉଠିଚି ମନ । ଅରୂପ ଆଉ ପ୍ରାୟ ଘରେ ରହେନା । ସକାଳୁ ବାହାରି ମଧ୍ୟାହ୍ନ ଖରାରେ ସିଝି ସିଝି ସେ ଘରକୁ ଫେରି ଆସେ । ଦୂର ଦିଗନ୍ତ ରେଖା ତଳେ ଗୋଧୂଳି ଧୂସର ଛାୟା ଓହ୍ଲେଇ ଆସିଲେ ଅରୂପ ଆସି ଠିଆ ହୁଏ ବିସ୍ତୀର୍ଣ୍ଣ ବାଲୁକା ରାଶିର ମଝିରେ । କେବେ ବା ଅଦୂର ପାହାଡ଼ ଉପରେ ଠିଆ ହୋଇ ସେ ଦେଖେ ଧରା ସୂର୍ଯ୍ୟର ବିଦାୟ ଅଶ୍ରୂ । ପୂର୍ବପରି ଆଉ କାହା ସହିତ ନିୟମିତ ଦେଖା ହୁଏ ନାହିଁ-। ନିରୁପମା ହୁଏତ ପିଲା ଜଞ୍ଜାଳରେ ବ୍ୟସ୍ତ ହୋଇ ଆସି ପାରନ୍ତି ନାହିଁ । ଅରୂପର ମଧ୍ୟ ସେଥିପାଇଁ ମୁଣ୍ଡ ବଥା ନ ଥାଏ ।

 

କ୍ରମେ ଆହୁରି ଗୋଟିଏ ସପ୍ତାହ ବିତିଗଲା । ସେଦିନ ରାସ୍ତାମଝିରେ ହଠାତ୍‌ ତୁଷାର ବାବୁଙ୍କ ସହିତ ଦେଖା ହୋଇଗଲା ଅରୂପର । ତୁଷାର ବାବୁ ଆକସ୍ମିକ ବନ୍ଧୁ ଦର୍ଶନରେ ଚହଲି ଉଠିଲେ ।

 

ଆରେ ରାୟବାବୁ ଯେ, ଏଡ଼େ ଖରାଟାରେ....

 

ଅରୂପ କହିଲା, ଭ୍ରାମ୍ୟମାଣ ମୁସାଫିରର ବୋଧେ ସୂର୍ଯ୍ୟ ପରମବନ୍ଧୁ !

 

ସ୍ମିତ ମୁଖରେ ତୁଷାର ବାବୁ କହିଲେ, ମୁସାଫିର କଣ ଆତ୍ମୀୟତା ବୁଝେ...

 

କଣ୍ଠରେ ଆନନ୍ଦ ଧରି ଅରୂପ କହିଲା, କେବଳ ଯେ ବୁଝେ, ତାହା ନୁହେଁ । କାମନା ବି କରେ ।

 

ତାହେଲେ ଚାଲନ୍ତୁ...

 

ତୁଷାର ବାବୁ ଅରୂପର ହାତଧରି ଏକପ୍ରକାରେ ଆଲିଙ୍ଗନ କରିନେଲେ । ଅରୂପ ଟିକିଏ ଅଟକିଗଲା । ମୁଣ୍ଡ ଉପରେ ସୂର୍ଯ୍ୟ କିରଣ ଚିକ୍‌ ଚିକ୍‌ କରୁଛି । ଏ ଅବଧି ତାର ଗାଧୁଆ ପାଧୁଆ ହୋଇନାହିଁ । ତାକୁ ହୁଏତ ମହାଶ୍ୱେତା ଅପେକ୍ଷା କରି ବସିଥିବ । ଏହିକ୍ଷଣି ଅନ୍ୟ ପ୍ରସଙ୍ଗରେ ଆଗେଇ ଯିବାକୁ ସମୟ ନାହିଁ ତାର । ତେବେ ନିରୁପମାଙ୍କ ସହିତ ଥରେ ଦେଖା କରିଗଲେ ବିବେକ ଦୋଷୀ ମାନନ୍ତା ନାହିଁ । ଅରୂପର ଭାବନାକୁ ଖଣ୍ଡିତ କରି ତୁଷାର ବାବୁ କହିଲେ, ଗରମ ଏଠି ନ ବାଧିଲେ ବି ଖରାଟା ଭାରି ଟାଣ ହୋଇଛି ।

 

ଅରୂପ କହିଲା, ରକ୍ଷା । କଟକରେ କିନ୍ତୁ ନିଶ୍ୱାସ ରୁଦ୍ଧି ହୋଇ ଯାଉଥାନ୍ତା । ଆଚ୍ଛା ତୁଷାର ବାବୁ, ଶ୍ରୀମତୀ ସାମୁଏଲ କାହିଁକି ଦେଖା ନାହାନ୍ତି ? କ’ଣ ମୋ ଉପରେ ରୁଷିଛନ୍ତି ?

 

ବ୍ୟଥିତ ହୋଇ ତୁଷାର ବାବୁ କହିଲେ, ପ୍ରତିଘାତ ବୋଧେ ସେ ଦେଇ ଶିଖି ନାହାନ୍ତି ରାୟବାବୁ ! ଆପଣ ତାଙ୍କର ବନ୍ଧୁତ୍ୱକୁ ଅପମାନିତ କଲେ, ଆଖିର ଲୁହ ଢାଳି ସେ ନିଜ ଉପରେ ପ୍ରତିଶୋଧ ନେବେ ବରଂ ଅଶୋଭନୀୟ କିଛି କରି ବସିବେ ନାହିଁ ।

 

ଏଇଟା ଆତ୍ମ ପ୍ରଶଂସା ନୁହେଁ, ଏଇଟା ହେଲା ନିବିଡ଼ ପ୍ରଣୟର ଅନୁଭୂତି ।

 

ଖୁସି ହୋଇ ଅରୂପ କହିଲା, ମାତୃତ୍ୱ ଲାଭ ପରେ ନାରୀଜାତିର ବାହ୍ୟଦୃଷ୍ଟି ସଙ୍କୁଚିତ ହୋଇପଡ଼େ, ଆଉ ପ୍ରସାର ଲାଭକରେ ତାର ବର୍ହିଦୃଷ୍ଟି ।

 

ଉତ୍ତର ଦେଇ ତୁଷାର ବାବୁ କହିଲେ, ତା ସତ ଯେ, କିନ୍ତୁ ନିରୁପମା ତିନି ଚାରିଦିନ ହେବ ଜର ଭୋଗୁଛନ୍ତି ।

 

ସେଥିପାଇଁ...ତାହେଲେ–

 

ସହାନୁଭୂତିର ସ୍ୱରରେ ଅରୂପ କହିଲା, ଚାଲନ୍ତୁ ମୁଁ ଆପଣଙ୍କ ସହିତ ଯିବି...

 

ତୁଷାର ବାବୁ କହିଲେ, ବଡ଼ ଖରା । ମୁଁ ଯାଉଛି ଡାକ୍ତରଙ୍କ ପାଖକୁ । ଆପଣ ପରେ ପରେ ଆସନ୍ତୁ । ତୁଷାର ବାବୁ କହି କହି ଚଞ୍ଚଳ ପଦକ୍ଷେପରେ ଚାଲିଗଲେ ।

 

ଘରେ ପହଞ୍ଚି ନିଜର ନିତ୍ୟକର୍ମ ସାରିନେଲା ଅରୂପ । ମହାଶ୍ୱେତାକୁ କିଛି କହିବାକୁ ପଡ଼ିଲା ନାହିଁ । ଆଗରୁ ଆସି ସେ ଅରୂପକୁ ଖବରଟା ଦେଇଦେଲା । କିନ୍ତୁ ନିରୁପମାଙ୍କୁ ଦେଖି ଯିବାପାଇଁ ତା ଭିତରେ ବିଶେଷ ଆଗ୍ରହ ଦେଖାଗଲା ନାହିଁ । ଅରୂପର ସମସ୍ତ ବିଶ୍ରାମ ସମୟ ଉଦ୍‌ବିଗ୍ନତା ଭିତରେ କଟିଗଲା । ଏଥର ତାକୁ ଯିବାକୁ ହେବ । ଅନେକ ଥର ନିରୁପମାଙ୍କ ଦ୍ୱାରା ସେ ନିମନ୍ତ୍ରିତ ହୋଇଥିଲେ ବି କାହିଁକି କେଜାଣି ସେ ଯାଇ ପାରି ନାହିଁ । କିନ୍ତୁ ଆଜି ତାଙ୍କର ଦୁଃସମ୍ବାଦ ପାଇ ନୀରବରେ ବସି ରହିବା ଶୋଭନ ସୌଜନ୍ୟ ନୁହେଁ । ଅନ୍ତତଃ ଦଶ ମିନିଟ ତାଙ୍କୁ ଦେଖି ଆସିଲେ ବନ୍ଧୁତ୍ୱର ପରିଚୟ ମିଳିବ ।

 

ଦେହରେ ଜାମା ଦେଇ ବାହାରି ଆସି ରାସ୍ତା ଉପରେ ସିଧା ଆଗେଇ ଚାଲିଲା ଅରୂପ । ଘର ଚିହ୍ନିବାକୁ ଡେରି ଲାଗିଲା ନାହିଁ । ସାମନାର ବାରଣ୍ଡା ଉପରକୁ ଉଠିଯାଇ ଅରୂପ ଡାକିଲା, ତୁଷାର ବାବୁ ଅଛନ୍ତି ?

 

ଘର ଭିତରୁ କ୍ଷୀଣ ସ୍ୱର ଶୁଭିଲା । ନିରୁପମା ବୋଧେ କବାଟ ଖୋଲିବାକୁ କାହାକୁ ନିର୍ଦ୍ଦେଶ ଦେଉଛନ୍ତି । କିନ୍ତୁ ସେ ସ୍ୱର ସମ୍ବନ୍ଧରେ ଅରୂପର ଯଥେଷ୍ଟ ସନ୍ଦେହ ରହିଗଲା । ନିରୁପମାଙ୍କ ଠାରୁ ଶୁଣିଥିଲା ଅରୂପ । ଅସ୍ଥାୟୀ ରଙ୍ଗମଞ୍ଚର ଡାହାଣ ପଟରେ ସାମୁଏଲ ପରିବାର ରହୁଛନ୍ତି, ତଥାପି ନିଜକୁ ଅଭ୍ରାନ୍ତ ମନେ କରି ପାରିଲା ନାହିଁ ସେ । କିନ୍ତୁ ତାର ସ୍ମୃତି ଶକ୍ତିକି ନିର୍ଭୁଲ ଘୋଷଣା କରି କବାଟ ଖୋଲି ଗଲା । ଭିତରେ ଠିଆହୋଇ ଜଣେ ମହିଳା ଦୁଇହାତ ଯୋଡ଼ି କହିଲା, ନମସ୍କାର ! ବାବୁ ନାହାନ୍ତି । ଆସିଲେ ଆପଣଙ୍କ କଥା କ’ଣ କହିବି ?

 

ଅରୂପ କହିଲା, ମା ଅଛନ୍ତି ?

 

ଅଛନ୍ତି ।

 

ତାଙ୍କୁ କୁହ ମୁଁ ଆସିଛି । ଅରୂପ ।

 

କହିବାକୁ ହେଲାନାହିଁ । କୃଶାଙ୍ଗୀ ନିରୁପମା ଟଳି ଟଳି ଆସି ଅରୂପ ଆଗରେ ଠିଆ ହୋଇଗଲେ । କହିଲେ, କି ଭାଗ୍ୟ ମୋର । ଭିତରକୁ ଆସନ୍ତୁ ।

 

ପ୍ରବେଶଦ୍ୱାର ଅତିକ୍ରମ କରି ଅରୂପ କହିଲା, ନିତି ନିତି ଅପେକ୍ଷା କରୁଛି । ଆସିବାକୁ ଇଚ୍ଛା କରୁଛି । କିନ୍ତୁ ନାନା ପରିସ୍ଥିତି ଭିତରେ ତାହା ସମ୍ଭବ ହୋଇ ପାରୁ ନାହିଁ । ଆଜି ଶୁଣିଲି ଆପଣ ରୋଗରେ ପଡ଼ିଛନ୍ତି ।

 

ବସିବାପାଇଁ ଅରୂପକୁ ଗୋଟାଏ ଆରାମଚୌକି ଦେଖେଇ ଦେଇ ନିରୁପମା କହିଲେ, ଜୀବନ ଧନ୍ୟ ହେଲା ।

 

ଅରୂପ ଅଳ୍ପ ଲଜ୍ଜା ପାଇଲା । ଏପଟ ସେପଟ ଅନେଇ କହିଲା, କାହିଁ ଆଉ କାହାକୁ ଦେଖିବାକୁ ପାଉନାହିଁ ।

 

ମୃଦୁ ହସି ନିରୁପମା କହିଲେ, କାହାକୁ ଦେଖିବାକୁ ଇଚ୍ଛା କରୁଛନ୍ତି ? ଆପଣଙ୍କର ସାମୁଏଲ ଯାଇଛନ୍ତି କଣ ତାଙ୍କର କାମ ନେଇ । ସେପଟ ଘରେ ପୁଅ ଶୋଇଛି । ଦେଖି ଆସନ୍ତୁ ।

 

କଣ୍ଠରେ ସହାନୁଭୂତି ଧରି ଅରୂପ କହିଲା, ଏ ଅବସ୍ଥାରେ ଆପଣ ଏକା ରହୁଛନ୍ତି ।

 

ଉପାୟ ନାହିଁ । ପୋଡ଼ା କପାଳ ମୋର ରାୟବାବୁ ! ନିଜର ବୋଲି ଦାବି କରିବାକୁ କେହି ନାହିଁ । ନାହିଁ ଭାଇ, ଭଉଣୀ, ନାହିଁ ଦିଅର, ନଣନ୍ଦ, ନାହିଁ ଆତ୍ମୀୟ-ସ୍ୱଜନ । ଲୁହ ପୋଛିବାକୁ କେହି ନାହିଁ । କାହାପାଇଁ ଲୁହ ଢାଳି କାନ୍ଦିବି ଏମିତି ବି କେହିନାହିଁ ।

 

କଥାର ଶେଷ ଆଡ଼କୁ ନିରୁପମାଙ୍କର ସ୍ୱର ଭାଙ୍ଗିପଡ଼ିଲା । ଅରୂପ କହିଲା, ଆଚ୍ଛା ଶ୍ରୀମତୀ ସାମୁଏଲ ଅପରିଚିତ କ’ଣ ଏକ ସମୟରେ ପରିଚିତ ହୋଇଉଠେନା ?

 

ଅରୂପର ପ୍ରଶ୍ନ ଅନେକଟା ନିର୍ବୋଧ ଶିଶୁପରି । ତଥାପି ଯେମିତି ସେଥିଭିତରୁ ନିଜପାଇଁ ସାନ୍ତ୍ୱନା ଖୋଜି ପାଇଲେ ନିରୁପମା । କହିଲେ, ହୋଇଉଠେନା କେମିତି କହନ୍ତୁ ! ଅପରିଚିତର ମଝିରୁ ତ ପୁଣି ସ୍ୱାମୀ ସ୍ତ୍ରୀର ସଂପର୍କ ମୁଣ୍ଡଟେକି ଉଠୁଛି ।

 

ଅଜ୍ଞାନ ବାଳକ ପରି ବିଂଶଶତାବ୍ଦୀର ଉଚ୍ଚଶିକ୍ଷିତ ଯୁବକ ନିରୁପମାଙ୍କ ମୁହଁକୁ ଅନେଇ ରହିଲା । ଏ ଘର ତାର ସଂପୂର୍ଣ୍ଣ ଅପରିଚିତ । ଯେଉଁ ନାରୀ ପ୍ରତିମାର ସାନିଧ୍ୟରେ ତାର ପ୍ରତିଟି ମୁହୂର୍ତ୍ତ କଟିଯାଉଛି ତାଙ୍କ ସହିତ ତାର ପରିଚୟ ପୂରା ଗୋଟିଏ ମାସ ହୋଇନାହିଁ । ତଥାପି ଯେପରି ନିରୁପମା ତାର ଖୁବ୍‌ ନିକଟରେ ଆସି ପହଞ୍ଚି ଯାଇଛନ୍ତି । ସେଥିପାଇଁ ଅରୂପର କୌଣସି ସଙ୍କୋଚ ବୋଧନାହିଁ ଏଠି । ଚୌକିରେ ସେ ବସିବା ସାଙ୍ଗେ ସାଙ୍ଗେ ଦୁର୍ବଳ ହାତରେ ସୁଇଚ୍‌ ଟିପି ପଙ୍ଖା ଘୁରେଇ ଦେଲେ ନିରୁପମା । ମୃଦୁ ମଧୁର ପବନରେ ପଥଶ୍ରାନ୍ତ ଅରୂପ ଚୌକିରେ ଦେହଢ଼ାଳି ଆରାମ କରି ବସିଲା । ବନ୍ଧୁତ୍ୱର ପ୍ରଶସ୍ତ ପରିସର ଭିତରେ ସାଧାରଣ ଭଦ୍ରତାର ସ୍ଥାନ ନାହିଁ ।

 

ନିଜ ହାତରେ ତରୁଭୂଜର ସର୍ବତ ତିଆରି କରି ନେଇ ଆସିଲେ ନିରୁପମା । ହାତ ପାଦ ଥର ଥର କରି କମ୍ପି ଉଠୁଛି । ଏମିତି ଅବସ୍ଥାରେ ସ୍ୱଳ୍ପ ପରିଚିତ କୌଣସି ପୁରୁଷ ନିକଟକୁ ଆଗେଇ ଆସିବା ନାରୀପକ୍ଷେ ସହଜ ନୁହେଁ । କିନ୍ତୁ ନିରୁପମାଙ୍କ ଚେହେରାରେ ଯେମିତି କୌଣସି କୃତ୍ରିମତା ନାହିଁ । କପାଳରେ ସିନ୍ଦୁରର ଚିହ୍ନନାହିଁ । ମୁଣ୍ଡରେ ଓଢ଼ଣା ମଧ୍ୟ ନାହିଁ । ଉତ୍ତାପର ଆବେଗରେ ଆଖି ଦୁଇଟି ଲାଲ । ତଥାପି ଯେପରି ପଦେ ପଦେ କୁମାରୀ ହରିଣୀର ଚପଳତା, ସମସ୍ତ ଦେହ ଖଣ୍ଡିକ ଯେମିତି ବିଦ୍ୟୁତ ପରିଚାଳିତ ।

 

ଅରୂପ ହାତରେ ସର୍ବତ ଗ୍ଲାସ ଦେଉ ଦେଉ ପ୍ରାୟ ଟଳି ପଡ଼ୁଥିଲେ ନିରୁପମା । ଆକସ୍ମିକଭାବେ ତାଙ୍କୁ ଧରି ପକେଇ ଅରୂପ ଚିତ୍କାର କରି ଉଠିଲା ।

 

ଆପଣଙ୍କ ଦେହରେ ଏତେ ତାତି ! ନିଜକୁ ସ୍ଥିର କରି ଠିଆକଲେ ନିରୁପମା । ଓଠରେ ହସଖେଳେଇ କହିଲେ, ମନର ତାତିରେ ଦେହର ତାତି ମ୍ଳାନ ହୋଇଯାଏ ରାୟବାବୁ !

 

ଏ କଥାର ଅର୍ଥ ଅରୂପ ବୁଝିଲା କି ନାହିଁ କେଜାଣି କିଛି ସମୟ ଚୁପ୍‌କରି ରହିଲା । ତାପରେ ପୂର୍ବ ଆଲୋଚନାର ସୂତ୍ରଧରି ନିମ୍ନସ୍ୱରରେ ପଚାରିଲା, ସ୍ୱାମୀ ସ୍ତ୍ରୀ ହୋଇ ନ ଉଠିଲେ ମଣିଷର ଭଲ ପାଇବାଟା କଣ ସ୍ଥାୟୀ ହୋଇ ରହିପାରେନା ଶ୍ରୀମତୀ ସାମୁଏଲ !

 

ପୁଣି ନିରୁପମାଙ୍କ ଓଠରେ ହସ ଫୁଟିଲା । କିନ୍ତୁ ସେ ହସ ଯେପରି ପୂର୍ବପରି ପ୍ରାଣରସରେ ସିକ୍ତ ନୁହେଁ । ପାହାନ୍ତି ରାତିର ଜ୍ୟୋସ୍ନାପରି କରୁଣ, ମ୍ଳାନ । କହିଲେ, ଆପଣ କ’ଣ ମୋ କଥା ବିଶ୍ୱାସ କରିବେ ?

 

କାହିଁକି ନ କରିବି ?

 

ପରମ ବିସ୍ମୟରେ ଅରୂପ ନିରୁପମାଙ୍କର ମୁହଁକୁ ଚାହିଁ ରହିଲା । ସେତେବେଳେ ସୁଦ୍ଧା ତାଙ୍କ ଦେହର ସ୍ପର୍ଶ ଅରୂପ ହାତରେ ଲାଗିରହିଚି । ରୋମାଞ୍ଚ, ଶୀତକାର, କମ୍ପନ ଅତ୍ୟୁକ୍ତି ମାତ୍ର । ଉତ୍ତେଜନାର ଆବେଗରେ ନିରୁପମାଙ୍କର ଶାନ୍ତ ଦୃଷ୍ଟି ଥର ଥର କରି ଯେମିତି କମ୍ପି ଉଠୁଛି ।

 

ବାହାରେ ଠକ୍‌ ଠକ୍‌ ଜୋତାର ଶବ୍ଦ ଶୁଭିଲା । ସଜାଗ ହୋଇ ଦୂରକୁ ଘୁଞ୍ଚି ଯାଉ ଯାଉ ପୁଣି କଚାଡ଼ି ହୋଇ ପଡ଼ିଲେ ନିରୁପମା । ଦ୍ରୁତ ଗତିରେ ତାଙ୍କୁ ତଳୁ ଉଠେଇନେଇ ସଯତ୍ନରେ ବିଛଣାରେ ଶୁଆଇ ଦେଲା ଅରୂପ । ସେତେବେଳେ ସୁଦ୍ଧା ନିରୁପମାଙ୍କ ଦେହର ଉତ୍ତାପ ବଢ଼ି ଉଠିଛି । ଅରୂପ ସ୍ତବ୍‌ଧ ହୋଇ କେବଳ ତାଙ୍କୁ ଚାହିଁରହିଲା । ନିରୁପମାଙ୍କର ସମଗ୍ର ଚେହେରାଟା ଯେମିତି ଏକ ଅଶ୍ରୁର ଉଚ୍ଛ୍ୱାସରେ ପରିଣତ ହୋଇ ଯାଇଛି । ଦୁଇଟି ମୁଦ୍ରିତ କମଳ କଳିକା ଉପରେ ଜମି ଆସୁଛି ହିମରାତିର ଶିଶିର ବିନ୍ଦୁ ।

 

ଶ୍ରୀଯୁକ୍ତ ସାମୁଏଲ ବୋଲି ମନେହେଲା । ଜୋତା ହିଲର ଶବ୍ଦଟା ଘରର ଅନ୍ୟ ଦିଗରେ ଥରେ ଅସ୍ପଷ୍ଟ ହୋଇ ପୁଣି ଏଇଆଡ଼େ ଆଗେଇ ଆସିଲା । ଅରୂପ ନିଜର ଆସନ ଗ୍ରହଣ କରି ତୁଷାର ବାବୁଙ୍କୁ ନୂଆ କିଛି ଶୁଣେଇବା ପାଇଁ ସିଧାହୋଇ ବସିଲା । ଏ ଅବସ୍ଥାରେ ନିରୁପମାଙ୍କୁ ଛାଡ଼ିଯିବା ଅନ୍ୟାୟ ନିଶ୍ଚୟ !

 

କିନ୍ତୁ ଅଭ୍ୟାଗତ ଯିଏ ହୁଅନ୍ତୁନା କାହିଁକି ପୁରୁଷ ନୁହେଁ । ପରଦା ଆଡ଼େଇ ଭିତରକୁ ପଶି ଆସିବା ମାତ୍ରେ ସାଗ୍ରହ ଦୃଷ୍ଟି ତୋଳି ଅବାକ୍‌ ହୋଇ ଚାହିଁରହିଲା ଅରୂପ । ଗୋଟିଏ ପଲକ ମାତ୍ର । ତାପରେ ନିରୁପମାଙ୍କୁ ଲକ୍ଷ୍ୟକରି କହିଲା, ମୁଁ ୟାଙ୍କୁ ଦେଖିଛି ମନେ ହେଉଛି ।

 

ନିରୁପମାଙ୍କ ଆଖିରେ ମୁହଁରେ ତେବେ ସୁଦ୍ଧା ଉତ୍ତେଜନାର ଛାପ । ଜରର-ଉତ୍ତାପରେ ଆଖି ଦୁଇଟି ଦପ୍‌ ଦପ୍‌ କରୁଛି । ତଥାପି ପରିହାସ କଣ୍ଠରେ ସେ କହିଲେ, ସତେ ନା କ’ଣ ?

 

ନମସ୍କାର ଜଣେଇ ଆଗନ୍ତୁକ କହିଲେ, କେଉଁଠି ଦେଖିଛନ୍ତି କହନ୍ତୁ ତ !

 

ପ୍ରତି ନମସ୍କାର ଜଣେଇବାକୁ ଯାଇ ଅରୂପର ସ୍ମୃତି କୋଷରେ ଆଘାତ ଲାଗିଲା ନିବେଦିତା ଦେବୀ ! ନିବେଦିତାର ଆଜି କୌଣସି ପ୍ରସାଧନ ନାହିଁ । ଦେହରେ ଅତି ସାଧାରଣ ଶାଢ଼ି ଆଉ ବ୍ଲାଉଜ, ସେ ଦିନର ରୁକ୍ଷ କେଶ ଆଜି ବେଣୀବଦ୍ଧ । ଦୁଇହାତରେ ଦୁଇମୁଠା କାଚର ଚୁଡ଼ି । ଗଳା କିମ୍ବା କାନରେ କିଛି ନାହିଁ । ଏହି ଭଦ୍ର, ନିରାଡ଼ମ୍ବର ବେଶଭୂଷା ଭିତରେ ସେ ଦିନର ନାରୀଶ୍ରେଷ୍ଠାକୁ ଚିହ୍ନିବା ଯେ କୌଣସି ସ୍ୱଳ୍ପ ପରିଚିତ ମଣିଷ ପକ୍ଷେ ଏକ କଠିନ ସମସ୍ୟା । ତଥାପି ଅରୂପ କହିଲା, କ୍ଷମା କରନ୍ତୁ ! ଥରେ ଯାହା ଦେଖା ହୋଇଥିଲା ।

 

ବିନୀତ ଭାବରେ ନିବେଦିତା କହିଲା, ଏଇଟା ସାଧାରଣ କଥା । କ୍ଷମା ମାଗି ଭାରାକ୍ରାନ୍ତ କଲେ କାହିଁକି ?

 

ଦିଦିମଣି ଆଜି ଦେହ କେମିତି ଅଛି କହିଲ ?

 

ନିଜ ସମ୍ବନ୍ଧରେ ନିରୁପମା କୌଣସି ଉତ୍ତର ଦେଲେ ନାହିଁ । ବିଛଣାରେ ଉଠିବସି କହିଲେ, ନାହିଁରେ ନିବା, କବିହେଲେ ପୁରୁଷ ଲୋକ ବାହାଣୀଆ ପାଲଟି ଯାଏ ।

 

ସମସ୍ୱରରେ ନିବେଦିତା ଆଉ ଅରୂପ ହସି ଉଠିଲେ । ହସି ହସି ନିବେଦିତା କହିଲା, ହିନ୍ଦୁ ଯୁଗ ଯୁଗ ଧରି ଯୁଗଳାଙ୍ଗର ପରିକଳ୍ପନା କରି ଆସିଚି । କୃଷ୍ଣଙ୍କ ପାଖରେ ଥୋଇଚି ରାଧା, ଶିବଙ୍କ ପାଖରେ ପାର୍ବତୀ, କିନ୍ତୁ ଅରୂପଙ୍କ ପାଖରେ... ।

 

ଅରୂପା, କଥା ଯୋଗେଇ ନିରୁପମା କହିଲେ । ସେ ତ ସମ୍ବରାସୁର ଘରେ ମାୟାବତୀ । ତୁ ଖୋଜି ପାଇବୁ କେଉଁଠି ?

 

ପୁଣି ହସର ପ୍ରବାହ ଛୁଟିଲା । ଅରୂପ କହିଲା, ପୁରୁଷ ଯଦି କବି ହୁଏ ସେ ହୁଏ ବାହାଣିଆ । କିନ୍ତୁ ନାରୀ ଯଦି କବି ହୁଏ ପୁରୁଷ ହୁଏ ଭଗ୍ନନୀଡ଼ । ଆଚ୍ଛା ନିବେଦିତା ଦେବୀ, ମଦନଭସ୍ମ ପରେ ରତି ହେଲେ ମାୟାବତୀ । ଧରନ୍ତୁ ଯଦି ରତି ଭସ୍ମ ହୋଇ ମଦନ ଥାଆନ୍ତେ ।

 

ଲଜ୍ଜାସ୍ମିତ ମୁଖରେ ନିବେଦିତା କହିଲା, ଏ ପ୍ରଶ୍ନର ଉତ୍ତର ଦିଦିମଣି ଦିଅନ୍ତୁ ।

 

ମୃଦୁ ପ୍ରତିବାଦ କରି ନିରୁପମା କହିଲେ, ନା, ନା ତୁ ଭୁଲ କହିଲୁ ନିବା ! ଏହାର ଉତ୍ତର କୌଣସି ନାରୀ ଦେଇ ପାରିବ ନାହିଁ । ସେ ସବୁ କଥା ଥାଉ । ତୁ ଟିକିଏ ଭଉଣୀ ଏ ଅତିଥି ସଂସ୍କାର ଭାର ଗ୍ରହଣ କଲୁ ।

 

ପ୍ରସନ୍ନ କଣ୍ଠରେ ଅରୂପ କହିଲା, କିଛି ଦରକାର ନାହିଁ । ଅତିଥି ସାକ୍ଷାତ ଭଗବାନ । ଭକ୍ତର ମନୋବେଦନା ସେ ନିଶ୍ଚୟ ବୁଝିବେ । ଆଚ୍ଛା, ମୁଁ ଏଥର ଯାଏ...

 

ନିବେଦିତା କହିଲା, ଦାଦାବାବୁଙ୍କ ସହିତ ଦେଖା ହେଇଚି ? ଅରୂପ କିଛି କ୍ଷଣ ନିବେଦିତା ଆଡ଼େ ଚାହିଁଲା । ତାପରେ କହିଲା, କାହା କଥା କହିଲେ ? ଶ୍ରୀଯୁକ୍ତ ସାମୁଏଲଙ୍କ କଥା-

 

ନିରୁପମା କହିଲେ, ଦିଦି ପାଖରେ ଦାଦା କ’ଣ ଅନ୍ୟ କେହି ହେବା ସମ୍ଭବ ?

 

ଧୃଷ୍ଟତା ମାର୍ଜ୍ଜନା କରିବେ ନିବେଦିତା ଦେବୀ ! ଏଠି ପଦେ କହିବାକୁ ଦିଅନ୍ତୁ ମତେ ।

 

ନିବେଦିତା ଆଉ ନିରୁପମା ଆଖି ଉଠେଇ ଚାହିଁଲେ ।

 

ଅରୂପ କହିଲା, ଶ୍ରୀଯୁକ୍ତ ଚୌଧୁରୀ ଓଡ଼ିଆ ନା..ନିଶ୍ଚୟ ଓଡ଼ିଆ ।

 

କିନ୍ତୁ ତାଙ୍କ ଝିଅ ମୁହଁରେ ଏ ବଙ୍ଗଳା ବୋଲି ବଡ଼ ଶ୍ରୁତିକଟୁ ନିବେଦିତା ଦେବୀ ।

 

କୁଣ୍ଠିତ ଲଜ୍ଜାରେ ନିବେଦିତାର ଆଖି ଦୁଇଟି ଥମ ଥମ କରି ଉଠିଲା । ତଥାପି ମଧୁସ୍ୱରରେ ସେ କହିଲା, ମଣିଷ ସଂସ୍କାରର ଦାସ ରାୟବାବୁ !

 

ନିରୁପମା କହିଲେ, ଆପଣ ବୋଧେ ଜାଣିନାହାନ୍ତି ଯେ ଇସ୍ପାତି କଲିକତା କୋଳରେ ନିବେଦିତା ଜୀବନର ଶୁଭ ଦିଆ ଯାଇଛି ।

 

ଓ...ଅରୂପ କହିଲା । ତାହେଲେ ହାରିଗଲି ନିବେଦିତା ଦେବୀ ! ତେବେ ଏଇଟାକୁ ମୁଁ ଅପମାନ ବୋଲି ମନେ କରିବି ନାହିଁ । ପୁରୁଷ ଚିରଦିନ ନାରୀର ପାଦତଳେ ମୁଣ୍ଡ ନୁଆଁଇ ଆସିଛି । ନ ହେଲେ ମାତୃଜାତିର ଅମର୍ଯ୍ୟାଦା ହେବ ।

 

ନିରୁପମା କହିଲେ, ତାହା ନୁହେଁ, କହନ୍ତୁ ଗୌରବ ।

 

ଏହାରି ନା ହେଲା ଆତ୍ମବଡ଼ିମା ! ଏହାର ଉତ୍ତର ମୁଁ ନୁହେଁ, ଶ୍ରୀଯୁକ୍ତ ସାମୁଏଲ ବେଶ ଦେଇ ପାରିବେ...

 

ଚୌକି ଛାଡ଼ି ଉଠି ଠିଆହେଲା ଅରୂପ । କହିଲା, ଆପଣମାନଙ୍କ ସହିତ ଯେ କେତୋଟି ମୁହୂର୍ତ୍ତ କଟିଗଲା, ଖୁବ୍‌ ଆନନ୍ଦରେ । ଶ୍ରୀମତୀ ସାମୁଏଲଙ୍କ ଦେହ ଖବର ପାଇ ସବୁ କାମ ଛାଡ଼ି ଚାଲି ଆସିଥିଲି । ତାଙ୍କୁ ଏକା ଦେଖି ମୋର ଉଦ୍‌ବିଗ୍ନତାର ସୀମା ନ ଥିଲା । ଏବେ ମୁଁ ନିଶ୍ଚିନ୍ତ ଯେ ନିବେଦିତା ଦେବୀ ଅଛନ୍ତି ।

 

ନିବେଦିତା କହିଲା, ମଝିରେ ମଝିରେ ଦେଖାହେଲେ ସୁଖୀ ହେବି ।

 

ସାର୍ଥକ ହେଲି...

 

ନମସ୍କାର ଜଣେଇ ପାହାଚ ଉପରେ ଓହ୍ଲେଇଗଲା ଅରୂପ । ତାର ଯିବାବାଟକୁ ଅନେକ ଭିତରର ଦୀର୍ଘଶ୍ୱାସକୁ ଚାପି ଚାପି ନିରୁପମା କହିଲେ, ଆଶ୍ଚର୍ଯ୍ୟ ମଣିଷ ସତେ...

 

 

ଏମିତି ଆନନ୍ଦ ଆବେଗ ଭିତରେ ପ୍ରାୟ ଗୋଟିଏ ସପ୍ତାହ ବିତିଗଲା । ଇତି ମଧ୍ୟରେ ଅରୂପ ଅନେକବାର ତୁଷାର ସାମୁଏଲଙ୍କର ଆତିଥ୍ୟ ଗ୍ରହଣ କରିଛି । ବହୁତଥର ଉମାଶଙ୍କରବାବୁଙ୍କ ଚା’ ଭୋଜିକି ନିମନ୍ତ୍ରିତ ହୋଇ ଯାଇଛି । ଅରୂପକୁ ନିଜ ଭିତରେ ପାଇ ସ୍ୱାମୀ, ସ୍ତ୍ରୀ ପରମ ଆନନ୍ଦରେ ସମାଦର କରି ନେଇଛନ୍ତି । ନିରୁପମାଙ୍କର ଆଳାପ ଘନିଷ୍ଠତାର ସୂତ୍ର ଧରି ଆଗେଇ ଚାଲିଛି । ତୁଷାର ବାବୁ ମଧ୍ୟ ଏ ବନ୍ଧୁତ୍ୱକୁ ପୂର୍ଣ୍ଣପ୍ରାଣରେ ଗ୍ରହଣ କରି ପାରିଛନ୍ତି । ନିରୁପମାଙ୍କର ଦୈହିକ ସ୍ୱାସ୍ଥ୍ୟ ପୂରାପୂରି ଫେରି ଆସି ନ ଥିଲେ ମଧ୍ୟ ସେ ଅନେକାଂଶରେ ସୁସ୍ଥ ହୋଇ ଉଠିଛନ୍ତି ।

 

ନିବେଦିତାର ବିନୟ ସମ୍ଭାଷଣ, ନମ୍ର ମଧୁର ଆଚରଣ ଅରୂପକୁ ଯେ ମୁଗ୍‌ଧ କରିଛି ଏଥିରେ ସନ୍ଦେହ ନାହିଁ । ଘରୁ ଅରୂପ ନିଜର ସାନଭଉଣୀ ଠାରୁ ପର ପର ଦୁଇଖଣ୍ଡ ଚିଠି ପାଇଲାଣି । ପ୍ରତି ଧାଡ଼ିରେ ନିଜକୁ ଅତି କରୁଣ ଭାବରେ ସେ ବ୍ୟକ୍ତ କରିଛି । ଶେଷରେ ନିଜର ବାପା ମାଙ୍କ କଥା ଲେଖିବାକୁ ଭୁଲିନାହିଁ କୀର୍ତ୍ତିମାଳା । ଗ୍ରୀଷ୍ମ ଛୁଟିରେ ଘରକୁ ନ ଯାଇଥିବାରୁ ସେମାନଙ୍କର ଉଦ୍‌ବେଗର ସୀମା ନାହିଁ । ନିଜ କଥା କହିବାକୁ ଯାଇ କୀର୍ତ୍ତିମାଳା ଲେଖିଛି, ସ୍ୱାମୀ ପ୍ରାୟ ତାର ମାସେ ହେବ ଜଣେ ଗ୍ରାମ୍ୟ ବିଧବା ପ୍ରୌଢ଼ାଙ୍କୁ ଧରି କୁଆଡ଼େ ଉଭାନ ହୋଇ ଯାଇଛନ୍ତି-। ଗଲାବେଳେ କୀର୍ତ୍ତିମାଳାର ପିତୃଦତ୍ତ ସମସ୍ତ ସୁନା ଅଳଙ୍କାର ନେବାକୁ ଭୁଲି ଯାଇ ନାହାନ୍ତି-। ସ୍ୱାମୀ ଫେରାର ହେବାପରେ ଶଶୁର ଘରେ ନିଜର ଆସ୍ଥାନ ସୁଦ୍ଧା ହରେଇ ପିତ୍ରାଳୟରେ ଆସି ଆଶ୍ରୟ ନେଇଛି ସେ । ଲେଖିବା ଭିତରେ କୀର୍ତ୍ତିମାଳା ବାରମ୍ବାର ସ୍ୱାମୀର ଖବର ନେବାପାଇଁ ଆକୁଳ ଅନୁରୋଧ ଜଣେଇଛି ।

 

ଭିଣୋଇର ଯଶ କୀର୍ତ୍ତି ସମ୍ବନ୍ଧରେ ଅରୂପ ଯେ ପୂର୍ବରୁ ଅବିହିତ ଅଛି ଏହା ନୁହେଁ । ତାର ଇଚ୍ଛା ବିରୁଦ୍ଧରେ ଅଭିଜାତ କୋଳରେ ଝିଅକୁ ତୋଳି ଦେଇଥିଲେ ଅରୂପର ବାପା ପଦାରବିନ୍ଦ ରାୟ । ସେଥିଯୋଗୁ ବାପ ପୁଅଙ୍କ ଭିତରେ ବହୁଦିନ ଧରି ମନାନ୍ତର ରହି ଯାଇଥିଲା । କିନ୍ତୁ ଆଜି ସମସ୍ତ ବିଦ୍ୱେଷ ଭୁଲି ନିରୋଳାରେ ଅଶ୍ରୁଭାରରେ ଭାଙ୍ଗିପଡ଼ିଲା ଅରୂପ । ଏତିକିବେଳେ ମୃଦୁ ପଦଧ୍ୱନୀ ସହିତ ନାରୀ କଣ୍ଠର ମଧୁର ଆଳାପ ବାରଣ୍ଡା ଦେଇ ଘର ଭିତରକୁ ଆଗେଇ ଆସିଲା । ଅରୂପ ଦେଖିଲା ନିରୁପମାଙ୍କ ସାଙ୍ଗରେ ମହାଶ୍ୱେତା ତାହାରି ଆଡ଼କୁ ଆଗେଇ ଆସୁଚି । ସନ୍ତର୍ପଣରେ ଆଖି ପୋଛି ଦୁଆର ମୁହଁକୁ ପାଛୋଟି ଆସିଲା ଅରୂପ । ଏଇଟା ବନ୍ଧୁ ପରିଗୁଣ । ନମସ୍କାର ଜଣେଇ ନିରୁପମା କହିଲେ, କୌଣସିମତେ ଘରେ ରହିପାରିଲି ନାହିଁ । ଆପଣଙ୍କୁ ଆଉ ଥରେ ଦେଖା ନ କରି ଫେରିଯିବାକୁ ମନ ବଳିଲା ନାହିଁ ।

ଅରୂପର ଚେହେରାରେ ଆଜି କୌଣସି ଅପ୍ରାକୃତିକତା ନାହିଁ । ଜୋତା କୋଟ ଅଙ୍ଗୁରୀୟ ଏଗୁଡ଼ିକ ବାହୁଲ୍ୟ । ଦେହରେ ଖଣ୍ଡେ ହାଫ୍‌ କମିଜ୍‌ ସୁଦ୍ଧା ନାହିଁ । ତିନିଦିନର ସାମାନ୍ୟ ଖଣ୍ଡିଏ ଲୁଙ୍ଗି ଭିତରେ ଅରୂପର ଉନ୍ନତ୍ତ ସ୍ୱାସ୍ଥ୍ୟ ସମ୍ପଦ ଝଲମଲ କରୁଛି । ବାସ୍ତବରେ ଏକ ରେଖାଙ୍କିତ ଛବିପରି ଅଜୂପର ଚେହେରା ।

ନିର୍ମଳ ଦୃଷ୍ଟିରେ ଅରୂପ କହିଲା, ସାର୍ଥକ ହେଲି । ଆସନ୍ତୁ, କିନ୍ତୁ ଆପଣ ତ ଠିକ୍‌ ମତେ ଦେଖି ଆସି ନାହାନ୍ତି ।

ନିଶ୍ଚୟ !! ନିରୁପମା କହିଲେ । ଆପଣଙ୍କର ଦେଖା କରିବି ବୋଲି ସକାଳୁ ସକାଳୁ ଜିନିଷପତ୍ର ବନ୍ଧା ବନ୍ଧି କରି ଦେଇଛି । ସନ୍ଧ୍ୟାବେଳକୁ ହୁଏତ ଇଏ ଆସି ପାରନ୍ତି । ଦୁହେଁ ଆସିଲେ ଛୁଆର ଅବସ୍ଥା ସରିଯିବ । ସେଥିଯୋଗୁ ଖରାଏ ଖରାଏ ଆସି ପଡ଼ିଲି ।

 

ଅରୁପ କହିଲା, ଏଥିପାଇଁ ତୁଷାର ବାବୁ ଅନୁମତି ଦେଇ ପାରିଲେ ତ ?

 

କାହିଁକି ? ଅନୁମତି ନ ଦେବାର କାରଣ କଣ ଅଛି ଯେ...କହି କହି ସମସ୍ତେ ଆସି ଘର ଭିତରେ ଆସନ ଗ୍ରହଣ କଲେ ।

 

ହସି ହସି ଅରୂପ କହିଲା, ଆପଣ ମତେ ଦେଖି ଆସି ନାହାନ୍ତି । ଆପଣ ଦେଖିବାକୁ ଚାହାନ୍ତି କବି ଅରୂପ ରାୟକୁ । ନମସ୍କାର ଜଣେଇ ଆସିଚନ୍ତି ପ୍ରତିଭାକୁ ।

 

ତା’ ସହିତ ଏହି ଆଖି ଦୁଇଟିକି ବି...

 

ଅରୂପ ଏ ଇଙ୍ଗିତ ବୁଝିଲା । ଏପାଖ ସେପାଖ କରି ଅନେଇଲା । କେଉଁ ଏକ ପଲକ ଭିତରେ ମହାଶ୍ୱେତା ଯେପରି ଘରଛାଡ଼ି କେଉଁଠି ନିଜକୁ ଲୁଚେଇ ଦେଇଛି । ନିଜର ଆସନ ହରେଇବାର ଭୟ ହୁଏତ ମହାଶ୍ୱେତାର ଏବେ ଆଉ ନାହିଁ । ଅରୂପ କହିଲା, ହଠାତ୍‌ ଏତେ ମହାଶ୍ୱେତାର ଏବେ ଆଉ ନାହିଁ । ଅରୂପ କହିଲା, ହଠାତ୍‌ ଏତେ ଦୁର୍ବୁଦ୍ଧି ପାଇ ବସିଲେ କାହିଁକି ?

 

ନିରୁପମା କହିଲେ, କଟକ ଫେରିଯାଇ ହୁଏତ ଆପଣଙ୍କର ଦେଖା ପାଇବା ଆଉ ସହଜ ହେବନାହିଁ । ସେଥିଯୋଗୁ ଆସିଲି ଏଇ ଦୁରନ୍ତ ପ୍ରତିଭା ଆଉ କଳାର ପାଦତଳେ ମୋର ପ୍ରମାଣ ଜଣେଇ ଯିବାପାଇଁ ।

 

ଏ ଭାଷା ନାରୀର । ଏ ଭାଷା ନିଗୂଢ଼ ଅନ୍ତରର । ଏହାର ପ୍ରତିବାଦ ପାଇଁ ଯୁଗ ଯୁଗ ଧରି ପୁରୁଷର ଜଡ଼ତା ରହି ଆସିଛି । ରହି ରହି ଅରୂପ କହିଲା, ଆପଣ ଶ୍ରୀଯୁକ୍ତ ସାମୁଏଲଙ୍କ ପ୍ରତି ଅବିଚାର କରୁ ନାହାନ୍ତି ତ ?

 

ଆଖିରେ ବିସ୍ମୟ ଧରି ନିରୁପମା ଅନେଇ ରହିଲେ ଅରୂପକୁ । ହିନ୍ଦୁ ପରିବାରରେ ତାର ଜନ୍ମ । ସାମାଜିକ ବିଧି ନିଷିଧ ଭିତରେ ତାର ଜୀବନ ଗଢ଼ି ଉଠିଛି । ତାର ଚତୁଃସୀମା ଭିତରେ ନାରୀର ଯେଉଁ ବନ୍ଧୁ ପ୍ରୀତି ସେ ଦେଖିଚି, ତାହା କେବଳ ସ୍ୱାମୀ ଦେବତାର ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ । ସେଠି ଅନ୍ୟ ପୁରୁଷର ସଖ୍ୟ କାମନା ତ ଦୂରର କଥା ନାମ ଉଚ୍ଚାରଣ ମଧ୍ୟ ଦୋଷାବହ । ଅରୂପର ସ୍ଥାଣୁତ୍ୱ ଲକ୍ଷ୍ୟ କରି ନିରୁପମା ଖିଲି ଖିଲି ହୋଇ ହସି ଉଠିଲେ । କହିଲେ, ଅବିଚାରର ପ୍ରଶ୍ନ କାହିଁ ? ସ୍ନେହ ଶ୍ରଦ୍ଧାର ଆଦାନ ପ୍ରଦାନରେ କଣ ସ୍ୱାମୀ ପାଇଁ ସ୍ତ୍ରୀ ଅବିଚାର କରି ବସେ । ବୁଝିଲି ଆପଣ ବୋଧେ ଜୀବନରେ କୌଣସି ନାରୀ ବନ୍ଧୁର ଘନିଷ୍ଠତା ପାଇ ନାହାନ୍ତି ।

 

ପୂର୍ବପରି ଅରୂପ କହିଲା, ହୁଏତ ସେଇଆ...

 

ନିରୁପମା କହିଲା, ୟାଙ୍କ ସମ୍ବନ୍ଧରେ ଆପଣଙ୍କର ଧାରଣା ସୀମିତ । ତାହାତ ହେବାର କଥା । ମିଳା ମିଶାର ବିଶେଷ ସୁଯୋଗ ପାଇ ନାହାନ୍ତି ନା ! କିନ୍ତୁ ଆପଣଙ୍କୁ ସେ ପ୍ରଥମ ଦେଖାରେ ହିଁ ଗ୍ରହଣ କରି ନେଇ ପାରିଛନ୍ତି । ସେଦିନ ଫେରି ଯାଇ ଆପଣଙ୍କର ଖୁବ୍‌ ସୁଖ୍ୟାତି କରୁଥିଲେ । ଆପଣ କୁଆଡ଼େ ପୁରୁଷ ଗୋଷ୍ଠୀର ଗୌରବ ।

 

ଏଥର ମହାଶ୍ୱେତା ଆସି ହସି ହସି ସେମାନଙ୍କ ଭିତରେ ବସିପଡ଼ିଲା ।

 

ନିରୁପମା କହିଲେ, କାହିଁ ସର୍ବଜୟାକୁ ତ କେଉଁଠି ଦେଖିବାକୁ ପାଇଲି ନାହିଁ । ମାଉସୀଙ୍କ ସହିତ ବି ଦେଖା ହୋଇନାହିଁ । ଏଇଥର ସମସ୍ତଙ୍କ ନିକଟରୁ ବିଦାୟ ନେଇ ଯିବାକୁ ହେବ । ଆଚ୍ଛା, ମହାଶ୍ୱେତା ଦେବୀ, ସର୍ବଜୟା ଆପଣଙ୍କର ମା ପେଟର ଭଉଣୀ ନା ? ଚେହେରାରେ କୌଣସି ସାମଞ୍ଜସ୍ୟ ନାହିଁ ବୋଲି ପଚାରିଲି । କିଛି ମନେ କରିବେ ନାହିଁ ।

 

ମହାଶ୍ୱେତା କହିଲା, ସାନ ଭଉଣୀ ଯେ ନୁହେଁ କହି ପାରିବି ନାହିଁ । ଏ ପୃଥିବୀର ନାଗରିକ ହିସାବରେ ସମସ୍ତଙ୍କର ସମ୍ମାନ ବୋଧେ ଅଛି ନିଶ୍ଚୟ ! ! ସେଥିପାଇଁ ସର୍ବଜୟାକୁ ଭଉଣୀ ଆଖ୍ୟା ଦିଆ ଯାଇପାରେ ।

 

ଉତ୍ସାହିତ ହୋଇ ନିରୁପମା କହିଲେ, ସେ ଯାହା ହେଉନା କାହିଁକି ଆପଣ ମୋ କଥା ମନେ ରଖିବେ । ନାମ ଗନ୍ଧହୀନ ବଣ୍ୟ କଳିକା ପଥିକର ପ୍ରାଣକୁ ଆକର୍ଷଣ କରେ । ମୁଗ୍‌ଧ କରେ-

 

ସ୍ମିତ ହସି ଅରୂପ କହିଲା, ଆପଣଙ୍କର ଉକ୍ତିଟା ସତ୍ୟ ହେବ ଯଦି, ପଥିକ ବିଲାତି ଡାଲିଆର ରସିକ ନ ହୁଏ ।

 

ଉଚ୍ଚସ୍ୱରରେ ତିନିଜଣ ହସି ଉଠିଲେ । କିନ୍ତୁ ମହାଶ୍ୱେତାର ଚେହେରାରେ ଉଦ୍‌ବେଗ ଦେଖାଗଲା । ଏହାପରେ ଏ ପ୍ରସଙ୍ଗ ଯଦି ଆଗେଇ ଯାଏ ତେବେ ଜୀବନ ଉପରେ ତାର ଘୂର୍ଣ୍ଣିବାତ୍ୟା ବହି ଯାଇପାରେ । ସେ ଚୁପ୍‌କରି ବସି ରହିଲା ।

 

ନିରୁପମା କହିଲେ, ଏମିତି ଗୋଟିଏ ସାନ ଭଉଣୀ ପାଇବାକୁ ମୋର ଭାରି ଇଚ୍ଛା । ତାର ବଡ଼ ଭଉଣୀ ହେବାର ସୌଭାଗ୍ୟ ବି ବଡ଼ ଲୋଭନୀୟ । ଭାରି ଶାନ୍ତ ବାଧ୍ୟ ଝିଅଟି ।

 

ଅରୂପ କହିଲା, ଆପଣଙ୍କର ଏ ଇଚ୍ଛାଟା ନିହାତି ସତ । କିନ୍ତୁ ଭାବିବାର କଥା ହେଉଛି ଶ୍ରୀଯୁକ୍ତ ସାମୁଏଲଙ୍କୁ ନେଇ । ସେ ଯଦି ଆପଣଙ୍କ ପରି ସର୍ବଜୟାର ଭକ୍ତ ପାଲଟି ଯାଆନ୍ତି, ତାହେଲେ ତ ଆଉ ଭାଷା ନାହିଁ ।

 

ଅରୂପ ଉପରେ ତୀର୍ଯ୍ୟକ ଦୃଷ୍ଟି ପକେଇ ମହାଶ୍ୱେତା କହିଲା, ଆହୁରି ଗୋଟିଏ ଭାବିବାର କଥା ଅଛି । ଯେଉଁଟା କି ପ୍ରତ୍ୟେକ ନାବାଳକର ଜୀବନ ଉପରେ ଗଭୀର ରେଖାପାତ କରେ ।

 

ନିରୁପମା ଆଉ ଅରୂପ ତା’ଆଡ଼େ ଅନେଇ ରହିଲେ । ମହାଶ୍ୱେତା କହିଲା, ଏଇମାତ୍ର ଶ୍ରୀମତୀ ସାମୁଏଲ ଯାହା କହିଲେ ବଡ଼ ଭଉଣୀ ହେବାଟା ସୌଭାଗ୍ୟର କଥା । କିନ୍ତୁ ସଉତୁଣୀ ହେବାଟା ବଡ଼ ଦୁର୍ଭାଗ୍ୟର କଥା....

 

ରଙ୍ଗରସଟା ଟିକିଏ ଆନ୍ତରିକତାର ସହିତ ପରିବେଷଣ ହେବାରୁ ପରମ ଉଲ୍ଲାସରେ ହସି ଉଠିବାପାଇଁ ସମସ୍ତଙ୍କୁ ଗୋଟିଏ ମୁହୂର୍ତ୍ତ ସୁଦ୍ଧା ଲାଗିଲାନାହିଁ । ମହାଶ୍ୱେତା ପୁଣି କଥା ଯୋଗେଇ ଦେଲା ।

 

ସର୍ବଜୟାର ସ୍ୱଭାବ ଟିକିଏ ବିପଜ୍ଜନକ । ପ୍ରଣୟତ ଏ ଅବଧି ପାଇନାହିଁ । ତାହାଛଡ଼ା ପ୍ରଣୟିନୀ ହେବାର ବୟସଟା ବି ଗଡ଼ି ଯାଇନାହିଁ । ହଠାତ୍‌ ଯଦି ଦିନେ ତୁଷାର ବାବୁଙ୍କୁ ଜଣେ ମୁଗ୍‌ଧ ପ୍ରେମିକ ପରି ଜାବୁଡ଼ି ଧରେ ତା’ ହେଲେ ସେ ବନ୍ଧନ ତୁଟେଇବା ପାଇଁ ବହୁତ ଡେରି ଲାଗିବ ।

 

ହସି ଉଠିଲେ ନିରୁପମା । କହିଲେ, ଖୁବ୍‌ ଭଲ ହେବ । ଏଥିରେ ଦୁଃଖିତ ହେବା ପରି ବା କ’ଣ ଅଛି ? ମୁଁ ବି ଟିକିଏ ନିଷ୍କୃତି ପାଇ ଶ୍ୱସ୍ତିର ନିଶ୍ୱାସ ମାରିବି ।

 

ଅରୂପ ଏଥର ପରିହାସ ନ କରି ରହି ପାରିଲା ନାହିଁ । ନିରୁପମାଙ୍କ ଆଡ଼େ ସଶ୍ରଦ୍ଧ ଦୃଷ୍ଟିରେ ଚାହିଁ ରହି ସ୍ୱର ନୁଆଇଁ କହିଲା, ଏକବାର ସ୍ଥିର ସିଦ୍ଧାନ୍ତ ନା କଣ ଶ୍ରୀମତୀ ସାମୁଏଲ ତୁଷାର ବାବୁଙ୍କ ଦୂତ ସାଜି ଆସିଛନ୍ତି । ବୁଝିଲି, କିନ୍ତୁ ଜାଣନ୍ତି ତ ଦୌତ୍ୟଗିରିରୁ ଖନକାରର ଜନ୍ମ । ଦୁର୍ଭାଗ୍ୟ ଯେ ସର୍ବଜୟା ନାରୀ...

 

ଲଜ୍ଜାରେ ନିରୁପମାଙ୍କର ହସ ହସ ମୁହଁ ରଙ୍ଗିନ ହୋଇଉଠିଲା । ସେହି ହସ ଭିତରେ ପୁଣି ତାଙ୍କ ଓଠରୁ କେଇଟି କଥା ଝରିପଡ଼ିଲା ।

 

ଆପଣଙ୍କର ବୋଧେ ମନେ ନାହିଁ ଯେ, କୁଷ୍ଠବ୍ୟାଧିଗ୍ରସ୍ତ ସ୍ୱାମୀର କାମନା ପୂରଣ କରିବାକୁ ଯାଇ ଦେବଲା ବେଶ୍ୟାର ଦ୍ୱାରସ୍ଥ ହୋଇଥିଲେ ।

 

ଅରୂପ ହସି ହସି କହିଲା, ହାୟ କପାଳ...ଏମିତି ସତୀ, ସାଧ୍ୱୀ ନାରୀ ତ ସ୍ତ୍ରୀ ରୂପେ ମିଳିଲା ନାହିଁ । ତା ଛଡ଼ା ଦର୍ଶନର ସୌଭାଗ୍ୟ ମଧ୍ୟ ଆସିଲା ନାହିଁ । ଆଚ୍ଛା ଶ୍ରୀମତୀ ସାମୁଏଲ, ଏମିତି ତ୍ୟାଗ ବିଂଶ ଶତାବ୍ଦୀର ତରୁଣୀମାନେ କରିପାରିବେ ? ଯାହା କହନ୍ତୁ ନା କାହିଁକି ମୁଁ କିନ୍ତୁ ବିଶ୍ୱାସ କରିବାକୁ ଆଦୌ ପ୍ରସ୍ତୁତ ନୁହେଁ ଯେ, ଆପଣମାନେ ସତୀ ଦେବଳାଙ୍କର ବଂଶଧାରା ।

 

ମହାଶ୍ୱେତା ପୁଣି ଉଠି ଠିଆହେଲା । କହିଲା, ନା ଫିରିଙ୍ଗି ପାଠ ପଢ଼ିଲେ ବି ସ୍ୱ ଜାତିର ନିନ୍ଦା ଆଉ ସହିହେବ ନାହିଁ । ଏତିକି କହି ସେ ଘରୁ ବାହାରିଗଲା ।

 

ଯୋଗୀ ଆଣିଲା କିଛି ଗରମ ଗରମ ନିମ୍‌କି ସହିତ ମିଠା ଏବଂ ଟ୍ରେରେ କେଟଲି ଭରା ଚା’ । ଅରୂପ ନିଜ ହାତରେ ସଯତ୍ନରେ ଚା’ ଢାଳି ନିରୁପମାଙ୍କ ହାତକୁ ବଢ଼େଇ ଦେଇ କହିଲା, ନିଅନ୍ତୁ ଖଣ୍ଡେ, ଦିଖଣ୍ଡ ନିମ୍‌କି ଆଗ ଖାଆନ୍ତୁ...

 

ହାତରେ ଖଣ୍ଡିଏ ନିମ୍‌କି ଉଠେଇ ନେଇ ନିରୁପମା କହିଲେ, ବୁଝିଲି ! ଆପଣଙ୍କ ଉପରେ ଅତିଥି ସତ୍କାର ଭାର ଦେଇ ମହାଶ୍ୱେତା ଦେବୀ ଅନ୍ୟକାମରେ ଚାଲିଗଲେ ।

 

ସ୍ନିଗ୍‌ଧ ନିମ୍ନସ୍ୱରରେ ଅରୂପ କହିଲା, ଆଧୁନିକା ନାରୀ ପକ୍ଷେ ଏଇଟା ଆଦୌ ଅସ୍ୱାଭାବିକ ନୁହେଁ ଶ୍ରୀମତୀ ସାମୁଏଲ !

 

ଉଚ୍ଚସ୍ୱର ତୋଳି ହସିଉଠିଲେ ଶ୍ରୀମତୀ ନିରୁପମା । କହିଲେ, ଆପଣ କି ମଜାର ମଣିଷ, ନାରୀ ମାତ୍ରେଇ ଚାହେଁ ଜଣେ ପ୍ରଗଲ୍‌ଭ ପୁରୁଷର ଦୁର୍ଦ୍ଦାନ୍ତ ପୌରୁଷ । ଚପଳ ବନ୍ଧୁତ୍ୱ...

 

ମୁହଁ ତୋଳି ଚାହିଁଲା ଅରୂପ । ନିରୁପମାଙ୍କ ଅନନ୍ତ ଦୃଷ୍ଟି ଭିତରେ ସେ ଯେମିତି ନିଜକୁ ହଜେଇ ବସିଲା । ଆଖି ଦୁଇଟି ତାର ସ୍ଥିର । ନିରୁପମା ପୁଣି କହିଲେ, ଇଏ କିନ୍ତୁ ଭାରି ଚୁପ୍‍ଚାପ୍‍ । ମୁଁ ଜନନୀ ହୋଇସାରିଲା ପରେ ମଧ୍ୟ ବଡ଼ ଆଶ୍ଚର୍ଯ୍ୟ ବୋଧ କରୁଛି । ଆଉରି ଭାବୁଛି ତାଙ୍କର ଚିରକାଳ ରଙ୍ଗମଞ୍ଚ ଉପରେ କଟିଗଲେ ସୁଦ୍ଧା କୌଣସି ପରିବର୍ତ୍ତନ ଆସିବ ନାହିଁ । ଏକବାର ନିସ୍ପୃହ ମଣିଷ । ଅଥଚ କାହାରି ପ୍ରାପ୍ୟ ସେ ବାକି ରଖନ୍ତି ନାହିଁ ।

 

ନିଜର ଦୃଷ୍ଟି ଭିତରୁ ଏକ ସମୟରେ ନିଜକୁ ଫେରିପାଇଲା ଅରୂପ । ସମସ୍ତ କଥାର ବାହାରେ ରହି ସେ କେବଳ କହିଲା, ସତ କହିଛନ୍ତି । ନାରୀ ପ୍ରକୃତି ମୋର ଏକବାର ଅଚିହ୍ନା ନୁହେଁ-। ଘର ଭିତରକୁ ଜଣେ ନାରୀ ତେଲଙ୍ଗା ପରିଚାରିକା ପଶି ଆସିଲା ।

 

ନିଜ ଭାଷାରେ ସେ ପଚାରିଲା, ମା ର ଖାଇବା ସରିଯାଇଛି ବାବୁ ! ଏଥର ବାସନ ଉଠେଇ ନେବି ?

 

ଖାଇବା ସରିଯାଇଥିଲା । ବାସନ ଉଠେଇ ନେବାକୁ ଅରୂପ ମୁଣ୍ଡ ହଲେଇ ସମ୍ମତି ଦେଇଦେଲା । କାମସାରି ସ୍ତ୍ରୀ ଲୋକଟି ଘରୁ ବାହାରିଗଲା ।

 

ନିରୁପମା କହିଲେ, କେତେ ଦିନ ଆଉ ଅଛନ୍ତି ?

 

ବୋଧହୁଏ ଆଉ ବେଶୀଦିନ ନୁହେଁ । କଟକ ଫେରି ପୁଣି ଗାଁକୁ କିଛିଦିନ ପାଇଁ ଯିବାକୁ ପଡ଼ିବ ।

 

ମଧୁସ୍ୱରରେ ନିରୁପମା କହିଲେ, ଗାଁ ଆପଣଙ୍କର ଭାରି ସୁନ୍ଦର, ନୁହେଁ ? ସେଥିଯୋଗୁ ତାର ଆକର୍ଷଣଟା ମଧ୍ୟ ଆପଣଙ୍କ ପକ୍ଷେ କଠିନ ।

 

ମୃଦୁ ହସି ଅରୂପ କହିଲା, ତାହାଛଡ଼ା ବାବା ମା’ ବି ଭାରି ବ୍ୟସ୍ତ । ଆଉରି ବ୍ୟସ୍ତ ସାନ ଭଉଣୀଟି ।

 

ଓ...ହସର ଉଚ୍ଛ୍ୱାସରେ ଏକବାର ଫାଟି ପଡ଼ିଲେ ନିରୁପମା କହିଲେ, ଭାରି ଅଳିଖର ସେ, ନୁହେଁ ? ସାନ ମାତ୍ରେଇ ସେଇଆ..

 

ନିରୁପମା କହିଲେ, ସବୁହେଲା, କହନ୍ତୁ ତ କଟକ ଫେରିଯାଇ ଗରିବ ଘରେ ପାଦ ଧୂଳିଦେଇ ଆସିବେ କି ନାହିଁ । ଆପଣଙ୍କ ତୁଷାର ବାବୁ ଅବଶ୍ୟ କଟକରେ ଚତୁର୍ମାସ୍ୟା ବ୍ରତଟା ହିଁ ପାଳି ଥାଆନ୍ତି ।

 

ଧୀର ଭାବରେ ଅରୂପ କହିଲା, ଶ୍ରୀମତୀ ଆଉ ଶ୍ରୀଯୁକ୍ତଙ୍କ ଭିତରେ ମୁଁ ଆଦୌ ପାର୍ଥକ୍ୟ ଲକ୍ଷ୍ୟ କରି ପାରିନାହିଁ । ବିବାହିତ ପୁରୁଷ ହେଲା ଅର୍ଦ୍ଧ ନାରୀ ସ୍ୱର ଆଉ ନାରୀ ହେଲା ଇଳାକନ୍ୟା...

 

ଆନନ୍ଦର ସ୍ୱଚ୍ଛହସ ଢାଳି ଉଚ୍ଚକଣ୍ଠରେ ନିରୁପମା କହିଲେ, ତା’ହେଲେ ଅସୁବିଧାଟା ଯେ ଆପଣଙ୍କର ବେଶୀ । କଥାଟା ବୁଝିବାକୁ ଅରୂପର ବାକି ରହିଲା ନାହିଁ । ମହାଶ୍ୱେତା ସେମାନଙ୍କ ଭିତରେ ଠିଆହେଲା ଆସି । ନିରୁପମା ଉଠିପଡ଼ି କହିଲେ, ସନ୍ଧ୍ୟା ହୋଇଗଲା । ଏଥର ମୁଁ ଯାଉଛି-। ଅନେକ ବିରକ୍ତ କରିଗଲି ଅରୂପ ବାବୁ ! ଆପଣଙ୍କର ମାତୃଜାତି ବୋଲି ଅନ୍ତତଃ କ୍ଷମାକରିବେ-

 

ମହାଶ୍ୱେତା କହିଲା, ଆପଣ କାଲି ଯାଉଛନ୍ତି । ଆପଣଙ୍କ ପରେ ପରେ ପରେ ଠିକ୍‌ ଆମ ପାଳି । ଆପଣଙ୍କର ଏତେ ଶୀଘ୍ର ତ ଯିବାର ନଥିଲା ।

 

ନିରୁପମା କହିଲେ, କାଲି ଟେଲିଗ୍ରାମ ପାଇ ଉମାଶଙ୍କର ବାବୁ ଆଉ ନିବେଦିତା ଦେବୀ କଟକ ବାହାରିଗଲେ ।

 

ଉଦବିଗ୍ନ ହୋଇ ମହାଶ୍ୱେତା ପଚାରିଲା, କାହିଁକି ?

 

କାଲି ଟେଲିଗ୍ରାମ ପାଇଲେ, ତାଙ୍କର ସ୍ତ୍ରୀ ଖୁବ୍ ଅସୁସ୍ଥ ।

 

ଅରୂପ କହିଲା, ବଡ଼ ଦୁର୍ଯୋଗ—

 

ନିରୁପମା କହିଲେ, ୟାଙ୍କ ଉପରେ ଏହିକ୍ଷଣି ସବୁକାମର ଚାପ । ଆପଣଙ୍କ ସହିତ ଦେଖାକରି ପାରିଲେ ନାହିଁ ସେଥିଯୋଗୁ ମତେ ପଠେଇଥିଲେ । କୌଣସି ମତେ କଟକରେ ପହଁଚି ପାରିଲେ ହେଲା ।

 

ଅରୂପ କହିଲା, ତା’ହେଲେ ମୁଁ ଯାଇ ଶ୍ରୀଯୁକ୍ତ ସାମୁଏଲଙ୍କୁ ସାହାଯ୍ୟ କରିବି ।

 

ମହାଶ୍ୱେତା କହିଲା, କଥାଟା ଶୁଣିବାକୁ ସରସ ନିଶ୍ଚୟ ! ! କିନ୍ତୁ ବିଶ୍ୱାସ କରିବାକୁ ବାଧୁଛି ।

 

ଆପଣଙ୍କ କଥା ଉପରେ ମୋର କିନ୍ତୁ ଭାରି ବିଶ୍ୱାସ ।

 

ନିରୁପମା କହିଲେ, ସେ କଥା ଥାଉ, ମୋର କିନ୍ତୁ କଟକ ପାଇଁ ବିଶେଷ ଅନୁରୋଧ ରହିଲା । ହେଉ, ତେବେ ମୁଁ ଯାଏଁ । ଏତେକ୍ଷଣ ଆପଣଙ୍କୁ ପାଖରେ ପାଇଲି, ସେ ମୋର ଗୌରବ-

 

ମହାଶ୍ୱେତା କହିଲା, ମୋର ଠିକଣାଟା ସାଇତି ରଖିଛନ୍ତି ତ ? ଆପଣ ନିଶ୍ଚୟ ଆମ ଘରକୁ ଯିବେ, କିନ୍ତୁ ଏକା ନୁହେଁ । ଫେରିଯାଇ ମୁଁ ଆପଣଙ୍କର ଅପେକ୍ଷା କରିବି ।

 

ନିରୁପମା କହିଲେ, ଠିକଣା ହଜିଗଲେ କ୍ଷତି ନାହିଁ, ମନଭିତରେ ଲେଖା ହୋଇଯାଇଛି-। ଆଉ ଆପଣ– ?

 

ମୋର କୌଣସି ଆପତ୍ତି ନାହିଁ । କିନ୍ତୁ ମନଟା ମୋର ଏକବାର ସାଦା ରହିଯାଇଛି ଯେ–

 

ନିରୁପମା ଖିଲି ଖିଲି ହୋଇ ହସିଉଠିଲେ । ଅରୂପ କାଗଜ ଆଉ ଫାଉଣ୍ଟେନ ପେନ୍ ଆଣି ନିରୁପମାଙ୍କ ନିକଟରେ ରଖିଦେଲା । କଲମ ଖୋଲି ନିରୁପମା ସ୍ୱାମୀଙ୍କର ନାଁ ସହିତ ଠିକଣା ଲେଖିଦେଲେ । ସେହି ଲେଖା ଉପରେ ଆଖି ରଖି ଅରୂପ କହିଲା, ମୁଁ ନିଶ୍ଚୟ ଆଗ ପହଁଚି ମଧ୍ୟସ୍ଥତା କରିବି ।

 

ସମସ୍ତେ ଏକା ସାଙ୍ଗରେ ହସିଉଠିଲେ ।

 

ନିରୁପମା କହିଲେ, ଧନ୍ୟବାଦ ।

 

ଅରୂପ କହିଲା, ନମସ୍କାର ।

 

ନମସ୍କାର–

 

Unknown

ଦୁଇହାତ ମୁଣ୍ଡରେ ଲଗେଇ ଗୋଡ଼ରେ ଚଟିଗଳେଇ ନିରୁପମା ବାହାରିଗଲେ ।

 

ଘରେ ପାଦଦେବା ଆଗରୁ ପ୍ରାନ୍ତର ମଝିରେ ହଠାତ୍ ଅରୂପର ଗତି ସ୍ଥିର ହୋଇ ଆସିଲା । ଅଳ୍ପ ସମୟ ପୁର୍ବରୁ ଗୋଟିଏ କୌତୁକ ଜନକ ପରସ୍ଥିତି ଭିତରେ ସେ ନିଜର ଅସ୍ଥିତ୍ୱ ହଜେଇ ଦେଇଥିଲା ନିଶ୍ଚୟ ! ! କିନ୍ତୁ ନିରୁପମା ଏଥିରେ ତାକୁ ପୂର୍ଣ୍ଣ ସହଯୋଗ କରିଛନ୍ତି । ବିବାହିତା ବୋଲି ସେ ନିଜେ କୌଣସି ସଙ୍କୋଚ ପ୍ରକାଶ କରି ନାହାନ୍ତି । ଯେମିତି ତାରୁଣ୍ୟର ଚପଳ ପ୍ରବାହ ମଝିରେ ସମସ୍ତେ ଅବଗାହନ କରି ଚାଲିଥିଲେ । ଫେରିଆସି ଅରୂପ ଯେପରି ତଟଭୂମିର ସନ୍ଧାନ ପାଇଲା । ଏହି ମୁକ୍ତ ଉଦାର ଆକାଶ ତଳେ,ଏହି ବିସ୍ତୃତ ଉଦାସ ପୃଥିବୀ କୋଳରେ ଯେମିତି ବିଞ୍ଚିହୋଇ ରହିଛି ଅକ୍ଷୟ, ଅଭେଦ୍ୟ ଜୀବନ ଆଉ ଅନନ୍ତ ସଂଯତ ଯୌବନ ।

 

ଚାକର ଟୋକା ଯୋଗୀ, ପରିବାଥଳୀ ଧରି ବଜାର ଯିବାର ଆୟୋଜନ କରୁଥିଲା । ପାହାଚ ଟପିଆସି ଅରୂପକୁ ଦେଖି କହିଲା, ବାବୁ ମା ଆଉ ଅପା ଖୋଜୁଥିଲେ ।

 

କାହିଁକିରେ ?

 

ସେମାନେ ମନ୍ଦିରକୁ ଗଲେ ।

 

ମନେ ମନେ ଖୁସିହୋଇ ଭିତରକୁ ଆସିଲା ଅରୂପ । ସର୍ବଜୟା ସେତେବେଳେ ସାନ୍ଧ୍ୟ ଜଳ ଯୋଗର ସମସ୍ତ ବନ୍ଦୋବସ୍ତ କରି ଅପେକ୍ଷା କରି ବସିଛି ।

 

ଅରୂପକୁ ଦେଖି ଆଖି ଉଠେଇଲା ସେ । କହିଲା, କୁଆଡ଼େ ଯାଇଥିଲ ? ଅପା ଭାରି ରାଗିଯାଇଛି ।

 

ତମର ଅପା ରାଗନ୍ତୁ ପଛେ, ଘରେ ଯେ ନାହାନ୍ତି, ତାହା ହିଁ ସୌଭାଗ୍ୟ । ନାରୀଜାତି ଅଦ୍‌ଭୁତ ଜୀବ, ଜ୍ଞାତ ବା ଅଜ୍ଞାତରେ ମାୟାଜାଲ ବିସ୍ତାର ନ କଲେ ନିଜର ସ୍ଥିତି ସେ ଅନୁଭବ କରିପାରେନା ।

 

ସର୍ବଜୟା ଟିକିଏ ସଙ୍କୁଚିତ ହୋଇ ପଡ଼ିଲା । କହିଲା, କାହିଁ ଅପା ତ ଏମିତି କିଛି ଅମାର୍ଜନୀୟ ଅପରାଧ କରିବସିନି ?

 

ଶାନ୍ତ ଅଥଚ ଦୃଢ଼ ଗଳାରେ ଅରୂପ କହିଲା, କରିଛନ୍ତି କିନ୍ତୁ ତାହା କେହି ଲକ୍ଷ୍ୟକରି ପାରିନାହିଁ । ସେ ନିଜେ ମଧ୍ୟ । ସେକଥା ଥାଉ, ଖାଇବାକୁ ଯଦି କିଛି କରିଚ ଆଣ । ତମେ କାହିଁକି ଦିଅଁ ଦର୍ଶନ କରି ଯାଇନାହଁ ? ତମର କ’ଣ ମଦନ ଦେବତା ପରି ବର ଦରକାର ନାହିଁ ?

 

ଆରକ୍ତ ଲଜ୍ଜାରେ ଶିହରି ଉଠିଲା ସର୍ବଜୟା । କହିଲା, ମା ଡାକୁଥିଲେ କିନ୍ତୁ ଅପା ସହିତ ଯାଇ ଦାସୀ ପରିବାରୀର ପରିଚୟ ନ ବାଣ୍ଟିଲି ତ ଏଠି ବସି ଘର କରଣାରେ ମନଦେଲି ।

 

ଅରୂପ କିଛିକ୍ଷଣ ସ୍ତବ୍‌ଧ ହୋଇ ରହିଲା । ତା’ପରେ କହିଲା, ଏ ଧାରଣା ତମର ଭୁଲ୍‌ ଜୟା ! ତମର ଅପା ବରାବର ତମ ଘର କରଣାର ସୁଖ୍ୟାତି କରନ୍ତି ।

 

ମିଛକଥା, ମୁଁ ବିଶ୍ୱାସ କରିପାରୁନି ।

 

ସତ କହୁଚି, ନୀରସ କଣ୍ଠରେ ଅରୂପ କହିଲା । ରାମାୟଣର ଉର୍ମିଳାଙ୍କ ପରେ ତମେ ହେଲ ଆଦର୍ଶ ଭଉଣୀ । ଭବିଷ୍ୟତରେ ଯେ ଲକ୍ଷ୍ମଣ ଦେବରର ପାଣି ଗ୍ରହଣ ନ କରିବ ଏହା ନୁହେଁ-। ଏକଥା ସେ ମତେ ବାରମ୍ବାର ଜଣେଇ ଦେଇଛନ୍ତି । କାହିଁ ଦେଖି ! ଆଦର୍ଶ ଗୃହିଣୀର ପରକାଷ୍ଠା ଦେଖେ ।

 

ସ୍ମିତ ହସି ! ସର୍ବଜୟା କହିଲା, ବୁଝିଲି ! ଆଜି ସମୁଦ୍ର କୂଳରେ କି ନୋଳିଆ ପଲ୍ଲୀରେ କେଉଁଠି କଲମର ଖାଦ୍ୟ କିଛି ଜୁଟିନାହିଁ । ସେଥିପାଇଁ ଏ ମନ ଓରିମାନା ।

 

ନା ଜୁଟିନାହିଁ, ଜୁଟିବାର ବି କିଛି ନାହିଁ ।

 

ଗୋଟାଏ ଚୌକି ଉପରେ ଜୋରରେ ବସିପଡ଼ିଲା ଅରୂପ । ସର୍ବଜୟା ଏଥର ଚା’ ଜଳଖିଆ ସଜାଡ଼ି ନେଇ ଆସିଲା ।

 

ଧୀରସ୍ୱରରେ ଅରୂପ କହିଲା, ସତ କହିବ ଜୟା, ତମର ଅପା କ’ଣ ତମକୁ ଆଦୌ ଭଲ ଦେଖନ୍ତି ନାହିଁ ?

 

ଜଳଖିଆ ଥାଳିଆ ଅରୂପ ଆଗକୁ ଥୋଇଦେଇ ସର୍ବଜୟା କହିଲା, ସେଇଟା କଣ ତମ ଆଖିରେ ପଡ଼େନାହିଁ ।

 

ରହି ରହି ଅରୂପ ପଚାରିଲେ, ସେ ଯଦି ତମକୁ ଭଲପାଇ ନ ପାରିଲେ, ତମେ କ’ଣ ତାଙ୍କୁ ଅନ୍ତରର ନିଭୃତ ସ୍ନେହ ଦେଇ ପାରିଚ ?

 

ଦେଲେ ବି ତ ସେ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ ।

 

ଅରୂପ କହିଲା, ତମର ସ୍ନେହ, ଭକ୍ତି ପଦେ ପଦେ ଅପମାନିତ ହେଉଛି । ଉପେକ୍ଷା ମଧ୍ୟ ସହୁଛି । ଏଥିରେ କଣ କମ ଆଘାତ ଲାଗେ ଜୟା ! ପ୍ରାଣର କେଉଁ ଏକାନ୍ତରେ ସେ ରୂପ ନିଏ । ସମଧର୍ମି ନହେଲେ ବୁଝିବା କଠିନ । ଧର ଯେବେ, ଏ ତମର ପରିଣତ ଜୀବନଟାକୁ ପସନ୍ଦ ନ କରନ୍ତି, ତାହେଲେ ତ ତମକୁ ଦୂରେଇ ଯିବାକୁ ହେବ ।

 

ଯିବି–

 

ଗଲେ ନିଜେ ନିଜର ଦୁଃଖଭାର ବହନ କରି ପାରିବ ତ ?

 

ଧୀରତା ସହକାରେ ସର୍ବଜୟା କହିଲା, ଆସ୍ତେ ଆସ୍ତେ ଦେହସୁହା ହୋଇଯିବ–

 

ଅରୂପ ପିଆଲା ହାତରେ ଉଠେଇ ନେଇ ପ୍ରଶ୍ନ କଲା, ତମର କ’ଣ ଜମି ଜମା କିଛି ନ ଥିଲା ? ବାବାଙ୍କ ପରେ ତମେ ତ ତାର କୌଣସି ଖବର ରଖୁନାହଁ ।

 

ଏଥର ସର୍ବଜୟା ନିଜ ଭିତରେ ସଚେତନ ହେଇଉଠିଲା । କହିଲା, ଏସବୁ ନିଭୃତ କଥା ସହଜରେ ପ୍ରକାଶ କରି ହୁଏନା । କିଛି ଥିଲା ନଥିଲା କହିଲେ ତମେ ହୁଏତ ସହାନୁଭୂତି ଦେଖେଇବ । ନହେଲେ ଜୀବନ ଧାରଣ ପାଇଁ କିଛି ଗୋଟାଏ ଉପାୟ ବତେଇଦେବ । କିନ୍ତୁ ତମେ ଭାବନାହିଁ ଯେ ତମଠାରୁ ମୁଁ ସେତକ ଆଶା କରୁଚି ।

 

ଅବାକ୍ ହୋଇ ଅରୂପ ସର୍ବଜୟାର ଏ ଭାଷା ଶୁଣିଲା । କିନ୍ତୁ ସେ ବିଶ୍ୱାସ କରି ପାରିଲା ନାହିଁ ଯେ ଏ ନିରାଶ୍ରୟା ବାଳିକା ସର୍ବଜୟାର କଥା । ଉତ୍ତର ଦେଇ ସେ କହିଲା, ସେତକ ମୁଁ ଜାଣିଛି ସର୍ବଜୟା ! କିନ୍ତୁ ତମକୁ ହଠାତ୍ କାହିଁକି ଏ ଦୁର୍ଭାବନା ଆବୋରି ବସିଲା ? ପରସ୍ପର ପରସ୍ପରର ସୁଖ ଦୁଃଖ ବୁଝିବାର ଅନ୍ୟ ଅର୍ଥ କଣ ଦୟା, ସହାନୁଭୂତି ।

 

ଦେଖ ଅରୂପ ଭାଇ । ମନର ଜଟିଳତା ଅନେକ ସମୟରେ ନିଜକୁ ବୁଝେଇହୁଏନା । ତାହା ଛଡ଼ା କାହାର ପ୍ରଶ୍ନ ହୃଦୟର କେଉଁ, ସୂକ୍ଷ୍ମ ତନ୍ତ୍ରୀରେ ଆଘାତ କରେ କାହାକୁ ସେ କଥା କହିବସିବା ସହଜ ନୁହେଁ ।

 

ଅରୂପର ଚା ପିଆ ଶେଷ ହେଇ ଯାଇଥିଲା । ସର୍ବଜୟା, କହିଲା, ମୁଁ ଯାଏ । ମୋର ବହୁତ କାମ ବାକି ପଡ଼ିଛି ।

ନା ଠିଆହୁଅ....

 

ଅରୂପ କହିଲା, ତମ ପାଖରେ ମୁଁ ଚିରଦିନ ଋଣୀ ଜୟା । ତଥାପି ତମେ ମତେ ଥରେ ସାହାଯ୍ୟ କରି ସେ ୠଣଭାର ବଢ଼େଇ ଦିଅ ।

 

ତମକୁ ସାହାଯ୍ୟ...

ଉଚ୍ଚସ୍ୱର ତୋଳି ହସିଉଠିଲା ସର୍ବଜୟା । କହିଲା, ମତେ ପରୀକ୍ଷା କରୁଚ ଅରୂପ ଭାଇ-! ପ୍ରତିଦିନ ଯାହା ମୋର ଆଖି ଆଗରେ ସତ୍ୟ ରୂପରେ ଠିଆହେଇଛି ତାକୁ ମୁଁ କେମିତି ବା ଅବିଶ୍ୱାସ କରିପାରିବି ? ତମର ଚାରିପଟ ଘେରି ଏତେ ସ୍ନେହ, ଏତେ ଅନୁରାଗ.…ତାହା କ’ଣ ମିଛ ହେଇପାରେ ? ଆଜି ପୁଣି ତମେ ମୋର ସାହାଯ୍ୟ ଚାହୁଁଛ ?

ଅରୂପ କହିଲା, ତମର ସାହାଯ୍ୟ ପାଇଲେ ମୋର ଭାରି ଉପକାର ହେବ ।

ଏ ପରିସ୍ଥିତି କି ବିଶ୍ୱାସ କରିବା ସର୍ବଜୟା ପକ୍ଷେ କଠିନ । ଏ ଯେମିତି ଗୋଟାଏ ଅଳସ ପରିକଳ୍ପନା ମାତ୍ର । ଗୋଟାଏ ଅସହାୟ କାଙ୍ଗାଳିନୀ ନିକଟରେ ରାଜପୁତ୍ର ଭିକ୍ଷାପାତ୍ର ତୋଳି ଧରିଚି-। ଯେଉଁ ନାରୀ ଏ ଜୀବନ ପାଇଁ ସର୍ବହରା, ଏ ଭିକ୍ଷାଟା କେବଳ ତାର ନିସ୍ୱତାକୁ ଉପହାସ କରିବା ବ୍ୟତୀତ ଆଉ କିଛି ନୁହେଁ । ଏହାପରେ ପରସ୍ପର ବାକ୍ୟାଳାପରେ ଅଗ୍ରସର ହେବା ସଂଭବ ନୁହେଁ-। ତାହାଛଡ଼ା ମା ମାହେଶ୍ୱରୀ ଦେବୀ ଆଉ ଆଶ୍ରୟ ଦାତ୍ରୀ ବଡ଼ ଭଉଣୀ ମହାଶ୍ୱେତା ଅଛି-। ଅର୍ଥାତ...

ସର୍ବଜୟା ଝରକା ଦେଇ ରାସ୍ତାକୁ ଅନେଇ ରହିଲା ।

ଅରୂପ କହିଲା, ଦେଖ ଅନ୍ୟ କିଛି ଭାବିବ ନାହିଁ । ଗୋଟାଏ କଥା ସତ କହିବି ଯେ, ତମର ଅପାଙ୍କଠାରୁ ଦୂରରେ ରହି ମୁଁ ଶ୍ୱସ୍ତିର ନିଶ୍ୱାସ ମାରୁଚି । ତାର କାରଣ ଏକମାତ୍ର ଏଇ ବିରୂପତା । ମୋର ମତ ବା ମୋର ବିଶ୍ୱାସକୁ ସେ ଗ୍ରହଣ କରିବାକୁ ଏକାନ୍ତ ଅନିଛୁକା । ସେ ଚାହାନ୍ତି ...

କ’ଣ ଚାହୁଁଚି ? ସିଧା ପଚାରି ବସିଲା ସର୍ବଜୟା ।

ଗୋଟାଏ ବିଶେଷ ଲକ୍ଷ୍ୟ ସ୍ଥାନରେ ମୁଁ ପହଞ୍ଚିବାକୁ ଇଚ୍ଛାକରୁଚି କିନ୍ତୁ ତମ ଅପା ତାଙ୍କର ଲକ୍ଷ୍ୟ ସ୍ଥଳରେ ମତେ ଚାହିଁ ବସିଚନ୍ତି ।

ସର୍ବଜୟା ପୁଣି ଥରେ ବାକ୍ୟ ବାଣ ନିକ୍ଷେପକଲା । ନାରୀର ଇଙ୍ଗିତ କ’ଣ ତମେ ସ୍ୱୀକାର କରନା ..

ଇଙ୍ଗିତ ମୁଁ ବୁଝେନା...

ଖିଲି ଖିଲି ହୋଇ ହସିଉଠିଲା ସର୍ବଜୟା । କହିଲା, ତମେ ପରା କବି, ସ୍ରଷ୍ଟା । ସେଥିଯୋଗୁ ଏ ଅଦ୍‌ଦ୍ଭୁତ ଉତ୍ତର ଦେଇ ବସୁଚ ।

ଅରୂପ କହିଲା, ତମେ କ’ଣ ଭାବ ଯେ ନାରୀର ବଶ୍ୟତାହିଁ ପୌରୁଷ ?

କ୍ଷମା କରିବ । ମୁଢ଼ ପୁରୁଷର ଦୌଡ଼ ଏଇ ପର୍ଯ୍ୟନ୍ତ !

କିଛିକ୍ଷଣ ଚୁପ୍‌ ରହି ସର୍ବଜୟା ପୁଣି କହିଲା, ଏହାପରେ ସେ ଆଉ କିଛି ଭାବିବାକୁ ସୁଯୋଗ ପାଏନାହିଁ ।

ସର୍ବନାଶ..

ମୁଗ୍‌ଧ ଚକିତ ଦୃଷ୍ଟି ତୋଳି ଅରୂପ କହିଲା, ବଣ୍ୟ ହରିଣୀ ଆଜି ଚିଡ଼ିଆଖାନାର ସିଂହୀ ପାଲଟି ଯାଇଚି । ମୋର ଆପାଦ ମସ୍ତକ ସୁଦ୍ଧା ଭ୍ରାନ୍ତି । ତମକୁ ଯେତେଟା ନାବାଳିକା ମନେ ହେଉଥିଲା ତମେ ତାହାଠାରୁ ବହୁବେଶୀ ମତେ ବୋକା ବନେଇ ଦେଇଚ । ଏସବୁ କ’ଣ କହୁଚ ତମେ ।

ଅରୂପର ଓଠ କଣରେ ନିର୍ମଳ ହାସ୍ୟରେଖା ଦେଖି ସର୍ବଜୟାର କଣ୍ଠସ୍ୱରରେ ଅସୀମ ସାହସିକତା ଫୁଟିଉଠିଲା । କହିଲା, ବେଶ ତ ! ମୁଁ ଏହିକଥା ଜାଣି ରଖିଲି ଯେତେଟା ପାରେ ଓଡ଼ିଶାର ନାରୀ ମହଲରେ ପହଞ୍ଚେଇ ଦେବି । ମୋ ଦ୍ଵାରା ଯଦି ତମର ପ୍ରଚାର କାର୍ଯ୍ୟଟା ଚଳେ । ଅଭାଗୀ ରୋଷେଇ ଘରର ଚାରିକାନ୍ଥ ଭିତରୁ ମୁକ୍ତି ପାଇବ । ଏହାଠାରୁ ଆଉ ଏକ ଚେଷ୍ଟାକଲେ ତମ ବରଂ ସଫଳ କାମ ହୁଅନ୍ତ । ଆଜିକାଲି ଅନେକ ବୟସ୍କ ପୁରୁଷ ଗୋପନରେ ପୂର୍ବ ବଙ୍ଗଳାଆଡ଼େ ଯାତ୍ରା ଆରମ୍ଭ କରୁଚନ୍ତି । ତମେ ମଧ୍ୟ ସେଇଆଡ଼େ ଥରେ ଟିକେଟ କରିବାକୁ ଉଦ୍‌ଯୋଗ କର । ତମ ପୌରୁଷର ବିକାଶ ହେବ । ଏଆଡ଼େ ଅପା ବି ଟିକିଏ ନିଶ୍ଚିନ୍ତରେ ପଢ଼ାପଢ଼ି କରିପାରିବ ।

ହୋ ହୋ ହେଇ ହସିଉଠିଲା ଅରୂପ । ସେହି ହସ ଭିତରେ ସେ କହିଯିବାରେ ଲାଗିଲା, ବୁଦ୍ଧି ତମର ତୀକ୍ଷଣ । ମାନିଲି । ତଥାପି ବୟସର ଅପରିପକ୍ୱତାକୁ ଉଡ଼େଇ ଦେଇ ହେବନାହିଁ ଜୟା !

ହସି ହସି ସର୍ବଜୟା କହିଲା, କିନ୍ତୁ ତମର ମୋ ନିକଟରେ ଏହି ସାହାଯ୍ୟ ପ୍ରାର୍ଥନା ଶୁଣିଲେ ଅପା ଭୟ ପାଇଯିବ ।

ଅରୂପ କହିଲା, ଭୟ କାହିଁକି ?

ସର୍ବଜୟା ଯିବାପାଇଁ ପାଦ ବଢ଼େଇଲା । କହିଲା,କ୍ଷମାକର ଭାଇ ! ତମ ସହିତ ଏ ଆଲୋଚନା ପୂରାପୂରି ଅଶରୀରି । ମୋର ସୀମା ଏଇ ପର୍ଯ୍ୟନ୍ତ । ସୀମା ବାହାରେ ଗୋଡ଼ ଦେଲେ ଅପବାଦର ବୋଝ ମୁଣ୍ଡେଇ ଚାଲିବି ।

ଅରୂପ ପଚାରିଲା, ତମର ଅପା କେତେବେଳେ ଆସିବେ ?

ସର୍ବଜୟା କହିଲା, ଅଳ୍ପ ସମୟ ପରେ ଆସିପାରେ । ତେବେ ଏ ସାହାଯ୍ୟ ଭିକ୍ଷାଟା ତା କାନରେ ପଡ଼ିଲେ ସେ ଆଉ ମହାଶ୍ୱେତା ହେଇ ରହିବ ନାହିଁ । ସର୍ବନାଶୀ ଶିବାନୀ ପାଲଟି ଯିବ ।

ସମସ୍ୱରରେ ଦୁହେଁ ହସିଉଠିଲେ ।

ଘରର ଦୁଆର ବନ୍ଧ ଡେଇଁ ଆସିଲା ସର୍ବଜୟା । ମହାଶ୍ୱେତାର ଆସିବା ସମୟ ଆଗେଇ ଆସୁଛି । ଜାଣି ସୁଦ୍ଧା ତାର ପଛେ ପଛେ ଚାଲି ଅରୂପ କହିଲା, ଯାହାର ମନରେ କୌଣସି ଦୂରଭିସନ୍ଧି ନାହିଁ, ତାକୁ ସବୁ ସମୟରେ ଖୁଣ୍ଟା ଦେଇ ଆଘାତ କରି ଚାଲିଚନ୍ତି ତମର ଅପା । ଏକ ସମୟରେ ସେଥିପାଇଁ ସେ ଅନୁତାପ କରିବେ ।

ତୀକ୍ଷ୍‌ଣ କଟାକ୍ଷ ହାଣି ସର୍ବଜୟା ଦ୍ରୁତପଦରେ ଚାଲିଗଲା ।

 

ସାତ ଆଠଦିନ ଗତ ହୋଇଗଲା । ଆଉ କେହି କାହାର ଖବର ରଖିପାରି ନାହାନ୍ତି । ଅରୂପର ମନରେ କେମିତି ଏକ ଅଶ୍ୱସ୍ତି ଭରି ରହିଛି । ଉଦ୍‌ବେଗ ବି କମ ନୁହେଁ । ମହାଶ୍ୱେତା ପୁଣି କଟକ ଫେରିଯିବା ପାଇଁ ମନସ୍ଥ କରି ସାରିଲାଣି । ଅରୂପକୁ ତାର ଘରୁ ବାରମ୍ବାର ଚିଠି ଆସୁଛି । କୀର୍ତ୍ତିମାଳା ଲେଖିଚି, ତମେ ନ ଆସିଲେ ମା ଆଉ ନିଜକୁ ବଞ୍ଚେଇ ପାରିବ ନାହିଁ । ସେ ପ୍ରାୟ ବିଛଣାରେ ପଡ଼ି ପଡ଼ି ମରଣକୁ ଅପେକ୍ଷା କରି ବସିଛି । ବୋଝ ଉପରେ ନଳିତା ବିଡ଼ା ପରି ମୋର ଅବସ୍ଥା । ବାବା ତାଙ୍କର ନ୍ୟାୟ ନିଶାପ ନେଇ ବ୍ୟସ୍ତ | ପଥର ଛାତିରେ କେବେ ଆଘାତ ଲାଗେ ନାହିଁ । ତମ ନିକଟରେ ମୋର ସ୍ଥାନ ଏବେ ଅତି ଗୌଣ । ତଥାପି ରକ୍ତର ଡାକକୁ ତମେ ଅସ୍ୱୀକାର କରି ପାରିବ ନାହିଁ ।

 

ଏ ଭାଷା ଅଭିମାନର ଭାଷା । ଏ ଭାଷା ଆକ୍ଷେପର ଭାଷା । କୀର୍ତ୍ତିମାଳାର ଆହତ, ଉପେକ୍ଷିତ ନାରୀପ୍ରାଣ ପୁଣି କକ୍ଷଚ୍ୟୁତ ହେବା ଆଶଙ୍କାରେ ହିଂସ୍ର ହୋଇ ଉଠିଛି । ଏଥିପାଇଁ ପ୍ରତିହିଂସାର ଆବଶ୍ୟକ ନାହିଁ । ଛୋଟ ଭଉଣୀର ଅଜ୍ଞାତରେ ନିଜ ଭିତରେ ଯେପରି ହସି ପକେଇଲା ଅରୂପ ।

 

ଖାଇବାର ସମୟ ଗଡ଼ିଗଲା । ଅରୂପର ଦେଖା ନାହିଁ । ସର୍ବଜୟା ଏପଟ ସେପଟ ହୋଇ ତାର ଅନୁସନ୍ଧାନ କରି ବୁଲୁଛି । ଅରୂପ ଘରୁ ବାହାରକୁ ବାହାରି ନାହିଁ । ହୁଏତ ମହାଶ୍ୱେତା ସହିତ ସେ କୌଣସି ଆଳାପ ଆଲୋଚନା ବା ହାସ୍ୟ ରସ ଭିତରେ ମଜି ରହିଛି । କେଉଁ ସାହସ ଧରି ସେ ଭିତରକୁ ଯିବ ? ଯୋଗୀ କି ପଠେଇ ଡାକି ଆଣିଲେ ଚଳନ୍ତା । କିନ୍ତୁ ମହାଶ୍ୱେତା ସେଥି ଭିତରୁ କିଛି ଗୋଟାଏ ଅର୍ଥ ଖୋଜି ବସିବ । ଚୁପ୍‌କରି ଅପେକ୍ଷା କରି ବସିବାକୁ ଭଲ ମନେକରି ନେଲା ସର୍ବଜୟା ।

 

ମା ମାହେଶ୍ୱରୀ ଦେବୀଙ୍କର ବରାଦ ଅନୁସାରେ କଣ କାମ କରୁଥିଲା ଯୋଗୀ । ପୂଜା ଆରତୀର ଆୟୋଜନ ଚାଲିଛି । ବାରଣ୍ଡାରେ ଚାଲି ଯାଉ ଯାଉ ଯୋଗୀ କହିଲା, ଖିଆ ପିଆ ନ କରି ବାବୁ କାହିଁକି ଏକା ଏକା ଚୁପ୍‌କରି ବସିଛନ୍ତି ?

 

ଅପା କେଉଁଠି ?

 

ମୁଁ ତାଙ୍କୁ ଦେଖି ନାହିଁ । ବାବୁ ତ ଖଣ୍ଡେ ଚିଠି ନା କଣ ଧରି ଏକା ସେ ଘରେ ବସିଛନ୍ତି ।

 

ନିମ୍ନ ସ୍ଵରରେ ସର୍ବଜୟା କହିଲା, ଖାଇବାକୁ କହିଲୁ ନାହିଁ...

 

ଅଟକି ଯାଇ ଯୋଗୀ କହିଲା, ନା ଅପା, ମୁଁ କହିନାହିଁ । ପଢ଼ିଲାବେଳେ ଡାକିଲେ ବିରକ୍ତ ହେବେ ।

 

ସୁଯୋଗ ପାଇ ସର୍ବଜୟା ଅରୂପର ଘର ଭିତରକୁ ପଶି ଆସିଲା । କିନ୍ତୁ ଯାହା ମାୟାରେ ତମେ ମୋହଗ୍ରସ୍ତ ସେହି ଯୋଗମାୟା ମୁଁ । ନିସ୍ତାର କାହିଁ ? ହଠାତ୍ ସର୍ବଜୟାର ଆଖି ପଡ଼ିଲା ମହାଶ୍ୱେତା ଉପରେ । ଅରୂପର ପାଖା ପାଖି ସେ ଆସି ଠିଆ ହୋଇଛି । ହୁଏତ ଏହିକ୍ଷଣି ସେ ଆସି ଯାଇଛି । ଚମକି ଠିଆ ହୋଇଗଲା ସର୍ବଜୟା । ଅସ୍ତ ସୂର୍ଯ୍ୟର ଶୀତଳ ରଙ୍ଗିନ ଆଲୋକ ତଳେ ଅରୂପର ଉଦାସ ରୂପରେଖା ମଦନ ଦେବତା ପରି ଝଳି ଉଠୁଛି । ସତେ ଯେମିତି ପୁଷ୍ପଧନୁ ଫିଙ୍ଗି ସେ ଆଜି ଗୃହାଶ୍ରମୀ । ରତି ଦେବୀର ବାସନ୍ତୀ ପଣତର ଦୋଳନେ ଦୋଳନେ ସାନ୍ଧ୍ୟ ପବନ ସଂଗୀତର ମୃଦୁ ମଧୁ ମୂର୍ଚ୍ଛନା ଜଗେଇ ଦେଇଛି ।

 

ମହାଶ୍ୱେତା ଅଞ୍ଚଳ ସଜାଡ଼ିଲା । ସ୍ମିତ ହସି କହିଲା, ଅରୂପର ରୂପଲେଖା କବି କଳ୍ପନା ବୋଲି କିଏ କହେ । ଗାଁକୁ ଯିବ ଯିବ କହୁଚ । କେଉଁ ମଫସଲର ଅନ୍ଧାରୀ କୋଣ ସିନା ଆଲୋକିତ ହେବ । କିନ୍ତୁ ତମେ ଚାଲିଗଲେ ଯେ ମୋର ସମଗ୍ର ସଂସାର ଅନ୍ଧକାର ହୋଇଯିବ ।

 

ଆସ୍ତେ ଆସ୍ତେ ଅରୂପ କହିଲା, କଟକରେ ତମମାନଙ୍କୁ ପହଞ୍ଚେଇ ଦେଇ ମତେ ନିଶ୍ଚୟ ଯିବାକୁ ହେବ । ଏଥର ଆଉ ରହି ହେବନାହିଁ ।

 

ମାହେଶ୍ୱେରୀ ଦେବୀ ସେ ପ୍ରାଙ୍ଗଣ ପାରି ହୋଇ କେଉଁ କାମରେ ଚାଲି ଯାଉଥିଲେ । ଭିତରକୁ ଆସି କହିଲେ, ଯିବାକଥା କଣ କରୁଚୁ ଅରୁ । ଏ ଦିନେ ଦୁଇଦିନ ଭିତରେ ଚାଲିଗଲେ ଭଲ ହୁଅନ୍ତା ।

 

ସମ୍ଭ୍ରମର ସହିତ ଦୂରକୁ ଘୁଞ୍ଚି ଆସି ମହାଶ୍ୱେତା କହିଲା, କଟକରେ ନ ରହି ସେ ତାଙ୍କର ଗାଁକୁ ଚାଲିଯିବାକୁ କହୁଚନ୍ତି ମା’ !

 

ମା ମାହେଶ୍ୱରୀ ଦେବୀ ପାଖକୁ ଆସିଲେ । ବିସ୍ମିତ ହୋଇ ପଚାରି ଉଠିଲେ, ଗାଁକୁ ଯିବାକୁ କହୁଚୁ ? କାହିଁକି ? ପୁଣି କଟକ ଫେରିବୁ କେବେ ?

 

କଣ୍ଠରେ ନମ୍ରତା ଧରି ଅରୂପ କହିଲା, ମା ବଡ଼ ବ୍ୟସ୍ତ ହୋଇ ପଡ଼ିଲାଣି । ଆଜି ପୁଣି ମାଳାଠାରୁ ଚିଠି ପାଇଚି । ଦେଖାକରି ଅଳ୍ପଦିନେ ଫେରି ଆସିବି ।

 

ତାହେଲେ ଯିବାର ଆୟୋଜନ କର ।

 

କହି କହି ମାହେଶ୍ୱରୀ ଦେବୀ ନିଜ କାମରେ ଚାଲିଗଲେ । ଅରୂପର ମୁଣ୍ଡଟିକି ଦୁଇହାତରେ ତୋଳିଧରି ମହାଶ୍ୱେତା କହିଲା, ଆସିବା ପର୍ଯ୍ୟନ୍ତ କ’ଣ ନେଇ ମୁଁ ରହିବି ?

 

କିଛି ଗୋଟାଏ ସସ୍ନେହ ଉତ୍ତର ଦେବାକୁ ଯାଉଥିଲା ଅରୂପ । କିନ୍ତୁ ଧୀର ପଦକ୍ଷେପରେ ଘର ଭିତରକୁ ଆଗେଇ ଆସିଲା ସର୍ବଜୟା । ତାଉପରେ ଦୃଷ୍ଟି ପଡ଼ିବା ମାତ୍ରେ ଅରୂପର ସ୍ପର୍ଶଠାରୁ ଦୂରେଇ ଆସିଲା ମହାଶ୍ୱେତା । ନିକଟକୁ ଆସି ସର୍ବଜୟା ପଚାରିଲା, ଏଇଠିକି ଖାଇବାକୁ ଆଣିବି-?

 

ଦେଖୁ ଦେଖୁ ମହାଶ୍ୱେତାର ଚେହେରା କଠିନ ହୋଇ ଉଠିଲା । ଖଟ ଉପରୁ ଓହ୍ଲେଇ ଆସି ଅରୂପ କହିଲା, ଚାଲ ତମେ, ମୁଁ ଯାଉଛି...

 

ଏଠି ଆଉ କୌଣସି ପ୍ରଶ୍ନର ପ୍ରୟୋଜନ ନାହିଁ । ନୀରବରେ ଫେରିଗଲା ସର୍ବଜୟା । ମହାଶ୍ୱେତା କହିଲା, ଫାଜିଲ୍ ଟୋକିଟା ! କଣ କହିବି ଆଉ । ଏଡ଼େବଡ଼ ଝିଅଟା, ପୁରୁଷ ଲୋକର ମୁହାଁମୁହିଁ ହେବାକୁ ତାର ଟିକିଏ ହେଲେ ସଙ୍କୋଚ ନାହିଁ । ଏମିତି ନଷ୍ଟ ସ୍ୱଭାବର ଝିଅ ପରିବାରର କଳଙ୍କ, ଶତ୍ରୁ ।

 

ଅରୂପକୁ ବୁଝିବାକୁ ସମୟ ଲାଗିଲା ନାହିଁ । ତଥାପି ପରିହାସ କରି ସେ କହିଲା, ପୁରୁଷଗୁଡ଼ାକ କ’ଣ କେବଳ ଭୋକିଲା ବାଘ ନା ସିଂହ ?

 

ତୀକ୍ଷ୍‌ଣ ସ୍ୱରରେ ମହାଶ୍ୱେତା କହିଲା, ଭୋକିଲା ହେଉ କି ନ ହେଉ, ହିଂସ୍ରଜନ୍ତୁ କଞ୍ଚା ମାଂସ ପାଇଲେ ଝାଂପି ଆସିବ ।

 

ଅରୂପ ହଠାତ୍‌ ପ୍ରଶ୍ନ କରି ବସିଲା,ମାଟ୍ରିକ୍‌ ପରେ ତାଙ୍କୁ ପଢ଼ିବାକୁ ଦେଲ ନାହିଁ କାହିଁକି ?

 

ମହାଶ୍ୱେତା କହିଲା, ସେତିକି ତ ଦୁଃଖର କାରଣ । ଯେତିକି ପଢ଼ା ହେଲା ହିଂସ୍ର ବୁଦ୍ଧିର ବିକାଶ ହେଲା ତାହାଠାରୁ ବେଶୀ । କୌଣସି ଦିନ ସେ ସ୍ଥାନ କାଳପାତ୍ରର ବିବେଚନା କରି ପାରିଲା ନାହିଁ । ଆଉ କିଛି ନ ହେଲେ ସୁଦ୍ଧା, ସେ ଯଦି ନିଜର ପରିସ୍ଥିତିଟାକୁ ବିଚାର କରି ପାରନ୍ତା, ତାହେଲେ ସେ ଭୁଲ କରିବସନ୍ତା ନାହିଁ । ଏମିତି କାଣ୍ଡଜ୍ଞାନ ଶୂନ୍ୟ ଝିଅ ଆମ ସମାଜର ଶତ୍ରୁ, ଆମ ନାରୀ ଜାତିର କଳଙ୍କ ।

 

କଥାଟା ଆଦୌ ଯୁକ୍ତି ସଙ୍ଗତ ନୁହେଁ, କିନ୍ତୁ ଅରୂପ ଯଦି ନିର୍ବିବାଦରେ ମହାଶ୍ୱେତା ଆଗରେ ଠିଆହୋଇ ରହେ, ତାହେଲେ ଏକ ଅନୁପସ୍ଥିତ ନି ନିରରାଧା ବାଳିକା ପ୍ରତି ଘୋର ଅବିଚାର କରାଯିବ । ଏଇଟା ଯେମିତି ମାନବିକ ରୁଚି ବିରୁଦ୍ଧ । ଏହି ଅଶାନ୍ତି ଗାଳି ବର୍ଷଣ ଭିତରେ ମମତା ନାହିଁ, ସହାନୁଭୂତି ନାହିଁ । କେବଳ ଭ୍ରାନ୍ତ ମନୋବେଦନା , କଠୋର ଆତ୍ମସନ୍ତୋଷଟା ହିଁ ପ୍ରଧାନ । ସୁତରାଂ ଏଠୁ ଚାଲିଯାଇ ପାରିଲେ ନିଜକୁ ମୁକ୍ତି ଦିଆଯାଇ ପାରିବ । କିନ୍ତୁ ସର୍ବଜୟା ନିକଟକୁ ଫେରିଯାଇ ଏହିକ୍ଷଣି ଖିଆପିଆ କରିବା ମଧ୍ୟ ଉଚିତ ହେବନାହିଁ ଦେହରେ ଜାମାଗଳେଇ ଅରୂପ ସିଧା ରାଜପଥ ଉପରେ ଆଗେଇ ଚାଲିଲା ।

 

ସନ୍ଧ୍ୟା ଘନେଇ ଆସୁଚି । ଛାୟା ଲୋକର ଏହି ନିଃସଙ୍ଗତା ଭିତରେ ସେହି ନିର୍ଦ୍ଦୋଷ ସରଲାଟିକି ଖୋଜି ପାଇବା ମିଥ୍ୟା । ନାନାଆଡ଼େ ଘୂରି ଘୂରି ବୁଲିବାକୁ ଲାଗିଲା ଅରୂପ । ବେଳାଭୂମିର ପଥଧରି ଦଳେ ଦଳେ ସ୍ତ୍ରୀ ପୁରୁଷ ଆଗେଇ ଚାଲିଚନ୍ତି । ପଥେ ପଥେ ଦିନାନ୍ତର ରଙ୍ଗିନ୍‌ ଆଲୁଅ ବିଞ୍ଚିହେଇ ପଡ଼ିଛି ।

 

ସର୍ବଜୟାକୁ ଯେତେ ଛୋଟ ବୋଲି କୁହାଗଲା, ସେ ସେତେ ଛୋଟ କି ନା ଅରୂପର ସନ୍ଦେହ ରହିଗଲା । ଯେଉଁ ନାରୀ ସମାଜର କଳଙ୍କ, ପୁରୁଷ ନିକଟରେ ତାର ସ୍ୱତନ୍ତ୍ର ବିଚାର ରହିଛି-। ଚରିତ୍ରହୀନ ବୋଲି ସେ ଅନାଦୃତା ହେବ , ଏକଥା ସତ୍ୟ ନୁହେଁ । ତେବେ ସ୍ୱଭାବ ଶୁଚିତା ପୁରୁଷକୁ ଆକର୍ଷଣ କରି ଆଣେ । ଯେଉଁ ବସ୍ତୁ ଘନ ଆବରଣ ତଳେ ଲୁଚି ରହିଛି, ତାର ଉନ୍ମୋଚନ ପାଇଁ ଲକ୍ଷ ଲକ୍ଷ କୌତୂହଳୀ ଦୃଷ୍ଟି ଅପେକ୍ଷା କରି ରହିଛି । ମଣିଷର ଆଦିମ ପ୍ରବୃତ୍ତି ଭଲ ପାଇ ଶିଖିଛି ରାତିର ଅନ୍ଧକାରକୁ । ଦିନର ସ୍ୱଚ୍ଛ ଆଲୋକର ଉତ୍‌ପୀଡ଼ନ ଭିତରୁ ସେ ଖୋଜି ବସିଛି ମୁକ୍ତି-। ଏଥିରେ ଆଉ ସନ୍ଦେହ ନାହିଁ । ମହାଶ୍ୱେତାକୁ ସେ ଅନେକ ଥର ବୁଝେଇବାକୁ ଚେଷ୍ଟାକରି ସଫଳ କାମ ନହେଲେ ମଧ୍ୟ ସୁଯୋଗ ପାଇଲେ ସେ ହରେଇ ଦେବ ନାହିଁ ।

 

ସମସ୍ତ ପଥ ଅତିକ୍ରମ କରି ଯେତେବେଳେ ମେଟା(ପାହାଡ଼) ଉପରକୁ ଉଠି ଆସିଲା, ସେତେବେଳେ ଅନାଥ ଶିଶୁ ମାନଙ୍କର ପ୍ରାର୍ଥନା ସଭା ବସିଚି । ନତଜାନୁ ହେଇ ଅଜ୍ଞାନ ବାଳକ ଦୁଇହାତ ପାତି ଭିକ୍ଷା କରୁଛି ଅଦୃଷ୍ଟର କରୁଣା । ବର୍ଷ ବର୍ଷ ଧରି ନିର୍ବୋଧ ଅଭିଳାଷ ଭିତରେ ଶିଶୁ ପ୍ରାଣ ନିଜକୁ ନିୟୋଗ କରି ଆସିଛି । ତଥାପି ମୁଠିଏ ଚାଉଳର ଅନ୍ନ ସେ ପାଇନାହିଁ । ପାଇନାହିଁ ଖଣ୍ଡିଏ ପିନ୍ଧିବାକୁ । ନିଜର ସଂସ୍ଥାନ ପାଇଁ ଅକ୍ଷମ ଅସମର୍ଥ ମଣିଷପିଲା ଆସି ଠିଆ ହେଇଛି ପୁଣି ଏଇ ମଣିଷ ମଝିରେ । ତା ହେଲେ କାହିଁକି ଏ କୃପାଭିକ୍ଷା ? କାହିଁକି ଏ ଯାଚଜ୍ଞା ?

 

ଏହି ଅଶରୀରି ବିଦ୍ରୋହ ଭିତରେ ଅରୂପ ନିଜର ସମସ୍ତ ଇଚ୍ଛାଶକ୍ତି ହରେଇ ବସିଲା । ପାହାଡ଼ ଉପରକୁ ଓହ୍ଲେଇ ସେ କ୍ଷିପ୍ର ବେଗରେ ଛୁଟି ଚାଲିଲା । ତାର ମନେ ହେଲା, ସେ ଯେମିତି ଏକ କୂଟ ଚକ୍ରାନ୍ତ ଭିତରେ ପଡ଼ି ଯାଉ ଯାଉ ନିଜକୁ ରକ୍ଷାକରି ପଳେଇ ଆସୁଚି ।

 

ଘରେ ପହଞ୍ଚି ଶ୍ୱସ୍ତିର ନିଶ୍ୱାସ ମାରିଲା ଅରୂପ ।

 

ରାତିରେ ନିରୋଳା ପାଇ ସେ ସାନ ଭଉଣୀକି ଚିଠି ଲେଖିବସିଲା । ତାର ଦେହ ଭଲ ଅଛି । ଖୁବ୍ ଶୀଘ୍ର ଯାଇ ସେ ଘରେ ପହଞ୍ଚିବ । ଭିଣୋଇର କୀର୍ତ୍ତିକଳାପ ପାଇଁ ସେ ଅତ୍ୟନ୍ତ ମର୍ମାହତ । ଏଇଟା ଅବଶ୍ୟ ଅଭ୍ୟାସ ପଡ଼ିଗଲାଣି । କିନ୍ତୁ ଏଥିପାଇଁ ଯେ ବାବା ପୂରାପୂରି ଦାୟୀ, ଏହା ଅସ୍ୱୀକାର କରି ହେବନାହିଁ । ତେବେ ଏଥର ସେମାନଙ୍କୁ ଏକବାର ଛାଡ଼ି ଦିଆଯାଉ । ଲଗାମହୀନ ଅବସ୍ଥାରେ ସେ ନିଜ ସମ୍ୱନ୍ଧରେ ଭାବି, ବିଚାରି କରି ଦେଖନ୍ତୁ । ଏଥିପାଇଁ ସେ ଯେମିତି ପରିବାରର ଅବିଚାର ପାଇ ନ ବସେ । ସ୍ୱାର୍ଥପରତା ପାଇଁ ନୁହେଁ , ଏ ପ୍ରକାର ବିଧି ବ୍ୟବସ୍ଥା ପାଇଁ ସେ କ୍ଷମା ମାଗି ନେଉଛି ।

 

ଚିଠି ଖଣ୍ଡିକ ବନ୍ଦକରି ସେ ଟେବୁଲ ଉପରେ ରଖିଦେଲା । କାଲି ଡାକରେ ପଠେଇ ଦେବାକୁ ହେବ ।

 

ଅରୂପର ବହୁତ କାମ ପଡ଼ି ରହିଛି । କେଉଁଟା ଶେଷ ହେଇ ପାରି ନାହିଁ । ଗତ ତିନିମାସ ଧରି ଲେଖାପଢ଼ା ସହିତ ସଂର୍ପକ ତୁଟି ଯାଇଚି । ପତ୍ର ପତ୍ରିକାରୁ ବାରମ୍ବାର ଚିଠି ଆସୁଚି । ଲେଖା ପାଇଁ ସଂପାଦକ ବନ୍ଧୁମାନଙ୍କର ସସ୍ନେହ ତାଗିଦା । ଅନେକ ଗୁଡ଼ିଏ ଖୋଲି ପଢ଼ିବାକୁ ଅବସର ପାଇନାହିଁ ସେ । ଟେବୁଲ ଉପରେ କାଗଜ ପତ୍ର ଖେଳେଇ ହେଇ ପଡ଼ିଛି । ବିଛଣା ଉପରେ ଗଦା ହେଇଛି ବହି । ଏଗୁଡ଼ିକୁ ସଜାଡ଼ି ରଖିବାକୁ ମହାଶ୍ୱେତାର କେବେ ହେଲେ ପ୍ରବୃତ୍ତି ଜାଗିନାହିଁ । ବରଂ ଅଯାଚିତ ଭାବେ ସବୁ କରିଯାଇଛି ସର୍ବଜୟା । ଏଥିପାଇଁ ଅରୂପର କୃତଜ୍ଞତା କମ ନୁହେଁ । ଆଜି ସମଗ୍ର କୋଠରୀଟି ଭିତରୁ ଏକ ଅଯତ୍ନ ବିକ୍ଷିପ୍ତତାର ସନ୍ଧାନ ପାଇଲେ ମଧ୍ୟ ସେଆଡ଼େ ତାର ହାତ ଚଳିଲା ନାହିଁ ।

 

ସକାଳ ହୋଇ ଆସୁଛି, ତଥାପି ଯେପରି ରାତିର ହିମତା କଟିନାହିଁ । ଧୀର ପବନର ସ୍ତରେ ସ୍ତରେ ଜାଗିରହିଛି ଏକ ବିହଳ ସ୍ୱପ୍ନ । ଜୀବଜଗତର ଚେତନା ଫେରିନାହିଁ । କେଉଁ ଝାଉଁଗଛର ମର୍ମରରେ ଫେରି ଆସୁଛି ଜୀବନର ସାନ୍ତ୍ୱନା ।

 

ଅରୂପର ନିଦ ଭାଙ୍ଗିଥିଲେ ସୁଦ୍ଧା କି ଏକ ସ୍ୱପ୍ନର ଆବେଶରେ ଆଖି ଦୁଇଟି ବୁଜିହୋଇ ରହିଛି । ସକାଳର ମୃଦୁ ମନ୍ଦ ସମୀର ତାର କାନେ କାନେ ଯେମିତି ଶୁଣେଇ ଯାଉଛି ସୃଷ୍ଟିର ବୀଜ ମନ୍ତ୍ର । ଅରୂପ କବି, ପୁରୁଷ, ସ୍ରଷ୍ଟା ତରୁଣ ।

 

ଘରଭିତରୁ କାହାର ମୃଦୁପଦର ସଞ୍ଚାର ହେଲା । ଗନ୍ଧଗ୍ରାହୀ ଇନ୍ଦ୍ରିୟ ନିକଟକୁ ସଞ୍ଚରି ଆସିଲା, କେଉଁ ଅନାମା ବଣ୍ୟ କଳିକାର ସୌରଭ । ତରୁଣ ପ୍ରାଣ ଧୀରେ ସନ୍ତର୍ପଣରେ ଜାଗିଉଠିଲା । ଆସ୍ତେ ଆସ୍ତେ ଖୋଲି ଆସିଲା ଆଖିପତା ।

 

କିଏ... ଦୁଆର ମୁହଁର ପରଦା ଆଡ଼େଇ ଚପଳା ହରିଣୀ ଡେଇଁଯାଉଛି । ବଣର ହରିଣୀ ନାରୀ ,ପ୍ରେୟସୀ । ସର୍ବଜୟା ମଧ୍ୟ ନାରୀ । ଦୁହିଙ୍କ ପ୍ରାଣରେ ଆବେଗ, ଦୁହିଙ୍କ ପାଦରେ କ୍ଷିପ୍ରତା, ଦୁହିଙ୍କ ଆଖିରେ ଚପଳ ସରଳତା । ଦୁହିଙ୍କି ଧରିବା ସହଜ ନୁହେଁ । ଦୁହେଁ ବଣ୍ୟ, ଦୁର୍ବାର..

 

ଅଳସ ଭାଙ୍ଗି ଅରୂପ ଡାକିଲା, ଜୟା–

 

ଗୋଟିଏ ପାଦ ଘର ଭିତରେ, ଆଉ ଗୋଟିଏ ରହିଛି ଦୁଆର ମୁହଁ ସେପଟରେ । ସେଇଠି ଅଟକି ରହିଲା ସର୍ବଜୟା । ସେ ପୁଣି ଶୁଣିଲା ଅରୂପର ସ୍ୱର । ସର୍ବଜୟା...

 

କୌଣସି ଉତ୍ତର ଦେଇ ପାରିଲା ନାହିଁ ସର୍ବଜୟା । ଲୁଚି ଲୁଚି ଆସି ସେ ଅତର୍କିତ ଭାବେ ଅରୂପ ଆଖିରେ ଧରାପଡ଼ି ଯାଇଛି । ଚାରିପଟରେ ତାର ଯେପରି କ୍ରୁରବ୍ୟାଧ ଅଗ୍ନିର ତାଣ୍ଡବ ରଚି ଧନୁହାତରେ ବସି ରହିଛି । ସେଠି ସହଚାରୀର ସ୍ନେହ ସମ୍ୱୋଧନ ବିଡ଼ମ୍ୱନା ମାତ୍ର ।

 

ଅରୂପ ବିଛଣାରେ ଉଠିବସିଲା । ଡାକିଲା, ଶୁଣ ଜୟା ।

 

ଦୁଇଟା ଭୀରୁଆଖି ତୋଳି ସର୍ବଜୟା ଏପାଖ ସେପାଖ କରି ଅନେଇଲା । ଏହି ମାତ୍ର ରାତି ପାହିଛି । ଏ ଅବଧି ଏ ଗଭୀର ସ୍ତବ୍‌ଧତାରେ ଗୃହସ୍ଥଳୀ ରହିଛି ମୌନ, ଶାନ୍ତ । ଯେମିତି ଏକ ସଂଯମୀ ସାଧକ । ନିଜର ସାଧନାରେ ସେ ଗମ୍ଭୀର, ନିଜର ଗଭୀରତାରେ ସେ ଧୀର । ତାର ଚାରିପଟ ଘେରି କେବଳ ଶୂନ୍ୟତା ।

 

ମୃଦୁଶୂନ୍ୟତା ପଦକ୍ଷେପରେ ଆଗେଇ ଆସିଲା ସର୍ବଜୟା । ମହାଶ୍ୱେତା ଏ ପର୍ଯ୍ୟନ୍ତ ନିଘୋଡ଼ ନିଦରେ ଶୋଇରହିଛି । ପଛକୁ ଥରେ ଫେରି ଚାହିଁଲା ସେ । ମାନବିକ ଚେତନାର ଚିହ୍ନନାହିଁ । ଶାନ୍ତ ସକାଳର ମଧୁର ପରିବେଶ ମଝିରେ ଏକା ଜାଗିଉଠିଛି ସେ । ସର୍ବଜୟା !

 

ଅରୂପ କହିଲା, ଶୁଣ–

 

ଶଙ୍କିତ ସ୍ୱରରେ ସର୍ବଜୟା କହିଲା, ଏତେ ସକାଳୁ ତମେ ଉଠିଛ ?

 

ହଁ ତମର ଅପା ଉଠିଲେଣି ?

 

ଏ ପ୍ରଶ୍ନରେ ଯେପରି ଆଉରି ଭୟପାଇ ବସିଲା ସର୍ବଜୟା । ଚାରିଆଡ଼େ ଥରେ ଦୃଷ୍ଟି ବୁଲେଇ ଆଣି ଜବାବ ଦେଲା, ନା ସେ ଶୋଇଛି ବୋଧେ ।

ଓ....କହି ହସିଉଠିଲା ଅରୂପ । ଯେଉଁନାରୀ ଜନ୍ମ ସଂସ୍କାର ନେଇ ସିଂହ ପାଲଟେ ସେ ପୁଣି ସ୍ଥାନ ବିଶେଷରେ ହୁଏ ନୀରିହା ମୃଗବଧୂ । ଭୟାଳୁ ମନ ନେଇ ସେ ଗଣିବସେ ନିଜର ପାଦଚିହ୍ନ । ସୁବିଧା ପାଇଲେ ସେ ପୁଣି ଶତଗଣ୍ଡୁକି ଡେଇଁଯାଏ ।

ଶିଶୁମତି ବାଳିକାର ନିର୍ବୋଧତା ଧରି ସର୍ବଜୟା ପଚାରିଲା, ଅପାକୁ ଉଠେଇ ଆଣିବି ?

ଏ ପ୍ରଶ୍ନରେ ହୋ ହୋ ହେଇ ହସିଉଠିଲା ଅରୂପ । ବୟସର ଅଭିଜ୍ଞତା ଅର୍ଜନ କରିନଥିଲେ ସୁଦ୍ଧା ସର୍ବଜୟା ଯୁବତୀ । ମନର ତୀରେ ତୀରେ ଆଜି ତାର ବିଦ୍ୟୁତର ସ୍ଫୁରଣ । ଦୁର୍ବଳ ହେଲେ ମଧ୍ୟ ଶ୍ୟାମଳ ଅଙ୍ଗର ଧାରେ ଧାରେ ଯୌବନ ବିଦ୍ୟମାନ । ଆଖି ଦୁଇଟି ଶାନ୍ତ । ଅଥଚ ସେହି ଆଖିର ଚାହାଣୀରେ ମୋହ ମଦିରାର ଆଲେଖ୍ୟ । ବୟସକୁ କେହି ଅସ୍ୱୀକାର କରିପାରେନା । ତଥାପି ସର୍ବଜୟାର ଏହି ନିର୍ବୋଧତା ଭିତରେ ଯେମିତି ଅପ୍ରାକୃତିକତାର ଚିହ୍ନନାହିଁ-

ସର୍ବଜୟାକୁ ନିର୍ଭୟ କରିଦେବା ଉଦ୍ଦେଶ୍ୟରେ ହସି ହସି ଅରୂପ କହିଲା, ତମର ଅପା କାଲି ଅଭିସାରିକା ସାଜିଥିଲେ ନା କ’ଣ ? ମୋ ବିଛଣା ଉପରେ ଏତେ ଫୁଲ କାହିଁକି ?

ଅତି ନିର୍ଲଜ୍ଜ ପ୍ରଶ୍ନ ଏ । କିନ୍ତୁ ସ୍ୱାଭାବିକ । ଆରକ୍ତ ଲଜ୍ଜାରେ ସର୍ବଜୟାର ଆଖି ଦୁଇଟି ନଇଁ ଆସିଲା । ଥର ଥର ଓଠ ଦୁଇଟିରୁ ପୁଣି କେଇଟି ଅବୋଧ କଥା ଝରିପଡ଼ିଲା, ନା ଅପା ଆସିନାହିଁ.... ।

 

କହିଦେଇ ପୁଣି ସାହସ ହରେଇ ବସିଲା ସର୍ବଜୟା । ହୁଏତ ତାର ଏହି ଅଜ୍ଞାତ ପାଇଁ ପୁଣି ହସି ଉଠିବ ଅରୂପ । ତାହାହିଁ ହେଲା । ସର୍ବଜୟାର ଆଶଙ୍କାକୁ ରୂପ ଦେଇ ପୁଣି ଉଚ୍ଚସ୍ୱର ତୋଳି ହସି ଉଠିଲା ଅରୂପ । ସେହି ହସ ଭିତରେ ସେ କହିଯିବାରେ ଲାଗିଲା, ବିଂଶ ଶତାଦ୍ଦୀ ହେଲେ ବି ତମେ ଅବଳା ଜୟା ! ଏ କଥା ମୋ ପରି ଅକିଞ୍ଚନ ଅସ୍ୱୀକାର କରି ପାରିବ ନାହିଁ । ଆଚ୍ଛା, ତମର ଅପା ଯଦି ଏ ଫୁଲ ସମ୍ବନ୍ଧରେ କିଛି ପଚାରି ବସନ୍ତି ?

 

ସମ୍ପୂର୍ଣ୍ଣ ଅଭାବିତ ପ୍ରଶ୍ନ । ଏଥିରେ ସର୍ବଜୟାର ଅବସ୍ଥା ଅସହ୍ୟ ହେଇ ଉଠିଲା । ଯେପରି କେଉଁ ଏକ ଓକିଲ ଆଗରେ ଚୋରୀ ଆସାମୀ । କୌଣସି ଉତ୍ତର ଚିନ୍ତା କରି ପାରି ଅସହାୟ ଭାବରେ ସେ କହିଉଠିଲା, ତା’ହେଲେ ମୁଁ ଫୋପାଡ଼ି ଦେଉଚି...

 

କଥାର ଶେଷ ଆଡ଼କୁ ସର୍ବଜୟାର କଣ୍ଠସ୍ୱର କମ୍ପିଉଠିଲା । ନାରୀର ଦାନକୁ ଅବମାନନା କରିବାର ସାହସ ମୂଢ଼ ପୁରୁଷର ନାହିଁ । ଏଠି ସାମାଜିକ ସମସ୍ତ ବିଧି ନିଷେଧ । ପ୍ରଣୟିନୀର କଟାକ୍ଷ ବାଣ, ଗୁରୁଜନର ଶାସନ ସ୍ୱର ଯୁଗ ଯୁଗ ଧରି ପରାଜୟ ସ୍ୱୀକାର କରି ଆସିଛି । ଅରୂପ ସମାନ୍ୟ ତରୁଣ ମାତ୍ର । ପଲକ ମାତ୍ରେ ସେ ସର୍ବଜୟାର ଦୁଇହାତ ତୋଳିଧରି ତାକୁ ଅନ୍ତରର ସମ୍ମାନ ପ୍ରଦର୍ଶନ କଲା ।

 

ଫୁଲ ଗୁଡ଼ିକରେ ନିଜର ଅଞ୍ଜଳି ଭରିନେଇ ଅରୂପ କହିଲା, ତମେ ବୟସରେ ଛୋଟ ଜୟା ! ହୁଏତ ବୁଝିବ ନାହିଁ । ମଣିଷର ପିପାସିତ ମନ ଦାନପାଇଁ ଯେତିକି ବ୍ୟାକୁଳ ପ୍ରତିଦାନ ଦେବାପାଇଁ ତାହାଠାରୁ ଆହୁରି ବେଶୀ ଆଗ୍ରହୀ । କିନ୍ତୁ ତମର ଅପା ଦାନ, ପ୍ରତିଦାନ ସଂଜ୍ଞା ବୁଝିନ୍ତି ନାହିଁ । ମୋର ବଡ଼ ଦୁଃଖ ଯେ, ତାଙ୍କର ମୋର ଏତେ ଦିନର ଆଳାପ ପରିଚୟ ଭିତରେ ମଧ୍ୟ ତାଙ୍କୁ ମାନବ ଜୀବନର ଏକ ମହାସତ୍ୟକୁ ବୁଝେଇ ଦେଇ ହେଲାନାହିଁ ।

 

ଅରୂପର ଏ ଭାଷା ସର୍ବଜୟା ଯେମିତି ନିଜ ପାଇଁ ଆଶ୍ୱାସନା ଖୋଜି ଦେଲା । ଧୀରେ ଧୀରେ ସେ କହିଲା–କାହିଁକି ,ମୋ ଅପା ତ ଅବାଧ୍ୟ ନୁହେ ?

 

ସ୍ମିତ ହସି ଅରୂପ କହିଲା, ତାହା ତମେ କହିପାରିବ ନାହିଁ ଜୟା ! ବରଂ କହି ତାଙ୍କୁ ମୁଁ କେବେ ନିଜପାଇଁ ବାଧ୍ୟ କରିନାହିଁ । ଅବଶ୍ୟ ଏଠି ତମେ ମୋ ଅଧିକାରର ପ୍ରଶ୍ନ ଉଠେଇ ପାର ।

 

ସର୍ବଜୟା କହିଲା, ମୁଁ ତମଠାରୁ ଅନେକ ସାନ । ତଥାପି ମୋର ସାମାନ୍ୟ ଅଭିଜ୍ଞତା ଧରି ମୁଁ କହିବି, ସମସ୍ତ ସାମାଜିକ ନିଷେଧର ବାହାରେ ମଣିଷର ହୃଦୟ ପଡ଼ିରହିଛି ।

 

ଛୋଟ ହେଲେ ବି ତମ କଥା ମଥାପାତି ମୁଁ ମାନିନେଉଚି ଜୟା ! କିନ୍ତୁ ଏହି ହୃଦୟ ମହାଶ୍ୱେତା ନିକଟରେ ଅନେକ ସମୟରେ ମୂଲ୍ୟହୀନ ହେଇ ପଡ଼ିଥାଏ ।

 

କାହିଁକି.... ? ଅରୂପ କହିଲା ।

 

କାହିଁକି କହିହେବ ନାହିଁ ସେ କଥା । ତମକୁ ବି ବୁଝେଇ ହେବନି ।

 

ଏ ଭାଷା ନିଗୁଢ଼ ଅନ୍ତରର । ଏହାପରେ ଆକୁଳ ମନ ଭିତରେ ଯାହା ମଥା ପିଟେ ତାହା ପ୍ରଶ୍ନ ନୁହେଁ, ବ୍ୟଥା । ନୀରବ ବ୍ୟଥାର ଭାର ବହନ କରି ଚୁପକରି ରହିଲା ଅରୂପ । କାରୁଣ୍ୟର କେଉଁ ସୂକ୍ଷ୍ମ ତନ୍ତ୍ରୀରେ ଆଘାତ ଲାଗିଲା ତାହା ବୁଝିଲା ନାହିଁ ସର୍ବଜୟା । କହିଲା, ମୋ ଅପାକୁ ଅନ୍ୟ କିଛି ଭାବନାହିଁ ଅରୂପ ଭାଇ ! ସେ ଯେ ତମର ପାଦତଳେ ନିଜକୁ ନିଃସ୍ୱକରି ଢାଳିଦେଇଛି । ଏକ ସମୟରେ ନ ଦେଖିଲେ କେହି ସେ ଦୁଃଖ ବୁଝିନାହିଁ । ନାରୀ କ’ଣ ତାର ନିଃସଙ୍ଗ ମୁହୂର୍ତ୍ତରେ ନ ଆସିଲେ କାହାକୁ ସେକଥା ବୁଝେଇ ହେବନାହିଁ ।

 

ହସିଦେଇ ଅରୂପ କହିଲା, ତାହାହେଲେ ତମର ଅପାକୁ କହିଦିଅ ମୁଁ ତାଙ୍କର ଚିର ଅନୁଗତ ରହିଲି ।

 

କହି କହି ପ୍ରାତଃଭ୍ରମଣରେ ବାହାରିଗଲା ଅରୂପ । ନିର୍ବାକ ବିସ୍ମୟରେ ସେଇଠି ଠିଆହେଇ ରହିଲା ସର୍ବଜୟା । ଏତେ ଦିନର ପରିଚୟ ଭିତରୁ ସେ ପ୍ରକୃତ ଅରୂପକୁ ଖୋଜି ପାଇଲା ନାହିଁ । ନ ପାଇବା ମଧ୍ୟ ଭଲ । ଅଛବ ପୂଜାରିଣୀ ସେ । ଦେବତାର ମନ୍ଦିର ଦ୍ୱାରରେ ତାର ସ୍ଥାନ । ସେଇଠି ସେ ତାର ପୂଜାଦେବୀ ରଚନା କରିବ । ମନ୍ଦିର ପ୍ରବେଶ ପାଇଁ ଚେଷ୍ଟା କରିବ ନାହିଁ ।

 

କିଛି ସମୟ ପରେ ଚା’ ନେଇ ସର୍ବଜୟା ମହାଶ୍ୱେତା ନିକଟରେ ପହଞ୍ଚିଲା । ସେତେବେଳେ ବାହାର ଘରେ କାଗଜ ପତ୍ର ଧରି କ’ଣ ହିସାବ ଦେଖୁଛି ସେ । ପାଖ ଚୌକିରେ ଜଣେ ପୌଢ଼ ଭଦ୍ରଲୋକ ବସିଚନ୍ତି । ବୋଧେ ସେ ଘର ମାଲିକ ହେବେ ।

 

ଦୃଷ୍ଟିମେଲି ମହାଶ୍ୱେତା କହିଲା, ଅରୂପ ବାବୁଙ୍କୁ ଡାକିଦେ ଜୟା ! ପଚାରିଲେ କହିବୁ, କାଲି ଆମର ଚାଲିଯିବାର କଥା । ଆଜି ସମସ୍ତ ଅଡ଼ୁଆ ତୁଟେଇଦେଇ ଯିବାକୁ ହେବ ।

 

ଚା’କପଟା ଟି’ପୟ ଉପରେ ସଜାଡ଼ିରଖି ଧୀର ଗଳାରେ ସର୍ବଜୟା କହିଲା, ଅରୂପ ଭାଇ ନାହାନ୍ତି ନା କ’ଣ ?

 

କୁଆଡ଼େ ଗଲେ... ?

 

ବୁଲିଗଲାପରି ଜଣାପଡ଼ୁଥିଲେ ।

 

ବେଶ ଭଦ୍ରଲୋକ । ତାହାଲେ ଯା ତୁ । ନିଜକାମ ଭିତରେ ସମୟ କରି ଜିନିଷ ପତ୍ର ସଜାଡ଼ି ନେବୁ । ମା ବୋଧେ ଠାକୁର ଘରେ ।

 

ହଁ କହି ଚାଲିଯାଉଥିଲା ସର୍ବଜୟା । ପଛରୁ ଡାକି ମହାଶ୍ୱେତା ପୁଣି କହିଲା, ଆଉ କପେ ଚା’ ଆଣ ।

 

କାଗଜପତ୍ର ସେଇଠି ରଖି ଅନ୍ୟଘରକୁ ଉଠି ଆସିଲା ମହାଶ୍ୱେତା । ଅରୂପର ଅନ୍ତଲୋକ ଏବେ ସୁଦ୍ଧା ତା ଆଖିରେ ଅସ୍ପଷ୍ଟ । ଅତି ନିକଟର ମଣିଷ ସେ । ଅତି ଦୂରକୁ ଦୂରକୁ ଘୁଞ୍ଚି ଯାଉଛି ଯେପରି । ହୁଏତ ତାହାହିଁ ତାର ଇଚ୍ଛା । ତରୁଣ ଜୀବନରେ ଏ ଉପେକ୍ଷାଟା ଯେ କେମିତି କରି ସମ୍ଭବ ହୋଇ ପାରୁଛି ମହାଶ୍ୱେତା ତାହା ଜାଣେ ନାହିଁ । ହୁଏତ କେଉଁଠି ଏହାର ଏକ କାରଣ ଛପି ରହିଛି । ଯାହା ମହାଶ୍ୱେତାର ଏବେ ସୁଦ୍ଧା ଅଜ୍ଞାତ । ମନେପଡ଼ୁଛି ଗତ କେତେଦିନ ତଳର ଗୋଟିଏ ରାତି । ଆଶ୍ଚର୍ଯ୍ୟର କଥା, ତାପରେ ଅରୂପଠାରୁ ଆଉ କୌଣସି ସୂଚନା ମିଳିନାହିଁ-। ହୁଏତ ପ୍ରଣୟିନୀ ନିକଟକୁ ତାର ତୀବ୍ର ଅଭିମାନ ସ୍ତୂପୀକୃତ ହୋଇ ରହିଛି । ନହେଲେ ସେ ସମ୍ପୂର୍ଣ୍ଣ ହୃଦୟ ଦେଇ ମହାଶ୍ୱେତାକୁ ଉପେକ୍ଷା କରିଯିବାକୁ ବସିଛି ।

 

କି ଏକ କାମର ବରାଦ ପାଇଁ ଯୋଗୀ ଆସି ମହାଶ୍ୱେତା ଆଗରେ ଠିଆହେଲା । କହିଲା, କି ଜଳଖିଆ ହେବ ଅପା । ସାନ ଅପା ପଚାରୁଛନ୍ତି ।

 

ମହାଶ୍ୱେତା କହିଲା, ଯା ତୁ ସାନ ଅପାକୁ କହିଦେ ତା ମନକୁ ଯାହା ଆସୁଚି ଆଜି କିଛି କରିଦେଇ ଶୀଘ୍ର କାମ ସାରିନେଉ । ବରାଦ ମୁତାବକ କରିବାକୁ ସମୟ ନାହିଁ ଆଉ ।

 

ଆଜ୍ଞା କହି ପ୍ରାୟ ଦୌଡ଼ି ଦୌଡ଼ି ଚାଲିଗଲା ଯୋଗୀ । ପାଉଣା ପଇସା ଧରି ପୁଣି ଭଦ୍ରଲୋକଙ୍କ ନିକଟକୁ ଫେରିଆସିଲା ମହାଶ୍ୱେତା ।

 

କଟକ ଷ୍ଟେସନରେ ଗାଡ଼ି ଲାଗିଲା । ଗମ୍ଭୀର ରାତି ଗଭୀର ସ୍ତବ୍‌ଧତାରେ ଥମ୍‌ଥମ୍‌ କରୁଛି । ସମସ୍ତ ପୃଥିବୀ ମୌନ, ତନ୍ଦ୍ରାଚ୍ଛନ୍ନ । କେବଳ ଷ୍ଟେସନ୍‌ର କୋଳାହଳ ମଝିରେ ଜାଗି ରହିଛି ମାନବିକ ଚେତନା । ସମସ୍ତଙ୍କ ସହିତ ଅରୂପ ଆସି ପ୍ଳାଟଫର୍ମ ବାହାରେ ଠିଆହେଲା । ଏଇଠୁ ରିକ୍‌ସା ଧରି ମହାଶ୍ୱେତା ନିକଟକୁ ପହଁଚିବାକୁ ହେବ । ସମସ୍ତ କଟକ ସହରରେ ଅରୂପ ପାଇଁ ଆଉ କୌଣସି ଦ୍ୱାର ଉନ୍ମୁକ୍ତ ନାହିଁ । ସାଙ୍ଗରେ ବହୁତ ଜିନିଷପତ୍ର ଅଛି । ଟ୍ରଙ୍କ, ସୁଟକେଶ ଥର୍ମାଫ୍ଳାସ୍‌କ, ଟିଫିନ୍‌କ୍ୟାରିୟାର, ବେଡ଼ିଂ, ସବୁଗୁଡ଼ିକ ଉପରେ ଥରେ ଆଖି ବୁଲେଇଆଣି ରିକ୍‌ସାରେ ବସିଲା ମହାଶ୍ୱେତା । ସର୍ବଜୟା ମା’ ମାହେଶ୍ୱରୀ ଦେବୀ ଆଉ ଗୋଟିଏ ରିକ୍‌ସାରେ ଉଠିଗଲେ । ଯୋଗୀ ବସିଲା ତାଙ୍କର ଗୋଡ଼ତଳେ । ମହାଶ୍ୱେତା ନିକଟରେ ଶୂନ୍ୟଭାଗ ପୂରଣ କରି ରିକ୍‌ସାରେ ଉଠିବସିଲା ଅରୂପ । ତାର ନିର୍ଦ୍ଦେଶକ୍ରମେ ରିକ୍‌ସା ଛୁଟିଚାଲିଲା ସେହି ପରିଚିତ ଗୃହସ୍ଥଳୀର ପଥଧରି ।

 

ରାତିପ୍ରାୟ ଗୋଟାଏ । ଅମାବାସ୍ୟାର ଅନ୍ଧକାରରେ ସମସ୍ତ ଆକାଶଲୋକ ଆଚ୍ଛନ୍ନ । ଏହି ବିସ୍ତୀର୍ଣ୍ଣ ଆକାଶତଳେ ଠିଆହୋଇ ଯେଉଁଶ୍ରେଣୀର ଲୋକ ଦାରିଦ୍ର୍ୟକୁ ସମ୍ବର୍ଦ୍ଧନା ଜଣାଏ, ସେ ନିଜର ନିଃସମ୍ବଳ ଅବସ୍ଥାରେ ରାଜପଥରେ ନିଶ୍ଚିନ୍ତ ନିଦ୍ରାଯାଇଛି । ରିକ୍ତତାର ସହିତ ନୈରାଶ୍ୟ, ଚିତ୍ତଗ୍ଳାନିର ସହିତ ବୁଭୁକ୍ଷା ସହରର ପଥେ ପଥେ ବିଞ୍ଚିହୋଇ ପଡ଼ିଛି ।

 

ଏଠି କବିତା ଲେଖା ଚଳେନା । କବିର ଲେଖନୀ ଏଠି ପରାଜୟ ମାନିନିଏ । ଓଡ଼ିଶାର ବୁଭୁକ୍ଷୁ ନିପୀଡ଼ିତ ଜନତା କବିତା ବୁଝେନା । କବିତା ପଢ଼ି ପେଟ ତାର ପୁରେନା । କବିତା ଲେଖି କବିକି ଅନ୍ନବସ୍ତ୍ର ମିଳେନା ।

 

ଭାବପ୍ରବଣତା ଥାଉ । ରାସ୍ତାର ଧକ୍‌କାରେ ମହାଶ୍ୱେତାର ସମସ୍ତ ଦେହ ଭାର ଆସି ତା ଉପରେ ଲଦି ହୋଇ ପଡ଼ିଲାଣି । ଏଇଟା କଟକର ବିଶେଷତ୍ୱ । ମହାଶ୍ୱେତାର ଆଖିରେ ପ୍ରାୟ ନିଦ ଆସି ଯାଇଚି । ଏଇଟା ଗୋପାଳପୁରର ବିଜନ ବେଳାଭୂଇଁ ହୋଇଥିଲେ ଚଳିଯାଇଥାଆନ୍ତା । ଦୁର୍ଭାଗ୍ୟ, ମହାଶ୍ୱେତାର କୌଣସି ପରିବର୍ତ୍ତନ ଆସୁନାହିଁ । ଏ ପର୍ଯ୍ୟନ୍ତ ଝିଅଟାକୁ ସେ ବୁଝିପାରିଲା ନାହିଁ । ଅବଶ୍ୟ ଅଭିଜାତର କନ୍ୟା ସେ । ଖିଆଲ ବିଳାସ ନେଇ ସେ ସଂସାର ପାତେ । ଧୂଳିଘର ଖେଳିବାକୁ ଯାଇ ସୁନାକୁଲେଇ କିଣେ । ଆକାଶର ଚାନ୍ଦ ଚାହିଁଲେ ଗଢ଼ାହୁଏ ହୀରକର ତାରା । କୁକୁରର ପିଣ୍ଡ ତାର ଗଢ଼ାହୁଏ ମାଂସ ପଲଉରେ । ବିଲେଇ ତାର ଶୁଏ ତୁଳୀକାର ଶେଯରେ । କିନ୍ତୁ ନିରୂପାୟ ଅକ୍ଷମ ଭିକାରୀ ଭିକ୍ଷା ଚାହିଁଲେ ବେକାର କହି ବହିଷ୍କାର କରିଦିଏ । କବିତାର ଭାଷାଦେଇ ତିରସ୍କାର କରେ । ଏ ପ୍ରକାର ଭିକ୍ଷାବୃତ୍ତି ହେଲା ଏକପ୍ରକାର ଆତ୍ମବିଳାସ । ଏଥିରେ ଆମର କ୍ଷତି, ସମାଜର କ୍ଷତି, ଦେଶର କ୍ଷତି । ଏ ଜୀବନ ଭୀରୁର ଜୀବନ । ପଳାୟନ ପନ୍ଥୀର ଜୀବନ ।

 

ପୁଣି ସେହି ଭାବପ୍ରବଣତା । ରିକ୍‌ସା ପଡ଼ିଉଠି ଧାଇଁଛି । ଦେବମାନବ କୃତ ଅସଂଖ୍ୟ ଯାନବାହନ ଭିତରେ ଏ ଗୋଟିଏ ବେଗଗାମୀ ଯାନ । ଯାହାପାଇଁ ଅଗ୍ରୀମ ଦେୟର ଆବଶ୍ୟକ ନାହିଁ । କେବଳ ନିର୍ଦ୍ଦେଶ । ସେହି ନିର୍ଦ୍ଦେଶ ପାଇ ସେ ଚାଲିଛି । ମୋଟକଥା ସେ ପୁଣି ମହାଶ୍ୱେତାର ଚାରିକାନ୍ଥର ସୁଦୃଢ଼ ବନ୍ଧନ ଭିତରକୁ ଫେରିଯାଉଛି । କିନ୍ତୁ ଆଶ୍ଚର୍ଯ୍ୟ, ଝିଅଟିକି ସେ ଆଦୌ ବୁଝି ପାରୁନାହିଁ । ତାର ଆଲିଙ୍ଗନ ଭିତରେ ସେ ଆବଦ୍ଧ ହୋଇଛି । ତାର ସାନିଧ୍ୟ ଉପଭୋଗ କରିଛି । ତାକୁ ନେଇ ସ୍ୱପ୍ନ ଦେଖିଛି । ତଥାପି ଅରୂପ ନିକଟରେ ସେ ଦୁର୍ବୋଧ୍ୟ ରହି ଯାଇଛି । ସତ କହିବାରେ ତାର ଆପତ୍ତି ନାହିଁ । ମହାଶ୍ୱେତା ତାର ଆଖି ଆଗରେ ଏକ ଚିରନ୍ତନୀ ନାରୀ ରୂପେ ଆସି ଠିଆହୋଇଛି । ଗୋପାଳପୁରରେ ସେ ନିବିଡ଼ ପରିଚୟର ରାତି ତାର ଅନ୍ତରରେ ଅବିନଶ୍ୱର ହୋଇ ରହିଗଲା । ଏମିତି ଏକ ଅଭାବିତ ପରିସ୍ଥିତି, ନୂତନ ଅଭିଜ୍ଞତା, ଜୀବନର ଚରମ ଆନନ୍ଦ, ଯିଏ କି ଚିରଦିନ ନିଜର ପରମାର୍ଥକୁ ବହନ କରି ଚାଲିବ । ନାରୀର ଳଜ୍ଜାବରଣ ତଳେ ମହାଶ୍ୱେତାର ପ୍ରଥମ ଆତ୍ମପ୍ରକାଶ, ଦୁଇଟି ମୃଣାଳର ନିବିଡ଼ ବନ୍ଧନ; ଆଶ୍ଚର୍ଯ୍ୟ ସତେ ! ଯେମିତି ପ୍ରଶାନ୍ତ ଆକାଶର ନିରନ୍ଧ୍ର ଅନ୍ଧକାର ମଝିରେ ଏକ ଉଜ୍ଜ୍ୱଳ ଜ୍ୟୋତିଷ୍କ । ଗୋପାଳପୁରର ସ୍ମୃତି ତାର ଜୀବନ ଆକାଶରେ ସେମିତି ଅବିନାଶ ରହିଗଲା । ମହାଶ୍ୱେତା ସହିତ ସେହି ଶୀତଳ ରାତିର ମୋହାଚ୍ଛନ୍ନ ଜ୍ୟୋସ୍ନା, ସେହି ଦିଗନ୍ତସ୍ପର୍ଶୀ ବିଜନତା, ବେଳାବନର ସେହି ଜନବିରଳ ଏକାନ୍ତ ନିଭୃତ ପରିବେଶ ସବୁଯେପରି ଚିରକାଳର ରହସ୍ୟରୂପେ ତା ଅନ୍ତରରେ ରହିଗଲା । ଆଉରି ସଯତ୍ନରେ ହୃଦୟ ଗନ୍ତାଘରର ଏକାନ୍ତ ନିର୍ଜନତା ଭିତରେ ସାଇତା ରହିଲା ଜଣକର ସ୍ମୃତି । ସର୍ବଜୟା..

 

ରିକ୍‌ସା ଅଟକିଲା । ଏଥର ମହାଶ୍ୱେତା ସଂବିତ ଫେରି ପାଇଲା । କପାଳରୁ ଶ୍ରମବାରି ଖସିଆସୁଛି । ଅରୂପ ରିକ୍‌ସାରୁ ଓହ୍ଲେଇଲା । ଚାରୁଦର୍ଶନ ଚେହେରାଟା ଅସୀମ କ୍ଳାନ୍ତି ଆଉ ଅବସାଦ ଭରା । କ୍ଷୁଧା, ତୃଷା ଆଉ ଅତୃପ୍ତିରେ ସମସ୍ତ ଚଳତ୍‌ ଶକ୍ତି ଯେପରି ତାର ନଷ୍ଟ ହୋଇଯାଇଛି ।

 

ବଗିଚା ପାରହୋଇ ବାରଣ୍ଡା ଉପରକୁ ଉଠିଆସିଲେ ସମସ୍ତେ । ମହାଶ୍ୱେତାର ବର୍ତ୍ତମାନ କାଳର ଭଦ୍ରାସନ । ଗୋପାଳ ପଟ୍ଟନାୟକଙ୍କ ପରେ ସମସ୍ତ ସଂପତ୍ତିର ସେ ଏକମାତ୍ର ଉତ୍ତରାଧିକାରିଣୀ ।

 

ମାଲିକ ଫେରି ଆସିଛନ୍ତି । ଏ ସଂବାଦ କ୍ଷଣକ ଭିତରେ ଯାଇ ହଂସପୁରରେ ପହଞ୍ଚିଗଲା । କବାଟ ଖୋଲି ଚାକରାଣୀ ବାହାରି ଆସିଲା । ତାର ପଛେ ପଛେ ପୂଜାରୀ, ଚାକର, ମାଳି । ହଠାତ୍‌ ଏକ ମୁଖଗୋଳ ଆରମ୍ଭ ହୋଇଗଲା । ପ୍ରଣାମ, ଆଶୀର୍ବାଦ ସମ୍ଭାଷଣ ପାଇଁ ବେଶୀ ସମୟ ଲାଗିଲା ନାହିଁ । କିନ୍ତୁ ଅରୂପ ଭାରି ଶ୍ରାନ୍ତ । କୌଣସି ଦିଗ ଲକ୍ଷ୍ୟ ନ କରି ସେ ସିଧା ଏକ ପରିଚିତ କୋଠରୀ ଭିତରକୁ ପଶିଗଲା । ମହେଶ୍ୱେତା ତାର ପଛେ ପଛେ ଆସିଲା । ସର୍ବଜୟା, ମାହେଶ୍ୱରୀ ଦେବୀ ଅନ୍ୟଆଡ଼େ ଚାଲିଗଲେ ।

 

ଦେହରୁ କାମିଜ ଖୋଲି ଖଟଉପରେ ଗଡ଼ିପଡ଼ିଲା ଅରୂପ । ଗଦି ଚାଦର, ତକିଆ, ଦୁରାଶା ମାତ୍ର । ସେମାନେ ପ୍ରାୟ ଦୁଇମାସ ପରେ ଫେରିଛନ୍ତି । ଏହି ଅନୁପସ୍ଥିତି ଭିତରେ ଯେମିତି ସମସ୍ତ ଘରଟା ବିକ୍ଷିପ୍ତ ହୋଇପଡ଼ିଛି । କ୍ଳାନ୍ତ ଆଉ ବିରକ୍ତିରେ ମହାଶ୍ୱେତା ଅରୂପର ପାଦତଳେ ବସିପଡ଼ିଲା । ଅସହ୍ୟ ଉତ୍ତାପରେ ଦେହ ମନ ଅବଶ ହୋଇ ଆସୁଛି ।

 

ଦୁହେଁ ନୀରବ ।

 

କଣ ଗୋଟାଏ କାମନେଇ ଭିତରକୁ ପଶି ଆସୁ ଆସୁ ଦୁଆର ମୁହଁରେ ଅଟକିଗଲା ସର୍ବଜୟା । ବାରଣ୍ଡା ଆଲୁଅରେ ସେ ପରିଷ୍କାର ଭାବେ ମହାଶ୍ୱେତା ଆଉ ଅରୂପକୁ ଦେଖିପାରିଛି ହୁଏତ । ଭିତରକୁ ପଶିବା ତାର ଉଚିତ ନୁହେଁ । କିନ୍ତୁ କଣ ଭାବି ସେ ଭିତରକୁ ଆସି ସୁଇଚ୍‌ ଟିପି ପଙ୍ଖା ଘୁରେଇଦେଲା । ତା’ପରେ ପୁଣି ନୀରବ ପଦକ୍ଷେପରେ ଅଳିନ୍ଦରେ ଧୀରେ ଧୀରେ ଫେରିଗଲା । ତାର ଆସିବା ସମ୍ୱନ୍ଧରେ ମହାଶ୍ୱେତା ଆଦୌ ସଚେତନ ନୁହେଁ କିନ୍ତୁ ଅରୂପ ଯେପରି ସବୁ ଲକ୍ଷ୍ୟ କରି ପାରିଛି ।

 

ଦେଖୁ ଦେଖୁ ଚାରିପାଞ୍ଚ ଦିନ କଟିଗଲା । ଏହା ପରେ କଟକରେ ରହିବା ତାପକ୍ଷେ ଆଉ ସମ୍ଭବ ନୁହେଁ । ଛୁଟିପ୍ରାୟ ପୂରି ଆସିଲା । ସୁଦୂର କେଉଁ ମଫସଲରେ ସେ ତାର ମା ଭଉଣୀର ଛୋଟ ପରିବାର ଛାଡ଼ିଆସିଛି । ସ୍ନେହମୟୀ ଜନନୀ ପୁଅର ଏହି ଦୀର୍ଘ ବିଚ୍ଛେଦରେ ବ୍ୟାକୁଳ ହୋଇ ଉଠିଥିବେ । ଉପେକ୍ଷିତା ଅଭାଗୀ କୀର୍ତ୍ତିମାଳା ବୁକୁରେ ଗୁରୁ ଦୁଃଖର ଭାର ବହନ କରି ଭାଇର ବାଟ ଚାହିଁ ବସିଥିବ । ଆଉବପା ... ପଦାରବିନ୍ଦ ରାୟଙ୍କର ମଣିଷ ହୃଦୟ ସହିତ ସମ୍ପର୍କ ଖୁବ୍‌ କମ୍‌ । ତାଙ୍କର ପୁଅ ହୋଇ ମଧ୍ୟ ଅରୂପ ତାହା ଅସ୍ୱୀକାର କରି ପାରିବ ନାହିଁ । ସେ ଯାହା ହେଉନା କାହିଁକି ଏଥର ତାକୁ ଫେରିଯାଇ ପୁତ୍ରପ୍ରାଣା ଜନନୀକି ସାନ୍ତ୍ୱନା ଦେବାକୁ ହେବ । ଅଶ୍ରୁମୁଖୀ ଭଉଣୀର ସମସ୍ତ ଦୁଃଖ ତାପର ଭାର ନିଜ ବୁକୁରେ ତୋଳିନେବାକୁ ହେବ ।

 

କିନ୍ତୁ ମହାଶ୍ୱେତା ... ସମସ୍ତେ ଚିନ୍ତା, ଆନନ୍ଦ ଅଶ୍ରୁର ବାହାରେ ସେ ଆସି ଠିଆହୋଇଛି-। ତରୁଣ ହୃଦୟର କେଉଁ ନିଭୃତରେ ତାର ଆସନ । ଆଘାତ, ବେଦନା ପରାଜୟ–ତାରୁଣ୍ୟର ପ୍ରଲୋଭନା ଭିତରେ କେଉଁଠି ନିଶ୍ଚିହ୍ନ ହୋଇଯାଇଛି । କେବଳ ଆଖିରେ ଲାଗିଛି ମୋହ ମଦିରାରା ଅଞ୍ଜନ । ମନରେ ମିଶିଛି ରୂପ, ଯୌବନର ମହକ । ଦୂରକୁ ଗଲେ ଅରୂପର ଅନୁଭୂତି ତିକ୍ତ ଲାଗିଛି-। କିନ୍ତୁ ପାଖକୁ ଆସିଲେ ନିଜ ପାଇଁ ଅବସର ମିଳିନାହିଁ । ଦିନ ଦିନ ଲାଗି ନାରୀର ବହିରାବଣ ଖୋଲିବାକୁ ଚେଷ୍ଟା କରିଚି ସେ । ଇଚ୍ଛା କରିଛି ରହସ୍ୟଜାଲ ଭେଦ କରି ସେ ପହଞ୍ଚିବ ଆସି ତାର ଅନ୍ତର୍ଦ୍ୱାରରେ । ଯବନିକା ଖୋଲି ଦର୍ଶନ କରିବ ମାତୃମୂର୍ତ୍ତିକି । ଦୁଇବାହୁ ମେଲି ଆଲିଙ୍ଗନ କରିନେବ ତାର ପ୍ରିୟତମାକୁ । ହାତ ଧରି ଆଗେଇ ନେବ ସହୋଦରାକୁ । ନିଜର ଦିବ୍ୟଦୃଷ୍ଟି ନେଇ ସେ ଦର୍ଶନ କରିବ ନାରୀର କ୍ରୟ ମୂର୍ତ୍ତି । ହୃଦୟ ସିଂହାସନରେ ଥାପନାକରି ସେ ପୂଜା ଦେବ, ପ୍ରଣୟ ଦେବ, ସ୍ନେହ ଢାଳିବ ?

 

କିନ୍ତୁ ସେ ପାରି ନାହିଁ । ମହାଶ୍ୱେତା ତାକୁ ସୁଯୋଗ ଦେଇନାହିଁ । ସମସ୍ତ ମୁହୂର୍ତ୍ତ ଆବୋରି ନେଇ ସେ ଖେଳେଇଚି, ଖେଳିଚି । ନିଜେ ପୁଣି ହୋଇଛି କଣ୍ଢେଇ । ପାଖେଇ ଯାଇଛି ସର୍ବଜୟା । ପଛରେ ରହି ଯାଇଚି କୀର୍ତ୍ତିମାଳା । ଦୂରେଇ ଯାଇଛନ୍ତି ନିବେଦିତା, ନିରୁପମା । ବହୁ ପଛରେ ପଡ଼ି ଯାଇଛି ସମଗ୍ର ପୃଥିବୀ । ଗଭୀର ନିଦ୍ରାରେ ଆଚ୍ଛନ୍ନ ରହି ଅରୂପ ପାଇଛି ମହାଶ୍ୱେତାର ସ୍ପର୍ଶ । ନିଜ ବିଷୟରେ ଭାବିବାକୁ ବସି ଦେଖିବାକୁ ପାଇଚି ସେ ଦୁଇଟି ରୂପ ପିଆସୀ ଆଖି । ଦୂରରେ ରହିବାକୁ ଚେଷ୍ଟା କରି ସେ ଅନୁଭବ କରିଛି ନିବିଡ଼ ବନ୍ଧନ । ତରୁଣ ମନ ବନ୍ଦୀ ହୋଇଚି । ପଥ ହରେଇଛି, ପୁଣି ଫେରି ପାଇଛି । ଲକ୍ଷ୍ୟକରି ମାହେଶ୍ୱରୀ ଦେବୀ ଶ୍ୱସ୍ତିର ନିଶ୍ୱାସ ମାରିଛନ୍ତି । ଆଶୀର୍ବାଦ ଢାଳି ଚାହିଁଛନ୍ତି ଏ ବନ୍ଧନ ସୁଦୃଢ଼ ହେଉ । ତାହାହିଁ ହେବ । କିନ୍ତୁ ଅରୂପ ଏଥର ପାଇଁ ଗାଁକୁ ଯିବ । ସେଠି ତାର ବହୁ କର୍ତ୍ତବ୍ୟ ସେ ବାକି ରଖି ଆସିଚି ।

 

ଅରୂପର ଯିବା ଖବର କ୍ରମେ ମାହେଶ୍ୱରୀ ଦେବୀଙ୍କ ନିକଟରେ ପହଞ୍ଚିଲା । ତାକୁ କହିଲା ନିଜେ ଅରୂପ । ମହେଶ୍ୱତାକୁ ଆଗରୁ କିଛି ପଚାରି ବସିଲେ ନିଶ୍ଚୟ ସେ ଆପତ୍ତି ଉଠେଇବ-। ଅଭିମାନ କରି କୈଫିୟତ ମାଗିବ । କିନ୍ତୁ କୈଫିୟତ ଦେବାକୁ ଅରୂପର ଧୈର୍ଯ୍ୟ ନାହିଁ-। କିଛି ଗୋଟାଏ କହିଦେଲେ ଚଳନ୍ତା । କିନ୍ତୁ ସାମାନ୍ୟ କାରଣ ଦର୍ଶେଇ ମହାଶ୍ୱେତାକୁ ବୁଝେଇ ଦେବା ଆଦୌ ସମ୍ଭବ ନୁହେଁ । କିନ୍ତୁ ତାଙ୍କୁ ଅସନ୍ତୁଷ୍ଟ କରି ଚାଲିଯିବା ଅରୂପର ଇଚ୍ଛା ନୁହେ-। ମଣିଷ ଯେଉଁ କ୍ଷତ ଚିହ୍ନକୁ ଘୋଡ଼େଇ ଘୋଡ଼େଇ ଚାଲିବାକୁ ଇଚ୍ଛାକରେ ତାକୁ ମଧ୍ୟ ଲୁଗା ଖୋଲି ସେ ମହାଶ୍ୱେତାକୁ ଦେଖେଇ ଦେଇ ପାରିବ ନାହିଁ । ପୁରୁଷ ଜୀବନର ସବୁଠାରୁ ବଡ଼ ପରାଜୟକୁ ନାରୀର ଆଖି ଆଗରେ ପ୍ରକାଶ କରି ଦେବାର ସାହସ ଅରୂପର ନାହିଁ । ସେଥିଯୋଗୁଁ ସେ ମାତୃତ୍ୱର ଆଶ୍ରୟ ଲୋଡ଼ି ବସିଲା ।

 

ସବୁ ଶୁଣି ମାହେଶ୍ୱରୀ ଦେବୀ କିଛି ସମୟ ନୀରବ ରହିଲେ । ଅରୂପର ବିଚ୍ଛେଦରେ ମହାଶ୍ୱେତା ହୁଏତ ମ୍ରିୟମାଣ ହୋଇପଡ଼ିବ । ଏହା ପୂର୍ବରୁ ଏ ଘଟଣା ଯେ ତାଙ୍କର ଆଖି ଏଡ଼େଇ ଯାଇଚି ଏହା ନୁହେଁ । ଏଇଟା ମଧ୍ୟ ବଡ଼ କଥା ନୁହେଁ । ସଂସାର ନିତ୍ୟ ନୈମିତ୍ତିକ ଶତ ଶତ ଘଟଣା ମଝିରେ ଏହାର ସ୍ଥାନ । ପ୍ରଣୟର ଅଶ୍ରୁକୁ ଅସ୍ୱୀକାର କରି ନହେଲେ ସୁଦ୍ଧା କର୍ତ୍ତବ୍ୟକୁ ପାଦରେ ଠେଲି ଦେଇ ହେବନାହିଁ । ପିତା ମାତାର ପରିବାର ଅରୂପକୁ ଅପେକ୍ଷା କରି ରହିଛି । ତାକୁ ଯିବାକୁ ହେବ ।

 

ନିଜର ନିର୍ଭୁଲ ବିଚାରକୁ ଗ୍ରହଣ କରିନେଇ ମାହେଶ୍ୱରୀ ଦେବୀ ଅରୂପକୁ ଯିବାପାଇଁ ଅନୁମତି ଦେଇଦେଲେ । ନିଷ୍ଠୁରତା ନ ହେଲେ ମଧ୍ୟ ତାଙ୍କର ଏ ନିର୍ଦ୍ୱନ୍ଦ୍ୱ ଆଚରଣରେ ମହାଶ୍ୱେତାକୁ ଛାତିରେ ଆଘାତ ବାଜିଲା । କିନ୍ତୁ ଅଭିଯୋଗ ,ଅଭିମାନର ପ୍ରଶ୍ନ ଆଉ ଏଠି ଉଠିପାରେନା । ମାନସିକ ଦ୍ୱନ୍ଦ୍ୱ ତାର ଚିରନ୍ତନ । ସହର ଆଉ ମଫସଲ । ତଥାପି ଅରୂପ ତାକୁ ଗଭୀର ନିଃସଙ୍ଗତା ଭିତରେ ଫିଙ୍ଗି ଦେଇ ବାରମ୍ୱାର ଚାଲିଯାଏ । ଏ ଦୁଃଖ ତାର ନିଜସ୍ୱ । ହୁଏତ ଏହାର ଶେଷ ନାହିଁ ।

 

ସମସ୍ତଙ୍କ ପରେ ଯେଉଁ ନାରୀମୂର୍ତ୍ତିଟିର ଅନ୍ତର୍ଲିପି ଅପଢ଼ା ରହିଗଲା ସେ ପାର୍ଶ୍ୱଚାରିଣୀ । ଏଇ ବିଦାୟ ନାଟକରେ ତାର ଭୂମିକା କ୍ଷୁଦ୍ର । ନାୟିକା ନ ହେଲେ ମଧ୍ୟ ନାଟ୍ୟକାର ମତରେ ସେ ଉପନାୟିକା । ତାର ଆବିର୍ଭାବଟା ଯେମିତି ସମସ୍ତ ଜୀବନ ପୃଷ୍ଠାରେ ଅବିଚ୍ଛେଦ୍ୟ କିନ୍ତୁ ଗତିପଥ ତାର ସୀମିତ । କାର୍ଯ୍ୟପନ୍ଥା ତାର ସଙ୍କୁଚିତ । ଜୀବନ ରଙ୍ଗମଞ୍ଚରେ ନିରୋଳାରେ ସନ୍ତର୍ପଣରେ ସେ ବାରମ୍ବାର ଅବତୀର୍ଣ୍ଣ ହୋଇଚି ପୁଣି ସମସ୍ତ ବ୍ୟଥା ଅଶ୍ରୁକୁ ନିଜର କରି ସେ ନିଃଶବ୍ଦରେ ଫେରି ଯାଇଛି । କିନ୍ତୁ ପଥଧୂଳିରେ ତାର ପାଦଚିହ୍ନ ପଡ଼ି ରହିଛି । ଜୀବନର ନିଗ୍ରହରେ ସେ ହୁଏତ କାନ୍ଦିଚି-। କିନ୍ତୁ ଅସୀମ ଧୈର୍ଯ୍ୟ ସହିଷ୍ଣୁତାର ଅନ୍ତରାଳରେ ସେ ଅଶ୍ରୁ ଛପି ଯାଇଛି । ସଂସାରର ସମସ୍ତ କୁଟ, କାପଟ୍ୟ, ସନ୍ଦେହ, ଅବିଶ୍ୱାସ ମଝିରେ ସେ ଆସି ପହଞ୍ଚିଛି । ସର୍ବଜୟା...

 

ଅରୂପର ସମସ୍ତ ଚିନ୍ତା ରାଜ୍ୟରେ ଆନ୍ଦୋଳନ ଆସିଚି । କିନ୍ତୁ ସେ ନିରୁପାୟ ବନ୍ଦୀ ଦ୍ରଷ୍ଟା ମାତ୍ର । ହାତ ପାଦରେ ତାର ତାରୁଣ୍ୟର ଶିକୁଳି ଲାଗିଚି । ହୃଦ ମନ୍ଦିରରେ ଅନ୍ୟ ଏକ ରୂପାମ୍ବିକାର ପ୍ରତିଷ୍ଠା ହୋଇଛି । ପ୍ରାଣର ସମସ୍ତ ସରଗ ଢାଳି ସେ ତାର ଆରାଧନା କରିବ । ନ ହେଲେ ପ୍ରେମରାଜ୍ୟରେ ବିପ୍ଳବ ଆସିବ । ବିପନ୍ନ ହେବ ତାର ବ୍ୟକ୍ତିତ୍ୱ । ଅବମାନନା ହେବ ପ୍ରଣୟ ଦେବତାର । ସେଥି ଯୋଗୁ ନୀରବତା ହିଁ ଏଠି ଶ୍ରେୟ ।

 

ଅବଶେଷରେ ସେହି ବିଦାୟ ନାଟକ ଆଉ ଥରେ ଅଭିନୀତ ହୋଇଗଲା । ଆଶୀର୍ବାଦ ଭିକ୍ଷାକରି ମା ମାହେଶ୍ୱରୀ ଦେବୀଙ୍କର ପାଦ ଧୂଳି ଗ୍ରହଣ କଲା ଅରୂପ । ଆସନ୍ନ ବିରହର ବ୍ୟଥାରେ ମହାଶ୍ୱେତାର ହୃଦୟ ଭାଙ୍ଗି ପଡ଼ିଲା । ମୌନ ଅଶ୍ରୁର ଭାର ବୁକୁରେ ବହନ କରି ଦୂରରେ ଆତ୍ମଗୋପନ କଲା ସର୍ବଜୟା ବିଚ୍ଛେଦ, ଅଶ୍ରୁ, ଆଶିଷର ବୋଝ ମୁଣ୍ଡରେ ଗ୍ରହଣ କରି ଅରୂପ ତାର ଯାତ୍ରା ଆରମ୍ଭ କରିଦେଲା ।

 

ବସ୍‌ ଅଟକିଲା । ମଧ୍ୟାହ୍ନ ସୂର୍ଯ୍ୟର କିରଣ ପ୍ରଖର ହୋଇ ଉଠିଛି । ଯେଉଁ ଲୋକ ଖରା, ବର୍ଷା, ଶୀତର ଅନୁଭୂତିକି ନିଜର କରି ନେଇଛି ସେ ଏହି ମୁକ୍ତି ଆକାଶତଳେ ଉତ୍ତପ୍ତ ଭୂମି ଉପରେ ନଗ୍ନ ପଦରେ ଠିଆହୋଇ ରହିଛି । ଜଣ ଜଣ କରି ପଚାରି ସେ ନିଜ ସାମାର୍ଥ୍ୟର ଯାଚଞା କରୁଚି ।

 

ଅରୂପ ସାଙ୍ଗରେ ସାମାନ୍ୟ ଖଣ୍ଡେ ବ୍ୟାଗ୍‌ ମାତ୍ର ଅଛି । ବସରୁ ଓହ୍ଲେଇ ସେ ଆସି ରାସ୍ତା ଉପରେ ଠିଆ ହେଲା । ଘର ଏଠୁ ତିନିମାଇଲ ଦୂର । ଏ ଅଞ୍ଚଳରେ ସାଇକେଲ୍‌ ରିକ୍‌ସାର ଦେଖା ମିଳେନା । ତାର ଗତାଗତ ପାଇଁ ଏପର୍ଯ୍ୟନ୍ତ ମଧ୍ୟ କୌଣସି ସୁବନ୍ଦୋବସ୍ତ ହୋଇ ପାରି ନାହିଁ । ଦୀର୍ଘ ତିନି ମାଇଲ ପଥ ତାକୁ ପଦବ୍ରଜରେ ଅତିକ୍ରମ କରିଯିବାକୁ ହେବ । ସନ୍ଦେହ ନାହିଁ ।

 

ବ୍ୟାଗ୍‌ଟା ହାତରେ ଧରି ଚାଲିବାକୁ ଲାଗିଲା ଅରୂପ । ମଧୁପୁରରେ ପହଞ୍ଚିଲା ବେଳକୁ ଅପରାହ୍ନ ଆସି ଯାଇଥିବ । ଖୁବ୍‌ ଭଲ । ମଧୁମତିର ଶୋଭା ଦେଖି ଦେଖି ସେ ଚାଲିବ । ମନ୍ଦ କଣ-? ଯଦି ପାଦ ବ୍ୟଥା କରେ ବଟ ଛାୟାତଳେ ସେ ଆଶ୍ରୟ ଲୋଡ଼ିବ । ଯଦି ଶୋଷହୁଏ ଅଞ୍ଜଳି ଭରି ପୁଣ୍ୟ ମଧୁମତିର ଜଳ ପିଇବ । ଖରା, ବର୍ଷା, ଶୀତ-ନିଜର ଅନୁଭୂତି ସହିତ ଏକାକାର କରି ସେ ଚାଲିବ ।

 

ହାତଟା ଘୋଳେଇ ହୋଇ ପଡ଼ୁଛି । ବ୍ୟାଗ୍‌ର ଭାର ବହନ କରିବାକୁ ସେ ଏକପ୍ରକାର ଅସମର୍ଥ ହେଇପଡ଼ିଲାଣି । ନହେଲା ବା ସେ କାନ୍ଧରେ ଉଠେଇ ନେବ । କ୍ଷତି କଣ ? ଏଇଟା କଟକ କିମ୍ବା ଗୋପାଳପୁର ହୋଇଥିଲେ ରିକ୍‌ସାରେ ରଖାଯାଇ ପାରି ଥାଆନ୍ତା । ନ ହେଲେ ମହାଶ୍ୱେତାର ଚାକର ଟୋକା ଯୋଗୀ କାନ୍ଧରେ ଧରି ତାର ସାଙ୍ଗେ ସାଙ୍ଗେ ଚାଲି ଥାଆନ୍ତା । କିଛି ନ ଜୁଟିଲେ ବି ମହାଶ୍ୱେତା ଅନ୍ତତଃ ସହାନୁଭୂତି ପ୍ରକାଶ କରି ପାରିଥାଆନ୍ତା ।

 

କଳ୍ପନା ପ୍ରବଣତା ଆଦୌ ଠିକ ନୁହେଁ, ବାଟ ଭୁଲି ଆସିଲାଣି ଅରୂପ । ମୋଡ଼ଘୂରି ସିଧା ସେ ଆସି ମଧୁମତିର କୂଳ ପାଇଲା । ଏଇ ତାଙ୍କର ଚଲାବାଟ । ବୈଶାଖର ପ୍ରଭାବ ଏଠି ନାହିଁ । ବନସ୍ପତିର ଶାନ୍ତଛାୟା ସମସ୍ତ ତୀରଭୂମିକୁ ଆଚ୍ଛନ୍ନ କରି ରଖିଛି । ପାଦ ତଳର ପୃଥିବୀ ସ୍ପର୍ଶ କରି ଜଳଧାରା ଛୁଟି ଚାଲିଚି, କାହିଁ କେଉଁ ସାଗର ଉଦ୍ଦେଶ୍ୟରେ । କ୍ଷଣକ ଭିତରେ ଅରୂପର ସମସ୍ତ କ୍ଳାନ୍ତି ଅବସାଦ ଦୂର ହୋଇଗଲା । ଇଚ୍ଛା ହେଲା ସେ ଏହି ପଥଧୂଳିରେ ଆଶ୍ରୟ ନେବ । ଦୁଇବାହୁ ମେଲି ନିଜର ଜନ୍ମମାଟିକି ଆଲିଙ୍ଗନ କରିନେବ ।

 

କ୍ଷିପ୍ର ପଦକ୍ଷେପରେ ଆଗେଇବାକୁ ଲାଗିଲା ଅରୂପ । ତାକୁ ଘରେ ପହଞ୍ଚିବାକୁ ହେବ । ଯେଉଁଟାର ମୋହ ମହାଶ୍ୱେତାର ଜୀବନରେ ଅବିନାଶ । ହୁଏତ ସେହି ଦୁଇ ଅକ୍ଷରର ଅର୍ଥ ଏବେସୁଦ୍ଧା ସର୍ବଜୟା ନିକଟରେ ଦୁର୍ବୋଧ୍ୟ ରହିଯାଇଛି । କିନ୍ତୁ ମହାଶ୍ୱେତା ଅନ୍ଧ । ଠିକ୍‌ ଅନ୍ଧ ନ ହେଲେ ମଧ୍ୟ ଆଖିରେ ତାର ଇସ୍‌ପାତି ସଭ୍ୟତାର ପରଳ ମାଡ଼ି ଯାଇଚି ।

 

ସମସ୍ତ ପଥ ଅତିକ୍ରମ କରି ଅରୂପ ଆସି ଘରେ ପହଞ୍ଚିଲା । ଖରା ମଉଳି ଯାଇଚି । କପାଳରୁ ତାର ଥୋପି ଥୋପି ଝାଳ ଖସି ଆସୁଚି । ମନର ଆନନ୍ଦ ଆବେଗ ଅକ୍ଷୟ ଥିଲେ ମଧ୍ୟ ପଥ କ୍ଳେଶ ଆଉ ଅସହ୍ୟ ଉତ୍ତାପ ସହି ନ ପାରି ପ୍ରିୟଦର୍ଶନ ଚେହେରାଟା ମଳିନ ଦିଶୁଚି । ପେଟର ଜ୍ଜାଳାରେ ହସ୍ତପଦର ଶୀଥିଳତା ଆସିଯାଇଛି ।

 

ଅରୂପ ଆସିଚି, ଏ ଖବର ପାଇ ପୁତ୍ରପ୍ରାଣା ଜନନୀ ଅଥୟ ହୋଇ ଧାଇଁ ଆସିଲେ । ସମସ୍ତ ସମ୍ଭ୍ରମର ମୁଣ୍ଡ ଖାଇ କୀର୍ତ୍ତିମାଳ ଦୌଡ଼ି ଦୌଡ଼ି ଆସି ବଡ଼ଭାଇର ପାଦତଳେ କଚାଡ଼ି ହୋଇ ପଡ଼ିଲା । ଆଘାତ ଉପେକ୍ଷା, ଅପମାନ, ଅଭିମାନରେ ନାରୀହୃଦୟ ଯେପରି ଫାଟିପଡ଼ିବ । କିନ୍ତୁ ଆସିଲେ ନାହିଁ ଏକା ପଦାରବିନ୍ଦ ରାୟ । ବାହାର ଚଉପାଢ଼ିରେ ସେ କଣ ଏକ ଗ୍ରାମ୍ୟ ନିଶାପରେ ବିଚାରପତିର ଆସନ ଗ୍ରହଣ କରିଥିଲେ । ପିତୃ ହୃଦୟର ଭାବାବେଗକୁ ସେ ସବୁ ସମୟରେ ଦମନ କରି ଆସିଛନ୍ତି ।

 

କୀର୍ତ୍ତିମାଳାକୁ ତଳୁ ଉଠେଇ ବୁକୁରେ ତୋଳିଧରିଲା ଅରୂପ, ସାନ୍ତ୍ୱନାର ଭାଷା ଏଠି ପ୍ରୟୋଜନ ନାହିଁ । ନାରୀ ଅନ୍ତର ସହାନୁଭୂତି ଚାହେଁନା, ଚାହେଁ କେବଳ ନୀରବ ଅଶ୍ରୁର ଶୀତଳତା-। ଅରୂପ ଧାର ଧାର ଲୁହ ଝରେଇ କାନ୍ଦିବାକୁ ଲାଗିଲା ।

 

ଅରୂପ ଫେରିଛି, ଏ ସମ୍ୱାଦ ଖୁବ୍‌ ଶୀଘ୍ର ଗାଁ ସାରା ବ୍ୟାପିଗଲା । ହାତରେ କାମ ଛାଡ଼ି ଅଶିକ୍ଷିତ ଗ୍ରାମ୍ୟ ଯୁବକ ଜଣ ଜଣ କରି ଛୁଟି ଆସିଲେ । ଧୂଳିଘର ଛାଡ଼ି ଦୌଡ଼ି ଆସିଲେ ଶିଶୁ । ବାଡ଼ି ଧରି ଧୀରେ ଧୀରେ ଚାଲିଆସି ପହଞ୍ଚିଲେ ବୃଦ୍ଧ । ଅରୂପ ସମସ୍ତଙ୍କ ପ୍ରିୟ, ଆତ୍ମୀୟ ଆଲୋକର ବର୍ତ୍ତିକା । ରକ୍ତର ଅହମିକା ତାର ନାହିଁ । ଶିକ୍ଷାର ଅଭିମାନ ନାହିଁ । ସମସ୍ତଙ୍କ ସହିତ ହସି ହସି ମିଶିଯାଇ ସେ ଯେଉଁ ସମ୍ପତ୍ତି ଗୋଟଇ ପାଇଛି, ଦରିଦ୍ର ଅଶିକ୍ଷିତ ଗ୍ରାମବାସୀର ପ୍ରାଣରେ ସେ ଯେଉଁ ଅମୃତର ଧାରା ଢାଳିଛି: ତାହା ଅକ୍ଷୟ, ଚିରନ୍ତନ ।

 

ନମସ୍କାର, ଅଭିବାଦନ, ମଞ୍ଜୁବାଣୀ, ଯାହା ଶାସ୍ତ୍ରସିଦ୍ଧ ବୋଲି ପ୍ରଚଳିତ ଅଛି, କେଉଁଟା ବାକି ରହିଲା ନାହିଁ । କିନ୍ତୁ ଚାରିଆଡ଼େ ଥରେ ତାର ସତର୍କ ଦୃଷ୍ଟି ବୁଲିଆସିଲା । ବାବାଙ୍କ ଆଖିରେ ଏ ମିଳନ ସମ୍ଭାଷଣ ଅତ୍ୟନ୍ତ ଦୋଷାବହ ।

 

ଅରୂପ ଭାରି କ୍ଳାନ୍ତ । ପରେ ଦେଖାହେବ କହି କଣ କଣ କରି ସମସ୍ତେ ବିଦାୟ ନେଇଗଲେ । ମା,ମା ଡାକି ଭିତରକୁ ଆସିଲା ଅରୂପ । ମା ଯେମିତି ଏହା ଭିତରେ କେଉଁ ଏକ କାମରେ ଲାଗି ପଡ଼ିଛନ୍ତି । କୀର୍ତ୍ତିମାଳା ମଧ୍ୟ ନାହିଁ । ଅଭାଗୀ ଦୁଃଖର ଆବେଗରେ ଯେମିତି କେଉଁଠି ମୁହଁ ଲୁଚେଇଚି ।

 

ଖାଇବା ପିଇବା ସରୁ ସରୁ ପ୍ରାୟ ଦୁଇଘଣ୍ଟା ବିତିଗଲା । କୀର୍ତ୍ତିମାଳାକୁ ସାଙ୍ଗରେ ଖୁଆଇଲା ଅରୂପ । ପିଲାଦିନୁ ତାର ଯେଉଁ ଅଭ୍ୟାସ ଅଛି, ଏବେ ତାର କୌଣସି ବ୍ୟତିକ୍ରମ ଘଟିଲା ନାହିଁ । ମା ସେମାନଙ୍କୁ ସେମିତି ଗଢ଼ିଛନ୍ତି । ତାଙ୍କର ଧାରଣା ଏକାପେଟରୁ ବାହାରି ଦୁଇଟା ଥାଳିରେ ଖାଇଲେ ମନ ଦି’ଫାଙ୍କ ଧରିବ । ଅବଶ୍ୟ ସ୍ଥାନ ବିଶେଷରେ ବା କାଳ ବିଶେଷରେ ଏ ନିୟମରେ ପରିବର୍ତ୍ତନ କରା ଯାଇପାରେ । ଅନେକ କ୍ଷେତ୍ରରେ; ଅଶିକ୍ଷିତା ସରଳା ନାରୀ ମନର ଧାରଣା ଯେ ସତ୍ୟ ରୂପ ନ ନେଇଛି ଏହା ନୁହେଁ । ଜନନୀର ସେହି ଶିକ୍ଷା, ଆଦେଶ, ଆଦର୍ଶ ଗ୍ରହଣ କରି ସୁଶିକ୍ଷିତ ଯୁବକ ଅରୂପର ଏବେସୁଦ୍ଧା ମନେହୁଏ କୀର୍ତ୍ତିମାଳା ଯେମିତି ତାର ସେହି ଧୂଳିଖେଳର ସାଥୀ ଛୋଟ ଭଉଣୀ ।

 

ସେହି ଛୋଟ ଭଉଣୀର ବୟସ ଅବଧି ବିଂଶ ସୀମିତ ହୋଇ ରହିଛି । ବୈବାହିକ କାଳ ତାର ଶିଶୁପାଠର ପଞ୍ଚମ ସଂଖ୍ୟା ପାର ହୋଇଗଲାଣି । ଆନନ୍ଦ ବଦଳରେ କୀର୍ତ୍ତିମାଳା ପାଇଛି ଉପେକ୍ଷା, ମଧୁ ବଦଳରେ ଭୋଗୁଛି ମନସ୍ତାପ । ମନେଅଛି ,ନାବାଳକ ହେଲେ ବି ସେତେବେଳେ ସାନ ଭଉଣୀର ବିବାହରେ ଅରୂପ ତୀବ୍ର ପ୍ରତିବାଦ ଉଠେଇଥିଲା । ଫଳରେ ତିରସ୍କାର ହିଁ ହେଲା ତାର ଶ୍ରେଷ୍ଠ ପ୍ରାପ୍ୟ । ସ୍ୱାମୀ ବୋଲି କୀର୍ତ୍ତିମାଳା ଯାହାକୁ ପାଇଲା ତାକୁ ମଣିଷ ଆଖ୍ୟା ଦିଆଯାଇ ପାରେ କି ନାହିଁ ପାଞ୍ଚବର୍ଷ ତଳେ ଅରୂପ ମନରେ ସନ୍ଦେହ ଆସିଥିଲା । ବ୍ୟକ୍ତିତ୍ୱର ଦୃଢ଼ତା ନ ଥିଲେ ମଣିଷ ଘଟଣାରେ କ୍ରୀଡ଼ନକ ହୁଏ । ନିଜର ଅଜ୍ଞାତରେ ଦୁର୍ଭାଗ୍ୟ ସୃଷ୍ଟିକରି ବସେ । ଯାହାର ପରିଣତି ଉପଲବ୍‌ଧି କରିବାକୁ ସେ ଆଉ ଅବସର ପାଏ ନାହିଁ । ତାର ଅନିଛାରେ ତାକୁ ନେଇ ରଚନା ହୁଏ ତା ଜୀବନର ଇତିହାସ । ଯାହା ଉପରକୁ ତାର ଆଉ କୌଣସି ହାତ ରହେନାହିଁ ।

 

ରାତିରେ ତାର ବାପାଙ୍କ ସହିତ ଅରୂପର ଦେଖାଗଲା । ଦିନଯାକର କାମତୁଟେଇ ପଦାରବିନ୍ଦ ରାୟ ନିରୋଳାରେ ବସିଥିଲେ । ଜମି ଜମା, ଗାଁ ନିଶାପ, ଆତ୍ମାର ସଦ୍‌ଗତି ପାଇଁ ଗୀତାପାଠ ତାଙ୍କର ସମସ୍ତ ମୁହୂର୍ତ୍ତ ଆଚ୍ଛନ୍ନ କରି ରଖିଥାଏ । ବାକି ଏଇତକ ସମୟ ପରିବାର ସହିତ ତାଙ୍କର ଯୋଗ ସୁତ୍ରସ୍ଥାପନ କରେ । ଆଜି ମଧ୍ୟ ତାର ବ୍ୟତିକ୍ରମ ହେଲାନାହିଁ ।

 

ବାପାଙ୍କର ପାଦ ଛୁଇଁ ଅରୂପ ଭୂମି ପ୍ରଣାମ ଜଣେଇଲା । ପଦାରବିନ୍ଦ ରାୟଙ୍କ ଆଖିଆଗରେ ତାର ଆବିର୍ଭାବଟା ସଂପୂର୍ଣ୍ଣ ଆକସ୍ମିକ । ନିର୍ବାକ ବିସ୍ମୟରେ ପୁଅକୁ କିଛିକ୍ଷଣ ଅନେଇ ରହିଲେ ରହିଲେ ସେ । ତାଙ୍କ କଠୋର ବଳିଷ୍ଠ ଚେହେରାର କୌଣସି ଅଙ୍ଗରେ ବାତ୍ସଲ୍ୟର ଆଭା ଫୁଟିଲା ନାହିଁ । ବିସ୍ମୟତା କାଟି ସେ ଆସ୍ତେ ଆସ୍ତେ ଗମ୍ଭୀର ହୋଇଉଠିଲେ । ଯେଉଁ ହୃଦୟ ଦିନେ ପ୍ରଣୟୋଚ୍ଛଳ ହୋଇ ଉଠିନାହିଁ । ଯେଉଁ ଓଠ ଦୁଇଟି ଥରେ ସନ୍ତାନର କପାଳ ସ୍ପର୍ଶ ପାଇଁ ଅଧୀର ହୋଇ ଉଠିନାହିଁ, ଅରୂପ ପାଇଁ ସେଠୁ ଆଜି କୌଣସି ସ୍ନେହାଶୀଷର ଧାରା ଛୁଟିଆସିଲା ନାହିଁ । କେବଳ ସଂକ୍ଷେପରେ ସେ ପୁଅକୁ ପଚାରିଲେ, ଗୋପାଳପୁରରୁ କେବେ ଫେରିଲୁ ? ଦୁଇ ତିନି ଦିନ ହେବ ।

 

ଏହାପରେ ଆଉ କୌଣସି ପ୍ରଶ୍ନ ଆସିଲା ନାହିଁ । କିଛିକ୍ଷଣ ଅବଧି ନୀରବତା ବିରାଜମାନ କଲା । ବାହାରେ ନିସ୍ତବ୍‌ଧ ରାତି ଭିତରେ ଏହି ଅଖଣ୍ଡ ନୀରବତା ଯେପରି ଅରୂପକୁ ଦଂଶନ କରିଚାଲିଲା । ଏକ ସମୟରେ ଅସ୍ଥିର ଭାବରେ ସେ ପଚାରି ଉଠିଲା, ମାଳାକୁ ତା ଶଶୁର ଘରୁ ନେଇ ଆସିଲେ କାହିଁକି ?

 

କାରଣଟା ଖୁବ୍‌ ଜଣାଶୁଣା ।

 

ଏଇଟା କଣ ଠିକହେଲା ବୋଲ ଭାବୁଛନ୍ତି ।

 

ପଦାରବିନ୍ଦ ରାୟଙ୍କର ବୁଝିବାକୁ କିଛି ବାକି ରହିଗଲା । କିନ୍ତୁ ସେଥିପାଇଁ ସେ ଭାଷା ବିନିମୟର ଆବଶ୍ୟକତା ଆଦୌ ଉପଲବ୍‌ଧି କରିପାରିଲେ ନାହିଁ । ପୁଅ ଉପରେ ସନ୍ଦିଗ୍‌ଧ ଦୃଷ୍ଟି ରଖି ପାଷାଣମୂର୍ତ୍ତି ପରି ବସି ରହିଲେ । ଅରୂପ କହିଲା, ମାଳାକୁ ହଠାତ୍‌ ସେଠୁ ନେଇ ଆସିବା ଠିକ ହୋଇ ନାହିଁ । ତାର ଶଶୁର ଶାଶୁ ଏଥିପାଇଁ ଅନୁମତି ଦେଇ ପାରିଲେ ତ ?

 

ଘନଗମ୍ଭୀର ସ୍ୱରରେ ପଦାରବିନ୍ଦ ରାୟ କହିଲେ, ଅନୁମତି ଯେଉଁଠି ଖୋଜା ନାହିଁ ସେଠି ଦବା ନ ଦେବାର ପ୍ରଶ୍ନ ଆଦୌ ଉଠେନାହିଁ । ତାହା ଛଡ଼ା ରାୟବଂଶୀ ଅନ୍ୟର ବିଚାର ଉପରେ ନିଜକୁ ଚଳେଇବାକୁ ଘୃଣା କରେ ।

 

କଥା କଥାକେ ପଦାରବିନ୍ଦ ରାୟ ନିଜ ବଂଶର ଉଲ୍ଲେଖ କରନ୍ତି । ବିଂଶ ଶତାବ୍ଦୀରେ ଏ ପ୍ରକାର ଅହମିକାର କୌଣସି ମୂଲ୍ୟ ନାହିଁ । ଏଥିପାଇଁ ଯେ ଅରୂପ ତା ବାପାଙ୍କ ନିକଟରେ କର୍ମ ଲାଞ୍ଚିତ, କର୍ମ ମର୍ମାହତ, ହୋଇଛି ଏହାନୁହେଁ । ରାୟପରିବାରର ଇତିହାସ ପୃଷ୍ଠା ଓଲଟେଇଲେ ଆଜି କେବଳ ଆଖିରେ ପଡ଼ିବ ଅତ୍ୟାଚାର, ଉତ୍ପୀଡ଼ନ, ଶୋଷଣ । ପରିବାର କହିଲେ କେତେ ଜଣ ଗ୍ରାମ୍ୟ ଟାଉଟର, ନିଷ୍କର୍ମା, ଗୁଣ୍ଡା ଆଉ କେତେଜଣ ଅନ୍ଧକାର ବାସିନୀ ଅଶିକ୍ଷିତା ନାରୀ । ଆଗାମୀ କାଲି ରାୟବଂଶର ଉତ୍ତାରାଧିକାରୀ ରୂପେ ଯେଉଁମାନେ ଠିଆ ହେବେ, ସେମାନେ ରୁଗ୍‍ଣ, ମଳିନ, ଦାରିଦ୍ର୍ୟର କଷାଘାତରେ ସେମାନଙ୍କର ମେରୁଦଣ୍ଡ ଆସ୍ତେ ଆସ୍ତେ ଭାଙ୍ଗି ପଡ଼ୁଛି । ବୁନଆଦର ଭଗ୍ନାବଶେଷ ରୂପେ ଯାହା ରହି ଯାଇଛି ତାହା କେବଳ ମଣିଷ ଜୀବନର କଳଙ୍କ । ତଥାପି ପଦାରବିନ୍ଦ ରାୟ ସେହି କଳଙ୍କର ଟୀକା କପାଳରେ ପିନ୍ଧି ବଂଶଗୌରବ ଆଉ ଗର୍ବରେ ମାନବ ଧର୍ମ ଭୁଲିବସିଛନ୍ତି । ଆଉ ତାଙ୍କର ସେହି ଗର୍ବ ବୋଧ ନିକଟରେ ସ୍ତ୍ରୀ, ପୁତ୍ର ଆତ୍ମୀୟ ସ୍ୱଜନର ସ୍ଥାନ ନାହିଁ । କିନ୍ତୁ ଆଜି ଯେପରି ସଂଯମର ସୀମା ରେଖା ଡେଇଁ ଅରୂପର ପୁତ୍ରପ୍ରାଣ ବିଦ୍ରୋହୀ ହୋଇଉଠିଲା ।

 

କଣ୍ଠରେ ଅସହିଷ୍ଣୁତା ଧରି ସେ ଜବାବ ଦେଇ କହିଲା, ଏହି ଘୃଣା ହିଁ ରାୟବଂଶକୁ ପତନର ଚରମକୁ ନେଇ ଯାଇଚି ଆଜି ।

 

ସଂପୂର୍ଣ୍ଣ ଅପ୍ରତ୍ୟାଶିତ ଉତ୍ତର । ଦେଖୁ ଦେଖୁ ପଦାରବିନ୍ଦ ରାୟଙ୍କର ସମସ୍ତ ଚେହେରାଟା ହିଂସ୍ର ହୋଇ ଉଠିଲା । ଆଖି ଦୁଇଟାରୁ ଛିଟିକି ଆସିଲା ସ୍ଫୁଲିଙ୍ଗ । ପୁଅକୁ କିଛି ସମୟ କ୍ରୁର ଦୃଷ୍ଟିରେ ଅନେଇ ରହି କଠୋର କଣ୍ଠରେ ସେ କହିଲେ, ତମେ ବୋଧେ ଭଲକରି ଜାଣିଥିବ ବଂଶପାଇଁ ବିଶୁମହାରଣା ନିଜ ଇଚ୍ଛାରେ ନିଃସନ୍ତାନ ହୋଇଥିଲା ।

 

ବୁଝିଲି, ଆପଣ ସେଥିପାଇଁ କୀର୍ତ୍ତିମାଳାକୁ ଜୀବନ୍ତ ସମାଧି ଦେଇ ପାରିଚନ୍ତି ।

 

ଆଉରି ତମେ ଜାଣି ରଖ ଦରକାର ପଡ଼ିଲେ ତମକୁ ମଧ୍ୟ ନିଜ ହାତରେ ମୁଁ ଟିକେ ଟିକେ କରି କାଟି ସୁଖାଦ୍ୟ ପ୍ରସ୍ତୁତକରି ଦେଇ ପାରିବି ।

 

ବାବା....

 

ହଠାତ୍‌ ଚିତ୍କାର କରି ପଦାରବିନ୍ଦ ରାୟଙ୍କ ପାଦତଳେ କଚାଡ଼ିହୋଇ ପଡ଼ିଲା କୀର୍ତ୍ତିମାଳା-। ସଂପୂର୍ଣ୍ଣ ଅଭାବିତ ପରିସ୍ଥିତି । ଅରୂପର ତୁଣ୍ଡରେ ଆଉ କୌଣସି ଉତ୍ତରର ଭାଷା ଫୁଟିଲା ନାହିଁ-। ସେ କେବଳ ନିର୍ବାକ ହୋଇ ଅନେଇ ରହିଲା । ଘରର ଚଟାଣରେ ଅଶ୍ରୁ ବିହ୍ୱଳା କୀର୍ତ୍ତିମାଳା ପଡ଼ି ରହିଛି । ହତଭାଗୀର ଗୋଟିଏ ଦିନ ସୁଖରେ କଟିଲା ନାହିଁ । ପିତୃବଂଶର ଅହମିକାରେ ତାର ବର୍ତ୍ତମାନ ପୋଡ଼ିଜଳି ଛାର ଖାର ହୋଇ ଯାଇଛି । ଭବିଷ୍ୟତର ଆଶା ହୁଏତ ଥିଲା ତାର-। କିନ୍ତୁ ଆଜି ଯେପରି ନିଜ ହାତରେ ସେଥିରେ ଅଗ୍ନି ସଂଯୋଗ କରିଦେଲା ଅରୁପ । କାହିଁକି ଯେ ଆଜି ନିଜର ସଂଯମ ହରେଇ ଏମିତି ଏକ ପରିବେଶ ସୃଷ୍ଟିକରି ବସିଲା, ତାହା ନିଜର ଭାବନାରେ ମଧ୍ୟ ସେ ଅବଧାରଣା କରି ପାରିଲା ନାହିଁ । ବିବେକର ଧିକ୍‍କାରରେ ସେ ଅଥୟ ହୋଇ କମ୍ପିତ ସ୍ୱରରେ ଡାକି ଉଠିଲା, ମାଳା......

 

ଅଶ୍ରୁତରଙ୍ଗର ଆଘାତରେ କୀର୍ତ୍ତିମାଳାର କ୍ଷୀଣ ଅଙ୍ଗ ଘନ ଘନ କମ୍ପିବାକୁ ଲାଗିଲା । ଅପରାଧ ଭାରରେ ଅରୂପର ହୃଦୟ ଭାଙ୍ଗି ପଡ଼ିଲା । କିନ୍ତୁ ପଦାରବିନ୍ଦ ରାୟ ଅଟଳ । ଆରକ୍ତ ଆଖି ଦୁଇଟାରେ ଯେମିତି ପ୍ରଳୟର ସର୍ବଗ୍ରାସୀ ଅଗ୍ନି ଜଳି ଉଠୁଛି । କାନ ପାଖରେ ଦୀର୍ଘ ଗାଲମୁଚା ଆଉ ବାଘୁଆ ନିଶ ଦୁଇପଟ ବାରମ୍ବାର ଥରି ଉଠି ସ୍ଥିର ହୋଇ ଯାଉଛି ।

 

ଅରୂପର ଆଖିରୁ ଧାର ଧାର ଲୁହ ବହି ଆସିଲା । କୀର୍ତ୍ତିମାଳାକୁ ଉଠେଇ ଧରି ଅଶ୍ରୁଜଡ଼ିତ କଣ୍ଠରେ ସେ କହିଲା, ମତେ କ୍ଷମାକର ମାଳା ! ମୋର ସମସ୍ତ ଜୀବନଟାକୁ ତୁ ଧିକ୍‌କାର ଦିଏ । ଅଭିଶାପ ଦିଏ ତୋ ଭାଇ ତୋ ସହିତ ପୋଡ଼ିଜଳି ପାଉଁଶ ହୋଇଯାଉ ।

 

କୀର୍ତ୍ତିମାଳା କୌଣସି ଜବାବ ଦେଇ ପାରିଲା ନାହିଁ । କେବଳ ଇହଜନ୍ମର ସମଭାଗୀ ବଡ଼ଭାଇର ବୁକୁରେ ମୁଣ୍ଡରଖି ନୀରବରେ କାନ୍ଦିବାକୁ ଲାଗିଲା । ସେ ଯେମିତି ଆଜି ଲାଞ୍ଛିତ ଜୀବନର ସମସ୍ତ ଅଶ୍ରୁ କାନ୍ଦି ନେବାକୁ ଚାହୁଁଚି ।

 

ଗାଁରେ ପ୍ରାୟ ଗୋଟଏ ସପ୍ତାହ କଟିଗଲା । ସମସ୍ତ ଦିନ ଯେମିତି ଗଭୀର ନିରବତା ଭିତର ଦେଇ ଅତିବାହିତ ହୋଇଗଲା । ସେହି ଯେ ତାର ବାପାଙ୍କ ସହିତ ପ୍ରଥମ ଥରପାଇଁ ଅରୂପର କଥାବାର୍ତ୍ତା ହୋଇ ଗୋଟାଏ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଯାଇଥିଲା, ତାପରେ ବାପା ପୁଅଙ୍କ ମଝିରେ ଆସି ଯାଇଛି ଏକ ଅଖଣ୍ଡ ନିରବତା । ସେଇଟା ଥିଲା ପୁରାତନ ଆଉ ଆଧୁନିକତାର ଦୀର୍ଘ ବ୍ୟବଧାନ । ସେ ବ୍ୟବଧାନ ଅତିକ୍ରମ କରି ଦୁଇଟି ଭିନ୍ନ ମୁଖୀ ସଭ୍ୟତା ନିଜ ଭିତରେ ସନ୍ଧି ସ୍ଥାପନ କରିବା ଏକାନ୍ତ ଅସମ୍ଭବ । ସନ୍ଦେହ ନାହିଁ ଏଇଟା ସ୍ୱାଭାବିକ । ଗୋଟିଏ ନଦୀର ଦୁଇଶାଖା ଦୁଇଦିଗ ଆବୋରି ବହି ଯାଇଛି । ଏହାର ଗତି ନିର୍ଣ୍ଣୟ କରିବା ସହଜ ନୁହେଁ । ଦୁଇଧାରା ନିଶ୍ଚୟ ସାଗର ସଙ୍ଗମ ଲାଭ କରିବ । କିନ୍ତୁ ତାର ସମୟ ନିର୍ଦ୍ଧାରଣ କରିବା ସହଜ ନୁହେଁ !

 

ତଥାପି ଅରୂପ ଭାରି ଅନୁତପ୍ତ । ଏ ଅବଧି ବାପାଙ୍କର ସାମ୍‌ନା ସାମ୍‌ନି ହେବାକୁ ତା ଭିତରେ ଯେଉଁ ସଙ୍କୋଚ, ଯେଉଁ ସମ୍ଭ୍ରମ ଥିଲା ସେ ଆଜି ତାର ମୁଣ୍ଡଖାଇ ବସିଛି । ଜୀବନରେ ଏ ଏକ ଦୁର୍ଘଟଣା । ଏ ପ୍ରକାର ଉତ୍ତେଜନା ଏହି ପ୍ରଥମଥର ପାଇଁ ଅରୂପ ଭିତରେ ଦେଖାଦେଲା । ଶାନ୍ତି ସଂଯମୀ ଆତ୍ମସ୍ଥ ଯୋଗୀ ସଂଗ୍ରାମ ପାଇଁ ଅସ୍ତ୍ର ତୋଳି ନେଲା ଆଉ ସେହି ଅସ୍ତ୍ରର ପ୍ରଥମ ଆଘାତ ବାଜିଲା ତା ପରମ ଆତ୍ମାର ବୁକୁରେ ।

 

ଆତ୍ମଗ୍ଳାନି, ଚିତ୍ତଖେଦ, ଅନୁଶୋଚନା ଏଗୁଡ଼ିକ ବାହୁଲ୍ୟ ମାତ୍ର । ଅରୂପର ଗାଁରେ ଚାଷୀ ମୂଲିଆଙ୍କ ଭିତରେ ସମସ୍ତ ଦିନ କଟିଯାଏ । ଏମାନଙ୍କ ପାଇଁ ତାର ଏକ ବିଶେଷ ସଦିଚ୍ଛା ଅଛି । ଗ୍ରାମୋଚିତ ସକଳ ସଂକୀର୍ଣ୍ଣତା, ଅଶିକ୍ଷା କୁସଂସ୍କାର ଭିତରୁ ଏହି ନିଷ୍ପେଷିତ କାଙ୍ଗାଳମାନଙ୍କୁ ଉଦ୍ଧାର କରି ଏକ ସୁସ୍ଥ ଶୋଭନ ଜୀବନର ସନ୍ଧାନ ଦେଇପାରିଲେ ଯେପରି ନିଜ ଶିକ୍ଷାରେ ସଫଳତା ହାସଲ କରି ବସିବ । ପଲ୍ଲୀର ଘୋର ଅସୁସ୍ଥ, ଅନ୍ଧକାର ମଝିରେ ସେ ପ୍ରସ୍ତୁତ କରିନେବ ନିଜର କର୍ମକ୍ଷେତ୍ର । ବିଶାଳ ପୃଥିବୀର ଦୁଃଖଦୁର୍ଦ୍ଦଶା, ସୁଖ ସମ୍ପଦ ସହିତ ନିଜକୁ ତିଳ ତିଳ କରି ଏକାକାର କରିଦେଇ ପାରିଲେ ସେହି ହେବ ତା କବି ଜୀବନର ସାର୍ଥକତା, ସେଥିପାଇଁ ଉଦ୍ୟମ ଦରକାର, ସାଧନା, ଧୈର୍ଯ୍ୟ ଦରକାର ।

 

ଅବକାଶ ସମୟରେ ଅରୂପ କୀର୍ତ୍ତିମାଳା ନିକଟରେ ବସି ନାନାକଥା କହେ । ଦେଶ ବିଦେଶର ସାମାଜିକ ସଂସ୍ଥା, ନାରୀ ପ୍ରଗତି, ଶିଶୁ ଅନୁଷ୍ଠାନ । ଭାରତୀୟ ପଲ୍ଳୀ ଜୀବନର ଦୁରାବସ୍ଥାଠାରୁ ଆରମ୍ଭ କରି, ସରକାରଙ୍କର ଗ୍ରାମଗୋଷ୍ଠୀ ଉନ୍ନୟନ ଯୋଜନା ପୁଣି ତାକୁ କାର୍ଯ୍ୟକାରୀ କରିବାର ଅବିଶ୍ରାମ ଚେଷ୍ଟା, ନାରୀକଲ୍ୟାଣ, ମାତୃମଙ୍ଗଳ ପ୍ରୌଢ଼ ଶିକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ଗୋଟି ଗୋଟି କରି ବୁଝେଇଦିଏ ଅରୂପ । ସରଳା ଗ୍ରାମ୍ୟନାରୀ ସ୍ତବ୍‌ଧ ହୋଇ ବଡ଼ଭାଇର କଥାଶୁଣି ଯାଏ । ଅନ୍ତରର କେଉଁ ନିଭୃତରେ ବିଦ୍ରୋହାଗ୍ନି ଜଳିଉଠେ । ମୁକ୍ତି ପିଆସୀ ପ୍ରାଣପକ୍ଷୀ ନୂତନ ପ୍ରେରଣାର ଜୀବନ୍ୟାସରେ ଧୀରେ ଧୀରେ ଜାଗିଉଠେ । ଝଡ଼ ରାତିର ଅନ୍ଧକାର କାଟି ଆଖିଆଗରେ ଆସ୍ତେ ଆସ୍ତେ ଦିଶେ ଆଲୋକର ବର୍ତ୍ତିକା । ପିତ୍ରାଳୟର ସମସ୍ତ କୁ ସଂସ୍କାରର ନାଗଫାଶରେ ଆବଦ୍ଧ ରହି ବନ୍ଦୀବିମୋକ୍ଷ ଜୀବ ଚିତ୍କାର କରିଉଠେ ତ୍ରାହି.....ତ୍ରାହି.....ଶ୍ୱଶୁରାଳୟର ସମସ୍ତ ଦୁଃଖ, ଲାଞ୍ଛନା, ଅପଭୋଗ ପଛରେ ପଡ଼ିରହେ । ଧୀରେ ଧୀରେ ଭୁଲି ହୋଇଯାଏ ଜନ୍ମଗତ ସଂସ୍କାରର ଲଜ୍ଜା ସଙ୍କୋଚ ।

 

ନିର୍ବାକ ବିସ୍ମୟରେ ନିଜଭାଇଙ୍କି ଅନେଇ ରହେ କୀର୍ତ୍ତିମାଳା । ଆଜି ଯେପରି ନୂଆକରି ସେ ଅରୂପକୁ ଦେଖିବାକୁ ପାଇଛି । ବର୍ଷବର୍ଷର ନିବିଡ଼ ପରିଚିତି ହଜିଯାଉଛି ଏହି ନୂତନ ଆବିଷ୍କାରର ମଝିରେ । ଅରୂପ ତାର ଭାଇ । ଅରୂପ ଆତ୍ମୀୟ, ଅରୂପ ତାର ବନ୍ଧୁ ।

 

ଆଖିର ଲୁହଧାର ଶୁଖିଆସିଲା । କିନ୍ତୁ କୀର୍ତ୍ତିମାଳାର ସୁଫଳିତ ଗଣ୍ଡ ଦେଶରେ ଲାଗିରହିଲା ତାର ଚିହ୍ନ । ସନ୍ଦେହ ନାହିଁ, ସେ ମଧ୍ୟ ଦିନେ ନିଶ୍ଚିହ୍ନ ହୋଇଯିବ । କିନ୍ତୁ କୀର୍ତ୍ତିମାଳାର ମନ ଭିତରେ ସମୟେ ସମୟେ ଅବୋଧ ପ୍ରଶ୍ନ ଜାଗିଉଠେ । କାହିଁକି ବା ଏମିତି ଗୋଟାଏ ପୁରୁଷାଧମ ହାତରେ ତାକୁ ଟେକି ଦିଆଯାଇଥିଲା ? ଶ୍ୱଶୁର ଘରର ସମସ୍ତ ସ୍ମୃତିଟାକୁ ଦୁଃସ୍ୱପ୍ନ ପରି ଭୁଲିବାକୁ ଚେଷ୍ଟାକରେ କୀର୍ତ୍ତିମାଳା । ଲମ୍ପଟ ସ୍ୱାମୀର ଆକାର ଇଙ୍ଗିତ ଆଉ ତାର କିଛି ମନେ ପଡ଼େ ନାହିଁ । କେବଳ ହୃଦମନ୍ଦିରରେ ଅଙ୍କାରହେ ନିଜ ଭାଇର ଚିତ୍ରଲେଖା ।

 

ଅନେକ ସମୟରେ କୀର୍ତ୍ତିମାଳା ଭିତରେ ଉତ୍ତେଜନା ଦେଖାଦିଏ । ଯଦି ବା ତାର ବିବାହ ହେଲା ଅରୂପ ପରି କେହିଜଣେ ମିଳିଲା ନାହିଁ ? ତ୍ୟାଗ, ପ୍ରଣୟ, ନିଷ୍ଠା, କେଉଁଟାକୁ ନିଜ ପାଇଁ ସେ ଖୋଜି ପାଇଲା ନାହିଁ । ବ୍ୟର୍ଥତା, ମନୋବିକାର, ଗଭୀର ତୃଷାର ତାଡ଼ନା ଧରି ସେ ପ୍ରେତାତ୍ମା ପରି ଘୂରିବୁଲିବ । ଯେଉଁଠି ସେ ଆତ୍ମସନ୍ତୋଷ ଖୋଜିବସିବ, ସେଇଠି କରାଳ ମୂର୍ତ୍ତିଧରି ଠିଆହେବ ସାମାଜିକ ବ୍ୟବସ୍ଥା । ସମସ୍ତ ସଭ୍ୟ ଜଗତ ସମସ୍ୱରରେ ଚିତ୍କାର କରିଉଠିବ ପାପ....ପାପ...

 

ରାତିର ଅନ୍ଧକାରରେ କୀର୍ତ୍ତିମାଳାର କାନ ପାଖରେ ମଣିଷର ଆଦିମ ଚେହେରା ଚୁପି ଚୁପି କଥାକହେ । ମଧୁପୁରର ଯେଉଁ ଅର୍ବାଚୀନ ଝିଅଟି ହୋମ ଶିଖାତଳେ ଦିନେ ଆତ୍ମଦାନ କରି ପାରିଥିଲା, ତାହାରି ଭିତରେ ଜାଗିଉଠେ ଦୁର୍ଦ୍ଦାନ୍ତ ମାତୃଶକ୍ତି । ରକ୍ତର ପିପାସାରେ ସେ ଉନ୍ମାଦିନୀ ହୁଏ । ସର୍ବଧ୍ୱଂସୀ ସାଜେ, ମୋହଗ୍ରସ୍ତ ମନର ଚେତନା ଭାଙ୍ଗି ଅନ୍ତର ଡାକିଉଠେ ତାର କେହି ନ ଥିଲା, କେହି ନାହିଁ, କେହି ରହିବେ ନାହିଁ । କୌଣସି ବନ୍ଧନ ସେ ସ୍ୱୀକାର କରିବ ନାହିଁ । ନିଜ ଦେହ ମନର ଶକ୍ତି ନେଇ ନୂତନ ଯାତ୍ରା ଆରମ୍ଭ କରିବ । ନିଜ ଭାଇର ପରିଚିତି ଧରି ପ୍ରତ୍ୟେକ ପୁରୁଷଙ୍କୁ ସେ ଚିହ୍ନିବାକୁ ଚେଷ୍ଟା କରିବ ଅନୁରକ୍ତି, ବିଶ୍ୱାସ, ନିର୍ଭରଶୀଳତା ।

 

ଦିନର ପରିଚ୍ଛନ୍ନ ଆଲୋକରେ କୀର୍ତ୍ତିମାଳାର ଅବଚେତନ ମନ ଜାଗିଉଠେ । ଯୁଗ ଯୁଗର ସଂସ୍କାର ପୁଣି ହୃଦୟ ଆଚ୍ଛନ୍ନ କରେ, ଲଜ୍ଜା, ସମ୍ଭ୍ରମ, ପାପ, ପୁଣ୍ୟ...କୀର୍ତ୍ତିମାଳାର ମୁଣ୍ଡ ଆସ୍ତେ ଆସ୍ତେ ତଳକୁ ନଇଁ ଆସେ । ଅରୂପ ପାଖରେ ଠିଆହୋଇ ନିଜକୁ ଧିକ୍‌କାର ଦିଏ ସେ । ଅରୂପ ତାର ଭାଇ....ଆତ୍ମବିଳାସ, ଅନ୍ତର୍ଦାହ, ବୁଭୁକ୍ଷାର ବହୁ ଉଚ୍ଚରେ ତାର ଆସନ । ସେହି ଭ୍ରାତୃତ୍ୱର ଆସନରେ ଚିରଦିନ ସେ ରହିବ ଅଟଳ । ଅଜ୍ଞେୟ, ଚିରନ୍ତନୀ ନାରୀର ଆବେଦନ ତା ନିକଟରେ ପହଞ୍ଚି ପାରିବ ନାହିଁ ।

 

ନ ପାରୁ, ସେଥିପାଇଁ କୀର୍ତ୍ତିମାଳା ଦୁଃଖ କରିବ ନାହିଁ । ଅରୂପ ତାର ଭାଇ । ଏକାନ୍ତ ଭାବେ ସେ ନିଜର ଭ୍ରାତୃତ୍ୱକୁ ସ୍ୱୀକାର କରିନେବ ଆଉ ସେହି ଆଶ୍ୱାସନା ଧରି ଆଗେଇ ଚାଲିବ । ନିଜକୁ ସେ ସାନ୍ତ୍ୱନା ଦେବ ସେ ପ୍ରେୟସୀ ନୁହେଁ, ଜନନୀ ନୁହେଁ, ସେ ଭଗିନୀ । ଲଲାଟରେ ତାର ଭ୍ରାତୃପ୍ରେମର ଗୌରବ ଟୀକା, ଅନ୍ତରରେ ମହିମା, ପ୍ରାଣରେ ଚେତନା ।

 

କୀର୍ତ୍ତିମାଳାର ମାନସିକ ସ୍ୱାସ୍ଥ୍ୟ ଫେରି ଆସୁଛି, ତାର ପ୍ରକାଶ ଭଙ୍ଗୀରେ ଧୀରେ ଦେଖାଯାଉଛି ସରାଗ । ସ୍ଫୃହା । ଏଥିରେ ଯେମିତି ଅରୂପମା’ ଶ୍ୱସ୍ତିରେ ନିଶ୍ୱାସ ମାରି ବଞ୍ଚିଲେ । ଭାଇ, ଭଉଣୀଙ୍କର ଆନନ୍ଦ ଆଳାପ ଦେଖିଲେ ବଞ୍ଚିତ ନାରୀ ହୃଦୟ ତାଙ୍କର କି ଏକ ଅକ୍ଷୟ ସମ୍ପଦରେ ଭରିଉଠେ । ମନେହୁଏ କୀର୍ତ୍ତିମାଳା ଯେପରି ତାଙ୍କର ଯୁବତୀ ବିବାହିତ କନ୍ୟା ନୁହେଁ । ବହୁବର୍ଷ ତଳର ଧୂଳି ସଂସାରର ସେହି ଶିଶୁମତି ବାଳିକା । ନାବାଳକ ଭାଇର ହାତଧରି ସେ ପୁଣି ନିଜର ଖେଳ ରଚନାରେ ହଜିଯାଇଛି ।

 

ଅନେକ ସମୟରେ ଅରୂପ ମା’ଙ୍କର ଭୟ ହୁଏ । ପୁଅ ଚାଲିଯିବା ପରେ ହୁଏତ କୀର୍ତ୍ତିମାଳାର ମତ ପରିବର୍ତ୍ତନ ହୋଇପାରେ । ଅରୂପ ଏବେ ଘରେ ରହିଲେ ଚଳନ୍ତା । ବହୁତ ପାଠ ପଢ଼ି ବହୁତ ପାସ ସେ କରି ସାରିଲାଣି, ଆଉ ଗୋଟାଏ ପାଇଁ ସାନ ଭଉଣୀକି ଘୋର ଦୁରାବସ୍ଥା ଭିତରେ ଫିଙ୍ଗିଦେଇ ଚାଲିଯିବାକୁ ସ୍ନେହମୟୀ ଜନନୀ ଆଦୌ ସମର୍ଥନ କରିପାରିଲେ ନାହିଁ ।

 

କିନ୍ତୁ ଏସବୁ ନିଗୁଢ଼ ଅନ୍ତରର କଥା । ପୁଅ ଆଗରେ ପ୍ରକାଶ କରିବାର ସୁଯୋଗ ସେ ପାଇଲେ ନାହିଁ ଗାଁରେ ହାନିଲାଭ ବୁଝି, ନଈକୂଳରେ ବସି ବସି ଅରୂପ ଯେତିକି ସମୟ ପାଇଁ ଘରକୁ ଆସେ, ତାର ପାଖେ ପାଖେ ରହେ କୀର୍ତ୍ତିମାଳା । ଝିଅ ଆଗରେ ତା ଦୁର୍ଦ୍ଦଶାର କାହାଣୀ ପୁଅ ପାଖରେ କହି କିଛି ଗୋଟାଏ ସୁବ୍ୟବସ୍ଥା କରିବାକୁ । ନିଜର ଅନୁରୋଧ ବା ଆଦେଶ ଜଣେଇବା ପାଇଁ ନିରୁପମା କୁଣ୍ଠାବୋଧ କରନ୍ତି । ହୁଏତ ପୁଣି କୀର୍ତ୍ତିମାଳା ଭାଙ୍ଗି ପଡ଼ିବ । ଏ ଭୟ ତାଙ୍କର ମାତୃପ୍ରାଣକୁ ନିରନ୍ତର ଗ୍ରାସକରି ରହିଥାଏ । ଅନେକ ଥର କିଛି କହିବାକୁ ଆସି ଝିଅକୁ ଦେଖି ଫେରିଯାଆନ୍ତି ନିରୁପମା’ ।

 

ଏମିତି ମାନସିକ ଦ୍ୱନ୍ଦ୍ୱ ଭିତରେ ଆହୁରି ଗୋଟିଏ ସପ୍ତାହ ବିତିଗଲା । ଅରୂପର ଯିବାଦିନ ପ୍ରାୟ ପାଖେଇ ଆସିଲା । ମହାଶ୍ୱେତା ପାଖରୁ ସେଥିପାଇଁ ବାରମ୍ବାର ଚିଠି ଆସୁଚି । ପ୍ରତି ଚିଠିରେ ମହାଶ୍ୱେତାର ବ୍ୟସ୍ତତା । ଉଦ୍‌ଗ୍ରୀବ ହୋଇ ସେ ଅରୂପକୁ ଅପେକ୍ଷା କରି ରହିଚି ।

 

ଶେଷ ଚିଠି ଖଣ୍ଡିକରେ ପ୍ରାଣୋଚ୍ଛ୍ୱାସ ବଳବତୀ ହେଇ ଉଠିଚି । ସନ୍ଦେହ ନାହିଁ ଯେ ଉତ୍ତେଜନା ମଧ୍ୟ ଦେଖା ଦେଇଚି । ଅଭିଜ୍ଞ ତାରୁଣ୍ୟରେ ଏହି ଚପଳତା ନାରୀ ସୁଲଭ । ଭାବପ୍ରବଣ ହେଲେ ବି ପୁରୁଷର ମନ ଏଥିରେ ଭୁଲେନା । କେବଳ ମୁଗ୍‌ଧ ହୁଏ, ଆନନ୍ଦ ପାଏ ।

 

ମନର ଜଡ଼ତା ଭାଙ୍ଗି ଉଚ୍ଚସ୍ୱର ତୋଳି ହସି ଉଠିଲା ଅରୂପ ।

 

ଅଦୂରରେ ମା ବସି ବସି କଣ ଘର କାମରେ ଲାଗି ପଡ଼ିଥିଲେ । ପୁଅର ଏ ପ୍ରକାର ଆଚରଣରେ ସେ ଆଶ୍ଚର୍ଯ୍ୟ ହୋଇ ଉଠି ଆସିଲେ । କୀର୍ତ୍ତିମାଳା ଗାଧୁଆ-ପାଧୁଆ ପାଇଁ ନଈକି ଯାଇଛି । ଏଇମାତ୍ର ରାତି ପାହିଚି, ତଥାପି ପଲ୍ଲୀର କର୍ମମୟ ଜୀବନ ଆରମ୍ଭ ହୋଇଗଲାଣି । ଏତେ ସକାଳୁ କେହି ଅରୂପ ସହିତ ଆଳାପ ଆଲୋଚନା ପାଇଁ ଆସିବା ସମ୍ଭବ ନୁହେଁ ।

 

ପାଖକୁ ଆସିଲେ ନିରୁପମା । ଭୟ କମ୍ପିତ କଣ୍ଠରେ ପୁଅକୁ କଣ କହିବାକୁ ଇଚ୍ଛା କରି ସେ ପୁଣି ଚୁପ୍‌ ହୋଇଗଲେ । ବୁଝିବାକୁ ବେଶି ସମୟ ଲାଗିଲା ନାହିଁ । ଅରୂପ ନିଜର ସ୍ୱାଭାବିକ ମଧୁର ନମ୍ର ସ୍ୱରରେ କହିଲା, ମାଳାଟାର ପିଲାମି ଛାଡ଼ିଲା ନାହିଁ ମା । ବାହାସାହା ହୋଇ ଶଶୁର ଘରୁ ଫେରିଲା ପରେ ମଧ୍ୟ ସେ କିଛି ବୁଝିଲା ନାହିଁ ।

 

କଥା କାଟି ଅନ୍ୟ ଏକ ପ୍ରସଙ୍ଗର ଅବତାରଣା କରିବାରେ ଅରୂପ ସିଦ୍ଧହସ୍ତ । କଥା କଥାକେ ତା’ର ଚାତୁରୀ । ପ୍ରତି ପଦେ ପଦେ ମାଧୁରୀ । ଅନେକ ସମୟରେ ସୁଶିକ୍ଷିତା ମହାଶ୍ୱେତା ମଧ୍ୟ ତା ନିକଟରେ ହାର ମାନିଯାଏ । ସରଳା ଗ୍ରାମ୍ୟ ନାରୀ ଅଭୟ ଫେରି ପାଇଲେ । ଶ୍ୱସ୍ତିର ନିଶ୍ୱାସକୁ ଭିତରେ ଚାପି ଚାପି ସେ କହିଲେ, ସେହି କଥା ତତେ କହିବି କହିବି ବୋଲି କହି ପାରୁ ନ ଥିଲି । ତୁ ଗଲେ ମାଳାର ଅବସ୍ଥା ପୁଣି ଖରାପ ହୋଇଯିବ ।

 

ନିହାତି ସତକଥା ଏଇଟା । କିନ୍ତୁ ନିରୁପାୟ ରହି ଅରୂପ କହିଲା, ତା ହେଲେ କଣ କରାଯିବ ମା !

 

ସୁଯୋଗ ପାଇ ଅରୂପ ମା କହିଲେ, ତୁ କିଛିଦିନ ଘରେ ରହି ଯା....

 

ତା କେମିତି ହେଇପାରିବ କହିଲୁ ! ମୋର କଲେଜ ଖୋଲିବା ଦିନ ପାଖେଇ ଆସିଲା ଯେ...

 

କଥା ସଜାଡ଼ି ବସିଲେ ନିରୁପମା । କହିଲେ, ତୁ କଣ ପାଶ କରିନୁ ଯେ....ଆଉ ଗୋଟାଏ ନ ହେଲେ ତୋ ପେଟ ଅପୂରା ରହିଯିବ ।

 

ମା’ଙ୍କର ଏହି ନିର୍ମଳ ଅଜ୍ଞାତରେ ହସିପକେଇଲା ଅରୂପ । କହିଲା, ଚାଟଶାଳୀ ନ ଦେଖିଥିବା ରାମ, ମାଧବ ବି ଏ ପୃଥିବୀରେ ବଞ୍ଚି ରହିବେ ।

 

ଅରୂପ ମା କହିଲେ, ତା’ହେଲେ ତୁ ଯାଇ ତୋ ଲୁଗାପଟା ନେଇଆ ।

 

ଏ ନିର୍ବୋଧତା ଆଦିମ । ସଭ୍ୟ ମଣିଷ ଏହାର ପ୍ରତିବିଧାନ କରିବାକୁ ଯାଇ ଠିଆ କରେଇଚି ଶିକ୍ଷାନୁଷ୍ଠାନ । କିନ୍ତୁ ତାର ସୋପାନ ଅତିକ୍ରମ କରି ଭିତରେ ପ୍ରବେଶ ପାଇଁ ଏବେସୁଦ୍ଧା ପଲ୍ଲୀ ଜନତାର କୁଣ୍ଠାବୋଧ ରହି ଯାଇଚି, ତଥାପି ସେ ଦିଗରେ ଉଦ୍ୟମ ଦରକାର ।

 

ମା’ଙ୍କୁ ବୁଝେଇବାକୁ ଚେଷ୍ଟା କରି ଅରୂପ କହିଲା, ପାଠ ପଢ଼ା କେହି କେବେ ଶେଷ କରିପାରେନା ମା ! ତଥାପି ଆମ ପାଇଁ ଯେତିକି ଅଛି, ସେତିକି ସରିଯାଉ ।

 

ଆଉ କେତେଦିନ ଲାଗିବ ? ଅଧିର ସ୍ୱରରେ ଅରୂପ ମା କହିଲେ, ମାଳା କେମିତି ରହିବ କହିଲୁ ! କ’ଣ ସେ କରିବ ?

 

ସେ ବି ପାଠ ପଢ଼ିବ । ଦେଖିବୁ ପାଠ ପଢ଼ି ସାରିଲେ ତାର ଆଉ କୌଣସି ଦୁଃଖ ଭୋଗ ରହିବ ନାହିଁ ।

 

ସତ ହେଲେ ବି କଥାଟାକୁ ବିଶ୍ୱାସ କରିବାକୁ ଯେମିତି ଅରୂପ ମା’ଙ୍କୁ ବାଧିଲା । ଆଜିକାଲି ଅନେକ ଝିଅ ପାଠଶାଠ ପଢ଼ି ପୁରୁଷର ସମକକ୍ଷ ହେଇ ପାରିଥିଲେ ମଧ୍ୟ, ସୁଦୂର ମଫସଲ ପୁଣି ରାୟ ପରିବାର ଭିତରେ ରହି କୀର୍ତ୍ତିମାଳା ପକ୍ଷେ ତାହା ସହଜ ସମ୍ଭବ ନୁହେଁ । ପଦାରବିନ୍ଦ ରାୟ ଯେଉଁ ପରି ଅସ୍ତ୍ର ହସ୍ତରେ ବସିଚନ୍ତି, ସେଠି ସ୍କୁଲ କଲେଜ ତ ଦୂରର କଥା ଘରର ଚତୁଃସୀମା ପାର ହୋଇଯିବା ପଲ୍ଲୀ ରମଣୀର ସାଧ୍ୟାତୀତ । ଏପରି ସ୍ଥଳେ ଝିଅ ପାଇଁ ଯେମିତି ସମସ୍ତ ଆଶା ହରେଇ ବସିଲେ ଅରୂପ ମା ! ଖେଦ ମିଶା ସ୍ୱରରେ ସେ କହିଲେ, ହେଉ ତୁ ଯା....

 

କେଉଁଠିକି ଯିବେ....

 

ଘର ଭିତରକୁ ପଶି ଆସି କୀର୍ତ୍ତିମାଳା ପଚାରିଲା, ଭାଇ ତମେ କେଉଁଠିକି ଯିବ ?

 

ସ୍ମିତ ହସି ଅରୂପ କହିଲା, କାହିଁକି ? ତୁ କେଉଁଠିକି ଭାବିଲୁ କି ?

ମୁଁ ଭାବିଲି....ନା ମୁଁ ଆଉ କ’ଣ ଭାବିବି ? .....

କହି କହି ହସି ଉଠିଲା କୀର୍ତ୍ତିମାଳା । ଏକାଥରେ ଯେମିତି ସମସ୍ତ ଚନ୍ଦ୍ରାଲୋକ ପୃଥିବୀ ପୃଷ୍ଠରେ ବିଞ୍ଚି ହୋଇ ପଡ଼ିଲା । ହସର ଧ୍ୱନିରୁ ଜଣାଗଲା ତାର ଆଉ ଅଣୁମାତ୍ର ଚିତ୍ତ କ୍ଷୋଭ ନାହିଁ । ପାଖକୁ ଆସି କୀର୍ତ୍ତିମାଳା କହିଲା, ତମର ତ ଶଶୁର ଘର ନାହିଁ ଭାଇ ! ଆଉ କେଉଁଠି କି ଯିବ ?

ପରିହାସଟା ଆନ୍ତରିକ ନିଶ୍ଚୟ ! ! ତାର ପ୍ରତିଦାନ ଦେଇ ଅରୂପ କହି ଉଠିଲା, ଅଛି, ଅଛି....

ଅଛି....ବୁକୁଭରା ହସରେ ଏଥର ଭାଙ୍ଗିପଡ଼ିଲା କୀର୍ତ୍ତିମାଳା ।

ଭିତରର ଦୀର୍ଘଶ୍ୱାସକୁ ଚାପି ଚାପି ଚାଲି ଯାଉଥିଲା କୀର୍ତ୍ତିମାଳା ।

କାନ୍ଧ ଉପରୁ ତାର ଅଞ୍ଚଳ ଖସି ଆସିଲା । ଅଙ୍ଗେ ଅଙ୍ଗେ ତାର ଯୌବନର ଉଚ୍ଛ୍ୱାସ । ସଦ୍ୟସିକ୍ତ କବରୀର ଫାଙ୍କେ ଫାଙ୍କେ ଉଦୟ ସୂର୍ଯ୍ୟର ରକ୍ତ ଆଭା ସ୍ୱପ୍ନ ମହଲ ସୃଷ୍ଟି କରିଛି । କୀର୍ତ୍ତିମାଳା ପରିପୂର୍ଣ୍ଣ ସ୍ୱାସ୍ଥ୍ୟ ଫେରି ପାଇଲାଣି । ଏବେ ତା ବିଷୟରେ ନିଃସନ୍ଦେହ ରୁହା ଯାଇପାରେ ।

କଣ ଯେପରି କହିବାକୁ ଯାଇ ଏପାଖ, ସେ ପାଖ କରି ଅନେଇଲା ଅରୂପ । ପରିବେଶର ଲଘୁତା ଅନୁଭବ କରି ମା ଯେମିତି ଏଥିଭିତରେ କେଉଁଆଡ଼େ ଅନ୍ତର୍ହିତ ହେଇ ଯାଇଛନ୍ତି । ଗଭୀର ଦୀର୍ଘଶ୍ୱାସ ଟାଣି ଅରୂପ କହିଲା, ଯା ହଉ ବଞ୍ଚିଗଲି..

 

ଏଥର ସିଧା ହୋଇ ତାର ଭାଇକି ଚାହିଁ ରହିଲା କୀର୍ତ୍ତିମାଳା । କହିଲା, ଆଉ କେହି ଥିଲେ ଏହିକ୍ଷଣି ପଚାରି ବସିଥାଆନ୍ତା କେଉଁଠି ? କାହିଁ ଆମେ ତ ସାଆନ୍ତ ମର୍ଯ୍ୟାଦା ପାଇନାହୁଁ ।

 

ଆଉ କେହି ଥିଲେ ନିହାତି ଗୋଟାଏ ସତ କଥା ମୁଁ କହି ପାରି ଥାଆନ୍ତି ।

 

ମନେହେଲା ଅରୂପର ଓଠ ଦୁଇଟି ମୁହୂର୍ତ୍ତକ ପାଇଁ ଥରି ଉଠି ପୁଣି ବନ୍ଦ ହୋଇଗଲା । ଅଞ୍ଚଳ ସଜାଡ଼ି କୀର୍ତ୍ତିମାଳା କହିଲା, ମା କେଉଁଠିକି ଯିବାକୁ କହୁଥିଲା ଭାଇ !

 

କହୁ ନ ଥିଲା, ବନ୍ଦ କରୁଥିଲା ।

 

କେଉଁଠିକି ?

 

କୀର୍ତ୍ତିମାଳାର କଣ୍ଠ ସ୍ୱର କମ୍ପି ଉଠିଲା ।

 

ଅରୂପ କହିଲା, ଏଥର ମୋର କଲେଜ ଖୋଲିବ । ସେଥିପାଇଁ ମତେ ଶୀଘ୍ର କଟକ ଫେରିଯିବାକୁ ହେବ ।

 

କଲେଜ ଖୋଲିବା ସମୟ ତ ହେଇନାହିଁ ।

 

ନା, ମତେ ସପ୍ତାହେ ଖଣ୍ଡକ ଆଗରୁ ଯିବାକୁ ହେବ । ଅନ୍ୟଆଡ଼େ କେତକ କାମ ବାକି ଅଛି ।

 

ହେଉ ଯାଅ..

 

ଭିତରର ଦୀର୍ଘଶ୍ୱାସ ଚାପି ଚାପି ଚାଲି ଯାଉଥିଲା କୀର୍ତ୍ତିମାଳା । ପଛରୁ ଡାକି ଅରୂପ କହିଲା, କ’ଣ ତୁ ଆଉ କହୁଚୁ, ଯିବିନାହିଁ ?

 

କିଛିକ୍ଷଣ ଭାଇର ମୁହଁକୁ ଅନେଇ ରହିଲା କୀର୍ତ୍ତିମାଳା ।

 

ତାପରେ ମ୍ଳାନ ହସ ହସି କହିଲା, ମୁଁ କହିଲି ତମେ ଯିବ ନାହିଁ । ମୁଁ ମନା କଲେ ତମେ ରହିବ ନାହିଁ ।

 

ଆଶ୍ଚର୍ଯ୍ୟ ହେଇ ଅରୂପ କହିଲା, ଏହାର ମାନେ ?

 

ମାନେ ଅତି ସହଜ ଭାଇ ! ତମେ ଯିବାପାଇଁ ଆସିଚ, ଯିବାକୁ ବାଧ୍ୟ ହେବ ।

 

ଏ ତ ଆହୁରି ଦୁର୍ବୋଧ୍ୟ ।

 

କୀର୍ତ୍ତିମାଳା କହିଲା, ତା ହେଲେ ତମେ ନିଜେ ନିଜ ପାଖରେ ବି ଦୁର୍ବୋଧ୍ୟ ।

 

କୀର୍ତ୍ତୀମାଳାର କଣ୍ଠରେ ଅଭିମାନ ଭାଙ୍ଗି ପଡ଼ିଲା ।

 

ଅବୋଧ ବାଳକ ପରି ଅରୂପ କହିଲା, ତୁ ବଡ଼ ଅବୁଝା ମାଳା !

 

ଆଦୌ ନୁହେଁ ।

 

ପୁଣି ହସି ଉଠିଲା କୀର୍ତ୍ତିମାଳା । ସେମିତି ହସି ହସି ସମଗ୍ର କୋଠରୀଟି ଭିତରେ ଏକ ମୃଦୁ ମଧୁର ପବନ ଖେଳେଇ ସେ ଦୂର ହୋଇଗଲା । ତାର ପଛେ ପଛେ ଆସି ଦୁଆର ମୁହଁ ନିକଟରୁ ଫେରି ଯାଇ ନିଜର ଶୋଇବା ବିଛଣାଟା ଖେଳେଇ ପକେଇଲା ଅରୂପ । କୀର୍ତ୍ତିମାଳା ହୁଏତ ଏଇଠୁ କିଛି ସନ୍ଧାନ ପାଇ ଉଦ୍ଦାମ ହେଇ ଉଠିଚି ।

 

ଶେଷ ଚିଠି ଖଣ୍ଡିକରେ ମହାଶ୍ୱେତାର ଉଦ୍‌ବିଗ୍ନତା ଦେଖାଦେଇଛି । ଯେମିତି କେଉଁ ଏକ ଅନାଗତ ଭୟରେ ଆଶଙ୍କାରେ ସେ ଶଙ୍କିତ ହେଇ ଉଠିଚି । ଦେହ ମନରେ ଗଭୀର ଅସୁସ୍ଥତା ଧରି ପ୍ରତି ମୁହୂର୍ତ୍ତରେ ସେ ଅରୂପର ଅପେକ୍ଷା କରୁଛି । ନ ହେଲେ ଯେପରି ସମସ୍ତ ଜୀବନଟା ତାର ଏକାଥରେ କ୍ଷୟ ହେଇଯିବ । ସେଥିଯୋଗୁ ଅରୂପର ଉପସ୍ଥିତି ଏକାନ୍ତ ପ୍ରୟୋଜନ ।

 

ଚିଠି ଖଣ୍ଡକ ପଢ଼ିସାରି ଏକ ଦୀର୍ଘଶ୍ୱାସ ଟାଣିଲା ଅରୂପ । ଆଗରେ ତାର ମହାଶ୍ୱେତା । ପଛରେ କୀର୍ତ୍ତିମାଳା । କର୍ତ୍ତବ୍ୟର ନିଗଡ଼ରେ ମନ ବନ୍ଦୀ ହେଇଛି । ତାରୁଣ୍ୟର ମୋହରେ ହୃଦୟ ଆଚ୍ଛନ୍ନ ରହିଛି । ଯେଉଁ ନାରୀର ଉଦ୍ଦାମ ପ୍ରଣୟରେ ସେ ଆକଣ୍ଠ ନିମଗ୍ନ ରହିଛି ସେ ପୁଣି ତା ଆଗରେ ଅଞ୍ଜଳି ପାତି ଭିକ୍ଷା ଚାହୁଁଛି । ଅରୂପ ପୁରୁଷ । ତାର ସମସ୍ତ ଚେତନା ଶକ୍ତି ଏବେ ସୁଦ୍ଧା ଜାଗ୍ରତ ରହିଛି ।

 

ଅରୂପକୁ ଫେରିଯିବାକୁ ହେବ ।

 

ରାତିରେ ଶୋଇବା ବିଛଣାରେ ମହାଶ୍ୱେତା ଚିଠିର ଉତ୍ତର ଲେଖି ବସିଲା ଅରୂପ । ଆସିଲା ପରେ ସେ ଶ୍ୱସ୍ତିର ନିଶ୍ୱାସ ମାରି ପାରିନାହିଁ । କେମିତିବା ମାରିବ ? ଛାଇପରି ପଛେ ପଛେ ଲାଗିରହିଲେ ଅଧମ ପୁରୁଷର କେତେବା ଶକ୍ତି । ନାରୀର ପାଦ ତଳେ ତାର କୃତଜ୍ଞତା ଚିରନ୍ତନ । ଅନେକ ସେ ତା ନିକଟରୁ ପାଇଛି । ସ୍ନେହ, ପ୍ରଣୟ, ବନ୍ଧୁତ୍ୱ, କରୁଣା ଏବଂ ଉପକାର । ନାରୀର ସାଧନାରୁ ତାର ଜନ୍ମ । ଦୟାରେ ତାର ଜୀବନ ପାତ୍ର ପରିପୂର୍ଣ୍ଣ । ସେ ନିଶ୍ଚୟ ଶୀଘ୍ର ଫେରିଯିବ ।

 

ଚିଠିଟି ଲେଖିସାରି ବିଛଣା ଉପରେ ରଖି ଦେଲା ଅରୂପ । ଗାଁରେ ଡାକ ସରବାରହ ପାଇଁ ଏବେ ସୁଦ୍ଧା କୌଣସି ସୁବିଧା ହେଇ ପାରିନାହିଁ । ସରକାରଙ୍କର ଅସୀମ ଦୟା । ଦୁଇ ମାଇଲ ଦୂରରେ ବ୍ରାଞ୍ଚ ପୋଷ୍ଟ ଅଫିସଟିଏ ଥିଲେ ସୁଦ୍ଧା ହରକରା ମହାଶୟଙ୍କର ସୁନଜର ଅରୂପ ଗାଁ ଉପରେ ସପ୍ତାହରେ ଥରେ ମାତ୍ର ପଡ଼େ । କାହାର ମଧ୍ୟ ବିଶେଷ ଦରକାର ନଥାଏ । ସୂତରାଂ ନିଜେ ଯାଇ ନିଜର ବ୍ୟବସ୍ଥା କରି ଆସିବାକୁ ହୁଏ । କାଲି ସକାଳ ଡାକରେ ଦେଇଦେବାକୁ ଇଚ୍ଛାକରି ବିଛଣାରେ ଗଡ଼ିପଡ଼ିଲା ଅରୂପ ।

କୀର୍ତ୍ତିମାଳା ସାଙ୍ଗେ ସାଙ୍ଗେ ରହିଛି । ମହାଶ୍ୱେତା ଅପେକ୍ଷା କରି ବସିଛି । ମନଭିତରେ ଅଧ୍ୟୟନର ତାଡ଼ନା ରହିଛି । ବନ୍ଧୁମାନଙ୍କର ସ୍ନେହ, ପରିହାସ, ବିଦ୍ରୁପ ଲାଗିରହିଛି ପଛେ ପଛେ ପୂର୍ବ ପୁରୁଷର ବାସସ୍ଥଳୀ ଭାଙ୍ଗି ପଡ଼ୁଛି । ଏକର ଏକର ଜମି ବେଣାପାଟ ହେଇ ଯାଉଛି । ଦୃଷ୍ଟି ଦେବାର ଲୋକ କେହି ନାହିଁ । ଲଙ୍ଗଳ ଧରିଲେ ରାୟବଂଶରେ କଳଙ୍କ ଲାଗିବ । ପୁରୁଣା ବୁନିଆଦ ଭାଙ୍ଗିପଡ଼ୁଛି । ପୁଣି ପୁରୁଣା ଭିଟା ଉପରେ ନୂଆ ବୁନିଆଦର ଶୁଭ ଦେବ ଅରୂପ ।

ଅରୂପ ଥରେ ଏପଟ ସେପଟ କରି ଅନେଇ ନିରୂପାୟ ଭାବେ ଟେବୁଲ ଉପରୁ ଖଣ୍ଡିଏ ମୋଟା ବହି ଉଠେଇ ଆଣିଲା । ବହୁତ ରାତି ପର୍ଯ୍ୟନ୍ତ ସେହି ବହି ପୃଷ୍ଠାରେ ତାର ଉନିଦ୍ର ଆଖି ଦୁଇଟି ଲାଗିରହିଲା ।

ପକ୍ଷୀର କଳ କାକଳୀରେ ସକାଳ ଫେରି ଆସିଛି । ଏମିତି ସମୟରେ କୀର୍ତ୍ତିମାଳା ସମସ୍ତ ନିତ୍ୟକର୍ମ ସାରି ବଡ଼ଭାଇର ଘରକୁ ଆସିଲା । ନିତିଦିନ ଠିକ୍‌ ଏହି ସମୟରେ ସେ ଅରୂପକୁ ନିଦରୁ ଉଠେଇ ଦିନ ଆଲୋକର ସନ୍ଧାନ ଦିଏ । ବିଛଣା ନିକଟକୁ ଆଗେଇ ଆସି ଅରୂପର ପାଦତଳେ ଠିଆ ହୋଇ କୀର୍ତ୍ତିମାଳା ଡାକିଲା, ଭାଇ....

 

ରାତିରେ ଅନେକ କ୍ଷଣ ଅବଧି ଜାଗିରହି ନିଘୋର ନିଦରେ ଶୋଇ ପଡ଼ିଛି ଅରୂପ । ସକାଳ ଆସିଥିଲେ ସୁଦ୍ଧା ଅବଚେତନ ଦେହ ମନରେ ତାର ଜାଗରଣର କୌଣସି ଚିହ୍ନବର୍ଣ୍ଣ ନାହିଁ । ଗୋଟିଏ ପାଖରେ ଖୋଲା ବହି ଉପରେ ତାର ଡାହାଣ ହାତ ପଡ଼ିରହିଛି । ଅନ୍ୟପାଖରେ କେତେ ଖଣ୍ଡ ଟୁକୁରା କାଗଜ ଆଉ ଖୋଲା ଲଫାପା ସକାଳର ଧୀର ପବନରେ ଥରି ଥରି ସ୍ଥିର ହେଇ ଯାଇଛି । କୀର୍ତ୍ତିମାଳାର କୌତୂହଳୀ ଦୃଷ୍ଟି ଯେମିତି ସେଇ ଆଡ଼େ ଟାଣି ହେଇଗଲା । ବୁଲିଆସି ସେ ଅରୂପର ମୁଣ୍ଡ ପାଖରେ ଠିଆହେଲା । ପୂର୍ବପରି ଅରୂପର ନିଶ୍ଚଳ ଦେହ ବିଛଣାରେ ଲମ୍ବିଯାଇଛି ।

 

ଅନେକ ଥର ଅରୂପ ମୁହଁରୁ ବହୁ ନାରୀକର୍ମୀର ନାଁ ଶୁଣିଛି କୀର୍ତ୍ତିମାଳା । ଅତି ସତକଥା ଯେ ସେଥିପାଇଁ ତାର ମନ ଭିତରେ ବାରମ୍ବାର ପ୍ରଶ୍ନ ଉଠିଛି । ନାରୀର କୌତୂହଳ ଚିରନ୍ତନ । କୀର୍ତ୍ତିମାଳା ନିଦ୍ରିତ ଅରୂପ ଉପରେ ଥରେ ତୀକ୍ଷଣ ଦୃଷ୍ଟି ଫିଙ୍ଗି ଖଣ୍ଡିଏ କାଗଜ ଉଠେଇ ଆଣିଲା ।

 

ଚିଠି । କିନ୍ତୁ ପ୍ରଥମ ସମ୍ବୋଧନ ତା ଶିକ୍ଷା ରାଜ୍ୟର ବାହାରେ । ଦୁର୍ବୋଧ୍ୟ ଇଂରାଜିଭାଷାର ମଝିରେ ଯେଉଁ କେଇଧାଡ଼ି ଓଡ଼ିଆ ଲେଖା ରହିଛି, ସେଥିପାଇଁ କୀର୍ତ୍ତୀମାଳାର ଦୁଇତିନି ମିନିଟ ସମୟ ମାତ୍ର ବ୍ୟୟହେଲା । ତଥାପି ଯେମିତି ସେ ଅନେକ କିଛି ଅନୁମାନ କରି ନେଇପାରିଲା ।

 

ଖଟ ଧାରରେ ନିଶ୍ଚିତ ନିଦ୍ରାଯାଇଛି ଅରୂପ । ସକାଳର ଶାନ୍ତ ପବନ ତଳେ କେଉଁ ନିପୁଣ ଶିଳ୍ପୀ ଯେପରି କେଇଟି ରେଖାପାତ କରି ଯାଇଛି । କୀର୍ତ୍ତିମାଳା ଥରେ ତାର ଆପାଦ ମସ୍ତକ ଚାହିଁଗଲା । ପୁଣି ଦୃଷ୍ଟି ତାର ସେଇ ଚିଠି ଉପରକୁ ଫେରି ଆସିଲା ।

 

ଶ୍ୱେତା ! ଶ୍ୱେତା ପୁଣି କିଏ ? ପର ପୁରୁଷ ଅରୂପ । ତା ସହିତ ଯେ ଶ୍ୱେତାର ଏ ନିବିଡ଼ ସଂପର୍କ ଗଢ଼ି ଉଠିଲା ତାହା ନିଜର କଳ୍ପନାରେ ଅବଧାରଣା କରିପାରିଲା ନାହିଁ କୀର୍ତ୍ତିମାଳା । ସ୍ୱାମୀ ସ୍ତ୍ରୀର ବନ୍ଧୁତ୍ୱ, ଏହି ପର୍ଯ୍ୟନ୍ତ ନାରୀର ପରିସୀମା । ଅରୂପ ତାର ଭାଇ । ସମସ୍ତ ଅଧିକାର ପାଇ ସୁଦ୍ଧା କୀର୍ତ୍ତିମାଳା ଦୂରରେ ତାର ଆସନ ବାଛି ନେଇଛି । ସେଇଟା ହେଉଛି ନାରୀର ନୈତିକ ଦାୟିତ୍ୱ । କିନ୍ତୁ ଅରୂପ ପୁରୁଷ ହେଇ ସୁଦ୍ଧା ନିଜର ମୌଳିକ ଅଧିକାର ହରେଇ ବସୁଛି ।

 

କୀର୍ତ୍ତିମାଳାର ଇଚ୍ଛା ହେଲା ସେ ଚିତ୍‌କାର କରି ତା ଭାଇର ଚେତନା ଫେରେଇ ଆଣିବ-। ପଚାରିବ ଶ୍ୱେତା କିଏ ? କଣ ତାର ତା’ ସହିତ ସଂପର୍କ । ତାର ଦୁଃଖରେ ଅରୂପ ପୁଣି ସମଭାଗି ହେବାକୁ ଯାଉଛି । ସେଥିପାଇଁ ସେ ଭଉଣୀ କୀର୍ତ୍ତିମାଳାର ସମସ୍ତ ଅଧିକାର ଅସ୍ୱୀକାର କରି ତାର ସମସ୍ତ ଦାବି ଉପରେ ପଦାଘାତ କରି ଫେରିଯିବାକୁ ବସିଛି ।

 

ତୀବ୍ର ଅଭିମାନ ଆଉ ଅପମାନରେ କୀର୍ତ୍ତିମାଳାର କଣ୍ଠରୁଦ୍ଧ ହେଇ ଆସିଲା । ଚିଠିଟିକି ଅରୂପ ଉପରେ ଫୋପାଡ଼ି ଦେଇ ସେ ଘରୁ କ୍ଷିପ୍ରପଦରେ ଦୌଡ଼ି ଚାଲିଗଲା ।

 

ଅନେକ କ୍ଷଣ ଅବଧି ଶୋଇରହି ଅରୂପ ଯେତେବେଳେ ଚେଇଁ ଉଠିଲା, ସେତେବେଳେ ସମସ୍ତ ଆକାଶ ବୁକୁରେ ଖରାଝାସ ଲାଗି ଆସିଲାଣି । ପଲ୍ଲୀ ଜୀବନର କର୍ମ କୋଳାହଳ ଭିତରେ ସମଗ୍ର ମାନବିକ ଚେତନା ଜାଗିଉଠିଚି । ପ୍ରତିଦିନ ଏହା ପୂର୍ବରୁ ଅରୂପର ନିତ୍ୟକର୍ମ ସରିଥାଏ । ତାର ଦାୟିତ୍ୱ ଥାଏ କୀର୍ତ୍ତିମାଳା ଉପରେ । ଆଜି କିନ୍ତୁ ସାନ ଭଉଣୀକି କେଉଁଠି ଦେଖିବାକୁ ପାଇଲା ନାହିଁ ସେ । ହୁଏତ ଡାକି ଡାକି ଫେରି ଯାଇଛି ।

 

ବିଛଣା ଛାଡ଼ି କେଉଁଆଡ଼େ ବାହାରିଗଲା ଅରୂପ । ପ୍ରାୟ, ଘଣ୍ଟାକ ପରେ ସେ ଯେତେବେଳେ କୀର୍ତ୍ତିମାଳାକୁ ଡାକି ଡାକି ଘରକୁ ଫେରି ଆସିଲା ସେତେବେଳେ ସକାଳର ସବୁକାମ ସାରିଛି ।

 

ପ୍ରାୟ ପାଞ୍ଚ ମିନିଟ ପରେ କୀର୍ତ୍ତିମାଳା ଆସି ଅରୂପ ଆଗରେ ଜଳଖିଆ ଥାଳିଆ ରଖିଗଲା । ତାପରେ ଚା ନେଇଆସିଲା । ଦେବା ଆଣିବାର ସମସ୍ତ ସମୟ ଏକ ଅଖଣ୍ଡ ନୀରବତା ଭିତରେ ଅତିବାହିତ ହେଇଗଲା । ଆଶ୍ଚର୍ଯ୍ୟ ହେଲା ଅରୂପ । ସମସ୍ତ ପରିବେଶ ଯେମିତି ଅପ୍ରାକୃତିକ ହେଇ ଉଠିଛି ।

 

କଣ ପଚାରିବାକୁ ଇଚ୍ଛାକରି ନିଜକୁ ଦମନ କରିନେଲା ଅରୂପ । ନାରୀର କ୍ଷତ ସ୍ଥାନରେ ଆଙ୍ଗୁଳି ସଂଚାଳନ ଚଳେନା । ନୀରବତା ହିଁ ଏଠି ଶ୍ରେୟ ।

 

ଖାଇବା ଶେଷ କରି ଚା’ପିଆଲା ଉଠେଇ ନେଲା ଅରୂପ । କହିଲା, କାଲି ମୁଁ ଯାଉଛି ମାଲା !

 

ଏ ପ୍ରଶ୍ନର ଉତ୍ତର ବ୍ୟଥିତା ନାରୀ ଦେଇ ପାରେନା । ଉପେକ୍ଷାର ଅଶ୍ରୁରେ କୀର୍ତ୍ତିମାଳାର ହୃଦୟ ଭାଙ୍ଗି ପଡ଼ୁଛି । ଆଜି ଯେପରି ଅତୀତର ଲାଞ୍ଛିତ ଦିନ ଗୁଡ଼ିକ ସୁଯୋଗ ପାଇ ଫେରି ଆସୁଛି-। ଅରୂପ ପୁଣି ଫେଣି ଫେରି ଯାଉଛି ମହାଶ୍ୱେତା ନିକଟକୁ ।

 

ଜବାବ ନ ପାଇ ଅରୂପ କହିଲା, କାଲି ଚାଲି ନ ଗଲେ ବଡ଼ ଅସୁବିଧା ହେବରେ !

 

ତଥାପି କୀର୍ତ୍ତିମାଳାର ତୁଣ୍ଡରେ କୌଣସି ସ୍ୱୀକାରୋକ୍ତି ଫୁଟିଲା ନାହିଁ । ତାର ମନେ ହେଉଥିଲା ପୃଥିବୀର ବୁକୁ ବିଦୀର୍ଣ୍ଣ ହୋଇ ଯାଆନ୍ତା କି.... ପଢ଼ିଛି, ଶୁଣିଛି କୀର୍ତ୍ତିମାଳା । ନାରୀର ଦୁଃଖ ଅପମାନରେ ଦିନେ ଏହି ସର୍ବଂସହା ଜନନୀର ହୃଦୟ ଫାଟି ପଡ଼ିଥିଲା । ଆଜି ପୁଣି ସେହି ବସୁଧା ସ୍ଥିର ହେଇ ରହିଛି କାହିଁକି ? କାହିଁକି ବା ଏ ଆକାଶ ନିଶ୍ଚଳ ରହିଛି ?

 

ଆତ୍ମଗ୍ଲାନି, ଅନ୍ତର୍ଦାହ, ପ୍ରତ୍ୟାଖାନ କୀର୍ତ୍ତିମାଳାର ଜୀବନରେ ତାହା ଯେପରି ଦୁର୍ଲ୍ଲଭ ନୁହେଁ । ଅରୂପ ଆଖିରେ ଧରା ପଡ଼ିବାକୁ ବେଶି ସମୟ ଲାଗିବ ନାହିଁ । ସେଥିଯୋଗୁ ଅତି ସନ୍ତର୍ପଣରେ ଆତ୍ମଗୋପନ କରିବାକୁ ହେବ । ଅନେକ ବ୍ୟର୍ଥତା, ଅନେକ ଆଘାତ ଜୀବନରେ ସହିବାକୁ ହେବ । ସେଥିପାଇଁ ଭାଙ୍ଗିପଡ଼ିଲେ କୌଣସିମତେ ଚଳିବ ନାହିଁ ।

 

ଶୂନ୍ୟ ଚା’ କପ୍‌ଟାକୁ ଓହ୍ଲେଇ ରଖି ଅରୂପ କହିଲା, କିଛି କହିବୁ ନାହିଁ...

 

ଉତ୍ତର ଦେବାକୁ ଯାଇ ଚୁପ୍‌ ହୋଇଗଲା କୀର୍ତ୍ତିମାଳା । ଉଦ୍‌ଗତ ଅଶ୍ରୁର ଉଚ୍ଛ୍ୱାସ ତାର ଦୁଇଟି ଅବାଧ୍ୟ ଆଖିକି ଝାପ୍‌ସା କରିଦେଲା । ଅରୂପର ଅଲକ୍ଷ୍ୟରେ ସେ ଥରେ ତାକୁ ନିରୀକ୍ଷଣ କରିନେଲା । ଏ ତାର ଭାଇ ନୁହେଁ । ଏ ତାର ବାଲ୍ୟସାଥୀ ନୁହେଁ, ଏ ପୁରୁଷ । ପୁରୁଷ ବୁଝେନା ନାରୀର ଆଘାତ । ବୁଝେଇ ହୁଏନା ତାକୁ । ଛାତି ନିଆଁରେ ସବୁ ପୋଡ଼ି ଜଳି ପାଉଁଶ ହୋଇଗଲେ ବି ପୁରୁଷ ଆଖିରେ ଦିଶେ, ଶାନ୍ତ ଦୁଇଟି ଆଖି, ଶୀତଳ କୋମଳ ବାହୁପାଶ ।

 

ଶାନ୍ତ ଅଥଚ ସଂଯତ କଣ୍ଠରେ କୀର୍ତ୍ତିମାଳା କହିଲା, ନ ଗଲେ କେମିତି ଚଳିବ ....

 

ଅରୂପ ଖୁସି ହେଲା । ଅଭିମାନିନୀ ହେଲେ ବି କୀର୍ତ୍ତିମାଳା ଦାୟିତ୍ୱ ବୁଝେ । କିନ୍ତୁ ବୁଝେନା ମହାଶ୍ୱେତା । ସେ ଚାହେଁ ସମସ୍ତଙ୍କ ଉପରେ ତାର ଅଧିକାର, ସମସ୍ତ ସୁଯୋଗ, ଦୁର୍ଯୋଗର ବାହାରେ ତାର ଦାବି । ଯୁଗ ଯୁଗ ଧରି ପୁରୁଷ ତାହା ସ୍ୱୀକାର କରି ଆସିଛି । ଅସ୍ୱୀକାର କରିବାର ଦୁଃସାହସ ଆଜି ସୁଦ୍ଧା ହାସଲ କରି ପାରିନାହିଁ । ଅରୂପକୁ ଫେରିଯିବାକୁ ହେବ ।

 

ନିଜର ଅଧିକାର ହାରିଗଲେ ପୁରୁଷ ଉନ୍ମତ୍ତ ହୁଏ । କିନ୍ତୁ ନାରୀ ହୁଏ ହିଂସ୍ର । ଦୁଇଦିନ ଧରି ଯେଉଁ ଅନ୍ତର୍ଦାହ କୀର୍ତ୍ତିମାଳାକୁ ତିଳ ତିଳ କରି ଦଗଧ୍ କରି ଚାଲିଚି, ସେହି ଦହନର ଜ୍ୱାଳାରୁ ନିଷ୍କୃତି ନାହିଁ । ଦିନ ଦିନ ଧରି ଯେଛଁ ଅର୍ଘ୍ୟ ସେ ସଜାଡ଼ି ରଖିଥିଲା, ଦେବତା ତାହା ଗ୍ରହଣ କରି ନାହିଁ । ଆଶିଷ ସେ ପାଇ ନାହିଁ । ହୃଦୟର ନିତ୍ୟ ପୂଜା ଦେଇ ନିରାଶରେ ସେ ଫେରି ଆସିଛି । ଦେବତାର ମନ୍ଦିର ଦ୍ୱାର ତାପାଇଁ ଖୋଲିନାହିଁ ।

 

ଅନ୍ୟ ନାରୀର ସଂସର୍ଗରେ ସ୍ୱାମୀ ଦେବତା ଦୂର ହୋଇ ଯାଇଛି । ମନ୍ଦିର ଶୂନ୍ୟ ପଡ଼ିଛି-। ରିକ୍ତ ହୃଦୟ ନେଇ କୀର୍ତ୍ତିମାଳା ଫେରିଚି । ଅନ୍ଧାର ଆଲୁଅର ଲୁଚକାଳି ଖେଳ ଭିତରେ ଅସହାୟା ନାରୀ ପଥ ହରେଇ ବସିଛି । ଚାହିଁଛି ଆଗକୁ ଆଉ ପଛକୁ । ଆଗକୁ ଗଲେ ସେ ଆଶ୍ରୟ ପାଇବ-। ଅଭୟ ନ ହେଲେ ମଧ୍ୟ ନିଶ୍ଚିନ୍ତ । ତଥାପି ଯେମିତି ଛାତିରେ ଆଘାତ ଲାଗିଲା । କିନ୍ତୁ ନିୟତି ନିକଟରେ ସେ ନିରୁପାୟ । ମନେହେଲା ତାକୁ ଯିବାକୁ ହିଁ ହେବ । ନ ଗଲେ ବି ଦେହଟା ତାର ସ୍ୱୟଂ ଚାଳିତ ହୋଇଯିବ । କୌଣସି ଝିଅର ଯେମିତି ସ୍ୱାତନ୍ତ୍ର୍ୟ ନାହିଁ । ସେମିତି ତାର ନାହିଁ-। ଅତଏବ ତାକୁ ଯିବାକୁ ହେଲା । ନ ଯାଇ ଉପାୟ ନ ଥିଲା ତାର ।

 

ବାପ, ମା, ଭାଇର ସଂସାରରେ, ବନ୍ଧୁବାନ୍ଧବ, ସ୍ନେହ ପରିଜନର ମଝିରେ ଆନନ୍ଦ ନ ଥିଲା । ଆତ୍ମ ସନ୍ତୋଷ ନ ଥିଲା । ଆଶ୍ରୟ ପାଇ ମଧ୍ୟ କୀର୍ତ୍ତିମାଳାର ନାରୀପ୍ରାଣ ନୀଡ଼ହରାର ବ୍ୟଥାରେ ଫାଟି ପଡ଼ୁଥିଲା । କିନ୍ତୁ ଧୀରେ ଧୀରେ ଅଭ୍ୟାସ ଆସିଗଲା । ମନ ବୁଝିଲା ଆକାଶର ଅନନ୍ତ ପଥପାର୍ଶ୍ୱରେ ପୃଥିବୀର ଅସୀମ ଦିଗ ଚକ୍ରତଳେ ବନ୍ଧନହରା ମନର ଆଶ୍ରୟ ଅଛି ।

 

ଏମିତି ଅବସ୍ଥାଟାକୁ କଣ କୁହା ଯାଇପାରେ । ଏ କ’ଣ କେବଳ ନିଜକୁ ନିର୍ଭୟ କରି ରଖିବାର ଉଦ୍ୟମ ? ନିର୍ଭୟ କରି ରଖିବାକୁ ଅଛି କ’ଣ ? ସମସ୍ତ ଜୀବନଟା ତ ଆଜି ବିପଦାପନ୍ନ । ହୃଦୟର ନିଗଡ଼ ଭିତରୁ ଯେଉଁ ପକ୍ଷୀ ଉଡ଼ି ଯାଇଛି ତାକୁ ଆଜି ଫେରେଇ ଆଣିବାକୁ ମନ ଆକୁଳ, ଅଧିର । ସମଗ୍ର ନାରୀ ଜାତିଟା ଏଇଆ । ସମସ୍ତଙ୍କ ସହିତ ସେ ସମାନ । ତାର ହୃଦୟ ମନ୍ଦିରରୁ କେହି ବିଦାୟ ନେଇନାହିଁ । ସେଠି ଆଜି ସେ ହଠାତ୍‌ ଆବିଷ୍କାର କରି ବସିଛି ଅରୂପର ପାଦଚିହ୍ନ । ଭଲକରି ସେ ଚିହ୍ନିନେବ । ଚିହ୍ନିବାକୁ ସେ ଚାହେଁ । ଭକ୍ତି ଦେଇ ପଦାଘାତ ସେ ସହିଛି । ପ୍ରେମ ବଦଳରେ ଦେଖିଛି ସୌଖୀନ ଚିତ୍ତ ବିଳାସ, ଛଳନା, ଅଭିନୟ । ଯେଉଁ ସଂସାରକୁ କେନ୍ଦ୍ରକରି ଗଢ଼ି ଉଠିଥିଲା, ତାହାଠାରୁ ତାକୁ ବିଚ୍ଛିନ୍ନ କରିଆଣି ଦେଖେଇ ଦିଆ ଯାଇଛି ସେ ନିତାନ୍ତ ଏକା । ସେଠାରେ ସେ ଛାଡ଼ି ଆସିଛି ତା ପ୍ରାଣର ବିଭବ । ସେ ସ୍ତ୍ରୀ ନୁହେଁ, ସେ ଭଉଣୀ ନୁହେଁ, ସଂସାର ନିତ୍ୟ କର୍ତ୍ତବ୍ୟର ବନ୍ଧନରେ ସେ ବନ୍ଦିନୀ ନୁହେଁ, ରାତିର ନିରୋଳାରେ ଆଜି ରହିଛି ଅଭିସାରର ଆକର୍ଷଣ, ନାରୀର ନିତ୍ୟକାଳର ଚିତ୍ତ ପିପାସା ।

 

ସେହି ପିପାସିତ ନାରୀପ୍ରାଣ ଆଜି ପଚାରି ଦେବାକୁ ଚାହେଁ ମହାଶ୍ୱେତା କିଏ ? କଣ ବା ତା ସହିତ ଅରୂପର ସଂପର୍କ । ମା, ଭଉଣୀ, ସ୍ତ୍ରୀ । ବାହୁଲ୍ୟ ମାତ୍ର । ଅତ୍ୟୁକ୍ତି ହେବ ସ୍ନେହ, ପ୍ରେମ ଆକର୍ଷଣ, ତଥାପି ଅରୂପ ଫେରି ଯାଉଛି ।

 

ବୁଝାଗଲା ତାର ଦେହଟା ସଚେତନ ରହିଛି । ଅଥଚ ଅଚେତନ ହୋଇଛି କୀର୍ତ୍ତିମାଳାର ମନ । ବାରମ୍ବାର ସେ ଅବାଧ୍ୟ ହୋଇଛି । କୌଣସି ସୂତ୍ର ସେ ଆବିଷ୍କାର କରି ପାରିନାହିଁ । ଜାଣିବାର ପ୍ରଶ୍ନ ଉଠିଲେ ସେ ଜବାବ ଦେଇ ପାରିବ ନାହିଁ । କଣ ବା ଅଛି ଦେବାକୁ । ମହାଶ୍ୱେତାର ପରିଚୟ ମାଗିବ ? ବୁଝି ନେବ ସମ୍ବନ୍ଧଟା କଣ । କିନ୍ତୁ ଅରୂପ ଯଦି ଓଲଟା ବୁଝି ବସେ । ସେ ଅପମାନ କୀର୍ତ୍ତିମାଳା ସହି ପାରିବ ନାହିଁ ।

 

ତଥାପି ପ୍ରାଣ କାନ୍ଦୁଛି । ଏହି କାନ୍ଦଣାଟା ଚିରଦିନ ନାରୀ ଭିତରେ ରହି ଆସୁଛି । ଏ ଅଶ୍ରୁ ସ୍ୱାଭାବିକ । ଆଖି ତାର ଭୀରୁ । ତଥାପି ଦୃଷ୍ଟି ତାର ସ୍ପର୍ଶ କରିବାକୁ ଚାହୁଁଛି ସୂଦୂର ଅନ୍ତଲୋକ-। ଯେଉଁ ପଥଦେଇ ମନ ଛୁଟିଚାଲିଛି ସେ ପଥ ଚିରନ୍ତନୀ ନାରୀର ରହସ୍ୟମୟ ଅନ୍ଧକାରାଚ୍ଛନ୍ନ ପଥ-

 

ଭାଇର ପାଦତଳେ ବିଦାୟ ପ୍ରଣାମ ଜଣେଇଲା କୀର୍ତ୍ତିମାଳା । ହୃଦୟର ସମସ୍ତ ଆବେଗକୁ ଚାପି ଚାପି ତାକୁ ଶେଷପର୍ଯ୍ୟନ୍ତ ଆଗେଇଯିବାକୁ ହେବ । ଏକ ଅନିର୍ବଚନୀୟ ଦୁଃଖର ଆବେଶରେ ତା ଆଖି ଦୁଇଟିରେ ବାରମ୍ବାର ଅଶ୍ରୁର ଉଚ୍ଛ୍ୱାସ ଦେଖା ଯାଉଛି । ବିଚିତ୍ର ଅନୁଭୂତି ଅର୍ଜ୍ଜନ କରିବାକୁ ଯାଉଛି ସେ । ସତେ ଯେମିତି କେଉଁ ଏକ ଦୁର୍ଲଭ ବସ୍ତୁ ହରେଇ ଅନ୍ତର ତାର ହାହାକାର କରି ଉଠୁଛି । ସୁଖ ନାହିଁ ଆଉ । କେବଳ ପରାଜୟର ଗ୍ଲାନି ଆଉ ଅବସାଦ । ସକଳ ତୃଷ୍ଣାର ପାଖେ ପାଖେ ରସପ୍ରାପ୍ତିର ତୃଷ୍ଣା । ନିଜ ଦେହର ଗନ୍ଧରେ ମନ ବ୍ୟାକୁଳ ହୋଇ ପଥେ ପଥେ ଧାଇଁ ବୁଲୁଛି । ଆଜି ତାର ଚାରିପାଖ ଘେରି ବହୁମାନବର ସମାଜ ଠିଆ ହୋଇନାହିଁ । ନାହିଁ ପ୍ରେମ, ପ୍ରବଞ୍ଚନା, ସହଯୋଗ । ଅଳଙ୍କାର ପରି ସବୁ ଖୋଲି ତଳେ ଖସି ପଡ଼ିଛି ।

 

ଧୀରେ ଧୀରେ ଅଳିନ୍ଦ ପାରିହୋଇ ଅରୂପ ବାହାରକୁ ଆସିଲା । ଆଗକୁ ପାଦ ପକେଇ ସେ ଯେମିତି ମହାଶ୍ୱେତାର ନିକଟରୁ ନିକଟତମ ହେବାକୁ ଯାଉଛି । ପଛରେ ପଡ଼ି ରହୁଛି କୀର୍ତ୍ତିମାଳା । ସକାଳର ନିତ୍ୟକର୍ମ ସାରି ବାପା ଚଉପାଢ଼ିରେ ବସିଛନ୍ତି । ଯା....ବଞ୍ଚିଗଲା ଅରୂପ । ସାନ ଭଉଣୀର ଅବାଧ୍ୟ ଅଶ୍ରୁର ଉତ୍ପୀଡ଼ନ ଭିତରୁ ସେ ଆତ୍ମରକ୍ଷା କରି ପାରିଲା । ଏମିତି କୌଣସି ଅଲଙ୍ଘନୀୟ କାରଣ ନ ଥିଲା, ଯାହାପାଇଁ ଆହୁରି ଗୋଟାଏ ସପ୍ତାହ ଅଟକି ଯାଇ ପାରିଥାନ୍ତା । ଏଥର ତାର ଗୁରୁ ଗୁରୁ ନିଶ୍ୱାସଟା ଧୀରେ ଧୀରେ ଲଘୁ ହୋଇଆସିଲା ।

 

ବାପାଙ୍କର ଦୁଇପାଦ ଧରି ଭୂମିଷ୍ଠ ପ୍ରଣାମ ଜଣେଇଲା ଅରୂପ । ପଦାରବିନ୍ଦ ରାୟଙ୍କ ଓଠରେ ଆଶୀର୍ବାଦର ଭାଷା ଫୁଟିଲା ନାହିଁ । ଏକ ଖୋଦିତ ପ୍ରସ୍ତର ମୂର୍ତ୍ତିପରି ସେ ବସି ରହିଲେ । ନମ୍ର କଣ୍ଠରେ ଅରୂପ କହିଲା ଯାଉଛି...

 

ଯାଅ । ନିଜର ଶକ୍ତି ଉପରେ ନିର୍ଭର ରଖିବ । ଅନ୍ୟକୁ ଆଉ ଅପେକ୍ଷା କରିବ ନାହିଁ ।

 

ସମସ୍ତଙ୍କ ଉପରେ ଥରେ ସସ୍ନେହ ଦୃଷ୍ଟି ପକେଇ ରାଜପଥ ଉପରେ ଓହ୍ଲେଇଗଲା ଅରୂପ । କାହାପାଇଁ ଆଉ କୌଣସି ସମ୍ଭାଷଣ ଆସିଲା ନାହିଁ ।

 

ଦୀର୍ଘଶ୍ୱାସ ପକେଇ ଭିତରେ ପଶିଲା କୀର୍ତ୍ତିମାଳା । ଅତି କୋମଳ ପଦାର୍ଥରେ ପୁଣି ନୂତନ ଆଘାତ ଲାଗିଲା । ନାରୀ ପୁରୁଷର ଔଦାସିନ୍ୟ, ଅବହେଳା ସହି ପାରେନା । ଏମିତି କି ଦଣ୍ଡ ସେ ମାନିନିଏ । ଯଦି ତା ମୂଳରେ ଜୀବନର କୌଣସି ଇତିହାସ ଥାଏ । ତା ସମ୍ବନ୍ଧରେ କିଛି ଆଳାପ ବିନିମୟ ନାହିଁ । ଏଡ଼େ ମୂଲ୍ୟହୀନ ସିଏ । ତାର ଶ୍ରଦ୍ଧା ତାର ବ୍ୟବହାର ଭିତରେ କଣ ଏମିତି ଆନ୍ତରିକତା ନାହିଁ ଯାହାପାଇଁ ଅରୂପର ପ୍ରାଣତନ୍ତ୍ରୀରେ ଝଙ୍କାର ଉଠିବ । ଆଖିର ଆଢ଼ୁଆଳରେ ରହିଗଲେ କ’ଣ ମନର ରେଖା ଲିଭିଯିବ ? ତେବେ କ’ଣ ଦୂରରେ ରହିଲେ ଆତ୍ମୀୟ ସମ୍ବନ୍ଧୀ ମଣିଷ ମଣିଷକୁ ଭୁଲିଯିବେ ?

 

ଜାଣେ କୀର୍ତ୍ତିମାଳା । ନାରୀର ଏ ବେଦନା କାଳ କାଳାନ୍ତର । ଦିନେ ସମସ୍ତ ମାୟା ଛିନ୍ନକରି ତାକୁ ଚାଲିଯିବାକୁ ହେବ । ସମସ୍ତେ ରହିଯିବେ ପଛରେ । ସମସ୍ତେ ହୋଇଯିବେ ପର । ସେ ଯିବା ଭିତରେ ସମସ୍ତ ସ୍ମୃତି ଲେଖା ନିଶ୍ଚିହ୍ନ ହୋଇଯିବ । ଏହି ପୃଥିବୀ ପୃଷ୍ଠରେ ତାର କୌଣସି ସ୍ଥାୟୀ ପରିଚୟ ରହିବ ନାହିଁ । ଚଳନ୍ତି ଯୁଗ ତାର ପାଦଚିହ୍ନ ବହନ କରି ପାରିବ ନାହିଁ । କୌଣସି ମଣିଷର କଣ୍ଠରେ ସେ ବଞ୍ଚିବ ନାହିଁ । ତଥାପି ଏକାନ୍ତ ଅବହେଳାରେ ତାର ଦାବି କି ଅସ୍ୱୀକାର କରି ଚାଲିଯିବାଟା ତା ବୁକୁରେ କଠିନ ହୋଇ ବାଜିଲା । ବାଜିଲା କରୁଣ ହୋଇ ।

 

ଦ୍ରୁତପଦରେ ନିଜର କୋଠରୀକି ଫେରିଆସି ମୁହଁମାଡ଼ି ବିଛଣାରେ ପଡ଼ିଗଲା କୀର୍ତ୍ତିମାଳା । ନିଜର ଆତ୍ମମର୍ଯ୍ୟାଦାକୁ ରକ୍ଷା କରିବାକୁ ଯାଇ ସେ ସମସ୍ତ ପାରିବାରିକ ଜୀବନରୁ ବିଚ୍ଛିନ୍ନ ହୋଇ ରହିଯିବାକୁ ଚେଷ୍ଟା କଲା । କିନ୍ତୁ ଯେଉଁ ଦୈନ୍ୟ, ଯେଉଁ କଠିନତାର ଭିତର ଦେଇ ଏ ଚେଷ୍ଟା କରାଗଲା, ସେଥିରେ ଆଖିରୁ ତାର ଧାର ଧାର ଲୁହ ଝରି ଆସିଲା ।

 

ଗାଡ଼ିରୁ ଓହ୍ଲେଇଲା ଅରୂପ । ରାତି ପ୍ରାୟ ସାଢ଼େ ନଅ । ଖରାଦିନର ରାତି । ଅନେକ ବେଳୁ ଗଛପତ୍ର ସନ୍ଧିରେ ସାନ୍ଧ୍ୟ ପବନର ମର୍ମର ଗୀତ ହଜିଗଲାଣି । ବ୍ୟାଗ୍‌ଟା ହାତରେ ଓହଳେଇ ପ୍ଲାଟଫର୍ମ ପାରି ହୋଇଗଲା ସେ । ଗୋଟାଏ ବନ୍ଧନରୁ ନିଷ୍କୃତି ପାଇ ଆଉ ଏକ ବନ୍ଧନ ପାଇଁ ଆଗକୁ ଦୌଡ଼ିଚାଲିଛି । ତାହା ହିଁ ମଣିଷର ସ୍ୱଭାବ । ନିଜକୁ ଏକ ବଦ୍ଧ ବିମୋକ୍ଷ ଜୀବପରି ଅନୁଭବ କରିବାରେ ସେ ଯେମିତି ଅଭ୍ୟସ୍ତ ।

 

କେମିତି ଗୋଟାଏ ଅବଶତାରେ ଅରୂପର ଦେହ ଆଚ୍ଛନ୍ନ ହୋଇ ଯାଇଚି । ଏମିତି ଆଳସ୍ୟ, ଆଉ କ୍ଳାନ୍ତି କେବେ ସେ ଅନୁଭବ କରିନାହିଁ । ଷ୍ଟେସନ ପାରି ହୋଇ ପ୍ରଧାନ ରାସ୍ତା ଧରିଲା ଅରୂପ । ରିକ୍‌ସା ଗୋଟାଏ ଦରକାର । ନା ଥାଉ । ଅଳ୍ପବାଟ ଚାଲିଗଲେ ଚଳିବ ।

 

ସହରର କର୍ମ କୋଳାହଳ ବଢ଼ି ଉଠୁଛି । କିନ୍ତୁ ଏହା ଭିତରେ ପଲ୍ଲୀ ପଥ ଜନହୀନ ହୋଇ ସାରିଥିବ । ଆକାଶ ଅଙ୍ଗନରେ ନକ୍ଷତ୍ରର ସଭା ବସିଛି । ସେ ସଭାରେ ଜ୍ୟୋସ୍ନାଲୋକ ନାହିଁ । ଅନ୍ଧକାରରେ କାର୍ଯ୍ୟ ଆଗେଇ ଚାଲିଛି । ମଣିଷ ଜୀବନ ପରି ଏ ଅନନ୍ତ ଆକାଶ । ଜୀବନ ପରି ସେ ବିସ୍ତୃତ । ଅସଂଖ୍ୟ ତାରକାର ପରି ତାର ଅଭିଜ୍ଞତା ଅଗଣନ । ବହୁ ତାରାର ଦୀପାଳି ଲିଭି ଯାଉଛି ପୁଣି ନୂଆକରି ବହୁ ତାରାର ଦୀପାଳି ଜଳି ଉଠୁଛି । ଆକାଶର ଏକ ଦିଗରେ କାବ୍ୟ ତାର ଝକ ଝକ କରୁଛି ସକାଳ ଅବଧି ସେ ରହିବ ଅଲିଭା, ଉଜ୍ଜ୍ୱଳ ।

 

ବାଙ୍କ ବୁଲି ବାଁ ହାତି ଚାଲିଲା ଅରୂପ । ନିଜର ଅଜ୍ଞତାରେ ସେ ଏକ ପଥ ଧରି ଚାଲିଛି । ଏମିତି ସମୟ ଆସେ, ମଣିଷ ଯେତେବେଳେ ନିଜର ବ୍ୟକ୍ତିତ୍ୱ ଭୁଲି ଖିଆଲ ଆନନ୍ଦର ଦାସ ହୋଇଥାଏ । ସେଦିନ ବାଟ ଚଲାର ହିସାବ ରହେନା । ରଖି ହୁଏନା । ଗତିର ଛନ୍ଦପତନ ଘଟେ, ହୃଦ ବିକାର ନୁହେଁ ଏ । ନୁହେଁ ପ୍ରବୃତ୍ତିର ତାଡ଼ନା । ତେବେ ମନର ବନ୍ଧନ ସେ କେଉଁଠି ହଜେଇ ଆସିଛି । ଯେଉଁ ଯନ୍ତ୍ରପାତି ଠିକ ଅଛି ନିଖୁଣ ଭାବରେ ତାର ଚାଳନା କରାଯାଇ ପାରେ । ଛନ୍ଦର ବନ୍ଧରେ ଯେମିତି କବିତାର ଲୀଳା ଚାଲେ । କିନ୍ତୁ ଗୋଟାଏ ସପୋର୍ଟ ଖସିଗଲେ ମଝିରେ ମଝିରେ ଯନ୍ତ୍ର ଖିଟ ଖିଟ କରେ ।

 

ରାସ୍ତାଭାଙ୍ଗି ଆଗକୁ ଚାଲିଲା ଅରୂପ । ଏପଥ ଯେମିତି ରୂପକଥାର ସେହି ତେରନଈ, ସାତ ସମୁଦ୍ରର ପଥ । ମଝିରେ ମଝିରେ ପୁଣି ରହିଛି ଅଗନା ଅଗନି ବନସ୍ତ । ତାପରେ ସେହି ପାର୍ବତ୍ୟପୁରୀର ପର୍ବତ କୁମାରୀ, ଖୁବ୍‌ ଭଲ ଲାଗୁଛି । ପରିବାର ଛାଡ଼ି ଆସିଛି ଅରୂପ । ସଂସାର ସେ କରିନାହିଁ । କଠୋର ନିଗଡ଼ରେ ମନ ତାର ଆବଦ୍ଧ ରହିନାହିଁ । ରୋମାଣ୍ଟିକ୍‌ ଯୁଗର ମଣିଷ ସେ । ମନରେ ତାର କୌଣସି ଲଜ୍ଜା, ସଂକୀର୍ଣ୍ଣତା ନାହିଁ । ଅବସ୍ଥା ଭେଦରେ ଅନ୍ତରରେ ତାର ବସ୍ତୁ ତାନ୍ତ୍ରିକତା ଆସିଛି । ରକ୍ତପ୍ରବାହ ତାର ସେ ବସ୍ତୁ ମିଶିନାହିଁ । ଚିତ୍ତଲୋକରେ ତାର ମୋହ ମମତା, ରଙ୍ଗ, ରସ, ଅବାନ୍ତର କଳ୍ପନା, ଅପ୍ରାକୃତିକ ସ୍ୱପ୍ନ ବଉଦ ପରି ଦେଖାଦେଇଛି । ଦେଖାଦେଇଛି, ଛାୟା ଆଉ ଆଲୋକ ପରି ।

 

କୁଆଡ଼େ ଚାଲିଛି ସେ ? କେଉଁ ପଥ ଧରିଛି ? ଅରୂପ ପକେଟ ଉଣ୍ଡାଳିଲା । ଜାଣି ଜାଣି ଇଚ୍ଛା ନ କଲେ ମଧ୍ୟ ଛୋଟ ଠିକଣା ଲେଖା ଖଣ୍ଡିଏ କାଗଜ ତା ପକେଟରେ ସାଇତାହୋଇ ରହିଛି । ଏଇ ସାମନାର ତ୍ରିଛକି ଡେଇଁ ଡାହାଣ ପାଖେ ଗଲେ, କେନାଲ କୂଳରେ ଉମାଶଙ୍କର ବାବୁଙ୍କର ଘର । ସିମେଣ୍ଟ ରଙ୍ଗର ତ୍ରିତଳ ପ୍ରାସାଦ । କିନ୍ତୁ ଆଗେଇ ଯିବାରେ କୌଣସି ପ୍ରୟୋଜନ ନାହିଁ । ପୁଣି ପଛକୁ ମୁହଁ ଫେରେଇଲା ଅରୂପ ।

 

କପାଳରେ ହାତ ବୁଲେଇ ଆଣିଲା ଅରୂପ । ରାତିର ଶୀତଳ ପବନ ଦେହରେ ବାଜୁଛି-। ତଥାପି କପାଳରେ ତାର ଶ୍ରମବିନ୍ଦୁ । ଆଖିରେ ଜଡ଼ତା ଆସୁଛି । ସେ ଜଡ଼ତା ନିଦ୍ରାର ନୁହେଁ, ଶ୍ରାନ୍ତିର ନୁହେଁ । ହୃଦୟର ଭାଷା ଆଖିରେ ଆଖିରେ ଲେଖା ରହିଥିଲା, ସେ ଲେଖା କଳ୍ପାନ୍ତ କାଳର-। ସେ ଲେଖା, ମାନବ ଜୀବନରେ ଅଭୁଲା, ଅଲିଭା ଆଲେଖ୍ୟ । ଲଜ୍ଜା ନାହିଁ ତାର । ନାହିଁ ଦୁଃଖ, ନାହିଁ ଶୋଚନା । ବିଶ୍ୱଦ୍ୱାରରେ ସେ ଭିକାରୀ, ସେ ଉନ୍ମତ୍ତ, ସେ ସଦାଜୟ । ଅଞ୍ଜଳିପାତି ମାଗୁଛି କରୁଣା, ଛାହୁଁଛି ପ୍ରେମ, ରହୁଛି ଧୀର, ସଞ୍ଜତ । ଏବେସୁଦ୍ଧା ସେ ରହିଯାଉଛି ଯୁଗ ଯୁଗାନ୍ତର ପଛରେ, ବଂଶୀର ଗଭୀର ବିଳାପରେ ତାର ଚିତ୍ତ ବିଭ୍ରମ ଘଟୁଛି । ଯମୁନାର ତରଙ୍ଗ ଜାଗୁଛି ଆଖିର ପଲକରେ । ଜ୍ୟୋସ୍ନାର ପୀଡ଼ନ ଅଙ୍ଗେ ଅଙ୍ଗେ ଅନୁଭବ କରୁଛି, ଅନ୍ଧକାରରେ ସେ ଅଭିସାରୀ ସାଜୁଛି, ମନଭିତରେ ତାର ଜାଗିରହିଛି କଳ୍ପ କାମନାର ମୋହ ।

 

ପୁଣି ରାସ୍ତାଉପରେ ଅରୂପର ଗତି ଥମିଲା, ଗଭୀର ନିଦ୍ରାରସରେ ମଜି ରହିଛି ନିସ୍ତବ୍‌ଧ ରାଜପ୍ରାସାଦ । ରାଜକୁମାରୀର ବିଜନ ମନ୍ଦିରରେ ଦୀପ ଜଳୁଛି । ପଦ୍ମପତ୍ରର ବିରହ ଶଯ୍ୟାରେ ଶୋଇଛି କୁମାରୀ । ଉନିଦ୍ର ଦୁଇଟି ଆଖିରେ ଢଳ ଢଳ କରୁଛି ଅଶ୍ରୁ । ଡାକିବକି ସେ ଯାଇ ନିବେଦିତାକୁ ? କାହିଁକି ଡାକିବ ? ସାମାନ୍ୟ ପରିଚିତି ଧରି ସେ କଣ ପ୍ରତୀକ୍ଷାର ମୁହୂର୍ତ୍ତ ଗଣୁଛି । କାହିଁକି ବା ଗଣିବ ? କି କଥା କହିବ ଅରୂପ । ଯୁଗ ଯୁଗାନ୍ତର ଧରି କି କଥା ସେ ଜମାକରି ରଖିଛି-? ଉଦ୍‌ଭ୍ରାନ୍ତ ପରି ସେ ଚାରିଆଡ଼କୁ ଅନେଇଲା, ଆଖପାଖରେ କେହି ଜନ ପ୍ରାଣୀ ନାହାନ୍ତି-। ତଳଘର ଗୁଡ଼ିକର ଆଲୁଅ ଅନେକ ବେଳୁ ଲିଭିଗଲାଣି । ମଣିଷର ସ୍ୱର ଶବ୍ଦ ନାହିଁ । ତାହାହିଁ ଯେମିତି ଭାଗ୍ୟ ।

 

ଅରୂପ ପୁଣି ନିଜକୁ ଏକ ଆକାଶଚାରୀ ଜୀବପରି ଅନୁଭବ କଲା । ଯେଉଁମାନେ ବସ୍ତୁ ତାନ୍ତ୍ରିକ ସେମାନଙ୍କୁ କେମିତି ଏହି ଉଡ଼ି ବୁଲିବାର ଆନନ୍ଦ ବୁଝେଇ ହେବ । ଶସ୍ତା ଆତ୍ମ ବିଳାସ ଭିତରେ ସେମାନେ ମରିବାକୁ ଶିଖିଛନ୍ତି, ଦୁରନ୍ତ ଉପଗ୍ରହ ପରି ଦୁଃସାହସ ଧରି ଉଡ଼ି ବୁଲିବାର ଉଲ୍ଲାସକୁ ଭାଷାରେ ପ୍ରକାଶ କରି ହେବନାହିଁ । ପ୍ରଣୋଚ୍ଛ୍ୱାସ, ହୃଦୟାବେଗ, ଜୀବନ୍ତ କାମନା ମଣିଷକୁ ଏକ ସଜୀବ ଯନ୍ତ୍ର କରି ଥୋଇଛି । ଯେପରି ଉଡ଼ିଯାଏ ରଙ୍ଗିନ୍‌ ପ୍ରଜାପତି, ଉଡ଼ିଯାଏ ମଧୁମକ୍ଷିକା । ପୁଷ୍ପ ପରାଗ ବୋଳି ହେବାର ମୋହ, ଅଞ୍ଜନର ଅନୁରାଗ ଚିରନ୍ତନ । ଏ ଉଲ୍ଲାସ ଗନ୍ଧର, ଏ ମୋହ ଜ୍ୟୋସ୍ନାର, ଏ ପିପାସା ସୁରାବିଷ୍ଟ ବାୟୁ ତରଙ୍ଗର ।

 

ଡାକିପାରିଲା ନାହିଁ ଅରୂପ । ସାମାନ୍ୟ ପରିଚୟ ନେଇ ରାତି ଅଧରେ କୌଣସି ଭଦ୍ର ମହିଳା ସହିତ ଆଳାପ ବିନିମୟ ଚଳେନାହିଁ । ତା ହେଲେ ସାଧାରଣ ଭଦ୍ରତା ଆଉ ସମ୍ଭ୍ରମର ମୁଣ୍ଡଖାଇ ବସିବାକୁ ହେବ । ପୁଣି ସମସ୍ତ ବନ୍ଧୁତ୍ୱର ବାହାରେ ରହିଛି ସାମାଜିକ ବ୍ୟବସ୍ଥା, ପାରିବାରିକ ବନ୍ଧନ ଆଉ କଠୋର ଅବିଶ୍ୱାସ । ଧୀରେ ଧୀରେ ଚାଲିବାକୁ ଆରମ୍ଭ କଲା ଅରୂପ । ଚାଲିଯିବାକୁ ହେବ ତାକୁ । କେବଳ ଖିଆଲ ଆଉ ଭାବପ୍ରବଣତା ନେଇ ସଂସାର ଚଳେନା, ସଂଯମ ଆବଶ୍ୟକ । ଶୃଙ୍ଖଳା ଦରକାର ।

 

ରାତି ବଢ଼ି ଚାଲିଚି । ଏଥର ଗୋଟାଏ ରିକ୍‌ସା ଡାକିବାକୁ ହେବ । ଅରୂପ ଖଣ୍ଡିଏ ରିକ୍‌ସାରେ ଉଠି ବସି ଚଲାପଥର ନିର୍ଦ୍ଦେଶ ଦେଲା । କିଛି ସମୟ ପରେ ରିକ୍‌ସା ଆସି ନିର୍ଦ୍ଦିଷ୍ଟ ଠିକଣାରେ ଅଟକିଲା । ଏ ଘର ଅରୂପର ପରିଚିତ । ବାହାର ପଟର କବାଟ ବନ୍ଦ ଅଛି । ଭିତରୁ ଶୁଭୁଛି ସର୍ବଜୟା କଥାବାର୍ତ୍ତାର ସ୍ୱର । ଉପର ମହଲାରେ ଆଲୁଅ ଦିଶୁଛି । ଅରୂପ କବାଟର କଡ଼ା ଖଟ୍‌ ଖଟ୍‌ କରିଦେଲା । କିଏ ବୋଲି ପଚାରି କବାଟ ଖୋଲିଦେଲା ଯୋଗୀ । ଆଖିଆଗରେ ତାର ବାବୁଙ୍କୁ ଦେଖି ସେ ଏକ ଦୀର୍ଘ ଦଣ୍ଡବତ ପକେଇଲା ।

 

ଭିତରେ ପଶି ସର୍ବଜୟାର ପ୍ରଣାମ ଗ୍ରହଣ କଲା ଅରୂପ । ତାକୁ ତଳୁ ଉଠେଇ କଲ୍ୟାଣ ଜଣେଇ, ସିଡ଼ିପାହାଚ ଦେଇ ସେ ଉପରକୁ ଉଠିଗଲା ।

 

ଘଡ଼ିରେ ସମୟ ଆଗେଇ ଚାଲିଛି । ଉଜ୍ଜ୍ୱଳ ବିଦ୍ୟୁତ ଆଲୋକରେ ଅରୂପ ଦେଖିଲା ଅଳ୍ପ ସମୟ ଆଗରୁ ବାରଟା ବାଜି ଯାଇଛି । ଖଟ ଉପରେ ଶୋଇ ରହିଛି ମହାଶ୍ୱେତା, ତୁଳୀ ତଳ୍ପରେ ବାସ୍ତବ ମୁହୂର୍ତ୍ତର ରାଜକୁମାରୀ । ନିଦ୍ରାରସର ନିବିଡ଼ତା ଭିତରେ ଚେତନା ହଜିଯାଇଛି । ଦେହରେ ସାମାନ୍ୟ ଆବରଣ ମାତ୍ର । ସନ୍ତର୍ପଣରେ ଅରୂପ ପାଖକୁ ଗଲା । କାଗଜ, କଲମ ଖୋଜି ଆଣିବ ? ନା ବଂଶୀରେ ତୋଳିବ ଗୋଟାଏ ସୁର । ଗୋଟାଏ ଆଦିମ କୌତୂହଳରେ ଅରୂପର ମନ ଭରି ଉଠିଲା । ମହାଶ୍ୱେତାର ଦୁଇ ବାହୁଧରି ଜୋରରେ ହଲେଇ ଦେଲା ସେ । ନିଦଭାଙ୍ଗି ଚିର୍‌ ଚିରେଇ ଉଠିଲା ମହାଶ୍ୱେତା । ଗାଲରେ ତାର ମୃଦୁ ଆଘାତ କରି ଅରୂପ କହିଲା, ଚୁପ୍‌....ଚୁପ୍‌...

 

ଆଖିମଳି ଚାହିଁଲା ମହାଶ୍ୱେତା । ହସି ହସି ଦୁଇହାତ ବଢ଼େଇ ଅରୂପକୁ ଆଲିଙ୍ଗନ କରିନେଲା । କହିଲା, ଜାଣିଥିଲି ତମେ ଆଜି ଆସିବ......

 

କୌଣସି ସଂକେତ ତ ମୁଁ ପଠେଇ ନଥିଲି...ହସିଦେଇ ଅରୂପ କହିଲା, ତା ହେଲେ ଚିତ୍କାର କରୁଥିଲ କାହିଁକି ?

 

ଉତ୍ତର ଦେଇ ପାରିଲା ନାହିଁ ମହାଶ୍ୱେତା । ପ୍ରିୟତମର ଗଳା ବେଷ୍ଟନକରି ଛାତିରେ ମୁହଁ ଗୁଞ୍ଜି ଆଦର କଲା ସେ । ଅଭ୍ୟର୍ଥନା ଜଣେଇଲା । ହୃଦୟର ଏକ ଆକୁଳ ଅପ୍ରକାଶ ଭାଷା ତାର ଥର ଥର ଓଠରେ ଫୁଟିଉଠିଲା । ସେ ଭାଷା ନିବିଡ଼ ରସାବେଶର, ତାହା ଭିତରୁ ଶବ୍ଦଗତ ଅର୍ଥ ଖୋଜି ବସିଲେ ମିଳିବ ନାହିଁ । ମିଳିବ କେବଳ କଣ୍ଠର ଆଦିମ ମଧୁର ଅସ୍ପଷ୍ଟଧ୍ୱନୀ ।

 

 

 

ମହାଶ୍ୱେତାର ଅସୁସ୍ଥତା ସ୍ୱାଭାବିକ । ଅସୁସ୍ଥତା କହିଲେ ଠିକ୍‌ ହେବନାହିଁ । ଏକ ଦୈହିକ ବିକାର ମାତ୍ର, ଉଚ୍ଚ ହାସ୍ୟଧ୍ୱନି ଭିତରେ ଅରୂପ ତାର ଅଶ୍ୱସ୍ତିକି ଉଡ଼େଇ ଦେଲା । ପୁଣି ପ୍ରକୃତିସ୍ଥ ହୋଇ ଉଠିଲା ମହାଶ୍ୱେତା । ଆହତ ବିହଙ୍ଗୀର ଡେଣାରେ ବଳ ସଞ୍ଚରି ଆସିଲା । ଆକାଶର ପଥେ ପଥେ ଶୁଭିଲା କଳରୋଳ । ପୃଥିବୀରେ ଶୁଭିଲା ତାର ପ୍ରତିଧ୍ୱନି । ପୁଣି ସେହି କଳଧ୍ୱନି ଭିତରେ ଅରୂପ ଆଉ ମହାଶ୍ୱେତା ହଜିଗଲେ ।

 

କଲେଜ ଖୋଲିବାକୁ ଆଉରି ଦୁଇତିନି ଦିନ ବାକି । କିନ୍ତୁ ଏଥି ଭିତରେ ମଧୁର ବର୍ଷାକାଳ ଆସିଯାଇଛି । ନବ ମେଘର ନୀଳିମାରେ ଆଚ୍ଛନ୍ନ ହୋଇଯାଇଛି ସମସ୍ତ ଆକାଶ ପଥ । ନବ ସୃଜନର ନିଶାରେ ପୃଥିବୀ ବିଭୋର ହୋଇଉଠିଛି ।

 

କେତେଦିନ ପରେ ଆକାଶ ପୃଥିବୀର ଏହି ବୁକୁ ଭରା ଉଲ୍ଲାସ ଭିତରେ ନିଜକୁ ହଜେଇ ବସିଲା ଅରୂପ । ସୁଯୋଗ ପାଇ ତାର ଯାଯାବର ପ୍ରବୃତ୍ତିଟା ପ୍ରବଳ ପ୍ରଭାବରେ ଜାଗି ଉଠିଲା । କାହାକୁ କିଛି ନ ଜଣେଇ ଦୁଇ ପଦର ସହାୟତାରେ ସେ ଏକ ବିଜନ ଭୂଖଣ୍ଡ ଉଦ୍ଦେଶ୍ୟରେ ବାହାରି ପଡ଼ିଲା । ସହରର ଇସ୍‌ପାତ ସଭ୍ୟତା ଆଉ ସଂସାରିକ କୋଳାହଳ ବାହାରେ ଯାହା ରହିଯାଇଛି ତାହା ଅରୂପର ସଂପୂର୍ଣ୍ଣ ବ୍ୟକ୍ତିଗତ ।

 

ନିବେଦିତା କଥା ମନେ ପଡ଼ିଲା ଅରୂପର । ପୁଣି ମନେ ପଡ଼ିଲେ ନିରୁପମା ସାମୁଏଲ । ଥରେ ଥରେ ସେମାନଙ୍କର ଦେଖା କରିଗଲେ ଚଳନ୍ତା । ହୁଏତ ଉମାଶଙ୍କର ବାବୁ, ତୁଷାର ସାମୁଏଲ ବି ଦେଖାହେଇ ଯାଆନ୍ତେ । କବିତାର ଧାରାରେ ପୁଣି ଆସନ୍ତା ନୂତନ ଛନ୍ଦ । ମିଳିଯାଆନ୍ତା ନୂତନ ଚିନ୍ତାଧାରା ।

 

ଅରୂପ ନିଜର ଅଜ୍ଞତାରେ ପୁଣି ସେହି ସ୍ୱପ୍ନ ମହଲ ଆଡ଼େ ଆଗେଇ ଚାଲିଛି । କିନ୍ତୁ କାହିଁକି ଚାଲିଛି ସେ ? କଣ ବା କାରଣ ଅଛି ? ନିବେଦିତା ତାକୁ ବନ୍ଧୁପରି ପାଇବାକୁ ଚାହେଁ । ରଙ୍ଗମଞ୍ଚର ନାରୀପକ୍ଷେ ସେଇଟା ନିହାତି ସ୍ୱାଭାବିକ । ଏଥିଭିତରେ ହୁଏତ ତାରୁଣ୍ୟର ଝଙ୍କାର ଆସିଛି । କିନ୍ତୁ ଏଇଟା ସାଧାରଣ ଆଖିରେ ନିନ୍ଦନୀୟ ନିଶ୍ଚୟ ! !

 

ଅରୂପ ନିଜକୁ ଶାସନ କଲା । ବାଟ ଭାଙ୍ଗି ସେ ଅନ୍ୟଆଡ଼େ ମୁହଁ ଫେରେଇଲା । ଏଇଟା ହୁଏତ ସ୍ୱାଭାବିକ କ୍ରିୟା । ଏହାର ଗତିରୋଧ କରିବାକୁ ଯାଇ ସାମାଜିକ ମଣିଷ ବହୁ ନୀତି ନିୟମ ପ୍ରଣୟନ କରିଛି । କିନ୍ତୁ ସମସ୍ତ ବ୍ୟବସ୍ଥାର ବାହାରେ ମଣିଷର ଗୋପନ ଇଚ୍ଛାଶକ୍ତି ନିଶବ୍ଦରେ ଠିଆ ହେଇଛି । ତାର ଶୃଙ୍ଖଳା ଦରକାର, ତାକୁ ଶାସନ ଦରକାର । ସମସ୍ତ ଜନ କୋଳାହଳର ମଝିରେ ଅରୂପ ଦେଖିବାକୁ ପାଇଲା ସେହି ଶାସନ ପଦ୍ଧତି । ନିତ୍ୟକାଳର ବାସନା ଧରି ପୁରୁଷ ଏହି ବନ୍ଧୁତ୍ୱ ପାଇଁ ଆଗକୁ ଦୌଡ଼ିଚାଲିଛି । ଚାରିପାଖର ଏହି ବିରାଟ କର୍ମ ଜୀବନର ମୂଳ ତାତ୍ପର୍ଯ୍ୟ ସେଇ, ଉଗ୍ରକାମନାର ସାମଗ୍ରୀ ଧରି ନାରୀ ବସି ରହିଛି । ଆଉ ହିତାହିତ ଭୁଲି ମୂଢ଼ ପୁରୁଷ ସେଇଆଡ଼େ ଧାଇଁଚାଲିଛି । ଏହାରି ନାମ ନରନାରୀର ସହଯୋଗ । ଏହି ଖେଳ ସହରର, ଏହି ଖେଳ ସଭ୍ୟତାର ।

 

ଏହାଠାରୁ ନିଃସଙ୍ଗତା ଲୋଡ଼ା । ଏହାଠାରୁ ମୁକ୍ତି ଲୋଡ଼ା । ଅରୂପ କ୍ଷିପ୍ରପଦରେ ଆଗେଇବାକୁ ଲାଗିଲା । ଏ କୂଟ ଚକ୍ରାନ୍ତ ଭିତରୁ ସେ ପଳେଇ ଯିବ । ତାହା ହିଁ ଭଲ । କୌଣସି ଅଜଣା ରାଜ୍ୟର ଅଜଣା ଭୂଖଣ୍ଡରେ ବିଜନ ସମୁଦ୍ର ତୀରରେ, ନିଭୃତ ଅରଣ୍ୟ ଲୋକରେ । ପର୍ବତ ପ୍ରାନ୍ତର କୌଣସି ନିର୍ଜନ ଉପତ୍ୟକାରେ ସେ ନୀଡ଼ ରଚନା କରିବ । ଯେଉଁଠି ଆକାଶ ତା ପାଇଁ ଅନନ୍ତ ସଂପଦ ସାଇତି ରଖିଛି । ପୃଥିବୀ ସଜାଡ଼ି ରଖିଛି ଶ୍ୟାମଳ ତୃଣଶଯ୍ୟା । ସେଠିକି ଯାଇ କୌଣସି ନାମହରା ପରିଚୟ ହରା ତପସ୍ୱୀର ଆଶ୍ରମ ଉପାନ୍ତ ବର୍ତ୍ତୀ ନଦୀକୂଳରେ ଆନନ୍ଦର ଦିନ ସେ କାଟି ଚାଲିବ । ପ୍ରଭାତରେ ଉଦ୍ୟାନର ଫୁଲ ତୋଳି ମାଳା ରଚନା କରିବ । ମଧ୍ୟାହ୍ନରେ ବନସ୍ପତିର ଶାନ୍ତଛାୟା ତଳେ ଆଶ୍ରୟ ଲୋଡ଼ିବ । ସନ୍ଧ୍ୟାରେ ଦେଖିବ ତାରାର ମହୋତ୍ସବ । ରାତ୍ରିର ଅନ୍ଧକାରରେ ତୃଣ ଶଯ୍ୟାରେ ନିଦ୍ରା ଯିବ । ସଭ୍ୟଜଗତ ପଛରେ ପଡ଼ିରହୁ, ପଛରେ ପଡ଼ିରହୁ ପରିବାରର ବନ୍ଧନ । ସେ ଆଗେଇ ଚାଲିବ ।

 

ଆରେ, ରାୟବାବୁ ଯେ ... ଶୁଣନ୍ତୁ ଶୁଣନ୍ତୁ ! ମନେ ଅଛିନା ? ସେଇ ଯେ ଗୋପାଳପୁରରେ ଆଳାପ ପରିଚୟ...... ।

 

ତୁଷାର ବାବୁ ଏକବାର ପାଖକୁ ଲାଗିଆସି ଅରୂପର ହାତ ଚାପିଧରିଲେ ।

 

ସ୍ମିତ ମୁଖରେ ଅରୂପ କହିଲା, ଭଲ ଅଛନ୍ତି ?

 

ଭଲ ରହିବାକୁ ହେବ ।

 

ତୁଷାର ବାବୁ କହିଲେ, ନିଜର ପରିବେଶ ଉପରେ ନିଜର ହାତ ଅଛି । ଏକଥା ସଂପୂର୍ଣ୍ଣ ଭୁଲ । ଯୋଡ଼ାଏ ଅଦେଖା ହାତ ନିରନ୍ତର ଆମର ଗତବିଧି ନିୟନ୍ତ୍ରଣ କରିଚାଲିଛି । ଆପଣଙ୍କର ଇଚ୍ଛା ଅନିଚ୍ଛାରେ କିଛିଯାଏ ଆସେନାହିଁ । ତାପରେ କଣ କହନ୍ତୁ ! କୁଆଡ଼େ ଚାଲିଲେ ? ଚାରଣ ଭୂଇଁକି ନା କ’ଣ ? ଆମ ଆଡ଼େ ଚାଲନ୍ତୁ ଆଜି । ନିରୁପମା ଆପଣଙ୍କୁ ଚାହୁଁଛନ୍ତି ।

 

ହସି ହସି ଅରୂପ କହିଲା, ଭାରି ଖୁସି ହେଲି । ଆପଣଙ୍କ ସହିତ ଦେଖାହେଲା । କିନ୍ତୁ ଆଜି ପାଇଁ ମତେ କ୍ଷମା କରନ୍ତୁ । ଅନ୍ୟଦିନ ଯାଇ ଶ୍ରୀମତୀ ସାମୁଏଲଙ୍କର ଆତିଥ୍ୟ ଗ୍ରହଣ କରିବି-

 

ରାଜପଥ ହେଲେ ବି ହୋ ହୋ କରି ହସି ଉଠିଲେ ତୁଷାର ବାବୁ । କହିଲେ, ଏଇ ଦେଖନ୍ତୁ ! ସେଦିନ ଆପଣ ଯାହା ଥିଲେ ଆଜି ମଧ୍ୟ ତା ଅଛନ୍ତି । ଅଣୁମାତ୍ର ପରିବର୍ତ୍ତନ ଘଟିନାହିଁ । କିନ୍ତୁ ଆପଣଙ୍କ ସହିତ ଦେଖା ହୋଇଛି । ଅଥଚ ଆପଣଙ୍କୁ ସାଙ୍ଗକରି ମୁଁ ନେଇଯାଇନାହିଁ । ଏକଥା ଜାଣିଲେ ଶ୍ରୀମତୀ ନିଆଁବାଣ ହେଇଯିବେ । ସୁତରାଂ ସମୟର ଅପବ୍ୟୟ ନକରି ମୋର ଅନୁସରଣ କରନ୍ତୁ ଶ୍ରୀମାନ ରାୟ....

 

ଗୋଟିଏ ହାତରେ ଅରୂପର କଟୀ ବେଷ୍ଟନ କରି ତାକୁ ଏକପ୍ରକାର ଟାଣି ଟାଣି ନେଇଗଲେ ତୁଷାର ବାବୁ ।

 

ଭାଗ୍ୟର କ୍ରୀଡ଼ନକ ଅରୂପ । ଚଳନ୍ତି ସ୍ରୋତରେ ଭାସମାନ, ସେହି ସ୍ରୋତର ପ୍ରଖରତାରେ ତା ଇଚ୍ଛା ଶକ୍ତିର କୌଣସି ଚାଳନା ନାହିଁ । ମାନବର ଗତିବିଧି ନିୟତିର ଖେଳା ! କେଉଁଠି ପ୍ରଚଣ୍ତ ଜଳ ତରଙ୍ଗର ଆଘାତ । କେଉଁଠି ଆବର୍ତ୍ତର ଘୂର୍ଣ୍ଣିପାକରେ ଧକ୍‌କା ଖାଇ ତାକୁ ଗଡ଼ି ଯିବାକୁ ହେଉଛି । ସୁତରାଂ ତୁଷାର ସାମୁଏଲଙ୍କ ହାତରେ କେଇଟି ମୁହୂର୍ତ୍ତ ପାଇଁ ନିଜକୁ ସମର୍ପଣ କରି ଦେବାକୁ ବାଧ୍ୟ ହେଲା ଅରୂପ ।

 

ପ୍ରଧାନ ରାସ୍ତା ପାରହୋଇ ଗୋଟାଏ ଗଳି ରାସ୍ତାରେ ଚାଲିଲେ ସେମାନେ । ତାପରେ ଆଉରି ଗୋଟିଏ ଛୋଟ ରାସ୍ତାରେ କିଛି ଦୂର ଚାଲିବା ପରେ ତୁଷାର ବାବୁ କହିଲେ, ଶିଳ୍ପୀବୋଲି କହିବାକୁ ସାହସ ନାହିଁ । ଏଇଠି ଏଇଗଳିର ଶେଷ ପ୍ରାନ୍ତରେ କଳାର ଗୋଟିଏ ଦରିଦ୍ର ପୂଜାରୀ ପଡ଼ି ରହିଛି । ଏ ଅଞ୍ଚଳଟା ଅନେକାଂଶରେ ନିରୋଳା । ମଟର ରିକ୍‌ସା ଯିବା ଆସିବା କମ୍‍ । ଆସନ୍ତୁ......

 

ଆମାୟିକ ଲୋକ ତୁଷାର ବାବୁ । ବୟସରେ ସଧ୍ୟ ଅରୂପଠାରୁ ପାଞ୍ଚ ସାତବର୍ଷ ବଡ଼ । ତାଙ୍କର ଏହି ମଧୁର ଉତ୍‌ପୀଡ଼ନକୁ ଉପେକ୍ଷା କରିଯିବା ଅରୂପର ସାଧ୍ୟାତୀତ । ଫାଟକ ପାରି ହେଇ ତୁଷାର ବାବୁଙ୍କ ପଛେ ପଛେ ଚାଲିଲା ସେ । ଦୁଇପାଖରେ ଅଜସ୍ର ଫୁଲଗଛ । ବାରଣ୍ଡାରେ ବିଭିନ୍ନ ଧରଣର ଫୁଲକୁଣ୍ଡ ସଜା ଯାଇଛି । ତୁଷାର ବାବୁଙ୍କ ସହିତ ଛୋଟ ଗୋଟିଏ ଦୋମହଲା ପକ୍‌କା ଭିତରକୁ ପଶିଲା ଅରୁପ । ପାଖଘରେ ନାରୀ କଣ୍ଠର ଝଙ୍କାର ଶୀର୍ଷକୁ ଉଠିଯାଇଛି । ବୋଧେ କୌଣସି ସ୍ତ୍ରୀ ସୁଲଭ ଆଲୋଚନା ଉପରେ ତର୍କ ଉଠିଛି । ନିଜ ଭିତରେ କାହିଁକି ସ୍ଥାଣୁତ୍ୱ ଅନୁଭବ କଲା ଅରୂପ । ନିଶ୍ଚୟ ଏମାନଙ୍କ ମଝିରେ ଯାଇ ଠିଆ ହେବାକୁ ହେବ । କିନ୍ତୁ ମହାଶ୍ୱେତା........

 

ଜୀବନରେ ତାର ଏକ ନାଟକୀୟ ଆଲୋଡ଼ନ ଆସିଯାଇଛି । ଏଇ ଆରମ୍ଭ ମାତ୍ର । ଆରମ୍ଭର ପ୍ରତ୍ୟେକ ମୁହୂର୍ତ୍ତ ଘଟଣାର ନାନା ଘାତ ପ୍ରତିଘାତ ନାନାସୁଖ, ଦୁଃଖର ଭିତର ଦେଇ ତାକୁ ଆଗେଇ ଯିବାକୁ ହେଇଛି । ତଥାପି ଦୁରନ୍ତ ଜଳ ସ୍ରୋତରେ ସର୍ବଗ୍ରାସୀ ତାଡ଼ନା ମଝିରୁ ସେ ଆତ୍ମାରକ୍ଷାର ଚେଷ୍ଟାକରି ଆସିଚି । ଯୌବନର ପ୍ରଲୋଭନ ଆଉ ରୂପ ସଂଭାର ଭିତରେ ସେ ବରାବର ନିଜକୁ ବଞ୍ଚିତ କରି ଆସିଛି । ଏହି ବିରାଟ ସହରର ମଝିରେ, ଏହି ଲୋକ ସମାଜ ଭିତରେ ପୁରୁଷ କ୍ରମିକ ସ୍ୱାଧୀକାର ତାର ନାହିଁ । ଈଶ୍ୱର ଦତ୍ତ ଅଧିକାର ତାର ପଡ଼ି ରହିଛି ବହୁ ପଛରେ । ଗର୍ବୋଦ୍ଧତ ସାମାଜିକ ଆଚରଣ ତଳେ ନୀତି ନିଷ୍ଠାର ଅପମୃତ୍ୟୁ ଘଟିଛି ଆଜି । କିନ୍ତୁ ଅରୂପର ନିଖୁଣ ସ୍ୱାସ୍ଥ୍ୟ ସମ୍ପଦ ଆଉ ବଳିଷ୍ଠ ପୌରୁଷ କିଛି ନପାରିଲେ ଅନ୍ତତଃ ସେହି ଜରାଜୀର୍ଣ୍ଣ ବୁନିଆଦକୁ ଧ୍ୱଂସକରି ଆସିପାରି ଥାଆନ୍ତା । ଗୋଟିଏ ପରେ ଗୋଟିଏ ସେଇ ପଙ୍ଗପାଳ ଦଳକୁ ହତ୍ୟାକରି କୀର୍ତ୍ତିମାଳାର ହାତଧରି ସେ ଆସି ଠିଆହୋଇ ଥାଆନ୍ତା ରାଜପଥ ଉପରେ । ସେହି ଅଶିକ୍ଷିତା ନିପୀଡ଼ିତା ନାରୀ କି ସେ ଦଶଭୂଜା ବିଜୟା କିମ୍ବା ସର୍ବନାଶୀ କାଳିକା ପରି ସେ ମୂର୍ତ୍ତିମନ୍ତ କରି ପାରିଥାଆନ୍ତା । ମାଟି ପିତୁଳାକୁ ସେ ଜୀବନ୍ୟାଶ ଦେଇଥାଆନ୍ତା । ଭିତରେ ଭରିଥାନ୍ତା ତେଜ ବୀର୍ଯ୍ୟ । ହାତରେ ତୋଳି ଧରିଥାନ୍ତା ଶାଣିତ ତରବାରୀ । ଉତ୍‌ପୀଡ଼ନ, ଉପେକ୍ଷା, ମୂଢ଼ତା, କୁଟବୁଦ୍ଧି, ଆଳସ୍ୟ, କୁସଂସ୍କାର, ହିଂସା, ଆଉ ଚିତ୍ତମାଳିଣ୍ୟ, ଇର୍ଷା ଓ ବିଦ୍ୱେଷ ନିଷ୍କ୍ରିୟତାର ଷଡ଼ଯନ୍ତ୍ର ସେହି ନିର୍ମମ ତରବାରୀରେ ତାର ଶେଷ ବିଚାର ହେଇଥାଆନ୍ତା ।

 

ତାପରେ ନୂତନ ଗୋଷ୍ଠୀ, ନୂତନ ସଭ୍ୟତା, ନୂତନ ଲୋକାଳୟ । ତାପରେ ହସି ହସି ଉଠି ଠିଆ ହୋଇଥାନ୍ତା ନବୀନ ଜୀବନ । ଏଇହେଲା ତାର କବି କଳ୍ପନା । ଏହି ସତ୍ୟ ଭିତରେ ପଡ଼ିରହିଛି ତାର ଚାରଣ ଭୂଇଁ । ଲୋକ ସଭ୍ୟତାର ସକଳ କୀର୍ତ୍ତି ଦିନେ ପୋଛି ହୋଇଯାଏ । କିନ୍ତୁ ଯୁଗ ଯୁଗ ଧରି ମଣିଷ ରଖିଯାଏ ଏହି କବି କଳ୍ପନା । ଅନ୍ୟ କଥାରେ କହିବାକୁ ହେଲେ ଭାବର ଅଭିବ୍ୟକ୍ତି । ସେ ମଧ୍ୟ ରଖିଯାଏ ଏହି ଚିନ୍ତାରୂପ ଆଉ ସତ୍ୟପୋଲବ୍‌ଧି ।

 

ପ୍ରବେଶ ଦ୍ୱାର ପାରି ଭିତର ବାରଣ୍ତାରେ ଆସି ଠିଆହେଲେ ତୁଷାର ବାବୁ । କାହା ଉଦ୍ଦେଶ୍ୟରେ ଯେମିତି କହି ଉଠିଲେ, ରାୟବାବୁ ଆସିଛନ୍ତି । କବି ଅରୂପ ରାୟ...

 

ନାରୀ ଜନୋଚିତ ଦୁର୍ଦ୍ଦାନ୍ତ ଆଲୋଚନା ଭିତରେ ସ୍ୱରଟା ଯଥା ସମୟରେ ପହଞ୍ଚିଗଲା । ମୁହୂର୍ତ୍ତକ ଭିତରେ ସମସ୍ତ କୋଠାରୀଟା ନିସ୍ତବ୍‍ଧ ହୋଇଗଲା । କି ଏକ ସନ୍ଦେହ କ୍ରମେ ବାହାରି ଆସିଲେ ନିରୁପମା । ଗୋଟିଏ ପଲକ ମାତ୍ର । ତାପରେ ମୃଦୁଗଳାରେ ସେ ଅନ୍ତରର ନମ୍ରତା ପ୍ରକାଶ କଲେ ।

 

ନମସ୍କାର ଜଣେଇ ଅରୂପ କହିଲା, ବିନା ଅପରାଧରେ ଗିରଫ୍‌ ହୋଇ ଆସିଛି । ବିଚାର କରିବା ହେଉନ୍ତୁ ।

 

ମଧୁସ୍ମିତ ହସର ତରଙ୍ଗରେ ଚହଲି ଉଠି ନିରୁପମା କହିଲେ, ଜାଣନ୍ତି ବୋଧେ ନାରୀ ଏ ପର୍ଯ୍ୟନ୍ତ ସେ ଅଧିକାର ହାସଲ କରି ପାରିନାହିଁ । ଅବଶ୍ୟ ସମ୍ବିଧାନ ସମ୍ବନ୍ଧରେ ମୋର ଜ୍ଞାନ ନାହିଁ । ଏଇଟା ମୋର ବ୍ୟକ୍ତିଗତ ଅଭିଜ୍ଞତା ।

 

ଅରୂପ କହିଲା, ତାହା ହିଁ ପୁରୁଷ ନିକଟରେ ମୂଲ୍ୟବାନ ।

 

ଥାଉ.....

 

ନିରୁପମା କହିଲେ, ସାମନା ସାମନି ହୋଇଗଲେ ମୂଲ୍ୟବୋଧଟା ହଠାତ୍‌ ବଢ଼ିଉଠେ । ଭିତରକୁ ଆସନ୍ତୁ ।

 

ନିରୁପମାଙ୍କ ପଛେ ପଛେ ଚାଲି ଅରୂପ କହିଲା, ଡର ଲାଗୁଛି.....

 

ଡର..... ଖିଲି ଖିଲି ହୋଇ ହସିଉଠିଲେ ଶ୍ରୀମତୀ ସାମୁଏଲ । ଅରୂପକୁ ଦେଖି ତାଙ୍କ ଭିତରେ ଯେମିତି ଏକ ମୃଦୁମୂର୍ଚ୍ଛନା ଜାଗି ଉଠିଲା । ନିଜର ନିରୂପାୟତା ଅନୁଭବ କରିବା ପୂର୍ବରୁ ସମସ୍ତଙ୍କ ସହିତ ତାର ପରିଚୟ କରେଇ ଦେଲେ ନିରୁପମା । ଅରୂପ ନିକଟରେ ଏଟା ସଂପୂର୍ଣ୍ଣ ନୂଆ ଜଗତ ।

 

ଅରୂପର କୌଣସି ସାଜସଜା ନାହିଁ । ସଭ୍ୟଜଗତରେ ମଣିଷର ଯେତିକି ଆବରଣ ଦରକାର ସେତିକିରେ ତାର ବେଶ ବିନ୍ୟାସ କରାଯାଇଛି । କିନ୍ତୁ ତାର ସମୁଜ୍ଜଳ, ସୁଠାମ ଚେହେରା ଯେ ଏକ ଚୁମ୍ବକ ଶକ୍ତି, ସନ୍ଦେହ ନାହିଁ । ଥରେ ଆଖି ପଡ଼ିଲେ ସହଜରେ ଦୃଷ୍ଟି ଫେରି ଆସେନା । ନାରୀର ଅର୍ନ୍ତଦୃଷ୍ଟି ଅତି ତୀକ୍ଷ୍‌ଣ । ପରୁଷର ସୌନ୍ଦର୍ଯ୍ୟ ଭିତରୁ ସେ ଖୁବ୍‌ ଶୀଘ୍ର ବଣ୍ୟ ଚପଳତା ଆବିଷ୍କାର କରିପାରେ । ସମ୍ଭାବନା ଖୋଜିପାଏ । ଦେଖିବାକୁ ପାଏ ପ୍ରତିଭାର ଛବି । ସେମାନଙ୍କର ହୃଦୟ ହେଲା ଗ୍ରହଣାକାଂକ୍ଷୀ । ମନଟା ହେଲା ନିକିତି ଧାରୀ । ଅଳ୍ପବୟସ୍କା ମହିଳା ଜଣେ ଆଗକରି ପଚାରି ଉଠିଲେ, ଏକ ଆସିଛନ୍ତି ?

 

ମହିଳାଟି ଅରୂପ ନିକଟରେ ସଂପୂର୍ଣ୍ଣ ଅପରିଚିତା ନୁହଁନ୍ତି । ଗୋପାଳପୁରରେ ଅଳ୍ପକେତେ ଥର ଦେଖା ହୋଇଥିଲେ । ସେ ଶ୍ରୀମତୀ ମାନମୟୀ ଦେବୀ । ଅରୂପ ସହାସ୍ୟ ଉତ୍ତର ଦେଇ କହିଲା, ସଂପୂର୍ଣ୍ଣ ଏକା....

 

ଅନ୍ୟଜଣେ ମହିଳା କହିଲେ, ପିଲାପିଲି ନେଇ କଟକରେ ରହନ୍ତି ବୋଧେ !! ସାମୁଏଲ ପରିବାର ସହିତ ଖୁବ୍‌ ବନ୍ଧୁତ୍ୱ ଅଛି ନିଶ୍ଚୟ !!

 

ମୁଣ୍ଡ ନଥାଇ ମୁଣ୍ଡ ବଥାର ପ୍ରଶ୍ନ ଉଠେନା ।

 

ଅରୂପର ଚେହେରା ଉପରେ ସମସ୍ତଙ୍କର ଦୃଷ୍ଟି ନିବଦ୍ଧ ହେଲା । ଗୋଟାଏ ଷୋଡ଼ଶୀ ତରୁଣୀ ଅନ୍ୟ ଗୋଟିଏ କିଶୋରୀର ପଛଆଡ଼େ ଆଙ୍ଗୁଳିରେ ଆଘାତ କଲା । ଯାହାର ଅର୍ଥ କି, ଯୋଡ଼ାଏ ପୁଷ୍ପଧନୁ ଏ ଯୁଗରେ କେଉଁଠି ତୁ ଦେଖିଛୁ ? ଅଦ୍ୟ ଯୁବତୀଟି ସେଇ ଖେଞ୍ଚାଭିତରେ ନିଜର ମନୋଭାବଟା ପ୍ରକାଶ କରି ଦେଲା । ବସନ୍ତ କାଳ ନ ହେଲେ ବି କମ୍ପନ ଆସୁଛି ।

 

ନିରୁପମା କେତେବେଳେ ବାହାରି ଯାଇଛନ୍ତି । ସ୍ୱାମୀ, ସ୍ତ୍ରୀ ହୁଏତ କେଉଁଠି ଅତିଥି ସତ୍କାର ଆୟୋଜନରେ ଲାଗି ପଡ଼ିଛନ୍ତି ।

 

କିଛିକ୍ଷଣ ପରେ ଚା ସହିତ ନିରୁପମା ଫେରିଲେ । ତୁଷାର ସାମୁଏଲଙ୍କ ହାତରେ ଥାଳିଆ ଭରା ରସଗୋଲା । ପଛେ ପଛେ ପାଣିଗ୍ଲାସ ଧରି ଛୋଟ ଚାକର ଟୋକିଟି ଆସିଗଲା । ସମସ୍ତଙ୍କ ସାମନାରେ ଟି’ପୟ ଟାଣି ଚା’ ପାତ୍ର ଓହ୍ଲେଇ ରଖିଲେ ନିରୁପମା ।

 

ହସି ଉଠି ଅରୂପ କହିଲା, ବେଶ...ବେଶ...ଏଇ ତ ସତ୍ୟ, ତ୍ରେତୟା । କଳିଯୁଗ ବୋଲି କହିବାକୁ ମୋ ପରି ଅକିଞ୍ଚନର ସାହସ କାହିଁ ।

 

ମଧୁହସି ତୁଷାର ବାବୁ କହିଲେ, ଅତିଥି ପ୍ରସନ୍ନ ହୋଇ ପାରିଛନ୍ତି । ଏଥର ମୁଁ ନିର୍ଭୟରେ ଅନ୍ୟକାମରେ ଯାଇପାରେ ।

 

ତା ହେଲେ ଏ ଧର୍ମପ୍ରାପ୍ତି ରୁ ମତେ ବଞ୍ଚିତ କରନ୍ତୁ ନାହିଁ...ଆସନ ଛାଡ଼ି ମାନମୟୀ ଯତ୍ନ ସହକାରେ କପରେ ଚା’ ଢାଳି ସମସ୍ତଙ୍କ ଭିତରେ ବାଣ୍ଟିଦେଲେ ।

 

ପିଆଲା ଉଠେଇ ନେଇ ଅରୂପ କହିଲା, ଧନ୍ୟବାଦ । କିନ୍ତୁ ଏ କାମଟା ସ୍ୱାଭାବିକ ନାରୀଜନ ସୁଲଭ ।

 

ସେ ମହିଳା ପୁଣି କହିଲେ, ଆପଣଙ୍କୁ କେଉଁଠି ଦେଖିଲାପରି ମନେ ହେଉଛି, ପରିଚୟ ମାଗିବାର ଦୁଃସାହସ କିନ୍ତୁ ମୋର ନାହିଁ ।

 

ଅଛି କହି ଅବଳା ଅପବାଦରୁ ନିଜକୁ ମୁକ୍ତିକରି ନିଅନ୍ତୁ, ମୁଁ ଅରୂପ ରାୟ...

 

ଅରୂପ ରାୟ...ପ୍ରଥମ କିଶୋରୀଟି ଏକପ୍ରକାର ଉତ୍ସାହିତ ହୋଇ ଉଠିଲା, କହିଲା—ଗଳ୍ପ ଉପନ୍ୟାସ ବହୁତ ଲେଖିଲେଣି ନୁହେଁ ?

 

ଚା’ ପିଆଲାରେ ଓଠ ଲଗେଇ ଅରୂପ କହିଲା, ନା ଆଜ୍ଞା ! ଗାଳ୍ପିକ ହେବାର ସୌଭାଗ୍ୟ ମୋର ନାହିଁ, କଲମଟା ଏଡ଼େ ଅମାନିଆ ଯେ, କୌଣସିମତେ ଆପଣଙ୍କ ଶ୍ରଦ୍ଧାଭାଜନ ହୋଇ ପାରିଲି ନାହିଁ ।

 

ଏଥର ସମସ୍ତ କୋଠରୀଟା ଆନନ୍ଦର ମୁକ୍ତହସରେ ଥରିଉଠିଲା । ଦୁଇ ତିନିଜଣ ସମସ୍ୱରରେ କହିଉଠିଲେ, ମିଛ...ମିଛ...ଆପଣଙ୍କ କଥା କେହି ବିଶ୍ୱାସ କରି ପାରିବେ ନାହିଁ । ଆଦୌ ଲେଖନ୍ତି ନାହିଁ ?

 

ଲେଖା ଲେଖି ଭିତରେ କବିତା ଲେଖିବାକୁ ସମୟେ ସମୟେ ଚେଷ୍ଟା କରିଥାଏ ।

 

ତା’ହେଲେ କବି ଆପଣ...

 

ଦ୍ୱିତୀୟା କିଶୋରୀଟି ଭାବାବେଗରେ ଥରେ ଆଗକୁ ଝୁଙ୍କିଆସି ଅରୂପର ମୁହଁକୁ ଚାହିଁଲା ।

 

ମାନମୟୀ କହିଲେ—ଯିଏ ଗାଳ୍ପିକ, ସେ କ’ଣ କବିତା ଲେଖି ପାରିବ ନାହିଁ ? ନା ସାଧନାରେ ବ୍ୟଘାତ ଘଟିବ ?

 

ନା ଠିକ୍‌ ତାହା ନୁହେ...

 

ପୁଣି ବାରଣ୍ଡାରେ କାହାର ପଦ ସଂଚାର ହେଲା । ଗୋଟିଏ ପଲକ ଭିତରେ ଭିତରକୁ ଆସି ତୁଷାର ବାବୁ କହିଲେ, ତମମାନଙ୍କର କାମର ସମୟ ହେଲା, ଏଥର ଯାଅ ।

 

ବିନା ବାକ୍ୟ ବ୍ୟୟରେ ସମସ୍ତେ ଉଠି ଠିଆହେଲେ । ଯେପରି ଅତି ବାଧ୍ୟଛାତ୍ର । ଅରୂପକୁ ନମସ୍କାର ଜଣେଇ ନିଶବ୍ଦରେ ଜଣଜଣ କରି ଘରୁ ବାହାରିଗଲେ । କଣ୍ଠରେ ନମ୍ରତା ଧରି ଅରୂପ କହିଲା, ମତେ ଏଥର ଯିବାକୁ ଦିଅନ୍ତୁ । ସନ୍ଧ୍ୟା ହେଲା...

 

ନିଶ୍ଚୟ...ନିଶ୍ଚୟ...

 

ତୁଷାର ବାବୁ କହିଲେ, ମତେ ମଧ୍ୟ ଯିବାକୁ ହେବ । ଏଇ ତ ପାଞ୍ଚଟା ବାଜିଲାଣି । ଆଚ୍ଛା, ତମର ପରା ଅରୂପବାବୁଙ୍କୁ କଣ କହିବାକୁ ଥିଲା ।

 

ଆକ୍ରୋଶର ଝଙ୍କାର ଉଠେଇ ନିରୁପମା କହିଲେ, କଣ ଏତେ ଶସ୍ତା...

 

ତାହେଲେ ବହୁତ ଥର ଆସିବାକୁ ହେବ । ଚୁଲିମୁଣ୍ଡରେ ପିଲାର ଦୋଳି ଶେଯ ପାଖରେ, ନିତ୍ୟ ରାହାସ ସମୟରେ ଅନୁସରଣ କରିବାକୁ ହେବ । ହାୟରେ ପୁରୁଷ...

 

ତୁଷାର ସାମୁଏଲଙ୍କର ଗମ୍ଭୀର୍ଯ୍ୟ ଫାଟି ପଡ଼ିଲା । ହସି ହସି ନିରୁପମା ଘରଛାଡ଼ି ପଳେଇଲେ । କିନ୍ତୁ ନିଶ୍ଚଳ ହୋଇ ଏକା ଠିଆହୋଇ ରହିଲା ଅରୂପ । ତାର ଭାବଭଙ୍ଗୀରୁ ବୁଝାଗଲା ଏ ପ୍ରକାର ରସିକତା ଭିତରେ ତାର ଆଦୌ ଚିତ୍ତଚାଞ୍ଚଲ୍ୟ ଦେଖାଯାଇନାହିଁ । କେବଳ ବିଶୁଦ୍ଧ ହାସ୍ୟରସ ସେ ପରିବେଷଣ କରିଯାଇଛି ।

 

 

 

ଦୁଇତିନି ଦିନ ପରେ ପୁଣି ଦେଖା ହେଲା । ଏଥର କିନ୍ତୁ କୌଣସି ନିମନ୍ତ୍ରଣ ପାଇ କିମ୍ବା ଉତ୍ପୀଡ଼ନରେ ଆସିଲାନାହିଁ ଅରୂପ । ଆସିଲା ନିଜେ ନିଜେ । ନିୟନ୍ତା ପୁରୁଷର ଅଦୃଷ୍ଟ ନିର୍ଦ୍ଦେଶରେ ସମସ୍ତ ଜୀବଜଗତର ଗତିବିଧି ନିୟନ୍ତ୍ରିତ । ମୂଢ଼ ମାନବ ଶିଶୁ ଅରୂପ ଭାଗ୍ୟ ଦେବତାର କ୍ରୀଡ଼ା ପୁତ୍ତଳିକା । ତା ଡୋରିର ଚାଳନାରେ ସେ ନାଚିବ, ବୁଲିବ, ନିଦ୍ରାଯିବାର ଅଭିନୟ କରିବ ।

 

ନିଖୁଣ ଭାବରେ ସେହି ଅଭିନୟ ଦେଖେଇବାକୁ ଯାଇ ଅରୂପ ଯେତେବେଳେ ଆସି ସାମୁଏଲ ପରିବାରର ବାସସ୍ଥଳୀ ନିକଟରେ ଠିଆ ହେଲା, ସେତେବେଳେ ଦିନ ଶେଷରେ ରଙ୍ଗିନ୍‌ ଆଲୁଅ ପଥେ ପଥେ ବିଞ୍ଚି ହୋଇପଡ଼ିଛି । ସାମନାର ବାରଣ୍ଡାରେ ସାମୁଏଲ ଦମ୍ପତି ମନପ୍ରାଣ ଦେଇ ଶିଶୁର କଳଧ୍ୱନୀ ଉପଭୋଗ କରୁଛନ୍ତି । ଆଲୁଅ ଜଳିନାହିଁ, ସେହି ଛାୟାଲୋକ ଭିତରେ ଅରୂପ ଯେମିତି ଦେଖିବାକୁ ପାଇଲା ନିରୁପମାଙ୍କ ଆଖିରେ କଳ୍ପାନ୍ତ କାଳର ଭାଷା ।

 

ଆଖି ଆଗରେ ଅରୂପକୁ ଦେଖି ନିରୁପମା ଏକ ଅସ୍ପଷ୍ଟ ଗୁଞ୍ଜନ କରି ଉଠିଲେ । ହସି ହସି ତୁଷାର ସାମୁଏଲ ଆଗେଇ ଆସିଲେ । ଅରୂପର ଡାହାଣ ହାତ ମୁଠେଇ ଧରି ସେ କହିଉଠିଲେ, କି ଭାଗ୍ୟ ଆମମାନଙ୍କର......

 

ନମସ୍କାର ବିନିମୟ ହୋଇଗଲା । ନିରୁପମା କହିଲେ, ଆଶ୍ଚର୍ଯ୍ୟ....ଏମିତି କୌଣସି କାରଣ ନାହିଁ ଯେ କବି ଅରୂପ ରାୟ ନିଜେ ଆସି ପାଦଧୂଳି ଦେଇଯିବେ । କୌଣସି କାବ୍ୟିକ ଆକର୍ଷଣ ମଧ୍ୟ ନାହିଁ ।

 

ହସି ହସି ତୁଷାର ବାବୁ କହିଲେ, ଯିଏ କବି, ସମ୍ଭବ ଅସମ୍ଭବ ଦୁଇଟା ଶବ୍ଦ ତା ନିକଟରେ ନିରର୍ଥକ...

 

ସମସ୍ତେ ସମସ୍ତଙ୍କ ମୁହଁକୁ ଅନେଇ ଏଇ ଅର୍ଥପୂର୍ଣ୍ଣ କଥାଟାକୁ ହୃଦୟଙ୍ଗମ କରିନେଲେ । ତାପରେ ଗୋଟିଏ ମୁହୂର୍ତ୍ତ । ଉଚ୍ଚହାସ୍ୟ ରୋଳରେ ବାୟୁମଣ୍ଡଳ ତରଙ୍ଗାୟିତ ହେଇଉଠିଲା । ସେହି ହସିବା ଭିତରେ ଅରୂପ କହିଉଠିଲା, କେଉଁ କାରଣ ବା ଆକର୍ଷଣ ଏଥିଭିତରେ ଦୁର୍ବାର ହେଇଉଠିଛି ମୁଁ ବି ତାହା ଭାବୁଛି ।

 

ଶ୍ରୀମତୀ ସାମୁଏଲ କହିଲେ, କବିମାନଙ୍କର ଦୃଷ୍ଟି ଯେ ନିହାତି ସନ୍ଦିଗ୍‌ଧ ମାନିବାକୁ ହେବ ।

 

ଅରୂପ ମୁହଁ ରଙ୍ଗିନ୍‌ ହେଇ ଆସିଲା । କହିଲା, ନା ଠିକ ତାହା ନୁହେଁ । ନାରୀମାନେ ଏପର୍ଯ୍ୟନ୍ତ ବିଚାରପତିର ଆସନ ପାଇବାକୁ ଉପଯୁକ୍ତ ହୋଇ ପାରି ନାହାନ୍ତି ।

 

ତୁଷାର ବାବୁ କହିଲେ, ଲେଖା ଲେଖି କେତେବର୍ଷ ହେଲା କଲେଣି ?

 

ପ୍ରାୟ କଲେଜ ଜୀବନର ଆରମ୍ଭରୁ....

 

ଛୋଟ ଛୁଆଟି ଆସି ମା’ର ଅଞ୍ଚଳ ଧରିଲା । ଏତେ ସମୟ ଧରି ସେ ବଗିଚାରେ ଫୁଲ ଛିଣ୍ଡେଇବା କାମରେ ବ୍ୟସ୍ତ ଥିଲା । ଏ ଅବଧି ତାର ହାତମୁଠାରେ କେତୋଟି ଫୁଲ ପାଖୁଡ଼ା ରହିଯାଇଛି । ଅରୂପ ତାକୁ କୋଳକୁ ଉଠେଇ ଆଣିଲା । ମୁଗ୍‌ଧ ଦୃଷ୍ଟିରେ ଶିଶୁଟିକି ଅନେଇ ରହି ତୁଷାର ବାବୁ କହିଲେ, ଦୀର୍ଘ ଦଶ ପନ୍ଦର ମିନିଟ ଧରି ବହୁ ଶ୍ରମ ସ୍ୱୀକାର କରି ଅନେକ ଗୁଡ଼ିଏ ଫୁଲ ସେ ନଷ୍ଟକରି ପାରିଚନ୍ତି । ଏଥର ତାଙ୍କର ଖାଇବା ପିଇବା, ଶୋଇବା, ଖେଳିବାର ସୁବନ୍ଦୋବସ୍ତ କରିବାକୁ ହେବ ।

 

ଅରୂପ କୋଳରେ ଶିଶୁଟି ହୁଏତ ଅଶ୍ୱସ୍ତି ବୋଧ କରୁଥିଲା । ସତେ ଯେମିତି ଲଜ୍ଜା, ଅପମାନରେ ସେ ସର୍ବଂସହା ଜନନୀର ଆଶ୍ରୟ ଲୋଡ଼ୁଥିଲା ।

 

ମୃଦୁ ହସି ପୁଅକୁ କୋଳକୁ ନେଲେ ନିରୁପମା । ନିଜର ପଣତରେ ମୁହଁପୋଛି ଦେଇ କହିଲେ, ଆଗ ପୁଅ....ପଛ ଦିଅଁ...

 

ଧନ୍ୟରେ ମା ବସୁଧା...

 

ଚା’ ଆସି ପହଞ୍ଚିଲା । ରୁପାଥାଳିଆରେ ପାନ ସିଗାରେଟା ଘରର ଆସବାଦ ପତ୍ର ଯେମିତି ଅତିଥି ଆପ୍ୟାୟନ ପାଇଁ ଜାଗ୍ରତ ହୋଇ ରହିଛି ।

 

ପୁଅକୁ ସ୍ୱାମୀଙ୍କ କୋଳରେ ଟେକି ଦେଇ ନିରୁପମା ପିଆଲାରେ ଚା’ ଢାଳିଲେ ।

 

ତୁଷାର ବାବୁ କହିଲେ, ଆଜି ମୋର ଛୁଟି । ସବୁଦିନ କାମ କରି କରି ଶ୍ରାନ୍ତ । ଆଜିକ ପାଇଁ ଅନ୍ତତଃ ବିଶ୍ରାମ.....

 

ନିରୁପମା କହିଲେ, ମିଛ କହିଲ । ଆଜି କାର୍ଯ୍ୟକ୍ରମ ଅନ୍ୟ ପ୍ରକାର ଥିଲା, ଆଚ୍ଛା ଆପଣଙ୍କର ଲେଖା ଲେଖି କେମିତି ଚାଲିଛି....

 

ଅରୂପ କହିଲା, ମନ୍ଦ ହେଉନି । କିନ୍ତୁ ଏହିକ୍ଷଣି ଜୋରକରି ମୁଣ୍ଡ ଉପରେ ଗୋଟାଏ ବୋଝ ଚାପି ହେଇଯାଇଛି ।

 

ତୀକ୍ଷ୍‌ଣ ସ୍ୱରରେ ନିରୁପମା କହିଲା, ବୋଝଟା ନଳିତା ବିଡ଼ା ବୋଧେ......

 

ଗମ୍ଭୀର ହେଇ ଅରୂପ କହିଲା, ଠିକ ତା ନୁହେଁ । ତେବେ ବୋଝଟା ସମ୍ପୂର୍ଣ୍ଣ ନିଜର ବୋଲି ଏଇ ମାତ୍ର ଜାଣିଲି ।

 

ହସି ହସି ତୁଷାର ବାବୁ କହିଲେ, ବୋଝଟା କି ପ୍ରକାରର......

 

ଅରୂପ କହିଲା, ଏଇ ତେଲ, ଲୁଣ.......

 

ଧମକ ଦେଇ ନିରୁପମା କହିଲେ, କବି ଚାତୁରୀ ରଖନ୍ତୁ......

 

ଅରୂପ କହିଲା, ଏଇଟା ଏ ଯୁଗର ସଭ୍ୟତା । ଯାହା ସତ୍ୟ ତାକୁ କହିବସିଲେ ହେବ ଚତୁରୀ । ଆଉ ଯାହା ମିଛ ତାକୁ ନେଇ ବେଶ କାରବାର ଚଳେଇ ହେବ ।

 

ତୁଷାର ବାବୁ କହିଲେ–ବେଶ୍‌ ତ, ସତ ହେଉ କି ମିଛ ହେଉ, ତାକୁ ନେଇ କାରବାର ଚଳେଇବା ବିଂଶ ଶତାବ୍ଦୀରେ ଖୁବ୍‌ ସହଜ ।

 

ଅରୂପ କହିଲା, ସହଜ ବୋଲି କହି ନିଜ ଅଭିଜ୍ଞତାକୁ ଅସ୍ୱୀକାର କରନ୍ତୁ ନାହିଁ, ଏତେଦିନ ଧରି ମୁଁ ଥିଲି ଆକାଶଚାରୀ ବିହଙ୍ଗ । ଏବେ ପିଞ୍ଜରୀର ଲୁହା ଶିକୁଳିରେ ବନ୍ଧାହେବି, ମଣିଷର ବୋଲି ଶିଖି କହିବି ହରେ ରାମ, କୃଷ୍ଣ...

 

ହସିଉଠି ତୁଷାର ବାବୁ କହିଲେ, ଖୁବ୍‌ ଭଲ ତ ! ଖାଦ୍ୟ ସଂଗ୍ରହ ପାଇଁ ପରିଶ୍ରମ କରିବାକୁ ପଡ଼ିବ ନାହିଁ । ରାଜକୁମାରୀ ସ୍ପର୍ଶରେ ସହଚାରିଣୀର ବିଚ୍ଛେଦ ବାଧିବ ନାହିଁ । ଝଡ଼ର ଆଘାତ ଲାଗିବ ନାହିଁ, ଏକବାର ନିଷ୍କପଟ ନିର୍ଭୟ ଆଶ୍ରୟ...

 

ନିରୁପମା କହିଲେ–ଭୁଲ୍‍ ହେଲା, ଜୀବନରେ ଆନନ୍ଦ ଆଶ୍ରୟ ଯେତିକି ପ୍ରୟୋଜନ, ଆଘାତ ଅଶ୍ରୁର ମଧ୍ୟ ସେତିକି ପ୍ରୟୋଜନ । ନ ହେଲେ ତମର ରଙ୍ଗମଞ୍ଚ ରହିବ ନାହିଁ, ତମର ନିର୍ଦ୍ଦେଶନା ଦରକାର ହେବନାହିଁ ।

 

ତୁଷାର ବାବୁ କହିଲେ, ସେହିକଥା ତ ମୁ କହିବାକୁ ଯାଉଥିଲି । କିନ୍ତୁ ରାୟ ବାବୁ ଭିନ୍ନକଥା କହିଲେ । କବି ସେ ମଣିଷ, ମଣିଷର ଜୀବନ ହେଲା ଗୋଟାଏ ବିରାଟ ନାଟକ, ତାକୁ ରଙ୍ଗମଞ୍ଚ ଉପରେ ସାର୍ଥକ ହେବାକୁ ଦିଅ । ପ୍ରାଣ ସବୁ ଅନୁରାଗ ଢାଳି ତାକୁ ସଫଳ କର, କିନ୍ତୁ ସେଥିପାଇଁ ପରିବେଶ ସୃଷ୍ଟି କରିବାକୁ ହେବ ।

 

ଅରୂପ କହିଲା–ଆପଣଙ୍କୁ ତ ସେଥିପାଇଁ କଷ୍ଟ କରିବାକୁ ହେବନାହିଁ ।

 

ସ୍ୱାମୀ, ସ୍ତ୍ରୀ ଦୁଇଜଣ ସମସ୍ୱରରେ ହସିଉଠିଲେ, ହସିବା ଭିତରେ ନିଶ୍ଚୟ କିଛି ରହସ୍ୟ ରହିଗଲା ।

 

ଶ୍ରୀମତୀ ସାମୁଏଲ କହିଲେ, ସେହି ସଫଳତା କିନ୍ତୁ ନାଟ୍ୟକାରର, ନିର୍ଦ୍ଦେଶକର ନୁହେଁ । ଗୋଟାଏ ପରିସର ଭିତରେ ତାଙ୍କର ରୁଚି, ଅଭିଜ୍ଞତା, ଆବଦ୍ଧ ରହେ, କିନ୍ତୁ ଯିଏ ସ୍ରଷ୍ଟା ସୃଜନ ତୁଳୀରେ ତାର ଫୁଟିଉଠେ ନୂତନ ବର୍ଣ୍ଣ, ନୂତନ ଦୃଷ୍ଟିକୋଣ, ଆସେ ନବ ଚେତନା ।

 

ଅରୂପର ଆଖିଦୁଇଟି ଦପ୍‌ ଦପ୍‌ କରି ଉଠିଲା । କହିଲା, କାହିଁକି ଏ ଟେକା ଟେକି କହନ୍ତୁ ତ !

 

ଟେକା ଟେକି... ?

 

ତୁଷାର ବାବୁ କହିଲେ, ଯାହା ସତ୍ୟ ସେଇଟା ଖୋସାମତ ନୁହେଁ । ତାହାଛଡ଼ା ସ୍ୱାଧ୍ୱୀନତାର ଦଶମ ଜନ୍ମବାର୍ଷିକ ପରେ ସାମନ୍ତବାଦର ସମର୍ଥକ ବୋଧେ କମ୍‌ ଲୋକ ମିଳିବେ ।

 

ଅରୂପ କହିଲା, ଭୁଲ କହିଲେ, ମୁଁ ଆଉ ସାମନ୍ତବାଦ, ସାମନ୍ତବାଦ ଆଉ ମୁଁ, ଦୁଇଟି ଶବ୍ଦ ଅଙ୍ଗାଙ୍ଗୀଭାବେ ଜଡ଼ିତ ବୋଲି ଏବେ ଜାଣିଲି । ଜଣେ ଜଣକୁ ଛାଡ଼ିଦେଲେ ପତନ ଅବଶ୍ୟମ୍ଭାବୀ ।

Unknown

 

ତୁଷାର ବାବୁ କହିଲେ, ବେଶ୍‍ ତ, ସେଇଆକୁ ନେଇ ନିଜର ବ୍ୟବସାୟ ଚଳେଇ ଦିଅନ୍ତୁ-। ଖୁବ୍‌ ଲାଭବାନ ହୋଇଉଠିବେ ନିଶ୍ଚୟ !! ତେବେ କଥାହେଉଛି ଯେ ସୁପ୍ରତିଷ୍ଠା ପାଇଁ ପ୍ରଚାରଟା ହେଲା ଏ ଯୁଗର ବଳିଷ୍ଠ ଉପାଦାନ । ଆପଣ ନିଜର ଲେଖନୀ ଉପରେ ଟିକିଏ ଜୋର ଦିଅନ୍ତୁ-। ମୁଁ ନିଶ୍ଚୟ ଆପଣଙ୍କୁ ସାଧ୍ୟ ମତେ ସାହାଯ୍ୟ କରିବି । ଆଗେ କଳିଙ୍ଗ କଳା ମନ୍ଦିରର ରଙ୍ଗମଞ୍ଚ ଉପରେ ଅଧିକାର ଆସିଯାଉ । ନିଜର କରି ଜଣକୁ ପାଇବାରେ ଯେଉଁ ଆନନ୍ଦ ଆଉ ଗର୍ବ ସେଇଟା ଆମର ନାହିଁ । ଯେବେ ଆପଣଙ୍କୁ ଏକାନ୍ତଭାବେ ଆମେମାନେ ପାଇପାରୁ ତା ହେଲେ ଧନ୍ୟହେବୁ-

 

ଅରୂପ ଆକୃଷ୍ଟ ହୋଇ ଉଠିଲା । କହିଲା, ଆପଣଙ୍କର ଆନ୍ତରିକତା ହିଁ ମୋର ଚରମ ସାର୍ଥକତା ।

 

ଶ୍ରୀମତୀ ସାମୁଏଲ କହିଲେ, ଏ ଦେଶର କବିମାନେ ହେଲେ କାଳିଦାସଙ୍କ ବଂଶଧର । ସେଥିଯୋଗୁ ଡାଳହଣାର ଆଳୁଦୋଷଟା ତାଙ୍କଠାରୁ ପୂରାପୂରି ଯାଇନାହିଁ, ସ୍ୱାମୀଙ୍କ ସହିତ ଅରୂପ ହସିଉଠିଲା ।

 

ନିରୁପମା କହିଲେ, ହଁ ସତ କହୁଛି, ଅବଶ୍ୟ ବିଧା ଚାପୁଡ଼ାର ଇଙ୍ଗିତରେ କମ୍‌ ବାହାଦୁରି ନାହିଁ । ଆମ ଜାତିଟା ଟିକିଏ ସହଜ ବିଶ୍ୱାସୀ ।

 

ପୁଣି ଉଚ୍ଚ ହାସ୍ୟଧ୍ୱନୀ ଗଗନ ପବନରେ କମ୍ପନ ଜଗେଇ ଦେଲା । ଅରୂପ ନିଜପାଇଁ ସଂପୂର୍ଣ୍ଣ ଅଭାବିତ ଭାବେ ଗୋଟାଏ ଭବିଷ୍ୟତ ଖୋଜି ପାଇଲା । ହଠାତ୍‌ ମନେହେଲା ବାବାଙ୍କର ଆର୍ଥିକ ସାହାଯ୍ୟ ନ ପାଇଲେ ତାର ଆଉ କୌଣସି ଅଭାବ ରହିବ ନାହିଁ । ଆତ୍ମୀୟ ସ୍ୱଜନର ସହାନୁଭୂତି ନ ପାଇଲେ ତାର କ୍ଷୋଭ ନାହିଁ । ବରଂ ସେତକ ତା ପକ୍ଷେ ଦୁଃଖଦାୟକ । କଲମର ଅବଲମ୍ବନରେ ସେ ଯେ ଦିନେ ଜୀବନ ଯାତ୍ରା ଆରମ୍ଭ କରିବ ଅରୂପ ତାର କଳ୍ପନା ସୁଦ୍ଧା କରି ପାରି ନ ଥିଲା । ବସ୍ତୁତଃ ଓଡ଼ିଶା ପରି ଏକ ଦରିଦ୍ର ରାଜ୍ୟରେ ଏ ପ୍ରକାର ଚିନ୍ତା ଭାବପ୍ରବଣତାର ଆଖ୍ୟା ନିଏ । କିନ୍ତୁ ଲେଖକର ଗୌରବକୁ ନିଜସ୍ୱ କରି ନେବାକୁ ତା ଭିତରେ ଗୋଟାଏ ଚିରନ୍ତନ ଚେଷ୍ଟା ରହିଆସିଛି । ପ୍ରତିଷ୍ଠା ପାଇଁ ମନଭିତରେ ତାର ଦୁର୍ବାର ଲାଳସା ରହିଯାଇଛି । ପ୍ରତିଷ୍ଠାକୁ ସେ ଭଲପାଏ । ବାବାଙ୍କ ସହିତ ତାର ଯେଉଁ ମନୋମାଳିନ୍ୟ କେବଳ ଯେ ଆଦର୍ଶ ନିଷ୍ଠା ନେଇ ଏହାନୁହେଁ । ତାର ବଳିଷ୍ଠ ଆତ୍ମସ୍ୱାତନ୍ତ୍ର୍ୟ କେଉଁଠି ନିଜ ପାଇଁ ଆସନ କରିନେଇ ପାରିନାହିଁ । ଏହି ଅଭିମାନ ତାର ସଭ୍ୟ ମନକୁ ନିରନ୍ତର ଆଚ୍ଛନ୍ନ କରି ରଖିଛି, ପ୍ରତିଷ୍ଠା କଣ ସେ ଜାଣେ । ପ୍ରତିଷ୍ଠାକୁ ଭଲ କରି ଚିହ୍ନିନେବାକୁ ଆଜି ତାର ସମୟ ଆସିଛି । ପ୍ରତିଷ୍ଠା ଆଉ ସୁଖ୍ୟାତିକି କରଗତ କରିବା ପାଇଁ ମଣିଷ ସମାଜରେ ତାର ଜନ୍ମ ହୋଇଛି ।

 

ସେ କହିଲା, ଆପଣଙ୍କୁ ପାଇବି କେଉଁଠି ?

 

ତୁଷାର ବାବୁ କହିଲେ, ଆପଣଙ୍କର ଠିକଣାଟା ମତେ ଦିଅନ୍ତୁ ତ !

 

କିଛି ନିର୍ଦ୍ଦିଷ୍ଟ ନାହିଁ । ଆପଣଙ୍କ ସହିତ ଏଥିପାଇଁ ବିଶେଷ ଆଳାପ ଆଲୋଚନା ଦରକାର ।

 

ଆଳାପ ଆଲୋଚନା ? ନିଶ୍ଚୟ ଦରକାର । ଆଚ୍ଛା ତମେ କ’ଣ ଭାବୁଛ ନିରୁପମା !

 

ଶ୍ରୀମତୀ ସାମୁଏଲ କହିଲେ; କବିର ମନ ହେଲା ଆକାଶଚାରୀ । ନିର୍ବିଘ୍ନରେ ଉଡ଼ି ନ ପାରିଲେ ଛନ୍ଦ ଅଲଗା ହୋଇଯାଏ । ତମର ସେ ଯେଉଁ ବନ୍ଧୁଙ୍କର ଘର ଗୁଡ଼ାକ ଖାଲି ପଡ଼ିଛି ସେଥିରୁ ଖଣ୍ଡେ ହେଲେ ମନ୍ଦ ହୁଅନ୍ତା ନାହିଁ । ସେଥିପାଇଁ ଚେଷ୍ଟା କର ତ ! ଜାଗାଟା ଅପେକ୍ଷାକୃତ ନିରୋଳା ।

 

ପରିକଳ୍ପନା ମନ୍ଦ ନୁହେ । ନିଶ୍ଚୟ ଚେଷ୍ଟା କରିବି । ଆଚ୍ଛା ରାୟବାବୁ, ଗୋପାଳପୁର ଆଗରୁ କେଉଁଠି ରହୁଥିଲେ ?

 

ବିନୟ ସହକାରେ ଅରୂପ କହିଲା, ହଷ୍ଟେଲ୍‌ କାରାଗାର ମନେହେଲା, ଆସି ମେସରେ ରହିଲି । କିନ୍ତୁ ସେ ଆଜିକାଲି ଜଞ୍ଜାଳ ମନେ ହେଲାଣି ।

 

ଗଭୀର ଆକ୍ରୋଶର ସହିତ ନିରୁପମା କହିଲେ, ଏତେ ସହଜରେ କଣ ଦେବୀ ଆପଣଙ୍କୁ ଛାଡ଼ି ଦେଇ ପାରିବେ । ଏବେ ଦିନରୁ ବନ୍ଧୁତ୍ୱ ଏତେ ନିବିଡ଼ିତା...

 

ଅରୂପ କହିଲା ଦେବତାଙ୍କୁ ଛାଡ଼ିଦେବା ସହଜ । କିନ୍ତୁ ବନ୍ଧୁତ୍ୱ ଖୋଜି ପାଇବା କଠିନ ।

 

ପ୍ରଥମ ଦର୍ଶନ ପରଠାରୁ ନିରୁପମାଙ୍କର ଲୋଭ ହେଉଥିଲା ଏହି ଉଦାର, ଉଦାସ ମଣିଷଟିର ସଖ୍ୟ ପାଇବା ପାଇଁ । ସେ ଆର୍ଦ୍ର ଗଳାରେ କହିଲେ, ଖୋଜି ପାରିଲେ ମିଳିବ ରାୟବାବୁ ! କିନ୍ତୁ ଖୋଜିବାର ମନୋବୃତ୍ତି ଥିଲେ ହୁଏ ।

 

ଅରୂପ ଆଖି ତୋଳି ଚାହିଁଲା । ଶ୍ରୀମତୀ ସାମୁଏଲଙ୍କ ମୁହଁରେ ଆଜି ସର୍ବଜୟା କଥା କହୁଛି । ପଛରେ ସେ ସବୁ ପକେଇ ଆସିଛି । କିନ୍ତୁ ଆଗରେ ତାର ଆଜି ଠିଆହୋଇଛି ଭିନ୍ନରୂପା ସର୍ବଜୟା । ମୁହୂର୍ତ୍ତକ ପାଇଁ ମନ ତାର ବନ୍ଧନ ହରେଇ ବସିଲା । କିନ୍ତୁ ପରକ୍ଷଣରେ ଆତ୍ମ ସମ୍ବରଣ କରି ମୃଦୁହସି କହିଲା, ତା ହେଲେ ଆନନ୍ଦ ମିଳିବ ନାହିଁ । ମିଳିବ କେବଳ ଲୁହ ଆଉ ଲାଞ୍ଛନା । ମିଛ କହିଲ ତୁଷାର ବାବୁ !

 

ନା.... ନା.... ଆଦୌ ମିଛ ନୁହେଁ ।

 

ନିରୁପମା କଣ କହିବାକୁ ଯାଉଥିଲେ । ସ୍ୱାମୀଙ୍କ ଉପରେ ଦୃଷ୍ଟି ରଖି ହଠାତ୍‌ ଚୁପ୍‌ କରିଗଲେ ସେ । କିନ୍ତୁ ଅରୂପ ଆଉ କୌଣସି କଥା କହିଲା ନାହିଁ । ବାହାରେ ଗଭୀର ଅନ୍ଧକାର ସହିତ କଳାବଉଦ ସମସ୍ତ ଭୂଲୋକକୁ ଆଚ୍ଛନ୍ନ କରି ଆସିଲା । ଆକାଶର ଅଙ୍ଗନରେ ମେଘଡ଼ମ୍ବରୁର ଗୁରୁ ଧ୍ୱନିରେ ପୃଥିବୀ କମ୍ପି ଉଠିଲା ।

 

ଏକ ସମୟରେ ଏହି ଅପ୍ରୀତିକର ନୀରବତା ଭାଙ୍ଗି ନିରୁପମା କହିଲେ, ମୁଁ ଯାଏ...

 

ଆସନ ଛାଡ଼ି ଉଠି ଠିଆହେଲେ ନିରୁପମା । ଶିଶୁ ସନ୍ତାନର ଖାଇବା ଶୋଇବାର ବେଳ ହୋଇଯାଇଛି । ଶିଶୁଟିକି କୋଳରେ ତୋଳିନେଇ ଚାଲିଗଲେ ସେ ।

 

ଅରୂପର ହାତ ଚାପି ଧରି ତୁଷାର ସାମୁଏଲ କହିଲେ, କୁଆଡ଼େ ଯିବେ .... ?

 

ଅରୂପର ସ୍ୱପ୍ନ ଭାଙ୍ଗିଲା । ଅନେକ ଆଗରୁ ନିଜ ଭିତରେ ସେ ନିମଗ୍ନ ହୋଇଯାଇଛି । ସାର୍ଥକ ଲେଖା, ଆତ୍ମପ୍ରତିଷ୍ଠା, ପ୍ରଚୁର ଅର୍ଥ, ନଦୀର ସେ ପାଖେ ଗାଁ, ଅଶିକ୍ଷିତ ଅନ୍ଧକାର ପଲ୍ଲୀ, ଏପାଖରେ ସଭ୍ୟଜଗତ, କର୍ମମୁଖର ସହର, ମଝିରେ ଠିଆ ହୋଇଛି ଦୁର୍ଗମ, ଦୁର୍ଜ୍ଞେୟ ଭବିଷ୍ୟତ .. ଦୁଇବାହୁର ନିବିଡ଼ ବନ୍ଧନ ମଝିରେ ସବୁକୁ ତୋଳିଧରି ଆଗେଇ ଚାଲିବ ଅରୂପ । ସବୁକୁ ଏକାକାର କରି ସେ ବିପୁଳ ଯଶ ଖ୍ୟାତିର ଅଧିକାରୀ ହେବ ।

 

ବାହାରେ ଆକାଶ ଭାଙ୍ଗି ଝର ଝର ବାଦଲର ଧାରା ଝରି ଆସିଲା । କୃଷ୍ଣପକ୍ଷର ଦିଗନ୍ତ ବ୍ୟାପୀ ଅନ୍ଧକାର ଆଜି ଅରୂପକୁ ଭଲ ଲାଗିଚି । ଦୁର୍ଭୋଗ ଆଉ ଦୁର୍ଯୋଗର ଭୟାଳୁ ଆକୃତି ମନଟାକୁ ତାର ଯେମିତି ଆଜି ତନ୍ଦ୍ରାଚ୍ଛନ୍ନ କରି ଦେଉଛି । ଇଚ୍ଛାକରି ଏଇ ଅନ୍ଧକାର ମଝିରେ ସେ ନିଜକୁ ହଜେଇ ଦେବ । କେଉଁ ସୁଦୂର ଯମୁନାର କରାଳ କବଳରୁ ଉଦ୍ଧାର କରି ଆଣିବ ବିଶାଳ ଲୌହ ମୂଷଳ । ତାକୁ ଘର୍ଷଣ କରି କରି ଗଢ଼ି ଥୋଇବ ଏରକାର ବନ । କୀଟ, ପତଙ୍ଗ ପରି ତାର ଜନ୍ମ ହୋଇନାହିଁ । ସମସ୍ତ ଅଧିକାରକୁ ଆୟତ୍ତ କରି ସେ ବଞ୍ଚିବ । ସର୍ବହରା ନିର୍ବିକାର ଓଡିଆ ପରି ସେ ମରିବ ନାହିଁ । ସମସ୍ତ ଜୀବନଟାକୁ ସେ ଏକ ସ୍ଥାପତ୍ୟ ପରି ଛିଡ଼ା କରି ରଖିବ । ଯୁଗ ଯୁଗ ପରେ ଭଗ୍ନସ୍ତୁପ ମଝିରେ ସେ ଅମର ଅଲିଭା ଲିପି ରଖିଯିବ ।

 

ନିରୁପମା ଆସି ଅରୂପ ନିକଟରେ ଛିଡ଼ାହେବା ମାତ୍ରେ ତାର ବାହ୍ୟଦୃଷ୍ଟି ଫେରି ଆସିଲା-। ଏଥି ଭିତରେ ତୁଷାର ବାବୁ ଅରୂପର ହାତଧରି ଧ୍ୟାନମୂର୍ତ୍ତି ପାଲଟି ଯାଇଛନ୍ତି । ସୁଯୋଗ ପାଇଲେ ମଣିଷର ଭାବବିହ୍ୱଳତା ବଳବତ୍ତା ହୋଇ ଉଠେ । ସମସ୍ତ ଚେତନ ପ୍ରକୃତିର ବାହାରେ ଯେଉଁ ସୂକ୍ଷ୍ମ ପ୍ରବୃତ୍ତିଟି ମଣିଷ ଜୀବନରେ ଚାପି ହୋଇ ରହି ଯାଇଛି ତାହା ତାର ଏକାନ୍ତ ଆପଣାର-

 

ମଧୁହସି ଚଞ୍ଚଳ ସ୍ୱରରେ ନିରୁପମା କହିଲେ, ତମର ଯୋଗାସନ ଦେଖି ଡର ଲାଗୁଛି । ତମେ ଦିନେ ଘର, ଦ୍ୱାର ଛାଡ଼ି ସର୍ବନାଶ ପାଲଟିବ ନାହିଁ ତ ?

 

ଅରୂପ ସହିତ ତୁଷାର ବାବୁଙ୍କର ଦୃଷ୍ଟି ସ୍ତ୍ରୀ ଉପରେ ନିବଦ୍ଧ ହେଲା । ନିର୍ବୋଧ ପରି ତୁଷାର ବାବୁ କହିଲେ, କାହିଁକି କ’ଣ ହେଲା କି ?

 

ଅଜ୍ଞାତସାରରେ ଅରୂପ କହି ଉଠିଲା, ଆପଣଙ୍କୁ ମୋ କଥା କହିଲା କିଏ ?

 

ନାରୀ ଜାତିର ଅର୍ନ୍ତଦୃଷ୍ଟି ଭାରି ତୀକ୍ଷ୍‌ଣ । ଗୋଟିଏ ପଲକ ମାତ୍ର । ନିରୁପମା ଯେମିତି ଅନେକ କିଛି ଅନୁମାନ କରିନେଲେ । ହସି ହସି କହିଲେ; ଗାଁର ବାହା ବାଇଦଟା ସହରକୁ ଶୁଭେନା । କିନ୍ତୁ ତୁଣ୍ଡ ବାଇଦଟା ଶୁଭେ । ତୁଷାର ବାବୁ କହିଲେ, ଭଦ୍ରଲୋକଙ୍କୁ ତମେ ଏମିତି ହଇରାଣରେ ପକଉଛ ନିରୁପମା ! ସବୁ ସମୟରେ ସନ୍ଦିଗ୍‍ଧ ମନୋବୃତ୍ତିକି ଖେଞ୍ଚିବା ସ୍ତ୍ରୀ ଜାତିର ସ୍ୱଭାବ ।

 

ଖୁବ୍‌ ବ୍ୟସ୍ତତାର ସହିତ ଅରୂପ କହିଲା, ବିଶ୍ୱାସ କରନ୍ତୁ ! କୌଣସି ଅପ୍ରୀତିକର ଘଟଣା ବସିବା ମୋ ପକ୍ଷେ ଆଦୌ ସମ୍ଭବ ନୁହେଁ । ଆତ୍ମନିର୍ଭରଶୀଳ ହେବାକୁ ଚେଷ୍ଟା କରିବାର ମାନେ କ’ଣ ଏଇଆ ?

 

ନିରୁପମା କହିଲେ, ଯାହା ହେଉନା କାହିଁକି ଆପଣ ଭାରି ନିର୍ବୋଧ । ଉଁ, ହୁଁ କବି ଜାତିଟା ହିଁ ନିର୍ବୋଧ । ଅନେକଟା ଅଭିମାନୀ ମଧ୍ୟ ।

 

ଅରୂପ କହିଲା, ଭୟଙ୍କର ଆକ୍ଷେପ ଆପଣଙ୍କର । ନିର୍ବୋଧ କହିପାରନ୍ତି, କିନ୍ତୁ ନିଜର ଗୋହିଟାକୁ ନିଜେ ଖୋଳୁଛନ୍ତି କାହିଁକି ?

 

ତୁଷାର ବାବୁ କହିଲେ, ତମେ ଏଆଡ଼େ ଚେଷ୍ଟାକର ନିରୁପମା । ନିଜର ସିଦ୍ଧହସ୍ତ ଦେଇ କାମଟାକୁ ଆରମ୍ଭ କରିଦିଅ । ଏଇ ମତେ ଯେମିତି ଭାରବାହୀ ପଶୁ ବନେଇ ଦେଇଛ ।

 

କହି କହି ହୋ ହୋ ହୋଇ ହସିଉଠିଲେ ତୁଷାର ବାବୁ । ତାଙ୍କ ସାଙ୍ଗରେ ସମସ୍ୱରରେ ଅରୂପ ମଧ୍ୟ ହସିଉଠିଲା । ଲଜ୍ଜାସ୍ମିତ ହସର ଝଲକରେ ନିରୁପମାଙ୍କର ଚେହେରା ଝଳିଉଠିଲା ।

 

ଦୁଆର ମୁହଁର ପରଦା ଆଡ଼େଇ ଭିତରକୁ ଜଣେ ସ୍ତ୍ରୀ ଲୋକ ଆସିଲା । ନିରୁପମା ପାଖରେ ଠିଆହୋଇ ରାତିର ଗଭୀରତା ଜଣେଇବା ସାଙ୍ଗେ ସାଙ୍ଗେ ଖାଦ୍ୟଦ୍ରବ୍ୟ ପ୍ରସ୍ତୁତ ବୋଲି କହିଗଲା । ତାର ପିଠିରେ ହାତ ଥାପୁଡ଼େଇ ନିରୁପମା କହିଲେ, ଧନ୍ୟବାଦ...

 

ମୃଦୁ ହସି ସ୍ତ୍ରୀ ଲୋକଟି ଚାଲିଗଲା । ଜିଜ୍ଞାସୁ ଦୃଷ୍ଟିତୋଳି ଅରୂପ କହିଲା, ଆପଣ ପକ୍ଷପାତିତା କଲେ କାହିଁକି ?

 

ଅବାକ ବିସ୍ମୟରେ ସ୍ତ୍ରୀଙ୍କୁ ଅନେଇ ରହିଲେ ତୁଷାର ବାବୁ ।

 

ଦୁହିଁଙ୍କର ସନ୍ଦେହ ମୋଚନ କରି ହସି ହସି ନିରୁପମା କହିଲେ, ତାର କୌଣସି ଉଲ୍ଲେଖଯୋଗ୍ୟ ପରିଚୟ ନାହିଁ । ତେବେ ଏ କର୍ମ ସ୍ଥଳୀରେ...

 

ଓ......ସହକର୍ମିଣୀ... କହି କହି ହସିଉଠିଲା ଅରୂପ ।

 

ନିରୁପମା କହିଲେ, ଏଥର ଉଠନ୍ତୁ ! ରାତି ଅଧିକା ହେଲାଣି–

 

ଚମକି ଉଠି ଅରୂପ କହିଲା, ମତେ ଯେ ଏ ଅନ୍ଧାର ଭିତରେ ଦୁଇମାଇଲ ରାସ୍ତା ଯିବାକୁ ହେବ । ମୋର ସେ କଥା ମନେନାହିଁ ।

 

କଣ୍ଠରେ ପରିହାସ ଧରି ତୁଷାର ବାବୁ କହିଲେ, ସୁଗୃହିଣୀଙ୍କର ସୁବ୍ୟବସ୍ଥାକୁ ଉପେକ୍ଷା କରି ଆପଣ ଯାଇ ପାରିବେ ନାହିଁ । ଅନ୍ତତଃ ଭଦ୍ରତା ଖାତିରିରେ ତାଙ୍କୁ ଧନ୍ୟବାଦଟା ଦେଇଯିବା ଉଚିତ ।

 

ନିରୁପମା କହିଲେ, ଅନେକ ସମୟରେ ଭଦ୍ରତାଟା ପୀଡ଼ା ଦେଇଥାଏ । ତା’ପରେ ଯେଉଁଟା ମଣିଷର ବେଶି ଦରକାର ତାହା କାହାରି ଅଜଣା ନାହିଁ । ଏଥର ଚାଲିବା ହେଉନ୍ତୁ ! ନ ହେଲେ ଉର୍ବଶୀ ମୋର ଛନ୍ଦ ହୁଡ଼ିଯିବ ।

 

ଆପତ୍ତି କରିବାକୁ ଭାଷା ନ ଥିଲା । ଅରୂପର ହାତଧରି ତୁଷାର ବାବୁ ଭିତରକୁ ଚାଲିଲେ । ସେଠି ସମସ୍ତ ପ୍ରକାର ଖାଦ୍ୟପେୟ ତାଙ୍କୁ ଅପେକ୍ଷା କରିରହିଛି । ସୁଖାଦ୍ୟର ସହିତ ଏହି ରସିକତା, ଆନନ୍ଦ ଆବେଗରେ ଅରୂପର ସର୍ବାଙ୍ଗ ରୋମାଞ୍ଚିତ ହୋଇଉଠିଲା ।

 

ଘରର ଚଟାଣରେ ଆସନ ପରାଯାଇ ଓଡ଼ିଆ ନୀତିରେ ଖାଇବାର ବନ୍ଦୋବସ୍ତ କରାଯାଇଥିଲା । ପାତ୍ରଭରା ବହୁପ୍ରକାର ବ୍ୟଞ୍ଜନ ଉପରେ ଅରୂପର ପ୍ରଶଂସିତ ଆଖି ବୁଲି ଆସିଲା-। ବାସ୍ତବରେ ନିରୁପମା ସୁଗୃହିଣୀ ।

 

ତୁଷାର ବାବୁ କହିଲେ, ତମେ ଭୁଲିଯାଇଚ । ସ୍ୱାଧୀନତାର ଦଶ ବର୍ଷପରେ ମଧ୍ୟ ଓଡ଼ିଆ ସାହେବୀ ନୀତି ଛାଡ଼ି ପାରିବ ନାହିଁ । ରାୟବାବୁଙ୍କ ଖାଇବାରେ ଅସୁବିଧା ହୋଇପାରେ ।

 

ହସି ହସି ଅରୂପ କହିଲା, ମଧୁପୁରର ସାଆନ୍ତ । ସିପାହୀ ବିପ୍ଳବରେ ମୋର ପଣସାଆନ୍ତ ବାପାଙ୍କ ଅଜାଶୁର ଆହତ ସୈନିକର ସେବା କରିଥିଲେ ।

 

ଆଉ ସେତେବେଳେ ତାଙ୍କର ଅନ୍ତର୍ଗତ ଥାଇ ଆପଣ ଆଖିମିଟିକା ମାରିଥିଲେ ।

 

ଆନନ୍ଦର ସ୍ୱଚ୍ଛହସର ତରଙ୍ଗରେ ବାୟୁମଣ୍ଡଳ ତରଙ୍ଗାୟିତ ହୋଇ ଉଠିଲା ।

 

ନିରୁପମା କହିଲେ, ଶୁଣାକଥା, ମାତୃଗର୍ଭରେ ଥାଇ ପ୍ରହ୍ଲାଦ ଭଗବତ୍‌ ଜ୍ଞାନ ଅର୍ଜ୍ଜନ କରିଥିଲେ । କିନ୍ତୁ ଏ କଳିଯଗରେ ପୁଣି ଏହି ବିଂଶ ଶତାବ୍ଦୀରେ ଆପଣଙ୍କୁ ଦେଖିବା କି ସୌଭାଗ୍ୟ...

 

କିନ୍ତୁ ଦୁର୍ଭାଗ୍ୟ ଯେ ଆପଣଙ୍କ ହାତରୁ ଯତ୍ନ ପାଇଲି ନାହିଁ । ତାହା ହିଁ ମୋର ଦୁଃଖ...

 

ତୁଷାର ବାବୁଙ୍କୁ ତେରେଛି ଅନେଇ ଅରୂପ ପୁଣି କହିଲା, ସାମାନ୍ୟ ମାନବ ଆମେ । ଉର୍ବଶୀ ଆମ ନକଟରେ କବି କଳ୍ପନାମାତ୍ର ।

 

ପରିବେଷଣ କରୁ କରୁ ନିରୁପମା କହିଲେ, ସାର୍ଥକ ହେଲି । ଯାହାହେଉ ଏତେ ସମୟପରେ ଆପଣ ବନ୍ଧୁତ୍ୱ ସ୍ୱୀକାର କରିଛନ୍ତି ।

 

ଲଜ୍ଜାରେ ଜଡ଼ସଡ଼ ହୋଇଉଠିଲା ଅରୂପ । ଏତେ ସମୟ ପରେ ସେ ଅନୁଭବ କଲା ଏ ସର୍ବଜୟା ନୁହେଁ । ଅନ୍ୟନାରୀର ସାନିଧ୍ୟରେ ତାର ବର୍ତ୍ତମାନର ପ୍ରତିଟି ମୁହୂର୍ତ୍ତ କଟି ଯାଉଛି । ଆଉ ତାହାରି ଭିତରେ ରାତ୍ରି ଭୋଜନର ଆଦିପର୍ବ ଶେଷହୋଇ ଆସୁଛି । ବାହାରେ ଅନର୍ଗଳ, ଅଶ୍ରାନ୍ତ ବର୍ଷାଧାରା ଝରି ପଡ଼ୁଛି ।

 

ଖାଉ ଖାଉ ଏକ ସମୟରେ ତୁଷାର ବାବୁ କହିଲେ, ରାୟବାବୁ କଣ ଖାଉଛନ୍ତି ଦେଖୁଛ ନିରୁପମା !

 

ଦେଖୁଛି, କିନ୍ତୁ କଣ କରାଯାଇ ପାରିବ ସେଥିପାଇଁ ।

 

ଶାନ୍ତସ୍ୱରରେ ଅରୂପ କହିଲା, ଏଠି ଖାଇବାଠାରୁ ଉପଲବ୍‌ଧି କରିବାକୁ ବହୁତ ବେଶି ରହିଯାଇଛି ।

 

ଅନୁଯୋଗ କରି ନିରୁପମା କହିଲେ, ଏ ସବୁ ସାଧାରଣର ବୋଧଗମ୍ୟ ନୁହେଁ । ଟିକିଏ ତଳେଇ ଭାବିବାକୁ ନିଜକୁ ଅବସର ଦିଅନ୍ତୁ ତ ।

 

ଅରୂପର ଉତ୍ତର ଦେଇପାରିଲା ନାହିଁ, ହୁଏତ ଉତ୍ତର ଦେବାକୁ କିଛି ନଥିଲା ତାର । ଏଥିଭିତରେ ଖାଇବା ସରି ଯାଇଥିଲା । ହାତ ଧୋଇଆସି ଠିଆହେବା ମାତ୍ରେ ନିଜ ହାତରେ ପାନ, ସିଗାରେଟ ସଜାଡ଼ି ପାଖରେ ଠିଆହୋଇ ନିରୁପମା କହିଲେ, ପାନ ନିଅନ୍ତୁ ...

 

ତୁଷାର ବାବୁ ଖଣ୍ଡିଏ ପାନ ଉଠେଇ ନେଲେ ।

 

ଅରୂପ କହିଲା, ମୁଁ ପାନ ଖାଏନା ...

 

ତା ହେଲେ ସିଗାରେଟ ଚଳୁ.. ତୁଷାର ବାବୁ ସିଗାରେଟ ଖଣ୍ଡିଏ ବଢ଼େଇ ଦେଲେ ।

 

ନିରୁପମା କହିଲେ, ବୁଝୁଛି । ଷଡ଼ରସରୁ ବଞ୍ଚିତ ହେଇ ସାଧକ ସାଜିଛନ୍ତି । କହିଲେ ଦେଖି ଏ ସାଧନା କାହାପାଇଁ ?

 

ଅରୂପ କହିଲା, କଥା କଥାକେ ଆପଣଙ୍କର ଆକ୍ଷେପ । ଏଥର କିନ୍ତୁ ମୋ ଅବସ୍ଥା ପ୍ରତି ଟିକିଏ ଦୃଷ୍ଟି ଦିଅନ୍ତୁ । ବହୁତ କଷ୍ଟ ଯେତେବେଳେ ମୋ ପାଇଁ ସହିଲେଣି ଆଉ କିଛି ସହନ୍ତୁ । ଖଣ୍ଡେ ଛତା ଦେଇପାରିଲେ ଚିରକୃତଜ୍ଞ ରହିବି ।

 

ଛତା ? କାହିଁକି ?

 

ତୁଷାର ବାବୁ କହିଲେ, ଆପଣଙ୍କର ମୁଣ୍ଡ ଖରାପ ନା କ’ଣ ?

 

ଅରୂପ କହିଲା, ରାତି ଯଥେଷ୍ଟ ହେଇଚି, ଏଥର ମତେ ବିଦାୟ ଦିଅନ୍ତୁ ।

 

ଏହାରି ନାଁ ସୁଜନ ପୁରୀ ଶିକ୍ଷା ।

 

ଭୀଷଣ ଅଭିଯୋଗ ବାଢ଼ି ନିରୁପମା କହିଲେ, ଖାଇପିଇ ସାରି ଭଦ୍ରଲୋକ ଘରୁ ଏ ଦୁଃସମୟରେ ଚାଲିଯିବା ମାନେ କୃତଜ୍ଞତା ନୁହେଁ । ଯାଆନ୍ତୁ ସେ ଘରେ ବିଛଣା ହେଇଚି, ରାତିଟା ପାଇଁ ଅନ୍ତତଃ ଶ୍ୱେତାମ୍ବରୀ କ୍ଷମା କରିବେ ।

 

ଅସ୍ପଷ୍ଟ କଣ୍ଠରେ ଅରୂପ କହିଲା, କଣ କରିବାକୁ କହୁଚନ୍ତି ।

 

ତୁଷାର ବାବୁ କହିଲେ, କଣ କରିବାକୁ ହେବ ବତେଇ ଦିଅ ତ ନିରୁପମା !

 

ଆଙ୍ଗୁଳି ନିର୍ଦ୍ଦେଷ କରି ନିରୁପମା କହିଲେ, ଏଘରକୁ ଯାଇ ଖଟ ଉପରେ ଗଡ଼ିପଡ଼ନ୍ତୁ । ସୁନାପୁଅ ହେଇ ଆଖି ବୁଜି ଦିଅନ୍ତୁ ତ । ରାତି ପାହି ଯାଉ ।

 

ପ୍ରତିବାଦ କରି ଲାଭ ନାହିଁ । କେହି ଏଠି ତାର କଥା ଶୁଣିବେ ନାହିଁ । ବାଧ୍ୟ ଛାତ୍ରଟି ପରି ଅରୂପ ଧୀରେ ଧୀରେ ବିଛଣାରେ ଶୋଇ ପଡ଼ିଲା । ସଯତ୍ନରେ ମଶାରୀ ସଜାଡ଼ି ଦେଇ କବାଟ ବନ୍ଦ କରିଦେଲେ ନିରୁପମା । ବାହାରେ ସେତେବେଳେ ମେଘର ଅଶ୍ରାନ୍ତ ବର୍ଷଣ ଚାଲିଚି ।

 

ଏହାଭିତରେ ତିନି ମାସ ବିତି ଯାଇଚି । ତୁଷାର ବାବୁ ଆଉ ନିରୁପମା ସାମୁଏଲଙ୍କ ପରାମର୍ଶ କ୍ରମେ ସେହି ଯେ ନାଟକ ଲେଖା ଅରୂପ ଆରମ୍ଭ କରିଥିଲା ତାହା ପ୍ରାୟ ଶେଷ ହୋଇ ଯାଇଚି । ଏଥର ତାକୁ ମଞ୍ଚସ୍ଥ କରିବାର ଦାୟୀତ୍ୱ ପୂରାପୂରି ତୁଷାର ବାବୁଙ୍କର । ସେଥିପାଇଁ ନିରୁପମା ଖୁବ ଯତ୍ନଶୀଳା ।

 

ଅରୂପର ଏବେ ଅନେକ ସମୟରେ ମହାଶ୍ୱେତା ସହିତ ଦେଖା ହୁଏନାହିଁ । ପଢ଼ାପଢ଼ି ସାରି ବାକିତକ ସମୟ ସେ ଲେଖା ଲେଖିରେ ବ୍ୟୟ କରିଦିଏ । ତାହାରି ଭିତରେ ପୁଣି ଆଳାପ ଆଲୋଚନା ପାଇଁ ସମୟ ଥାଏ । ସେଥିପାଇଁ ତାକୁ ସାମୁଏଲ ପରିବାର ଭିତରକୁ ଯିବାକୁ ହୁଏ । ନହେଲେ ନିଜେ ନିରୁପମା ଆସନ୍ତି । ନାନା କର୍ମ ବ୍ୟସ୍ତତା ଭିତରେ ତୁଷାର ବାବୁଙ୍କର ସମୟ କଟେ-। ତାଙ୍କର ଦାୟିତ୍ୱ ତୁଲେଇ ନିଅନ୍ତି ସହଧର୍ମିଣୀ ସହକର୍ମିଣୀ ନିରୁପମା ।

 

କର୍ମ ଜଞ୍ଜାଳ ଫାଙ୍କରେ ମହାଶ୍ୱେତା ଦେଖାହୁଏ । ଅଭିମାନ, ଅଭିଯୋଗ କେଉଁଟା ବାଦ ପଡ଼େ ନାହିଁ । ନିରୋଳା ପାଇଲେ ସର୍ବନାଶୀ ନାରୀ ପ୍ରବୃତ୍ତିଟା ତାର ଜାଗି ଉଠେ । କାନ୍ଦି କାନ୍ଦି ପଣତ ଭିଜେଇ ଦିଏ ସେ । ଏବେ ତାର ଅସୁସ୍ଥତା ବଢ଼ି ଉଠିଚି ।

 

ଶୁଭ ସଂବାଦ ନିଶ୍ଚୟ !! ଶୁଣୁ ଶୁଣୁ ଆନନ୍ଦରେ ଅରୂପର ଦୃଷ୍ଟି ଉଜ୍ୱଳ ହେଉ ଉଠିଲା । ପ୍ରିୟତମାର ଲୁହ ପୋଛି ସେ ପ୍ରାୟ ଚିତ୍‌କାର କରି କହି ଉଠିଲା, ଏଇତ ମାନବ ଜୀବନର ସାର୍ଥକତା ଶ୍ୱେତା !

 

ଅବାକ ବିସ୍ମୟରେ ନିରୁତ୍ତର ମହାଶ୍ୱେତା ଅରୂପକୁ ଚାହିଁ ରହିଲା ।

 

ଅରୂପ କହିଲା ସୃଷ୍ଟିପାଇଁ ସ୍ରଷ୍ଟାର ଜନ୍ମ ଶ୍ୱେତା ! ଦୁଇଟି ସୃଜନକାମୀ ଆତ୍ମାର ବିକାଶ ହୁଏ ତାର ସୃଷ୍ଟି ଭିତରେ । ଏଥିରେ ଦୁଃଖ କରିବାର କିଛି ନାହିଁ । ବରଂ ସୁଖୀ ହୁଅ ତମେ । ଉତ୍ସବ କର । ଆମର ଜୀବନ ଧନ୍ୟ ହେଇଚି । ଆମେ ମାନବ ଧର୍ମ୍ମ ପାଳନ କରିଛନ୍ତି ।

 

ଆଢ଼ୁଆଳରେ ଚାହିଁରହେ ସର୍ବଜୟା । ଅଭିମାନର ଅଧିକାର ତାର ନାହିଁ । ଅଭିଯୋଗର ସାହସ ମଧ୍ୟ ନାହିଁ । ଅରୂପ ଅନ୍ତରର କେଉଁ କୋଣରେ ତା ପରିଚିତିର ହୁଏତ ସମାଧି ହେଇଚି ।

 

ଗାଁରୁ ଖବର ମିଳେ । ଚିଠି ଲେଖେ କୀର୍ତ୍ତିମାଳା । ଗୋଟିଏ ନିମିଷ ପାଇଁ ଅରୂପ ଅନ୍ତରରେ ଜୁଆର ଆସେ । ତା’ପରେ ସବୁ ନିଶ୍ଚଳ ହୁଏ । ସ୍ଥିର ହୁଏ । ମହାଶ୍ୱେତା ଦୂରରେ ରହିଯାଏ । ସର୍ବଜୟାର ସ୍ମୃତି ସ୍ୱପ୍ନ କରି ମନେହୁଏ । କୀର୍ତ୍ତିମାଳାର ଚିଠି କେଉଁଠି ହଜିଯାଏ । କେବଳ ପ୍ରତ୍ୟକ୍ଷ ଅନୁଭୂତି ଜଗେଇ ଠିଆ ହୁଅନ୍ତି ନିରୁପମା ।

 

ଅରୂପର କବି ପ୍ରତିଭା ସୁଯୋଗ ପାଇଚି, ଅର୍ଚ୍ଚନା ପାଇଚି । ତୁଷାର ବାବୁ ନିର୍ଦ୍ଦେଶ ଦେଇ ପାରନ୍ତି । ଏକ ସମୟରେ ହସି ହସି ନିରୁପମା କହିଲେ, କିନ୍ତୁ ନିର୍ମାଣର ରୁଚି କୌଶଳ ସମ୍ବନ୍ଧରେ ତାଙ୍କର ଜ୍ଞାନ ସୀମାବଦ୍ଧ ।

 

ସ୍ତ୍ରୀ କଥାର ଜବାବ ଦେଇ ତୁଷାର ବାବୁ ସ୍ମିତ ମୁଖରେ କହିଲେ, ଏଇଟା କେବଳ କବାଟ କୋଣର ସତ୍ୟ । ମୁଁ କଳାକାର ହେଇ ନ ପାରେ । କିନ୍ତୁ କଳା ଶବ୍ଦର ବ୍ୟୁତ୍ପତ୍ତି କରି ବସିଲେ ରାୟବାବୁଙ୍କ ଠାରୁ ମୁଁ ବେଶି ସଫଳ କାମ ହେଇ ପାରିବି ।

 

ନିରୁପମା କହିଲେ, ଅରୂପ ଯେ ଛାତ୍ର ଜୀବନର ମହା ସାଧନା ଭିତରେ ଲେଖା ଲେଖି ବ୍ୟାପାରରେ ଏତେଟା ଅଗ୍ରସର ହେଇ ପାରିଚନ୍ତି ସେଥିପାଇଁ ସେ ଜନ ସମାଜର ଧନ୍ୟବାଦାର୍ହ୍ୟ ।

 

ପ୍ରତିବାଦ କରି ଅରୂପ କହିଲା, ନା ନା ତାହା ନୁହେଁ । ଲୋକ ସମାଜ ଆଗରେ କିଛି ଲେଖି ରଖି ଦେବା ଅପେକ୍ଷା ଯଦି ଗୋଟାଏ ଦୃଶ୍ୟ ଠିଆ କରେଇ ଦିଆଯାଏ ତା ହେଲେ ତାର ପ୍ରଭାବଟା ବଳିଷ୍ଠ ହେଇ ଉଠିବ ।

 

ନିରୁପମା କହିଲେ, ଏତେଦିନ ଧରି ଇଏ ଯେ କମ ଦୃଶ୍ୟ ଠିଆ କରେଇ ପାରିଚନ୍ତି ତାହା ନୁହେଁ । କିନ୍ତୁ କୌଣସି ଦିନ ବିଜ୍ଞାପନ ପଢ଼ି ଦେଖି ଜନ ସମାଜ ଭିତରେ ଏତେ ଉନ୍ମଦନା ଦେଖା ଯାଇନାହିଁ । ଆଜି କେବଳ ତରବାରୀ ଅସ୍ଫାଳନ ଆଉ ସୁରାପାତ୍ର ଦେଖି ମୁଗ୍‌ଧ ହେବାର ସମୟ ନାହିଁ । ରଙ୍ଗମଞ୍ଚର ବହିର୍ଦୃଶ୍ୟ ଛାଡ଼ି ଦର୍ଶକର ଦୃଷ୍ଟି ଯେ ଅନ୍ତର୍ଲୋକ ଭେଦ କରି ଯାଇଚି ଏହା ତମକୁ ସ୍ୱୀକାର କରିବାକୁ ହେବ ।

 

ଅରୂପ କହିଲା, ହୃଦୟ ଯଦି ଅବନତ ନ ହୁଏ ଯୁକ୍ତି ଦେଇ ଆପଣ ସ୍ୱୀକୃତିଟାକୁ ଆଦାୟ କରି ପାରିବେ ନାହିଁ ।

 

ତୁଷାର ବାବୁ କହିଲେ, ଯୁକ୍ତି ଭିତରେ ହୃଦୟର ସ୍ପର୍ଶ ନଥାଏ । କାହାର ରୁଚି ବୋଧକୁ କେହି ବ୍ୟକ୍ତ କରି ପାରିବେ ନାହିଁ ।

 

ତୀବ୍ର ସ୍ୱର ଉଠେଇ ନିରୁପମା କହିଲେ, ରୁଚି ବୋଧଟା ଅନୁଭୂତି ନୁହେଁ । ଆଚାର ବ୍ୟବହାର ରୀତି ନୀତିରେ ତାର ଯେ ପ୍ରକାଶ ହୁଏ, ଏକଥା କିଏ ନଜାଣେ ।

 

ଅରୂପ କହିଲା, ଭୁଲ କହିଲେ ଶ୍ରୀମତୀ ସାମୁଏଲ ! ଏ କିନ୍ତୁ ରୀତି ଆଚରଣ କିମ୍ବା ରୁଚି ବୋଧର ପରିପ୍ରକାଶ ନୁହେଁ । ଏ କେବଳ ନିରାଟ ଯୁକ୍ତି । ଯୁକ୍ତିଦେଇ ଆପଣ ଦର୍ଶକର ମତ ପରିବର୍ତ୍ତନ କରି ପାରିବେ ନାହିଁ । କିମ୍ବା ଆତ୍ମୀୟତା କରି ବିଚାର ପାଇବେ ନାହିଁ । ଆତ୍ମୀୟତା ଠାରୁ ନିରପେକ୍ଷତା ଭଲ । ନିରପେକ୍ଷ ଆତ୍ମ ବିଚାର ସମସ୍ତ ଅହମିକାଠାରୁ ଦୂରରେ ରଖେ । କିନ୍ତୁ ଆତ୍ମୀୟତା ମଣିଷ ହୃଦୟର ଆଶ୍ରୟ ଖୋଜେ । ଯେଉଁମାନେ ଯୁକ୍ତିବାଦୀ ସେମାନେ ଅବଶ୍ୟ ହୃଦୟ ବିଶ୍ୱାସ ରଖନ୍ତି ନାହିଁ । ବୁଦ୍ଧି ଆଉ ଯୁକ୍ତି ଦେଇ ସେ ସଂପର୍କ ସ୍ଥାପନ କରନ୍ତି । କିନ୍ତୁ ସେଥି ଭିତରେ ନିବିଡ଼ ଆତ୍ମୀୟତା ନ ଥାଏ । ସେଥିଯୋଗୁ ସେ ପର । ଦୂରର ।

 

କଣ୍ଠରେ ବିସ୍ମୟ ଧରି ନିରୁପମା କହିଲେ, ଏସବୁ ଆପଣ ଜାଣିଲେ କେମିତି ?

 

ମୃଦୁ ହସି ଅରୂପ କହିଲା, ମାନେ... ?

 

ନିରୁପମା ସ୍ୱାମୀ ଆଉ ଅରୂପଙ୍କ ଉପରେ ଥରେ କଟାକ୍ଷ ପାତ କରି କହିଲେ, ଆପଣଙ୍କର ଏହି ଉଦାସ ଚେହେରା ଦେଖି ମୁହଁରୁ ଏକଥା ଶୁଣିଲେ ବିଶ୍ୱାସ କରିବାକୁ ବୋଧେ ।

 

ପ୍ରସନ୍ନ କଣ୍ଠରେ ଅରୂପ କହିଲା, ଆପଣଙ୍କ କଥା କେତେ ଦୂର ସତ୍ୟ ମୁଁ ନିଜେ ଜାଣେନା ।

 

ତୁଷାର ବାବୁ କହିଲେ, ଆପଣଙ୍କର ଏ ଆଚରଣକୁ କୌଣସି ସ୍ୱାମୀ କ୍ଷମା କରିପାରିବ ନାହିଁ । ଏପ୍ରକାର ଦୁଃସାହସ ଆଗାମୀ ବିପଦର କାରଣ ନିଶ୍ଚୟ ! !

 

ପ୍ରଥମ ପରିଚୟର ସେହି ସଂକୋଚ ଆଜି ଆଉ ନାହିଁ । ଅରୂପର ବ୍ୟବହାର ଏବେ ଅନେକଟା ସ୍ୱାଚ୍ଛନ୍ଦ୍ୟ ହାସଲ କରିପାରିଚି । ଆଳାପ ପୁଣି ନିବିଡ଼ତା ଆଡ଼େ ଗତିକରି ଯାଉଚି । ସେ କହିଲା, ତୁଷାର ବାବୁ, ନାରୀର ବିରୁଦ୍ଧାଚରଣ କରିବାର ସାହାସ ମୂଢ଼ ପୁରୁଷର ନାହିଁ । ସେ ହେଉ ନ୍ୟାୟ କିମ୍ବା ହେଉ ଅନ୍ୟାୟ ।

 

ଅରୂପରୁ ଏହି ମନ୍ତବ୍ୟ ପ୍ରକାଶରେ ନିରୁପମାଙ୍କର ମୁହଁ ଥମ ଥମ କରି ଉଠିଲେ । ତଥାପି ନିଜର ସହାସ୍ୟ ଚପଳତା ରକ୍ଷା କରି ସେ କହିଲେ, ଏମିତି କଥା କହି ନାରୀ ଜାତି ପ୍ରତି ପ୍ରକାରାନ୍ତରେ ତାଚ୍ଛଲ୍ୟ ପ୍ରକାଶ କରୁଚନ୍ତି । ବୁଝିଲି, କିନ୍ତୁ ଏହାଭିତରେ ଯେଉଁ ଆତ୍ମ ପରିଚିତି ଛପି ରହିଗଲା ତାର ସନ୍ଧାନ ପାଇଲେ ଆପଣ କଣ କେବେ ହେଲେ ଜିତାପଟ ମାରି ନିଅନ୍ତେ ।

 

ଉତ୍ତରର ଭାଷା ଆଉ ଅରୂପ ତୁଣ୍ଡରେ ଫୁଟିଲା ନାହିଁ । ସେ କେବଳ ହସି ହସି କହିଲା, ଆସନ୍ତୁ ତୁଷାର ବାବୁ ! ସାଢ଼େ ଚାରିଟା ସୁଦ୍ଧା ଆମର ଉମାଶଙ୍କର ବାବୁଙ୍କ ସହିତ ଦେଖା କରିବାର କଥା ।

 

ଦୁଇବନ୍ଧୁ ହସି ହସି ଆଗେଇଗଲେ । ଦୁଇଁପାଦ ତାଙ୍କର ଅନୁସରଣ କରି ଅଭିମାନିନୀ ଠିଆ ହୋଇ ରହିଲେ । ଆହତ ଅପମାନ ଆଉ ଅବମାନନାର ଜ୍ୱାଳାରେ ତାଙ୍କର ଆଖି ଦୁଇଟି ଦପ୍‌ଦପ୍‌ କରି ଉଠିଲା ।

 

ଏହି ନିର୍ମମ ବ୍ୟର୍ଥତାର ଅନୁଭୂତି ନୂଆ ନୁହେଁ । ଆଘାତ, ପ୍ରତିଘାତ ଅଭିମାନ, ବିଦ୍ରୂପ ଭିତରୁ ଯେଉଁ ତୀବ୍ର ଆନନ୍ଦ ମିଳୁଥିଲା ନିରୁପମାଙ୍କର ତାହା ଏକାନ୍ତ ଆପଣାର । ପୁରୁଷର ଅଲକ୍ଷ୍ୟରେ ନାରୀ ନିଜର ଅନ୍ତର ଖୋଲିଦିଏ । ନିଜର ସମସ୍ତ ସୁକ୍ଷ୍ମ ବୁଦ୍ଧିଦେଇ ସେ ରହସ୍ୟ ଭେଦ କରିଯିବାକୁ ଚାହେଁ । ପ୍ରଥମ ପରିଚୟ ଦିନଠାରୁ ଏପର୍ଯ୍ୟନ୍ତ ତାଙ୍କର ଚେଷ୍ଟା ଅବିଶ୍ରାନ୍ତ । ଏହି ଦୁର୍ଦ୍ଦାନ୍ତ ଆକାଶଚାରୀକି ନିଜ ସୁନା ପିଞ୍ଜରାର ଶିକୁଳୀ ଦେବାର ଲୋଭ ନିରୁପମା ସମ୍ବରଣ କରି ପାରିନାହିଁ । ଏହାକୁ ବିଜୟୋଲ୍ଲାସ କୁହାଯାଇ ପାରେନା । ଏଥି ଭିତରେ ରହିଯାଇଚି ପ୍ରଥମ ଆବିଷ୍କାରକଙ୍କର ବିପୁଳ ଆନନ୍ଦ । ଅରୂପର ଚାରିପଟରେ ମହିମାର ଯେଉଁ ଉଜ୍ୱଳ ଆଲୋକ ଦେଖାଯାଉଚି ତା କ’ଣ ସୂର୍ଯ୍ୟାଲୋକ ନୁହେଁ ? ହୁଏତ ତାର ଏହି ଉଦାସୀନତା ତା ଚରିତ୍ରର ଏକ ବିଶେଷ ଗୁଣ । ଏସବୁକୁ ବିଶ୍ଳେଷଣ କରି ସାର ଗ୍ରହଣ କରି ନପାରିଲେ ନିରୁପମାଙ୍କର ନିଶ୍ଚୟତା ଆସିବ ନାହିଁ । ଯାହାକୁ ନିକଟତମ କରି ପାଇବାକୁ ତାଙ୍କର ଇଚ୍ଛା ଶକ୍ତି ଅଦମନୀୟ ତାକୁ ଟିକି ଟିକି କରି ନିର୍ଭୁଲ ଭାବେ ନିଜସ୍ୱ କରିନେବାକୁ ହେବ ।

 

 

 

ନାଟକ ମଞ୍ଚସ୍ଥ କରିବା ସମ୍ବନ୍ଧରେ ସେଦିନ ଉମାଶଙ୍କର ବାବୁଙ୍କ ସହିତ ସମସ୍ତ କଥାବାର୍ତ୍ତା ଶେଷକରି ଅରୂପ ମହାଶ୍ୱେତା ପାଖକୁ ଫେରି ଆସିଲା । ମହାଶ୍ୱେତାର ଅସୁସ୍ଥତା ବଢ଼ି ଚାଲିଚି । ଦୈହିକ ସ୍ୱାସ୍ଥ୍ୟ ତାର ଯେତେ ବେଶି ଦୁର୍ବଳ ନୁହେଁ ମନର ସ୍ୱାସ୍ଥ୍ୟ ତାର ଦିନକୁ ଦିନ ରୁଗ୍‌ଣ ହେଇଆସୁଛି । ଉଚ୍ଚ ଶିକ୍ଷାପାଇ ସାମାଜିକ ପ୍ରତିଷ୍ଠା ଆୟତ୍ତ କରିବା ଛଡ଼ା ତାର ଅନ୍ୟ ସମସ୍ତ ସାଂସାରିକ କର୍ମରେ ଚିରନ୍ତନ ବିତୃଷ୍ଣା ରହି ଆସିଚି । ସେ ପ୍ରଭୁତ୍ୱ ବୁଝେ, ନାରୀତ୍ୱ ବୁଝେନା । କାରଣ ଅକାରଣରେ କ୍ଷମତାର ବ୍ୟବହାର କରିବାକୁ ସେ ପସନ୍ଦ କରେ । ସେଥିଯୋଗୁ ସେ ଅରୂପର ସହାୟତା ଆଶା କରି ଆସିଚି । ଅରୂପ ତାର ବନ୍ଧୁ । ତାର ବନ୍ଧୁତ୍ୱ ନ ପାଇଲେ ମହାଶ୍ୱେତାର ସମସ୍ତ ଜୀବନଟା ନୀରସ ହୋଇ ଉଠିବ । ତାହା ଛଡ଼ା ତା ଉଚ୍ଚଭିଳାଷର ସୀମା ନାହିଁ । ଦୃଷ୍ଟି ତାର ସମସ୍ତ ସଭ୍ୟଜଗତ ଅତିକ୍ରମ କରି ଅନନ୍ତ ଶୂନ୍ୟ ମଣ୍ଡଳରେ ଗତି କରି ଚାଲିଚି । ଯେକୌଣସି ମତେ ହେଉ ତାକୁ ଓଡ଼ିଆ ନାରୀର ଦୃଷ୍ଟିଭଙ୍ଗୀ ବଦଳେଇ ନିର୍ବିଘ୍ନରେ ଆଗେଇ ଯିବାକୁ ହେବ । ନାରୀଜନ୍ମ କେବଳ ସମଗ୍ର ଜୀବନର ଦାସତ୍ୱ ସ୍ୱୀକାର କରି ମା ହେବାପାଇଁ ନୁହେଁ ତାହା ତାକୁ ସମସ୍ତ ନାରୀ ସମାଜ ଆଗରେ ଦେଖେଇ ଦେବାକୁ ହେବ । ସେଥିପାଇଁ ତାକୁ ଓଡ଼ିଶା ଛାଡ଼ି ଯିବାକୁ ହେବ । ଦୁଃଖ ନାହିଁ । ସୁଦୂର ବିଦେଶରେ ବିଶ୍ୱର ଉନ୍ମତ୍ତ ଜାତି ସହିତ ତାଳଦେଇ ପାରିଲେ ସେହି ହେବ ତାର ସାର୍ଥକତା ।

 

ନିଜର ଖୁବ୍‍ ପାଖରେ ଅରୂପକୁ ଦେଖିବାକୁ ପାଇ ଜାଗି ଉଠିଲା ମହାଶ୍ୱେତା । କଣ୍ଠରେ ଗାମ୍ଭୀର୍ଯ୍ୟ ଧରି ସେ କହିଉଠିଲା, ବିଚିତ୍ର ଜୀବ... ।

 

ହସି ହସି ଅରୂପ ଜବାବ ଦେଲା, ତାହା ହିଁ ସୃଷ୍ଟି ଧର୍ମ୍ମ...

 

ହୁଁ...

 

ମହାଶ୍ୱେତା କହିଲା ବସ ! ଆଜିକାଲି ସହଜରେ ଦେଖା ନ ମିଳିବା ସ୍ୱାଭାବିକ ।

 

ଅରୂପ କହିଲା, ଅର୍ଥଭୂତ ଛାଡ଼ି ଦେଉନି...

 

ସମୟ ଜ୍ଞାନ ଅଛି ?

 

ଅଛି.... ।

 

ସ୍ମିତ ହସି ଅରୂପ କହିଲା, ତମର ସେଥିପାଇଁ ଭାବିବାର କିଛିନାହିଁ । ଆଜି ସୁଦ୍ଧା ଆଉରି ଛଅମାସ ବାକି ।

 

କଠିନ ସ୍ୱରରେ ମହାଶ୍ୱେତା କହିଲା, ଥଟା ରଖ । କଣ ତମେ ଭାବୁଚ କହ !

 

ଆସନ୍ତା ଦୁଇମାସ ଭିତରେ ନିଶ୍ଚୟ ଗୋଟାଏ ସୁବ୍ୟବସ୍ଥା କରିପାରିବି ।

 

ପୁର୍ବପରି ମହାଶ୍ୱେତା କହିଲା, ବ୍ୟବସ୍ଥାଟା କି ପ୍ରକାର ଶୁଣେ....

 

ମହାଶ୍ୱେତାର ଖୁବ୍‌ପାଖକୁ ଲାଗି ଯାଇ ଚୁପି ଚୁପି ଅରୂପ କହିଲା, ସୁଦୂର କେଉଁ ନଦୀ କୂଳରେ ଅଖ୍ୟାତ କେଉଁ କୁଟୀରରେ ତମେ ହେବ ବଧୂ, ମାତା...

 

ଆହତ ବାଘୁଣୀ ପରି ଉତ୍‌କ୍ଷିପ୍ତ ହେଇ ମହାଶ୍ୱେତା କହିଲା, କବିତ୍ୱ ମତେ ଭଲ ଲାଗେନା । ମୋର ଯେ ଏମିତି ଏକ ଦୁର୍ଭୋଗ ରହିଚି....

 

ଦୁର୍ଭୋଗ......ଅରୂପ ନିର୍ବାକ ବିସ୍ମୟରେ ଅନେଇ ରହିଲା । ମହାଶ୍ୱେତା କହିଲା, ଆଜି ମୁଁ ଏହାର ଚୁଡ଼ାନ୍ତ ନିଷ୍ପତ୍ତି କରିନେବାକୁ ଚାହେଁ ।

 

ଧୀରେ ଧୀରେ ଅରୂପ କହିଲା, କେଉଁ ପ୍ରକାରର ନିଷ୍ପତ୍ତି...

 

ମହାଶ୍ୱେତା କହିଲା, ତାହା ତୁମକୁ ବୁଝେଇବାକୁ ହେବନାହିଁ..

 

କିଛିକ୍ଷଣ ସ୍ତବ୍‌ଧ ହୋଇ ଚାହିଁ ରହିଲା ଅରୂପ ସନ୍ଧ୍ୟାର ମଳିନ ଆଲୋକରେ ମହାଶ୍ୱେତାର କ୍ରୁରଦୃଷ୍ଟି ଅନେକଟା ଯେମିତି ଅସ୍ପଷ୍ଟ ରହିଯାଇଛି । ସମଗ୍ର ପୃଥିବୀ ଯେପରି ଆଜି ଜନଶୂନ୍ୟ । ବାହାରେ କେବଳ ଜାଗିରହଛି ଏକ ଭୟାବହ ସ୍ତବ୍‌ଧତା । ଖୁବ୍‌ ନମ୍ର କଣ୍ଠରେ ଅରୂପ କହିଲା, ତମର ଏ ପ୍ରକାର ନିଷ୍ପତ୍ତିର ପରିଣତି କ’ଣ ହେବ ଜାଣ ଶ୍ୱେତା ! ନିଜର ମାତୃତ୍ୱକୁ ଅସ୍ୱୀକାର କରି ଲୋକ ସମାଜରେ ତମେ କଳଙ୍କିତ ହେବ । ତମେ ନାରୀ, ମାତୃତ୍ୱ ତମର ସୌଭାଗ୍ୟ, ତମର ଧର୍ମ ।

 

ରୁଢ଼ ଗଳାରେ ମହାଶ୍ୱେତା କହିଲା, ମାତୃତ୍ୱ ମୋର କାମ୍ୟ ନୁହେଁ । ଲୋକ ଆଖିରେ କଳଙ୍କିତା ହେବା ଆଗରୁ ମୋ ସିଦ୍ଧାନ୍ତରେ ମୁଁ ପହଞ୍ଚି ସାରିଥିବି । ନ ହେଲେ ପିତୃଅଭିଳାଷ ମୋର ଅପୂର୍ଣ୍ଣ ରହିଯିବ । କିଛି କହିବା ଆଗରୁ ତମକୁ ମନେ ରଖିବାକୁ ହେବ ମୁଁ ଏ ବଂଶର ଉତ୍ତରାଧିକାରିଣୀ ।

 

ଅରୂପ ଅଳ୍ପସମୟ ଚୁପ୍‌ ରହିଲା । ତାପରେ କହିଲା; ସେଥିପାଇଁ ତମେ ଥରେ ଚିନ୍ତାକରି ଦେ‌ଖ । ନାରୀର ସମସ୍ତ ସାଧନାର ସିଦ୍ଧି ତାର ସଫଳମାତୃତ୍ୱ । ସେଥିଯୋଗୁ ବହୁ ଶିକ୍ଷା ଦୀକ୍ଷାର ସୃଷ୍ଟି କରାଯାଇଛି । ମୋ ହୋଇ ତମେ ଯଦି ନିଜର ମାତୃତ୍ୱକୁ ଅସ୍ୱୀକାର କର, ତା ହେଲେ ତାହାହିଁ ହେବ ତମ ଜୀବନର ନୈତିକ ଅବନତି, ଆଉ ମୋର ଚରମ ଦୁର୍ଭାଗ୍ୟ ।

 

ମହାଶ୍ୱେତା ଓଠରେ ଉତ୍ତରର ଭାଷା ଫୁଟିଲା ନାହିଁ । ସେ କେବଳ ନୀରବରେ ବାହାରେ ଆଉ ଭିତରେ ଅନ୍ଧାରକୁ ଅନେଇ ରହିଲା । ଶରତର ନିର୍ମଳ ଆକାଶରେ ଆଜି ମେଘ ଦେଖାଦେଇଛି । ସତେ ଯେମିତି ଆଲୋକଜ୍ଜ୍ୱଳ ଅଶାନ୍ତ ନଗରୀ ଆଜି ଦୁଃଖ, ଅଶ୍ରୁରେ ମ୍ରିୟମାଣ ହୋଇପଡ଼ିଛି । ଅରୂପ କହିଚାଲିଲା, ଅବୁଝା ହୁଅନା ଶ୍ୱେତା ! ତମେ ଶିକ୍ଷିତା ନାରୀ । ସମାଜର ଆଦର୍ଶ, ଗର୍ଭରେ ତମର ଏ ଜାତିର ଦାୟାଦ । ସମସ୍ତ ପାପ ଚକ୍ରାନ୍ତ ଭିତରୁ ତମେ ଧୀରେ ଧୀରେ ନିଜକୁ ମୁକ୍ତ କରି ଆଣ । ସହଧର୍ମୀ ସ୍ୱାମୀ ତମର ସେହି ଶୁଭ ସକାଳର ଅପେକ୍ଷାରେ ଠିଆହୋଇ ରହିଛି । ଯେଉଁ ସକାଳରେ ପ୍ରଥମ କରି ମୁଁ ଦେଖିବାକୁ ପାଇବି ନୂତନ ଶକ୍ତି, ନୂତନ ଚେତନା, ନୂତନ ପ୍ରେରଣା ।

 

ମୁଁ କିନ୍ତୁ ତାହା ଚାହେଁନା...

 

ଚାହେଁନା ? କିନ୍ତୁ ଇଚ୍ଛା ତମର ଚିରନ୍ତନ ନୁହେଁ । ତମେ ଯେତେ ହୃଦୟହୀନା ହୁଅନା କାହିଁକି ଦିନେ ତମର ମୋହନିଦ୍ରା ଭାଙ୍ଗିବ । ଏଇଟା ମଣିଷ ଜୀବନର ଧାରବାହିକତା । ଭାବନା ତମର କଲ୍ୟାଣକର ନୁହେଁ, ହୀନସ୍ୱାର୍ଥ ସିଦ୍ଧିର ଲାଳସା । ଯେଉଁ ସମ୍ମାନ ପାଇଁ ତମେ କାଙ୍ଗାଳ ସେଇଟା ତମର ଆତ୍ମମର୍ଯ୍ୟାଦା ନୁହେଁ । ଗୋଟାଏ ବହିରାବରଣ ମାତ୍ର ଯେଉଁ ଆବରଣରେ ଆବୃତ୍ତ ହୋଇ ମଣିଷ ଜନସାଧାରଣ ଆଖିରେ ଲୋଭନୀୟ ଦିଶେ । କିନ୍ତୁ ଥରେ ଥରେ ସେ ଆବରଣ ଫିଙ୍ଗି ନିଜର ଅନ୍ତର୍ଲୋକରେ ହଜିଯିବାକୁ ଯେଉଁ ବଳବତୀ ଆକାଂକ୍ଷା ଜାଗିଉଠେ ତାକୁ ଦମନ କରିବାକୁ ତମର ଶକ୍ତିନାହିଁ ଶ୍ୱେତା ! ସେଠି ତମ ଶିକ୍ଷାର ଅଭିମାନ ଭାଙ୍ଗିପଡ଼ିବ । ତମର ସାମାଜିକ ପ୍ରତିଷ୍ଠା ଧ୍ୱଂସ ପାଇଯିବ ।

 

ଅସ୍ୱାଭାବିକ ଉତ୍ତେଜନାରେ ଅରୂପ ଆଖି ଦପ ଦପ କରିଉଠିଲା । ତେଜୋଦୀପ୍ତ କଣ୍ଠରେ ସେ କହିଲା, ତମେ ଜୀବଧର୍ମ ପାଳନ କରିପାରିଲେ ତମର ସମ୍ମାନ ବଢ଼ିବ ଶ୍ୱେତା ! ସୃଷ୍ଟିର ଗୌରବରେ ତମେ ଗୌରବାନ୍ୱିତା ହେବ । ତମର ପିତୃବଂଶ ଗୌରବାନ୍ୱିତ ହେବ । ଆଉର ଗୌରବାନ୍ୱିତ ହେବେ ତମର ସ୍ୱାମୀ ଆଉ ଶଶୁର ବଂଶ...

 

ସ୍ୱାମୀ.....ଚମକି ଉଠିଲା ମହାଶ୍ୱେତା ! ନିଜର କଳ୍ପନାରେ ସେ କେବେହେଲେ ଏ ଦୁଇଟି ଅକ୍ଷରର ଅବଧାରଣା କରି ପାରିନାହିଁ । ବନ୍ଧୁ ଭାବରେ ଅରୂପକୁ ସେ ସ୍ନେହ ଦେଇ ଆସିଚି । ସମ୍ମାନ କରି ଆସିଛି । ତାର ଆଧୁନିକ ସଭ୍ୟ ମନ ସ୍ୱାମୀ ଶବ୍ଦର ସାର୍ଥକତା କେବେହେଲେ ଉପଲବଧି କରି ପାରିନାହିଁ । ଅନାସକ୍ତ କଣ୍ଠରେ ସେ କହିଲା, ଏହାରି ନା ଗୁପ୍ତଯୁଗୀୟ ଭାବପ୍ରବଣତା । ବିଂଶ ଶତାବ୍ଦୀରେ ଏହାକୁ କି ଆଖ୍ୟା ଦିଆଯିବ ଜାଣ ? ଉନ୍ମାଦ ରୋଗୀର ପ୍ରଳାପ-

 

ଧୈର୍ଯ୍ୟର ସହିତ ଅରୂପ କହିଲା, ଭଲକରି ବିଚାର କରି ଦେଖ । ଏ ପ୍ରଳାପ କିମ୍ବା ଭାବପ୍ରବଣତା ନୁହେଁ ଶ୍ୱେତା ! ଏ ମୋର ଦାବି, ଏ ମୋ ପିତୃତ୍ୱର ସ୍ୱୀକାରୋକ୍ତି...

 

ଏହାର ମାନେ ?

 

ଚମକି ଉଠି ମହାଶ୍ୱେତା କହିଲା, କ’ଣ ତମେ କହିବାକୁ ଚାହଁ... ?

 

ଅରୂପ କହିଲା, ଏହାର ମାନେ ହେଲା ମୋର ଆଦର୍ଶବାଦ । ଏହି ଆଦର୍ଶ ରକ୍ଷା କରି ମୁଁ ଚାଲିବାକୁ ଚାହୁଁଚି । ଲୋକ କଲ୍ୟାଣ, ମାନବ ଧର୍ମ, ନାରୀତ୍ୱ ଆଉ ମାତୃତ୍ୱର ସମ୍ମାନ, ନାରୀର ସାମାଜିକ ଅଧିକାର ନ୍ୟାଯ୍ୟ ଦାବି ହାସଲ ସମସ୍ତ ଲାଞ୍ଛନା ଆଉ ଅସଭ୍ୟତା ଭିତରୁ ସେ ଜାତିର ଉଦ୍ଧାର । ଏହି ହେଲା ତମର ଖୋଜୁଥିବା ଅର୍ଥ ।

 

ଅସୀମ ସାହସର ସହିତ ଅରୂପ କହିଲା, ମଧୁମତି କୂଳର ସେଇ କ୍ଷୁଦ୍ର ବଞ୍ଚିତ ଗାଁ, ସେଠି ଶିକ୍ଷାର ଆଲୋକ ଜଳିବ । ଗଢ଼ାହେବ ସଭ୍ୟତାର ତାଜ । ମାନବ ଚରିତ୍ରରେ ଆସିବ ଉଦାର ଭାତୃତ୍ୱ, ଆସିବ ପୃଥିବୀର ସଂସ୍କୃତି । ଆସିବ ବିଶ୍ୱଜୟୀ ବିଜ୍ଞାନର ଉପାଦାନ, କିନ୍ତୁ ତା ପୂର୍ବରୁ ? ତା ପୂର୍ବରୁ ଦୟା ନୁହେଁ, ଭିକ୍ଷା ନୁହେଁ, ସ୍ତାବକତା ନୁହେଁ; କଠୋର ସାଧନାର ଭିତର ଦେଇ ଆମକୁ ଆଗେଇ ଯିବାକୁ ହେବ ଶ୍ୱେତା ! ଅସୀମ ଧୈର୍ଯ୍ୟ ଉତ୍ସାହ ସାହସର ସହିତ ଗଢ଼ିବାକୁ ହେବ ନୂତନ ଜାତି । ସୃଷ୍ଟି କରିବାକୁ ହେବ ନୂତନ ଦୃଷ୍ଟିକୋଣ... ଅରୂପର ଶାନ୍ତ ସୁନ୍ଦର ମୁହଁର କମନୀୟତାରେ ପରିବର୍ତ୍ତନ ଆସିଲା ।

 

ମହାଶ୍ୱେତା କହିଲା, ଏ ତମର ଏକ ପ୍ରକାର ଝୁଙ୍କ । କିନ୍ତୁ ତମକୁ ମନେ ରଖିବାକୁ ହେବ ମୁଁ ତମ ଖିଆଲର ଖେଳନା ନୁହେଁ । ଏକ ମହାପ୍ରାଣୀର ମହତ ଉଦ୍ଦେଶ୍ୟ ପୂରଣ କରିବାକୁ ହେଲେ ପାପ ଆସିବ ନାହିଁ । ମୁଁ ଅପରେଶନ କରି....

 

ଶ୍ୱେତା.....

 

ଅରୂପ ପ୍ରାୟ ଚିତ୍‌କାର କରି ଉଠିଲା । ଆଖିର ପଲକ ଭିତରେ ଦୌଡ଼ି ଆସି ମହାଶ୍ୱେତାର ଗୋଡ଼ତଳେ ପଡ଼ିଗଲା ସର୍ବଜୟା । ଅଶ୍ରୁରୁଦ୍ଧ କଣ୍ଠରେ କହିଲା, ମତେ ଦେବୁ ଅପା, ମତେ ...

 

ଆଉ କଣ କହିବାକୁ ଯାଇ ସେ ହୁଏତ କହି ପାରିଲା ନାହିଁ । କେବଳ ସେହି ଗୋଟିଏ କଥା ବାରମ୍ବାର କହି ଉଠିଲା ।

 

ଅଳ୍ପ ଦୂରରେ ଠିଆ ହେଇ ମାହେଶ୍ୱରୀ ଦେବୀ ସମସ୍ତ ପରିସ୍ଥିତିଟାକୁ ନିରୀକ୍ଷଣ କରୁଥିଲେ । ଉଦ୍‌ବେଗ ଆଉ ଅଶାନ୍ତ ପଦରେ ଭିତରକୁ ପଶି ଆସି ସେ ଗର୍ଜିଉଠି ଡାକିଲେ, ଯୋଗୀଆ ଏଇଟାକୁ ମୋ ଘରୁ ଧକ୍‍କା ଦେଇ ବାହାର କରିଦିଏ ।

 

ଆକୁଳ ସ୍ୱରରେ ଅରୂପ କହିଲା, ସମସ୍ତେ ଅନ୍ଧ ହେଇଚ । ପ୍ରାର୍ଥନା କରୁଚି ଏହି ହୀନତା ଭିତରୁ ତମମାନଙ୍କର ମୁକ୍ତି ହେଉ । ସମୟ ଆସିବ ତମେ ଆଲୋକ ଖୋଜିବ ଶ୍ୱେତା ! କିନ୍ତୁ ତମେ ଆଲୋକ ପାଇବ ନାହିଁ । ଅନ୍ଧାରରେ ତମର ଗତି, ସେହି ଅନ୍ଧାର ଭିତରେ ଦିନେ ତମର ସୁଖ ସ୍ୱପ୍ନ ଭାଙ୍ଗିବ ।

 

କହି କହି ଅରୂପ ବାହାରିଗଲା । ଗଲାବେଳେ ଯେଉଁ ସୁନ୍ଦର ଅନାଗତ ପାଇଁ ଆଖିରୁ ତାର ଧାର ଧାର ଲୁହ ଝରି ପଡ଼ିଲା ।

 

 

ଦୁଇସପ୍ତାହ ଧରି ଅରୂପ ନିଜର ସମସ୍ତ ଚେତନ ଶକ୍ତି ହରେଇ ବସିଲା । ଲଜ୍ଜା, ଦୁଃଖ, ଅନୁତାପ, ପରାଜୟ ତାର ଶିକ୍ଷିତ ସଂଭ୍ରାନ୍ତ ମନକୁ ପ୍ରତିମୁହୂର୍ତ୍ତରେ ଉଦ୍ରଭ୍ରାନ୍ତ କରି ତୋଳିଲା । ଦିନ ଦିନେ ଧରି ଯେଉଁ ସ୍ୱପ୍ନ ତାକୁ ଅବିଭୂତ କରି ରଖିଥିଲା, ତାର ଏହି ନିର୍ମମ ନିଷ୍ଫଳତାରେ ହୃଦୟ ଭାଙ୍ଗି ପଡ଼ିଲା । ତାକୁ ପୁଣି ସହଯୋଗ କରି ବସିଲା ଆଉ ଏକ ଦୁଃସଂବାଦ ।

 

ପ୍ରଥମ ପ୍ରଥମ ନିରୁପମା କିଛି ଅନୁମାନ କରି ପାରିଲେ । ପରେ ଯେମିତି ତାଙ୍କର ସମସ୍ତ ସନ୍ଦେହ ଘୁଞ୍ଚିଗଲା । ସ୍ମିତ ହସି କହିଲେ, ଆପଣ ଯେ ଏଥିପାଇଁ ଚିନ୍ତାକରି ବସିବେ ମୁଁ ଏହା ଭାବିପାରି ନ ଥିଲି ।

 

ନିଜର ସମସ୍ତ ଦୁଃସ୍ଥ ଅବସ୍ଥାକୁ ଓଠର ହସରେ ଢାଙ୍କିରଖି ଅରୂପ କହିଲା, ଆପଣଙ୍କର ଭାବନା ସଂପୂର୍ଣ୍ଣ ଅମୂଳକ । ମୋର ସେଥିପାଇଁ ଆଦୌ ଚିନ୍ତାନାହିଁ । ସେ କାମ ହେଲା ସେମାନଙ୍କର, ମୋର ନୁହେଁ । ଜନ୍ମଦେଇ ସାରି ଶିଶୁର ଭାଗ୍ୟ ବିଧାନ ସମ୍ଭନ୍ଧରେ ଏ ଦେଶର ଜନନୀ ନିଶ୍ଚିନ୍ତ ହେଲାପରି ଲେଖିସାରି ମୁଁ ଯେପରି ଅନେକଟା ଶ୍ୱସ୍ତିର ନିଶ୍ୱାସ ମାରୁଚି ।

 

ନିରୁପମା କହିଲେ, ସେଥିପାଇଁ ଏ ପର୍ଯ୍ୟନ୍ତ କ’ଣ କୌଣସି ବନ୍ଦୋବସ୍ତ ହୋଇ ପାରି ନାହିଁ ?

 

ହୁଏତ ହୋଇପାରିଚି । ମୁଁ କିନ୍ତୁ ତାର କୌଣସି ଖବର ରଖି ପାରିନାହିଁ । ଆପଣ ଜାଣନ୍ତି ଏଟା ମୋର ଫାଇନାଲ ବର୍ଷ, ପଢ଼ାପଢ଼ିରେ ବଡ଼ ଅବହେଳା ହେଉଚି ।

 

ମୃଦୁହସି ନିରୁପମା କହିଲେ, ଅନେକ ଦିନପରେ କିନ୍ତୁ ଚେତନାଟା ଆସିଲା ।

 

ସଂଯତ କଣ୍ଠରେ ଅରୂପ କହିଲା, ସତ କହିଲେ, ଏହା ଭିତରେ ମହାଶ୍ୱେତା ପୁଣି ଅସୁସ୍ଥ ହୋଇ ଉଠିଛନ୍ତି । ସେଥିପାଇଁ ତାଙ୍କର ଅଭିଯୋଗ କମ ନୁହେଁ ।

 

ଅରୂପ ଉପରେ ତୀକ୍ଷଣ୍‌ କଟାକ୍ଷ ହାଣି ବକ୍ରକଣ୍ଠରେ ନିରୁପମା କହିଲେ, କାରଣଟା ତା ହେଲେ ଏଠି...

 

ଅରୂପ କହିଲା, ଆପଣ ଏବେ ମିଛ କହିବାକୁ ଆରମ୍ଭ କଲେଣି ।

 

ହସି ହସି ନିରୁପମା କହିଲେ, ତାର ମାନେ... ?

 

ଅରୂପ କହିଲା, ମୋ ବିରୁଦ୍ଧରେ ସମସ୍ତଙ୍କ ଅଭିଯୋଗ ପର୍ବତ ପରି ଠିଆ ହେଇଚି । ସାମାନ୍ୟ ବାକ୍ୟ ବାଣରେ ତାର ଧ୍ୱସଂ କାରିବା ସହଜ ନୁହେଁ । ମହାଭାରତ ଯୁଦ୍ଧର ଅଭିମନ୍ୟୁ ପରି ମୁଁ ଏହିକ୍ଷଣି ଶସ୍ତ୍ରହରା ଆଉ ଆପଣ ମାନେ ମୋର ଚାରିପଟରେ ବ୍ୟୁହ ରଚନା କରି ବସିଚନ୍ତି ।

 

ନିରୁପମା କହିଲେ, ଏ ନିରୁପାୟ ଅବସ୍ଥାରେ ଆପଣଙ୍କର କର୍ତ୍ତବ୍ୟ କ’ଣ ?

 

ଅରୂପ କହିଲା, ଧୈର୍ଯ୍ୟ ଆଉ ଅସୀମ ସହିଷ୍ଣୁତା ଧରି କଲ୍ୟାଣମୟ ସତ୍ୟର ଆଦର୍ଶକୁ ବଞ୍ଚେଇ ରଖିବା ।

 

ହସିଉଠି ନିରୁପମା କହିଲେ, କିନ୍ତୁ ଏ ଯେଉଁ ସମର ପ୍ରାଙ୍ଗଣ ଏଠି ପ୍ରଚାରଠାରୁ ଶାଣିତ ଅସ୍ତ୍ରର ପ୍ରୟୋଜନ ବେଶୀ ।

 

ନିରୁପମାଙ୍କ ଊତ୍ତର ଦେବାକୁ ଯାଇ କିଛି ଗୋଟାଏ କହିବାକୁ ଯାଉଥିଲା ଅରୂପ । କିନ୍ତୁ ବାରଣ୍ଡା ପାର ହେଇ ଭିତରକୁ ପଶି ଆସିଲେ ତୁଷାର ବାବୁ । ଅରୂପର ଖୁବ୍‌ ନିକଟରେ ଆସନ ବାଛିନେଇ ଗଦ୍‌ ଗଦ୍‌ ସ୍ୱରରେ ସେ କହିଉଠିଲେ, ନମସ୍କାର ଆଜ୍ଞା ! ଦୁଇ ସପ୍ତାହ ପରେ ଦେଖାଦେଇ ମତେ ସସ୍ତ୍ରୀକ ଧନ୍ୟକଲେ । ଆଚ୍ଛା, ଏତେ ଦିନ ଧରି କୁଆଡ଼େ ରହି ଯାଇଥିଲେ ।

 

ନମ୍ର ହସି ଅରୂପ କହିଲା, ପଢ଼ାପଢ଼ି, ରୋଗ ଶୋକ, ଘାତ ପ୍ରତିଘାତ...

 

ତୁଷାର ବାବୁ କହିଲେ, ସବୁ ଭିତରେ ମଣିଷ ଉଦ୍‌ଭ୍ରାନ୍ତ ନ ସାଜିଲେ ହେଲା । ଦିନ ଭିତରେ ଗୋଟାଏ ଘଣ୍ଟା ସମୟ ନାହିଁ, ଯେଉଁ ସମୟରେ କି ଥରେ ଯାଇ ଆପଣଙ୍କୁ ସମସ୍ତ ଅବସ୍ଥାଟା ଜଣେଇ ଆସିବି ।

 

ଅରୂପ କହିଲା, ନ ହେଲା ବା ଆପଣଙ୍କ ଯିବା, ମୁଁ ଏବେ ଆସିଲି; କହିଯାଆନ୍ତୁ ଏଥର ଯେତେ କଥା ଅଛି ।

 

ତୁଷାର ବାବୁ କହିଲେ, ବଡ଼ ଦୁଃଖର କଥା ଭାଇ ! ନିବେଦିତାର ବାନ୍ତି ଏପର୍ଯ୍ୟନ୍ତ ବନ୍ଦ ହେଇ ନାହିଁ । ଉମାଶଙ୍କର ବାବୁ ଭାରି ବ୍ୟସ୍ତ ହେଇ ପଡ଼ିଲେଣି । ସପ୍ତାହେ କାଳ ବିତି ଗଲାଣି । ନାନା ପ୍ରକାର ଚିକିତ୍ସା କରି ସୁଦ୍ଧା ଅବସ୍ଥାର କୌଣସି ପରିବର୍ତ୍ତନ ଆସୁନାହିଁ ।

 

ତା ହେଲେ.. ?

 

ତାହାହିଁ ଭାବିବାକୁ ହେଉଚି । କଳାମନ୍ଦିରର ଏ ଆକସ୍ମିକ ବିପର୍ଯ୍ୟୟରେ ଉମାଶଙ୍କର ବାବୁ ଏକବାର ଭାଙ୍ଗି ପଡ଼ିଲେଣି । ଆପଣ ବି ଏକବାର ନିରପେକ୍ଷ ପାଲଟି ଗଲେଣି ।

 

ନିରୁପମା ଜବାବ ଦେଲେ, ତମେ ତ ଦେଖୁଚ ତାଙ୍କର କେତେ କାମ । ପଢ଼ାପଢ଼ି, ଲେଖା, ଲେଖି, ତା ପରେ ପେଟ ଚିନ୍ତା । ଯାହାକି କେବେ ସେ କଳ୍ପନା କରିପାରି ନଥିଲେ । ତାପରେ ତାଙ୍କୁ ଯଦି ଏମିତି ଏକ ଦ୍ୱନ୍ଦ୍ୱ ଭିତରେ ଫିଙ୍ଗି ଦିଆଯାଏ ତାହେଲେ ଭଦ୍ର ଲୋକଙ୍କର ଅବସ୍ଥା ସରିଲା ।

 

ତୁଷାର ବାବୁ କହିଲେ, ଓଡ଼ିଶା ରଙ୍ଗମଞ୍ଚ ସମ୍ବନ୍ଧରେ ତ ତମର କିଛି ଅଜଣା ନାହିଁ । ତା’ପରେ କଳିଙ୍ଗ କଳାମନ୍ଦିର ହେଲା ନୂଆ ଅନୁଷ୍ଠାନ । ନିବେଦିତାର ଅସୁସ୍ଥତା ପାଇଁ ସମସ୍ତ ପରିବେଶଟା ଯେମିତି ଅସୁସ୍ଥ ହେଇ ଉଠିଚି ।

 

ଉଦ୍‌ଭ୍ରାନ୍ତ ପରି ନିରୁପମା ଅରୂପ ଆଡ଼େ ଚାହିଁ ରହିଲେ । ନିଜର ସମସ୍ତ ଶକ୍ତି ସଂଚୟ କରି ଅରୂପ କହିଲା, ସେଥିପାଇଁ ଭାବିବାର କିଛିନାହିଁ । ରଙ୍ଗମଞ୍ଚ ହେଲା ଆମମାନଙ୍କର ଜାତୀୟ ସଂପତ୍ତି । ବ୍ୟକ୍ତି ସ୍ୱାର୍ଥଠାରୁ ଜାତିର ସ୍ୱାର୍ଥ ଯେ କେତେ ଉଚ୍ଚରେ ତାହା ଆଉ ବୁଝେଇବାକୁ ହେଦନାହିଁ । ରଙ୍ଗମଞ୍ଚର ମାଧ୍ୟମରେ ଜନସାଧାରଣର ହୃଦୟ ଆତ୍ମପ୍ରକାଶ କରିବ । ସର୍କସ ଦଳ ବୁଲି ବୁଲି ସ୍ଥାନେ ସ୍ଥାନେ ଖେଳ ଦେଖାଏ, ଆମୋଦ ବାଣ୍ଟେ କିନ୍ତୁ ସେଥିରେ ମାଧୁର୍ଯ୍ୟ ନାହିଁ । ରୋମାଞ୍ଚ ନାହିଁ, ଗୋଟିଏ ଗୋଟିଏ ନାଟକ ଆମମାନଙ୍କର ଦୁଃଖ, ସୁଖ, ଆନନ୍ଦ ବିଷାଦର ସ୍ୱରୂପ କିନ୍ତୁ ତାର ସଫଳ ବିକାଶ ଅଭିନୟ କୌଶଳ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ । ପେଶାଦାର ଲେଖକ ମୁଁ ନୁହେଁ । ଲେଖା ମୋର ପଣ୍ୟ ବ୍ୟବସାୟ ନୁହେଁ । ଲେଖାର ଉଦ୍ଦେଶ୍ୟ ଅର୍ଥ ନୁହେଁ । ଯେଉଁ ମହତ ଉଦ୍ଦେଶ୍ୟ ନେଇ ସେ ରୂପ ପରିଗ୍ରହ କରିଚି ତାହା ସମଗ୍ର ଓଡ଼ିଆ ଜାତିକି ନିମନ୍ତ୍ରଣ କରିଆଣୁ-। ସମସ୍ତଙ୍କୁ ଏକତନ୍ତ୍ରୀ ସଂଯୋଗ କରିଥୋଉ । ତାହାହିଁ ମୋର ସାର୍ଥକତା....

 

ଆଦର୍ଶବାଦୀର ଉଜ୍ଜ୍ୱଳ ମୁଖର ଦୀପ୍ତିରେ ନିରୁପମା ମୁଗ୍‌ଧ ହେଇ ଏତେ ସମୟ କଣ ଦେଖୁଥିଲେ ସିଏ ଜାଣନ୍ତି । ହଠାତ୍‌ ଉଚ୍ଚସ୍ୱରରେ ସେ କହିଉଠିଲେ, ମୁଁ ଯିବି...

 

ତୁଷାର ବାବୁ କହିଲେ, କୁଆଡ଼େ ଯିବ ତମେ...

 

ରାୟବାବୁଙ୍କ ନାଟକରେ ଅଭିନୟ କରିବାକୁ ମୁଁ ରଙ୍ଗମଞ୍ଚ ଉପରକୁ ଯିବି ।

 

କିନ୍ତୁ ତମେ ଯେ ଗୃହିଣୀ...

 

ନିରୁପମାଙ୍କର ସୁନ୍ଦର ମୁହଁ ଉଜ୍ଜ୍ୱଳ ଦିଶିଲା । ମଧୁହସି ସେ କହିଲେ, କଳାର ପ୍ରତିଭାର ପୂଜା ଦେବାକୁ ଯିବି ମୁଁ । ଦେବତା କଣ ସେଥିରେ ରୁଷ୍ଟ ହେବେ...

 

ଅରୂପ କହିଲା, ଆପଣଙ୍କର ଏଇ ଉତ୍ସାହ ଉଦ୍ଦୀପନା ମୋ ପାଇଁ ଯଥେଷ୍ଟ । ଆଉ ମଞ୍ଚ ଉପରକୁ ଯିବା ଆପଣଙ୍କ ପକ୍ଷେ ଏବେ ଏତେ ସହଜ ନୁହେଁ । ବିଶେଷ କରି ଆପଣ ଜନନୀ । ବରଂ...

 

ପରୀକ୍ଷା କରୁଚନ୍ତି । ଜନନୀ ହେଇ ସାରିଲା ପରେ ନାରୀ ଯଦି ନିଭୃତ ଗୃହ କୋଣ ବାସିନୀ ସାଜି ପାରିଲା ସେଥିରେ ଆପଣଙ୍କର ଚରମ ଆନନ୍ଦ ନୁହେଁ ? ଓଡ଼ିଆଣୀ କଣ ଏଡ଼େ ଭାଗ୍ୟହୀନା ।

 

ତୁଷାର ବାବୁ ବିବ୍ରତ ହେଇ କହି ଉଠିଲେ, ତମେ ରଙ୍ଗମଞ୍ଚ ଉପରକୁ ଗଲେ କ’ଣ ହେବ ଜାଣ ? ଗୃହସ୍ଥଳୀର ସକଳ ସୁନାମ ସୌଭାଗ୍ୟ ଏକାଥରକେ ବିପନ୍ନ ହେଇ ଉଠିବ ।

 

ଆଦୌ ନୁହେଁ....

 

ନିରୁପମା କହିଲେ, ଜଣେ କଳାକାରର ସ୍ତ୍ରୀ । ତା ସମ୍ବନ୍ଧରେ ଲୋକଙ୍କର ଧାରଣା ଯାହା ତାହା କାହାରି ଅଜଣା ନାହିଁ । ଗୃହିଣୀ ହେଇ, ମାତୃତ୍ୱ ପାଇସାରିବା ପରେ ଯେ ସେ ଅନ୍ଧାରରେ ଆତ୍ମ ଗୋପନ କରିବ ଏ କଳ୍ପନା ଯେତିକି ଲଜ୍ଜାକର ସେତିକି ଭୟଙ୍କର ମଧ୍ୟ । ତମେ ନିଜେ ନିଜର ଏହି ଭାବନାକୁ ସହି ପାରିବ ତା !

 

ତୁଷାର ବାବୁ କହିଲେ, ତମକୁ ତ ମୁଁ ଦୂରେଇ ରଖି ନ ଥିଲି ?

 

ସେଇଆ ତ ମୁଁ କହିବାକୁ ଯାଉଚି । ନିଜ ଇଚ୍ଛାରେ ତମର ସ୍ୱପ୍ନଠାରୁ ମୁଁ ଦୂରରେ ରହିଥିଲି । ଭାବିଥିଲି ଭିନ୍ନଧାରା ମୁଁ ସୃଷ୍ଟି କରିବି । ସେଥି ଭିତରେ ନିଜକୁ ମିଶେଇ ଦେବି । ହେଲାନାହିଁ, ମୁଁ ପୁଣି ତମର ସେହି ପୁରୁଣା ପଦ୍ଧତିର ଅନୁସରଣ କରିବି । ସେଥିପାଇଁ ଲାଜ ନାହିଁ, ଚିନ୍ତା ନାହିଁ ।

 

ତୁଷାର ବାବୁ ଆଉ ଅରୂପ ଅବାକ ହେଇ ଅନେଇ ରହିଲେ ।

 

ସେଦିନ ସମସ୍ତ ବାରଣକୁ ଅମାନ୍ୟ କରି ନିରୁପମା ଯିବାପାଇଁ ପ୍ରସ୍ତୁତ ହେଲେ । ବହୁଦିନ ପରେ ଗୃହସ୍ଥଳୀ ଛାଡ଼ି ସେ ଯାଉଚନ୍ତି ଅଗଣନ ଦୃଷ୍ଟି ସାମନାକୁ । ଏ ଆବେଗ ଏ ଉତ୍‌କଣ୍ଠାର ସୀମା ନାହିଁ ।

 

ଶେଷ ଦୃଶ୍ୟର ଯବନିକା ଧୀରେ ଧୀରେ ନଇଁ ଆସିଲା । ରାତି ସେତେବେଳେ ବାରଟା-। ବିପୁଳ ଜନତାର ଆତ୍ମବିସ୍ତୃତ ଚେତନା ହଠାତ୍‌ ଯେପରି ଫେରିଯିବାର ପଥ ଖୋଜି ପାଇଲା ନାହିଁ । ଅବଚେତନା ଅଶ୍ରୁର ଉତ୍ତାଳ ତରଙ୍ଗରେ ହଜିଗଲା ବିଲାସ, ଆନନ୍ଦ, ମୋହମତ୍ତତା-

ପ୍ରେକ୍ଷାଗୃହ ପ୍ରାୟ ନିରୋଳା ହୋଇ ଆସୁଛି । ଏମିତି ସମୟରେ ତୁଷାର ବାବୁ ଆସି ଅରୂପ ନିକଟରେ ଠିଆହେଲେ । ଭାବଭଙ୍ଗୀରେ ତାଙ୍କର ଦୁର୍ଗମ ଗଡ଼ଜୟର ପ୍ରସନ୍ନତା ଆଉ ଉଲ୍ଲାସ । ଘନ ଘନ କରତାଳି ଭିତରେ ସମସ୍ତ ନାଟକଟି ଅଭିନୀତ ହୋଇଗଲା । ଆଉରି ଆଶ୍ଚର୍ଯ୍ୟର କଥା ଯେ ଦୀର୍ଘ ପାଞ୍ଚବର୍ଷ ପରେ ମଧ୍ୟ ନିରୁପମା ସଫଳ ଅଭିନୟ କରି ପାରିଚନ୍ତି । ଏହି ବିଜୟୋଲ୍ଲାସ ମୂଳରେ ଅରୂପର କୃତିତ୍ୱ ପୂରିରହିଛି, ତାହା କେହି ଅସ୍ୱୀକାର କରି ପାରିବ ନାହିଁ ।

ଭିତରକୁ ଆସନ୍ତୁ...

ଅରୂପର ହାତ ଧରି ଆହ୍ୱାନ କରିନେଲେ ତୁଷାର ବାବୁ । ଏତେ ବଡ଼ ଆନନ୍ଦକୁ ଯେପରି ନିଜର କରି ପାଇ ପାରିନାହିଁ ଅରୂପ । ତା ତାରୁଣ୍ୟର କେଉଁ ସୂକ୍ଷ୍ମ ତନ୍ତ୍ରୀରେ ଜାଗିରହିଛି ପରାଜୟ ଆଉ ଅଶ୍ରୁର ରାଗିଣୀ ।

ଭିତରେ ନିମନ୍ତ୍ରିତ ଅତିଥିମାନେ ଆସନ ଗ୍ରହଣ କରିଛନ୍ତି । ପାଖରେ ଉମାଶଙ୍କର ବାବୁଙ୍କ ସହିତ ଅନ୍ୟାନ୍ୟ ଶିଳ୍ପୀମାନେ ବସିଛନ୍ତି । ତୁଷାର ବାବୁ ପରିଚୟ କରେଇ ଦେଲେ, ଏଇ ହେଉଛନ୍ତି ନାଟ୍ୟକାର ଅରୂପ ରଞ୍ଜନ ରାୟ...

 

ଧନ୍ୟ ହେଲୁ । ନମସ୍କାର...ନମସ୍କାର...

 

ଯୋଡ଼ି ଯୋଡ଼ି ବିନୀତ ହାତ ଉପରକୁ ଉଠିଲା । ତୁଷାର ବାବୁ ପୁଣି ହସି ହସି କହିଲେ, ଆପଣଙ୍କୁ ଦେଖିବାର ଅଭିଳାଷ ଯାହାର ବହୁ ବେଶୀ ଥିଲା, ସେ ହେଉଛନ୍ତି ଶ୍ରୀଯୁକ୍ତ ଅନୁପମ ଦାସ-। ଉତ୍କଳ ପ୍ରକାଶନୀର ପରିଚାଳକ ।

 

କହିବା ସାଙ୍ଗେ ସାଙ୍ଗେ ତୁଷାର ସାମୁଏଲ ଆଙ୍ଗୁଳି ନିର୍ଦ୍ଦେଶ କଲେ । କହିଲେ, ଏ ମହାଶୟ ମାନେ କେବଳ କବି ନାଟ୍ୟକାର ଅରୂପ ରାୟଙ୍କୁ ଦେଖିବାପାଇଁ ଅପେକ୍ଷାକରି ରହିଛନ୍ତି । ଆପଣଙ୍କୁ ନୁହେଁ..

 

ହସି ହସି ପ୍ରତି ନମସ୍କାର ଜଣାଇଲା ଅରୂପ । ଅନୁପମ ବାବୁ କହିଲେ, ବହିର ପ୍ରକାଶ ପାଇଁ କ’ଣ କଥାବାର୍ତ୍ତା ସାରି ଦେଇଛନ୍ତି ?

 

ଅରୂପର ନୀରବ ବିସ୍ମିତ ଦୃଷ୍ଟି ଥରେ ସମସ୍ତଙ୍କ ଉପରେ ବୁଲି ଆସିଲା । କଣ ସେ ଲେଖିଛି ନିଜେ ବୁଝେନା । କଣ ଦେଖି ଶହ ଶହ ଦର୍ଶକର ଅନ୍ତର ସହାନୁଭୂତିର ଅଶ୍ରୁରେ ଭରିଯାଇଛି, ସେ ତାହା ନିଜେ ଜାଣେନା । ଭିତରେ ଯେଉଁ ଜୁଇ ତାର ଜଳୁଛି ବାହାରର ଆବରଣ ଠେଲି ଅରୂପର ଚେହେରାରେ ତାର ଝାସ ଆସି ଲାଗୁଛି । ତଥାପି ଏଠି ଆତ୍ମସଂଯମ ରକ୍ଷା କରିବାକୁ ପଡ଼ିବ । କୌଣସି ବିଲକ୍ଷଣ ପ୍ରକାଶ କଲେ ଚଳିବ ନାହିଁ ।

 

ଶାନ୍ତକଣ୍ଠରେ ଅରୂପ କହିଲା, ଆପଣମାନଙ୍କ ଆନ୍ତରିକତା ପାଖରେ ୠଣୀ ରହିଲି ମୁଁ । କିନ୍ତୁ ଆଜି ବଡ଼ ବ୍ୟସ୍ତ ଅଛି ମୁଁ, ପରେ ଅନ୍ତତଃ ଏ ସମ୍ବନ୍ଧରେ ଆଲୋଚନା କଲେ ଭଲ ହୁଅନ୍ତା ।

 

ତା ହେଲେ ଆଜି ଆମମାନଙ୍କୁ ବିଦାୟ ଦିଅନ୍ତୁ ତୁଷାର ବାବୁ ! ପରେ ପୁଣି ଦେଖାହେବ...

 

ଅନୁପମ ବାବୁ କହିଲେ, ଶେଷରେ ମୁଁ କହିଯାଉଛି ଓଡ଼ିଆ ସାହିତ୍ୟରେ ଏ ମନୋବୃତ୍ତି କେଉଁଠି ଦେଖା ଯାଇନାହିଁ । ଆଉରି କହିବି ଆପଣଙ୍କର ଏହି ନୂତନ ସୃଷ୍ଟି ଯୁଗ ଯୁଗର ଅନ୍ଧାର ଆଉ ଜଡ଼ତା ଘୁଞ୍ଚେଇ ଦେବାକୁ ସକ୍ଷମ ହେବ । ଲେଖନୀ ଆପଣଙ୍କର ଅମର ହେଉ, କିନ୍ତୁ ଯେଉଁମାନେ କବି କଳ୍ପନାକୁ ମୂର୍ତ୍ତିମନ୍ତ ସତ୍ୟ କରି ଦେଖେଇ ଦେବାରେ ତ୍ରୁଟି କରି ନାହାନ୍ତି, ସେ କାହାନ୍ତି ?

 

ସ୍ମିତହସି ଅରୂପ କହିଲା, ବଦଳରେ ସେ ଭାର ମୁଁ ନେଲି ।

 

ଏତିକି କହି ଭିତରକୁ ଆଗେଇ ଗଲା ଅରୂପ ।

 

ଧନ୍ୟବାଦ ଶ୍ରୀମତୀ ସାମୁଏଲ, ଧନ୍ୟବାଦ ! ଏତେ ବେଶୀ ସାଫଲ୍ୟ ଅର୍ଜ୍ଜନ କରିବା ଏହା ପୂର୍ବରୁ ଭାବିପାରି ନ ଥିଲି ମୁଁ । ଏ...କ’ଣ ହେଲା ଆପଣଙ୍କର ? କ’ଣ ହେଲା ?

 

ପରଦା ଅନ୍ତରାଳରେ ଅଶ୍ରୁମୁଖୀ ନିରୁପମା ଚେତନା ହରେଇ ଲୋଟିପଡ଼ିଲେ । ଏତେକ୍ଷଣ ଧରି କି ଏକ ଅଭାବର ତୀବ୍ରତାରେ ସେ ଯେମିତି ତିଳ ତିଳ କରି ସରି ଆସୁଥିଲେ ।

 

କ’ଣ ହେଲା ରାୟବାବୁ...କ’ଣ ହେଲା ?

 

କହି କହି ଭିତରକୁ ପ୍ରାୟ ଦୌଡ଼ି ଦୌଡ଼ି ଚାଲି ଆସିଲେ ତୁଷାର ବାବୁ । ତାଙ୍କର ପଛେ ପଛେ ଆସି ଉମାଶଙ୍କର ବାବୁ ପଚାରି ଉଠିଲେ, କଣ ହେଲା ତୁଷାର ବାବୁ !

 

ନିରୁପମାଙ୍କର କୌଣସି ଚେତନା ଲକ୍ଷଣ ଫୁଟୁନାହିଁ । ପାଗଳ ପରି ଏପାଖ ସେପାଖ କରି ତୁଷାର ବାବୁ ଡାକି ଉଠିଲେ, ଡାକ୍ତର...ଡାକ୍ତର...

 

କହି କହି ବାହାରକୁ ବାହାରି ଯାଉଥିଲେ ତୁଷାର ବାବୁ । ତାଙ୍କର ହାତଧରି ଅରୂପ କହିଲା, ଏତେ ବ୍ୟସ୍ତ ହେଉଛନ୍ତି କାହିଁକି ? ସେ ନିଜେ ନିଜେ ସୁସ୍ଥ ହେଇ ଉଠିବେ । ଅତି ବେଶୀ ପରିଶ୍ରମ ଯୋଗୁ ଏମିତି ଘଟିଚି ।

 

ଡାକ୍ତର ଡାକି କିଏ ଗଲା ?

 

କିଛି ଦରକାର ନାହିଁ । ଡାକ୍ତର ଆସିଲେ ଫେରେଇ ଦେବେ । ଉମାଶଙ୍କର ବାବୁ ଅବାକ ହେଇ ଅରୂପ ମୁହଁକୁ ଅନେଇ ରହିଲେ ।

 

ଅରୂପ କହିଲା, ଆପଣ ତୁଷାର ବାବୁଙ୍କ ଦାୟିତ୍ୱରେ ରହନ୍ତି । ମୋର ଅନୁମାନ ଆଉ ଅଳ୍ପ ସମୟ ଏହି ଅବସ୍ଥା ଭିତରେ ରହିଲେ ତାଙ୍କର ବି ମୂର୍ଚ୍ଛା ହେଇଯିବ ।

 

କୌଣସି ଉତ୍ତର ନ ଦେଇ ଉମାଶଙ୍କର ବାବୁ ତୁଷାର ବାବୁଙ୍କ ହାତଧରି ଧୀରେ ଧୀରେ ଫେରିଗଲେ ।

 

ଅରୂପ ଆସି ନିରୁପମାଙ୍କର ଖୁବ ପାଖରେ ଠିଆ ହେଲା । ଏପାଖ ସେପାଖ ଅନେଇ ସେ ନିରୁପମାଙ୍କର ଅବଗୁଣ୍ଠନ ଖୋଲି ଦେଲା । ସୁଇଚ ଟିପି ଫ୍ୟାନ ଘୂରେଇ ଦେଇ ନିରୁପମାଙ୍କୁ ତଳୁ ତୋଳି ଆଣି ସଯତ୍ନରେ ଗୋଟିଏ ସୋଫା ଉପରେ ଶୁଆଇ ଦେଲା ସେ । ଉଜ୍ଜ୍ୱଳ ଆଲୋକ ତଳେ ରୂପସୀ ତରୁଣୀର ବିବଶ ତନୁଲତା ସ୍ୱପ୍ନପୁରୀ ସୃଷ୍ଟି କରିଚି । ଅଞ୍ଜଳି ଭରା ପାଣି ଆଣି ନିରୁପମାଙ୍କର ମୁହଁରେ ଦେଲା ଅରୂପ ।

 

ଉନ୍ମତ୍ତ ପରି ଛୁଟି ଆସିଲେ ତୁଷାର ବାବୁ ।

 

କଣ ହେଲା ରାୟବାବୁ ! କପାଳ ପୋଡ଼ିବ ନାହିଁ ତ ।

 

ଅରୂପ କଥା କହିଲା ନାହିଁ । କେବଳ ହାତ ହଲେଇ ସେ ଜଣେଇ ଦେଲା, ନା ଭୟରେ କାରଣ କିଛି ନାହିଁ ।

 

ତୁଷାର ପୁଣି ନୀରବ ପଦକ୍ଷେପରେ ଫେରିଗଲେ । ପ୍ରାୟ ଦଶ ମିନିଟ ପରେ କ୍ଳାନ୍ତ ଆଖି ଖୋଲି ଧୀରେ ଧୀରେ ଚାହିଁଲା ନିରୁପମା । ତାଙ୍କର କପାଳରେ ହାତ ବୁଲେଇ ଅରୂପ କହିଲା, ପିଇବେ କିଛି ?

 

ଉତ୍ତର ଦେଇ ପାରିଲେ ନାହିଁ ନିରୁପମା । କେବଳ ଆଖିରେ ତାଙ୍କର ସମ୍ମତିର ଲକ୍ଷଣ ଫୁଟିଲା । କିଏ ଯେପରି କେଉଁଠି ଅପେକ୍ଷାକରି ରହିଥିଲା । ଅରୂପ ହାତରେ ଗୋଟିଏ ଗିଲାସ ଧରେଇ ଦେଇଗଲା । ନିରୁପମାଙ୍କୁ ଉଠେଇ ଧରି ନିଜହାତରେ ପିଆଇ ଦେଲା ଅରୂପ । ଆଉକିଛି ସମୟ ପରେ ସୁସ୍ଥ ହେଇଉଠିଲେ ସେ । ସ୍ନିଗ୍‌ଧକଣ୍ଠରେ ଅରୂପ ପଚାରିଲା, ଘରକୁ ଯିବେ ?

 

ନିରୁପମାଙ୍କ ଓଠ ଦେଇ ଉତ୍ତରର ଭାଷା ଝରିଲା ନାହିଁ । ସଜଳ ଆଖି ଦୁଇଟା କେବଳ ଅରୂପର କାନ୍ତ ଦୃଷ୍ଟି ଉପରେ ନିବଦ୍ଧ ରହିଲା ।

 

ପୁଣି ଦୌଡ଼ି ଦୌଡ଼ି ଭିତରକୁ ଆସିଲେ ତୁଷାର ବାବୁ । ଦେଖିଲେ ନିରୁପମା ଉଠି ବସିଛନ୍ତି । ଆଗେଇ ଆସି ତାଙ୍କର ହାତ ଧରିଲେ ସେ ।

 

ଚାଲ ଯିବା...

 

ଦେହର ଲୁଗା ସଜାଡ଼ି ଉଠି ଠିଆହେଲେ ନିରୁପମା ।

 

ସେଦିନ ଚାଲି ଚାଲି ଅନେକ ରାତିରେ ଅରୂପ ଆସି ମହାଶ୍ୱେତା ଘରର ଦୁଆର ମୁହଁରେ ଠିଆହେଲା । ସମସ୍ତ ଘରଟା ଅନ୍ଧକାର ଭିତରେ ଥମ୍‌ଥମ୍‌ କରୁଚି । ଆକାଶରେ ମେଘର ଡାକ ଶୁଭୁଚି । ଝରକା ଦୁଆର ସବୁ ବନ୍ଦ । ଅରୂପର ଆଖି ସଜଳ ହେଇ ଉଠିଲାଣି । ହୁଏତ ଅନୁତାପର କାନ୍ଦଣା, ନ ହେଲେ ନିଗୁଢ଼ ବେଦନାର ଅଶ୍ରୁ । ଦୀର୍ଘସୂତ୍ରୀ ମନ ଆଶାର ଉତ୍ତୁଙ୍ଗ ଚୁଡ଼ାରେ ସୁଖ ନିଦ୍ରାଯାଇ ଥିଲା । ମାନସ ଦୃଷ୍ଟି ଦେଇ ସେ ଦେଖୁଥିଲା କେଉଁ ନିଷ୍ପାପ ଅନାଗତର ଶାନ୍ତଛବି । କୋମଳ ସୁନ୍ଦର ଶିଶୁ ଛୋଟ ଜୀବନର ସମସ୍ତ ସାରଲ୍ୟ ଆଉ ଶୁଚିତା ନେଇ ମାତୃ କୋଳରୁ ତାର ପିତୃତ୍ୱକୁ ଆହ୍ୱାନ କରୁଚି ।

 

କିନ୍ତୁ ଅରୂପ ଯେମିତି ଆଜି ନୂଆକରି ଜାଣିବାକୁ ପାଇଲା । କଦର୍ଯ୍ୟ ଚିତ୍ତ ବିକାର ଆଉ ଧିକୃତ ପ୍ରତାରଣା ଭିତରେ ସେ ଅନାଗତର ବିନ୍ଦୁ ପତନ ଘଟିଥିଲା । ଅସୀମ ଘୃଣାରେ ତାର ସମସ୍ତ ଅଧିକାର ଜର୍ଜରିତ, ଜଘନ୍ୟ ପଶୁତ୍ୱର ଉତ୍‌ପୀଡ଼ନରେ ତାର ପିତୃ ପ୍ରବୃତ୍ତି କଳୁଷର ପଙ୍କ କୁଣ୍ଡରେ ନିମଜ୍ଜିତ । ଏ ଅଭିଜ୍ଞତା ଆଜି ପ୍ରଥମ କରି ଅର୍ଜନ କରିବାକୁ ଯାଉଛି ଅରୂପ । ମନେ ହେଉଛି ମହାଶ୍ୱେତାର ଆତ୍ମ ନିବେଦନ ଏକ ବିଡ଼ମ୍ବନା ମାତ୍ର । ଗୋଟିଏ ମୁହୂର୍ତ୍ତ ପାଇଁ ସେ ଅମୃତ ଢାଳି ପାରିନାହିଁ । ଗୋଟିଏ ନିମିଷ ପାଇଁ ସେ ପ୍ରଣୟର ନିବିଡ଼ତା ଦେଇନାହିଁ । ଥରକ ପାଇଁ ସେ ପ୍ରଣୟୀର ଶୁଭ କାମନା କରି ବରଦାର ପାଦତଳେ କୃପା ଭିକ୍ଷା କରିନାହିଁ । ତଥାପି ସେ ଆଜି ନିଜର ସମସ୍ତ ଚେତନ ଶକ୍ତ ଦେଇ ଆଉଥରେ ଜୀବନଟାକୁ ବିଶ୍ଳେଷଣ କରିନେବ ।

 

ନିଜର ଅଜ୍ଞାତ ସାରରେ ପାହାଚଚେ ଉଠିଯାଇ କବାଟରେ ଆଘାତ କଲା ଅରୂପ । ବହୁତ ସମୟରେ ଭିତରୁ ଭୟଭୀତ ବାଳକର କଣ୍ଠସ୍ୱର ଶୁଭିଲା କିଏ... ?

 

ଯୋଗୀ ମୁଁ....

 

ବାବୁ... ?

 

କବାଟ ଖୋଲିଦେଲା ଯୋଗୀ । ଭିତରକୁ ପଶି ନିମ୍ନ ସ୍ୱରରେ ଅରୂପ ପଚାରିଲା, ଅପା ଚେଇଁଚନ୍ତି ?

 

ଅପା ନାହାନ୍ତି ବାବୁ...

 

ସନ୍ଦିଗ୍‌ଧ ସ୍ୱରରେ ଅରୂପ ପଚାରିଲା ,କୁଆଡ଼େ ଯାଇଚନ୍ତି ?

 

ମୁଁ ଜାଣେନା ବାବୁ ! ସକାଳଠୁଁ ଗଲେଣି...

 

ଆଉ କିଛି ପଚାରିବାକୁ ଯାଇ ଅରୂପର କଣ୍ଠଧରି ଆସିଲା । ତଥାପି ସେ ରହି ରହି କହିଲା ମା...

 

ମା’ବି ତାଙ୍କ ସହିତ ଯାଇଚନ୍ତି । ଅପାଙ୍କ ଦେହ ଭଲ ନାହିଁ ,ଆପଣ ଭିତରକୁ ଚାଲନ୍ତୁ.....

 

ବୁଝିବାକୁ କିଛି ବାକି ରହିଲା ନାହିଁ । ସମସ୍ତ ଘଟଣାର ଯେମିତି ଅରୂପକୁ ଧକ୍‌କା ମାରି ବହିଷ୍କାର କରି ଦେଉଚି । ଯୋଗୀ କି କୌଣସି ଉତ୍ତର ଦେଇ ନ ପାରି ସେ ଚୁପ କରିଠିଆ ହେଇରହିଲା । କଣ ଭାବି ନିର୍ବୋଧ ବାଳକ ଅରୂପର ହାତଧରି ପକେଇ କହିଲା, ଆସନ୍ତୁ ବାବୁ ! ବିଛଣା କରି ଦେବି ଶୋଇବେ । ଅପା ଫେରି ଆସିବେ ଯେ...

 

ନିଜର ସମସ୍ତ ଶକ୍ତି ସଂଗ୍ରହ କରି କମ୍ପିତ ସ୍ୱରରେ ଅରୂପ କହିଲା, ନା ମୁଁ ଯାଉଚି ଯୋଗୀ...

 

ଦୁଇପାଦ ଆଗେଇ ଆସି ଅରୂପ ଠିଆ ହେଇଗଲା । କହିଲା ,ମୋର ଗୋଟାଏ କଥା ମନେ ରଖିବୁ ଯୋଗୀ ।

 

କଣ ବାବୁ !

 

ଅପା ଆସିଲେ କହିଦେବୁ କେବଳ ପାଣିରେ ଗାର ପଡ଼େ ନାହିଁ । କହି ଦେଇ କ୍ଷିପ୍ର ପଦରେ ପାହାଚରେ ଓହ୍ଲେଇ ଯାଇ ରାଜପଥ ଉପରେ ଆଗେଇ ଚାଲିଲା ଅରୂପ । ସେତେବେଳେକୁ ଦିଗ୍‌ବିଦିଗ୍‌ ଆଚ୍ଛନ୍ନ କରି ମେଘର ଗୁରୁ ଗୁରୁ ଧ୍ୱନୀ ଆକାଶ ପୃଥିବୀ ମୁଖରିତ କରି ଦେଲାଣି ।

 

କିଛିବାଟ ଆସି ରାସ୍ତା ମଝିରେ ଠିଆ ହେଲା ଅରୂପ, ଅନେକ କ୍ଷଣ ଅବଧି ସେ ଚୁପକରି ଠିଆ ହେଇ ରହିଲା । ଅନ୍ଧକାରରେ ଠିଆ ହେଇ ଆଜି କୁହାଯାଇ ପାରେନା ଯେ ତା ଆହତ ପିତୃତ୍ୱର ପ୍ରଥମ କରି ଉଦ୍ ବୋଧନ ଘଟିଚି । କୌଣସିଦିନ ସେ ନାରୀତ୍ୱର ଅବମାନନା କରିନାହିଁ । କୌଣସି ଦିନ ନାରୀର ତ୍ରୟ ଶକ୍ତି କି ଅସ୍ୱୀକାର କରିନାହିଁ । ନାରୀର ଆଘାତ ଅପମାନରେ ସେ ବିଚଳିତ ହେଇନାହିଁ । ଆଜି ହଠାତ୍ ଗୋଟାଏ ଘଟଣା ଚକ୍ରରେ ପଡ଼ି ସେ ଉନ୍ମାଦଗ୍ରସ୍ତ କିମ୍ବା ଉନ୍ମତ୍ତ ପରି ପ୍ରଳାପ କରି ଉଠିବ ଏମିତି ଅସହିଷ୍ଣୁ ଅଳ୍ପ ମୁଗ୍ଧ ପ୍ରଣୟୀ ସେ ନୁହେଁ । ସବୁ ଜାଣେ ଅରୂପ । ସବୁ ବୁଝେ । ତଥାପି ସେ କୌଣସିମତେ ନିଜକୁ ସମ୍ଭୂତ କରି ପାରିଲା ନାହିଁ-। ତାର ଦୁଇଗଣ୍ଡ ବାହି ଦର ଦର ଅଶ୍ରୁଝରି ପଡ଼ିଲା ।

 

ନିରହଙ୍କାରୀ କେଉଁ ଅଦେହୀ ଆତ୍ମା କୌଣସିମତେ ମାନବିକ ସ୍ୱୀକୃତି ପାଇଲା ନାହିଁ । ଅରୁପ ଜୀବିତ ଥାଉଁ ଥାଉଁ କଳଙ୍କର ଗୁରୁଭାର ତଳେ ସେ ଚାପି ହୋଇ ରହିଗଲା । ନିଜର ବଳିଷ୍ଠ ପୁଣ୍ୟରକ୍ତ ବିନ୍ଦୁର ଏହି ଶୋଚନୀୟ କ୍ଷୟଶୀଳତାରେ ଗ୍ରୁପର ହୃଦୟ ଫାଟି ପଡ଼ିଛି । ପ୍ରଣୟର ବେଦନା ବୋଧ ଏ ନୁହେଁ, ପିତୃକାମନାର ବୁଭୁକ୍ଷୁ ସ୍ୱପ୍ନ ନୁହେଁ । କିନ୍ତୁ ତାର ଯେଉଁ ଅପାପ ଜାଗ୍ରତ ଆତ୍ମା କଣିକା ଆଉ ଚାରି ମାସପରେ ପୃଥିବୀର ଆଲୋକ ଦେଖିପାରି ଥାଆନ୍ତା, ସେ ପୁଣି ସୃଷ୍ଟି ରହସ୍ୟର ଅନ୍ଧକାର ଭିତରେ ହଜି ଯାଇଚି । ତାହା ପୁଣି କାର୍ଯ୍ୟକାରୀ ହେଇ ପାରିଚି ତା ଗର୍ଭଧାରିଣୀର ସହଯୋଗରେ । ଯେଉଁ ନାରୀ ମାଧ୍ୟମରେ ପୁରୁଷ ନିଜର ସ୍ମୃତିସ୍ତମ୍ଭ ଗଢ଼ି ରଖେ, ସେ ପୁଣି ଆଜି ସାଜିଚି ସର୍ବନାଶୀ ।

 

ଏହି ଧିକାରରେ ଅରୂପର ମନ ପ୍ରାଣ ଜଳି ଉଠିଲା । ବିଷାକ୍ତ ପରିବେଶରେ ରୁଦ୍ଧଶ୍ୱାସ ଆତ୍ମପ୍ରବଞ୍ଚନାର ଘୃଣ୍ୟ ଚିତ୍ତଗ୍ଲାନି ଅପବିତ୍ର ଦେହର ପୁଞ୍ଜୀଭୂତ ମାଳିନ୍ୟ, ନିତ୍ୟ ଅନୁତାପର ହା ହୁତାଶ, ଏଇ ନେଇ ଅରୂପର ପରମାୟୁ ଅଭିଶପ୍ତ ହେଇଉଠିବ । ସେହି ଅଭିଶାପକୁ ମୁଣ୍ଡରେ ବହନ କରି କେମିତି ବା ସେ ଏହି ସଭ୍ୟ ସମାଜ ଭିତରେ ଦିନ ପରେ ଦିନ ଅତିବାହିତ କରି ପାରିବ ? କେଉଁ ଭରସାରେ ବା ସେ ଜନନୀ, ଭଗିନୀ ପ୍ରେୟସୀର ପ୍ରତିନିଧି ନିରୁପମାଙ୍କ ନିକଟରେ ଠିଆ ହେବ ? ତାର ଯେତେ ପାପ, କଳଙ୍କ, ଅସଂଜମ, ଦୁଷ୍ପ୍ରବୃତ୍ତି, ଅନୀତି, ତାର ସମସ୍ତ ଅକୀର୍ତ୍ତିର ଦାୟିତ୍ୱକୁ ଗୋପନ ରଖି ନିଜର ସୁଖନୀଡ଼ ରଚନା କରିବ । ସେଥିଭିତରୁ ସେ କ’ଣ ପ୍ରକୃତ ଆତ୍ମ ତୃପ୍ତି ଖୋଜି ପାଇବ ?

 

ସହସା ଚମକି ଉଠି ଦ୍ରୁତ ପଦରେ ଆଗେଇବାକୁ ଲାଗିଲା ଅରୂପ । ଅଦୂର ମସ୍‍ଜିଦ୍ ଘଣ୍ଟାରେ ବାଜିଲା ରାତି ଦୁଇ...

 

ଘରର କବାଟ ଖୋଲି ଖଟ ଉପରେ କଚାଡ଼ି ହେଇ ପଡ଼ିଲା ଅରୂପ । ପୁରୁଷର ସମସ୍ତ ଧୈର୍ଯ୍ୟ, ଆତ୍ମ ଚେତନାକୁ ନିଶ୍ଚିହ୍ନ କରି ଧାର ଧାର ଲୁହ ଝରି ପଡ଼ିଲା ।

 

 

 

ଜୀବନ ନାଟକର ଅଭିନୟ ପାଇଁ ପୁଣି ଧୀରେ ଧୀରେ ଯବନିକା ଉଠିଲା । ଶେଷ ଶରତ କାଳର ମଧ୍ୟାହ୍ନ ପବନ ପୃଥିବୀର ଉତ୍ତପ୍ତ ବୁକୁରେ ବିଷଣ୍ଣ ନିଶ୍ୱାସ ପକେଇ ଚାଲିଚି । ସୁନୀଲ ଆକାଶ ପଣ୍ଡୁରତାରେ ବିବର୍ଣ୍ଣ ହେଇ ଉଠିଚି । ମେଘର ଚିହ୍ନ ବର୍ଣ୍ଣ ନାହିଁ । ଝଡ଼ପରେ ସମସ୍ତ ପରିବେଶଟା ଯେମିତି ଅବଶ କ୍ଳାନ୍ତ । ଚାରିଆଡ଼େ କେବଳ ତାର ଭଗ୍ନ ଛିନ୍ନା ସତ୍ତା ବିକ୍ଷିପ୍ତ ହେଇପଡ଼ିଚି ।

 

ଖୋଲା ଦୁଆର ଦେଇ ଏକାନ୍ତ ଶ୍ରାନ୍ତ ମନରେ ବାହାରକୁ ଚାହିଁ ବିଛଣାରେ ପଡ଼ିଥିଲା ଅରୂପ । ତାର ଏହି ଛୋଟ ଘର ସହରର ଶେଷ ପ୍ରାନ୍ତରେ । ରାଜପଥର ଅଶ୍ରାନ୍ତ କୋଳାହଳ ସ୍ତିମିତ ହେଇ ଏଠି ପହଞ୍ଚେ ନାହିଁ । ଖବର ନେବାକୁ ଏଠିକି କେହି ଆସେ ନାହିଁ । ଅନ୍ୟ ଘରଗୁଡ଼ିକ ଅନେକ ଦିନ ଧରି ଖାଲି ପଡ଼ିଥିଲା । ଏବେ କଲେଜ ପିଲାଏ ଆସି ମେସ୍ କରିବାକୁ ଉଦ୍ ଯୋଗ କରୁଚନ୍ତି । ଘରଟା ପରିବାର ନେଇ ଚଳିବାକୁ ନିହାତି ଅନୁପଯୁକ୍ତ । ସେଥିପାଇଁ ବୋଧେ ବାସହୀନ ସହରରେ ସେଗୁଡ଼ିକ ଶୂନ୍ୟ ପଡ଼ିଥିଲା । ଏମିତି ଅବସ୍ଥାରେ ସହୃଦୟ ତୁଷାର ବାବୁଙ୍କର ଚେଷ୍ଟା ଆଉ ଅସୀମ ଉତ୍ସାହରେ ଅରୂପ ଏଠି ଆଶ୍ରୟ ଗ୍ରହଣ କରିଥିଲା । ସେ ସବୁ ପ୍ରାୟ ସାତ ମାସ ତଳର ଘଟଣା ।

 

ଆଜି ନୂଆ କରି ଏ ସହର ସହିତ ତାର ସମ୍ପର୍କ ଜାଣିନେବା ଦରକାର । ପ୍ରଥମ ପରିଚୟରୁ ତାର ଆନ୍ତରିକତା ଥିଲା । ଆଗ୍ରହ ଥିଲା, କିନ୍ତୁ ତାର ପ୍ରତାରଣାକୁ ମୂଳବୀଜ କରି ନୂତନ ଜୀବନର ଶୁଭ ଦେଇ ପାରି ନଥିଲା । ପ୍ରଣୟକୁ ଉପେକ୍ଷା କରି ଯିଏ ସଭ୍ୟ ବୋଲି ପରିଚୟ ବାଢ଼େ ସେ ଯେ କେବଳ ଆଦର୍ଶବାଦୀ ତାହା ନୁହେଁ । ତାର ଅନୀତି ଆଚରଣକୁ ସୁଯୋଗ ଦେଇ ଦୁର୍ନୀତିର ଆଦର୍ଶ ହେଇ ରହିଯାଏ, ପୃଥିବୀରେ ସମସ୍ତ ଆଦର୍ଶବାଦର ମୃତ୍ୟୁ ଘଟେ । କାରଣ ମଣିଷ ଜୀବନର ରହସ୍ୟ ଭେଦ କରିବା କଠିନ । ଆଦର୍ଶବାଦ ହେଲା ତାରାର ଦୀପାଳି । ସେ ଭାବପ୍ରୟାଣ କଳ୍ପନାକୁ ଏତେ ବେଶୀ ରଙ୍ଗିନୀ କରି ରଖେ ଯେ ବିଚାର ପାଇଁ ସୁଯୋଗ ଦିଏନା । ବାରମ୍ବାର ମନ ହଜେଇ ସତ୍ୟର ଅପଳାପ କରେ । ଛଳନା ଦେଇ ପ୍ରଣୟ ଆସେନା । ଅବିଚାର କରି କେହି ଆରୋପ କରେନା । ପ୍ରଣୟର ଉଦ୍ଭବ ହୁଏ ହୃଦୟରୁ, ସାଧନାରୁ ।

 

ଅରୂପ ଉପରେ ଗୋଟାଏ ଝଡ଼ ବହିଗଲା । ତାର ବିରାଟ ପରିକଳ୍ପନା ଆଉ କାର୍ଯ୍ୟକ୍ଷମ ଭିତରେ କେଉଁଠି ଯେମିତି ଗୋଟାଏ ଭୁଲ ରହିଗଲା । ନିରୁପମା ଏତେ ବଡ଼ ବୁଦ୍ଧିମତୀ । କିନ୍ତୁ ଏ ଭୁଲ ସେ ମଧ୍ୟ ଆବିଷ୍କାର କରି ପାରି ନାହାନ୍ତି । ଅଥଚ ଅତି ଘନିଷ୍ଠ ଭାବେ ସେ ନାରୀର ବିସ୍ମୟାଭୂତ ଉତ୍ସାହ ପ୍ରକାଶ କରି ବସିଚନ୍ତି । ସେ ଗୃହିଣୀ, ସେ ଜନନୀ, ତାଙ୍କର ସମସ୍ତ ସାମାଜିକ ସମ୍ମାନକୁ ବିପନ୍ନ କରି ସେ ଅରୂପର ଜୀବନକୁ ଗୌରବୋଜ୍ଜ୍ୱଳ କରିବା ପାଇଁ ରଙ୍ଗମଞ୍ଚ ଉପରେ ଓହ୍ଲେଇ ଯାଇଚନ୍ତି । ସେ ଦେଖିପାରି ନାହାନ୍ତି ସୁଠାମ ଚେହେରାର ଆବରଣ ତଳେ ମସ୍ତବଡ଼ କଳଙ୍କର ଦାଗ, ବେଦନାନ୍ତ ହୃଦୟର ପୁଞ୍ଜୀଭୂତ ଅଶ୍ରୁ ଅଭିଯୋଗ ଆଉ ହାହାକାର । ପୌରୁଷର ଏହି ଚରମ ପରାଜୟରେ ଅରୂପ ନିଜର ସମସ୍ତ ବିଶ୍ୱାସ ଆଉ ଉତ୍ସାହ ହରେଇ ବସିଚି । ହୁଏତ ତାର ଦୋଷ ନାହିଁ । ଆକସ୍ମିକ ଉଚ୍ଛ୍ୱାସର ଉଦଗୀରଣରେ ସେ ତାରୁଣ୍ୟର ମହା ତରଙ୍ଗ ଭିତରେ ଡେଇଁ ପଡ଼ିନାହିଁ । କିନ୍ତୁ ତାର ଭୁଲ ହେଇଛି ଯେ ଫାଙ୍କା ଆଦର୍ଶରେ ଚୋରାବାଲି ଉପରେ ସେ ପ୍ରାସାଦ ନିର୍ମାଣର ଶୁଭ ସ୍ତମ୍ଭ ରଚନା କରି ବସିଛି ।

 

ସର୍ବକାଳର ସର୍ବଶ୍ରେଷ୍ଠା ସୁନ୍ଦରୀ ମେନକା ଛଳନାକୁ ଅବଲମ୍ବନ କରି ପ୍ରଣୟର ମୋହଜାଲ ବିସ୍ତାର କରିଥିଲା । କିନ୍ତୁ ମୂଢ଼ ପୁରୁଷ ବୁଝିଲାନାହିଁ । ନାରୀର ବକ୍ଷରେ ସେ ଦେଖିଲା ତା ତପସ୍ୟାର ସ୍ୱର୍ଗ । ବାହୁର ଅଶ୍ଳେଷରେ ପିନ୍ଧିଲା ପାରିଜାତର ମାଳା, ମୁଗ୍ଧ ଓଷ୍ଠାଧାରରେ ପାଇଲା ଅମୃତ । ତାରୁଣ୍ୟର ମୋହମଦିରା ପାନକରି ସେ ଉନ୍ମତ୍ତ ହେଲା, ଅଜ୍ଞାନ ହେଲା । କାହିଁ ରହିଲା ତା ନବସୃଷ୍ଟିର କଳ୍ପନା, କାହିଁ ରହିଲା ତା ଜନ୍ମ ମୃତ୍ୟୁର କାମନା । କାହିଁ ରହିଲା ମୋକ୍ଷ ପ୍ରାପ୍ତିର ସାଧନା । କେବଳ ମନ ଭିତରେ ଜାଗି ରହିଲା ଦୁଇଟି ଅକ୍ଷର, ନାରୀ...

 

ପରିଣତି ହେଲା, ତାର ନିଷ୍କଳଙ୍କ ଶକୁନ୍ତଳା...କିନ୍ତୁ ଅରୂପର ଶକୁନ୍ତଳା କାହିଁ ? କିଏ ତାର ବାର୍ତ୍ତା ଆଣି ଅରୂପକୁ ଦେବ । କେଉଁଠି ତାର କରୁଣ କ୍ରନ୍ଦନ ଧ୍ୱନି ସ୍ତନ୍ୟଦାତ୍ରୀକି ଆହ୍ୱାନ କରି ଆଣିବ । କାନେ କାନେ କହିବ ଅଭିଜ୍ଞତାର କରୁଣ କାହାଣୀ ।

 

ଏହି ଦୁର୍ଦ୍ଦିନରେ ମନରେ ଆସୁଛି ସର୍ବଜୟା । କେଡ଼େ ଆଗ୍ରହ ଆବେଗରେ ସର୍ବଜୟା ନିଜର କରି ମାଗିଥିଲା । ଶିଶୁଟିର ଜନ୍ମ ପରେ ହୁଏତ ତାର ଜନ୍ମ ରହସ୍ୟ ଧରି ସମଗ୍ର ପୃଥିବୀ ଆଗରେ ସେ କୈଫିୟତ ଦେଇଥାଆନ୍ତା । ଘଟଣାଟା ଖୁବ ଅସଂଭବ । କିନ୍ତୁ ଏହି ଅସଂଭବକୁ ସଂଭବ କରିବା ପାଇଁ ଯେପରି ନିୟତି ପରି ଲାଗି ରହିଥିଲା ସର୍ବଜୟା । ଅରୂପ ହୁଏତ ଆଶ୍ୱସ୍ତ ହେଇ ଥାଆନ୍ତା । କୌଣସିଦିନ ନିଜ ସନ୍ତାନର ସ୍ୱୀକୃତି ପାଇ ନଥିଲେ ମଧ୍ୟ ନିଜ ଆତ୍ମାର ବିକାଶ ସେ ଉପଲବ୍ଧି କରି ଥାଆନ୍ତା । ତଥାପି ଅପରାଧ ସେ ନେବ ନାହିଁ । ଜନ୍ମ ମୃତ୍ୟୁର ଗଭୀର ଅନ୍ଧକାର ମଝିରେ ଛିଡ଼ା ହେଇ ସେ ଆଜି ନିଜକୁ ସାନ୍ତ୍ୱନା ଦେବ ଯେ ହୃଦୟ ତାର କଳଙ୍କିତ ନୁହେଁ । ପରାଜିତ ସେ ନିଶ୍ଚୟ ହେଇଚି । କିନ୍ତୁ ନାରୀ ନିକଟରେ ତଳେଇ ଯାଇନାହିଁ ।

 

ଆଜି ତାର କିଛି ପାଉଣା ପାଇବାର କଥା ଥିଲା, ପ୍ରାୟ ପନ୍ଦର ଦିନ ହେବ ସେ କୁଆଡ଼େ ଯାଇନାହିଁ । ତାର ଖବର ନେବାକୁ କେହି ଆସି ନାହିଁ । ସେ ମଧ୍ୟ କାହା ସହିତ ଦେଖା କରି ପାରିନାହିଁ । ଗତ କେତେ ଦିନ ହେବ ଜନ ସାଧାରଣ ନିକଟରେ ସେ ଯେଉଁ ପ୍ରତିଷ୍ଠା ଅର୍ଜନ କରିଥିଲା, ପୁରୁଷତ୍ୱର ଏହି ପରାଜୟ ଭିତରେ ତାହା ଧୂଳିସାତ୍ ହେଇଯାଇଚି । ମହାଶ୍ୱେତା ବିଶ୍ୱାସ ହରେଇଛି, ବିଜୟର ମାଳା ପିନ୍ଧି ସେ ଆଜି ସାଜିଛି ରଣରଂଗିନୀ । ସେଦିନର ରୂପ ତାର ଆଜି ମନରେ ଆସି ଶଂକିତ ହେଇ ଉଠିଲା ଅରୂପ । ନାରୀର ଅଧିକାରକୁ ନ୍ୟାଯ୍ୟ ଘୋଷଣା କରିବାକୁ ଯାଇ ମୁଣ୍ଡ ଉପରେ ତାର ଗୁରୁପାପ ଭାର ଲଦା ହେଇଛି । ନିଜର ସନ୍ତାନ ଉପରୁ ଦାବି ହରେଇ ସେ ଭଗବାନଙ୍କ ଦରବାରରେ ଏକ ଅଭିଯୁକ୍ତ ଆସାମୀ ପରି ଠିଆ ହେଇଛି । ଭାବି ଭାବି ଅରୂପ ବ୍ୟାକୁଳ ହେଇ ଉଠିଲା ।

 

ଏମିତି ସମୟରେ ବାହାରେ ପାଦ ଶବ୍ଦ ଶୁଭିଲା । ପ୍ରକୃତିସ୍ଥ ହେଇ ବିଛଣାରେ ଉଠି ବସିଲା ଅରୂପ । ପଚାରିଲା, କିଏ...

 

ଚିଠି ନିଅନ୍ତୁ...

 

ଅରୂପ ବାହାରକୁ ଆସିଲା ।

 

ଆପଣ ଅରୂପ ରାୟ...

 

ହଁ କହି ଚିଠି ନେଲା ଅରୂପ, ନିଜବାଟରେ ପୁଣି ଆଗେଇ ଗଲା ପୋଷ୍ଟମ୍ୟାନ୍ । ଭିତରକୁ ଆସି ଚିଠି ଖୋଲିଲା ଅରୂପ ।

 

‘‘ବିନା ସଂଭାଷଣରେ ତମର ପାଦତଳେ ମୋର ବକ୍ତବ୍ୟ ନିବେଦନ କରୁଚି । କୌଣସି ସଂବୋଧନ ମୁଁ କରୁନାହିଁ । ଯିଏ ସର୍ବପ୍ରକାର ସଂବୋଧନର ଉପରେ ତାକୁ କୌଣସି ସଂକୀର୍ଣ୍ଣ ସଂବୋଧନର ସାବିତରେ ସୀମିତ କରାଯାଇ ପାରେନା । ସେଦିନର ସାକ୍ଷୀ ଥିଲ ତମେ । ତାପରେ ଆସି ଠିଆ ହେଇଚି ଏଇ ମୁକ୍ତ ଆକାଶ ତଳେ । ପାଦତଳେ ପୃଥିବୀ, ସହାୟ ନାହିଁ । ସାନ୍ତ୍ୱନା ନାହିଁ, ତଥାପି ଯଦି ବାଟଚଲା ଜୀବନରେ ମୋର ହଜିଲା ମଣିଷ ଖୋଜିପାଏ, ସେହି ମୋର ସାର୍ଥକତା । ହୁଏତ ସେହି ଥିଲା ଶେଷ ଦେଖା, ଏଇହେବ ଶେଷ ଲେଖା, ପ୍ରଣାମ ନିଅ । ହାତର ଲେଖାରୁ ଚିହ୍ନିବାକୁ ଚେଷ୍ଟାକର । "

 

ଚିହ୍ନିବାକୁ ଡେରି ଲାଗିଲା ନାହିଁ । ଅରୂପର ଆଖି ଦୁଇଟି ଆସ୍ତେ ଆସ୍ତେ ସେହି କାଗଜ ଖଣ୍ଡିକ ଉପରେ ନଇଁ ଆସିଲା ।

 

କେତେ ସମୟ ଏମିତି ଅବସ୍ଥା ଭିତରେ ଅତିବାହିତ ହୋଇଗଲା ଅରୂପ ଜାଣେନା । ଯେତେବେଳେ ସେ ଆଖି ତୋଳି ଚାହିଁଲା, ଦେଖିଲା ସମସ୍ତ ପୃଥିବୀଟା ଯେମିତି ଗାଢ଼ ତମସାଚ୍ଛନ୍ନ-। ତାର ଚାରିପାଖେ ଘେରି କେବଳ ଛଳନା, ଶୂନ୍ୟତା । ଯେତେ ଦୂରତାର ଦୃଷ୍ଟି ଆଉ ଭାବନା ଯାଏ ଖାଲି ରୁକ୍ଷ ନୀରସ ମରୁଭୂମି, ରିକ୍ତତାରେ ହାହାକାର କରୁଚି ।

 

ଏହି ନିଦାରୁଣ ଶୂନ୍ୟତା ଭିତରେ ବେଶୀକରି ମନେ ପଡ଼ୁଛି ସର୍ବଜୟା, ଗୋପାଳପୁରରୁ ଫେରିବା ପରେ ପରେ ତା’ସହିତ ପ୍ରାୟ ଆଉ କୌଣସି ଆଳାପ ହେଇନାହିଁ । ସେହି ଘଟଣା ପରେ ଘର ଛାଡ଼ି ବାହାରି ଯାଇ ଯେ ସେ କେଉଁଠି ଆଶ୍ରୟ ପାଇଲା ଆଜି ଜାଣିବା ଅରୂପ ପକ୍ଷେ ଆଦୌ ସହଜ ନୁହେଁ । ହୁଏତ ସେ କିଛି ଗୋଟାଏ ବ୍ୟବସ୍ଥା କରି ପାରି ଥାଆନ୍ତା । କିନ୍ତୁ ସର୍ବଜୟା ତାକୁ ଉଚିତ ମନେ କରିନାହିଁ । ଏଥିପାଇଁ ତା ମନରେ ଅଭିମାନ ନାହଁ । ଅଭିମାନର ଅତୀତ ସାଧନାରେ ସର୍ବଜୟା ନିଶ୍ଚଳ । କୌଣସିଦିନ ସେ ହୁଏତ ନିଜକୁ ପ୍ରକାଶ କରିବନାହିଁ । ଯେଉଁ ସ୍ନେହ ପରମଭକ୍ତି ଆଉ ଆନୁଗତ୍ୟରେ ରୂପାନ୍ତରିତ ସେହି ସ୍ନେହ ଧରି ସର୍ବଜୟା ପଥଚାରିଣୀ ହେଲା । ଅଭିଯୋଗ ସେ ବାଢ଼ିନାହିଁ । ଅଧିକାର ପାଇଁ ବ୍ୟାକୁଳ ହେଇନାହିଁ । ଦାବି ତାର ଶାନ୍ତ, ସଂଯତ । ଗତି ତାର ନିଃଶବ୍ଦ, ମନ୍ଥର । ସକଳ ପରିଚିତିର ମଝିରେ ସେ ଅପରିଚିତାର ଇଙ୍ଗିତ ଧରି ଚାଲି ଯାଇଛି । କୌଣସି ପାଦ ଚିହ୍ନ ରଖି ଯାଇ ନାହିଁ ।

 

ଅରୂପ ଭଲ ପାଇଥିଲା ସତ, କିନ୍ତୁ ଭଲ ପାଇବା ତାର ପଦେ ପଦେ ଅପମାନିତ ହେଇଛି । ପ୍ରାଣଦେଇ ସେ ପ୍ରଣୟ ଢାଳିଦେଇଛି, କିନ୍ତୁ ଆଜି ସେହି ପ୍ରଣୟିନୀ ତା ନିକଟରେ ଯେମିତି କେଉଁ କଳ୍ପାନ୍ତର ବାସିନୀ ନାରୀ । ତା ସହିତ କୌଣସି ଆତ୍ମୀୟତା ନାହିଁ । ଆନ୍ତରିକତା ନାହିଁ । ନିଜ ହାତରେ ସମସ୍ତ ଆତ୍ମୀୟତାକୁ ଛିନ୍ନକରି ଆନ୍ତରିକତା ଉପରେ ପଦାଘାତ କରି ସେ ପୁଣି ଫେରିଯାଇଚି । ଆଜି ଆଉ ତାକୁ ନିତ୍ୟ ନୈମିତ୍ତିକ ଜୀବନର ଆବୃତ୍ତି ଭିତରେ କଳ୍ପନା କରାଯାଇ ପାରିବନାହିଁ । କିନ୍ତୁ ଆଜି ଏହି ଦୁର୍ଦ୍ଦିନରେ ଅରୂପର ଅତୀତକୁ ବେଶୀ ମନେ ପଡ଼ୁଛି । ସେଦିନର ସେହି ବିରାଟ ପରିବ୍ୟାପ୍ତ ଜୀବନ, ମହାଶ୍ୱେତାର ଜ୍ୟୋତିର୍ମୟତାରେ ଆଲୋକିତ ଥିଲା । ପ୍ରେମ ସେଠି ଉଚ୍ଚସ୍ଥାନ ପାଇନଥିଲା । କାରଣ ସମଗ୍ର ପ୍ରେମ ରାଜ୍ୟରେ ଯେଉଁ ସିଂହାସନ ସ୍ଥାପନା କରାଯାଇଥିଲା ସେ ଆସନରେ ଅରୂପ ଥିଲା ଉଦାସ, ସଂଯତ । ବନ୍ଧୁତ୍ୱର ସୁଯୋଗ ନେଇ ମାନବର ଉଗ୍ର ପ୍ରବୃତ୍ତି ଦୌଡ଼ି ଦୌଡ଼ି ଆହାର ଅନ୍ୱେଷଣ କରି ନ ଥିଲା । ସେ ଥିଲା ଉଦାର, ଅଚେତ । ସମସ୍ତ ଜାଗ୍ରତ ପରିବେଶର ମଝିରେ ସେ ବନ୍ଧୁତ୍ୱ ଥିଲା ନିଷ୍ପାପ, ସବଳ । ଦୁହିଁଙ୍କର ଜୀବନ ଉପରେ ବହିରାବଣ ନ ଥିଲା ନିଃସଂକୋଚରେ ସେ ବିକାଶ ଲାଭ କରିଥିଲା । ତାର ସର୍ବପ୍ରକାର ଆଚାର ବ୍ୟବହାର ଦ୍ୱାରା ପୃଥିବୀକି ଜଣେଇ ଦିଆଯାଇଥିଲା ତରୁଣ ତରୁଣୀର ସାଥିତ୍ୱ ଭିତରେ ଆଉ ଯାହା ଥାଉନା କାହିଁକି ଦସ୍ୟୁତା ନାହିଁ । ସ୍ନେହ ପରିଜନ ବେଷ୍ଟିତ ହେଇ ଅରୂପ ମହାଶ୍ୱେତା ସହିତ ଯେଉଁ ଆଳାପ ଆଲୋଚନା କରୁଥିଲା କାଠଯୋଡ଼ିର ନିରୋଳା ଘାଟରେ ବସି ବସି ଠିକ୍ ତାହାହିଁ କରୁଥିଲା । ଅବଶ୍ୟ ତାହା ଭିତରେ ଯେଉଁ ହୃଦୟାବେଗ ଥିଲା, ନିତ୍ୟକଳାର ଯେଉଁ ରହସ୍ୟ ପ୍ରଛନ୍ନ ରହିଥିଲା ଅରୂପ ତାକୁ ଅସ୍ୱୀକାର କରି ପାରିବ ନାହିଁ । ସ୍ନେହ ସୁଲଭ ମାଧୁର୍ଯ୍ୟରେ ତାହା ଭରା ଥିଲା । କଳଙ୍କିତ ନ ଥିଲା । କିନ୍ତୁ ଆଜି ଏହି ଦୁର୍ଭୋଗ ଆଉ ଲାଞ୍ଛନାର ମଝିରେ ପ୍ରାଣ ପ୍ରାଚୁର୍ଯ୍ୟଭରା ଉଦ୍ଦାପନା ଧରି ମହାଶ୍ୱେତା ଉପସ୍ଥିତ ନାହିଁ । ସମସ୍ତ ଦୁର୍ଯୋଗ ଆଉ ଅବମାନନାର ଭିତରେ ତାକୁ ଫିଙ୍ଗି ଦେଇ ମହାଶ୍ୱେତା ଦୂରେଇ ଯାଇଛି । ସେ ନିର୍ମମ ଆଘାତରେ ଅରୂପର ଗୋଟାଏ ପ୍ରଧାନ ଅଙ୍ଗ ଯେମିତି ଛିଣ୍ଡିପଡ଼ିଛି । ଏହି ଦୁର୍ଦ୍ଦିନର ଦୁର୍ଭାବନା ଅପେକ୍ଷା ସେ କ୍ଷତର ଜ୍ୱାଳା ତୀବ୍ର ହେଇ ଉଠିଛି ।

 

ଆଉ ଜଣେ ତାର ଖୁବ୍ ପାଖରେ ଆସି ପହଞ୍ଚିଛି । ଏତେ ପାଖରେ ଏତେ ନିରନ୍ଧ୍ର ଭାବରେ ଅରୂପକୁ ଘୋଡ଼େଇ ରଖିଛି ଯେ ତାର ଯେମିତି ଶ୍ୱାସରୁଦ୍ଧ ହୋଇ ଯାଉଛି । ନିଜର ଏକାନ୍ତ ଚେତନା ଦେଇ ତାକୁ ନ ଭାବିଲେ ଜାଣିବା ସହଜ ନୁହେଁ । ପଦିଏ କଥାରେ ଅଗଣନ ଅର୍ଥ, ଗୋଟିଏ ପଲକର ଅସଂଖ୍ୟ ଇଙ୍ଗିତ ଆଉ ଗୋଟିଏ ଇଙ୍ଗିତର ଅଜସ୍ର ଭାଷା ତାକୁ ପ୍ରତି ମୁହୂର୍ତ୍ତରେ ଆକୁଳ କରେ । ଅଧୀର କରେ । ମନ ଭିତରେ ଚାରୋଟି ଅକ୍ଷର ଜଗିରହିଛି.... ନିରୁପମା...... ଆଖିର ଚାହାଣୀରେ ତାର ବହ୍ନି । ଓଠର ହସରେ ତାର ତରଙ୍ଗର କ୍ଷିପ୍ରତା । ସବୁ ଭିତରେ ପୁଣି କି ଏକ ମନଭୁଲା ଆଭାର ସନ୍ଧାନରେ ଅରୂପର ପ୍ରାଣ ବ୍ୟାକୁଳ ହୋଇଉଠେ । ତାରୁଣ୍ୟର ତାରରେ ଯେଉଁ ନାରୀ ସଂଗୀତରେ ମୂର୍ଚ୍ଛନା ଜଗାଏ, ପୁରୁଷର ହୃଦୟର କେଉଁ ଅନ୍ଧକାରରେ ତାର ସ୍ଥାନ । ତୁଷାର ଜାଣେନା, ମହାଶ୍ୱେତା ବୁଝେନା । ସମସ୍ତଙ୍କ ମଝିରେ ବସି ବସି କେଉଁ ଏକ ଅଦୃଶ୍ୟ ଇଙ୍ଗିତରେ ନିରୁପମା ଯେମିତି ନିଜକୁ ତା ନିକଟରେ ପ୍ରକାଶ କରିଥାଏ । ସେ ଭାବର ଭାଷା ନାହିଁ, କେବଳ ଅଛି ଅର୍ଥ । ପ୍ରକାଶ ତାର ସମ୍ଭବ ନୁହେଁ । ସେ କେବଳ ତା ନିବିଡ଼ ଅନୁଭୂତିର କଥା । ସମସ୍ତ ପୃଥିବୀ ନିକଟରେ ଯାହା ଅଜ୍ଞାତ ରହିଥାଏ, ସମସ୍ତ ମନପ୍ରାଣ ଦେଇ ଅରୂପ ତାକୁ ଆପଣାର କରିନିଏ । ତାହା ଯେପରି ତା ପାଇଁ ଆଉ ଏକ ଦୁର୍ଯୋଗ ।

 

ଦୁର୍ଯୋଗ କହିଲେ ଅପଳାପ ହେବନାହିଁ । ନିରୁପମାଙ୍କ ନିକଟରେ ପହଞ୍ଚିଲେ ସୁଯୋଗ ମୂର୍ତ୍ତିମନ୍ତ ହୋଇଉଠେ । ସେହି ସୁଯୋଗରୁ ନିଜକୁ ବଞ୍ଚିତ କରି ରଖିବାକୁ ହେଲେ କଠୋର ଆତ୍ମସଂଯମ ଆବଶ୍ୟକ । ସେ ସଂଯମ ଅରୂପ ଏ ଅବଧି ରକ୍ଷା କରି ଆସିଛି, କିନ୍ତୁ ଚିରକାଳ ରକ୍ଷାକରି ଚାଲିବା ମଣିଷ ପକ୍ଷେ ବଡ଼ କଠିନ । କିନ୍ତୁ ଏ ଅନ୍ତର୍ନିହିତ ଭାବ ସହିତ ଅରୂପର ପରିଚୟ ନଥିଲା । ବିଭିନ୍ନ ରୂପରେ ନାରୀର ଚେହେରା ସେ ଦେଖି ଆସିଛି । କିନ୍ତୁ ସେହି ତଥାକଥିତ ନାରୀର ଅନ୍ତରକୁ ସେ ବିଶ୍ଳେଷଣ କରିନାହିଁ । କେବଳ ମହାଶ୍ୱେତାକୁ ସେ ଚିହ୍ନିଥିଲା ଆଉ ଜାଣିଥିଲା । ମହାଶ୍ୱେତା ତାର ସହଚାରିଣୀ, ସହକର୍ମିଣୀ । ଆହୁରି ଜାଣିଥିଲା ଦିନେନା ଦିନେ ମହାଶ୍ୱେତା ତାର ସହଧର୍ମିଣୀ ହୋଇ ତା ସନ୍ତାନର ଜନନୀ ହେଇ ଉଠିବ । ମହାଶ୍ୱେତାର ସାହଚର୍ଯ୍ୟରେ ସେ ଯେଉଁ ସ୍ମୃତିସ୍ତମ୍ଭର ରଚନା କରିଯିବ, ବିଶ୍ୱବକ୍ଷରେ ସେ ରହିବ ଅକ୍ଷୟ, ଅବିନାଶ, କିନ୍ତୁ ତାହା ହେଲାନାହିଁ । ପ୍ରତିଦାନରେ ମହାଶ୍ୱେତା କେବଳ ତାକୁ ଦେଇଗଲା ଅଶ୍ରୁ, ଆତ୍ମଗ୍ଳାନି ପରାଜୟ । କିନ୍ତୁ ନିରୁପମା ଏ ନାରୀର ବଂଶଧରା ନୁହେଁ, ସକଳ ଅପରିଚିତାର ମଝିରେ ସେ ଅନାତ୍ମୀୟା । ହିନ୍ଦୁ ସମାଜରେ ଜନ୍ମ ହୋଇଛି ଅରୂପ । ହିନ୍ଦୁର ସମସ୍ତ ନୀତି ନିୟମ ଭିତରେ ବଢ଼ିଆସିଛି । ନିଜର ହେତୁଦେଇ ସେ ବୁଝିବାକୁ ଚେଷ୍ଟାକରିଛି ହିନ୍ଦୁ ନାରୀର ସତୀତ୍ଵ । ସନ୍ତାନ ବାତ୍ସଲ୍ୟ, କର୍ତ୍ତବ୍ୟ ସାଧନା । କିନ୍ତୁ ଆଜି ତାର ସମସ୍ତ ଅଭିଜ୍ଞତାର ଉପର ଦେଇ ଓହ୍ଲେଇ ଆସିଛି ଅଶ୍ରଦ୍ଧାର ଏକ ଅକାଟ୍ୟ ଶୀଥିଳତା । ସେ ହିନ୍ଦୁ ସମାଜ ନିକଟରେ ମଥାନତ କରିବ ନାହିଁ । ଦେଖିବ ନାହିଁ ଖ୍ରୀଷ୍ଟିୟାନ ମୁସଲମାନ ଭିତରେ ରକ୍ତର ପ୍ରଭେଦ । ଦୁଇବାହୁ ମେଲି ସେ ସମଗ୍ର ମଣିଷ ଗୋଷ୍ଠିକି ଆଲିଙ୍ଗନ କରିନେବ । କହିବ କ୍ଷମାକର....କ୍ଷମାକର....କିନ୍ତୁ କାହିଁକି ? କାହାପାଇଁ ତାର ଏ ସାଧନା ? ନିରୁପମା ହେଲେ ପୃଥିବୀର ଆଦିନାରୀ ଶତରୂପାର ଏକ ଭଗ୍ନାଂଶ ମାତ୍ର । ଆବାହମାନ କାଳରୁ ପୁରୁଷର କେଉଁ ସୂକ୍ଷ୍ମ ତନ୍ତ୍ରୀରେ ସଂଗୋପନରେ ଯିଏ ଆଘାତ କରିଯାଏ, ନିରୁପମା ସେହି ମାନଙ୍କର ଦାୟାଦ । ଚିରକାଳର ଜନନୀ, ଭଗିନୀ, ପ୍ରିୟା ।

 

 

 

ନିଜ ଇଚ୍ଛାରେ ଅରୂପ ଯେଉଁ ନିର୍ଜନ ବାସ ବରଣ କରି ନେଇଛି, ସେ ପ୍ରାୟ ଦୁଇମାସରେ ଆସି ପହଞ୍ଚିଲା । ପ୍ରତିଷ୍ଠା ଆଉ ପରାଜୟର ମଝିରେ ବହି ଯାଇଥିବା ଏହି କାଳ ପ୍ରବାହ ଦୀର୍ଘପୃଷ୍ଠା ବ୍ୟାପି ଏକ ନାଟକ ପରି ମନେ ହେଉଛି । କେତେ ବେଦନା, ଅଶ୍ରୁ, ଘାତପ୍ରତିଘାତ, ଚେଷ୍ଟା ବିଫଳତାର ଅଲିଭା ଅକ୍ଷରରେ ସେ ଲେଖା ହୋଇ ରହିଥିଲା । ଏହି ତୀବ୍ର ଅନ୍ତର୍ଦାହ, ପ୍ରତିବାଦର ଉତ୍ତେଜନା କ୍ଷଣିକ ସ୍ୱପ୍ନର ଆବେଗ, ଅରୂପର ସମସ୍ତ ମୁହୂର୍ତ୍ତ ଆଚ୍ଛନ୍ନ କରି ରଖିଛି । ତାର ଏହି ଭାବନାକୁ ପ୍ରେରଣା ଯୋଗେଇ ନିଶବ୍ଦରେ ଠିଆ ହୋଇଛି ସର୍ବଜୟା, ଆଉ ବାସ୍ତବ ଜୀବନର ସଂଗ୍ରାମ କ୍ଷେତ୍ରରେ ଅସ୍ତ୍ରତୋଳି ଦେଇଛନ୍ତି ନିରୁପମା । ତାର ଏହି ଜୀବନ ନାଟକରେ ନାୟିକା ନ ହେଲେ ମଧ୍ୟ ନାଟ୍ୟକାରଙ୍କ ମତରେ ସେ ଉପନାୟିକା ! ଆବିର୍ଭାବ ଯାହାର ଆକସ୍ମିକ ନୁହେଁ କ୍ଷଣିକ ନୁହେଁ ! ନାୟିକା ରହିଯାଇଛି ଅନ୍ତରାଳରେ । ତାର ଆଖିର ଇଙ୍ଗିତ ଆଙ୍ଗୁଳିର ନିର୍ଦ୍ଦେଶ ସମସ୍ତ ପରିବେଶକୁ ଯେମିତି ନିୟନ୍ତ୍ରିତ କରି ରଖିଛି । ଅରୂପର ଆଖିଆଗରେ ଗ୍ରନ୍ଥବଦ୍ଧ ସମସ୍ୟା ଖୋଲି ପଡ଼ିଚି ଆଉ ସେ ଗୋଟିକ ପରେ ଗୋଟିଏ ଦୃଶ୍ୟ ସ୍ପଷ୍ଟ ରୂପେ ଦେଖି ପାରୁଛି । ସେ ଦେଖିଛି ସାମାନ୍ୟ ପାଇଁ ନିରୁପମାଙ୍କର କି ସହାନୁଭୂତି । ଅନ୍ୟକୁ ଉଚ୍ଚାସନରେ ତୋଳି ଦେବାକୁ କି ଉଦ୍ୟମ । ଶହ ଶହ ଦୃଷ୍ଟି ସାମ୍ନାରେ ଆତ୍ମା ପ୍ରତିଷ୍ଠା ପାଇଁ କି ଅଧ୍ୟବସାୟ । ଦୁଇଟି ଶାନ୍ତ ସମ୍ଭ୍ରାନ୍ତ ଆଖିର ଚାହାଣୀରେ ଶାଣିତ ଫଳା ଝକ ଝକ କରି ଉଠେ । ପୁଣି ଆଢ଼ୁଆଳରେ ମଧୁର ସଖ୍ୟର କରୁଣ ଉଷ୍ଣବାସନା ମୃଦୁ ଦୀପାଲୋକ ପାରି ଥର ଥର କରି ଉଠେ ।

 

ନିକଟରେ କାହାର ପାଦଶବ୍ଦ ଶୁଣି ସହସା ଜାଗି ଉଠିଲା ଅରୂପ । ହୋଟେଲର ଚା' ଟେବୁଲ ପାଖରେ ବସି ସେ ନିଜ ଭିତରେ ବୁଡ଼ି ଯାଇଥିଲା । କେତେ ମୁହୂର୍ତ୍ତ କେତେ ଯୁଗ କହି ହେବନାହିଁ । ହୁଏତ ଏ ଜନ୍ମର ଦେହ କାରା ତେଜି ପର ଜନ୍ମର ରହସ୍ୟାଚ୍ଛନ୍ନ ଅନ୍ଧକାର ଭିତରେ ଆଶ୍ରୟ ଖୋଜି ବୁଲୁଥିଲା ।

 

ବାବୁ.....

 

ହୋଟେଲର ଚାକର ଆଣି ହିସାବ ଖାତା ଟେବୁଲ ଉପରେ ରଖିଲା । ମାସକରୁ ଅଧିକା ହୋଇଗଲାଣି । ଅରୂପ କିଛି ମନେରଖି ପାରିନାହିଁ । ପକେଟ ଶୂନ୍ୟ । କଳିଙ୍ଗ କଳାମନ୍ଦିରରେ ତାର ପାଉଣା ବୋକି ରହି ଯାଇଚି । ନିରୁପମା ସେହି ଯେ ଶୋଚନୀୟ ଅବସ୍ଥା ଭିତରେ ଚାଲି ଯାଇଚନ୍ତି ଆଉ ଦେଖା ହୋଇ ନାହିଁ । କୀର୍ତ୍ତିମାଳା ଗାଁରେ । ହୁଏତ ବିପଥଗାମୀ ସ୍ୱାମୀକି ଭାବି ଭାବି ସେ ତାର ଭାଇକି ଅଭିଶାପ ଦେଉଥିବ । ସର୍ବଜୟାର କୌଣସି ଖବର ସେ ପାଇନାହିଁ । ହୁଏତ ଆଉ ପାଇବ ନାହିଁ । ମହାଶ୍ୱେତା ଆଜି ତାର ଅସମ୍ବନ୍ଧିୟା । ତୁଷାର ବାବୁ ହୁଏତ କର୍ମବ୍ୟସ୍ତତା ଭିତରେ ତାକୁ ହଜେଇ ସାରିଲେଣି । ସମସ୍ତ ଦୁର୍ଦ୍ଦଶା ଆଉ ଆତ୍ମ ନିଗ୍ରହ ମଝିରେ ସେ ଏକାକୀ ଠିଆ ହେଇଚି । ଶ୍ରୀମାନ୍ ଅରୂପ…...ଦୁଇ ସଭ୍ୟ ଆଖିର ତଳେ ତଳେ ତାର ଛାପି ଯାଉଛି କେତେ କରୁଣ ଆଲେଖ୍ୟ ।

 

ଅରୂପ ଉଠି ଠିଆ ହେଲା । ବଜାରର କୋଳାହଳ ଭିତରେ କଳ୍ପନା ବଞ୍ଚେନା । କହିଲା, ବାବୁଙ୍କୁ କହ ମୁଁ ଆସୁଚି....

 

ହୋଟେଲରୁ ବାହାରି ରାଜପଥ ଉପରେ ଓହ୍ଲେଇଗଲା ସେ । ଆଜି ଆଉ ତୁଷାର ବାବୁଙ୍କର ସାହାଯ୍ୟ ଭିକ୍ଷା ନ କଲେ ଚଳିବ ନାହିଁ । ସମସ୍ତ ପରିଶ୍ରମର ବିନିମୟରେ ଭଦ୍ରତାକୁ ବଞ୍ଚେଇ ରଖିବାକୁ ହେବ ।

 

କିନ୍ତୁ କାହା ସହିତ ଦେଖା କରିବା ଅରୂପ ପକ୍ଷେ ସମ୍ଭବ ହେଲା ନାହିଁ । ଏବେ ମନ ସହିତ ପାଦର ଗତି ତାର ତାଳ ଦେଇପାରେ ନାହିଁ । ସମସ୍ତ ଅବସ୍ଥାଟା ତାର ଯେପରି ଅଣାୟତ୍ତ ହେଇପଡ଼ିଛି । ଚାଲି ଚାଲି ମହାନଦୀର ତୀର ଅବଧି ସେ ଆସି ପହଞ୍ଚିଗଲା । ସେତେବେଳକୁ ସନ୍ଧ୍ୟା ଉତ୍ତୀର୍ଣ୍ଣ ହୋଇଯାଇଛି । ସେ ପାଖରେ ବହୁ ଦୂରରେ ଦେଖାଯାଏ ସୁନୀଳ ପର୍ବତମାଳା । ହେମନ୍ତର ତିମିରାଚ୍ଛନ୍ନ ଅନ୍ଧକାର ମାଡ଼ି ଆସିବାକୁ ଆଉ ବେଶୀ ଡେରିନାହିଁ । ଏ ପାଖକୁ ଅନେଇଲେ ଅରୂପ ଯେମିତି ମନର ସାନ୍ତ୍ୱନା ହରେଇ ବସୁଛି । ଇଚ୍ଛା ହେଉଛି ହୃଦୟର ଖୁବ୍‍ ନିକଟରେ କାହାକୁ ପାଇବାକୁ । ଏହି ନିଃଶବ୍ଦ ସନ୍ଧ୍ୟା ଅନ୍ଧକାର ଭିତରେ ନୀରବ ପଦକ୍ଷେପରେ ଆସନ୍ତା ସେ । ଆଖିର ଲୁହ ପୋଛି ଦେଇ ଶୁଣନ୍ତା ଅତ୍ୟାଚାରିତ ଲାଞ୍ଛିତ ବଞ୍ଚିତ ଜୀବନର କାହାଣୀ-। ସେ ତରୁଣୀ ହେଉ କି ତରୁଣ ହେଉ । । ବନ୍ଧୁତ୍ୱର ମଧୁର ପରଶରେ ସେ ଭୁଲେଇ ଦିଅନ୍ତା ଆହତ ପ୍ରାଣର ଜ୍ୱାଳା, ଯନ୍ତ୍ରଣା । ଅନୁଶୋଚନାର ଅଶ୍ରୁରେ ଅରୂପର ବୁକୁ ଯେମିତି ଫାଟି ପଡ଼ିଲା-

 

ଅରୂପର ଠିକ ମନେ ନାହିଁ । ତିଥିଟା ବୋଧେ କୃଷ୍ଣପକ୍ଷର ଆରମ୍ଭ ମାସଟା ମଧ୍ୟ ଆସି ପ୍ରଥମ ପାଦରେ ପହଞ୍ଚିଛି । ଆକାଶର ପୂର୍ବ ପ୍ରାନ୍ତରେ ଧୀରେ ଧୀରେ ଚନ୍ଦ୍ରର ଉଦୟ ହେଉଛି । ନିରୋଳା ନଦୀ ତୀରରେ ଶୀତ ବେଶୀ । ସେଥିଯୋଗୁଁ ସହରର ଘାଟଗୁଡ଼ିକ ନିର୍ଜନ ହେଇ ଆସିଲାଣି । କେବଳ କୂଳ ବନ୍ଧା ନୌକା ଗୁଡ଼ିକରେ ଜାଗି ରହିଚି ମଣିଷର ସଙ୍କେତ । କେଉଁ ଦୂରାଗତ ପନ୍ଥା ନିଃଶବ୍ଦରେ ବିନିଦ୍ର ପ୍ରହର ଗଣି ଚାଲିଚି ।

 

ମଧୁମତୀର ତୀରେ ତୀରେ ଏମିତି ଜ୍ୟୋତ୍ସ୍ନାର ଜୁଆର ଆସିଥିବ ପୁଣି ତାର ଚୁମ୍ବନ ଲାଗିଥିବ ସେହି ଶାନ୍ତ ଗୃହସ୍ଥଳୀର ଅଙ୍ଗନରେ । ଖୋଲା ବାତାୟନ ନିକଟରେ ବିରହିଣୀ ଶଯ୍ୟା ରଚନା କରିଥିବ । ସ୍ୱପ୍ନର ଆବେଗରେ କିମ୍ବା ଅଶ୍ରୁର ତରଙ୍ଗରେ ପ୍ରତି ଅଙ୍ଗ ତାର ଆଲୋଡ଼ିତ ହେଉଥିବ । ଆଉ ନିର୍ମମ, ଅଧମ ପୁରୁଷ କେଉଁ ବିଦେଶରେ ନିଶ୍ଚିନ୍ତ ନିଦ୍ରା ଯାଇଥିବ ।

 

ଦେହରେ ଶୀତ ପବନର ସ୍ପର୍ଶ ଲାଗିଆସୁଛି । ମୁଣ୍ଡ ଉପରେ ହେମନ୍ତର ଶୀତାର୍ତ୍ତଜ୍ୟୋତ୍ସ୍ନା । ତଥାପି ଅରୂପର ଫେରିଯିବାକୁ ଇଚ୍ଛା ହେଲା ନାହିଁ । ନିର୍ବାକ ବେଦନାରେ ସେ କେବଳ ଦୂରକୁ ଚାହିଁରହିଲା । ମହାନଦୀର ଛାତି ଉପରେ ଶ୍ୟାମଳ ଭୂଖଣ୍ଡର ଛାୟା ଓହ୍ଲେଇ ଆସିଚି । ତରଙ୍ଗର ଚପଳତା କିମ୍ବା ପବନର ଆଲୋଡ଼ନ ନାହିଁ । କେବଳ ଭିତରର ସ୍ତବ୍‍ଧତା ଭିତରେ ନିମଗ୍ନ ହେଇଗଲେ ପ୍ରାଣର ଗୋଟାଏ ମୃଦୁ କଲ୍ଲୋଳ ଶୁଣାଯାଏ । କିନ୍ତୁ ତାହା କରୁଣ କି ମଧୁର ସ୍ଥିର କରିବା ଆଜି ଆଉ ଅରୂପ ପକ୍ଷେ ସମ୍ଭବ ନୁହେଁ । ଜୀବନର ସମସ୍ତ ରସ କଳ୍ପନା ନିରାଶର କୁଝଟିକା ଭିତରେ ଯେପରି ପଥ ହରେଇ ବସିଚି ।

 

ଅରୂପର ଆଶ୍ରୟହରା ମନ ଆଜି ସାହାଯ୍ୟ ଖୋଜୁଚି । ସାନ୍ତ୍ୱନା ଖୋଜୁଚି । ମନେହେଉଚି ସେ ଫେରି ଯାଆନ୍ତା । ତାର ଛୋଟ ଗାଁର ପଥଧୂଳି କି ଦେହରେ ବୋଲି ସେ ଶିଶୁ ପରି ନାଚନ୍ତା, ଗାଆନ୍ତା । ମା କୋଳରେ ଶୋଇ ଶୋଇ ଶେଯ ସନ୍ତାନ ପରି ଅକାତରରେ ନିଦ୍ରା ଯାଆନ୍ତା । ସାନ ଭଉଣୀର ହାତଧରି ସେ ଧୂଳିର ସଂସାର ଗଢ଼ନ୍ତା, ପୁଣି ଭାଙ୍ଗନ୍ତା ।

 

ସନ୍ଦେହ ନାହିଁ ଅରୂପ ଆଶାବାଦୀ । ସୁନାମ ଆଉ ସୁକର୍ମର ଉକ୍ତ ନାମ ସହିତ କର୍ମର ଯେ ଘନିଷ୍ଠ ଯୋଗାଯୋଗ ରହିଛି ବାଲ୍ୟକାଳରୁ ଅରୂପ ଏ ଜ୍ଞାନ ଅର୍ଜନ କରିଚି । ଆଉରି ଜାଣିଚି ତାହାହିଁ ଲୋକପ୍ରିୟତା । କିନ୍ତୁ ତାର ଏ ବିଶ୍ୱାସ ଭାଙ୍ଗିଚି । ସେ ବୁଝିପାରିଚି ଲୋକକଲ୍ୟାଣର ଅର୍ଥ ଲୋକପ୍ରିୟତା ନୁହେଁ । ପ୍ରାଣର ସମସ୍ତ ସୁନ୍ଦର ବିଭବ ଦେଇ ପ୍ରେମକୁ ଯେତେ ମହିମାନ୍ୱିତ କରନା କାହିଁକି ତାର କ୍ଷୟ ଅଛି । ବିଚ୍ଛେଦ ଅଛି । ବିସ୍ମୃତି ଅଛି । କିନ୍ତୁ ଗାଁକୁ ଫେରିଯାଇ ସେ ଯଦି କୀର୍ତ୍ତିମାଳା ପାଇଁ ଦେଶାନ୍ତର ହେଇ ପାରିବ, ହୁଏତ ନିଜର ବିଶ୍ୱାସକୁ ଖୋଜି ପାଇବ । ସ୍ୱାମୀ ସହିତ କୀର୍ତ୍ତିମାଳା ଯେବେ ଅତୀତର ସମସ୍ତ ଉପେକ୍ଷା, ଅତ୍ୟାଚାର ଭୁଲିଯାଏ ହୁଏତ ସେ ସୁଖୀ ହେବ । କାରଣ ସେ ନିଜକୁ ବୁଝେଇ ଦେଇପାରିବ ଯେ ଦୁଇଟି ନୀଡ଼ହରା ବିହଙ୍ଗକୁ ସେ ପିଞ୍ଜରୀ ବଦ୍ଧ କରିପାରିଚି । ତାହାହିଁ ତା ଚେଷ୍ଟାର ସାର୍ଥକତା । ବେଭବ ହେଉ, ଗୌରବ ହେଉ, ଏ ଯେତେ ବଳିଷ୍ଠ ହେଇଉଠୁନା କାହିଁକି ଶାନ୍ତିକି ଧରି ରଖିବା ତା ପକ୍ଷେ କଠିନ ନିଶ୍ଚୟ । ଶାନ୍ତି ହେଲା ମାନବିକତାର ସର୍ବଶ୍ରେଷ୍ଠ ପ୍ରକାଶ । ବୈଭବ ଆଉ ଗୌରବ ତାର ପଦାନତ । ଅତି ପିଲାଦିନୁ ଅରୂପର ବୈଭବ ସହିତ ପରିଚୟ ଘଟିଚି । ଯୌବନର ପ୍ରାରମ୍ଭରେ ଦେଖିବାକୁ ପାଇଛି ଗୌରବର ସ୍ୱରୂପ । ତାକୁ ନେଇ ସେ ଉନ୍ମତ୍ତ ହେଇଚି । ଅଧୀର ହେଇଚି । ଆନନ୍ଦ ଆବେଗରେ ଦୁଇ ବାହୁ ମେଲି ସେ ଆଲିଙ୍ଗନ ଚାହିଁଚି, କିନ୍ତୁ ସେତେବେଳେ ସେ ବିଚାରର ସୁଯୋଗ ପାଇ ନାହିଁ । ଭାବି ଦେଖିନାହିଁ ଯେ, ତାହାର ଭିତରେ ସମସ୍ତ ଶକ୍ତି କ୍ଷୟ ହେଇ ଯାଇଚି ।

 

ରାତିର ଗଭୀରତା ସୂଚେଇ କେଉଁଠି ଘଣ୍ଟାରେ ବାଜିଲା ଏଗାର । ସଜାଗ ହେଇ ଅରୂପ ଫେରିବାର ପଥ ଧରିଲା । ସେତେବେଳକୁ ଜନବସତିର ଆଲୋକ ଲିଭି ଆସିଲାଣି । ହୁଏତ ଶାନ୍ତ ଗୃହିଣୀ ଗୃହ କର୍ମ ପରେ ପ୍ରିୟତମର ଶାନ୍ତ ଆଲିଙ୍ଗନ ମଝିରେ ବିଶ୍ରାମର ମୁହୂର୍ତ୍ତ କଟେଇ ଚାଲିଥିବ-। କେଉଁଠି କେଉଁଠି ଅବୋଧ ଶିଶୁ ସୁର ଧରି କାନ୍ଦଣା ଆରମ୍ଭ କରି ଦେଇଚି ।

 

ପ୍ରଧାନ ରାସ୍ତା ଛାଡ଼ି ଆଗେଇ ଚାଲିଲା ଅରୂପ । କୁହୁଡ଼ି କାଟି ଆକାଶର ପଶ୍ଚିମ ପ୍ରାନ୍ତରରେ ଚନ୍ଦ୍ର ଆସ୍ତେ ଆସ୍ତେ ଓହ୍ଲେଇ ଯାଉଚି । ଜ୍ୟୋତ୍ସ୍ନାର ମୃଦୁ ଆଲୋକରେ ଶିଶିର ଭିଜା ମାଟି ଉପରେ ଜୋତାଶବ୍ଦ କରି ଚାଲିବାକୁ ଲାଗିଲା ଅରୂପ ।

 

ଘରେ ପହଞ୍ଚି ଆଲୁଅ ଜାଳିଲା ଅରୂପ । ଏତେ ରାତିରେ ଆଉ ହୋଟେଲ ଯିବା ଉଚିତ ନୁହେଁ । ଖାଇବା ପିଇବା ଭୁଲି ଯାଇଚି ସେ । ପୁଣି ଯେମିତି ଏକ ଅକାରଣ ଅବସାଦ ତାର ସମଗ୍ର ସତ୍ତାକୁ ଆଚ୍ଛନ କରି ଆସୁଚି । ଏଟା ଅସ୍ୱାଭାବିକ ନୁହେଁ । ଅଭାବିତ ଭାବେ ତା ମନର ଦିଗ୍‍ବଳୟ ଛାଡ଼ି ଏମିତି ଖଣ୍ଡ କଳା ମେଘ ତାର ସମଗ୍ର ଜୀବନାକାଶକୁ ଅସ୍ପଷ୍ଟ କରି ଘେରି ରହୁଚି । ନିରାଶ ଆଉ ସଂଶୟ ଭିତରେ ସେ ଯେପରି ଉଦ୍‍ଭ୍ରାନ୍ତ ହେଇ ଉଠିଚି । ବାହାରେ ସେ ଯେତିକି ସବଳ ହେବାକୁ ଚେଷ୍ଟା କରୁଚି ଭିତରେ କେଉଁ କ୍ଷୟିଷ୍ଣୁ ଆତ୍ମାର ପ୍ରଶ୍ନରେ ସେତିକି କାତର ହେଇ ଉଠୁଚି । ନିମିଷ ନିମିଷ କରି ସମୟର ସ୍ରୋତ ବହି ଯାଉଚି । କିନ୍ତୁ ଦିନ ଦିନ ଧରି ଅରୂପ ଭିତରେ ଜାଗି ରହିଚି ସେହି ଅନୁତ୍ତରିତ ପ୍ରଶ୍ନ । ତାର କୌଣସି ଉତ୍ତର ନାହିଁ । କୌଣସି ସମାଧାନ ନାହିଁ । ଆଜି ପୁଣି ଏହି ମୁହୂର୍ତ୍ତରେ ଖୋଲା ଝରକାର ବାହାରେ ସେହି ଅଶରୀରି ଅତୃପ୍ତ ଆତ୍ମା ଛିଡ଼ା ହେଇ ରହିଚି । ଛାୟାଲୋକ ଭିତରେ ଅରୂପ ଦେଖୁଚି ତାର ଆଙ୍ଗୁଳି ନିର୍ଦ୍ଦେଶ । ହୁଏତ ସେ ସନ୍ତାନର ଦାବି ନେଇ ଛିଡ଼ା ହେଇଚି । ହୁଏତ ସେ କର୍ତ୍ତବ୍ୟ ସଂପାଦନର କୈଫିୟତ ମାଗୁଚି । ହୁଏତ ନିଜର ଏହି ଶୋଚନୀୟ ପରିଣତି ପାଇଁ ନୀରବ ଅଶ୍ରୁ ବର୍ଷଣ କରିଚାଲିଚି । ଏହି ଆତ୍ମନିଗ୍ରହ ଭିତରୁ ଆଉ ଅରୂପର ମୁକ୍ତି ନାହିଁ । ଭାଗ୍ୟ ଦେବତାର ଏହି କଠୋର ଅଭିଶାପ ଭିତରୁ ଆଉ ତାର ରକ୍ଷା ନାହିଁ । କିନ୍ତୁ କାହିଁକି ଏ ନିର୍ମମ ଆଚରଣ ? କାହିଁକି ଏ ନିଷ୍ଠୁର ଅଭିଶାପ ବହନ କରି ସେ ଚାଲିଲା । ସମସ୍ତ ଅଧିକାରକୁ ତାର କିଏ ବା ଅସ୍ୱୀକାର କଲା । ଶିକ୍ଷା କ’ଣ ମଣିଷକୁ ସତ୍ ପଥ ଦେଖାଏ ନାହିଁ ? ଶାନ୍ତିର ସନ୍ଧାନ ଦିଏ ନାହିଁ ? କେବଳ ମାତ୍ର ପଶୁ ପ୍ରବୃତ୍ତି ଯୁଗ ଯୁଗ ଧରି ମାନବିକତା ଉପରେ ରାଜତ୍ୱ କରି ଚାଲିବ ?

 

ଉଚ୍ଚ ଶିକ୍ଷା ସେ ଲାଭ କରିଚି । ସୁନାମ ଅର୍ଜନ କରିଚି । ପିତାର ବହୁ ସମ୍ପତ୍ତି ତା ପାଇଁ ଗଚ୍ଛିତ ଅଛି । କିନ୍ତୁ ତାର ସାର୍ଥକତା କେଉଁଠି ? କେଉଁଠିକି ଗଲେ ସେ ନିଜ ପାଇଁ ଖୋଜିପାଇବ ଏକ ନିର୍ଭୟ ନିର୍ଭୁଲ ଆଶ୍ରୟ । ସେହି ଆଶ୍ରୟ ପାଇଁ ପୁରୁଷ ଚିରଦିନ କାଙ୍ଗାଳ ହେଇଚି । କେଉଁ ମହତ ଭିକ୍ଷା ପାଇଁ ନତଜାନୁ ହେଇ ସମସ୍ତ ସତ୍ତା ତାର ଅଞ୍ଜଳି ପାତି ରହିଛି ? କିନ୍ତୁ କିଏ ଦେବ ତାକୁ ଭିକ୍ଷା । ଭିକ୍ଷାର୍ଥୀ ପ୍ରାଣତାର ଗଭୀର ନୈରାଶ୍ୟ ଆଉ ରିକ୍ତତାର ଗ୍ଳାନିରେ ତିଳ ତିଳ କରି ନିଃଶେଷ ହେଇ ଯାଉଚି । ପ୍ରଣୟର କଠୋର ସଂଯମ ଆଉ ସାଧନାକୁ ତାର ପ୍ରାତ୍ୟହିକ ଜୀବନ ସଂଗ୍ରାମରେ ଅସ୍ତ୍ର କରି ସେ ଦୁର୍ଦ୍ଦାନ୍ତ ତାରୁଣ୍ୟକୁ ଦମନ କରି ଆସିଚି । କିନ୍ତୁ ଆଜି ଯେମିତି ତାର ଅଶ୍ରୁ ଜର୍ଜର ତୃଷିତ ବଞ୍ଚିତ ପିତୃତ୍ୱ ମହା ଅଭାବର ଶୂନ୍ୟତାରେ ହାହାକାର କରିଉଠୁଛି ।

 

ଅଦୂର କେଉଁ ଦେବ ମନ୍ଦିରରେ ଶେଷ ପୂଜା ଆରତିର ଘଣ୍ଟା ବାଜି ଉଠିଲା । ଶୀତାର୍ତ୍ତ ଅଚେତନ ଜନବସତିର ପ୍ରାନ୍ତରେ ପ୍ରାନ୍ତରେ ତାର ପ୍ରତିଧ୍ୱନି ଉଠି ପୁଣି ଧୀରେ ଧୀରେ ବିଲୀନ ହେଇଗଲା । ପୃଥିବୀରେ ଆଉ କୌଣସି ଜାଗରଣର ସଙ୍କେତ ରହିଲା ନାହିଁ । କେବଳ ଜଗି ରହିଲା ଅରୂପ । ଏହି ଜାଗରଣର ଅର୍ଥ କେହି ବୁଝେନାହିଁ । ଏକା ବୁଝେ ଅରୂପ ଆଉ ହୁଏତ ବୁଝିବ ମହାଶ୍ୱେତା । କାରଣ ଏହାର ମୂଳ ବୀଜ ତାହାଠାରୁ ଉଦ୍ଭବ ପୁଣି ସେହି ବୀଜଠାରୁ ଅଙ୍କୁର । ଅଙ୍କୁରଠାରୁ ମହାବୃକ୍ଷର ବିକାଶ ହେଇଚି । ତାର ନୀରବ ଦର୍ଶକ ପରି ଅନ୍ତରାଳରେ ରହିଯାଇଚି ସର୍ବଜୟା । ଆଜି ସେ କେଉଁଠି କୌଣସି ଖବର ନାହିଁ । ନିଜର ସମ୍ମାନ ଅକ୍ଷୁର୍ଣ୍ଣ ରଖିବାକୁ ଯାଇ ଏହି ଅଭିନୟ ପୀଠରୁ ସେ ବିଦାୟ ନେଇଯାଇଚି । ସେ ଆଜିକି ଅନେକ ଦିନର ଘଟଣା । ଆତ୍ମମର୍ଯ୍ୟାଦା ଆଉ କଲ୍ୟାଣ ବୋଧକୁ ସେ ନିଜର ହୃଦୟ ସିଂହାସନରେ ଆସନ ଦେଇଚି । ତିଳ ତିଳ କରି ସେ ନିଜକୁ ଜାଳି ଦେବ । ତାହା ହିଁ ଶ୍ରେୟସ୍କର । କିନ୍ତୁ ନିଜର ଅସ୍ଥିତ୍ୱ ସ୍ୱୀକାର ପାଇଁ ସେ ଉଚ୍ଚସ୍ୱର ତୋଳି ଆଗେଇ ଆସିବ ନାହିଁ । ନିଜର ଅତଳ ବେଦନାରେ ସେ ଆତ୍ମଗୋପନ କରିବ । କିନ୍ତୁ ଆତ୍ମପ୍ରକାଶ କରି ତାହାକୁ ଆଘାତ ହାଣିବ ନାହିଁ । ତାହା ହିଁ ତାର ବିଶେଷତ୍ୱ । କିନ୍ତୁ ଅରୂପର ଏହି ଉନିଦ୍ର ପ୍ରହର ଆଜି ଆଉ ତା ପାଇଁ ଗଣାଯିବା ଶୋଭନ ସଂଗତ ନୁହେଁ ।

 

ଖୋଲା ଝରକାଟା ବନ୍ଦ କରିବାକୁ ଯାଇ ହଠାତ୍ ଅରୂପ ଆଖିରେ ଖଣ୍ଡିଏ ଚିଠି ପଡ଼ିଲା । ତଳୁ ଉଠେଇ ନେଇ ସେ ଜାଣିଲା ଏ ଚିଠି କିଏ ଲେଖିଚି । ଅପରିପକ୍ଵ ହାତର ଠିକଣା ଲେଖା ଇଂରାଜୀ ଅକ୍ଷର ଉପରେ ଗାଁର ସୁସ୍ପଷ୍ଟ ଚିହ୍ନ ଆଙ୍କି ହେଇ ଯାଇଚି, ଚିଠି ଖଣ୍ଡିକ ଖୋଲି ପଢ଼ିବାକୁ ଲାଗିଲା ଅରୂପ ।

 

ସମୟ କେତେ ହେବ ଅରୂପକୁ ଠିକ୍ ଜଣାନାହିଁ । ତେବେ ଠିକ୍ କରି ସେ ଜାଣେ ଯେ ଏଥି ଭିତରେ ରାତିପାହି ସକାଳ ଆସିଯାଇଚି । ବନ୍ଦ ଝରକା ଆଉ ଦୁଆର ଫାଙ୍କରେ ଦିନର ଆଲୁଅ ଆସି ଘରଭିତରେ ପଡ଼ିଚି । କିନ୍ତୁ ଅରୂପ ତାର ସମସ୍ତ ବାହ୍ୟଜ୍ଞାନ ହରେଇ ବସିଚି । ସମଗ୍ର ସଭ୍ୟଜଗତଠାରୁ ବିଚ୍ଛିନ୍ନ ହେଇ ସେ ଯେମିତି ନିରନ୍ଧ୍ର କାରାଗାରର ଅନ୍ଧକାର ଭିତରେ ଟିକି ଟିକି କରି ଶଢ଼ି ପଚି ଯାଉଚି ।

 

ଗତ କାଲି ଆଉ ଏକ ଦୁଃସମ୍ବାଦ ଆସି ପହଞ୍ଚିଚି । ମଣିଷ ଜୀବନରେ ତାର ପ୍ରଭାବ କମ ନୁହେଁ । ବଞ୍ଚିବାର ସ୍ୱାଦ ଯେପରି ବହୁ ଦିନୁ ଗଲାଣି । ଜୀବନର ଅନୁଭୂତିରେ କେବଳ ହଳାହଳ । ବିନ୍ଦୁଏ ଅମୃତର ସନ୍ଧାନରେ ଅରୂପର ତୃଷାର୍ତ୍ତ ପ୍ରାଣ ନିଃଶେଷ ହେଇ ଆସିଲାଣି ।

 

ମା ରୋଗ ଶଯ୍ୟାରେ । କୀର୍ତ୍ତିମାଳା ଲେଖିଚି, ସହର ବାଟ ସେ ଦେଖିନାହିଁ । ନ ହେଲେ ନିଜେ ଯାଇ ସେ ତା ଭାଇକି ଧରି ଆଣନ୍ତା । ମା ର ବିକଳ, ପଥର ନ ହେଲେ କେହି ଦେଖି ପାରିବନାହିଁ । ତମର ସହାନୁଭୂତି ମୁଁ ସହି ପାରିବି ନାହିଁ । ତମର ସାନ୍ତ୍ୱନା ବି ଚାହୁଁ ନାହିଁ । ନିଜର ଦୁଃଖରେ ନିଜେ ଜଳି ପୋଡ଼ି ପାଉଁଶ ହେବାରେ ଗୌରବ ଅଛି । କିନ୍ତୁ ଆଜି ମୁଁ ଭିକ୍ଷା ମାଗୁଛି, ତମେ ଆସ ।

ସାରା ରାତି ଅରୂପ ଶୋଇ ପାରିଲା ନାହିଁ । ଚିଠିଟି ମୁଠେଇଧରି ଏ ଅବଧି ସେ ଜଳ ଜଳ କରି ଅନେଇ ରହିଚି । ଆଖିରେ ତାର ଲୁହ ନାହିଁ । ମନରେ ଭାବନା ନାହିଁ । ତୁଣ୍ଡରେ ଭାଷା ନାହିଁ । ସମସ୍ତ ଅଙ୍ଗ ତାର ସ୍ଥିର । ସେ ମୂକ, ଅଥର୍ବ, ବଧୀର ।

ବାହାରୁ କାହାର ଡାକ ଆସିଲା ।

ବାବୁ ଅଛନ୍ତି......

ଅରୂପ ବିଛଣାରେ ଉଠି ବସିଲା । ଏପାଖ ସେପାଖ କରି ସେ ଯେମିତି କିଛି ବୁଝି ପାରିଲା ନାହିଁ । ପୁଣି ବାହାରୁ କାହା ବିନୀତ ସମ୍ଭାଷଣ ଆସିଲା ।

ବାବୁ.....

କବାଟ ଖୋଲି ବାହାରି ଆସିଲା ଅରୂପ । ଦିନର ପରିଚ୍ଛନ୍ନ ଆଲୋକରେ ଯିଏ ତାକୁ ବିନମ୍ର ପ୍ରଣତି ଜଣେଇଲା, ସେ ତାର ଅପରିଚିତ ନୁହେଁ । କ୍ଳାନ୍ତ କଣ୍ଠରେ ଅରୂପ କହିଲା, କୁଆଡ଼େ ରେ ଶ୍ରୀରାମ !

ଘର ଭିତରକୁ ପଶିଆସି ମଝି ଚଟାଣ ଉପରେ ବସିପଡ଼ିଲା ଶ୍ରୀରାମ ! ଅବଶ କରୁଣ ସ୍ୱରରେ କହିଲା, ଆମମାନଙ୍କର ବଡ଼ ଭରସା ବୁଡ଼ି ଯାଉଚି ବାବୁ !

ଅଶ୍ରୁ ଛଳଛଳ ଭାଷାରେ ସହାନୁଭୂତି ପ୍ରକାଶ କରି ଅରୂପ କହିଲା, କଣ ହେଇଚି ଶ୍ରୀରାମ ! ବାବୁ ତମର କେଉଁଠି ?

ମଇଳା ଗାମୁଛାକାନିରେ ମୁହଁ ପୋଛି ଦୀର୍ଘଶ୍ୱାସ ଛାଡ଼ିଲା ଶ୍ରୀରାମ । ତା'ପରେ ରହି ରହି କହିଲା, ଆପଣ ତ ଆମମାନଙ୍କୁ ଏକବାରେ ଭୁଲିଗଲେ । ବାବୁ ସାଡ଼େ ଡାକ୍ତର ପାଖକୁ ଦୌଡ଼ି ଦୌଡ଼ି ତାଙ୍କ ଜୀବନ ଶେଷ ହେଲାଣି ।

ଉଦ୍‍ବିଗ୍ନ ହୋଇ ଅରୂପ ପଚାରିଲା, କାହିଁକିରେ ?

ଏତେ ପାଖରେ ଥାଇ ଆପଣ କିଛି ଜାଣିଲେ ନାହିଁ ବାବୁ ! ମା' ମାସେ ହେବ ବିଛଣା ଛାଡ଼ି ନାହାନ୍ତି ।

ଅରୂପର ବାକ୍‍ଶକ୍ତି ରହିଲା ନାହିଁ । କି ଏକ ଅବ୍ୟକ୍ତ ବେଦନାରେ ତାର କଣ୍ଠରୁଦ୍ଧ ହୋଇ ଆସିଲା । ଶ୍ରୀରାମ ପୁଣି କହିଲା, ଡାକ୍ତର ମନା କରିଚି, ମାଙ୍କ ସହିତ କେହି କଥାବାର୍ତ୍ତା କରିବେ ନାହିଁ । ତାଙ୍କର ବି କଥା କହିବାକୁ ଶକ୍ତି ନାହିଁ । ଆଜି ସକାଳୁ ଆପଣଙ୍କୁ ଦେଖିବାକୁ ଚାହୁଁଚନ୍ତି ।

ଶଙ୍କିତ ସ୍ୱରରେ ଅରୂପ ପଚାରିଲା, ତମର ବାବୁ.....

 

ମୁଁ ଜାଣେନା କୁଆଡ଼େ ଯାଇଚନ୍ତି ।

 

ମା ତାହାହେଲେ ଏକା......

 

ଶ୍ରୀରାମ କହିଲା, ଉର୍ବଶୀ ଅଛି । ଭାଗ୍ୟ ବାବୁ ! ତା’ପରି ମଣିଷଟାଏ ପାଇଚନ୍ତି । ଅରୂପ ଚୁପ କରି ରହିଲା । ନିଜର ଅବସ୍ଥାକୁ ଆୟତ୍ତ କରି କେବଳ କହିଲା, ଚାଲ.....

 

ସକାଳର କୌଣସି ନିତ୍ୟକର୍ମ ସେ ସାରିନାହିଁ, ସାରିବା ପାଇଁ ଆଜି ହୁଏତ ଅରୂପ ଭିତରେ ଆଗ୍ରହ ନାହିଁ । କିନ୍ତୁ ଅନ୍ୟ ଆଖିରେ ହୃଦୟାବେଗ ପ୍ରକାଶ ଆଦୌ ଶୋଭନୀୟ ନୁହେଁ । ସେଥିଯୋଗୁ ଅରୂପ କହିଲା, ତମେ ଚାଲ ଶ୍ରୀରାମ ! ପରେ ପରେ ମୁଁ ଯାଉଚି....

 

ହେଉ ଆଜ୍ଞା ! କହି ଶ୍ରୀରାମ ଚାଲିଗଲା ।

 

ପ୍ରାୟ ପଚିଶ ମିନିଟ ପରେ ଅରୂପ ରିକ୍‍ସାରୁ ଓହ୍ଲେଇଲା । ଗଭୀର ଦୁଶ୍ଚିନ୍ତା ଭିତର ଦେଇ ସମସ୍ତ ପଥ ସେ ଅତିକ୍ରମ କରି ଆସିଚି । ରକ୍ତଗତ କୌଣସି ସମ୍ପର୍କ ନାହିଁ । ତଥାପି ଯେମିତି ତା ଅନ୍ତରରେ ଏକ ଅବ୍ୟକ୍ତ ବେଦନାର ଆଲୋଡ଼ନ ଜାଗି ଉଠିଲା । ଏଠି ତାର କରୁଣ ଅନୁଭୂତିକି କେହି ସ୍ୱୀକାର କରି ପାରିବ ନାହିଁ । କେହି ତାର ଅଶ୍ରୁଳ ଅଭିବ୍ୟକ୍ତିକି ବିଶ୍ୱାସ କରିବ ନାହିଁ । ତଥାପି ଯେମିତି ଆଶଙ୍କା, ଆକାଂକ୍ଷା, ସନ୍ଦେହ ଆଉ ଅବ୍ୟକ୍ତ ଅଭିଜ୍ଞତା ତାର ସମଗ୍ର ମନ ରାଜ୍ୟକୁ ଆଚ୍ଛନ୍ନ କରି ରଖିଛି । ଆନନ୍ଦର ଅନୁଭୂତି ଅପେକ୍ଷା ବେଦନାର କାହାଣୀ ଏଠି ଦୀର୍ଘ । ଯେଉଁ ନାରୀର ସହଯୋଗରେ ତାର ସୁପ୍ରତିଷ୍ଠିତ ଜୀବନ ଗଢ଼ି ଉଠିଥିଲା ତା’ନିକଟରେ ତାର କୃତଜ୍ଞତା କମ ନୁହେଁ-। ତାର ସମସ୍ତ ଶ୍ରମ ଆଉ ସାଧନାର ଉପରେ ଅରୂପର ଯଶଖ୍ୟାତି ଠିଆ ହେଇ ରହିଚି, ଏହା ନିରାଟ ସତ୍ୟ ଆଜି ସେହି ୠଣଶୋଧ କରିବାର ସମୟ ଆସି ଯାଇଚି । ଲୋକଦୃଷ୍ଟିର-ଅଗୋଚରରେ ମୁହୂର୍ତ୍ତ ମୁହୂର୍ତ୍ତ ଧରି ଯେଉଁ ପରିଚୟ ଗଢ଼ି ଉଠିଛି ତାହା ସମସ୍ତ ବିଶ୍ଳେଷଣ ଆଉ ବ୍ୟାଖ୍ୟାର ବାହାରେ । ତାକୁ ନିର୍ଭୁଲଭାବେ ବିଚାର କରି ଦେଖିବାକୁ ଆଜି ଆଉ ଅରୂପ ବୁକୁରେ ସାହସ ନାହିଁ । ସେଥିପାଇଁ ସେଟାକୁ ସେ ବାରମ୍ବାର ଭୁଲିଯିବାକୁ ଚେଷ୍ଟା କରିଚି । ନିଜ ଭିତରେ ଥରେ ଓଲଟ ପାଲଟି କରି ଦେଖିନେଇ ତାର ମୂଲ୍ୟ ନିର୍ଦ୍ଧାରଣ କରି ପାରିବା ପରି ଶକ୍ତି ତାର ଏପର୍ଯ୍ୟନ୍ତ ଆସିନାହିଁ । ପୁଣି ଏକ ଅଶୁଭ ସମ୍ବାଦ କିମ୍ବା ଏକ ଅଶୋଭନୀୟ ପରିଣତିର ଆଶଙ୍କାରେ ତାର ପାଦ ଦୁଇଟି ଯେମିତି ଭାରାକ୍ରାନ୍ତ ହେଇ ଉଠିଲା ।

 

ରିକ୍‍ସାରୁ ଓହ୍ଲେଇ କ୍ଷିପ୍ର ପଦରେ ଆଗେଇ ଚାଲିଲା ଅରୂପ । ଶ୍ରୀରାମଠାରୁ ଖବର ପାଇ ମନରେ ତାର ଯଥେଷ୍ଟ ଉଦ୍ ବେଗ ଥିଲା । ରିକ୍‍ସାବାଲାର ପାଉଣା ତୁଟେଇ ସେ ଘର ଭିତରେ ପଶିଲା ।

 

ରୋଗଶଯ୍ୟାର ଗୋଟିଏ ଧାରରେ ନିରୁପମାଙ୍କର ରୁଗ୍‍ଣ ଦୁର୍ବଳ ଦେହ ପଡ଼ି ରହିଚି । ତାଙ୍କୁ ନିଦ ହେଇଚି କି ନାହିଁ କହି ହେବନାହିଁ । ଅରୂପ ଅଳ୍ପ ଆଗେଇ ଯାଇ ଟିକିଏ ଏପଟ ସେପଟ କରି ଉଠିଲା । ଏକାନ୍ତ ନିଃସଙ୍ଗଭାବେ ନିରୁପମା ବିଛଣାରେ ପଡ଼ି ରହିଚନ୍ତି । ଜୋତାର ମଚ ମଚ ଶବ୍ଦରେ କ୍ଳାନ୍ତ ଆଖି ଖୋଲି ସେ ଚାହିଁଲେ ।

 

ବ୍ୟସ୍ତ ବିବ୍ରତ ହେଇ ପାଖକୁ ଆସିଲା ଅରୂପ । କହିଲା, ଆପଣଙ୍କର କ’ଣ ହେଲା ? ଏ କେଇଟା ଦିନ ଭିତରେ ଏମିତି ଅବସ୍ଥା ।

 

ନିରୁପମା ସମ୍ମାନ ପ୍ରଦର୍ଶନ ପାଇଁ ଉଠିବାକୁ ଚେଷ୍ଟାକଲେ । ଅରୂପ କହିଲା, ଶୁଅନ୍ତୁ, ଶୁଅନ୍ତୁ ! ମୁଁ ଏଇଠି ବସୁଚି । କ'ଣ ଏମିତି ହେଲା ?

ମ୍ଳାନ ହସିଲେ ନିରୁପମା । କିଛି ସମୟ ପରେ ବହୁ କଷ୍ଟରେ କହିଲେ, ଶୁଣିବାକୁ ଆପଣଙ୍କର ସମୟ ଅଛି ତ.........

ସେମିତି ଶୁଣିବାକୁ ସମୟ ନାହିଁ ମୋର । ଧୈର୍ଯ୍ୟ ନାହିଁ । ଆଗରୁ ଟିକିଏ ଖବର ଦେଇଥିଲେ କୌଣସି କ୍ଷତିର ଆଶଙ୍କା ନ ଥିଲା ତ, ବରଂ ଲାଭ......

ଥଟ୍ଟା କରନ୍ତୁ ନାହିଁ.....

ଅରୂପ କହିଲା, ଅନେକ ସମୟରେ ଏମିତି ପଦେ ପଦେ କଥା ମର୍ମସ୍ଥଳରେ ଆଘାତ କରେ ।

ନିରୁପମା କହିଲେ, ଆଘାତଟା ପୁରୁଷର ପ୍ରାପ୍ୟ ନୁହେଁ । ପ୍ରାପ୍ୟ ତାର ଆନନ୍ଦ ।

ବୁଝିଲି ଆଘାତଟା କେବଳ ନାରୀର । ଥାଉ, ଥାଉ କହିବାକୁ ହେବନାହିଁ । ଖୁବ୍ ସତକଥାଟା କହି ପାରିଚନ୍ତି । କାହିଁ ସାମୁଏଲ କେଉଁଠି ? ସ୍ତ୍ରୀକି ଏ ଅବସ୍ଥାରେ ଛାଡ଼ି ମଧ୍ୟ ନିଶ୍ଚିନ୍ତ ।

ନିଜର ସୀମା ଛାଡ଼ି ହଠାତ୍ ଉଚ୍ଛ୍ୱସିତ ହେଇ ଉଠିଲା ଅରୂପ । କିନ୍ତୁ ନିରୁପମା କୌଣସି ଉତ୍ତର ଦେଇ ପାରିଲେ ନାହିଁ । ଅରୂପ ଆଡ଼େ ଚାହିଁ ଚାହିଁ ଚୁପ୍ କରି ରହିଗଲେ ।

କଣ୍ଠରେ ଅଭିମାନ ଧରି ଅରୂପ କହିଲା, ଏତେ ପରେ ବି ମୋତେ ଗୋଟାଏ ଖବର ଦେଇ ପାରିଲେ ନାହିଁ ତୁଷାର ବାବୁ ! କୌଣସି ମତେ ମୁଁ ତାଙ୍କର ବିଶ୍ଵାସଭାଜନ ହେଇ ପାରିଲି ନାହିଁ ।

ଅଳ୍ପ ହସି ନିରୁପମା କହିଲେ, ଆପଣ ରହିଲେ କାବ୍ୟ ଆଉ ମାନସୀ ନେଇ । ଖବର ପାଇବାକୁ ହୁଏତ ସୁଯୋଗ ପାଇଲେ ନାହିଁ । ସାମୁଏଲ ରହିଲେ ନିଜର ଅଧିକାର ନେଇ । ସମସ୍ତ ସୁଯୋଗ ଆଉ ଦୁର୍ଯୋଗର ମଝିରେ ଜାଗି ରହିଲା ଗୋଟାଏ ପ୍ରଚଣ୍ଡ ଇଚ୍ଛା ଶକ୍ତି ।

ନୀରବତା ଭିତରେ କେଇଟି ମୁହୂର୍ତ୍ତ କଟିଗଲା । ଇଚ୍ଛାକରି ଯେ ଅରୂପ ନିରୁପମାଙ୍କର ଖବର ରଖି ପାରିନାହିଁ, ଏହା ନୁହେଁ । ସେ କହିଲା, ଏକ ସମୟରେ ଆପଣଙ୍କର ସାହାଯ୍ୟ ମତେ ଲୋକଲୋଚନର ଶୀର୍ଷକୁ ଉଠେଇ ଦେଇଥିଲା । ସାନ୍ତ୍ୱନା ଦେଇଥିଲା । ଆଶ୍ରୟ ଦେଇଥିଲା । ମୁଁ ଆତ୍ମପ୍ରତିଷ୍ଠା ଚାହିଁଥିଲି । ଅସ୍ୱୀକାର କରିବି ନାହିଁ । ଆଉରି କହିବି ମୁଁ ସ୍ନେହର ଅପବ୍ୟବହାର କରିନାହିଁ । ଅମର୍ଯ୍ୟାଦା କରିନାହିଁ । ଆପଣ ଯଦି କହନ୍ତି ସମସ୍ତ ପରିସ୍ଥିତିଟା ମୋର ଇଚ୍ଛାକୃତ ମୁଁ ପ୍ରତିବାଦ କରିବି ନାହିଁ । ଯଦି କହନ୍ତି ମୋର ସମଗ୍ର ଭାବରାଜ୍ୟରେ ମୁଁ ଆପଣଙ୍କୁ ଉପେକ୍ଷା କରି ଯାଇଚି ତାହେଲେ କାବ୍ୟ କବିତା ଫିଙ୍ଗି ମୁଁ ଆସି ଠିଆହେବି ଏଇଠି । ଆପଣଙ୍କର ପାଦତଳେ । ଦୁଇହାତ ଅଞ୍ଜଳି କରି କ୍ଷମା ମାଗିବି । ଦିନେ ଆସି ରିକ୍ତ ହସ୍ତରେ ମୁଁ ପହଞ୍ଚି ଥିଲି । ଭିକ୍ଷା ଚାହିଁ ନ ଥିଲି । ଆପଣଙ୍କର ଦାନ ମୋର ଭାଗ୍ୟ ନିୟନ୍ତ୍ରଣ କରିଥିଲା । କିନ୍ତୁ ଆଜି ଯେତେବେଳେ ସେ ଦାନର ପ୍ରତିଦାନ ମୁଁ ଦେଇ ପାରିନାହିଁ । ଦେବାକୁ ଅଯୋଗ୍ୟ ବିବେଚିତ ହେଇଚି, ମୋର ଆଉ କିଛି ଦରକାର ନାହିଁ । ରିକ୍ତତାର ଅଭିଶାପ ମଥାପାତି ମୁଁ ବହନ କରିବି ।

କଥା ସେ କହିଯିବାରେ ଲାଗିଚି । କିନ୍ତୁ ଶ୍ରୋତ୍ରୀ ଯେ ସେ ସମ୍ବନ୍ଧରେ ଆଦୌ ମନଯୋଗୀ ନୁହେଁ ଅରୂପ ଭାବି ପାରିନାହିଁ । ନିରୁପମାଙ୍କର ଦୁଇଟି ଉତ୍ସୁକ ପିପାସିତ ଆଖିଟା ବାଟ ଚାହିଁ ରହିଥିଲା । ଦିନ ଦିନ ଧରି ଅପେକ୍ଷାର ତୀବ୍ର ଜ୍ୱାଳା ତାଙ୍କର ସମସ୍ତ ଦେହ ମନକୁ ତିଳ ତିଳ କରି ନିଷ୍ପେଷିତ କରି ଚାଲିଥିଲା । ଆଜି ଏହି ଦୁର୍ଦ୍ଦିନରେ ଏକାନ୍ତ ସାନିଧ୍ୟର ଏହି ରସ ଟିକକକୁ ତାଙ୍କର ସମସ୍ତ ତୃଷିତ ମନ ପ୍ରାଣ ଦେଇ ସେ ଲେହନ କରି ଯିବାକୁ ଚାହୁଁଥିଲେ । ନାନା ଘାତ, ପ୍ରତିଘାତ, ଦ୍ଵନ୍ଦ୍ୱ ଆଉ ପ୍ରତିବନ୍ଧକ ମଝିରେ ଚିରକାଳର ନାରୀ ଠିଆହୋଇ ରହିଛି । ପାଦରେ ତାର ଲାଗିଚି ଲଜ୍ଜା ସଙ୍କୋଚର ବେଡ଼ି । ନିରୁପମାଙ୍କର ମୋହ ବିହ୍ଵଳ କ୍ଲାନ୍ତ ଆଖି ଦୁଇଟି ତଳକୁ ନଇଁ ଆସିଲା ।

 

ପୁଅକୁ କୋଳ କରି ଉର୍ବଶୀ ଆସି ପହଁଚିଲା । କେଉଁ ଅଭାବର କଷାଘାତରେ ଶିଶୁପୁତ୍ରର ଆଖି ଦୁଇଟି ଢଳ ଢଳ କରୁଛି । ମଳିନ କପୋଳ ଉପରେ ଲୁହ ଦାଗ ଲାଗିରହିଛି । ମା’କୁ ଦେଖି ସେ ପୁଣି ଅଧୀର ଭାବରେ କାନ୍ଦି ଉଠିଲା । ଉର୍ବଶୀ କହିଲା, ଔଷଧ ଖାଇବାର ବେଳ ହେଲାଣି । ବାବୁଙ୍କର ଏପର୍ଯ୍ୟନ୍ତ ଦେଖା ନାହିଁ । ଏଣେ ଛୁଆ ସମ୍ଭାଳିବା କଠିନ ହେଲାଣି ।

 

କହି କହି ସେ ପୁଣି ଘରୁ ବାହାରି ଚାଲିଗଲା । କିନ୍ତୁ ନିରୁପମାଙ୍କର କୌଣସି ପରିବର୍ତ୍ତନ ଆସିଲା ନାହିଁ । ସର୍ବପ୍ରକାର ଅଭିଯୋଗ ଆଉ ଅନୁଶୋଚନାର ଅନ୍ତରାଳରେ ଆତ୍ମଗୋପନ କରି ସେ ଯେପରି ଦେଖିବାକୁ ପାଇଲେ ମୃତ୍ୟୁର ଭୟାବହ ଅବସନ୍ନତା ଉପରେ ଜୀବନର ମଧୁର ଚପଳ ବସନ୍ତ ଘନେଇ ଆସୁଛି । ତାର ସମଗ୍ର ମନରାଜ୍ୟରେ ସେ ଯାହାକୁ ଆଜି ଅଧୀଶ୍ୱର ବୋଲି ସ୍ୱୀକାର କରିଛି, କୌଣସି ପ୍ରକାର ସେ ସେହି ଆସନର ଅଯୋଗ୍ୟ ନୁହେଁ । ଆଖିର ଇଙ୍ଗିତରେ, ବଚନର ଭଙ୍ଗୀରେ, ଆଚାର ବ୍ୟବହାରରେ କେଉଁଠି ବିନ୍ଦୁ ମାତ୍ର ଅପ୍ରାକୃତିକତା ନାହିଁ । କାବ୍ୟ କବିତା ଛାଡ଼ି କ୍ଷମା ପାଇଁ ସେ ଠିଆ ହେଇପାରେ । ତାର ଏହି କଥା ଭିତରେ କେଉଁଠି ଅବିଶ୍ୱାସର ଅବକାଶ ନାହିଁ । ଉତ୍ତେଜନା, ଆସ୍ଫାଳନ ମନୋବିକାର ଦୁର୍ଲଭ ମାତ୍ର । ତା ପ୍ରାଣର ଓଜସ୍ୱୀନତା, ତା ମନର ଉଦାରତା ହୃଦୟ ସ୍ପର୍ଶ କରିଯାଏ । ଆଖିର ଚାହାଣୀରେ ସଂଯମର ସେହି ଶାନ୍ତଛାୟା, ପାଦର ଗତିରେ ସହିଷ୍ଣୁତା, ଚିରକାଳ ଧରି ଯେପରି ଅଭ୍ରାନ୍ତ ଅବିନାଶ । ନିଜ କଥା ମନେ ପଡ଼ିଲା । ମୁହୂର୍ତ୍ତ ମୁହୂର୍ତ୍ତ ଧରି ଏ ନିଃସଙ୍ଗ ଗୃହ କୋଣରେ ରକ୍ତମାଂସର ଆହୁତି ଦେଇ ସାଧନାର ଯେଉଁ ହେମାନଳ ସେ ଜାଳି ଚାଲିଥିଲେ, ଆଜି ତାହା ବ୍ୟର୍ଥ ହେଇନାହିଁ । ସେ ଅସୁସ୍ଥ । ଦୁରାରୋଗ୍ୟ ବ୍ୟାଧିର ବୀଜାଣୁ ପ୍ରତି ନିମିଷରେ ପ୍ରାଣତନ୍ତ୍ରୀକି ତାଙ୍କର ଟିକି ଟିକି କରି କାଟି ଚାଲିଚି । ଦେହ ଆଉ ମନରେ ମରଣର କ୍ଳାନ୍ତଛାୟା । ତଥାପି ବହୁ ତପସ୍ୟାର ପରେ ଯେଉଁ ଦେବତାର ଆଜି ଆବିର୍ଭାବ ହେଲା, ତାର ଯୋଗ୍ୟପୂଜା ଦେବା ପାଇଁ ଯେଉଁ ଦୁର୍ବାର ବାସନା ଜାଗି ଉଠିଛି ତାହାହିଁ ସଂଶୟାଚ୍ଛନ୍ନ ରହି ଯାଉଛି । ଆଉ ତାଙ୍କର ଡର ନାହିଁ । ଲଜ୍ଜା ନାହିଁ । ସେ ଠିକ୍ ରୂପେ ଜାଣି ନେଇଚନ୍ତି ତାଙ୍କର ଆଚରଣରେ ଅନୀତିର କଳ୍ପନା ସୁଦ୍ଧା ଆସିନାହିଁ । ଭବିଷ୍ୟତରେ ତାଙ୍କର ନିଆଁ ଲାଗି ଆସିଲାଣି । ସ୍ୱାମୀ ତାଙ୍କର ଅତୀତ, ବର୍ତ୍ତମାନ । ସ୍ୱାମୀ ତାଙ୍କର ସୀମାରେଖା ଡେଇଁଗଲେ କଳଙ୍କ ଲାଗିଯିବ । ଅପବାଦ ରଟିଯିବ । କିନ୍ତୁ ଅରୂପ ନିଷ୍କଳଙ୍କ ।

 

କିଛି ଗୋଟାଏ ପଡ଼ିଯିବାର ଶବ୍ଦରେ ସଜାଗ ହେଇ ଉଠିଲେ ନିରୁପମା । ବୋଧହୁଏ ପୁଅ କେଉଁଠି ପଡ଼ିଗଲା । ପରେ ପରେ ଏକ ଆହତ ଶିଶୁ କଣ୍ଠର ଆକୁଳ କ୍ରନ୍ଦନ ଧ୍ୱନି ଭାସି ଆସିଲା । କିନ୍ତୁ ନିରୁପମା ସେ ସମ୍ବନ୍ଧରେ ନିର୍ବିକାର ରହିଗଲେ । ତାଙ୍କର ଆଦୌ ସହାନୁଭୂତି ପ୍ରକାଶ ପାଇଲା ନାହିଁ । ଆଜି ଆଉ କୌଣସି ମନୋଭାବ ବ୍ୟକ୍ତ କରିବାକୁ ତାଙ୍କର ଅବକାଶ ନାହିଁ । କିନ୍ତୁ ଓଠ କଣରେ ତାଙ୍କର ପୁଣି ହସ ଫୁଟିଉଠିଲା । କହିଲେ, କ୍ଷମାଦେବାକୁ ତ ମୋର ଅଧିକାର ନାହିଁ । କିନ୍ତୁ ଅପରାଧର ବୋଝ ମୁଁ କାହିଁକି ବୋହିଚାଲିବି ?

 

ଅରୂପ କହିଲା, ସବୁଠୁଁ ବେଶୀ ଦୁଃଖ ପାଇଲି ଯେ, ମୁଁ ଆପଣଙ୍କର ମଧ୍ୟ ବିଶ୍ୱାସ ପାଇଲିନାହିଁ ।

 

ନିରୁପମା ହଠାତ୍ କଣ କହିବାକୁ ଯାଉଥିଲେ । କିନ୍ତୁ ନିଜକୁ ସଂଯତ କରି ସେ କିଛିକ୍ଷଣ ଚୁପ କରି ରହିଲେ । ତାପର ନିମ୍ନ ସ୍ୱରରେ କହିଲେ, ଆଘାତ, ଅବିଶ୍ୱାସ ଦେଇ ବଦଳରେ ମଣିଷ ଅବିଶ୍ୱାସ ପାଏ ନାହିଁ, ନିଜର ବିଶ୍ୱାସ ହରେଇ ଦିଏ ।

 

ଅରୂପ କହିଲା, ଆଜି ସମସ୍ତ କଥାବାର୍ତ୍ତା ଭିତରେ ଆପଣଙ୍କର ଗୋଟାଏ ଇଙ୍ଗିତ ପୂରିରହିଛି । ମନେ ହେଉଛି ଯାହାର ବିଷକ୍ରିୟା ଅନେକ ଦିନ ଧରି ଆପଣଙ୍କ ଭିତରେ ଆରମ୍ଭ ହୋଇଯାଇଛି ।

 

ନିରୁପମା ଧୀରେ ଧୀରେ ଉଠି ବସିବାକୁ ଚେଷ୍ଟାକଲେ । କିନ୍ତୁ ପାରିଲେ ନାହିଁ । ପୁଣି ବିଛଣାରେ ପଡ଼ିଯାଇ କହିଲେ, ମୁଁ ଯାଏ । ସକାଳୁ ନିଶ୍ଚୟ କିଛି ଖିଆ ପିଆ ହେଇ ନଥିବ ।

 

କହି କହି ସେ ପୁଣି ଉଠି ପଡ଼ୁଥଲେ । ତାଙ୍କୁ ନିଜ ହାତରେ ବିଛଣାରେ ଶୁଆଇ ଦେଇ ଅରୂପ କହିଲା, ସବୁଦିନ ଆପଣ ଅବାଧ୍ୟ ରହିଗଲେ । ମୋର ଖାଇବାଟା ବଡ଼କଥା ନୁହେଁ । ଏଠୁ ଯଦି ନ ଖାଇ କରି ମୁଁ ଫେରିଯାଏ ମୋର ଦୁଃଖ ନାହିଁ । କିନ୍ତୁ ଯେବେ ମୋର ପ୍ରାପ୍ୟ ଟିକକ ନପାଇ ଫେରିଯାଏ, ତାହାଠାରୁ ବଳି ଦୁର୍ଭାଗ୍ୟ ଆଉ ମୋର କିଛିନାହିଁ ।

 

ଅରୂପ ଜାଣିପାରିଲା ନାହିଁ ଯେ ତାର ଏଇ କେତେପଦ କଥାରେ ନିରୁପମାଙ୍କର ଅସମ୍ବୃତ ଅଶ୍ରୁ ଝର ଝର କରି ବହି ଆସିଲା । ଅରୂପ ଦୃଷ୍ଟିରେ ତାର ପ୍ରକାଶ ହେଲେ ପୁଣି କେଉଁ ଦୂର୍ଭୋଗ ଆସିପାରେ । ସେଥିଯୋଗୁଁ ଯଥା ସମ୍ଭବ ଆତ୍ମସମ୍ବରଣ କରି ସେ କର ଲେଉଟେଇଲେ । ଅରୂପ କେବଳ ନିର୍ବାକ ହେଇ ଚାହିଁରହିଲା ।

 

କିଛିକ୍ଷଣ କେଉଁ ଅବସ୍ଥା ଭିତର ଦେଇ ଗତି କରିଥିଲା ତାହା କହିହେବ ନାହିଁ । ଏକ ସମୟରେ ଉର୍ବଶୀ ପୁଣି ଫେରି ଆସିଲା । ଚେତି ଉଠି ଅରୂପ କହିଲା, ବାବୁ କେଉଁଠି ଉର୍ବଶୀ !

 

ବାବୁ କୁଆଡ଼େ ଯାଇଚନ୍ତି । କହି ଯାଇଚନ୍ତି ଫେରୁ ଫେରୁ ଡେରି ହୋଇପାରେ ।

 

ଅରୂପ ଆଉ କିଛି କହିଲା ନାହିଁ । ଉର୍ବଶୀ ନିରୁପମାକୁ ଔଷଧ ଖୁଆଇ ପୁଣି ସେ ଘରୁ ବାହାରି ଚାଲିଗଲା । ତାର ଗତିବିଧି ଲକ୍ଷ୍ୟକରି ବସି ରହିଲା ଅରୂପ । କିନ୍ତୁ ତା ମନରେ ବାରମ୍ବାର ଗୋଟାଏ କଥା ଉଠିଲା ତୁଷାର ବାବୁ ଖବର ପଠେଇ ନାହାନ୍ତି । ତାଙ୍କର ଏ ଦୀର୍ଘ ଅନୁପସ୍ଥିତିରେ ନିଜେ ଡାକିଚନ୍ତି ନିରୁପମା । ସମସ୍ତ ପରିବେଶଟା ଯେମିତି ରହସ୍ୟ ଜଡ଼ିତ । ତାକୁ ନେଇ ଯଦି ଏ ଦାମ୍ପତ୍ୟ ଜୀବନ ମଝିରେ କୌଣସି ମନୋମାଳିନ୍ୟ, ଚିତ୍ତବିକାର ଆସି ଦେଖାଦିଏ ତା'ହେଲେ ଅବସ୍ଥାକୁ ଆଉ ଆୟତ୍ତ କରି ହେବନାହିଁ । କିନ୍ତୁ ଆଜି ଏହି ଦୁସ୍ଥ ପରିବାରଟି ପାଇଁ ତାର କର୍ତ୍ତବ୍ୟ କଣ ସେ ସ୍ଥିର କରିପାରିଲା ନାହିଁ ।

 

କିଛି ସମୟ ନିସ୍ତବ୍‍ଧ ମୌନତା ଭିତରେ କଟିଗଲା । ଦୁଇଟି ମନ ଯେମିତି ଏକ ଏକ କକ୍ଷଚ୍ୟୁତ ଗ୍ରହ ପରି ବାରମ୍ବାର ଶୂନ୍ୟମଣ୍ଡଳ ପରିକ୍ରମଣ କରି ପୁଣି ନିଜ ନିଜର କେନ୍ଦ୍ରସ୍ଥଳକୁ ଫେରିଆସିଲା । ଚାରିପାଖ ଘେରି ଆତ୍ମୀୟ ପରିବାର ପୂରି ରହିଛନ୍ତି । ଗତିବିଧି ଆଚାର ବ୍ୟବହାରରେ ଯଦି କୌଣସି ଇଙ୍ଗିତ ପ୍ରକାଶ ପାଏ, ତାହାହେଲେ ସଂଭ୍ରମ ଆଉ ଲଜ୍ଜା ବଞ୍ଚିବ ନାହିଁ-। ତଥାପି ତୀବ୍ର ଅନ୍ତର୍ଦାହ ଆଉ ଅନୁଶୋଚନାର ଅଶ୍ରୁରେ ଯେ ସମଗ୍ର ବାତାବରଣଟା ଭାରାକ୍ରାନ୍ତ, ଅରୂପର ଅଜ୍ଞାତ ରହିଲା ନାହିଁ । ଦୁଇ ତରଫରୁ ଆଜି ଯଦି ସାବଧାନତା ଅବଲମ୍ବନ କରା ନ ଯାଏ, ତା ହେଲେ ଚରମ ଦୂର୍ଭୋଗ ଭୋଗିବାକୁ ହେବ । ଅରୂପ ନିଜର ସଂଯମ ହରେଇ ଦେଲେ ଚଳିବ ନାହିଁ । ସେ ପୁରୁଷ । ନାରୀଠାରୁ ତାର ମର୍ଯ୍ୟାଦା ବୋଧ ବହୁବେଶୀ ।

 

ଶାନ୍ତ ଅଥଚ ସଂଯତ ସ୍ୱରରେ ଅରୂପ କହିଲା, ସାମୁଏଲ ନାହାନ୍ତି । କୁଆଡ଼େ କାହିଁକି ଯାଇଚନ୍ତି ତାହା ତ ଆପଣ କହିଲେ ନାହିଁ ।

 

ଛଳ ଛଳ ଆଖି ତୋଳି ନିରୁପମା କହିଲେ, ଖୁବ୍ ବେଶୀ ଦରକାର ଥିଲା ବୋଧେ !! ଅଳ୍ପ ସମୟ ପରେ ଫେରି ଆସି ପାରନ୍ତି ।

 

ଆପଣ କାନ୍ଦୁଛନ୍ତି କାହିଁକି ?

 

ଏପାଖ ସେପାଖ ଅନେଇ ଧୀର ସ୍ୱରରେ ନିରୁପମା କହିଲେ, କାନ୍ଦିବାକୁ ତ ଆଉ କିଛି ରହିଲା ନାହିଁ ଅରୂପ....

 

ନାରୀ କଣ୍ଠର ନୂଆ ସମ୍ବୋଧନ । ଅରୂପର ଓଠରେ ଭାଷା ଫୁଟିଲା ନାହିଁ । ନାରୀର ଅବିଚାର ତାର ମର୍ମବିଦ୍ଧ କରି ଯାଇଚି । ସେଠି ରୋମାଞ୍ଚ, ଉଲ୍ଲାସ, ଉଦ୍ଦାମତା ବିଡ଼ମ୍ବନା ମାତ୍ର ।

 

ନିରୁପମା କହିଲେ, ସମଗ୍ର ପୃଥିବୀରେ ଓଡ଼ିଆ ଝିଅହିଁ ସବୁଠାରୁ ନିରିମାଖି । ଅଶିକ୍ଷା, ରୁଗ୍‍ଣତା, ଆଉ ଅସହାୟତାର ଉତ୍ପୀଡ଼ନରେ ତାର ଦେହ, ମନ ତିଳ ତିଳ କରି ନିଃଶେଷ ହୋଇ ଯାଉଚି । କିନ୍ତୁ ତମେ ଯେ ତାକୁ ଏହି ଦୁର୍ଗତି ଭିତରୁ ଉଦ୍ଧାର ନ କରି ମୁହଁ ଫେରେଇ ଚାଲିଗଲ, ସେଇଟା ପୌରୁଷ ନୁହେଁ, ମଣିଷତ୍ୱ ନୁହେଁ ।

 

ଏଥର ଅରୂପ ନିଜ ଭିତରେ ବିକ୍ଷିପ୍ତ ହୋଇ ପଡ଼ିଲା । ତଥାପି ସେ ନିଜକୁ ସମ୍ବୃତ କରି କହିଲା, ଏ କଥା ତ କେବେ ଆପଣ କହି ନାହାନ୍ତି...

 

କହି ନାହିଁ । କହିବାକୁ ସୁଯୋଗ ପାଇ ନାହିଁ । ତମେ ମୋର ଗଳା ଚାପି ଧରିଥିଲ । ପାଟିରେ ହାତ ଦେଇଥିଲେ ତୁଷାର । କିନ୍ତୁ ଆଜି ଆଉ କୌଣସି ପ୍ରତିବନ୍ଧକକୁ ସ୍ୱୀକାର କରି ନେଇ ହେବନାହିଁ । ସବୁ ଆବରଣ ଖୋଲି ପଡ଼ୁ । ମହାଶ୍ୱେତା ପାଖରେ ନାହାନ୍ତି । ପାଖରେ ନାହାନ୍ତି ସାମୁଏଲ । ପଛରେ ପଡ଼ିରହୁ ପରିବାର । ପଛରେ ରହିଯାଉନ୍ତୁ ଆତ୍ମୀୟ ସ୍ୱଜନ ! ପଛରେ ପଡ଼ିରହୁ ସମଗ୍ର ପୃଥିବୀ । କାହାକୁ ଫେରି ଚାହିଁବାକୁ ଆଜି ମୋର ଅବସର ନାହିଁ । ସକଳ ଲଜ୍ଜା ସଙ୍କେତ ଛାଡ଼ି ଆସ ତମେ । ନିନ୍ଦା ଅପବାଦ ଏଡ଼େଇ ଦିଅ । ମୋ ପାଖରେ ଆସି ଠିଆ ହୁଏ । ଉଚ୍ଚସ୍ୱର ତୋଳି ଥରେ ଡାକ ଦିଅ–ନିରୁପମା...

 

ଉଦ୍‍ଗତ କୋହ ଫାଟି ପଡ଼ିଲା । ଅସମ୍ବୃତ ଅଶ୍ରୁ ଆଉ ବାଧା ବନ୍ଧନ ମାନିଲା ନାହିଁ । ଅରୂପର ଦୁଇହାତ ଚାପି ନିରୁପମା କହିଲେ, ଆଜି ଯିବାର ସମୟ ହେଇଚି । ଏ ଶେଷ ମୁହୂର୍ତ୍ତରେ ମୁଁ ଯଦି ଦେଖିଯିବି ତମେ ତମର ମନର ମଣିଷ ପାଖରେ ପାଇଚ ତାହେଲେ ତାହାହିଁ ଏ ଜୀବନର ସାନ୍ତ୍ୱନା କରି ନେଇଯିବି ।

 

ଅଶ୍ରୁ ସଜଳ କଣ୍ଠରେ ଅରୂପ କହିଲା, ତାହା ତ ହୋଇ ପାରିଲାନାହିଁ ନିରୁପମା...

 

କାହିଁକି ?

 

ନିରୁପମାଙ୍କର ଲୁହପୋଛି ସସ୍ନେହ କଣ୍ଠରେ ଅରୂପ କହିଲା, ତମେ ଭଲ ହୋଇଯାଅ ନିରୁ ! ତାପରେ ସମସ୍ତ କଥାଟା ମନଦେଇ ଶୁଣିବ ।

 

ଏହି କଥାବାର୍ତ୍ତା ଭିତରେ ନିରୁପମାଙ୍କର ଶ୍ୱାସପ୍ରଶ୍ୱାସ ଉର୍ଦ୍ଧ୍ୱଗାମୀ ହେଇଉଠିଥିଲା । ତଥାପି ଦମ୍ ନେଇ ରହି ରହି ସେ କହିଲେ, ଆଜି ଆଉ ମନଭୁଲା ଚଳିବନାହିଁ । ସମସ୍ତ କଥାଟା ପରିଷ୍କାର କରି ଶୁଣି ସାରିଲେ ତା ପରେ ଯାଇ ଶାନ୍ତିର ନିଦ ଯିବି । କହ ଏଥର !

 

କହିବାକୁ ଯେ କିଛି ନାହିଁ ନିରୁ !

 

ଅରୂପ ଅଶ୍ରୁ ସମ୍ବରଣ କରି କହିଲା, ସାମାଜିକ ବିଧି ବ୍ୟବସ୍ଥା ଧରି ଜୀବନକୁ ଦେଖନାହିଁ-। ଦେଖ ନିଜର ଅନ୍ତର୍ଦୃଷ୍ଟି ଦେଇ । କେଉଁଠି ରହିଚି ପୁରୁଷର ଅବିଚାର ଆଉ ନାରୀର ଅସହାୟତା-। ନିଜର ସମସ୍ତ ବିଚାର ଶକ୍ତି ନେଇ ଥରେ ମତେ ବିଚାର କରି ଦେଖ, ବିଚାର କରି ଦେଖ ନିଜକୁ-। ନାରୀର ମାୟାଜାଲରେ ପୁରୁଷ ଆତ୍ମହତ୍ୟା କରେ, ଏଇଟା ଚିରଦିନର ସତ୍ୟ । ତମେ ତାକୁ ଆଜି ଅସ୍ୱୀକାର କରିବ ନାହିଁ ।

 

ନିରୁପମା କହିଲେ, ପୁଣି ସେହି ଅନ୍ଧକାର । ଶୁକ୍ଳାମ୍ବରୀ ନିଶ୍ଚୟ ବିରୂପତା ପ୍ରକାଶ କରିଚନ୍ତି ।

 

ଜଡ଼ିତ କଣ୍ଠରେ ଅରୂପ କହିଲା, ସେଥିପାଇଁ ଦୁଃଖ ନ ଥିଲା । କିନ୍ତୁ ସମସ୍ତ ସ୍ନେହ, ସରାଗ, ମାୟା ମମତା ଚିରକାଳ ପାଇଁ ଅନ୍ଧକାରରେ ରହିଗଲା । ନାରୀ ନିକଟରେ ପୁରୁଷର ଏହି ମମତ୍ୱ ବୋଧ ନିରର୍ଥକ ।

 

ହଠାତ୍ ଯେମିତି ପ୍ରତିବାଦ ଜଣେଇ ଉଠି ପଡ଼ୁଥିଲେ ନିରୁପମା । କି ଏକ ଅସ୍ୱାଭାବିକ ପ୍ରତିକ୍ରିୟାରେ ତାଙ୍କର ସମଗ୍ର ଚେହେରା ବିବର୍ଣ୍ଣ ହୋଇ ଉଠିଲା । ଭିତରର ଭାଷା ଯେପରି ଥର ଥର ଓଠ ଦୁଇଟିରେ ଧକ୍‍କା ଖାଇ ଫେରିଗଲା । ସେ କେବଳ ବିଛଣାରେ ମୁଣ୍ଡ ନୁଆଇଁ ବସି ରହିଲେ ।

 

ଅପରାଧୀ ପରି ଅରୂପ କହିଲା, ଭୁଲ ତ ମୁଁ କହିନାହିଁ....

 

ଜିଜ୍ଞାସୁ ଦୃଷ୍ଟି ତୋଳି ନିରୁପମା ଅପେକ୍ଷା କଲେ ।

 

ଅରୂପ କହିଲା, ଦିନ ଦିନ ଧରି ଯେଉଁ ମାଳା ମୁଁ ଗୁନ୍ଥିଥିଲି, ଇଚ୍ଛାଥିଲା ଏକ ନିର୍ଦ୍ଦିଷ୍ଟ ମଣିଷର ଗଳାରେ ପିନ୍ଧେଇବି । କିନ୍ତୁ ସେ ମାଳାକୁ ସେ ଫିଙ୍ଗି ଦେଇ ଆଜି ଅନେକ ଦୂର ଚାଲି ଯାଇଚନ୍ତି । ପୁରୁଷର ଜୀବନରେ ଏହାଠାରୁ ବଳି ଆଘାତ କ’ଣ ଥାଇପାରେ ?

 

ଅଶ୍ରୁ କମ୍ପିତ ସ୍ୱରରେ ନିରୁପମା କହିଲେ, ଅବିଶ୍ୱାସ ମୁଁ କରିବି ନାହିଁ । ନିଜ ହାତରେ ନିଜର ଗଳାଚିପି ମଣିଷ ଆତ୍ମଘାତୀ ହୁଏ । ତଥାପି ମୁଁ ଯିବି....

 

କୁଆଡ଼େ... ?

 

ଅରୂପ ଅବାକ୍ ହେଇ ଅନେଇ ରହିଲା । ନିରୁପମା କହିଲେ, ମୁଁ ଯିବି ଯେଉଁଠି ତମେ ବିଶ୍ୱାସ ହରେଇ ଆସିଚ । ସେଠି ପୁଣି ବିଶ୍ୱାସ ସ୍ଥାପନ କରିବି । ହାତଧରି ଆଣି ଠିଆ କରେଇବି ତମ ପାଖରେ । ଶେଷ ବିଦାୟ ନେଇ ଯିବା ଆଗରୁ ଦେଖିଯିବି ତମର ଶ୍ରୀମୟ, ଛନ୍ଦମୟ ଜୀବନ । ଏଥିରେ କ’ଣ ତମର ଆପତ୍ତି ଅଛି ?

 

ଅରୂପ କହିଲା, ହଁ....

 

କାହିଁକି ?

 

ତମରି ପାଖରେ ମୋର ପରାଜୟ ଘଟିଚି, ରକ୍ତ ଝରିଚି । ତଥାପି ତମ ହାତରେ ମୁଁ ଆତ୍ମସମର୍ପଣ କରିବି । ତମର ସେବାରେ ବିଶ୍ୱାସ କରିବି ।

 

ନିରୁପମା କହିଲେ, ବିଶ୍ୱାସ କର । ଯେଉଁ ନାରୀ ଦଶ ପ୍ରହରଣ ଧାରିଣୀ ହୋଇ ଧ୍ୱଂସର ତାଣ୍ଡବ କରିଯାଏ, ସେ ପୁଣି ସନ୍ତାନର ତୁଣ୍ଡରେ ସ୍ତନ୍ୟ ଦାନ କରେ । ନିଜ ହାତରେ ଯେଉଁ ନାରୀ ବିଚ୍ଛେଦ ଘଟାଏ ସେ ପୁଣି ମିଳନର ଗୀତ ଗାଈ ଉଠେ ।

 

ସ୍ଥିର କଣ୍ଠରେ ଅରୂପ କହିଲା, ଯେଉଁ ବିଚ୍ଛେଦ ଅନ୍ତରର ତାର ବିନାଶ ନାହିଁ । ଏ ଦାମ୍ପତ୍ୟ ଜୀବନର କଳହ ନୁହେଁ । ଏ ହେଲା ସେହି ମତଭେଦ । ଯାହାପାଇଁ ମଣିଷ ଯୁଗ ଯୁଗ ଧରି ସନ୍ୟାସ ବରଣ କରିଚି । ଖୋଜି ନେଇଚି ନିରାଡ଼ମ୍ବର ନିରାନନ୍ଦ ଜୀବନ । କୌଣସି କାଳେ ଏହାର ସମାଧାନ ହୋଇ ପାରିବ ନାହିଁ । ଦୁଇ ନଦୀ ଦୁଇ ତଟ ଆବୋରି ବହିଯିବ । ତାହାହିଁ ବିଧି ବ୍ୟବସ୍ଥା । ତାର ବ୍ୟତିକ୍ରମ ଘଟି ପାରିବ ନାହିଁ ନିରୁପମା ! ଇଚ୍ଛା କରି ନିରାଶ ହେଇଚ, ଚେଷ୍ଟା କଲେ ବ୍ୟର୍ଥ ହେବ ।

 

ନିରୁପମାଙ୍କ ଆଖିରେ ପୁଣି ନୂତନ ଅଶ୍ରୁ ଜମି ଆସିଲା । ରୁଦ୍ଧ ଉତ୍ତପ୍ତ କଣ୍ଠରେ ସେ ପୁଣି କହିଲେ, ନ କଲେ ତମର ସାର୍ଥକତା ଆସିବ ନାହିଁ ।

 

ବ୍ୟର୍ଥତା ବା କାହିଁ ?

 

କଣ୍ଠରେ ଶ୍ରଦ୍ଧା ଧରି ଅରୂପ କହିଲା, ପଛରେ ଯାହା ଛାଡ଼ି ଆସିଲି ଆଗରେ ତାହା ଗୋଟେଇ ପାଇଲି । ଶୈଶବର ଧୂଳିଘର ନ ଛାଡ଼ିଲେ ତାରୁଣ୍ୟର ସୌଧ ଚୂଳ ଦିଶେନା । କେଉଁଠି ମୁଁ ଥିଲି, ତମେ ଥିଲ କେଉଁଠି ? ଅତୀତକୁ ସାର୍ଥକ କହି ହେବନାହିଁ । ବର୍ତ୍ତମାନକୁ ମଧ୍ୟ ବ୍ୟର୍ଥ କୁହାଯାଇ ପାରିବ ନାହିଁ ।

 

ଅଶ୍ରୁ ସଜଳ କଣ୍ଠରେ ନିରୁପମା କହିଲେ, ଏ ସାନ୍ତ୍ୱନା ତ ତମର ସମଗ୍ର ଜୀବନ ପାଇଁ ନୁହେଁ ।

 

ଅରୂପ କହିଲା, ସାନ୍ତ୍ୱନା ହରେଇଲେ ସାନ୍ତ୍ୱନା ମିଳିବ ନାହିଁ ନିରୁ ! ନିଜକୁ ସଳିତା କରି ପରମ ଅନ୍ଧକାର ମଝିରେ ଯଦି ଆଲୋକ ବିତରଣ କରାଯାଏ ତାହାହେଲେ ଅନୁଶୋଚନାର ଅବକାଶ ନାହିଁ । ତାହାହିଁ ସୌଭାଗ୍ୟ । ସୃଷ୍ଟିର ସ୍ଥିତି ପାଇଁ ଯେବେ ନିଜ ଅସ୍ଥିରେ ବାଣ ରଚନା କରିପାରେ ସେଇ ହେବ ଏ ଜୀବନ ପାଇଁ ବଡ଼ ସାନ୍ତ୍ୱନା ।

 

ଭଗ୍ନ ସ୍ୱରରେ ନିରୁପମା କହିଲେ, ନିର୍ମମ ଆଦର୍ଶବୋଧ ଭିତରେ ଅବିଚାର କରି ବସନା-

 

ଅରୂପ କହିଲା, ଅବିଚାର ନୁହେଁ ନିରୁପମା ! ବରଂ କହ ଅବଶ୍ୟ      ମ୍ଭାବୀ । ଏହି ପରିଣତି ପାଇଁ ଦୁଃଖ ରହିଗଲା । କିନ୍ତୁ ମୁଁ ଦୁଃଖ କରିବି ନାହିଁ । ସବୁ ହରେଇବାର ବେଦନା ମଝିରେ ଖୋଜି ପାଇଛି ତମର ଆନ୍ତରିକତା । ତାହାହିଁ ମୋର ପରମ ସମ୍ପଦ । ଆଜି ଆଉ ମୋର ଡର ନାହିଁ । ତମର ଅଯାଚିତ ଦାନ ମତେ ସମ୍ରାଟ କରିଚି । ଏହାଠାରୁ ନିଜ ପାଇଁ ମୁଁ ଆଉ ବେଶୀ କଣ ଆଶା କରିପାରେ ନିରୁପମା ! ପଥଚାରୀ ଶ୍ରାନ୍ତ ଜୀବନରେ ମୁଁ ଯଦି ଆଉ ତମର ଆଶ୍ୱାସ ନ ପାଏ ତାହେଲେ ଅନ୍ୟ କେଉଁ ନିରୁପମା ଦେବୀ ବରାଭୟ ଦେଇଯିବେ । ତମକୁ ଯଦି ଆଜି ସର୍ବାନ୍ତକରଣେ ମାନି ନେଇଥାଏ ତାହେଲେ ଆତ୍ମନିଗ୍ରହର ଏହି ଘନ ଅନ୍ଧାର ଭିତରେ ତମ ବର୍ତ୍ତିକାର ସନ୍ଧାନ ପାଇବି । ଏହି ହେଲା ଏ ଯାତ୍ରାର ଶ୍ରେଷ୍ଠ ସମ୍ବଳ ।

 

କହି କହି ଅରୂପ ଠିଆହେଲା । ବିଛଣାରୁ ପ୍ରାୟ ଡେଇଁପଡ଼ି ନିରୁପମା କହିଲେ, ତାହେଲେ କୁଆଡ଼େ ଯାଉଚ......

 

ନିରୁପମାଙ୍କୁ ସମ୍ଭାଳି ନେଇ ଅରୂପ କହିଲା, ଆଜି ପାଇଁ ଅନୁମତି ଦିଅ ।

 

ନା...ନା... । ଚିତ୍କାର କରି ପ୍ରାୟ କାନ୍ଦି ଉଠିଲେ ନିରୁପମା । କିଛି ସମୟ ନିର୍ବାକ ବିସ୍ମୟରେ ଠିଆ ହେଇ ରହିଲା ଅରୂପ । ତାପରେ ନିରୁପମାଙ୍କୁ ବିଛଣାରେ ସଯତ୍ନରେ ଶୁଆଇ ଦେଇ କହିଲା, ନିଜ ଉପରେ ଆଉ ଅତ୍ୟାଚାର କରନା ନିରୁ ! ଯଥେଷ୍ଟ ହେଇଚି, ତମର କର୍ତ୍ତବ୍ୟ ଅନ୍ଧାର ମଝିରେ ଆଲୋକ ଜାଳିବା । ଲିଭେଇବା ନୁହେଁ ।

 

ମିଛ....ମିଛ.... । ଦୁଇହାତରେ ମୁହଁ ଢାଙ୍କି ଭୋ ଭୋ ହେଇ କାନ୍ଦି ଉଠିଲା ନିରୁପମା । ସେହି କାନ୍ଦିବା ଭିତରେ ଅସ୍ପଷ୍ଟ ସ୍ୱରରେ ସେ କହି ଯିବାରେ ଲାଗିଲେ, ଆଲୁଅ ଲିଭିଚି । ଅନ୍ଧାର । ଭିତରେ ବାହାରେ କେବଳ ଅନ୍ଧାର । ତମେ ଆଲୁଅ ଜଳେଇ ଦିଅ । ସେଇ ଆଲୁଅରେ ଜନ୍ମ ଜନ୍ମାନ୍ତରର ଅନ୍ଧକାର ମୋର ତୁଟିଯାଉ । ମୋର ମୁକ୍ତି ହେଉ । ଏ ଜୀବନର କାରାଗାରରୁ ମତେ ମୁକ୍ତି ଦିଅ ତମେ ।

 

ନିରୁପମାଙ୍କର ଆକୁଳ ଅଶ୍ରୁ ଯେପରି ବାଧା ମାନିଲା ନାହିଁ । ତାଙ୍କର କପାଳରେ ସ୍ନେହର ଶୀତଳ ସ୍ପର୍ଶ ଦେଇ ଅରୂପ କହିଲା, ନା ମୁଁ ଯାଉନାହିଁ । ଏଥର ଚୁପ କରି ଶୋଇପଡ଼ । ଛି....ପିଲାଙ୍କ ପରି ଏମିତି ଅବୋଧ ହୁଅନ୍ତି ନା....

 

ଜଡ଼ପରି ବିଛଣାରେ ପଡ଼ି ରହିଲେ ନିରୁପମା । ଅରୂପ ପୁଣି ନିଜର ପରିତ୍ୟକ୍ତ ଚୌକିଟା ଉପରେ ବସି ଶୂନ୍ୟ ଆଖିରେ ବାହାରକୁ ଅନେଇ ରହିଲା । ଏହି ମହା ନିସ୍ତବ୍‍ଧତା ଭିତରେ ଯେପରି ଦୁଇଟି ମନୋଜଗତ ବାରମ୍ବାର ସୂର୍ଯ୍ୟ ପ୍ରଦକ୍ଷିଣ କରି ଆଲୋକ ଅନ୍ଧକାରର ସୃଷ୍ଟିକରି ଚାଲିଛି । ଏକ ସମୟରେ ଉର୍ବଶୀ ଆସି ନିରୁପମାଙ୍କ ଦେହରେ ହାତ ରଖି ଉତ୍ତାପ ପରୀକ୍ଷା କରି ଚାଲିଗଲା । ଶୀତ ଅପରାହ୍ନର ପବନ ଗଛପତ୍ର ଫାଙ୍କରେ କି ଏକ ଅବ୍ୟକ୍ତ ରାଗିଣୀ ଖେଳେଇ ଦେଇଛି । ବିଷଣ୍ଣ ଆକାଶ ତଳେ କେଉଁ ଅନାମା ପକ୍ଷୀର କ୍ଲାନ୍ତ ସ୍ୱର ଜାଗିଉଠି ପୁଣି ଦୂରରେ ମିଳେଇ ଯାଉଚି ।

 

ବାହାରେ ଦ୍ରୁତ ଜୋତାଶବ୍ଦ ଶୁଣି ଉତ୍କର୍ଣ୍ଣ ହେଇ ଉଠିଲା ଅରୂପ । ତାପରେ ଆସନ ଛାଡ଼ି ଦୁଇପାଦ ଆଗେଇ ଯାଇ ସେ କହିଲା, ଏଇ ବୋଧେ ସାମୁଏଲ ସାହେବ ଆସୁଛନ୍ତି ।

 

ଏତିକି କହି ନିରୁପମାଙ୍କ କାନ ପାଖରେ ପ୍ରାୟ ଗୁଞ୍ଜନ କରି କହି ଉଠିଲା, ଖୋଲ ନୟନ, ଆଗୋ ମାନସୀ......

 

ଆଖି ଖୋଲି ଶୀର୍ଣ୍ଣ ହସିଲେ ନିରୁପମା । ପୁଣି ତାଙ୍କର ଆଖି ଦୁଇଟି ଧୀରେ ଧୀରେ ବୁଜି ହେଇ ଆସିଲା ।

 

କାହା ଉଦ୍ଦେଶ୍ୟରେ କଣ ଯେପରି କହି ଭିତରକୁ ପଶି ଆସିଲେ ତୁଷାର ବାବୁ । ତାଙ୍କୁ ଅନ୍ତରର ଭକ୍ତି ପ୍ରଦର୍ଶନ ପାଇଁ ଆଗେଇ ଆସିଲା ଅରୂପ । ଦୁଇହାତ ଯୋଡ଼ି ଉଚ୍ଚସ୍ୱରରେ କହି ଉଠିଲା, ନମସ୍କାର ଆଜ୍ଞା......

 

ଅରୂପ ମୁଣ୍ଡରେ ହାତ ଥାପୁଡ଼େଇ କଲ୍ୟାଣ କାମନା କଲେ ତୁଷାର ବାବୁ । ପ୍ରଥମ କଥା ଆରମ୍ଭ କରିବାକୁ ଯାଇ ଅରୂପ କହିଲା, ହଠାତ୍ ଏମିତି କଣ ହେଲା ସାମୁଏଲ ସାହେବ !

 

ନିରୁପମାଙ୍କର କପାଳ ଉପରେ ହାତ ରଖି ଦୀର୍ଘଶ୍ୱାସ ଛାଡ଼ିଲେ ତୁଷାର ବାବୁ । ତାପରେ ଖୁବ୍ ନିମ୍ନସ୍ୱରରେ କହିଲେ, ଏପର୍ଯ୍ୟନ୍ତ ଜଣା ଯାଇନାହିଁ । ଆଜି ଥିଲା......

 

ହଠାତ୍ ନିରୁପମାଙ୍କ ଉପରେ ଦୃଷ୍ଟି ରଖି ଚୁପ କରିଗଲେ ତୁଷାର ବାବୁ ।

 

ଅରୂପ କହିଲା, ନାନାଜଞ୍ଜାଳରେ ବ୍ୟସ୍ତ ରହି ଆସି ପାରି ନ ଥିଲି । ସେ ପ୍ରାୟ ମାସକରୁ ବେଶୀ ହେବ ।

 

ପ୍ରାୟ ଆଉ କଣ....

 

ଏଥି ଭିତରେ କଣ ଏମିତି ଘଟିଲା ଯେ ଶ୍ରୀମତୀ ସାମୁଏଲଙ୍କ ପାଇଁ ଆପଣଙ୍କର ଅକାଳ ବାର୍ଦ୍ଧକ୍ୟ ଆସିଗଲା ।

 

ସ୍ତ୍ରୀର କପାଳରେ ହାତ ବୁଲେଇ ବୁଲେଇ କ୍ଳାନ୍ତ ହସ ହସିଲେ ତୁଷାର ବାବୁ । ଅବଶ ସ୍ୱରରେ କହିଲେ, ଅନ୍ତିମ ଯୌବନରେ ଏ ଦେଶରେ ଘରେ ଘରେ ଜରାର ଆବିର୍ଭାବ ହୁଏ । ପ୍ରଥମ ଯୌବନ ଥିଲା ଶ୍ରୀମତୀଙ୍କର । ଏବେ ସେ ଅଦୃଶ୍ୟ ଅନିର୍ବର ନାରୀର ବାହୁ ସୀମା ଭିତରେ ।

 

ଅରୂପ କହିଲା, ଆଜି ହଠାତ୍ ଆସି ଦେଖେ ତ ସବୁ ବିପର୍ଯ୍ୟସ୍ତ ହେଇ ପଡ଼ିଚି ।

 

ଅନ୍ୟମନସ୍କ ଭାବରେ ତୁଷାର ବାବୁ କହିଲେ, ତାହା ତ ହେବାର କଥା....

 

ଅରୂପ କଣ୍ଠରେ ଅଭିମାନ ଭରି କହିଲା, ଆପଣ ମୋ ପ୍ରତି ଘୋର ଅବିଚାର କରିଚନ୍ତି-। ନିଜେ ଯଦିବା ଯାଇ ପାରି ନ ଥିଲେ, ଅନ୍ତତଃ ଖବରଟା ତ ପଠେଇ ପାରି ଥାଆନ୍ତେ-। ତା' ହେଇ ପାରିଲା ନାହିଁ । ହୁଏତ ସେଥିପାଇଁ ମୁଁ ଅଯୋଗ୍ୟ ।

 

ରହ ହେ, କଳ୍ପନାଜୀବି...

 

ଅରୂପର କାନ୍ଧରେ ମୃଦୁ ଆଘାତ କରି ତୁଷାର ବାବୁ କହିଲେ, କଳ୍ପନା ଆଉ ବାସ୍ତବର ସଂଘର୍ଷ ଚିରନ୍ତନ । ମୁଁ ତାଙ୍କର ପାଖେ ପାଖେ ରହି ସୁଦ୍ଧା କୌଣସି ଅସୁସ୍ଥତା ଭଲ କରି ପାରିଲି ନାହିଁ । ଖବର ନ ଦେଲେ ମଧ୍ୟ ଖବର ନେବାକୁ ଯେ ଆପଣ ଆସିବେ ଏ ବିଶ୍ୱାସ ମୋର ଅବିନାଶ-

 

ସେଥିପାଇଁ ହୁଏତ ଆସି ପଡ଼ିଲି...

 

ନିରୁପମାଙ୍କ ଉପରେ ଆଖି ରଖି ମଧୁହସି ଅରୂପ କହିଲା, ହୁଏତ କୌଣସି ଅଦୃଶ୍ୟ ଇଙ୍ଗିତ ଆମ ଭିତରେ ଯୋଗସୂତ୍ର ସ୍ଥପନ ପାଇଁ ଚିରନ୍ତନ ଚେଷ୍ଟା କରି ଚାଲିଛି । ଯେତେ ଏଡ଼େଇ ଗଲେ ବି ସେ ସମ୍ବନ୍ଧ ଅତୁଟ ।

 

ଅରୂପର କଥାଟା ଅବଶ୍ୟ ଗଭୀର ଅର୍ଥପୂର୍ଣ୍ଣ । କିନ୍ତୁ ତୁଷାର ବାବୁଙ୍କ ଚେହେରାରେ ଆସକ୍ତିର କୌଣସି ଲକ୍ଷଣ ଫୁଟିଲା ନାହିଁ । ନିରୁପମା କେବଳ ଆକୁଳ ଆଖିରେ ବାହାରକୁ ଚାହିଁ ରହିଲେ ।

 

କିଛି ସମୟ ପରେ ଉଠି ଠିଆ ହେଲେ ତୁଷାର ବାବୁ । କହିଲେ, ଟିକିଏ ଅପେକ୍ଷା କରନ୍ତୁ ! ମୋର ଏ ପର୍ଯ୍ୟନ୍ତ କୌଣସି ନିତ୍ୟକର୍ମ ସରିନାହିଁ ।

 

ହେଉ କହି ଅରୂପ ସେଇଠି ବସିରହିଲା । ଶ୍ରୀମତୀ ସାମୁଏଲଙ୍କ ସହିତ ଆଉ କିଛିମାତ୍ର କଥାବାର୍ତ୍ତା ହେଲାନାହିଁ । ଏହା ପରେ ମନ ଭିତରେ ଆଉ କୌଣସି ପ୍ରଶ୍ନ ଉଠିବା ମାନବ ଧର୍ମ ବିରୁଦ୍ଧ । ନିରୁପମା ହଠାତ୍ କାହିଁକି ଏମିତି କାୟମନୋବାକ୍ୟରେ ଅସୁସ୍ଥ ହେଇ ଉଠିଲେ । ସେ କଥା ଜାଣିବାର ଔତ୍ସୁକ୍ୟ ଅତ୍ୟନ୍ତ ଅଶୋଭନ । ଏତେ କାଳ ଧରି ହୁଏତ ଗୋଟାଏ ତୀବ୍ର ମର୍ମଦାହ ତାଙ୍କର ପ୍ରାଣରସକୁ ନିଃଶେଷ କରି ଦେଇଛି । ପ୍ରାଣର ସମସ୍ତ ସରାଗ ଢାଳି ସେ ମହା ପ୍ରକୃତିର ଅର୍ଚ୍ଚନା ପାଇଁ ଠିଆ ହେଇଥିଲା । ଆଜି ପୁଣି ସେହି ନାରୀର ଉପେକ୍ଷା ଲାଞ୍ଛନା ତାର ସମଗ୍ର ସତ୍ତାକୁ ନିଶ୍ଚିହ୍ନ କରି ଦେବାପାଇଁ ଅବିଶ୍ରାନ୍ତ ଚେଷ୍ଟା ଚଳେଇ ଆସୁଛି । ଶୋଣିତ କାବ୍ୟ ତାର ଏବେ ସୁଦ୍ଧା ବାକି ପଡ଼ିଛି । ହୁଏତ ଶେଷ ଅଧ୍ୟାୟ ତାର ଅଶ୍ରୁର ମସିରେ ଲେଖାରହିବ । ପୁରୁଷ ସେ । ତଥାପି ସେ ଜାଣିପାରିଛି ତା ଅଜ୍ଞାତ ସାରରେ ଯେମିତି ପାଦ ତାର କେଉଁଠି ଗତି ହୁଡ଼ିଯାଇଛି । ଆଖିର ଲୁହ ନ ଢାଳିଲେ ତାର ପ୍ରାୟଶ୍ଚିତ୍ତ ପାଇଁ ଆଉ ଦ୍ଵିତୀୟ ପନ୍ଥା ନାହିଁ । କୀର୍ତ୍ତିମାଳାର କୌଣସି ଉପକାରରେ ସେ ଲାଗିପାରିବ ନାହିଁ । ମହାଶ୍ୱେତା ତାକୁ ଅସ୍ୱୀକାର କରି ନିଜର ପଥ ବାଛିନେଇଚି-। ଆଉ ନିରୁପମା...ତାଙ୍କ ପାଇଁ ଯଦି ଆଜି କୌଣସି ବ୍ୟବସ୍ଥା ନ ହେଇପାରେ ସେ ଦୁଃଖ କରିବ ନାହିଁ । ତାଙ୍କ ପାଇଁ ଆଜି ଏତେ ଦିନପରେ କିଛି କରିବାର ଆଗ୍ରହ ପ୍ରକାଶ ନିହାତି ଅସ୍ୱାଭାବିକ-। ଶୋଭନ ସୌଜନ୍ୟ ରକ୍ଷା କରି ନିଜର ପାଦ ଚିହ୍ନ ନ ରଖି ସେ ଚାଲିଯାଇ ପାରିଲେ ବରଂ ସୁଖୀ ହେବ ।

 

ଏମିତି କେତେ ସମୟ କଟିଗଲା କହିହେବ ନାହିଁ । ଏକ ସମୟରେ ନିକଟରେ ପାଦ ଶବ୍ଦ ଶୁଣି ସଜାଗ ହେଇ ଉଠିଲା ଅରୂପ । ଭିତରକୁ ଆସି ଉର୍ବଶୀ କହିଲା, ଆପଣଙ୍କୁ ବାବୁ ଡାକୁଛନ୍ତି ।

 

ବାବୁ କେଉଁଠି ?

 

ଖାଇବା ଘରେ.....

 

ଓ, କହି ଅରୂପ ଉଠି ଠିଆ ହେଲା । ଏତେକ୍ଷଣ ପରେ ତାର ମନେପଡ଼ିଲା ଏ ଅବଧି ତାର ଗାଧୁଆ ଖିଆପିଆ ହେଇ ନାହିଁ । ସେତେବେଳକୁ ସମୟର ସ୍ରୋତ ଅପରାହ୍ନ ଆଡ଼େ ଦ୍ରୁତଗତିରେ ଆଗେଇ ଚାଲିଚି । ଏହିକ୍ଷଣି ଆଉ କୌଣସି ଆଳସ୍ୟ ପ୍ରକାଶ କଲେ ଚଳିବ ନାହିଁ ।

 

ଖାଇବା ଘରେ ପହଁଚି ଅରୂପ ତୁଷାର ବାବୁଙ୍କ ପାଖରେ ବସି ପଡ଼ିଲା । ଉର୍ବଶୀ ସର୍ବପ୍ରକାର ଖାଦ୍ୟପେୟର ଆୟୋଜନ କରି ରଖିଚି । କିନ୍ତୁ ସେଠି ନିରୁପମାଙ୍କ କର୍ମ କୁଶଳତାର ଚିହ୍ନନାହିଁ । ଘରର ଚାରିଆଡ଼େ କେବଳ ନିର୍ମମତାର ବୀଭତ୍ସ ଛାୟା । କିନ୍ତୁ କୌଣସି ମନୋଭାବ ପ୍ରକାଶ କରିବାର ସମୟ ଏ ନୁହେଁ ।

 

ଏକ ସମୟରେ ଖାଉ ଖାଉ ତୁଷାର ବାବୁ କହିଲେ, ଶେଷ ସମୟରେ ଆପଣଙ୍କୁ ଦେଖିବାକୁ ପାଇଲି, ତାହାହିଁ ମୋର ସୌଭାଗ୍ୟ ।

 

ତାଙ୍କ କଣ୍ଠର କରୁଣ ଗାମ୍ଭୀର୍ଯ୍ୟ ସହସା ଯେପରି ପୃଥିବୀର ବୁକୁ ବିଦୀର୍ଣ୍ଣ କରିଦେଲା । ଟିକିଏ ଅଟକି ଯାଇ ସେ ପୁଣି କହିଲେ–

 

ଘୋର ଅଭିଯୋଗ ଆପଣଙ୍କର । କିନ୍ତୁ କାହିଁକି ଯେ ଆପଣଙ୍କୁ ଖବର ଦେଇନାହିଁ ତାର କାରଣ ଅନ୍ୟ ।

 

ଉଦ୍‍ବିଗ୍ନ ହୋଇ ଅରୂପ କେବଳ ଚାହିଁରହିଲା । ତୁଷାର ବାବୁ କହିଲେ, ଜଗତର ଲକ୍ଷ କୋଟି ନରନାରୀ ଭିତରେ ମୋର ଶୁଭାକାଂକ୍ଷୀର ସଂଖ୍ୟା ଖୁବ୍ କମ ଭାଇ ।

 

Unknown

ତୁଷାର ବାବୁଙ୍କ ଆଖି ଛଳ ଛଳ ହେଇ ଉଠିଲା । ତାଙ୍କର ହୃଦୟ ଫଟେଇ ଯେପରି ଅଶ୍ରୁ ପିଣ୍ଡ ଆତ୍ମପ୍ରକାଶ ପାଇଁ ବ୍ୟାକୁଳ ହେଇଉଠିଛି । କିନ୍ତୁ ସେ ପୁରୁଷ । ନିଜର ଧୈର୍ଯ୍ୟ ହରେଇ ଦେଲେ କିଛି ମାତ୍ର ଚଳିବ ନାହିଁ । ନିଜକୁ ସଂବୃତ କରି ସେ ପୁଣି କହିଯିବାରେ ଲାଗିଲେ,

 

ବାବୁଙ୍କୁ ଜାଣେନା । ମାତୃ ପରିଚୟ ଘଟିବା ଆଗରୁ ସବଳର ଅତ୍ୟାଚାରରେ ସେ ନିଃଶେଷ ହେଇ ଯାଇଥିଲେ । ଭାଇ ଭଉଣୀର ଶ୍ରଦ୍ଧା କାମନା ମୋ ପକ୍ଷେ ବିଡ଼ମ୍ବନା ମାତ୍ର । ଆଜି ତମକୁ ଭାଇ ବୋଲି ଡାକି କେତେ ଯେ ଆନନ୍ଦ ମୋର......

ତାଙ୍କର ଗଳା ଧରି ଆସିଲା । ରହି ରହି କହିଲେ, ପୁରୁଷର ସବୁଠାରୁ ବଡ଼ ଆଘାତକୁ ଭାଷାରେ ପ୍ରକାଶ କରିହୁଏ ନାହିଁ ରାୟବାବୁ ! ଏତେ ଦିନ ଧରି ସମ୍ପଦ, ବିପଦ, ଦୁର୍ଗମ ପ୍ରବାସରେ ଯିଏ ସମଭାଗୀ ଥାଇ ମୋର ସହଚାରୀଣି ଥିଲେ ତାଙ୍କୁ ମୁଁ ଦୁଃଖ ଭିତରେ ପାଇ ନଥିଲି । ତାଙ୍କ ପାଇଁ ସାଧନାର ପ୍ରୟୋଜନ ନଥିଲା । ତାଙ୍କ ପାଇଁ ମୁଁ ଅଶ୍ରୁ ଢାଳି ନ ଥିଲି । କିନ୍ତୁ ଆଜି.....

ଅଶ୍ରୁଜଡ଼ିତ କଣ୍ଠରେ ଅରୂପ କହିଲା, ଦେହ କଣ କାହାର ଖରାପ ହୁଏନା ସାମୁଏଲ ସାହେବ !

ହୁଏ ନିଶ୍ଚୟ ଭାଇ ! ଏହା ସହିତ ଆଉରି ବି ଜାଣେ ଦେହ ଧାରଣ ମାତ୍ରେ ମୃତ୍ୟୁର ସମ୍ମୁଖୀନ ହେବା । କିନ୍ତୁ ଯେତେବେଳେ ମଣିଷ ସ୍ୱଜନ ପରିବେଷ୍ଟିତ ହେଇ ରହିବାକୁ ଇଚ୍ଛାକରେ । ସେତେବେଳେ ଯେ ତମମାନଙ୍କୁ ଛାଡ଼ି ଯିବାକୁ ହେଉଛି ଏ ଆଘାତ ମଣିଷ ଜୀବନରେ କମ୍ ନୁହେଁ-!

କୁଆଡ଼େ ଯିବେ ?

ନିର୍ବାକ ବିସ୍ମୟରେ ଅରୂପ ଆଡ଼େ କିଛି ସମୟ ଚାହିଁ ରହିଲେ ତୁଷାର ବାବୁ । ତାପରେ ସ୍ୱପ୍ନଥିତ ପରି କହିଉଠିଲେ, ଏତେବେଳେ ଯାଏ ତୁମକୁ କହିନାହିଁ ଅରୂପ.....ହଠାତ୍ ଚକ୍ଷୁର ପଲକରେ ସବୁ ବଦଳିଗଲା । ମୁଗ୍‍ଧ ଦୃଷ୍ଟିରେ ତୁଷାର ବାବୁଙ୍କୁ ଚାହିଁ ଅରୂପ କହିଲା–

ଦେହ ଖରାପଟା ଯେ କଣ......

ହଁ ତାହାହିଁ ତମକୁ କହିବାକୁ ଯାଉଛି.......

ଆର୍ଦ୍ର ଗଳାରେ ତୁଷାର ବାବୁ କହିଲେ, ଏଇ ଯେ ମାସାଧିକ କାଳ ତମେ କୌଣସି ଖବର ରଖିନାହଁ ତାହାରି ଭିତରେ ଦୁର୍ଦ୍ଦଶା ଆସି ଯାଇଛି ।

ହତବାକ ହୋଇ ଅରୂପ ଚାହିଁ ରହିଲା । ଉର୍ବଶୀ ନିରୁପମାଙ୍କର ଶିଶୁ ସନ୍ତାନକୁ କୋଳକରି ଆସି ପହଞ୍ଚିଲା । ତାକୁ କୋଳରେ ତୋଳି ନେଇ ତୁଷାର ବାବୁ କହିଲେ, ସେଇ ଯେ ନିରୁପମା ମୁର୍ଚ୍ଛା ହେଇ ଯାଇଥିଲେ ତାପରେ ସେ ଆଉ ସୁସ୍ଥ ହେଇ ଉଠିନାହାନ୍ତି । ବହୁ ବ୍ୟବସ୍ଥା କରି ସୁଦ୍ଧା କିଛି ଲାଭ ହେଲାନାହିଁ । ଦିନ ଦିନ କରି ରକ୍ତ ମାଂସ ଶୁଖିଆସିଲା । ଗୋଟିଏ ମାସ ଭିତରେ ଯେ ଏମିତି ମଣିଷର ପ୍ରାଣ ପ୍ରବାହ......

ଏଇ ପର୍ଯ୍ୟନ୍ତ କହି ସେ ଚୁପକରି ଗଲେ । ତାପରେ ପୁଅର ଅଶ୍ରୁଳ ଆଖି ଉପରେ ନିଜର କରୁଣ ଦୃଷ୍ଟି ନିବଦ୍ଧ କରି ସେ କହିଲେ, ଦୁଇଦିନ ପରେ ତାଙ୍କୁ ଧରି କଟକ ଛାଡ଼ିଯିବାକୁ ହେବ । କିନ୍ତୁ ଯିବା ସମୟରେ ମତେ ଆଜି ପ୍ରଥମ କରି ନିଜର ଦୁଃଖଭାର ବହନ କରିଯିବାକୁ ହେବ । କେହି ମୋର ସମଭାଗୀ ନାହାନ୍ତି ।

ଅରୂପ କହିଲା, ଯାହାକୁ ଆଜି ସ୍ନେହଭାଜନ ବୋଲି ସ୍ୱୀକାର କଲେ, ଯାହାକୁ ଆଜି ଭାଇ ବୋଲି ଡାକି ଧନ୍ୟ କଲେ ସେ କ’ଣ ଆପଣଙ୍କ ସୁଖ ଦୁଃଖରେ ସମଭାଗୀ ହେଇପାରିବ ନାହିଁ ବୋଲି ଭାବୁଚନ୍ତି ?

ତା' ମୁଁ ଭାବୁନାହିଁ ଯେ......

ତୁଷାର ବାବୁ କହିଲେ, ତମେ ମୋ ପାଇଁ କିଛି କରିପାରିବ ଏ ବିଶ୍ୱାସ ମୋର ପ୍ରଗାଢ଼ କିନ୍ତୁ କରିବା ପାଇଁ ତ ଆଉ କିଛି ରହିଲା ନାହିଁ ଭାଇ ! ମୋର ସବୁ ଚେଷ୍ଟାକୁ ବ୍ୟର୍ଥ କରି ତାଙ୍କୁ ଯକ୍ଷ୍ମା ହେଇ ଯାଇଛି ।

ଯକ୍ଷ୍ମା.......ଅରୂପ ପ୍ରାୟ ଚିତ୍କାର କରି ଉଠିଲା । ଥର ଥର କଣ୍ଠରେ ତୁଷାର ବାବୁ କହିଲେ, ତାଙ୍କୁ ମାନ୍ଦ୍ରାଜ ନେଇଯିବାକୁ ହେବ । ସବୁ ବନ୍ଦୋବସ୍ତ ଆଜି ସୁଦ୍ଧା ହେଇ ଯାଇଛି । କିନ୍ତୁ ଭାବୁଚି ଏଇ ଛୁଆଟିର କଥା । ତାଙ୍କର ପ୍ରଥମ ଆଉ ଶେଷ ଦାନ ଟିକି ଆଜୀବନ ନିରାପଦ ରଖି ପାରିଲେ ହୁଏତ ଏ ଜୀବନ ପାଇଁ ଅନ୍ତତଃ ଟିକିଏ ଶାନ୍ତି ପାଇବି ।

ଅସମ୍ବୃତ ଅଶ୍ରୁ ଆଉ ବାଧା ମାନିଲା ନାହିଁ । ଅରୂପ ଥାଳି ଛାଡ଼ି ଚାଲିଗଲା । ହାତ ଧୋଇ ନିରୁପମାଙ୍କ ନିକଟରେ ପହଁଚି ଦେଖିଲା କାଶି କାଶି ସେ ବେଦମ ହୋଇ ପଡ଼ିଛନ୍ତି । ବିଛଣା ଆଉ ତକିଆ ଉପରେ ରକ୍ତର ଦାଗ । ଦୁଃଖ, ଭୟ ଅନୁଶୋଚନାର ଅଶ୍ରୁରେ ଅରୂପର ସର୍ବାଙ୍ଗ ଶିହରି ଉଠିଲା । ଏହି ମୁହୂର୍ତ୍ତରେ ନିଜକୁ କଠିନ ଶୃଙ୍ଖଳରେ ଆବଦ୍ଧ କରି ନ ପାରିଲେ ସେ ଯେପରି ନିଜର ସତ୍ତା ହରେଇ ବସିବ ।

 

 

ଶେଷ ହେମନ୍ତର ଶୁକ୍ଲପକ୍ଷ ହେଲେ ବି ଚାରିଆଡ଼ୁ ପ୍ରଚଣ୍ଡ ବର୍ଷାର ରିମ୍ ଝିମ୍ ଶବ୍ଦ ଶୁଣାଯାଉଛି । ଦିଗନ୍ତଭରା ମେଘର ଗୁରୁ ଗୁରୁ ଧ୍ୱନୀ । ଭୟାବହ ଅନ୍ଧକାରରେ ପୃଥିବୀ ଆଚ୍ଛନ୍ନ । ମଝିରେ ମଝିରେ ବିଦ୍ୟୁତର ଶାଣିତ ଝଟକରେ କରାଳୀ ଭୈରବୀର କାଳ କଟାକ୍ଷ ଆକାଶ । ଅବନୀକି ସନ୍ତ୍ରସ୍ତ କରି ଦେଉଛି ।

 

ନିଜର ସେହି ଛୋଟ କୁଟୀରର ଅନ୍ଧକାର ମଝିରେ ଠିଆହେଇ ଅରୂପ ଏହି ପ୍ରଳୟ ତାଣ୍ଡବ ଆଡ଼େ ଅନେଇ ରହିଛି । ଖୋଲା ଝରକା ଆଉ ଦୁଆର ଦେଇ ଅସରା ଅସରା ବର୍ଷାର ଛିଟିକା ଦେହରେ ବାଜୁଛି ଆସି । ଝଡ଼ର କଠୋର ଆଘାତରେ କବାଟଗୁଡ଼ିକ କମ୍ପି ଉଠୁଛି । ପଥେ ପଥେ ଲାଗିଯାଇଛି ବର୍ଷାର ନିବିଡ଼ ଲୀଳା । କଟକର ଏ ଅଂଶରେ ରାସ୍ତାରେ ପ୍ରାୟ ଆଲୁଅ ଦେଖା ଯାଏନାହିଁ । ସେଥିଯୋଗୁ ଅନ୍ଧକାର ଏଠି ଭୀଷଣ ରୂପ ପରିଗ୍ରହ କରି ବସେ ।

 

ସମଗ୍ର ସହର ଶୋଇ ଯାଇଚି । ଏକା ଜାଗି ରହିଚି ଅରୂପ । ଚିତ୍ତବିକାର ତାର ବାରମ୍ବାର ଘଟିଚି । ମନରେ ବହୁଥର ପ୍ରଶ୍ନ ଉଠିଚି । କିନ୍ତୁ ଉତ୍ତର ପାଇଁ ସେ ଆଦୌ ବ୍ୟାକୁଳତା ପ୍ରକାଶ କରିନାହିଁ । କେବେ ଏ ସବୁର ଅର୍ଥ ଖୋଜି ବସିନାହିଁ । ଆଜିର ଏହି କାଳିମାଚ୍ଛନ୍ନ ଆକାଶ ମନେ ମନେ ସେ ବହୁଥର ପରିକ୍ରମା କରିଯାଉଚି । କେବଳ ସେହି ଗୋଟିଏ ସମସ୍ୟାର ସମାଧାନ ପାଇଁ ସେ ଅଧୀର ହେଇ ଉଠିଚି । ସେଥିପାଇଁ ନିରୁପମା କଠୋର ସଂଗ୍ରାମ କରି ଚାଲିଚନ୍ତି । ନିଜର ସୀମା ଅତିକ୍ରମ କରି ମୃତ୍ୟୁର ପଥ ଧରି ସେ ଆଗେଇ ଯାଉଚନ୍ତି । ଆଜି ତାଙ୍କର ଏହି କାର୍ଯ୍ୟକଳାପକୁ ଅନୀତି କହିବାର ସ୍ପର୍ଦ୍ଧା ଅରୂପର ନାହିଁ । କହିଲେ ସେ ହୁଏତ ଆତ୍ମଦ୍ରୋହୀ ହେବ । ସେ ସମ୍ବନ୍ଧରେ କିଛି ଭାବିବାକୁ ଯାଇ ଏହି ଅସୀମ ପଥ ଆଡ଼େ ଚାହିଁ ଚାହିଁ ସେ ସାହସ ହରେଇ ଦେଇଚି । ଏହି ପଥେ ପଥେ ଗଲେ ଆଖିରେ ପଡ଼ିବ କେଉଁ ଅଖ୍ୟାତ ଗୃହସ୍ଥଳୀ । ସେହି ଗୃହସ୍ଥଳୀର ପ୍ରାଙ୍ଗଣରେ ଅରୂପର ପାଦ ଚିହ୍ନ ଆଉ କେବେ ପଡ଼ିବ ନାହିଁ । ଯାହା ପାଇଁ ସେ ବିପୁଳ ଯଶ ପ୍ରତିଷ୍ଠାର ଅଧିକାରୀ ହେଇପାରିଲା । ତା ନିକଟରେ ଯାଇ ବାରମ୍ବାର କୃତଜ୍ଞତା ପ୍ରକାଶ ପାଇଁ ସେ ସୁଯୋଗ ହରେଇ ଦେଲା । ଅପରାଧ ପାଇଁ ନୁହେଁ, ଅପରାଧ ନେବାର ଆଶଙ୍କାରେ । କେହି ଯଦି ତାକୁ ନିରୁପମାଙ୍କ ସମ୍ବନ୍ଧରେ କିଛି ପଚାରି ବସେ ସେ ହୁଏତ ଆଜି ଏକ ନିର୍ଭୁଲ ଉତ୍ତର ଦେଇପାରିବ । ସେ ଉତ୍ତର ମଣିଷ ନିକଟରେ ଅସ୍ପଷ୍ଟ ନୁହେଁ । ଅସ୍ପଷ୍ଟତା ରହିଚି ତାର ସାମାଜିକ ଆଚରଣରେ । ସେ ଜାଣେ ପ୍ରେମ ସମ୍ପତ୍ତି ଦ୍ଵିଧାଗ୍ରସ୍ତ ନୁହେଁ । ସେ ପ୍ରାଣର । ପ୍ରାଣର କେଉଁ ଅନ୍ତରାଳରେ ସଂଗୋପନରେ ସେ ନିଜର ଆସନ କରିନିଏ । ନିରୁପମାଙ୍କୁ ସେ ଭକ୍ତି କରେ । ଶ୍ରଦ୍ଧା ଦିଏ । ଭଲପାଏ । ତାଙ୍କର ଆଖିର କଟାକ୍ଷରେ, ତାଙ୍କର ଗତିର ଉଦ୍ଦାମତାରେ, ତାଙ୍କ ଚଳନିର ଇଙ୍ଗିତରେ, ତାଙ୍କ ଭାଷାର ଗାମ୍ଭୀର୍ଯ୍ୟରେ, ତାଙ୍କ ପ୍ରାଣର ଚପଳତାରେ ସେ ଖୋଜିପାଏ ଅସୀମ ଅନୁପ୍ରେରଣା । ଆତ୍ମପ୍ରକାଶ ପାଇଁକି ଦୁର୍ଗମ ପଥ ଉପରକୁ ସେ ଓହ୍ଲେଇ ଆସିଲେ । କିନ୍ତୁ ତାହା ସେ ଅତିକ୍ରମ କରି ପାରିଲେ ନାହିଁ ବୋଲି ଭାଙ୍ଗିପଡ଼ିଲେ । କେହି ତାଙ୍କ ଅଭିପ୍ରାୟ ବୁଝିଲେ ନାହିଁ । ସେହି ଅଭିଯୋଗ ଧରି ନିଜ ଉପରେ ସେ ପ୍ରତିଶୋଧ ନେଲେ । ଏଇ ହେଲା ଏ ଜୀବ ସୃଷ୍ଟିର ବିଚିତ୍ର ନିୟମ । ନିରୁପମା ଯେମିତି ଏକ ଧୂପ ପାତ୍ର । ନିଜେ ଜଳି ଅନ୍ୟକୁ ଗନ୍ଧ ବିତରଣ କରିଯିବା ତାଙ୍କର ଧର୍ମ । ସେ ପାତ୍ର ଭରିଛନ୍ତି । କାରଣ କସ୍ତୁରୀର ସ୍ୱଭାବ ହେଲା ଗନ୍ଧ ବାଣ୍ଟିବା । ଫରୁଆ ବନ୍ଦ କରି ରଖିଲେ ବି ଗନ୍ଧ ବିତରଣ କରି ଚାଲିବ । ତାକୁ ନିନ୍ଦା କର, ପାପାଚାର କହ, ଅନୀତି ମନେକର, କିନ୍ତୁ ପ୍ରେମ ଯେ ପାପ ନୁହେଁ ଏକଥା ବା କିଏ ଭାବୁଚି । ନିରୁପମା ନାରୀ । ସେ ହୁଏତ ହେଇପାରି ଥାଆନ୍ତେ ସେ କାଳର ନିତ୍ୟ କିଶୋରୀ ରାଧା । ନ ହେଲେ ସୁଭଦ୍ରା ବା ଗୌରୀ । ପ୍ରଣୟୀର ରଥ ବାହି ସେ ଯୁଗ ଯୁଗ ପାଇଁ କୀର୍ତ୍ତିସ୍ତମ୍ଭ ରଚନା କରିଥାଆନ୍ତେ । କିନ୍ତୁ ତାହା ହେଲାନାହିଁ । ଭାଗ୍ୟର ଚକ୍ରାନ୍ତରେ ସେ ହେଲେ ଦୁର୍ବଳ । ରୁଗ୍‍ଣ ମଣିଷର ସମସ୍ତ ଦାବିକୁ ଅସ୍ୱୀକାର କରି ସାମାଜିକ ସମସ୍ତ ବିଧି ନିଷେଧ ତାଙ୍କୁ ପିଞ୍ଜରାବଦ୍ଧ କରି ଥୋଇଲା । ଆଜି ମହାଶ୍ୱେତାକୁ ଦେଖିବାକୁ ପାଇଲେ ମୁକ୍ତ ସ୍ୱର ତୋଳି ସେ କହିବ, ହୃଦୟ ଖୋଜି ପାଇଚି । ପୃଥିବୀକି ସେହି କଥା ସେ ଜଣେଇ ଦେଉ । ଗୃହିଣୀ ହେଲେବି ତାର ପ୍ରାଣ ବିନିମୟର କ୍ଷମତା ଅଛି । ଶୂନ୍ୟ ହୃଦୟ ପାତ୍ରରେ ସରାଗ ଢାଳି ସେ ବାହାରର ଭକ୍ତିଭାଜନ ହେଇଚି, ଶ୍ରଦ୍ଧା ପାଇଚି ।

 

ଅରୂପ ଆଜି ସ୍ପଷ୍ଟରୂପେ ନିଜକୁ ଚିହ୍ନିପାରିଚି । ନିରୁପମାଙ୍କୁ ସେ ଭଲପାଏ । ଏକାନ୍ତଭାବେ ଭଲପାଏ । ଏହାଠାରୁ ତାର ଆଉ ବଡ଼ ପରିଚିତ କିଛିନାହଁ । ବଡ଼ ଆତ୍ମ ସ୍ୱୀକୃତି ବି କିଛି ନାହିଁ । ମିଛ କହି ତାକୁ ଅସମ୍ମାନ କରିବା ଉଚିତ ନୁହେଁ । ସମାଜ ବ୍ୟବସ୍ଥା ଦେଇ ତାକୁ କଳଙ୍କିତ କରିବା ସମ୍ଭବ ନୁହେଁ । ଅସ୍ୱୀକାର କରିବାକୁ ଗଲେ ସମଗ୍ର ମାନବବାଦର ଅବମାନନା କରାଯିବ । ଦିନର ସ୍ପଷ୍ଟ ଆଲୋକରେ, ସଂସାରର ଅଗଣନ ନରନାରୀର ସମ୍ମୁଖରେ ଛିଡ଼ା ହେଇ ସେ ଆଜି ଉଚ୍ଚସ୍ୱର ତୋଳି କହିବ, କଳିକାର ଧର୍ମ୍ମ ବିକଶି ଉଠିବା । ଫୁଲର ଧର୍ମ ଫଳ ସୃଷ୍ଟିକରି ବୀଜ ରକ୍ଷା କରିବା । ସେଥିଯୋଗୁ କଳିକାର ବିକାଶ କିଏ ନ ଚାହେଁ, କିଏ ନ ଚାହେଁ ନାରୀର ନିବିଡ଼ତା । କିଏ ନ ଚାହେଁ ପରମ ପ୍ରକୃତିର ଘନ ଶ୍ୟାମିଳିମା ।

 

ଅରୂପ ଅନ୍ୟାୟ କରିନାହିଁ । କୌଣସିମତେ ସେ ନୀତିଭ୍ରଷ୍ଟ ହେଇନାହିଁ । ଦୁନିଆ ଯାହାକୁ ଦୁର୍ନୀତି ବୋଲି ଚିତ୍କାର କରି ଉଠିବ, ତାହାହିଁ ଜୀବଧର୍ମ । ସମାଜର ସମସ୍ତ ନୀତି ନିଷ୍ଠାର ବିରୁଦ୍ଧରେ ସେ ଘୋଷଣା କରିବ ସତୀତ୍ଵ ନାରୀଜାତିର ଅନ୍ତର୍ବିଭବ । ବାହାରର ଧୂଳିକଣାରେ ସେ କଳୁଷିତ ହୁଏ ନାହିଁ ।

 

ବାରଣ୍ଡା ତଳେ ବର୍ଷାପାଣିର ଝପ ଝପ ଶବ୍ଦ ସହିତ ପାଦ ଶବ୍ଦ ଶୁଣି ଚମକି ଉଠିଲା ଅରୂପ । ବାରଣ୍ଡା ଉପରକୁ ଧୀରେ ଧୀରେ ଏକ ଛାୟା ମୂର୍ତ୍ତି ଆଗେଇ ଆସିଲା । କିଏ.....ଅରୂପର ତୁଣ୍ଡ ଦେଇ କୌଣସି ଶବ୍ଦ ପ୍ରକାଶ ପାଇଲା ନାହିଁ । ଗଳାବାଟ ଯେପରି ରୁଦ୍ଧ ହେଇ ଆସୁଚି । ଏତେ ରାତିରେ ମଣିଷର ସଂଚାର କେବେହେଲେ କଳ୍ପନା କରି ପାରିନାହିଁ ସେ । ସମଗ୍ର ସହରରେ ତାର ଏମିତି କେହି ଆତ୍ମୀୟ ନାହିଁ ଯିଏକି ତାର ଦୁଃଖରେ ସହାନୁଭୂତି ପ୍ରକାଶ ପାଇଁ ଏ ଦୁର୍ଦ୍ଦିନରେ ଆଗେଇ ଆସିବ । ତାହେଲେ କିଏ ? ଦେବା, ମାନବ ନା ଭୂତ ? ଅରୂପର ପ୍ରାଣ ସ୍ପନ୍ଦନ ଯେପରି ବନ୍ଦ ହୋଇ ଆସିଲା ।

 

ନିଜକୁ ଯଥାସାଧ୍ୟ ସଂଯତ କରି ବିଦ୍ୟୁତର କ୍ଷୀଣାଲୋକରେ ଅରୂପ ଦେଖିଲା ମଣିଷଣର ନାରୀ.ରୂପ । ଦୁଇପାଦ ପଛକୁ ଘୁଞ୍ଚିଆସି ଅରୂପ ପଚାରି ଉଠିଲା, କିଏ ?

 

ମୁଁ........ ମୁଁ........ ମୁଁ........ ନି........

 

ହଠାତ ନାରୀ ମୂର୍ତ୍ତିଟି ଅରୂପର ପାଦତଳେ କଚାଡ଼ି ହେଇ ପଡ଼ିଲା । ଆଉ ତାର ଓଠ କୋଣରେ କୌଣସି ଭାଷା ଫୁଟିଲା ନାହିଁ । ସ୍ତବ୍‍ଧ ଭୟାର୍ତ୍ତ ଅରୂପର ରକ୍ତ ପ୍ରବାହ ଶୀତଳ ହେଇ ଆସିଲା । ସଂଶୟାଚ୍ଛନ୍ନ ମନର ଅନ୍ଧକାର ଭେଦ କରି ମାନବର ସ୍ୱର ତା ନିକଟରେ ପହଞ୍ଚି ପାରିଲା ନାହିଁ । ସେ ପଛକୁ ଘୁଞ୍ଚିବାକୁ ଲାଗିଲା । କିନ୍ତୁ ତାର ପାଦ ଉପରେ ଧୀରେ ଧୀରେ ନାରୀ ହାତର ଶୀତଳ ସଞ୍ଚାର ହେଇ ଆସିଲା ଆଉ କାନ ପାଖରେ ବାରମ୍ବାର ଅଶ୍ରୁର କଇଁ କଇଁ ସ୍ୱର ଧକ୍‍କା ଖାଇବାକୁ ଲାଗିଲା ।

 

ସମ୍ବିତ ଫେରି ପାଇଲା ଅରୂପ । ନିଜର ସମସ୍ତ ଚେତନା ଦେଇ ସେ ଅନୁଭୂତ କଲା ପରମ ପ୍ରକୃତିର ମହାସତ୍ତା । ଜଡ଼ତା ତାର ଭାଙ୍ଗି ପଡ଼ିଲା । ଅନ୍ଧାର ଭିତରେ ଅପରିଚିତାର ହାତ ତୋଳି ନେଇ ସେ ଅସ୍ପଷ୍ଟ ସ୍ୱରରେ ପଚାରିଲା, କିଏ ତମେ........

 

ମୁଁ ନିବେଦିତା........

 

ନିବେଦିତା........

 

ଅରୂପର କଣ୍ଠସ୍ୱରରେ ଯେପରି ସମଗ୍ର ପୃଥିବୀର ବିସ୍ମୟ ଓଜାଡ଼ି ହୋଇ ପଡ଼ିଲା । ହାତ ତାର ସଙ୍କୁଚିତ ହୋଇ ଆସିଲା । ନିର୍ବାକ ଅନ୍ଧକାରର ମଝିରେ କେବଳ ଜାଗି ରହିଲା ଦୁଇଟି ପ୍ରାଣ ସ୍ପନ୍ଦନ ।

 

ଡିଆସିଲି ଜାଳି ମହମବତୀ ଲଗେଇଦେଲା ଅରୂପ । ସେହି ବର୍ଷଣ ମୁଖର ଭୟାବହ ଅନ୍ଧକାର ମଝିରେ ମହମବତୀର କ୍ଷୀଣ ଶିଖା ଯେପରି ଏକ ଦୀର୍ଘ ମାନବିକ ପରି ଜଳି ଉଠିଲା । ଏ ପରିଚିତି ବଡ଼ ମର୍ମାନ୍ତିକ । ଚିରକାଳର ପୁରୁଷ ଏଥିପାଇଁ ବାରମ୍ବାର ଉପେକ୍ଷା ସହି ଆସିଚି । ତଥାପି ତା ତାରୁଣ୍ୟର କେଉଁ ସୁକ୍ଷ୍ମତନ୍ତ୍ରୀରେ ଜାଗି ରହିଚି ଜୀବନର ମୂର୍ଚ୍ଛନା ।

 

ଅରୂପର ଏ ବାସ କାରାବାସ । ରାତି କାହିଁକି ? ଦିନରେ ପ୍ରାୟ ଏଠି କାହାର ପାଦ ପଡ଼େ ନାହିଁ । ବନ୍ଧୁମାନେ ଏ ବନ୍ଦୀ ଗୃହର ସନ୍ଧାନ ଏ ଅବଧି ପାଇ ନାହାନ୍ତି । ଏ ନିର୍ଜନ ବାସ ଅରୂପର ଇଚ୍ଛାକୃତ । ଏଠି ବିରହ ଶଯ୍ୟାରେ ରୂପକଥାର ରାଜକୁମାର ରାତ୍ରି ଜାଗିରହେ । ବିବେକ ମନ୍ତ୍ରୀ ସହିତ ମନ୍ତ୍ରଣା କରେ । ମନ ପକ୍ଷୀରାଜ ଚଢ଼ି ଅଭିଯାନ କରେ ।

 

କିନ୍ତୁ ଆଜି ଅଶ୍ରୁ ନାହିଁ, ବିଚ୍ଛେଦ ନାହିଁ, ନାହିଁ ପରାମର୍ଶ । ଯେଉଁ ନାରୀ ପାଇଁ ସେ ଦିନ ଦିନ ରାତି ରାତି ଧରି ଲୁହ ଢାଳିଚି, କାନ୍ଦିଚି । ବାରମ୍ବାର ନିଜକୁ ପ୍ରଶ୍ନକରି ଉତ୍ତର ଭାବିଚି । ପାପ, ପୁଣ୍ୟ, ଲଜ୍ଜା, ଅସମ୍ଭ୍ରମର ଭୟ ରଖି ନାହିଁ, ଆଜି ପୁଣି ସେହି ନାରୀ ପ୍ରତିମାର ଆବିର୍ଭାବ ହୋଇଚି ତାର ଆଖି ଆଗରେ ଆଉ ଲୁହ ଝରେଇ ହୁଏତ କିଛି ଭିକ୍ଷା ଚାହୁଁଚି ସେ । ଯେଉଁ ଭିକ୍ଷାରେ ନାରୀର ଅଞ୍ଜଳି ଭରି ପୁରୁଷ ଚିରଦିନ ତା ଦୁଆରେ କାଙ୍ଗାଳ ସାଜିଛି । କିନ୍ତୁ କି ଭିକ୍ଷା ଦେବ ଅରୂପ ? ସର୍ବହରା ଅରୂପ ନିକଟରେ କି ଭିକ୍ଷା ପାଇବାର ଆଶାରେ ବା ସ୍ଵପ୍ନପୁରୀର ରାଜବାଳା ଠିଆ ହେଇଚି ଆସି ।

 

ଘରର ଚଟାଣରେ ନିବେଦିତା ଦେହରେ ପାଣି ଝରି ଯାଉଚି । ଶୀତ ପବନ ଆଉ ବର୍ଷାର ଆଘାତରେ ସମସ୍ତ ଦେହ ତାର କମ୍ପି ଉଠୁଚି । ଓଦାଲୁଗା ଭିତରୁ ଫୁଟି ଉଠୁଚି ଯୌବନର ଦୀପ୍ତି । କିନ୍ତୁ ତାହା ଭିତରେ ମସ୍ତ ଏକ କଳା ଛାଇ ।

 

ଆଖିର ପଲକରେ ଅନେକଟା ଯେପରି ଅରୂପ ହୃଦୟଙ୍ଗମ କରି ପାରିଲା । କିଛି ପଚାରିବାକୁ ଅବସର ନାହିଁ । ନିରାଶ୍ରୟ ମାତୃତ୍ୱ ଆଜି ହୁଏତ ନିର୍ଭୟ ଆଶ୍ରୟ ଚାହୁଁଚି । ଯେଉଁ ଆଶ୍ରୟ ଦେବାପାଇଁ ପୁରୁଷ ଯୁଗ ଯୁଗ ଧରି ଅପେକ୍ଷା କରି ଆସିଛି ।

 

କିଛି ଭାବିଲା ନାହିଁ ଅରୂପ । ଏତେକ୍ଷଣ ପରେ ନିଜର କର୍ତ୍ତବ୍ୟ ସେ ଖୋଜି ପାଇଲା । ଏପଟ ସେପଟ ଅନେଇ ନିଜର ଖଣ୍ଡିଏ ଧୋତି କାଢ଼ି ଆଣିଲା । ସଙ୍କୁଚିତ ଭାବରେ ସେ କହିଲା, କିଛି ଭାବିବେ ନାହିଁ । ଆପଣ ଲୁଗା ବଦଳାନ୍ତୁ । ତାପରେ ଯାହା........

 

ନିବେଦିତାର ଓଠ ଦୁଇଟି ଆକୁଳ ଭାଷାର ଆଲୋଡ଼ନ ବାରମ୍ବାର ଥରି ଉଠିଲା । କିନ୍ତୁ ସେ କିଛି କହି ପାରିଲା ନାହିଁ । କେବଳ ତଳକୁ ମୁହଁକରି ସେ ଚୁପ୍‍କରି ଠିଆ ହୋଇ ରହିଲା । ଆଖିର ଲୁହ ଯେମିତି ଆଜି ବନ୍ଦ ହେବ ନାହିଁ ।

 

କଣ୍ଠରେ ଶ୍ରଦ୍ଧାଧରି ଅରୂପ କହିଲା, ଆପଣ ଯେତେବେଳେ ମନେ ପକେଇଚନ୍ତି ଆପଣଙ୍କର ଅରୂପ ବୋଲି କେହି ଜଣେ ଅଛି, ସେ ନିଶ୍ଚୟ ଆପଣଙ୍କୁ ସାହାଯ୍ୟ କରି ପାରିବ । ସେଥିପାଇଁ ଆପଣ କୁଣ୍ଠିତା ହେଲେ କୌଣସି ପ୍ରକାରେ ଚଳିବ ନାହିଁ ।

 

ଅରୂପର ଏହି ଭାଷା ଭିତରେ କେଉଁ ହୃଦୟର ଇଙ୍ଗିତ ଥିଲା କେଜାଣି ନିବେଦିତା ଯନ୍ତ୍ରଚାଳିତ ପରି ଧୋତି ଖଣ୍ଡିକ ତା ହାତରୁ କାଢ଼ିନେଇ ଲୁଗା ବଦଳେଇବାର ଉପକ୍ରମ କଲା । କିନ୍ତୁ ନିଜକୁ ଥରେ ଚାହିଁ ଘୋର ଲଜ୍ଜା ଆଉ ଅପମାନରେ ତିଳ ତିଳ କରି ନିଷ୍ପେଷିତ ହୋଇ ଯାଉଚି-। ବରଂ ଏହାଠାରୁ ମରଣ ତା ପକ୍ଷେ ଶ୍ରେୟସ୍କର ଥିଲା ।

 

କିନ୍ତୁ ନିବେଦିତା ମରିପାରି ନାହିଁ । ହୁଏତ ସେ ମରିବ । କିନ୍ତୁ ନିଜର ଦୁଃଖ ଭାରକୁ ଭାଷାରେ ପ୍ରକାଶ କରି ଲାଘବ କରି ପାରିଲେ ମୃତ୍ୟୁ ତାର ଶାନ୍ତି ହେବନାହିଁ । ଶ୍ଵସ୍ତିର ହେବନାହିଁ । ସେଥିଯୋଗୁ ସେ ଏ ଝଡ଼ ତୋଫାନ ମଝିରେ ଆସି ଠିଆ ହେଇଚି । ନିଜର ସମସ୍ତ ଲଜ୍ଜା, ଅଶ୍ରୁକୁ ଉପେକ୍ଷା କରି ସେ ଆଜି ସଭ୍ୟମଣିଷର ଭଦ୍ର ଆଚ୍ଛାଦନକୁ ଖୋଲି ଦେଇଯିବ । ମରିବା ପୂର୍ବରୁ ସେ ପ୍ରତି ମଣିଷର ହୃଦୟରେ ଲିପିବଦ୍ଧ କରି ଦେଇଯିବ ନିର୍ମମ ଆଦିମ ପାଶବିକ କାହାଣୀ । ପ୍ରମାଣ କରିଦେଇ ଯିବ ଆଜି ସୁଦ୍ଧା ମଣିଷ ସେହି ଅସଭ୍ୟ ବଣ୍ୟପଶୁର ସ୍ତର ଭେଦକରି ପାରିନାହିଁ । ଏତେ ବିଚାର, ଏତେ ବିଶ୍ଳେଷଣ ପରେ ମଧ୍ୟ ଆହତ ନାରୀତ୍ୱ ନୀରବରେ ଅଶ୍ରୁ ବିସର୍ଜନ କରିଚାଲିଚି, ଅବୈଧ ମାତୃତ୍ୱ ଆତ୍ମ ସ୍ୱୀକୃତି ପାଇଁ ବ୍ୟାକୁଳ ହେଇଉଠୁଚି ।

 

ଏଠି ଆଉ ଭାଷାର ପ୍ରୟୋଜନ ନାହିଁ । ନିଜ ହାତରେ ନିବେଦିତାର ଲୁହ ପୋଛି ଦେଲା ଅରୂପ । ନୂତନତ୍ୱ କିଛି ନାହିଁ । ଅନେକଥର ସେ ମହାଶ୍ଵେତାର ଲୁହ ପୋଛି ଦେଇଚି । ନିରୁପମାଙ୍କ ସ୍ୱରରେ ସ୍ୱର ମିଶେଇ ସେ କାନ୍ଦିଚି । କିନ୍ତୁ ଆଜି ଏହି ସଜୀବ ମୁହୂର୍ତ୍ତରେ ଦାରୁଣ ଅତୀତ ତାକୁ ବିଚଳିତ କଲେ ମଧ୍ୟ ତାର ହାତ କମ୍ପି ଉଠିଲା ନାହିଁ କିମ୍ବା କୌଣସି ଚିତ୍ତ ବିକାର ଦେଖାଗଲା ନାହିଁ-। କେତେ ଦିନ ତଳେ ଯେତେବେଳେ ନିଜର ପିତୃତ୍ୱକୁ ସ୍ୱୀକାର କରି ସେ ମହାଶ୍ଵେତା ମାତୃତ୍ୱର ସମ୍ମାନ କରିବାକୁ ଆଗେଇ ଯାଇଥିଲା ସେତେବେଳେ ସେ ଆଘାତ ପାଇ ଲୁହ ଢାଳିଥିଲା-। କିନ୍ତୁ ଆଜି ଠିକ୍ ସେଇ ଭୂମିକାରେ ଆସି ଠିଆ ହେଇଚି ନିବେଦିତା । ହୁଏତ କେହି କାପୁରୁଷ ତା ମାତୃତ୍ୱର ଅମର୍ଯ୍ୟାଦା କରିଚି । ନୂଆ କିଛି ନୁହେଁ । ପୃଥିବୀର ନିତ୍ୟ ନୈମିତ୍ତିକ ଘଟଣାର ପୁନରାବୃତ୍ତି ମାତ୍ର । ତଥାପି ଉପେକ୍ଷିତ ପିତୃତ୍ୱ ଆଜି ଚାହେଁ ଲାଞ୍ଛିତ ମାତୃତ୍ୱର ସମ୍ମାନ-। ଚାହେଁ ସନ୍ତାନର ସ୍ପର୍ଶ । ଚାହେଁ ମଣିଷ ଶିଶୁର ଆଲିଙ୍ଗନ ।

 

କିନ୍ତୁ ନିବେଦିତା ଯେପରି ନିଜର ଭାବନାକୁ ସହିପାରିଲା ନାହିଁ । ଜୀବନର ସମସ୍ତ ଲାଞ୍ଚନା, ଅସହାୟତା ତାର ଦେହଟାକୁ ବାରମ୍ବାର ଦୋହଲେଇ ଦେଲା । ନିଜକୁ ଆୟତ୍ତ କରିବା ଆଉ ସମ୍ଭବ ନୁହେଁ । ଥର ଥର ସେ ପୁଣି ଅରୂପର ପାଦ ତଳେ କଚାଡ଼ି ହେଇ ପଡ଼ିଲା । ଘନ ଘନ ଅଶ୍ରୁର ଉଲ୍ଲାସ ଭିତରେ ଦେହ ଶୀତଳ ହେଇ ଆସିଲା ।

 

ଏ ଏକ ଅନନଭୂତ ପରିସ୍ଥିତି । ତଥାପି ଅରୂପ ଧୈର୍ଯ୍ୟ ହରେଇଲା ନାହିଁ । ମନର ସେତୁବନ୍ଧ ଉପରେ ତାର କେତେ ନିରାଶ, ଅଶ୍ରୁ, ଆନନ୍ଦ, ବିଭବର ଲୀଳା ହେଇଯାଇଚି । ଦେଖି ଦେଖି ସେ ଯେ ତାର ମୁଗ୍‍ଧ ସ୍ତାବକ ପାଲଟି ନଯାଇଚି ଏହା ନୁହେଁ । କିନ୍ତୁ କେବେ ତାର ଅଧୀରତା କେହି ଲକ୍ଷ୍ୟ କରିନାହିଁ । ସମସ୍ତ ଅବସ୍ଥା ଆଉ ସମୟରେ ଅରୂପ ରହିଯାଇଚି ଶାନ୍ତ, ସଂଯତ । ଆଜି ଆଉ ତାର ବ୍ୟତିକ୍ରମ କରି କୌଣସି ବିଲକ୍ଷଣ ପ୍ରକାଶ କଲେ ଚଳିବ ନାହିଁ । ସ୍ଥିର ପଦରେ ଠିଆ ହେଇ ସମଗ୍ର ଜୀବନର ସୁଖ ଦୁଃଖକୁ ଅଭିନନ୍ଦନ ଜଣେଇବାକୁ ହେବ ।

 

ଆଜି ଏହି ନିର୍ଜନ ପୃଥିବୀର କେଉଁ ଅନୁକୋଣରେ ବସି ବସି ଅରୂପ ଏକ ନିର୍ଯାତିତ ନାରୀତ୍ୱକୁ ସମ୍ମାନ ଜଣେଇଲା । ଦୁନିଆ ତାର କୌଣସି ଖବର ରଖିଲା ନାହିଁ । ନ ରଖୁ । ସେଥିପାଇଁ ଅରୂପର ଦୁଃଖ ନାହିଁ । ସେ ପୁରୁଷ । ନାରୀର ମର୍ଯ୍ୟାଦା ରକ୍ଷା କରିବା ତାର ଧର୍ମ ।

 

ଝଡ଼ର ବେଗ କମି ଆସିଲା । ପାହାନ୍ତି ତାରା ଧୀରେ ଧୀରେ ଆକାଶ ଅଙ୍ଗନରେ ଉଠିଆସିଲାଣି । ରାତି ଶେଷ ହେଇ ଆସୁଚି । ନିବେଦିତାର କଥା ମଧ୍ୟ ଶେଷ ହେଇ ଆସିଲାଣି । ଅରୂପର ଦୁଇଟି ବିସ୍ମୟ ବିସ୍ଫାରିତ ଆଖି ତାର ଲଚ୍ଛାନତ ଆଖି ଉପରେ ସ୍ଥିର ହେଇ ଯାଇଚି ।

 

ଖୋଲା ଝରକା ଦେଇ ଶେଷ ରାତିର ଶୀତଳ ପବନ ପ୍ରତି ଅଙ୍ଗ ପ୍ରତ୍ୟଙ୍ଗରେ ସଞ୍ଚରି ଯାଉଚି । ଗୋଟିଏ ବିଛଣାର ଏକ ପାଖରେ ଅରୂପ ଅନ୍ୟ ପାଖରେ ନିବେଦିତା । ଯେମିତି ଦୁଇଟି ଖୋଦିତ ପ୍ରସ୍ତର ମୂର୍ତ୍ତି । କେଉଁ ନିପୁଣ ଶିଳ୍ପୀର କଳା ନୈପୁଣ୍ୟ ତାଙ୍କର ଅଙ୍ଗେ ଅଙ୍ଗେ ଫୁଟି ଉଠିଚି । ଏକ ଗଭୀର ଦୀର୍ଘ ଶ୍ୱାସ ଟାଣି ଅରୂପ କହିଲା, ଯାଃ ଅନେକ ଦିନୁ ଗୋଟାଏ ଧାରଣା ଉପରେ ଦୁନିଆଟା ଦୃଢ଼ ପଦରେ ଠିଆ ହେଇଥିଲା । ଆପଣ ତା ହେଲେ ଉମାଶଙ୍କରବାବୁଙ୍କର ପାଳିତା କନ୍ୟା ।

 

ଜଡ଼ିତ ସ୍ୱରରେ ନିବେଦିତା କହିଲା, ସେ ଦୁଇଜଣ ଏବଂ ଆପଣଙ୍କ ଛଡ଼ା ଏ ଖବର ଆଉ କେହି ଜାଣେନା । ହୁଏତ ଜାଣିବେ ନାହିଁ । ଯେଉଁପଥ ଧାରାରୁ ସେମାନେ ଗୋଟେଇ ନେଇଥିଲେ ଆଜି ପୁଣି ସେହି ପଥପାର୍ଶ୍ଵରେ ଇଚ୍ଛାକରି ଫିଙ୍ଗି ଦେଇଛନ୍ତି ।

 

କିଛିକ୍ଷଣ ନିର୍ବାକ ହେଇ ବସି ରହିଲା ଅରୂପ । ତାପରେ ରହି ରହି କହିଲା, ସେଦିନ ପରି ପାଦ ତଳର ମାଟି ଆଜି ଆଉ ସ୍ନିଗ୍‍ଧ ନୁହେଁ ପୁଣି ସେହି ପଥକ୍ଳେଶ । ପୁଣି ଜୀବନର ସେହି ଦୁର୍ବାର ଅଭିଯାନ........

 

କିନ୍ତୁ........

 

ହଠାତ ନିବେଦିତାର ଗଳା ରୁଦ୍ଧ ହେଇ ଆସିଲା । ଅରୂପ କହିଲା, ଦୁଃଖ କରିବାର ସମୟ ଏ ନୁହେଁ । ପଛକୁ ଫେରି ଚାହିଁବାକୁ ଅବସର ନାହିଁ ଆଉ । ଆପଣ ନାରୀ ପୁଣି ମା ହେବାକୁ ଯାଉଛନ୍ତି । ଆପଣଙ୍କର ଦାୟିତ୍ୱ କମ ନୁହେଁ........

 

 

ନିବେଦିତା ଆଉ ନିଜକୁ ଆୟତ୍ତ କରିପାରିଲା ନାହିଁ, ଅନୁଶୋଚନାର ଅଶ୍ରୁ ଆଉ ଆତ୍ମଗ୍ଲାନିରେ ସେ ବିଛଣାରେ ଲୋଟିପଡ଼ିଲା ସତେ ଯେପରି ବାରମ୍ବାର ଲୁହ ଢାଳି ସେ ସର୍ବଂସହା ଜନନୀର ଆଶ୍ରୟ ଭିକ୍ଷା କରୁଚି ।

 

ଏ ଏକ ହୃଦୟ ବିଦାରକ ଦୃଶ୍ୟ । ଦିନେ ଏହି ନାରୀର ଅପମାନ ଆଉ ଅସଂଭ୍ରମରେ ବସୁଧାର ବୁକୁ ବିଦୀର୍ଣ୍ଣ ହେଇ ଯାଇଥିଲା । ଅରୂପ ଆଉ ସ୍ଥିର ରହିପାରିଲା ନାହିଁ । ନାରୀଠାରୁ ନିର୍ଯ୍ୟାତନା ସେ ସହିଛି କିନ୍ତୁ ଯେଉଁ ନାରୀର ସାଧନାରୁ ତାର ଜନ୍ମ, ଯେଉଁ ନାରୀର ଇଙ୍ଗିତରେ ସମଗ୍ର ବିଶ୍ଵଜୀବନ ନିୟନ୍ତ୍ରିତ ଆଜି ସେହି ନାରୀ ପ୍ରତିମାର ଲାଞ୍ଚନା ସେ ସହି ପାରିବ ନାହିଁ । ଗର୍ଭରେ ତାର ପୁଣି ମହା ପ୍ରାଣବିନ୍ଦୁ । ଅକ୍ଷୟ ଅବିନାଶ ଆତ୍ମ କିଣିକାକୁ ବହନ କରି ନାରୀ ଆଜି ସୃଷ୍ଟିଶୀଳା । ସୃଷ୍ଟି ତାର ଧର୍ମ୍ମ ଆଉ ସେହି ସୃଷ୍ଟିର ନିରାପଦ ରକ୍ଷଣଭାର ସଂପୂର୍ଣ୍ଣ ପୁରୁଷର ।

 

ଅରୂପ ପୁରୁଷ । ଜୀବଧର୍ମ କାହାକୁ କହନ୍ତି ସେ ଜାଣେ । ନିବେଦିତା ହୁଏତ ନିଜର ଅଲକ୍ଷ୍ୟରେ ତାର ଆଶ୍ରୟ ଚାହୁଁଛି । ଯେଉଁ ଅବ୍ୟୟ ଆତ୍ମାର ବିକାଶ ପାଇଁ ସେ ପ୍ରାଣୋତ୍ସର୍ଗ କରିବାକୁ ତତ୍‍ପର ଥିଲା, ଆଜି ଆସି ସେ ତାର ସାହାଯ୍ୟ କାମନା କରୁଚି । ଏଠି ଆଉ କର୍ତ୍ତବ୍ୟ ଭୁଲିଲେ ଚଳିବ ନାହିଁ ।

 

ନିବେଦିତାକୁ ତୋଳି ଧରି ଅରୂପ କହିଲା, ଏଥିରେ ଲଜ୍ଜା କରିବାର କିଛିନାହିଁ । ଆପଣ ଆଜି ସେଦିନର ସେହି ନା ବାଳିକା ସ୍ତର ଭେଦ କରି କଠିନ ଆତ୍ମଦୃଢ଼ତା ଉପରେ ଠିଆ ହେଇଚନ୍ତି-। ନିଜର ସ୍ଥିତି ନିର୍ଣ୍ଣୟ କରିବାର ଯୋଗ୍ୟତା ଆପଣଙ୍କର ଅଛି । ନିଜ ମାତୃତ୍ୱର ବିକାଶ କରି ସମଗ୍ର ପୃଥିବୀକି ନିଜର ପରିଚୟ ଦେଇ ଯାଆନ୍ତୁ ।

 

ଆର୍ଦ୍ର ଗଳାରେ ନିବେଦିତା କହିଲା, କେମିତି ତାହା ସମ୍ଭବ ହେଇ ପାରିବ ?

 

ନିଜେ ବଞ୍ଚନା ଭୋଗି ଜାଣିଚନ୍ତି ବଞ୍ଚନା କେଡ଼େ ମର୍ମନ୍ତୁଦ । ଗୋଟିଏ ବିକାଶନ୍ମୁଖୀ ଆତ୍ମ କଳିକାକୁ ସମଗ୍ର ବିଶ୍ଵ ଆଲୋକରୁ ବଞ୍ଚିତ କରି ଆପଣ ସ୍ପଷ୍ଟି ଧର୍ମ ଅବମାନନା କରିବାକୁ ଯାଉଚନ୍ତି ।

 

ନିବେଦିତା ଚୁପ କରି ମୁହଁ ପୋତି ରହିଲା । ଅରୂପ କହିଲା, ବୁଝୁଚି । ଆପଣ ଗଭୀର ଲଜ୍ଜା ଆଉ ନୈରାଶ୍ୟର ମଝିରେ ଜ୍ଞାନ ଶୂନ୍ୟ ହେଇ ଉଠିଚନ୍ତି । ଆପଣଙ୍କର ପୂର୍ବବର୍ତ୍ତୀ ଯେଉଁ ପରିଚୟ ଧରି ଆପଣ ସମସ୍ତ ଜଣ ସମାଜ ଆଗରେ ଠିଆ ହେବେ ତାହାହିଁ ମହିମାମୟ ନାରୀତ୍ୱ ।

 

କିନ୍ତୁ ଆପଣ ଜାଣନ୍ତି ନାହିଁ ଯେ ଏଥିପାଇଁ ପୁରୁଷର ସହଯୋଗ ଏକାନ୍ତ ଆବଶ୍ୟକ ।

 

ଏତେ ସମୟ ପରେ ତୁଣ୍ଡ ଖୋଲିଲା ନିବେଦିତା । ଅଶ୍ରୁସଜଳ କଣ୍ଠରେ କହିଲା, କଦର୍ଯ୍ୟ ଆତ୍ମଗ୍ଲାନି ଆଉ ବୀଭତ୍ସ ପାପାଚାର ଭିତରେ ଯେଉଁ ମହା ଆତ୍ମାର ବିକାଶ ହେବାକୁ ଯାଉଛି ମୁଁ ତାକୁ ପୃଥିବୀ ପୃଷ୍ଠକୁ ନିମନ୍ତ୍ରଣ କରି ଆଣିବି ନାହିଁ । ନାରୀ ହେଇ ମଧ୍ୟ ମୁଁ ଆଜି ଏହି ଅତ୍ୟାଚାରିତ, କୁତ୍ସିତ ମାତୃତ୍ୱ ଚାହେଁ ନାହିଁ । ପୁରୁଷର ସ୍ୱୀକୃତି ନ ଥାଇ ଏ ସଂସାରରେ ମାତୃତ୍ୱ ଯେ ଏକ ଦୁର୍ଲଂଘ୍ୟ ଅଭିଶାପ, ତାହା ଆପଣଙ୍କୁ ବୁଝେଇବାକୁ ପଡ଼ିବ ନାହିଁ । ମାସ ମାସ ଧରି ରକ୍ତ କ୍ଷୟ କରି ଯେଉଁ ସନ୍ତାନକୁ ମୁଁ ଗର୍ଭରେ ଧାରଣ କରିଚି ସେ ବରଂ ସେହି ଭ୍ରୁଣର ଅନ୍ଧକାର ସୀମା ଭିତରେ ପଚି ଶଢ଼ି ନଷ୍ଟ ହେଇଯାଉ । ତାର ଲାଞ୍ଛନା ମୁଁ ସହିପାରିବି ନାହିଁ ।

 

ଦୁଃଖ, କ୍ଷୋଭ, ଲଜ୍ଜାରେ ନିବେଦିତାର ସ୍ୱର ଅସ୍ପଷ୍ଟ ହେଇ ଆସିଲା । ନିଜର ସମସ୍ତ ସଂଯମ ହରେଇ ନିବେଦିତାର ଅଚେତନ ଦେହ ପୁଣି ବିଛଣା ଉପରେ କଚାଡ଼ି ହେଇପଡ଼ିଲା ।

 

କିନ୍ତୁ ଅରୂପ ନିଜର ଦୃଢ଼ତା ହରେଇ ପାରିଲା ନାହିଁ । ଏ ନାରୀ ମହାଶ୍ଵେତା ନୁହେଁ, ସର୍ବଜୟା ନୁହେଁ, ଏଠି ପ୍ରଣୟ ଅଶ୍ରୁର ବନ୍ଧନ ନାହିଁ । କୁତ୍ସିତ ଚିତ୍ତବିକାର ଆଉ ଆଘାତ ନାହିଁ । ଅଛି କେବଳ ମାନବିକ କର୍ତ୍ତବ୍ୟବୋଧ । ଯାହାର ବେକମୋଡ଼ି ପିତୃତ୍ୱର ଆବରଣ ତଳେ ଉମାଶଙ୍କର ବାବୁ ଆତ୍ମଗୋପନ କରିଚନ୍ତି । ବୀଭତ୍ସ ଲାଳସା ଆଉ ବୁଭୁକ୍ଷା ତାଙ୍କୁ ବହୁତଳକୁ ଖସେଇ ଦେଇଚି ହୁଏତ ଏକଥା କେହି ଜାଣିବେ ନାହିଁ । ନବୀନ ସୂର୍ଯ୍ୟର ବିକାଶରେ ସମସ୍ତେ ଦେଖିବେ ନିବେଦିତା ନାହିଁ । ସ୍ନେହାନ୍ଧ ପିତାମାତାଙ୍କୁ କନ୍ଦେଇ ନିବେଦିତା ମରଣର ନିଗଡ଼ରେ ବନ୍ଦୀ ହୋଇଛି । ଚୌଧୁରୀ ଦଂପତ୍ତି ଲୁହ ଢାଳି ଆତ୍ମୀୟ ସ୍ଵଜନରେ ସାନ୍ତ୍ୱନା ପାଇବେ । ସେଇ ଯଥେଷ୍ଟ । ଏଥିରେ ପୁଣି ସହଯୋଗ କରିଚନ୍ତି ଶ୍ରୀମତୀ ଚୌଧରୀ । ବ୍ୟଭିଚାରୀ ସ୍ୱାମୀର କୁତ୍ସିତ କାମନାଗ୍ନିରେ ସେ ନିଜର ଆଶ୍ରିତା ବାଳିକାଟିକି ଆହୁତି ଦେବାକୁ କୁଣ୍ଠବୋଧ କରି ନାହାନ୍ତି । ଗର୍ଭପାତ ପାଇଁ ସେହି ଅସହାୟ ହାତରେ ପୁଣି ଔଷଧ ଆଣି ଦେଇଚନ୍ତି ନିଜେ ଶ୍ରୀମତୀ ଚୌଧୁରୀ । ଆଉରି ମଧ୍ୟ ମାଡ଼ ମାରି ବାଧ୍ୟ କରିଚନ୍ତି ।

 

ଧନ୍ୟ ନାରୀ । ଅରୂପ ଆଖିରେ ନାରୀ ଥିଲା ପୃଥିବୀ । ନାରୀ ଥିଲା ଶତରୁପା । କିନ୍ତୁ ନାରୀ ଭିତରେ ଯେ ଦାନବୀୟ ବେଶ୍ୟାବୃତ୍ତି ଜାଗିରହିଚି ଏ ଅଭିଜ୍ଞତା ନୂଆକରି ଅର୍ଜ୍ଜନ କରୁଚି ଅରୂପ । ହୁଏତ ଏଇଠି ଠୁଳ ହେଇଚି ସୃଷ୍ଟିର ଅଭେଦ୍ୟ ରହସ୍ୟ ।

 

ତଥାପି ଅରୂପ ଆଜି ନାରୀର ମର୍ଯ୍ୟାଦା ରକ୍ଷା କରିବ । ତାର ପାଦ ତଳେ ମାତୃପୂଜା ଦେବ । ତାର ସାଧନାକୁ ସମ୍ମାନ ଜଣେଇବ ।

 

ନାନା ଉପଚାର ପ୍ରୟୋଗ କରି ନିବେଦିତାର ଚେତନା ଫେରି ଆସିଲା । କାନ୍ତ ଆଖି ଖୋଲି ଧୀରେ ଧୀରେ ଅନେଇଲା ସେ । ପାଖରେ ଅରୂପ ନାହିଁ । ହୁଏତ ଏଥି ଭିତରେ ସେ କୁଆଡ଼େ ଅନ୍ତର୍ହିତ ହୋଇ ଯାଇଚି । ଅଦ୍‍ଭୁତ ଜୀବ ନିଶ୍ଚୟ ! ! କବି ମଣିଷ ନା ! ସେଥିଯୋଗୁ ଭାବପ୍ରବଣତା ବହୁତ ବେଶୀ ।

 

ବିଛଣାରେ ଭରାଦେଇ ଆସ୍ତେ ଆସ୍ତେ ଉଠିବସିଲା ସେ । କେଉଁଠି ଥିଲା ଅରୂପ । ଆଖିର ପଲକରେ ଯେମିତି ଛୁଟି ଆସି ନିବେଦିତାର ଖୁବ୍‍ ନିକଟରେ ବସି ପଡ଼ିଲା । ଏ କେତେ ସମୟ ଧରି ସେ ଯେପରି ଏକ ଗୁରୁତର ବିଷୟରେ ଚିନ୍ତା କରୁଥିଲା ।

 

ନିଜ ହାତରେ ସର୍ବତ ତିଆରି କରି ନିବେଦିତାକୁ ପିଆଇ ଦେଲା ଅରୂପ । ଧୀରେ ଧୀରେ ତା କପାଳରେ ହାତ ବୁଲେଇ ଚୁନାବାଳ ଗୋଟେଇ ଦେଲା । ଏତେ ଥଣ୍ଡାରେ ବି ନିବେଦିତାର କପାଳରେ ଶ୍ରମବିନ୍ଦୁ ଫୁଟି ଉଠିଚି । କିନ୍ତୁ ଏ ପର୍ଯ୍ୟନ୍ତ ତା ଭିତରେ ସ୍ୱାଭାବିକ କ୍ରିୟାଶୀଳତା ଆସିନାହିଁ । ଯେମିତି ଏକ ନିଷ୍କ୍ରିୟ ଜଡ଼ବସ୍ତୁ । ଆଚରଣରେ ଊତ୍ସାହ ସୃଷ୍ଟିକରି ଅରୂପ କେବଳ ତା ଆଡ଼େ ଚାହିଁ ରହିଲା ।

 

ଧୀରେ ଧୀରେ ବିଛଣାରୁ ଓହ୍ଲେଇ ତଳେ ଠିଆ ହେଲା ନିବେଦିତା । ଅରୂପର ପାଦଧୂଳି ମୁଣ୍ଡରେ ଲଗେଇ ଆର୍ଦ୍ରସ୍ଵରରେ କହିଲା,ଏ କରୁଣ କାବ୍ୟ ହୁଏତ ଚିରଦିନ ପାଇଁ ଲୋକଲୋଚନର ଅନ୍ତରାଳରେ ରହି ଯାଇ ଥାଆନ୍ତା । କିନ୍ତୁ ତାର ଯେ ଜଣେ ପାଠକ ଦରକାର ଏ ଅଭାବ ମୁଁ ନିବିଡ଼ ଭାବରେ କରୁଥିଲି । ସେ ଅଭାବ ମୋର ଦୂର ହୋଇଚି । ଆଉ ଏହି ଶେଷ ମୁହୂର୍ତ୍ତରେ ମୁଁ ନିଜକୁ ସାନ୍ତ୍ୱନା ଦେଇ ପାରିବି ଯେ ଜଣେ ଉପଯୁକ୍ତ ପାଠକ ଖୋଜି ପାଇଚି । ଏହାହିଁ ମୋର ପରମ ଶାନ୍ତି-। ଏଥର ମତେ ବିଦାୟ ଦିଅନ୍ତୁ । ମୋର ଯିବାର ସମୟ ହୋଇଚି ।

 

ଅରୂପର ତୁଣ୍ଡଦେଇ ହଠାତ କୌଣସି ଉତ୍ତର ଆସିଲା ନାହିଁ । ସେ କେବଳ ସ୍ତବ୍‍ଧ ହୋଇ ବସି ରହିଲା । ଆକାଶର ଅଙ୍ଗନେ ଅଙ୍ଗନେ ସେତେବେଳେ ଉଷାର ସ୍ଵର୍ଣ୍ଣଆଭା ଫୁଟି ଉଠିଲାଣି । ଆଖପାଖ ଗଛ ଡାଳରେ ପ୍ରଭାତପକ୍ଷୀ ଡେଣା ଝାଡ଼ି ଜାଗି ଉଠିଲେଣି । ଅନନ୍ତ ଆକାଶ ଏହିକ୍ଷଣି ସେମାନଙ୍କୁ ଡାକଦେବ । କେହି କେହି ଶୁଭ ପ୍ରଭାତର ଆବାହନୀ ସଙ୍ଗୀତର ସୁର ଧରିଚନ୍ତି । କିଛିକ୍ଷଣ ପରେ ନଦୀ କୂଳେ କୂଳେ ସୂର୍ଯ୍ୟର ବନ୍ଦନା ସଭା ବସିଯିବ । ସୁନ୍ଦର, ସଜଳ ସକାଳ । ପ୍ରକୃତିର ଏହି ଅସୀମ ଶୋଭା, ସମ୍ପଦ ଭିତରେ ଆକଣ୍ଠ ନିମଗ୍ନ ରହି ସ୍ଵପ୍ନଥିତ ପରି ଅରୂପ ଡାକିଲା, ନିବେଦିତା ଦେବୀ........

 

କହନ୍ତୁ........

 

ନିବେଦିତାର ଦୁଇହାତ ଧରି ଅରୂପ କହିଲା, କୁଆଡ଼େ ଯିବେ ? ଭୁଲଦେଇ ଭୁଲକୁ ସଂଶୋଧନ କରାଯାଏନା । ଆପଣ ନାରୀ, ଭଗିନୀ, ଜନନୀ, ପ୍ରିୟା । ମୁଁ ଆଶୀର୍ବାଦ କରୁଛି କ୍ରୟରୂପ ଆପଣଙ୍କର ବିକାଶ ଲାଭକରୁ । ବାତ୍ସଲ୍ୟ ଆଉ ତ୍ୟାଗ ଦେଇ ଆପଣ ପ୍ରେମକୁ ସାର୍ଥକ କରନ୍ତୁ ।

 

ନିବେଦିତାର ଦୁଇ ଆଖିରୁ ଝର ଝର ଲୁହ ଝରି ଆସିଲା । ଅଶ୍ରୁଜଡ଼ିତ ସ୍ୱରରେ ସେ କହିଲା, ସ୍ନେହ କଣ ମୁଁ ଜାଣେ ନାହିଁ । ଯେଉଁ ନାବାଳିକା କନ୍ୟା ପିତୃମାତୃହୀନ ଅବସ୍ଥାରେ କଲିକତାର ଗଳି କନ୍ଦିରେ ହାତ ପାତୁଥିଲା , ତା ନିକଟରେ ତା ରୂପଟା ହିଁ ଥିଲା ମୂଲ୍ୟବାନ । ବାତ୍ସଲ୍ୟ ତା ନିକଟରେ ଉତ୍କଟ ଛଳନା ଆଉ କେତେଟା ବିଶିଷ୍ଟ ଅଙ୍ଗଭଙ୍ଗୀର ରୂପନେଲା । ପ୍ରେମ କଣ ବୁଝିବାକୁ ଅବସର ଆସିବା ପୂର୍ବରୁ ସେ ଗର୍ଭରେ ଧାରଣ କଲା ଏକ କଳୁଷିତ ରକ୍ତବିନ୍ଦୁ । ଧିକୃତ ଅନୁଶୋଚନା ଆଉ ବୀଭତ୍ସ ଅଭିଜ୍ଞତା ଭିତରେ ସେ ଯେଉଁ ସନ୍ତାନର ଜନନୀ ହେବାକୁ ଯାଉଚି ସେ ସନ୍ତାନ ତା ନିକଟରେ ବାସ୍ତବ ନୁହେଁ, ଦୁଃସ୍ୱପ୍ନ ମାତ୍ର ।

 

ଅରୂପ ଜବାବ ଦେଲାନାହିଁ । କେବଳ କଣ ଯେପରି ନିବିଷ୍ଟ ଚିତ୍ତରେ ଭାବିବାକୁ ଲାଗିଲା । ନିବେଦିତା କହିଲା, ଆଉ ମତେ ଅପରାଧ ଦିଅନ୍ତୁ ନାହିଁ । ମା ହୋଇ ଅସ୍ୱୀକୃତିର ସମସ୍ତ ଲାଞ୍ଚନା ଆଉ ଅଭିଶାପ ମୁଁ ତାର ମୁଣ୍ଡ ଉପରେ ନଦି ଦେଇ ପାରିବି ନାହିଁ ।

 

ଦୃଢ଼ ମୁଷ୍ଟିରେ ନିବେଦିତାର ହାତ ଚାପିଧରି ଅରୂପ କହିଲା, କେହି ଯଦି ତାକୁ ସ୍ୱୀକାର କରି ପାରିଲା...

 

କିଏ.... ?

 

ଅବାକ ହୋଇ ଅରୂପକୁ ଚାହିଁରହିଲା ନିବେଦିତା । ତାପରେ କଇଁ କଇଁ ହୋଇ କାନ୍ଦିଉଠିଲା । କାନ୍ଦିବା ଭିତରେ ସେ ପୁଣି କହିଲା, କ୍ଷମା କରନ୍ତୁ ମତେ । ଲାଞ୍ଚନାଠାରୁ ଅନ୍ୟର ଦୟା ଆଉରି ମର୍ମାନ୍ତିକ ।

 

ପୁଣି ଭୁଲ କରୁଚନ୍ତି.....

 

ନିବେଦିତାର ଲୁହପୋଛି କଣ୍ଠରେ ସ୍ନେହଭରି ଅରୂପ କହିଲା, ଦୟା ନୁହେଁ । ବରଂ କହନ୍ତୁ ଆକର୍ଷଣ । ଏ ଆକର୍ଷଣ ବିଷମ । ଅକୃତ୍ରିମ ଆଉ ଚିରନ୍ତନ । ଏ ଆକର୍ଷଣ ସୂର୍ଯ୍ୟ ଆଉ ପୃଥିବୀର । ଫୁଲ ଆଉ ପ୍ରଜାପତିର, ଜ୍ୟୋତ୍ସ୍ନା ଆଉ ଜଳ ତରଙ୍ଗର ।

 

ହେଇପାରେ । କିନ୍ତୁ ଫୁଲର କଣ୍ଟା କେହି ଚାହେଁ ନାହିଁ ।

 

ଚାହେଁ ନାହିଁ ସତ । କିନ୍ତୁ ମାନବର ସୃଜନକାମୀ ଆତ୍ମା ଚାହେଁ ସୃଷ୍ଟିର ବିକାଶ । ଫୁଲ, ଫଳ, ବୀଜ । ବୀଜ ରକ୍ଷା କରିବାର ପ୍ରବୃତ୍ତି ପୁରୁଷର ଚିରନ୍ତନ ।

 

ଦୂରରୁ ସକାଳ ଗାଡ଼ିର ଶବ୍ଦ ଶୁଭୁଚି । କିନ୍ତୁ ସହରର ନିଦ ଭାଙ୍ଗିନାହିଁ । ଯେମିତି ରାତି ଉପଭୋଗର ଶ୍ରାନ୍ତିପରେ ସମଗ୍ର ସହର ଶୋଇ ରହିଚି । ସେହିଆଡ଼େ ଦୃଷ୍ଟି ରଖି ନିବେଦିତା କହିଲା–

 

ମିଛ କହିଲେ....

 

ନିବେଦିତାର କପାଳରେ ସସ୍ନେହ ସ୍ପର୍ଶ ଦେଇ ଅରୂପ କହିଲା, ଯଦି କ୍ଷମା କରନ୍ତି କହିବି ମିଛ କହିନାହିଁ । ନାରୀର ଆଘାତରେ ପୁରୁଷ ଅବଚେତନ ରହେ ପୁଣି ସ୍ପର୍ଶରେ ଜାଗିଉଠେ । ମୁଁ ଆହତ ଅନୁଭବୀ । କିଛିଦିନ ତଳେ ଗୋଟିଏ ବିକାଶନ୍ମୁଖୀ ଆତ୍ମାକୁ ଭ୍ରୁଣର ଅନ୍ଧକାରରେ ଛାଡ଼ି ଆସିଛି ମୁଁ । ଇଚ୍ଛାକୃତ ନହେଲେ ମଧ୍ୟ ମୁଁ କ୍ଷମା ଚାହୁଁଛି ନିବେଦିତା ଦେବୀ ! ପ୍ରାୟଶ୍ଚିତ୍ତ ଚାହୁଁଛି । ସେହି ମହାପ୍ରାଣର ଗୋଟିଏ ବିନ୍ଦୁ ଆପଣଙ୍କ ଭିତରେ ମୁକ୍ତି ଭିକ୍ଷା କରୁଛି । ଦୁଇହାତ ଅଞ୍ଜଳି କରି ମୁଁ ଭିକ୍ଷା କରୁଛି ମୋର ପିତୃତ୍ୱ । ଆପଣ ନାରୀ...

 

ଚମକି ଉଠି ଦୂରକୁ ଘୁଞ୍ଚିଗଲା ନିବେଦିତା । ଦୁଇ ହାତରେ ମୁହଁ ଢାଙ୍କି ସେ ପ୍ରାୟ ଚିତ୍‍କାର କରି ଉଠିଲା….

 

ନା... ନା. ମୁଁ ଅସ୍ପୃଶ୍ୟା........

 

କିଏ କହିଲା ?

 

ନିବେଦିତାକୁ ନିଜର ଖୁବ ପାଖକୁ ଘୁଞ୍ଚେଇ ଆଣି ଅରୂପ କହିଲା, ପରମ ପ୍ରକୃତିର ମହାସତ୍ତ୍ଵା ଧରି ଆପଣ ପୁଣ୍ୟମୟୀ । ମହିମାମୟୀ..

 

ଆଉ ମହାଶ୍ଵେତା ଦେବୀ.....

 

ସେ ନାହାନ୍ତି । ନିଜର ଅଧିକାର ଉପରେ ପଦାଘାତ କରି ସେ ଆଜି ମୋ ନିକଟରେ କଳ୍ପନା ମାତ୍ର । କିନ୍ତୁ ମୁଁ ଆଜି କଳ୍ପନା ନୁହେଁ, ସତ୍ୟ । ନିଜର ପରିଚୟ ନିଜେ ମୁଁ ଆଜି ଖୋଜି ପାଇଚି । ସନ୍ଧାନ ପାଇଚି ମୋ ହଜିଲା ସମ୍ପଦର । ମୁଁ ମଣିଷ । ମଣିଷର ରକ୍ତ ଆପଣଙ୍କ ଭିତରୁ ମତେ ଡାକ ଦେଉଚି । ଡାକ ଦେଉଚି ସମଗ୍ର ବିଶ୍ୱଆତ୍ମା । ମୋର ପୌରୁଷକୁ ବିଶ୍ଵାସ କରନ୍ତୁ । ସାନ୍ତ୍ୱନା ଦେଉନ୍ତୁ । ମୁଁ ନିରାଶ୍ରୟ । ମୁଁ ସର୍ବହରା । ମୁଁ କାଙ୍ଗାଳ । ମତେ ଆଶ୍ରୟ ଦିଅନ୍ତୁ । ମୁଁ ଆପଣଙ୍କ ଆଶ୍ରୟ ମାଗୁଚି ।

 

ଅରୂପର ଏହି ଭାବବିହ୍ୱଳତା ଭିତରୁ ସତ୍ୟର ସ୍ୱରୂପ ଖୋଜି ପାଉଥିଲା କି ନାହିଁ କେଜାଣି ନିବେଦିତା କେବଳ ସ୍ତବ୍‍ଧ ହୋଇ ଠିଆହୋଇ ରହିଥିଲା । ଶାନ୍ତ ଅଥଚ ଦୃଢ଼ ସ୍ୱରରେ ଅରୂପ କହିଲା, ଆପଣ ନାରୀଧର୍ମ ପାଳନ କରନ୍ତୁ । ଆପଣଙ୍କର ସହଯୋଗରେ ମୋର ସ୍ମୃତି ସ୍ତମ୍ଭ ଏ ପୃଥିବୀ ପୃଷ୍ଠରେ ଛିଡ଼ା ହେଉ । ମୁଁ ପୁରୁଷ । ପୁରୁଷ ଚାହେଁ ନାରୀର ନିବିଡ଼ ସହଯୋଗ । ଆପଣ ନାରୀ । ପୁରୁଷ ଆଜି ଆପଣଙ୍କ ନିକଟରେ ଶରଣପ୍ରାର୍ଥୀ । ସେ ଅପରିହାର୍ଯ୍ୟ ।

 

ନିବେଦିତା ନତ ହେଇ ଅରୂପର ପାଦତଳେ ଲୋଟିପଡ଼ିଲା । ଅଶ୍ରୁର ଅଧୀର ଆବେଗରେ ଅରୂପର ପାଦ ଦୁଇଟି ସେ ଚାପି ଧରିଲା । ମହତ୍ୱର ଶେଷ ପୂଜା ଦେବାପାଇଁ ଆଖିର ଲୁହ ଛଡ଼ା ଆଉ କିଛି ପବିତ୍ର ଦେୟ ତାର ନ ଥିଲା ।

 

ଅରୂପ ଆଖିରୁ ଧାର ଧାର ଲୁହ ବହି ଆସିଲା । ନିବେଦିତାକୁ ତଳୁ ଉଠେଇ ଦୁଇବାହୁର ନିବିଡ଼ ଆଲିଙ୍ଗନ ମଝିରେ ତୋଳିଧରି ସେ କହିଲା, କାନ୍ଦିବା ଆମେ ନିବେଦିତା ! ଦୁହେଁ ଦୁହିଁଙ୍କର ଲୁହରେ ଲୁହ ମିଶେଇ କାନ୍ଦିବା । ଆମେ ଆମ ପାଇଁ ଲୁହ ଢାଳିବା । ଆମପାଇଁ କାନ୍ଦିବାକୁ ଏ ସଂସାରରେ କେହି ନାହାନ୍ତି । ଏହି ଲୁହରେ ଅତୀତର ସମସ୍ତ ଦୁଃଖ, ଲାଞ୍ଛନା, ପରିଚୟ ଧୋଇ ନିଶ୍ଚିହ୍ନ୍ନ ହେଇଯାଉ । ନୂଆ ପରିଚୟ ଧରି ଅସଂଖ୍ୟ ନରନାରୀର ଦୃଷ୍ଟି ସାମନାରେ ଆମେ ଆଗେଇ ଚାଲିବା । ତମେ ଆଜି ନିବେଦିତା ଦେବୀ ନୁହଁ । ମୁଁ ଅରୂପ ବାବୁ ନୁହେଁ । ଅତି ପୁରାତନର ମଝିରେ ଆମେ ଦୁହେଁ ନୂଆ ମଣିଷ । ପରସ୍ପର ପରସ୍ପରର ସ୍ନେହ ସମ୍ବଳ କରି ସୃଷ୍ଟି କରିଚାଲିବା ନୂତନ ପୃଥିବୀ । ବସେଇବା ନୂତନ ଲୋକାଳୟ । ଗଢ଼ିବା ନୂତନ ସଭ୍ୟତା-

 

ଅରୂପର ପାଦଧୂଳି ସୀମନ୍ତରେ ତୋଳି ନେଇ ନିବେଦିତା କହିଲା, ତମର ପାଦତଳେ ଜାଗା ଦିଅ । ଏ ଜୀବନଯାତ୍ରା ପାଇଁ ତମର ପାଦଧୂଳି ମୋର ସହାୟ ହେଉ । ସେହି ଧୂଳି ଝରା ଭୂଇଁ ଉପରେ ଜନ୍ମ ଜନ୍ମାନ୍ତର ପାଇଁ ମୋର ବାସର ଶଯ୍ୟା ସଜାହେଉ । ସଜା ହେଉ ମରଣ ଶଯ୍ୟା-। ତାହା ହିଁ ମୋର ସାର୍ଥକତା । ମୋର ସାଧନା ।

 

 

ମଧୁମତିର ତୀରେ ତୀରେ ଲମ୍ବିଯାଇଚି ସରଳ ଗ୍ରାମ୍ୟପଥ । ପାଖେ ପାଖେ ତାର ଶଷ୍ୟଭରା କେଦାର । ଅଦୂରରେ କ୍ଷୀଣନୀଳିମ ରେଖା ପରି କ୍ଷୁଦ୍ର କ୍ଷୁଦ୍ର ପଲ୍ଲୀମାଳ । ଅଖ୍ୟାତ ଗ୍ରାମ୍ୟ ପୀଠରେ ପ୍ରଥମ ହେମନ୍ତର ଉତ୍ସବ ସରି ଆସିଲାଣି । ତଥାପି ପଥେ ପଥେ କାଶତଣ୍ଡୀର ଶୁଭ୍ରଲୀଳା ଲାଗିରହିଚି । ସେହି ଧୂଳି ଧୂସରିତ ପଥରେ ଆଗେଇ ଚାଲିଚନ୍ତି ଯୋଡ଼ିଏ ମଣିଷ ।

 

ଅତି ପୁରୁଣା ମଣିଷ ଅରୂପ । ନିତ୍ୟ ଅଭ୍ୟସ୍ତ ପରି ତାର ଅନୁସରଣ କରୁଛି ନିବେଦିତା-। ଅଙ୍ଗର ଗୁରୁଭାରରେ ପାଦର ଗତି ତାର ଅଳସ ହେଇ ପଡ଼ିଚି । କପାଳରେ ଫୁଟି ଉଠୁଛି ଶ୍ରମବିନ୍ଦୁ-। ଦେହର ଲାବଣ୍ୟ ମଉଳି ଯାଇଚି । ସତେ ଯେପରି କାଳିଦାସୀ କବିତାର ଛନ୍ଦ ଆଜି ପଲ୍ଲୀର ଏହି ପଥେ ପଥେ ହଜିଯାଉଛି ।

 

ଅରୂପର ଗାଁ ଦେଖାଯାଉଛି । ଅଳ୍ପ ଦୂରରେ ଦେଖା ଯାଉଛି ଛୋଟ ଛୋଟ ମାଟିର କୁଟୀର । ନୁଆଁଣିଆ ଚାଳ ଉପରେ ମାଡ଼ିଯାଇଚି କଖାରୁ ଆଉ ପାଣିକଖାରୁର ଲଟା । ମଥାନ ଛୁଇଁ ମୋଡ଼ି ମୋଡ଼ି ଧୂଆଁର କୁଣ୍ଡଳି ଆକାଶ ଭେଦକରି ଯାଉଛି । ବାଡ଼ର କନ୍ଦି ବିକନ୍ଦିରେ ଜହ୍ନିଫୁଲ ହସିଲାଣି । ଅସୀମ ନୀଳ ଆକାଶରେ ମେଘଦଳ ଭାସିଚାଲିଚି । ସତେ ଯେପରି ଅଜସ୍ର ରାଜହଂସ ଡେଣାବାହି ସ୍ଵୟଂବରା କେଉଁ ହଂସୀ ରୂପସୀର ସନ୍ଧାନରେ ଉଡ଼ି ଚାଲିଛନ୍ତି । ସଭ୍ୟତା ପଡ଼ିରହିଛି ବହୁ ପଛରେ ।

 

ଗୋଧୂଳିର ରଙ୍ଗିନୀ ଆଲୁଅ ପ୍ରାନ୍ତରେ ପ୍ରାନ୍ତରେ ବିଞ୍ଚି ହେଇପଡ଼ିଛି । ବଂଶୀର ମଧୁର ମୂର୍ଚ୍ଛନା ସହିତ ମଧୁମତିର କଳକଲ୍ଲୋଳ ମିଶି ଏକ ସଙ୍ଗୀତର ସୃଷ୍ଟି କରିଚି । ବଣ୍ୟ କଳିକାର ମଧୁମହୋତ୍ସବ ସରିଆସିଲାଣି । ପ୍ରକୃତିର ଏହି ମାୟା କାନନରେ ଆଖିର ପଲକ ମିଶିଯାଉଛି । ମଝିରେ ମଝିରେ ଅଟକି ଯାଉଚି ଅରୂପ । ନିବେଦିତାର ଗତି ସ୍ଥିର ହେଇଯାଉଛି । ଆଖି ଆଗରେ ନୂତନ ପୃଥିବୀ । ପ୍ରଥମ ଆଜି ପ୍ରକୃତିର ସ୍ପର୍ଶସୁଖ ଅନୁଭବ କରୁଚି ସେ । ସତେ କେତେ ସୁନ୍ଦର........

 

ସମ୍ମୋହିତ ସ୍ୱରରେ ଅରୂପ କହିଲା–

 

ଏ ମହା ବିଭୂତି ଆମ ପାଇଁ ସାଇତା ରହିଛି ନିବେଦିତା ! ମଧୁମତିର ଏହି ଜଳେଚ୍ଛ୍ୱାସ, ଅରଣ୍ୟଲୋକର ଏହି ଘନ ଶ୍ୟାମାଳିମା, କେଦାର ଲକ୍ଷ୍ମୀର ଏହି ବିପୁଳ ଶସ୍ୟସଂଭାର ସବୁ ଆମ ପାଇଁ । ଏହି ପଥଧୂଳି ଆମର ଲୋଧ୍ରରେଣୁ । ଏହି ମଧୁମତି ଆମର ଅଳକନନ୍ଦା, ଏହି ସବୁଜଶ୍ରୀ ଆମର ନନ୍ଦନବନ । ଦୁଇବାହୁ ମେଲି ଏ ଅମର ବୈଭବକୁ ଆଲିଙ୍ଗନ କରିନିଅ ନିବେଦିତା । ଦୁଇହାତ ଯୋଡ଼ି ନମସ୍କାର କର । ଏ ଜୀବନ ଏହି ଦେବତାର ଆଶୀର୍ବାଦ ।

 

ମୁଗ୍‍ଧା ନିବେଦିତା ଦୁଇ ହାତ ଯୋଡ଼ି ନମସ୍କାର ଜଣେଇଲା । ମୁଣ୍ଡ ପାତି ଗ୍ରହଣ କରିନେଲା ସେହି ପଥଧୂଳି । ଅରୂପ ତାର ହାତ ଧରି ଆଗେଇବାକୁ ଲାଗିଲା । ନିବେଦିତାର ଚାଲିବାରେ ଅଭ୍ୟାସ ନାହିଁ । ନୂଆଧରଣୀର ଏହି କଠିନ ଚଲାପଥରେ ପ୍ରଥମ କରି ସେ ପାଦ ଦେଉଚି । ସନ୍ଦେହ ନାହିଁ ଯେ ସେ ଖୁବ୍‍ କଷ୍ଟ ପାଉଛି । ତଥାପି ତାର ଦୁଃଖ ନାହିଁ । ସତେ ଯେପରି ଆଦିମଯୁଗର ଦୁଇଟି ନରନାରୀ । ଇଭ୍‍ ଆଉ ଆଦାମ । ମନୁ ଆଉ ଶତରୁପା । ଅଗମ୍ୟ ପଥବାହି ସେ ସୃଷ୍ଟିର ବୀଜ ବୁଣିଯିବାକୁ ଚାହାନ୍ତି ।

 

ଅରୂପ ଆଉ ନିବେଦିତା ଆସି ଗାଁ ମୁଣ୍ଡରେ ପହଞ୍ଚିଲେ । ଆଖି ଆଗରେ ତାଙ୍କର ପଲ୍ଲୀ ଜୀବନର ପୁନରାବୃତ୍ତି ଆରମ୍ଭ ହେଇଗଲା । ଦଳେ ଖେଳୁଆଳ ଶିଶୁ ଖେଳ ଛାଡ଼ି ଦୌଡ଼ି ଆସିଲେ । ଅରୂପକୁ ଚିହିଁବାରେ ଭୁଲ୍‍ ନାହିଁ । ସମସ୍ତଙ୍କର ବନ୍ଧୁ ସେ । ସମସ୍ତଙ୍କର ଆତ୍ମୀୟ । କିନ୍ତୁ ନବାଗତା ଏହି ନାରୀ କିଏ ?

 

କାଖରେ ପାଣି ମାଠିଆ ଧରି ଚଲାବାଟରେ ପଲ୍ଲୀବଧୁ ଅଟକି ରହିଲା । ଆଗେ ଆଗେ ଅରୂପ ଚାଲିଛି । ପୁରୁଷ । ଓଢ଼ଣା ଅଳ୍ପ ଟେକି ସେ ଦେଖିଲା ପଛରେ ନିବେଦିତା । ମୁଣ୍ଡରେ ଓଢ଼ଣା ଟାଣି ସ୍ୱାମୀର ଅନୁସରଣ କରୁଚି ସେ । ଦେହରେ ସାମାନ୍ୟ ଆଭରଣ ବାଟଚଲାର କ୍ଳେଶ ଆଉ ଅବିନ୍ୟସ୍ତ ବେଶଭୂଷା ଭିତରେ ଯେଉଁ ରୂପରାଗ ବିଞ୍ଚି ହେଇପଡ଼ୁଛି ତାହା ସହସ୍ର ଆଖିର ଆକର୍ଷଣୀୟ । ଏଥିରେ ସନ୍ଦେହ ନାହିଁ ।

 

କାମଛାଡ଼ି ପୁରୁଷମାନେ ପଥଧାରରେ ଠିଆ ହେଲେ ଆସି । ଆଖି ଝଲସି ଉଠିଲା । ସୀତା, ଦ୍ରୌପଦୀ, ଲକ୍ଷ୍ମୀ । କେହି ନୁହେଁ । ଇଏ ଅରୂପର ସ୍ତ୍ରୀ । ସହରରୁ ଗାଁକୁ ଆସୁଚି ।

 

ଅରୂପ ମୁଣ୍ଡ ନୁଆଁଇ ଅନ୍ତରର ନମ୍ରତା ପ୍ରକାଶ କଲା । ଦୁଇହାତ ଯୋଡ଼ି ନମସ୍କାର କଲା ନିବେଦିତା । କେହି ତାର ଚିହ୍ନା ନୁହନ୍ତି । ଏ ମାଟି ତାର ପରିଚିତ ନୁହେଁ । ତଥାପି ଘୋର ଅପରିଚିତିର ମଝିରେ ତାକୁ ପରିଚିତିର ଶୁଭସ୍ତମ୍ଭ ରଚନା କରିବାକୁ ହେବ । ଏ ତାର ସ୍ୱାମୀର ଜନ୍ମ ମାଟି । ଏ ତାର କର୍ମଭୂମି । ଏ ତାର ତୀର୍ଥସ୍ଥଳୀ ।

 

ଆଗ ପଛରେ ଛୋଟ ପଟୁଆର ଧରି ଆଗକୁ ଚାଲିଲା ଅରୂପ । କୁଶଳ ପ୍ରଶ୍ନ କରି ପାଇଲା ସ୍ନେହ, ଭକ୍ତି, ନମ୍ରତା । ଏ ସହର ନୁହେଁ । ଏଠିକାର ପାଣି ପବନରେ କୋମଳ ସଜଳ ମମତା ଭାରି ରହିଚି । ଜନନୀ ପରି ଜନ୍ମଭୂମି ତାକୁ ଆଜି କରୁଣ, ମଧୁର ଆବେଗ ଧରି ଆଲିଙ୍ଗନ କରି ନେଉଚି ।

 

ନିଜ ଦୁଆରେ ପହଞ୍ଚିଲା ଅରୂପ । ଦୁଇଟି ପାହାଚ ଅତିକ୍ରମ କରିଯାଇ ସେ ଡାକିଲା–

 

ମା........

 

ମା’ର ରୋଗ ଶଯ୍ୟା ନିକଟରେ ବସି ବସି କଣ ଯେମିତି ଗୋଟାଏ କାମ କରୁଥିଲା କୀର୍ତ୍ତିମାଳା । ହଠାତ୍‍ ତା ଭାଇର କଣ୍ଠସ୍ୱରକୁ ବିଶ୍ୱାସ କରିପାରିଲା ନାହିଁ ସେ । ପୁଣି ଶୁଣିଲା ଅରୂପର ସମ୍ବୋଧନ–

 

ମା........

 

ଏଥର ଆଉ ସେ ସ୍ଥିର ରହିପାରିଲା ନାହିଁ । ଦୌଡ଼ି ଦୌଡ଼ି ଦାଣ୍ଡକୁ ଚାଲି ଆସିଲା । କିନ୍ତୁ ଅରୂପ ପଛରେ ଜଣେ ଅପରିଚିତାକୁ ଦେଖି ହଠାତ ଗତି ତାର ବନ୍ଦ ହେଇଗଲା । ପ୍ରାଥମିକ ସମ୍ଭାଷଣ ଭୁଲି ସେ କେବଳ ଅନେଇ ରହିଲା ।

 

ସେ କିଏ ଭାଇ........

 

ଚମକି ଉଠି ନିଜର ପ୍ରଶ୍ନ ଶୁଣିଲା କୀର୍ତ୍ତିମାଳା । ହସି ହସି ସାନ ଭଉଣୀର କପାଳରେ ସସ୍ନେହ ସ୍ପର୍ଶ ଦେଇ ଅରୂପ କହିଲା–

 

ତୋର ଭାଉଜ ବୋଉ........

 

ଭାଉଜ ବୋଉ........

 

ନିବେଦିତା କୀର୍ତ୍ତିମାଳାର ହାତ ଧରିଲା । ଅରୂପ କାହାକୁ ଅପେକ୍ଷା ନରଖି ମା ଉଦ୍ଦେଶ୍ୟରେ ଛୁଟି ଚାଲିଲା । ଅସୁସ୍ଥ ଅଭାଗୀ କି ସେ ମନେ ରଖି ଆସିଚି ।

 

କିନ୍ତୁ କୀର୍ତ୍ତିମାଳା ସବୁ ଯେପରି ହଠାତ୍‍ ଭୁଲିଗଲା । ତାର ଏ ବିସ୍ମିତ ନିର୍ବାକ ଦୃଷ୍ଟି କେବଳ ନିବଦ୍ଧ ରହିଲା ନିବେଦିତା ଉପରେ । ଏ ତାର ଭାଉଜ । ବାବା ମା ଆତ୍ମୀୟ ସ୍ୱଜନ ଜାଣନ୍ତି ନାହିଁ । ବ୍ରାହ୍ମଣ, ଅଗ୍ନି ଦରକାର ହେଇନାହିଁ । ତଥାପି ମହାଶ୍ଵେତା ବୋହୁ ସାଜି ଶଶୁର ଘରକୁ ଆସିଚି । କାହାକୁ ମନେରଖି ଖୋଜିବା ପାଇଁ ଅରୂପକୁ ସେ ଅବସର ଦେଇନାହିଁ । ନିଜର ସନ୍ତାନ ପାଖରେ ନିଜର ଭାଇ ପାଖରେ ସେ ରହି ଯାଇଚନ୍ତି ଅଲୋଡ଼ା, ଅଚିହ୍ନା । ଆଉ ସମସ୍ତଙ୍କୁ ଦୂରକୁ ଠେଲି ନିକଟରେ ଠିଆ ହେଇଚି ମହାଶ୍ଵେତା ।

 

ରାଗ, ହିଂସାରେ କୀର୍ତ୍ତିମାଳା ଅଧୀର ହେଇ ଉଠିଲା । ଅନେକ ଦିନତଳେ ଭାଇର ବିଛଣା ଉପରୁ ସେ ଏହି ଶ୍ଵେତାର ଚିଠି ଆବିଷ୍କାର କରିଥିଲା । ଏ ସହରର ଶିକ୍ଷିତା ଝିଅ । ବିବାହ ଆଗରୁ ସେ ପୁରୁଷ ସହିତ ସମ୍ବନ୍ଧ ସ୍ଥାପନ କରେ । ଆଖିରେ ଭେଳିକି ଲଗେଇ କୁହୁକରାଣୀ ସାଜେ-। ସେଥିପାଇଁ ଭାଇର ଅବହେଳା ନିର୍ବିର୍ବାଦରେ ଭଉଣୀ ସହି ନିଏ । ରୋଗ ଶଯ୍ୟାରେ ପଡ଼ି ପଡ଼ି ହତଭାଗୀ ଗର୍ଭଧାରିଣୀ ଆଖିରୁ ଲୁହ ଝରାଏ ।

 

ଘୃଣାରେ ନିବେଦିତାର ହାତ ଛାଡ଼ି ଦୂରକୁ ଘୁଞ୍ଚିଗଲା କୀର୍ତ୍ତିମାଳା । କଟମଟ କରି ତାର ମୁହଁକୁ ଅନେଇ ରହିଲା । କିନ୍ତୁ ଇଏ କ’ଣ ? ନିବେଦିତାର ଆଖିରେ ମାୟା ନାହିଁ, ସମ୍ମୋହନ ନାହିଁ-। ଦୁଇଟି ମମତା ମେଦୁର ଡୋଳା ତଳେ କେବଳ ଭରି ରହିଚି ଜୀବନର ଅଫୁରନ୍ତ ସ୍ନେହ-। ସତେ ଯେପରି ଯୁଗ ଯୁଗର ପରିଚିତ ଧରି ସମଗ୍ର ବିଶ୍ଵକୁ ସେ ଆଲିଙ୍ଗନ କରିନେବାକୁ ଚାହୁଁଚି । କୀର୍ତ୍ତିମାଳାର ଆଖି ଦୁଇଟି ତଳକୁ ନଇଁ ଆସିଲା । ମହାଶ୍ଵେତା ହେଲେ ବି ସେ ତାର ଭାଉଜ-

 

ଦୃଢ଼ ମୁଷ୍ଟିରେ ନିବେଦିତାର ହାତ ମୁଠେଇ ଧରି ଭିତରକୁ ଟାଣି ଟାଣି ଗଦ ଗଦ ସ୍ୱରରେ କୀର୍ତ୍ତିମାଳା ଡାକି ଉଠିଲା, ମା........ ମା........

 

ବାହାରେ କେଉଁଠି ଚଉପାଢ଼ିରେ ବସି ବସି ଏକ ଗୁରୁତର ଆଲୋଚନାରେ ବ୍ୟସ୍ତ ଥିଲେ ପଦାରବିନ୍ଦ ରାୟ । ନିଜ ଘରେ ଗୋଳମାଳ ଶୁଣି ଭିତରକୁ ଆସିଲେ ସେ । କିନ୍ତୁ ଆଗକୁ ଆଉ ତାଙ୍କର ପାଦ ପଡ଼ିଲା ନାହିଁ । ଆଖି ଆଗରେ ତାଙ୍କର ଏକ ଅପୂର୍ବ ଦୃଶ୍ୟ । ରୋଗିଣା ସ୍ତ୍ରୀ ନିବେଦିତାକୁ କୋଳରେ ଜାକି ନୀରବରେ ଅଶ୍ରୁ ବର୍ଷଣ କରି ଚାଲିଚନ୍ତି । ମା’ର ପାଦତଳେ ବସି ରହିଚି ଅରୂପ । ଭାଇ ପାଖରେ ଚୁପ୍‍ କରି ବସିଚି କୀର୍ତ୍ତିମାଳା । ଯେମିତି ଦୁଇଟି ଅବୋଧ, ଅଜ୍ଞାନ ଶିଶୁ । ଏଠି ଭାଷାର ଉଚ୍ଛ୍ୱାସ ନାହିଁ । ଅଛି କେବଳ ମିଳିତ ହୃଦୟର ଅବ୍ୟକ୍ତ ଇଙ୍ଗିତ । କିନ୍ତୁ ପଦାରବିନ୍ଦ ରାୟ ନୀରବ ରହି ପାରିଲେ ନାହିଁ । ଗମ୍ଭୀର ସ୍ୱରରେ ଡାକି ଉଠିଲେ, ଅରୁ........

 

ହଠାତ୍‍ ଯେମିତି ନିଥର ଆକାଶର କେଉଁ ଅଙ୍ଗନରେ ମେଘଡ଼ମ୍ବରୁ ବାଜିଉଠିଲା । ସଜାଗ ହେଇ ଉଠି ଆସିଲା ଅରୁ । ମୁଣ୍ଡରେ ଓଢ଼ଣା ଟାଣି ଉଠି ଠିଆହେଲା ନିବେଦିତା । ସେ ଶିକ୍ଷିତା । ସକଳ ପ୍ରକାର ଲଜ୍ଜାସମ୍ଭ୍ରମ, ବିନୟ ତାକୁ ରକ୍ଷାକରି ଆସେ । ସ୍ୱାମୀ ସହିତ ଶଶୁରଙ୍କର ପାଦଧୂଳି ଗ୍ରହଣକରି କଲ୍ୟାଣ ଭିକ୍ଷାକଲା ସେ । କିନ୍ତୁ ଅରୂପ ହତଭାଗ୍ୟ । ପିତାର ସ୍ନେହାଶୀର୍ବାଦ ତା ନିକଟରେ ବିଡ଼ମ୍ବନା ମାତ୍ର ।

 

କିଛିକ୍ଷଣ ନିର୍ବାକ ବିସ୍ମୟରେ ନିବେଦିତାକୁ ଅନେଇ ରହିଲେ ପଦାରବିନ୍ଦ ରାୟ । ଆବରଣର ଅନ୍ତରାଳରୁ ସେ ଦେଖିଲେ ନିବେଦିତା ସ୍ଵୟଂ ସଂପୂର୍ଣ୍ଣା । ତାଙ୍କର ଅନୁମାନ ଯଥାର୍ଥ । ପିତାର ଅଧିନାୟକତ୍ୱକୁ ଅତି ଅବଜ୍ଞାର ସହିତ ଉପେକ୍ଷା କରି ଯାଇଚି ଅରୂପ । ସେ ସ୍ଵେଚ୍ଛାଚାରୀ । ଆହତ ପିତୃ ଅନ୍ତର ତାଙ୍କର ଘୃଣା, ଅବମାନନା, ଅପମାନରେ ଥର ଥର କରିବାକୁ ଲାଗିଲା । ତଥାପି ନିଜକୁ ସମ୍ବୃତ କରି ସେ ପଚାରିଲେ, ଏ କିଏ ଅରୁ........

 

ଅରୂପ କିଛି ଜବାବ ଦେଇ ପାରିଲା ନାହିଁ । ଥରେ ନିବେଦିତାକୁ, ଥରେ ତାର ବାପାଙ୍କୁ ଚାହିଁ ତଳକୁ ମୁହଁ ପୋତିଲା ସେ । ଭୟ ନଥିଲେ ମଧ୍ୟ ଲଜ୍ଜା ତାର କଣ୍ଠରୋଧ କରି ବସିଲା । କମ୍ପିତ କ୍ଷୀଣ ସ୍ୱରରେ ଅରୂପ ମା କହିଲେ, ବୋହୂ........

 

ବୋହୂ........

 

ହଠାତ୍‍ ଯେପରି ବିସ୍ଫୋରଣ ହେଇଗଲା । ଜଳିଉଠି ପଦାରବିନ୍ଦ ରାୟ କହିଲେ, ବିବାହ କିଏ କରିଚି ?

 

ସଂଯତ ସ୍ୱରରେ ଅରୂପ କହିଲା, ମୁଁ........

 

ପଦାରବିନ୍ଦ ରାୟ କହିଲେ, ସେଥିପାଇଁ ମୋର ମତାମତ ଲୋଡ଼ି ଅନୁମତି ମାଗିଥିଲ ?

 

ନା........

 

କମ୍ପି ଉଠି ପଦାରବିନ୍ଦ ରାୟ କହିଲେ, ଲଜ୍ଜା ଲାଗେନା । ଯାହାର ଅନୁମତି ତମେ ଆବଶ୍ୟକ ମନେ କରିନାହଁ ତା ଘରେ ଅଯାଚିତ ଭାବେ ସସ୍ତ୍ରୀକ ପହଞ୍ଚିବାକୁ ତମର ସଙ୍କୋଚ ଆସିଲା ନାହିଁ ?

 

ବାବା........

 

ରୁଦ୍ଧ ସ୍ୱରରେ ଅରୂପ କହିଲା, କ୍ଷମା କରନ୍ତୁ । ଆପଣଙ୍କର ଅନୁମତି ଯେ ମୁଁ ଅନାବଶ୍ୟକ ମନେ କରିଛି ତାହା ନୁହେଁ । ଅବସର ପାଇନାହିଁ । ମୋର ଏହି ଅନିଚ୍ଛାକୃତ ଅପରାଧକୁ ଆପଣ ଜନ୍ମଦେଇ ଯଦି ମାର୍ଜ୍ଜନା କରି ନ ପାରିବେ ମୋର ଆଉ ଏ ପୃଥିବୀରେ ସ୍ଥାନ ନାହିଁ । ଓ........ ତମେ ସ୍ଥାନପାଇଁ ଆସିଚ । କ୍ଷମା ଗୋଟାଏ ଆଳମାତ୍ର........

 

ବାବା........

 

ଅରୂପର ସ୍ୱରରେ ଯେପରି ସମଗ୍ର ପୃଥିବୀର କାରୁଣ୍ୟ ଝରି ପଡ଼ିଲା ।

 

ପଦାରବିନ୍ଦ ରାୟ କହିଲେ, ତମକୁ ମନେ ରଖିବାକୁ ହେବ ପଦାରବିନ୍ଦ ରାୟ କ୍ଷମା ଦେଇ ଶିଖିନାହିଁ । ଶାସ୍ତିବିଧାନ କରି ଶିଖିଚି ।

 

ଅରୂପ ଉତ୍ତର ଦେଇ ପାରିଲା ନାହିଁ । ଉତ୍ତରର ପ୍ରୟୋଜନ ନାହିଁ ଏଠି । ସେ କେବଳ ଶାସ୍ତିର ଅପେକ୍ଷା କରି ରହିଲା । ନିରୀହା ଅଜଣା ନବବଧୂ କେବଳ ସ୍ତବ୍‍ଧ ହୋଇ ଠିଆହୋଇ ରହିଲା । କଠୋର ସ୍ୱରରେ ପଦାରବିନ୍ଦ ରାୟ କହିଲେ, ତମର ମନେଥିବ, ଅନେକଦିନ ତଳେ କହିଥିଲି ଜାତିର ମର୍ଯ୍ୟାଦା ରକ୍ଷା କରିବାକୁ ଯାଇ ଦରକାର ହେଲେ ତମର ମୁଣ୍ଡ ମୁଁ କାଟି ଦେଇ ପାରିବି । ଆଜି ସେହି ସମୟ ଆସିଯାଇଚି । ମୁଁ ଚାହେଁ ମୋର ବଂଶ, ମୋର ଗୋଷ୍ଠୀ........

 

ବାପାଙ୍କର ପାଦଧରି ଅରୂପ କହିଲା, ମୁଁ ସିନା ଦୋଷ କରିଚି, କିନ୍ତୁ ଏ ସରଳା ଆପଣଙ୍କ କୁଳର ବୋହୁ ।

 

ହୋ ହୋ ହୋଇ ହସି ଉଠିଲେ ପଦାରବିନ୍ଦ ରାୟ । ସେହି ହସ ଭିତରେ ସେ କହିଉଠିଲେ, ଯିଏ ମୋର କୁଳବଧୂ ହେବାପାଇଁ ଅନୁମତି ପାଇ ନାହାନ୍ତି କେଉଁ ସାହସରେ ଏ ଘରେ ସେ ପାଦଦେଲେ ।

 

କାନ୍ଦି କାନ୍ଦି ଶଶୁରଙ୍କର ପାଦ ଧରିଲା ନିବେଦିତା । କିନ୍ତୁ ତାର ଅଶ୍ରୁପାଷାଣ ଛାତିରେ କରୁଣାର ସଞ୍ଚାର କରି ପାରିଲା ନାହିଁ । ନିବେଦିତାକୁ ଗୋଡ଼ରେ ଆଡ଼େଇଦେଇ ପଦାରବିନ୍ଦ ରାୟ କହିଲେ, କୌଣସି ଅଜ୍ଞାତ କୂଳଶୀଳାକୁ ମୋର ପୁତ୍ରବଧୂ ବୋଲି ମୁଁ ସ୍ୱୀକାର କରିବାକୁ ଚାହେଁନା । ସେ ମୋ ନିକଟରେ ଅସ୍ପୃଶ୍ୟା । ସାମାନ୍ୟ ଗୋଟିଏ ପୁଅ ପାଇଁ ଏତେବଡ଼ ବଂଶ ମର୍ଯ୍ୟାଦା ଉପରେ ମୁଁ କଳଙ୍କ ଲଗେଇବାକୁ ଚାହେଁ ନାହିଁ ।

 

ବାବା........

 

କୀର୍ତ୍ତିମାଳା ପ୍ରାୟ ଚିତ୍କାର କରି କାନ୍ଦିଉଠିଲା । ଏହି ପଥରର ଅବିଚାର ତାର ମୁଣ୍ଡ ଖାଇବସିଚି । ପୁଣି ସେହି ଅଭିଜାତର ଯୂପକାଠ ତଳେ ବଳି ପଡ଼ିବାକୁ ଯାଉଚି ତାର ଭାଇ ଆଉ ଏହି ନିରୀହ ସରଳା କିଶୋରୀ । ନିଜର ଆହତ ହୃଦୟଦେଇ ଏତେବଡ଼ ଆଘାତକୁ ସେ ସହ୍ୟକରି ପାରିବ ନାହିଁ ।

 

କାନ୍ଦି କାନ୍ଦି ନିବେଦିତାକୁ ତଳୁ ତୋଳିଧରିଲା କୀର୍ତ୍ତିମାଳା । ଗର୍ଭରେ ତାର ଆଜି ରାୟ ବଂଶର ରକ୍ତବିନ୍ଦୁ । ହୁଏତ ଏହି ଅନ୍ଧାରି ଭିଟା ଉପରେ ସେ ହେବ ଏକ ଜ୍ଵଳନ୍ତ ଦୀପଶିଖା । କିନ୍ତୁ ପଦାରବିନ୍ଦ ରାୟ ଯେପରି ତା ମନର ଏହି ଭାବନାକୁ ସହ୍ୟ କରିପାରିଲେ ନାହିଁ । ଦ୍ରୁତ ହସ୍ତରେ କୀର୍ତ୍ତିମାଳାଠାରୁ ନିବେଦିତାକୁ ଛଡ଼େଇ ଦେଇ ସେ ଗର୍ଜି ଉଠିଲେ, ମାଲା......

 

ଏତେ ସମୟ ପରେ କଥା କହିବାକୁ ଚେଷ୍ଟା କଲେ ଅରୂପ ମା । ଯୌବନରେ ଏହି ନିର୍ମମ ମଣିଷର ପାଦତଳେ ତାଙ୍କର ସମସ୍ତ ପ୍ରେମ, ନିବେଦନ ବ୍ୟର୍ଥ ହେଇଯାଇଚି ଆଉ ଏଇ ଶେଷ ବୟସରେ ବ୍ୟର୍ଥ ହେଇଯାଇଚି ତାଙ୍କର ଅଶ୍ରୁ ନିବେଦନ । ତଥାପି ସ୍ୱାମୀ ଦେବତାଙ୍କୁ ଅନ୍ତିମ ଇଚ୍ଛା ଜଣେଇବାକୁ ଯାଇ ସମସ୍ତ ଶକ୍ତି ସଞ୍ଚୟ କରି ଅସ୍ପଷ୍ଟ ସ୍ୱରରେ ସେ କହିଲେ, ଅରୂପ ତମରି ରକ୍ତ । ପୁଅ ହେଇ ତମରି କୋଳରେ ଖେଳିଚି । ନାଚିଛି । ଗୋଇଠା ମାରିଛି । ଆଜି ଯେତେ ପାଠ ପଢ଼ିଲେ ବି ସେ ତମ ପାଖରେ ସେଇ ଖେଳୁଆଲ ଅଳିଅର ପୁଅ ।

 

ତାଙ୍କର ଶେଷ କେତେପଦ କଥା ଶୁଣିପାରିଲେ ନାହିଁ ପଦାରବିନ୍ଦ ରାୟ । କଣ୍ଠରେ ବିଦ୍ରୁପ ଭରି କହିଲେ, ତମର ବାତ୍ସଲ୍ୟ ଥାଉ । କଳଙ୍କିନୀ........

 

ଏ ଦୃଶ୍ୟ ଦେଖିବାକୁ ଆଉ ଅରୂପର ଧୈର୍ଯ୍ୟ ରହିଲା ନାହିଁ । ହୃଦୟର ସମସ୍ତ ଶ୍ରଦ୍ଧା ଭକ୍ତି ଢାଳି ଯେଉଁ ପରମ ପ୍ରକୃତିର ପୂଜା ସେ ଦେଇ ଆସିଛି ତାର ଲାଞ୍ଚନା ଆଉ ସେ ଦେଖି ପାରିଲା ନାହିଁ । ନିବେଦିତାର ହାତ ଧରି ଅଶ୍ରୁଜଡ଼ିତ ସ୍ୱରରେ ସେ ଡାକିଲା, ଚାଲ ନିବା........

 

ଚାଲ........

 

ଲୁଗା କାନିରେ ଆଖି ପୋଛି ସ୍ୱାମୀର ପଛେ ପଛେ ଚାଲିଲା ନିବେଦିତା । ପ୍ରାଣପ୍ରିୟ ପୁଅର ବିଚ୍ଛେଦ ସହିବାକୁ ସାହସ କରି ପାରିଲେ ନାହିଁ ଅରୂପ ମା । ବିଛଣାରୁ ଉଠିବାକୁ ଚେଷ୍ଟା କରି ସେ ଚିତ୍କାର କରି ଉଠିଲେ, ଅରୁ........ ଅରୁ........

 

ଡାକି ଡାକି ସେ ପୁଣି ବିଛଣାରେ ପଡ଼ିଗଲେ । ତାଙ୍କର କଣ୍ଠ ଦେଇ ଆଉ କୌଣସି ସ୍ୱର ନିର୍ଗତ ହେଲା ନାହିଁ । ବିଦାୟର ଏହି କରୁଣ ଅବସ୍ଥାକୁ ସହ୍ୟ କରି ପାରିଲେ ନାହିଁ କୀର୍ତ୍ତିମାଳା । ସତେକି ହୃଦୟ ତାର ଫାଟି ପଡ଼ିବ । ନିଷ୍ଠୁର ପିତାର କଠିନ ମୁଷ୍ଟିରୁ ମୁକୁଳି ଯାଇ ଭାଇର ପଛେ ପଛେ ଦୌଡ଼ି ଦୌଡ଼ି ଆକୁଳ ସ୍ୱରରେ ସେ ଡାକିଲା, ଭାଇ........ ଭାଇ........

 

କିନ୍ତୁ ଅରୂପ ନିବେଦିତା ରାତିର ଅନ୍ଧକାର ଭିତରେ ପୁଣି କେଉଁ ନୂତନ ପୃଥିବୀର ସନ୍ଧାନରେ ଆଗେଇ ଚାଲିଥିଲେ ।

 

ସମସ୍ତେ ଜାଣନ୍ତି ଗୋଟିଏ ଗୋଟିଏ ନିମିଷରେ ମଣିଷର ସହସ୍ର ସହସ୍ର ଅନୁଭୂତିର କାହାଣୀ ଅତୀତର ଅନ୍ଧାରି ଗୁହରେ ବିଲୀନ ହୋଇ ଯାଉଛି । ମଣିଷ ଜୀବନର ଇତିବୃତ୍ତି ମାନେ ହିଁ ତ ସଭ୍ୟତାର ଇତିହାସ । ସେ କଥା ଏକା ନିବେଦିତା ଜଣେ ନାହିଁ, ଅରୂପ ଜାଣେ ନାହିଁ । ଜାଣେ ସମଗ୍ର ମାନବ ଜଗତ । କାବ୍ୟ, ଉପନ୍ୟାସରେ, ପୁରାଣ, ଇତିହାସରେ, ଘଟଣାର ଆବର୍ତ୍ତନରେ ଠିଆ ହେଇଛି ଜୀବନର ସେହି ମହା ଜଟିଳତା । ମଣିଷର ପ୍ରାଣ ପ୍ରବାହ ହଜାର ହଜାର ବର୍ଷ ଧରି ଅବିରାମ ଗତିରେ ବହି ଚାଲିଛି । ଅରୂପ ଆଉ ନିବେଦିତା ସେହି ବିରାମହୀନ ସ୍ରୋତସ୍ଵିନୀର ଗୋଟିଏ ଗୋଟିଏ କ୍ଷୁଦ୍ର ବୁଦ୍‍ବୁଦ୍‍ ମାତ୍ର ।

 

କିନ୍ତୁ ପାଞ୍ଚବର୍ଷ ତଳେ ଯେଉଁ ନାବାଳିକା କିଶୋରୀ ଅତି ଦୁସ୍ଥ ଅବସ୍ଥାରେ ସହରର ଗଳି କନ୍ଦିରେ କାନ୍ଦି ବୁଲୁଥିଲା, ଅନେକ ଦିନୁ ତାର ମୃତ୍ୟୁ ଘଟିଚି । ଝିଅଟିର ବୟସ ହୁଏତ ସେତେବେଳେ ବାର ତେର ଥିଲା । ତଥାପି ଯେପରି କଣ୍ଟାର ଆବରଣ ତଳେ ଧୀରେ ଧୀରେ ଗୋଟିଏ ଗୋଲାପ କାଳିକାର ଉନ୍ମେଷ ହେଉଥିଲା । ସେ ଥିଲା ଓଡ଼ିଆଣୀ । ଆଦି ବାସସ୍ଥାନ ତାର ଥିଲା ଓଡ଼ିଶା । କିନ୍ତୁ ଜନ୍ମ ତାର ବଙ୍ଗଳାରେ । ବାପା ତାର ବୀରବର ରଣସିଂହ, ପାକିସ୍ଥାନରେ କଣ ଗୋଟାଏ ବ୍ୟବସାୟ କରି ବହୁତ ପଇସା ଉପାର୍ଜ୍ଜନ କରୁଥିଲେ । ଭାଇ ବି ଥିଲେ ଜଣେ ଉଚ୍ଚ ଶିକ୍ଷିତ । ବଙ୍ଗଳାର ପାଣି ପବନରେ ଅଙ୍ଗ ତାଙ୍କର ପୁଷ୍ଟ ହେଇଥିଲା । କିନ୍ତୁ ଅବସର ପାଇଲେ ବାପ ପୁଅଙ୍କ ଭିତରେ ଆଲୋଚନାର ବସ୍ତୁ ଥିଲା ଓଡ଼ିଶା । ଆଜି ବି ମନେପଡ଼େ । ଶସ୍ୟଶ୍ୟାମଳା ଜନ୍ମମାଟିର କଥା କହୁ କହୁ ବାପାଙ୍କର କଣ୍ଠସ୍ୱର ଥରି ଉଠୁଥିଲା । ପୁଅ ଜିଦ ଧରୁଥିଲା । ଯଥେଷ୍ଟ ହେଇଛି । ଏଥର ଓଡ଼ିଶାକୁ ଫେରିଯିବା ।

 

ଏଇଟା ଥିଲା ହୁଏତ କୃତଘ୍ନତା । ଏହି କୃତଘ୍ନତାକୁ ଦଇବ ସହିପାରିଲା ନାହିଁ । ସାମ୍ପ୍ରଦାୟିକ ଗଣ୍ଡଗୋଳରେ ସମସ୍ତ ଐଶ୍ଵର୍ଯ୍ୟ ନଷ୍ଟ ହୋଇଥିଲା । ମଣିଷର ମହାମୂଲ୍ୟ ଜୀବନ ଉପରେ ମୃତ୍ୟୁର ଲୀଳା ଲାଗିଗଲା । ନିଆଁ ଜଳିଲା । ଛୁରୀ ଚଳିଲା । ରକ୍ତ ପ୍ରବାହ ଦିଗ ଦିଗନ୍ତ ଭେଦ କରି କେଉଁ ସାଗର ଉଦ୍ଦେଶ୍ୟରେ ଛୁଟି ଚାଲିଲା କହି ହେବନାହିଁ । ତଥାପି ତାହାରି ସହିତ ଆସି ମିଶିଗଲା ଆଉରି କେଇଟି ରକ୍ତଧାରା ।

 

ବାପର ରକ୍ତ ସହିତ ମିଶିଲା ଭାଇର ରକ୍ତ । ମୁଣ୍ଡଗଣ୍ଡି ନିଶ୍ଚିହ୍ନ ହେଇଗଲା । ମରଣର କେଉଁ ଗଭୀର ଗୁହାରେ ବିଲୀନ ହେଇଗଲା କଳ୍ପନା । ପୁଣ୍ୟମୟୀ ମା ଉତ୍କଳ ପଛରେ ପଡ଼ିରହିଲା-। ପଛରେ ପଡ଼ିରହିଲା ଆଶ୍ରୟଦାତ୍ରୀ ମାଉସୀ ବଙ୍ଗଭୂମି । ଆଖି ଆଗରେ ରଣସିଂହ ବଂଶର କୁଳଲକ୍ଷ୍ମୀ ବିଧର୍ମୀର ନର୍ମଦା ସାଜି ମରଣକୁ ଅପେକ୍ଷା କରି ରହିଲା କିନ୍ତୁ ମରଣ କାହିଁ-? ହାୟ.. ହାୟ... ଯେଉଁ ଅଙ୍ଗର ସୌଷ୍ଠବ ପାଇଁ ଆବରଣ ଲୋଡ଼ା ହୁଏ, ଯେଉଁ ଦେହର ଆନନ୍ଦ ପାଇଁ ଅନ୍ଧକାର ଖୋଜା ହୁଏ, ଯେଉଁ ମାଂସର ବୁଭୁକ୍ଷା ପାଇଁ ହିନ୍ଦୁର ଅନୁଷ୍ଠାନ ଗଢ଼ା ହୁଏ । ସେହି ଅମୂଲ୍ୟ ତନୁଲତା ପୃଥିବୀର ମୁକ୍ତ ଆଲୋକ ତଳେ ଅସଂଖ୍ୟ ନିର୍ମମର ଆହାର୍ଯ୍ୟ ହେଲା । ଆୟତ୍ତ ନ ଥିଲା, ଉପାୟ ନ ଥିଲା, ଭାଷା ନ ଥିଲା । ଜାତିର ଏହି ଦୁର୍ଦ୍ଦିନ ଅନ୍ଧକାରରେ ଅନେକ ସମୟ ଧରି ଅଚେତନ ପ୍ରାଣ ଶୋଇ ରହିଥିଲା ।

 

ରଣସିଂହ ବଂଶର ଅବଶେଷ ସେହି କିଶୋରୀ କନ୍ୟା ଯେତେବେଳେ ଆଖି ଖୋଲିଲା, ଦେଖିଲା ତାର ଦୁଇ ପଟରେ ଚାରୋଟି କରୁଣା ବିଭୂତି ବାତ୍ସଲ୍ୟ ମେଦୁର ଆଖି । ନିଃସନ୍ତାନ ପୌଢ଼ା ବାଳିକାଟିକି ବୁକୁରେ ଜାକି ଧରିଲେ । ଆଖି ତାଙ୍କର ଅଶ୍ରୁ ଛଳ ଛଳ । କପାଳରେ ହାର ବୁଲେଇ ପୌଢ଼ ନାମକରଣ କଲେ ନିବେଦିତା । କେଉଁ ଉଦ୍ଦେଶ୍ୟରେ କାହା ପାଇଁ କିଏ ତାକୁ ନିବେଦନ କରିଥିଲା, ଭଗବାନ ଜାଣନ୍ତି ଆଉ ଜାଣନ୍ତି ସେହି ପୌଢ଼ ଭଦ୍ରଲୋକ । ପ୍ରଥମ ଗୋଟିଏ ବର୍ଷ ଜଡ଼ତା ଭିତରେ କଟିଗଲା । ପରବର୍ଷ ସଂପୂର୍ଣ୍ଣ ପ୍ରକୃତିସ୍ଥ ହେଇ ଏକ ନୃତ୍ୟ ସଙ୍ଗୀତ ଶିକ୍ଷାନୁଷ୍ଠାନରେ ଭର୍ତ୍ତି ହେଲା ନିବେଦିତା । ଚୌଧୁରୀ ଦମ୍ପତ୍ତିଙ୍କର କାମନା ଥିଲା ତାଙ୍କର ସନ୍ତାନ ଏ ଦେଶର ଜଣେ ଶ୍ରେଷ୍ଠ କଳାକାର ହେବ । ପର ପର ଚାରିବର୍ଷ ବହୁ ପ୍ରଶଂସା ବହୁ ଯୋଗ୍ୟତାର ସହିତ ଉତ୍ତୀର୍ଣ୍ଣ ହେଇଗଲା ନିବେଦିତା । ବହୁମୁଖୀ ପ୍ରତିଭା ଆଉ ସୁନାମ ଧରି ରଙ୍ଗମଞ୍ଚ ଉପରକୁ ଓହ୍ଲେଇ ଆସିଲା ସେ ।

 

ନିବେଦିତାର ଆଖିରେ ଧୀରେ ଧୀରେ ତନ୍ଦ୍ରା ଜମି ଆସିଲା । ଭୋରୁ ଅରୂପର ଆଲୋଡ଼ନରେ ତାର ନିଦ ଭାଙ୍ଗିଲା । ଗାଡ଼ି ଆସି କେଉଁ ଏକ ଅଚିହ୍ନା ମଫସଲି ଷ୍ଟେସନରେ ପହଞ୍ଚିଛି । ବାହାରେ ମେଘାଚ୍ଛନ୍ନ ଆକାଶ ଷୋଡ଼ଶୀ ଅଭିମାନିନୀ ପରି ଭାରାକ୍ରାନ୍ତ ହେଇ ଉଠିଚି । ଗତ ରାତିର କ୍ଳାନ୍ତ ଅବସାଦ ଏପର୍ଯ୍ୟନ୍ତ ତା ମନରୁ ଅପସରି ଯାଇନାହିଁ । ସର୍ବାଙ୍ଗ ଯେମିତି ଏକ ବିଚିତ୍ର ଅଭିଜ୍ଞତା ଧରି ଗୁରୁ ହେଇ ଉଠିଚି । ରେଳରେ ଏମିତି କେବେ ସେ ଉଠିନାହିଁ । ବରାବର ସେକେଣ୍ଡ କ୍ଲାସ ରିଜର୍ଭ କଂପାର୍ଟମେଣ୍ଟର ଯାତ୍ରୀ ସେ । ଛଳନା ହେଲେ ବି ଯତ୍ନ ପାଇଁ ଶ୍ରୀମତୀ ଚୌଧୁରୀ ପାଖେ ପାଖେ ଜଗି ରହନ୍ତି । ଅପର୍ଯ୍ୟାପ୍ତ ପଇସା ଖର୍ଚ୍ଚ କରନ୍ତି ଉମାଶଙ୍କର ବାବୁ ।

 

ଛି.... ଛି…… ନିଜକୁ ଧିକ୍‍କାର ଦେଲା ନିବେଦିତା । ବୀଭତ୍ସ ଘୃଣା ଅନୁଶୋଚନାରେ ଅନ୍ତର ତାର ଘାରି ହେଇ ପଡ଼ିଲା । ଏହି ପଥ କ୍ଳେଶ ତାର ଆଶୀର୍ବାଦ । ଏହି ଦୁଃଖ ଭୋଗ ତାର ସ୍ଵର୍ଗଭୋଗ । ଭାବି ଭାବି ଅରୂପର ପଛେ ପଛେ ଗାଡ଼ିରୁ ଓହ୍ଲେଇ ପଡ଼ିଲା ନିବେଦିତା ।

 

କିଛି ବାଟ ଆଗେଇ ଆସି ନିବେଦିତା କହିଲା, କୁଆଡ଼େ ଯିବା ?

 

ସ୍ମିତ ହସି ଅରୂପ କହିଲା, ନରକକୁ ।

 

ସେଥିପାଇଁ ଆଜି ଭୟ ନାହିଁ । ତମର ହାତ ଧରି ସ୍ଵର୍ଗ ବା ନରକରେ ଓହ୍ଲେଇ ଯିବାକୁ ମୋର ଆଦୌ କୁଣ୍ଠା ନାହିଁ । ଯାହାହେଉ ମନେ କରିବି ତାହାହିଁ ମୋର ତୀର୍ଥସ୍ଥଳୀ । ମୋର କର୍ମଭୂମି ।

 

ନିବେଦିତାର ହାତଧରି ଅରୂପ କହିଲା, ସାର୍ଥକ ହେଲି ।

 

କରୁଣ ସ୍ୱରରେ ନିବେଦିତା କହିଲା, ଭୋକ ହେଉନି ? ଦୁଇଦିନ ବିତିଗଲା ଆସି ।

 

ସଶ୍ରଦ୍ଧ ସ୍ୱରରେ ଅରୂପ କହିଲା, ଭୋକ କଲେ ଆଜି ଆଉ ଚଳିବ ନାହିଁ ।

 

ସତ କଥା । ଭୋକ କଲେ ଆଗେଇବାର ଆଉ କୌଣସି ସମ୍ଭାବନା ନାହିଁ । ପୃଥିବୀ ତମ ଉପରେ ଆଜି ଅଭିଶାପ ବର୍ଷଣ କରିଚାଲିଚି । କାଳନାଗୁଣୀ ତାର ହାତ ପାଦରେ କଠିନ ଶୃଙ୍ଖଳ ଦେଇ ଛନ୍ଦିହେଇ ରହିଚି । ଜୀବନର ନିଷ୍ଠୁର ବାସ୍ତବ ଭୀଷଣ କଟାକ୍ଷ ହାନି ତାକୁ ସଂତ୍ରସ୍ତ କରି ତୋଳୁଚି । ଅରୂପର ସୁଗମ ଜୀବନ ଯାତ୍ରା ଏହାପରେ ଶେଷ ହେଇଗଲା । ଏଥର ନିଜକୁ ମାଟି ସହିତ ମିଶେଇ ତାକୁ ଭୋକର ଅନ୍ନ ଯୋଗାଡ଼ କରିବାକୁ ହେବ । ନିଜ ଅଶ୍ରୁରେ ଅଞ୍ଜଳି ଭରି ତାକୁ ତୃଷା ନିବାରଣ କରିବାକୁ ହେବ । ପୃଥିବୀ ସୁନ୍ଦର ହେଇପାରେ । କିନ୍ତୁ ବଡ଼ ନିର୍ମାୟା । ମଣିଷ ବିଧାତାର ସର୍ବଶ୍ରେଷ୍ଠ ସୃଷ୍ଟି ବୋଲି ସୁଖ୍ୟାତି ଅର୍ଜନ କରିପାରିଥାଏ । କିନ୍ତୁ ବଡ଼ ନିର୍ମମ । ନିବେଦିତା ଅରୂପର ପଛେ ପଛେ ଚାଲିବାକୁ ଲାଗିଲା ।

 

ରେଳ ଲାଇନ ପାରିହେଇ ଆସି ଦେଖାଗଲା ନୂତନ ପୃଥିବୀ । ହେମନ୍ତର ପ୍ରଥମ ରଙ୍ଗିନୀ ଆଲୁଅ ପ୍ରାନ୍ତରେ ପ୍ରାନ୍ତରେ ବିଞ୍ଚି ହେଇ ପଡ଼ିଚି । ଚାରିପାଖ ଘେରି ଶଷ୍ୟଭରା କେଦାର । ସତେ ଯେପରି ପୌଷ ଲକ୍ଷ୍ମୀର ପୀତ ଉତ୍ତରୀୟ ସକାଳ ପବନରେ ଫର ଫର କରୁଚି ।

 

ଆଜନ୍ମ ସହରରେ ବଢ଼ିଚି ନିବେଦିତା । ଉପନ୍ୟାସ ପଢ଼ି କାବ୍ୟରେ ବର୍ଣ୍ଣନା ଦେଖି । ଗେଲ ବସର ଝରକା ଫାଙ୍କରେ ଗ୍ରାମ ସହିତ ତାର ସାମାନ୍ୟ ପରିଚୟ ଘଟିଚି । ସେହି ପରିଚିତି ତାର ବ୍ୟର୍ଥ ହେଇଯାଇ ନାହିଁ । ଏହି ଅସୀମ ସୌନ୍ଦର୍ଯ୍ୟ ତାକୁ ଅବିଭୂତ କରି ଦେଇଚି । କିନ୍ତୁ ଇଏ କ’ଣ ? କଳା କଳା ମଣିଷ ଥୁରୁ ଥୁରୁ ହେଇ ମାଟିରେ ହାମୁଡ଼େଇ ପଡ଼ିଚନ୍ତି । କାହା କାହା ଦେହରେ ଚିରା କୋତରା ଜାମା ଖଣ୍ଡିଏ ଖଣ୍ଡିଏ । ନାହିଁ ତ ଖୋଲା ଦେହ । ଯେତେ ଦୂର ଦୃଷ୍ଟି ଯିବ କେବଳ ପାଚିଲା ଧାନ କ୍ଷେତ ଆଉ ତାହାର ମଝିରେ ବିଶାଳ ପୃଥିବୀର କେଉଁ ଅଣୁ ପରମାଣୁ ପରି ଖଣ୍ଡିଏ କ୍ଷୁଦ୍ର ପଲ୍ଲୀ । ଦୁଇ ତିନୋଟି ଘର ଛାଡ଼ି ବାକି ସବୁ ଗୁଡ଼ିକ ଭୂଇଁରେ ମିଶି ରହିଚି । ଉପରେ ନଡ଼ା ଘେରା ଖଣ୍ଡିଏ ଖଣ୍ଡିଏ ଚାଳ ।

 

ପଥର ପିଣ୍ଡା ଚଉପାଢ଼ି ଛାଡ଼ି ଆସିଚି ଅରୂପ । ନିବେଦିତା ପାଇଁ ସେ ଆଜି ପଥଚାରୀ ହେଇଚି । ନିଜର ବୋଲି କହିବାକୁ, ସକଳ କର୍ମ କ୍ଳାନ୍ତିପରେ ଫେରି ଆସି ବିଶ୍ରାମ କରିବାକୁ ତାର ଆଜି ଆଶ୍ରୟ ନାହିଁ । ଏହି ଅଚିହ୍ନା ଅଜଣା ବିଦେଶରେ କେଉଁଠି ଯେ ସେ ଆଶ୍ରୟ ପାଇବ, ଭାବି ଭାବି ନିବେଦିତା ଆକୁଳ ହେଇ ଉଠିଲା ।

 

ଦୀର୍ଘ ଶ୍ଵାସ ଛାଡ଼ି ନିବେଦିତା କହିଲା, ଏଠି କେଉଁଠି ଖାଇବାର ସୁବିଧା ନାହିଁ ।

 

ଦୁଇପାଦ ଘୁଞ୍ଚି ଆସି ନିବେଦିତା ଉପରେ ପ୍ରୀତି କଟାକ୍ଷ ହାଣି ଅରୂପ କହିଲା, ଏଇଟା ତମର ମହାନଗରୀ ନୁହେଁ ରାଣୀ ! ଏହାର ନାଁ ହେଲା ଓଡ଼ିଶାର ପଲ୍ଲୀ । ଅଖ୍ୟାତ ଆଉ ନିରାଡ଼ମ୍ବର ।

 

ସେ ଖୁଣ୍ଟାଟା ମୋର ଚିରନ୍ତନ ।

 

ଆହତ ସ୍ୱରରେ ନିବେଦିତା କହିଲା, କଲିକତା ନ ହେଲେ ବି ତ ଖାଇବା ପିଇବା ଦରକାର ହେବ ।

 

ଅରୂପ କହିଲା, ଏଇ ବାରକ କ୍ଷମା ଚାହିଁବି । ତାପରେ ଶାସ୍ତି । ଏଥର ଆଜ୍ଞା ହେଉ ।

 

ମୁଗ୍‍ଧା ନିବେଦିତା ହସିଲା । ସେହି ମଧୁହସ ଭିତରେ ପୁଣି କେଇଟି କଥା ତାର ଓଠରୁ ଝରି ପଡ଼ିଲା ।

 

କ୍ଷମା ଦେବାର ଯୋଗ୍ୟତା ନାହିଁ କି ଶାସ୍ତି ଦେବାର ଶକ୍ତି ନାହିଁ । ତଥାପି ଖାଇବା ରହିବାର ଗୋଟାଏ ବନ୍ଦୋବସ୍ତ ତ ଦରକାର । ସେ ସୁ ହେଉ କି କୁ ହେଉ ।

 

ଅରୂପ କହିଲା, ସୁଜଳା ସୁଫଳା ଓଡ଼ିଶା ରାଜ୍ୟ ଏ । ବାରିରେ ବାରିରେ କାନିସିରି ପତର ଭରି ରହିଚି । କଳନାଦିନୀ ଝରଣାରେ ଜଳ ପୂରି ରହିଚି । ପଥଧାରାରେ ଅପେକ୍ଷା କରି ରହିଚି କଳ୍ପାନ୍ତ କାଳର ବଟବୃକ୍ଷ । ଏହାରି ନାଁ ତ ନିର୍ଭୟ ଆଶ୍ରୟ । ସବୁ ପରେ ପୁଣି ଜଗି ରହିଚନ୍ତି ସ୍ଵାମୀ ଦେବତା । ଏଇ ଦେଖ କେଦାର ଲକ୍ଷ୍ମୀ । ଦୁଇ ବହୁ ମେଲି ଆମ ଆଡ଼େ ଅନେଇ ରହିଚି ।

 

ହସି ହସି ନିବେଦିତା କହିଲା, କାବ୍ୟ ସୁପାଠ୍ୟ ହେଇପାରେ । କିନ୍ତୁ ଅନୁଭବରେ ଆସିଲେ ବଡ଼ ବାଧେ ।

 

କି ଭାଗ୍ୟ... ସ୍ତ୍ରୀ ଦେହରେ ଦେହ ଛୁଇଁ ଅରୂପ କହିଲା, କେବଳ ରୂପ ନୁହେଁ । ମୁଁ ଯେ ଏକ ଲୁପ୍ତ ପ୍ରତିଭା ଖୋଜି ପାଇଚି । ମୋ ପରି ଅକିଞ୍ଚନ ପକ୍ଷେ ଏ କିଛି କମ୍‍ ନୁହେଁ । ଆଚ୍ଛା ନିବା, ହଠାତ ଯଦି କେହି ଭାବି ବସେ ଯେ ମୁଁ ଏକ ଏ ଯୁଗର ରାବଣ...

 

ଏପାଖ ସେପାଖ ଅନେଇ ନିବେଦିତା ପଚାରିଲା, ମାନେ ?

 

ମାନେ ଜଣେ ନାରୀ ଚୋର...

 

ମରିଯାଏ କି ବୁଦ୍ଧି....

 

ହସ ଚାପି ନିବେଦିତା କହିଲା, ପ୍ରମାଣ ?

 

ପ୍ରମାଣ ଆଉ କ’ଣ ? ଏଇ ପୁଡ଼ି, ପୁଟୁଳା,ଏଇ ଅଜ୍ଞାତ ପଥଯାତ୍ରା, ପୁଣି ନିଃସ୍ଵତା । ହେ ମାଉସୀ..

 

ଆଗରେ ଦେଖା ଯାଉଥିବା ଜଣେ ଗ୍ରାମ୍ୟ ମହିଳାକୁ ଡାକି ଉଠିଲା ଅରୂପ । ନିବେଦିତା କିଛି ଗୋଟାଏ ଜବାବ ଦେଇ ଥାଆନ୍ତା । କିନ୍ତୁ ସ୍ଵାମୀର ଅନ୍ୟମନା ଦେଖି ସେ ଚୁପ୍‍ କରିଗଲା ।

 

ସାମନାର ପାଣି ନାଳରେ ଟୋକେଇ ଧରି ସ୍ତ୍ରୀ ଲୋକଟି ମାଛ ଧରୁଥିଲା । ଏତେ ସକାଳରୁ ଶୀତ କାକରରେ ଯେ ପଲ୍ଲୀନାରୀ ଜୀବିକାର୍ଜନର ପନ୍ଥା ଖୋଜି ବୁଲେ ନିବେଦିତା । ନିଜ କଳ୍ପନାରେ ତାହା ଅବଧାରଣା କରିପାରି ନ ଥିଲା । କିନ୍ତୁ ଅରୂପ ଆଖିରେ ଏ ଦୃଶ୍ୟ ବହୁଥର ପୁନରାବୃତ୍ତି ଘଟିଚି । ଅତି ଅଭ୍ୟସ୍ତ ମଣିଷ ପରି ନାଳ ପାଖକୁ ଚାଲିଯାଇ ସେ ପଚାରିଲା, ମାଉସୀ, ଏ ଗାଁକୁ ଯିବାକୁ ବାଟ କେଉଁଠି ?

 

ସ୍ତ୍ରୀ ଲୋକଟି ନିକଟରେ ଅରୂପର ପ୍ରଥମ ସ୍ୱର ପହଞ୍ଚିଥିଲା । କିନ୍ତୁ ସେ ହଠାତ୍‍ କିଛି ବୁଝିପାରି ନ ଥିଲା । ଆକୃତି ପ୍ରକୃତିରୁ ସେ ମନେ କରିଥିଲା ଜଣେ କେହି ବାବୁଭୟା ଲୋକ । କିନ୍ତୁ ଅରୂପ ତୁଣ୍ଡରୁ ଏ ବିଶୁଦ୍ଧ ଓଡ଼ିଆ ଭାଷା ଶୁଣି ସେ ଚିହିଁକି ଉଠିଲା ।

 

ଅରୂପ କହିଲା, ମାଉସୀ ତମ ଘର ଏ ଗାଁରେ ତ ।

 

ସ୍ତ୍ରୀ ଲୋକଟି ଟୋକେଇ ଛାଡ଼ି ଉଠି ଆସିଲା । ପଞ୍ଚମକୁ ସ୍ୱର ଉଠେଇ କହିଲା, ତମ କଣ ମା ଭଉଣୀ ନାହାନ୍ତି କି ବାବୁ !

 

ନିଜର ଆଚରଣରେ କେଉଁଠି ତ୍ରୁଟି ରହିଗଲା ବୁଝି ପାରିଲାନାହିଁ ଅରୂପ । କଣ୍ଠରେ ବିନୟ ଧରି ସେ ପୁଣି ପଚାରିଲା, କାହିଁକି ମାଉସୀ !

 

ଚିତ୍‍କାର କରି ସ୍ତ୍ରୀ ଲୋକଟି କହିଲା, ଫେର କହୁଚ ମାଉସୀ ! ମୁଁ କଣ ତମ ବାପାର ଶାଳୀ କି ବାବୁ । ଆମେ ଗରିବ ବୋଲି ଆମର କଣ ମାନ ଇଜ୍ଜତ ନାହିଁ ବାବୁ ! ଏମିତି ବେଅକଲ ମଣିଷକୁ କେମିତି ଧର୍ମ ସହିଚି କେଜାଣି !

 

ନିବେଦିତାର ବୁଝିବାକୁ କିଛି ବାକି ରହିଲା ନାହିଁ । ଗ୍ରାମ୍ୟ ପ୍ରକୃତି ସହିତ ତାର କୌଣସି ପରିଚୟ ନ ଥିଲେ ମଧ୍ୟ ନାରୀ ସ୍ଵଭାବ ତାର ଅଜଣା ନାହିଁ । ଦୁଇପାଦ ଆଗେଇ ଆସି କଅଁଳ କଣ୍ଠରେ ସେ କହିଲା, ଆମେ ବିଦେଶୀ ମା ! ତମ ରାଜ୍ୟକୁ ନୂଆ ଆସିଚୁ ! କେମିତି ତମ କଥା ଏତେ ଶୀଘ୍ର ଶିଖିପାରିବୁ କହିଲ ? ଶିଖେଇଲେ ସିନା ଜାଣିବୁ । ତମେମାନେ ଆମର ମା ଭଉଣୀ ! ଆମେ ଦୋଷ କଲେ ତମେମାନେ ଯଦି କ୍ଷମା ନ କରିବ ଆଉ କିଏ କରିବ କହିଲ ମା !

 

ସ୍ତ୍ରୀ ଲୋକଟି ଥମ୍‍ ଥମ୍‍ କରି ନିବେଦିତାର ମୁହଁକୁ ଅନେଇ ରହିଲା । ଏମିତି ନାରୀ ପ୍ରତିମାର ଏ ଗାଁରେ କେବେ ଆବିର୍ଭାବ ହେଇ ନାହିଁ । ସେ ଯେତେବେଳେ ଏ ଗାଁକୁ ନୂଆବୋହୂ ହୋଇ ଆସିଲା, ବର୍ଷକ ପରେ ସ୍ଵାମୀ ତାର ଗାଡ଼ି ଚଢ଼ି କୁଆଡ଼େ ବିଦେଶ କରି ଯାଇଥିଲା । ତାପରେ ସେ ଆଉ ଫେରିନାହିଁ । ସମସ୍ତେ କହନ୍ତି ସେ କୁଆଡ଼େ ଏମିତିକା ମେମ୍‍ ପାଲରେ ପଡ଼ିଗଲା ସେଠି ।

 

ଅନେକ ଦିନର କଥା ସେ । ଏବେ ଆଉ ମନେ ପକେଇବାକୁ ବେଳ ମିଳେ ନାହିଁ । ଆଗରେ ପୁଣି ସେମିତି ଜଣେ ମେମ୍‍ ଠିଆ ହେଇଚି । କିନ୍ତୁ ତା ସାଙ୍ଗରେ ତା ସ୍ଵାମୀ ପରି କାରିଆ ପିନ୍ଧା, ମଳିମୁଣ୍ଡିଆ କେହି ନାହିଁ । ଜଣେ ବାବୁ ଲୋକ ଛିଡ଼ା ହେଇଚି । ମେମ୍‍ଟି କେତେ ଧୀର କଥା କହୁଚି । ପୁଣି ତାଙ୍କରି ପରି କହୁଚି ।

 

ଉତ୍ତର ଦେବାକୁ ଯାଇ ନରମ ସ୍ୱରରେ ସ୍ତ୍ରୀ ଲୋକଟି କହିଲା, ହଁ ମା, ବିଦେଶରେ ସମସ୍ତେ ମା ଭଉଣୀ, ବାପ ଭାଇ । ପରର ଇଜ୍ଜତ ଭଗବାନ ରକ୍ଷା କରନ୍ତି ।

 

କଥାଟା ନିହାତି ସତ, ନିହାତି ଆନ୍ତରିକ । ତା ଯେପରି ନିବେଦିତା ହୃଦୟର ପ୍ରତ୍ୟେକ ତନ୍ତ୍ରୀ ସ୍ପର୍ଶ କରିଗଲା । କିନ୍ତୁ ଭିତରର ଭାବକୁ ଦମନ କରି ହସି ହସି ସେ କହିଲା, ଆମେ ବିଦେଶୀ-। ସହରରୁ ଆସିଚୁ । ଆପଣଙ୍କ ଗାଁ ସମ୍ବନ୍ଧରେ ଆମର କୌଣସି ଧାରଣା ନାହିଁ । ଆପଣ ଆମକୁ ସାହାଯ୍ୟ କଲେ ଧର୍ମ ହେବ ।

 

ସ୍ତ୍ରୀ ଲୋକଟି କିଛିକ୍ଷଣ ଚୁପ୍‍ କରି ଠିଆ ହେଲା । ଅଶିକ୍ଷିତା ଗ୍ରାମ୍ୟ ମହିଳା ସାହାଯ୍ୟ ମାନେ ବୁଝେ ପଇସାର କାରବାର । କିନ୍ତୁ ଏ ବାବୁମାନେ ତା'ପରି ଯେ ଗୋଟାଏ ଦରିଦ୍ର ଅସହ୍ୟ ନାରୀଠାରୁ କିଛି ଆଶା କରୁଛନ୍ତି ସେ ଆଦୌ ବିଶ୍ଵାସ କରି ପାରିଲା ନାହିଁ । କେବଳ କରୁଣ ସ୍ୱରରେ କହିଲା, ମା ତମେ ଲକ୍ଷ୍ମୀ ! କାହିଁକି ଏ ଗରିବ ରାଜ୍ୟକୁ ଆସିଲ ।

 

ଏତେବେଳେ ଅରୂପ ଯେପରି ଗୋଟାଏ ବାଟ ଖୋଜି ପାଇଲା । ପ୍ରଥମେ ଏହି ଅଶିକ୍ଷିତା ନାରୀ ସହିତ ସମ୍ଭାଷଣ କରିବାକୁ ଯାଇ ସେ ଯେ ଅପମାନିତ ହୋଇଥିଲା ଆଦୌ ମନେ ରଖି ପାରିଲା ନାହିଁ । କହିଲା, ମା' ଅଚିହ୍ନା ହେଲେ ବି ଏ ଗାଁ ଆମର । ଗରିବ ହେଲେ ବି ତମେ ଆମର ।

 

ତାର ଏ ଭାଷାରେ କେଉଁ ହୃଦୟ ଛପି ରହିଥିଲା କେଜାଣି ସ୍ତ୍ରୀ ଲୋକଟିର ଆଖି ଛଳ ଛଳ ହୋଇ ଉଠିଲା । ଅନେକଥର ଏ ଗାଁକୁ କେତେ ବାବୁ ଭୟା ଆସିଚନ୍ତି । କେତେ ଯୁଦ୍ଧ, ନଈବଢ଼ି ,ଘରପୋଡ଼ି ପାଇଁ ବସ୍ତା ବସ୍ତା ଧାନ ମାଗି ନିଅନ୍ତି । ଆଉରି କେତେ ଆସନ୍ତି ରାଜୁତି ନେବାପାଇଁ । କେତେ କେତେ କଥା ଶୁଣେଇ ଯାଆନ୍ତି । କିନ୍ତୁ ଏମିତି କଥା ତାକୁ କେହି କେବେ କହିନାହିଁ । ଏହି ଦେବପୁରୁଷକୁ ସେ ପୁଣି ଅପମାନ ଦେଇଚି । କୋତରା ଲୁଗା କାନିରେ ଆଖି ପୋଛି ସେ କହିଲା, ମୋର ବୋଲି କେହି ନାହିଁ ବାବୁ ! ବାରବର୍ଷର ପିଲାଟା ମାସେ ହେଲା ଦାନା ଛାଡ଼ି ଘରେ ପଡ଼ିଚି । ଆହା ପଦ ମୋ ପାଇଁ କାହା ତୁଣ୍ଡରେ ନାହିଁ ।

 

କଣ୍ଠରେ ଦରଦ ଭରି ନିବେଦିତା କହିଲା, କିଛି ଔଷଧ ଦେଉନାହଁ ।

 

ଔଷଧ.....

 

ସ୍ତ୍ରୀ ଲୋକଟିର ଗଳା ରୁନ୍ଧି ହେଇ ଆସିଲା । ଟିକିଏ ପରେ ଅଶ୍ରୁ ସମ୍ବରଣ କରି ସେ କହିଲା, ତୋରାଣି ଟୋପାଏ ମିଳୁନି ମା ! ଔଷଧ କେଉଁଠୁ ପାଇବି । ଏଇ ମାଛ ଦି’ଟା ଧରିଥିଲେ ପୁଅ ମୋର ଦି’ଟା ଖାଇ ଥାଆନ୍ତା କ'ଣ କରିଥାଆନ୍ତା । ଚାଲ ତମକୁ ଭାଗବତ ଘର ଦେଖେଇ ଦେଇ ଆସିବି ।

 

ସମବେଦନାରେ ଅରୂପର ଅନ୍ତର ଭରି ଉଠିଲା । କିନ୍ତୁ ବିସ୍ମିତ ହୋଇ ଅନେଇ ରହିଲା ନିବେଦିତା । ବିଂଶଶତାବ୍ଦୀର ତୃତୀୟଭାଗରେ ବି ମାଛ ରୋଗୀର ପଥ୍ୟ ହେଇ ରହିଚି । ଏ ଯେପରି ତା ନିକଟରେ ଏକ ପରମ ଆଶ୍ଚର୍ଯ୍ୟ । ସ୍ତ୍ରୀର ଏହି ମନୋଭାବ ଅରୂପର ନିକଟରେ ଅଜଣା ରହିଲା ନାହିଁ । ନିବେଦିତାକୁ ବୁଝେଇ ଦେବାକୁ ଯାଇ ଇଂରାଜୀରେ ସେ କହିଲା, ଏ ହେଲା ଓଡ଼ିଶାର ଗ୍ରାମ୍ୟଜୀବନ । ସୁଯୋଗ ଆମକୁ ହାତଠାରି ଡାକି ଦେଉଚି । ଏହି ଦାରିଦ୍ର୍ୟ ଆଉ ଅଜ୍ଞତାର ମଝିରେ ଆମର କର୍ମଜୀବନ ଆରମ୍ଭ ହେଉ ।

 

ସ୍ଵାମୀକି ଉତ୍ସାହିତ କରି ହସି ହସି ସେହି ବିଦେଶୀ ଭାଷାରେ ନିବେଦିତା କହିଲା, ହେଉ.......

 

କିଛି ବାଟ ଅତିକ୍ରମ କରି ଭାଗବତ ଘର ଦୁଆର ମୁହଁରେ ଆସି ତିନିଜଣ ପହଞ୍ଚିଲେ । ଗ୍ରାମ୍ୟ ଅଭିଜ୍ଞତା ଅରୂପର ଗଭୀର । ନିବେଦିତା ସମ୍ପୂର୍ଣ୍ଣ ନବାଗତା । ଓଡ଼ିଶା ଗାଁ ମୁଣ୍ଡର ଭାଗବତ ଟୁଙ୍ଗୀ ନାଁ ସେ ଅନେକ ଥର ଶୁଣିଚି, ବହିରେ ପଢ଼ିଚି । କିନ୍ତୁ ତାର ଏ କରୁଣ ଅବସ୍ଥାକୁ ସେ ଆଦୌ ଭାବି ପାରି ନ ଥିଲା । ମାଟିର ଛୋଟ ଖଣ୍ଡିଏ ଘର । ଆଗକୁ ଚାଳ ବଢ଼ି ମଣ୍ଡପ କରାଯାଇଚି । ନୁଆଁଣିଆ ଛପର ମାଟିରେ ହାମୁଡ଼େଇ ପଡ଼ିଲାପରି ମନେ ହେଉଚି । ନଇଁ ନ ଚାଲିଲେ ସିଧା ଭାବରେ ଘର ଭିତରକୁ ପଶି ହେବନାହିଁ । ଚାଳିଆ ଭିତରକୁ ପଶିଯାଇ କବାଟ ଖୋଲି ଦେଲା ଅରୂପ । ଭିତରେ ଗୋଟିଏ ମାଟି ପିଣ୍ଡି ଉପରେ ରାଶିକୃତ ପୋଥି ଖଣ୍ଡେ ନାଲିଆ କନା ଘୋଡ଼ାହୋଇ ରହିଚି । ନିତି ସନ୍ଧ୍ୟାବେଳେ ଏଠି ପାଠ ପଠନ ଚାଲେ । ଗ୍ରାମର ମେଳାମହୋତ୍ସବ ଅନୁଷ୍ଠିତ ହୁଏ ଏଇଠି । ଅତିଥି ଅଭ୍ୟାଗତ ଆଶ୍ରୟ ପାଆନ୍ତି ଏଇଠି ।

 

ପଲ୍ଲୀ ଜୀବନର କର୍ମମୟ ମୁହୂର୍ତ୍ତ ଅନେକବେଳୁ ଆରମ୍ଭ ହେଇଗଲାଣି । ଏଠି ନାରୀ, ପୁରୁଷ, ବାଳକ, ବାଳିକା ସମସ୍ତେ ପରିଶ୍ରମୀ । ସକାଳ ହେବା ସାଙ୍ଗେ ସାଙ୍ଗେ ଗାଁ ଦାଣ୍ଡ ଜନାହୀନ ହେଇଉଠିଛି । କେବଳ କେହି କେହି ନବବଧୂ କବାଟ ଫାଙ୍କରେ ଏହି ନୂତନ ନର ନାରୀ ଆଡ଼େ ଅନେଇ ରହିଚନ୍ତି । ଅଳ୍ପ ସମୟ ପରେ ଯେତେବେଳେ କବାଟ ସବୁ ବନ୍ଦ ହେଇଗଲା, ସେତେବେଳେ ଜନହୀନ ପଲ୍ଲୀପଥ ଏତେ ନିଃସଙ୍ଗ, ନିଃସହାୟରୂପେ ଦେଖାଦେଲା ଯେ ମନେହେଲା ଏଠିକାର ବସବାସ ଯେପରି ଦୀର୍ଘ କାରାବାସ । ଅରୂପ ପାଇଁ କାହିଁକି ବା ଏହି ଶାସ୍ତିବିଧାନ ? କାହିଁକି ବା ଏହି ଆତ୍ମନିଗ୍ରହ ? ଏ ପ୍ରଶ୍ନର ଉତ୍ତର ଦେଇପାରିବ ନିବେଦିତା ! ପୃଥିବୀର ସମସ୍ତ ସୌଭାଗ୍ୟଠାରୁ ସେ ବଞ୍ଚିତ । ଦୁଃଖ ଦୁର୍ଭୋଗ୍ୟ ତାକୁ ଅପେକ୍ଷା କରି ବସିଛି । ଜୀବନର ସମସ୍ତ ଅବସ୍ଥାକୁ ସ୍ଵାଗତ ନ ଜଣେଇଲେ କୌଣସି ମତେ ଚଳିବ ନାହିଁ । କିନ୍ତୁ ଅରୂପ ? କୌଣସି ଜବାବ ସେ ଦେଇ ପାରିବ ନାହିଁ । ଆପାତତଃ କେହି ଯଦି ତାର ବିଚାର କରିବସେ । ତାହେଲେ ସେ ନିନ୍ଦିତ ହେବ ପାରିବାରିକ ଜୀବନରୁ ବିଚ୍ଛିନ୍ନ ହେଇ ସେ ଯେପରି ଏହି ନିଃସମ୍ଭଳ ଅପରିଚିତ ପଲ୍ଲୀପ୍ରାନ୍ତରେ ଛିଟିକି ପଡ଼ିଚି । ସମାଜ ତାର ଶାସ୍ତି ବିଧାନ କରି ବାଛି ଦେଇଚି ଏହି ନିରୁପାୟ ନିଃସଙ୍ଗତା । କାହିଁକି ଏ ଶାସ୍ତିବିଧାନ ? ଏହାଛଡ଼ା ଆଉ କିଛି କହିବାର ନାହିଁ ।

 

ଅରୂପର ଆଦର୍ଶ ରୁଚି । ତାର ଜଟିଳ ଶିକ୍ଷାପଦ୍ଧତି ତାର ସଂସ୍କାରଶୀଳ ମନ ଜୀବନ ସମ୍ବନ୍ଧରେ ତାର ବିଶଦ ବିଶ୍ଳେଷଣ ଆଉ ଦୃଷ୍ଟିଭଙ୍ଗୀ, ଏ ସବୁ ସଂସାରର ଶତ ଶତ ନରନାରୀ ନିକଟରେ ହସର ସାମଗ୍ରୀ । କେହି ଅରୂପର କଥା କାନପାତି ଶୁଣିଲେ କହିବ ସୁନାପୁଅ ହେଇ ମା କୋଳକୁ ଫେରିଯା ବାପା ! ପୁରୁଷ ବେଶ୍ୟା ପିଣ୍ଡାରେ ସାତଥର ବସି ଆସିଲେ ବି ପାପ ନାହିଁ, ଲଜ୍ଜା ନାହିଁ ।

 

ସତ୍ୟତାକୁ ସ୍ୱୀକାର କରିବାରେ ନିବେଦିତାର ଆଦୌ କୁଣ୍ଠାବୋଧ ନାହିଁ । ଅରୂପର ଚରମ ଦୁର୍ଭାଗ୍ୟରୂପେ ସେ ଆସି ତା ପାଖରେ ଠିଆ ହେଇଚି । ଗତ ଏମ; ଏ; ପରୀକ୍ଷାରେ ଯୋଗ୍ୟତାର ସହିତ ପାଶ କରିଥିଲା ଅରୂପ । ଯୁଗାନ୍ତକାରୀ କବି ହିସାବରେ ତାର ଅସାମାନ୍ୟ ଖ୍ୟାତି । ଆଜି ବି ସେଥିରେ ମନୋନିବେଶ କରିପାରିଲେ ସହଜ ଲୋଭନୀୟ ଜୀବନ ଅତିବାହିତ କରିପାରିବ ସେ । ଅଭିଜାତ ବଂଶର ଉତ୍ତରାଧିକାରୀ ସେ । ପିତାର ଏକମାତ୍ର ପୁତ୍ର । ଭୁସମ୍ପତ୍ତିର ପରିମାଣ ତାର ବହୁତ ବେଶୀ । ସୁଶିକ୍ଷିତା ଧନୀ କନ୍ୟାକୁ ବିବାହ କରି ସେ ସଂସାର ଗଢ଼ି ଥାଆନ୍ତା-। କିନ୍ତୁ କେଉଁଠି ଯେପରି ଦୁର୍ଯୋଗ ତାକୁ ଅପେକ୍ଷା କରି ବସିଥିଲା ।

 

ଅରୂପର ଶାନ୍ତ ଜୀବନ ଗୋଟାଏ ପ୍ରଚଣ୍ଡ ତୋଫାନ ବହିଗଲା ଆଉ ତାର ଆଘାତ ସହି ନ ପାରି ସେ ଯେମିତି ଆସି ଏହି ଅଦ୍‍ଭୂତ ଅଜ୍ଞାତ ପଥଧାରରେ ଛିଟିକି ପଡ଼ିଚି । ଏଠି ସହରର ବିଳାସ ଉପକରଣ ନାହିଁ । ମା, ଭଉଣୀର ସସ୍ନେହ ସମ୍ବୋଧନ ନାହିଁ । ଅବକାଶର ନିରୋଳା ମୁହୂର୍ତ୍ତରେ ମଧୁର ସମ୍ଭାଷଣ ନାହିଁ । ଅପାର୍ଥିତ ଯତ୍ନ, ଅନାହୂତ ସେବା ଆଜି ଅରୂପ ପାଇଁ ପ୍ରତୀକ୍ଷାର ନିମିଷ ଗଣୁନାହିଁ । କେବଳ ରହିଚି ଏହି ଅପରିଚିତ ପଲ୍ଲୀର ନିରାଡ଼ମ୍ବର ସୌନ୍ଦର୍ଯ୍ୟ । ଜନ ପ୍ରାଣହୀନ ଗ୍ରାମ୍ୟପଥ, ନିର୍ଜ୍ଜନ ସକାଳ । ସମସ୍ତେ ମିଶି ଯେପରି ପ୍ରତି ମୁହୂର୍ତ୍ତରେ ନିବେଦିତାକୁ ଉତ୍ପୀଡ଼ନ କରି ଚାଲିଲେ ।

 

ଉଦାର ସହିଷ୍ଣୁ ଲୋକ ଅରୂପ । ଦୁଃଖରେ କାତର ସୁଖରେ ଅଧୀର ହେଲାପରି ସାଧାରଣ ସହଜ ମଣିଷ ସେ ନୁହେଁ । ଏହି ସାମାନ୍ୟ ଆଶ୍ରୟକୁ ପ୍ରସନ୍ନ ଚିତ୍ତରେ ଗ୍ରହଣ କରିବାକୁ ଯାଇ ବ୍ୟାଗ ବିଛଣା ଆଣି ସେ ଘର ଭିତରେ ପହଞ୍ଚିଗଲା । କାହାର ମତାମତ କିମ୍ବା ଅନୁମତି ପାଇଁ ଅପେକ୍ଷା ନାହିଁ । ଲୁଗାପଟା ବଦଳେଇ ସଫେଇ କାମରେ ଲାଗିପଡ଼ିଲା ସେ । ଗୋଟିଏ ଓଳିପାଇଁ ଯେଉଁଠି ଆଶ୍ରୟ ମିଳିଲା ଗୋଟିଏ ଓଳିପାଇଁ ବି ସେ ନିଜର ହେଲା । ତାର ଅଯତ୍ନ କଲେ ମାନବିକ କର୍ତ୍ତବ୍ୟରେ ତ୍ରୁଟି ହେବ ।

 

ସମୟ ଗଡ଼ିଗଲା । କାମ ସାରି ଦଳ ଦଳ ଚାଷୀଘରକୁ ବାହୁଡ଼ି ଆସିଲେ । ଦଳେ ଲୋକ ଆସି ଅରୂପ ନିକଟରେ ଜୁଟିଗଲେ । ପଚାରିଲେ, ବାବୁ କେଉଁଠୁ ଆସିଚନ୍ତି ?

 

ଅରୂପ କହିଲା, କଟକରୁ ଆସିଚୁ । ଏ ଅଞ୍ଚଳରେ କିଛିଦିନ ରହିବୁ ।

 

କଟକ ନାଁ ଶୁଣି ଆଉ ଅରୂପର ଚେହେରା ଦେଖି ସେମାନେ ଆଭୂମି ପ୍ରଣତ ହେଇ ସ୍ଵାମୀ ସ୍ତ୍ରୀ ଦୁଇଜଣଙ୍କୁ ପ୍ରଣାମ ଜଣେଇଲେ । ସରକାରୀ କର୍ମଚାରୀ ଗାଁକୁ କାମପାଇଁ ଆସିଚନ୍ତି । ଅନେକ ସମୟରେ ଏ ଗାଁକୁ ଏମିତି ଜଣେ ଜଣେ ବାବୁ ଆସନ୍ତି । କିନ୍ତୁ ସେମାନେ ସସ୍ତ୍ରୀକ ଆସନ୍ତି ନାହିଁ । ଏକା ଏକା ଆସି ଷ୍ଟେସନରେ ରହି ଗାଁ ଲୋକଙ୍କୁ ଡାକି ସଭା କରନ୍ତି । କିନ୍ତୁ ଏମାନେ ଏକବାର ଗାଁ ଭିତରକୁ ଚାଲି ଆସିଚନ୍ତି । ବୋଧହୁଏ କିଛି ଉଦ୍ଦେଶ୍ୟ ଅଛି ।

 

ଭିତରେ ଭୟ ଥିଲେ ବି ସାହସ କରି ଜଣେ କହିଲା, ରହିବେ କାହିଁକି ବାବୁ !

 

କାମରେ ଆସିଚୁ । ଆପଣଙ୍କର ଏଠିକି ଆସି କେହି କ’ଣ ରହନ୍ତି ନାହିଁ ?

 

ରହନ୍ତି ବାବୁ ! ରହନ୍ତି । ରହିଲେ ଆପଣଙ୍କର କିଛି ଅସୁବିଧା ହେବ ନାହିଁ । ଆମେମାନେ ପାଖେ ପାଖେ ରହିବୁ ।

 

ପ୍ରାୟ ଦୁଇ ତିନିଜଣ ଲୋକ ଆଗକୁ ଆସି ସମସ୍ଵରରେ କହିଲେ, କଣ ଦରକାର ବାବୁ ! ଖାବାର ଟାବାର ସାଙ୍ଗରେ ଆଣିଚନ୍ତି ନା ?

 

ଓଡ଼ିଶାର ଏହି ନିପଟ ମଫସଲରେ ଦି’ପଦ ଶୁଣା ଶିକ୍ଷା ବଙ୍ଗଳା ବୋଲିର ବଡ଼ିମା ଦେଖି ନିବେଦିତା ହସି ପକେଇଲା । କିନ୍ତୁ ଅରୂପ ଏଥିପାଇଁ ଦୁଃଖ ବୋଧକଲା । କହିଲା, ନା କିଛିନାହିଁ । ଆପଣଙ୍କର କ’ଣ ଏଠି କିଛି ମିଳେନା ?

 

ମିଳେ ବାବୁ ! ଇଷ୍ଟେସନ ପାଖରେ ଖାବାର ଦୋକାନ ଅଛି । ଲଡ଼ୁ, ବରା, ଗୁଲୁଗୁଲା । ଛାଚି କୋରା ମିଳିବ ।

 

ଅରୂପ କହିଲା, ସେ ସବୁ ଦରକାର ନାହିଁ । ବରଂ ଆପଣଙ୍କ ଗାଁରେ କିଛି ମିଳିଲେ ଆଣନ୍ତୁ ।

 

ହେଉ ବାବୁ ! ହେଉ ବାବୁ ! ହେଉ !

 

କହି କହି ଦୁଇଜଣ ଲୋକ ଚାଲିଗଲେ । ତାଙ୍କର ଆଦେଶ କ୍ରମେ ଘରଟା ସାଙ୍ଗେ ସାଙ୍ଗେ ଖରକା ଖରକି ହେଇଗଲା । କିଛିକ୍ଷଣ ପରେ ସେଇମାନଙ୍କ ଚେଷ୍ଟାରେ ଗାଧୂଆ ପାଧୁଆ ସରିଗଲା । ଅଳ୍ପ ଦୂରରେ ଏକ ବିରାଟ ଜଳାଶୟ ! କିନ୍ତୁ ତାର ପ୍ରାୟ ତିନିଭାଗ ପଦ୍ମ, କଇଁ, ବରଝାଞ୍ଜିରେ ରୁଦ୍ଧ ହେଇଯାଇଚି । ଦଶ ପନ୍ଦର ହଂସ, ବତକ ସେହି ପାଣିରେ ପହଁରି ପହଁରି ଖାଦ୍ୟ ଅନ୍ୱେଷଣ କରୁଚନ୍ତି, ସନ୍ଦେହ ନାହିଁ । ପୋଖରୀଟି ଗାଁର ସମସ୍ତ ଜୀବଜନ୍ତୁ, ମଣିଷର କାମରେ ପୁରୁଷାନୁକ୍ରମେ ଲାଗିଆସୁଚି ।

 

ଉପାୟ ନାହିଁ । ଅବଶେଷରେ ସେହି ପାଣି ଅରୂପ ଆଉ ନିବେଦିତାଙ୍କର କାମରେ ଲାଗିଲା । ଖାଇବା ପିଇବା ଶେଷ କରିବାକୁ ପ୍ରାୟ ଦୁଇଘଣ୍ଟା ଲାଗିଗଲା । ଜଣାଗଲା ଆଖ ପାଖରେ ଆଉରି କେତେ ଛୋଟ ବଡ଼ ଗାଁ ଅଛି । ସେଠି ଅନେକ ସଂଭ୍ରାନ୍ତ ଖ୍ରୀଷ୍ଟିୟାନ ପରିବାର ଅଛନ୍ତି । ଗୀର୍ଜା ଅଛି, ଗୋଟିଏ ନିମ୍ନ ପ୍ରାଥମିକ ବିଦ୍ୟାଳୟ ମଧ୍ୟ ଅଛି ।

 

କ୍ରମେ କ୍ରମେ ଗାଁର ଚାଷୀ, ମୁଲିଆ, ସ୍କୁଲ ଶିକ୍ଷକ, ପାଦ୍ରୀଙ୍କ ସହିତ ଜଣ ଜଣ କରି ଅନେକ ଲୋକଙ୍କ ସହିତ ପରିଚୟ ହେଇଗଲା । ଆଶ୍ଚର୍ଯ୍ୟର କଥା ଯେ ଅନଉ ଅନଉ ପନ୍ଦର ଦିନ ଭିତରେ ଅରୂପ ସମସ୍ତଙ୍କର ହୃଦୟ ସ୍ପର୍ଶ କରି ପାରିଲା ।

 

ଗ୍ରାମର ମହିଳା ମହଲରେ ନିବେଦିତା ଖୁବ୍‍ ଅନ୍ତରଙ୍ଗ ହେଇ ଉଠିଲା । ତାର ଆଚାର, ବ୍ୟବହାର, ତାର ନମନୀୟ କମନୀୟ ଚେହେରା, ତାର ଚାଲିଚଳନ ଯେପରି ଚୁମ୍ବକ ପରି ପଲ୍ଲୀନାରୀମାନଙ୍କୁ ଆକର୍ଷଣ କରି ଆଣିଲା । ଅବଶ୍ୟ ମଝିରେ ଥରେ ଏଥିପାଇଁ ଯେ ମୁରବୀ ବୃଦ୍ଧମାନଙ୍କ ଅନ୍ତରରେ ପ୍ରତିବାଦର ଗୁଞ୍ଜନ ଉଠି ନ ଥିଲା ଏହା ନୁହେଁ । ସମୟ କ୍ରମେ ତାହା ଚାପି ହେଇ ରହିଗଲା ।

 

ଗାଁର କେତେଜଣ ସାକ୍ଷର ଯୁବକଙ୍କ ସହିତ ଅରୂପର ଆତ୍ମୀୟତା ଆସିଯାଇଚି । ସେମାନେ ଅରୂପକୁ ପ୍ରଥମ ପ୍ରଥମ ସରକାରୀ କର୍ମଚାରୀ ମନେ କରିଥିଲେ । ଏବେ ସବୁ ଜାଣି, ବୁଝି ଅରୁପର ଭକ୍ତ ପାଲଟି ଯାଇଚନ୍ତି । ନିଜ ଇଚ୍ଛାରେ ଆନନ୍ଦର ସହିତ ଅରୂପର କାମ କରି ଯାଆନ୍ତି ସେମାନେ । ଦିନଯାକର ହାଡ଼ଭଙ୍ଗା ପରିଶ୍ରମ ପରେ ସନ୍ଧ୍ୟାବେଳେ ଅରୂପ ପାଖକୁ ଫେରି ଆସନ୍ତି । ଦେଶ ବିଦେଶର କାହାଣୀ ଶୁଣନ୍ତି । ନାନା କର୍ମରେ ସହଯୋଗ କରି ନାନାକଥା ଶିଖନ୍ତି । ନାନା କଳ୍ପନା ଜଳ୍ପନା ଭିତରେ ଦିନ କଟିଯାଏ ।

 

ନିବେଦିତା ନିଜ ହାତରେ ରୋଷେଇ କରେ । ସ୍ଵାମୀର ଯତ୍ନ କରେ । ଅରୂପର ଗ୍ରାମ୍ୟ ବନ୍ଧୁମାନଙ୍କୁ ଆଦର କରେ । ଛୋଟ ଘରଟି ଭିତରେ ପରିପାଟୀର ସହିତ ବ୍ୟବହାର୍ଯ୍ୟ ବସ୍ତୁ ସଜେଇ ରଖେ ।

 

ବିଶ୍ରାମ ସମୟରେ ଗାଁର ନିରକ୍ଷର ଝିଅ ବୋହୂମାନକୁ ପାଠ ପଢ଼ାଏ । ପୋଷାକ ସିଲେଇ ଶିଖାଏ । ଶିଶୁପାଳନ ସମ୍ବନ୍ଧରେ ଶିକ୍ଷା ଦିଏ । କେଉଁଥିରେ ତାର ବିରକ୍ତି ନ ଥାଏ । ଅଭିଯୋଗ ନ ଥାଏ । ଯେମିତି ସମସ୍ତ ଅବସ୍ଥା ପାଇଁ ସେ ନିଜକୁ ସେ ବହୁ ପୂର୍ବରୁ ପ୍ରସ୍ତୁତ କରିଥିଲା-

 

ଅରୂପ ଜାମା, ଜୋତା ସାଇତି ରଖି ଦେଇଛି । ଗ୍ରାମ୍ୟ ଜୀବନରେ ସେ ସବୁର ପ୍ରୟୋଜନ ନାହିଁ । ଖାଲି ପାଦ, ଖୋଲା ଦେହରେ ସେ ଯିବା ଆସିବା କରେ । ଧାନ ବିଲରେ ବୁଲି ବୁଲି ଧାନକଟା ଦେଖେ । ଖଳାରେ ବସି କଚଡ଼ା ଗଣେ । ଗାଁର ପୁରୁଷମାନଙ୍କ ସହିତ ଅନେକ ସମୟରେ ନାନା ଗୁରୁତର ବିଷୟରେ ଆଲୋଚନା କରେ, ପରାମର୍ଶ କରେ । ଗାଁରେ ପିଲାମାନଙ୍କ ପଢ଼ିବା ପାଇଁ ସ୍କୁଲ ଦରକାର, ପୌଢ଼ ଶିକ୍ଷା ଶିବିର ଦରକାର, ମାତୃମଙ୍ଗଳ କେନ୍ଦ୍ର ଦରକାର, ନାରୀମଙ୍ଗଳ ଅନୁଷ୍ଠାନ ଦରକାର, ଡାକ୍ତରଖାନା ଦରକାର ।

 

ଅନେକ ସମୟରେ ଘୂରି ଘୂରି ଘରକୁ ଫେରି ଆସେ ଅରୂପ । ବିଛଣାରେ ପଡ଼ି ପଡ଼ି ଶୀତାର୍ତ୍ତ ଅନ୍ଧକାର ମଝିରେ ନିଜକୁ ହଜେଇ ଦିଏ । ଶୁଣିବାକୁ ଚାହେଁ ବର୍ଷାର ରିମ୍‍ ଝିମ୍‍ ସଙ୍ଗୀତ । ଦେଖିବାକୁ ଚାହେଁ ବସନ୍ତର ପୁଷ୍ପୋତ୍ସବ । ଭାବି ଭାବି ଶୋଇପଡ଼େ ସେ ।

 

 

 

ଉଦଯୋଗ ପର୍ବର ପ୍ରଥମ ଛ ମାସ ଅରୂପକୁ କଠୋର ପରିଶ୍ରମ ଆଉ କଷ୍ଟ ସ୍ୱୀକାର କରିବାକୁ ହେଲା । ଗାଁଟି ଥିଲା ନିହାତି ଦରିଦ୍ର ଆଉ ନିଃସ୍ଵ । ନିପୀଡ଼ନର ବସତି । ସେଥିଯୋଗୁ ଅସୀମ ଅଧ୍ୟବସାୟ ସହକାରେ ତାକୁ ଅର୍ଥ ସଂଗ୍ରହ କରିବାକୁ ପଡ଼ିଲା । ନିବେଦିତା ରହିଲା ସ୍ୱାମୀର ପାଖେ ପାଖେ । ସେ ସହଧର୍ମିଣୀ, ସହକର୍ମିଣୀ । ଭୀଷଣ ଦାରିଦ୍ର୍ୟ ଆଉ ନୈରାଶ୍ୟ ମଝିରେ ତାର କୌଣସି ବିଲକ୍ଷଣ ପ୍ରକାଶ ପାଇଲା ନାହିଁ । ସମସ୍ତ ଦୁଃଖ ଆଘାତକୁ ହସି ହସି ସେ ଅସ୍ୱୀକାର କରି ଯାଏ । ସ୍ୱାମୀ ତାର କଳ୍ପନା ପ୍ରବଣ । କଳ୍ପନା ତାର ମାଟିର ପୃଥିବୀ ଛୁଇଁ ଆକାଶ ସ୍ପର୍ଶ କରି ଯିବାକୁ ଚାହେଁ । ଏମିତି ସ୍ୱାମୀକି ସହଯୋଗ କରି କର୍ମୀ ରୂପରେ ଆଗେଇ ନେବା ନିବେଦିତା ପକ୍ଷେ ଆଦୌ ଅସମ୍ଭବ ନୁହେଁ । ସଭ୍ୟ ସହରର ବିଳାସ, ଆଡ଼ମ୍ବର ନେଇ ସେ ଆଉ ଭାବିବ ନାହିଁ । କିନ୍ତୁ ନିଜ ଅବସ୍ଥାର କାରୁଣ୍ୟକୁ ଆଦୌ ଭୁଲିପାରେ ନାହିଁ । ସ୍ୱାମୀର ମନ ବୁଝିବାରେ ସେ ଆଦୌ ତ୍ରୁଟି କରେ ନାହିଁ, କିନ୍ତୁ ନିଜ ଭିତରର ନିଆଁରେ ସେ ଧୀରେ ଧୀରେ ଜଳି ପୋଡ଼ି ଯାଉଚି । ଅନ୍ଧ ପରି ଦେହର ସୁରଭି ଧରି ସେ ଅରୂପକୁ ମୁଗ୍‍ଧ କରିବାର କଳ୍ପନା କେବେହେଲେ କରି ପାରିନାହିଁ । ନାନା ଦୁଃଖ, ଦୁର୍ଭୋଗ ଭିତରେ ମଧ୍ୟ ସେ ଅରୂପ ଭଲପାଇବାକୁ ପଦେ ପଦେ ସମ୍ମାନ ଦେଇ ଆସିଚି । ସେଥିପାଇଁ ଦିନ ଦିନ ଧରି ସେ ପାଇ ଆସିଚି ମଣିଷ ହୃଦୟର ନିବିଡ଼ ସ୍ପର୍ଶ । ଅରୂପ ଏ କ୍ଷେତ୍ରରେ ବିଫଳ ହୋଇନାହିଁ । ଓଡ଼ିଆ ସୁଲଭ ଅସ୍ଥିରମନାର ଗୋଟାଏ କ୍ଷଣିକ ଆବେଗ ଆଉ ଉତ୍ତେଜନାର ଚୋରା ବାଲି ଉପରେ ସେ ସମ୍ବନ୍ଧ ପ୍ରତିଷ୍ଠା କରିନାହିଁ । ତା ଜୀବନରେ ବାରମ୍ବାର ଯେଉଁ ପରାଜୟ ଘଟିଚି, ଭବିଷ୍ୟରେ ପୁଣି ଯେ ସେହି ବ୍ୟର୍ଥତାର ସମ୍ଭାବନା ଅଛି ଏମିତି କୌଣସି ଦୁର୍ବଳ ଚିନ୍ତା ଅରୂପକୁ ସ୍ପର୍ଶ କରିନାହିଁ । ନିବେଦିତାର ଅନିଚ୍ଛାକୃତ କଳଙ୍କକୁ ସେ ସେହି ସୁଦୂର ସହରରେ ପୋଛି ଫିଙ୍ଗି ଦେଇ ଆସିଛି ।

 

ଯେ କୌଣସି ପ୍ରକାର ମାଟିରେ ମଞ୍ଜି ବୁଣି ଦେଲେ ସେ ଅଙ୍କୁରି ଉଠିବ ନାହିଁ । ଅଙ୍କୁରଠାରୁ ନିଶ୍ଚୟ ଦିନେ ନା ଦିନେ ବୃକ୍ଷ ବଢ଼ି ଉଠିବ । କିନ୍ତୁ ସେଥିପାଇଁ ପାରିପାର୍ଶ୍ଵିକ ଅନୁକୂଳ ଅବସ୍ଥାର ପ୍ରୟୋଜନ ଖୁବ୍‍ ବେଶି । ଅରୂପ ସାରବାନ ମୃତ୍ତିକା ଖୋଜି ବୁଲୁଥିଲା । ନିଜ ରକ୍ତ ଝଲକାଇ ସେଇ ମୃତ୍ତିକାକୁ ସେ ଜୀବନ ରସରେ ରସାଣିତ କରି ଫଳବତୀ କରିପାରିବ କି ନାହିଁ ସେ ବିଚାର ସେ ନିର୍ଭୁଲ ଭାବେ କରି ସାରିଚି ।

 

ସପ୍ତମ ମାସ ଆରମ୍ଭ ହୋଇଗଲା । ଗତ ମାସଗୁଡ଼ିକରେ ପରିଶ୍ରମ ଆଉ ଖର୍ଚ୍ଚର ମାତ୍ର ବହୁତ ବେଶୀ ଥିଲା । ଯାହାକୁ ତୁଲେଇ ପାରିବା ପରି ଶକ୍ତି କ୍ଷୁଦ୍ର ପଲ୍ଲୀ ପାଇକ ପଦା କିମ୍ବା ନିସମ୍ବଳ ଅରୂପର ନ ଥିଲା । ତଥାପି ଅରୂପର ଅଭିଯାନ ଥିଳା ଦୁଃସାହସିକ ।

 

ସମଗ୍ର ପାଇକପଡ଼ାର ବଣ୍ୟ ଆତ୍ମା ଭିତରେ ମାନବିକ ଚେତନା ଆଣିବାକୁ ହେଲେ, ସେମାନଙ୍କୁ ପ୍ରଥମ ଋଣ ମୁକ୍ତ କରିବାର ଯଥେଷ୍ଟ ଆବଶ୍ୟକତା ଅନୁଭବ କରିଥିଲା ଅରୂପ । କିନ୍ତୁ ଏ ଅଞ୍ଚଳରେ ସମବାୟ ସମିତି ନାହିଁ । ପ୍ରଥମ ଅବସ୍ଥାରେ ପାଇକପଡ଼ାକୁ କେନ୍ଦ୍ରକରି ଅରୂପ ଏକ ବେସରକାରୀ ଅନୁଷ୍ଠାନ ଗଢ଼ି ଥୋଇଲା । ସେଥିପାଇଁ ତାକୁ ଅସୀମ ସହିଷ୍ଣୁତାର ସହିତ ଗାଁ ଗାଁ ବୁଲିବାକୁ ହେଇଛି । ସେଥିଯୋଗୁ ସେ ଯେ ଅନ୍ୟମାନଙ୍କର ସହଯୋଗ ନ ପାଇଚି ଏହା ନୁହେଁ । କର୍ମୀ ମଧ୍ୟ ନିଯୁକ୍ତ ହେଇ ସାରିଚନ୍ତି ।

 

ସେମାନଙ୍କର ବହୁ ଚେଷ୍ଟାରେ ଗତ ଛଅମାସ ଭିତରେ ଗୋଟାଏ ପ୍ରାଇମେରୀ ବିଦ୍ୟାଳୟ, ଗୋଟିଏ ପ୍ରୌଢ଼ ଶିକ୍ଷା ଶିବିର ଗଢ଼ି ଉଠିଛି । ସରକାରୀ ସ୍ୱୀକୃତି ମଧ୍ୟ ପାଇ ସାରିଚି । କର୍ମପଦ୍ଧତିର ପରିକଳ୍ପନା କରେ ଅରୂପ । ନିର୍ଦ୍ଦେଶ ଦିଏ ସେଇ, କିନ୍ତୁ ପରିଚାଳନା ଭାର ଥାଏ ଅନ୍ୟ ଉପରେ । ନାରୀ ଶିକ୍ଷାର ବହୁମୁଖୀ ପ୍ରଚଳନ ପାଇଁ ଗୋଟିଏ କ୍ଷୁଦ୍ର କୁଟୀରଶିଳ୍ପ ଅନୁଷ୍ଠାନ ଓ ଗୋଟିଏ ଡାକ୍ତରଖାନା ଖୋଲିବାର ଆୟୋଜନ ଖୁବ୍‍ ଜୋରରେ ଚାଲିଚି ।

 

ଏମିତି ସମୟରେ ହଠାତ ଏକ ଦୁର୍ଯୋଗ ଦେଖା ଦେଲା । ଗତବର୍ଷ ଅନାବୃଷ୍ଟି ଯୋଗୁ ଏ ଅଞ୍ଚଳରେ ଫସଲର ଦୁରବସ୍ଥା ଦେଖାଦେଇଥିଲା । ଯଥେଷ୍ଟ ସଂଯମ, କଷ୍ଟ ସହିଷ୍ଣୁତା ଥିବା ସତ୍ତ୍ୱେ ଖ୍ରୀଷ୍ଟିୟାନ ଜମି ମାଲିକମାନଙ୍କ ବ୍ୟବହାରରେ ଚାଷୀମାନେ କ୍ଷୁବ୍‍ଧ ହୋଇ ଉଠିଲେ । ଯେତିକି ଫସଲ ମିଳିଲା ତାର ଅଧାଅଧି ଜମି ବାବଦ ଆଉ ଏକ ତୃତୀୟାଂଶ କରଜର ସୁଧ ବାବଦକୁ ମାଲିକମାନେ ଜୋର କାଢ଼ି ନେଲେ । ଏଥିରେ ଚାଷୀମାନଙ୍କ ଭିତରେ ଘୋର ଅସନ୍ତୋଷ ଦେଖା ଦେଲା । ଚାରିପାଖ ଘେରି ଗୋଟାଏ ଚାପା ବିଦ୍ରୋହାଗ୍ନି ମଧ୍ୟ ଜଳି ଉଠିଲା ।

 

କୌଣସିମତେ ଅବସ୍ଥାକୁ ଆୟତ୍ତ କରି ଅରୂପ ଚଳିତ ବର୍ଷ କୋଠ ଚାଷର ପ୍ରବର୍ତ୍ତନ କରେଇଲା । ଏହି ନୂତନ ବ୍ୟବସ୍ଥାକୁ ଚାଷୀ ମଜଦୁର ମାନେ ଆନନ୍ଦର ସହିତ ଗ୍ରହଣ କରି ନେଲେ ମଧ୍ୟ ଭୂମି ମାଲିକମାନେ ଗ୍ରହଣ କରି ପାରିଲେ ନାହିଁ । ସେମାନେ ଜମି ଛଡ଼େଇ ନେଇ ଚାଷୀମାନଙ୍କୁ ଜବତ କରିବାର ପନ୍ଥା ଖୋଜି ବୁଲିଲେ ।

 

ଅରୂପ ଏମିତି ଏକ ପଙ୍ଗୁ ପରିସ୍ଥିତିର କଳ୍ପନା ସୁଦ୍ଧା କରି ପାରି ନ ଥିଲା । ପାଇକପଡା କାହିଁକି ଏ ଅଞ୍ଚଳର ସଂଖ୍ୟାଧିକ ଲୋକ ପ୍ରାୟ ଭୂମିହୀନ । ଭୂମି ଛାଡ଼ି ଏମାନଙ୍କର ଜୀବନଧାରଣର ଅନ୍ୟ ପନ୍ଥା ନାହିଁ । ସହର ଏମାନଙ୍କ ଠାରୁ ବହୁ ଦୂରରେ । ଏହି ବେକାର ସମସ୍ୟାର ସମାଧାନ କରି ନ ପାରିଲେ ତାର ସମସ୍ତ ସାଧନା ବ୍ୟର୍ଥ ହୋଇଯିବ । ତାର ବ୍ୟକ୍ତିତ୍ୱ କଳଙ୍କିତ ହେବ ।

 

ତାର ଏହି ଦୁଶ୍ଚିନ୍ତାର ଅବସାନ ଘଟାଇ ହଠାତ୍‍ ଆଉ ଏକ ଅପ୍ରୀତିକର ଘଟଣା ଉପସ୍ଥିତ ହେଲା । ଏକ ବୈବାହିକ ଉତ୍ସବରେ ଜଣେ ଖ୍ରୀଷ୍ଟିୟାନ ଭୂମି ମାଲିକ ପାଇକପଡ଼ାର ଦୁଇ ତିନି ଜଣ ଋଣଗ୍ରସ୍ତ ଚାଷୀକି କାମ କରିବା ପାଇଁ ଡାକି ନେଲେ । ପ୍ରଥମେ ଏମାନେ ବିଶେଷ ଆପତ୍ତି ଉଠେଇଲେ ନାହିଁ । କିନ୍ତୁ ଯେତେବେଳେ ସେମାନଙ୍କୁ ଗୋରୁ ଛେଳି କାଟିବା କାମରେ ନିୟୋଗ କରାଗଲା ସେମାନେ ତାର ତୀବ୍ର ପ୍ରତିବାଦ ଜଣେଇଲେ ଚାଷୀମାନେ ଋଣ ଗ୍ରସ୍ତ, ମୂର୍ଖ । ବିଶେଷ କରି ହିନ୍ଦୁ । ତାପରେ ସେମାନେ ଅରୂପ ଦଳର ଲୋକ । ଖ୍ରୀଷ୍ଟିୟାନ ଭଦ୍ରଲୋକ ସାମୁଏଲ ଧୀର ଏହି ଆକ୍ରୋଶ ଧରି ସେମାନଙ୍କର ଶାସ୍ତି ବିଧାନ କଲେ । ଖାଇବା ପିଇବାକୁ ନ ଦେଇ ସେମାନଙ୍କୁ ଘର ଭିତରେ ବନ୍ଦ କରି ରଖିଲେ ଆଉ ଚାରିଜଣ ଲୋକ ଠେଙ୍ଗା ଧରି ସେମାନଙ୍କୁ ଜଗି ରହିଲେ ।

 

ସେତେବେଳେ ପ୍ରାୟ ବୈଶାଖ ମାସର ଶେଷାଶେଷି । ଗୋଟାଏ ଦିନପରେ ଯେତେବେଳେ ଅରୂପ ନିକଟରେ ସେ ଖବର ପହଞ୍ଚିଲା, କିଛିକ୍ଷଣ ସ୍ତବ୍‍ଧ ହୋଇ ଅନେଇ ରହିଲା ସେ । ତାପରେ ଦୌଡ଼ି ଦୌଡ଼ି ଆସି ସାମୁଏଲ ଧୀରଙ୍କ ଦୁଆର ମୁହଁରେ ପହଞ୍ଚିଲା । ତାର ପଛେ ପଛେ ଆଉରି କେତେଜଣ ମଧ୍ୟ ପହଞ୍ଚିଲେ ।

 

କାହା ସହିତ କୌଣସି କଥାବାର୍ତ୍ତା ହେଲାନାହିଁ । ସିଧା ଆଗେଇ ଯାଇ ଚାଷୀମାନେ ବନ୍ଦ ଥିବା ଘର ନିକଟରେ ପହଞ୍ଚିଲେ । ପାଇକପଡ଼ାରେ ଅରୂପର ପ୍ରଥମ ସହାୟକ, ସମର୍ଥକ ବିନୋଦ ଆଗେଇ ଯାଇ କବାଟ ଖୋଲିବାକୁ ଚେଷ୍ଟା କଲା । ଠେଙ୍ଗାଧାରୀ ଲେକ ଚାରିଜଣ ଦୌଡ଼ି ଆସି କହିଲେ, ସାବଧାନ........

 

କାହିଁକି ?

 

ସେମାନେ ଚୋରି କରି ପଳେଇ ଯାଉଥିଲେ, ଧରା ପଡ଼ିଛନ୍ତି ।

 

ମିଛ........

 

ମିଛ ? ବାବୁ ଥାନାକୁ ଗଲେଣି, ତମକୁ ଗେଲ ଲାଗିଚି ?

 

ବିନୋଦ ଅବାକ୍‍ ହେଇ ଅନେଇ ରହିଲା ଅରୂପଆଡ଼େ ।

 

ଅରୂପ କହିଲା, ତାଲା ଭାଙ୍ଗି ଦିଅ ବିନୋଦ ! ପୋଲିସ ଲୋକ ଆସିଲେ ଦେଖାଯିବ ।

 

ବିନୋଦ ତାଲା ଉପରେ ଗୋଟାଏ ପାହାର ବସେଇ ଦେଲା । ଜଣେ ଠେଙ୍ଗାଧାରୀ ତାର ହାତ ଧରି ଟାଣି ନେଇ କହିଲା, ଶଳା ଚୋର !

 

ଅନ୍ୟ ତିନିଜଣ ଠେଙ୍ଗା ଉଠେଇ ଦୌଡ଼ି ଆସିଲେ । ଅରୂପ ଜଣକ ହାତରୁ ଠେଙ୍ଗା ଛଡ଼େଇ ନେଇ କୋଲପ ଉପରେ ପୁଣି ଏକ ଆଘାତ କଲା । ତାର ଅନ୍ୟଜଣେ ସହକର୍ମୀ ଗୋବିନ୍ଦ ଆଗକୁ ଦୌଡ଼ି ଆସି କହିଲା, ଆପଣ ରୁହନ୍ତୁ ଭାଇ !

 

ଅରୂପ ସମସ୍ତଙ୍କର ଭାଇ, ସମସ୍ତଙ୍କର ଆତ୍ମୀୟ । ଉତ୍ତେଜିତ ହୋଇ ସେ କହିଲା, ରହିବାକୁ ସମୟ ନାହିଁ ଗୋବିନ୍ଦ । ଶୀଘ୍ର କବାଟ ଖୋଲିବାକୁ ହେବ ।

 

କିନ୍ତୁ ଅରୂପ ହାତରୁ ଠେଙ୍ଗା କାଢ଼ି ଆଣିବାକୁ ଯାଇ ତା ଉପରେ ଦୁଇଜଣ ଲୋକ ମାଡ଼ି ପଡ଼ିଲେ । ଅରୂପ ଦଳ ମଧ୍ୟ ଚୁପ୍‍ ରହି ପାରିଲେ ନାହିଁ । ସେମାନେ ସମସ୍ୱରରେ ଯୁଦ୍ଧ ଘୋଷଣା କରି ଉଠିଲେ । ଘଟଣା ସ୍ଥଳରେ ବହୁ ଦେଖଣାହାରୀ ଆସି ଜମା ହେଇ ପଡ଼ିଲେ । ଦୁଇଦଳକୁ ସହଯୋଗ କରିବାକୁ ଅନେକ ଲୋକ ମଧ୍ୟ ଆଗେଇ ଆସିଲେ ।

 

ଦୁମ୍‍ଦାମ୍‍ ଧସ୍ତା ଧସ୍ତି ଭିତରେ କବାଟ ଖୋଲା ହେଇଗଲା । ଅନେକ ଛାଡ଼ି ପଳେଇଲେ-। କିନ୍ତୁ ଠେଙ୍ଗାଧାରୀମାନଙ୍କର ପ୍ରଥମ ଶିକାର ହେଲେ ଅରୂପ ଆଉ ବିନୋଦ । ତାଙ୍କ ଆହତ ଦେହ ମାଟି ଉପରେ ଲୋଟି ପଡ଼ିଲା ।

 

ସହାନୁଭୂତିର ଆହାସ୍ଵରରେ ପଲ୍ଲୀପଥ ମୁଖରିତ ହୋଇ ଉଠିଲା ।

 

ଏହା ପରେ ଏହି ରକ୍ତାକ୍ତ ଘଟଣା କେଉଁ ରୂପ ନେଲା ତାହା ବାହ୍ୟ ଜଗତରେ ସଂପୂର୍ଣ୍ଣ ଅବିଦିତ ରହିଗଲା । କିନ୍ତୁ ପାଇକପଡ଼ା ଆଉ ଆଖପାଖ ମୌଜା ପୋଲିସ ତଦନ୍ତ ପରେ କର୍ମକର୍ତ୍ତାଗଣ ସାମୁଏଲ ଧୀରଙ୍କ ଷୋଡ଼ଶୋପଚାର ପୂଜା ଗ୍ରହଣ କରି ବିଦାୟ ନେଇଗଲେ । ସମସ୍ତେ କଂଗ୍ରେସ ଶାସନର ଭୁରି ଭୁରି ପ୍ରଶଂସା କରିବାକୁ ଲାଗିଲେ ।

 

ସୁଦୂର ସହରର ଡାକ୍ତରଖାନାରେ ଅରୂପ ଆଉ ବିନୋଦର ଚିକିତ୍ସା ପାଇଁ ସୁବନ୍ଦୋବସ୍ତ କରାଗଲା । ଅରୂପର ଏହି ଦୀର୍ଘ ଅନୁପସ୍ଥିତ ସମୟ ଭିତରେ ତାର ଆସନ୍ନ ପ୍ରସବା ସ୍ତ୍ରୀର ସମସ୍ତ ଦାୟିତ୍ୱ କିଏ ବହନ କଲା, ତାହା ସ୍ପଷ୍ଟରୂପେ ଜଣା ଗଲା ନାହିଁ । ତେବେ ନିତି ନିତି ସେହି ଠେଙ୍ଗାଧାରୀଲୋକମାନେ ଠେଙ୍ଗା ଛାଡ଼ି ନାନା ସାମଗ୍ରୀ ଆଣି ଯୋଗେଇ ଦେଇ ଯାଉଥିଲେ, ଆଉ ନମ୍ରତାର ସହିତ ଭଲ ମନ୍ଦ ବୁଝି ଯାଉଥିଲେ । ଓଡ଼ିଶା ପୁଲିସଙ୍କର ଗୁପ୍ତ ଫାଇଲ ଗଦା ତଳେ ଏହି ଘଟଣାର ସତ୍ୟ ରୂପ ଚାପି ହୋଇ ରହିଗଲା ।

 

ପ୍ରାୟ ତିନି ସପ୍ତାହ ପରେ ଅରୂପ ଆଉ ବିନୋଦ ସୁଶୃଙ୍ଖଳିତ ଚିକିତ୍ସାରୁ ମୁକ୍ତି ପାଇଁ ଘରକୁ ଫେରି ଆସିବା ପାଇଁ ଅନୁମତି ପାଇଲେ ।

 

ଷ୍ଟେସନରେ ଗାଡ଼ି ରହିବାମାତ୍ରେ ଅରୂପ ଦେଖିବାକୁ ପାଇଲା ପାଇକପଡ଼ାର ଚାଷୀ ମୂଲିଆଙ୍କ ମେଳରେ ସାମୁଏଲ ଧୀର ତାଙ୍କର ସଦଳବଳେ ସେମାନଙ୍କୁ ଅପେକ୍ଷା କରିଚନ୍ତି । ଅରୂପର ହାତରେ ହାତ ରଖି ସାମୁଏଲ ଧୀର ଓହ୍ଲାଇ ଆଣିଲେ । ଅଭିନନ୍ଦନର କଳରବରେ ଛୋଟ ମଫସଲି ଷ୍ଟେସନ କିଛିକ୍ଷଣ ସରଗରମ ହୋଇ ଉଠିଲା ।

 

ରାସ୍ତାରେ ଓହ୍ଲେଇ ଆସି ଅରୂପ ଦେଖିଲା, ସେମାନଙ୍କ ପାଇଁ ସବାରୀ ମହଜୁଦ ଅଛି । ସନ୍ଦେହ ନାହିଁ ଯେ ଏ ବନ୍ଦୋବସ୍ତ ସାମୁଏଲ ଧୀରଙ୍କର ପୁଣି ସବାରୀ ବାହକମାନଙ୍କ ସହିତ ଅଛନ୍ତି ସେହି ଚାରିଜଣ ଠେଙ୍ଗାଧାରୀ । ଭକ୍ତି ଗଦ୍‍ ଗଦ୍‍ ଭଙ୍ଗୀରେ ସେମାନେ ଅରୂପ ଆଉ ବିନୋଦଙ୍କ ପାଦତଳେ ପଡ଼ିଗଲେ । କିନ୍ତୁ ସବାରୀରେ ଯିବା ପାଇଁ ଘୋର ଆପତ୍ତି ଉଠେଇଲା ଅରୂପ । କହିଲା, ଆପଣଙ୍କ ନିକଟରେ ମୁଁ ଚିରକୃତଜ୍ଞ ରହିଲି । ଏଥର ମତେ ଚାଲିଯିବାକୁ ଦିଅନ୍ତି ।

 

କିନ୍ତୁ ସାମୁଏଲ ଧୀର ଆଦୌ କିଛି ଶୁଣିଲେ ନାହିଁ । ଅରୂପକୁ ଏକ ପ୍ରକାର ଟେକି ନେଇ ସେ ସବାରୀରେ ବସେଇ ଦେଲେ । ଅଗତ୍ୟା ବିନୋଦ ମଧ୍ୟ ସବାରୀରେ ବସିଲା । ପାଇକପଡ଼ା ଛାଡ଼ି ସବାରୀ ସାମୁଏଲ ଧୀରଙ୍କର ଗାଁ ରତନପୁର ରାସ୍ତା ଧରି ଚାଲିଲା ।

 

ନିବେଦିତା ପାଇଁ ଅରୂପ ଉଦ୍‍ବିଗ୍ନତାର ସୀମା ନ ଥିଲା । ଯେଉଁ ଅବସ୍ଥା ଭିତରେ ସେ ତାକୁ ଛାଡ଼ି ଆସିଥିଲା, ତାହା ଯେ କୌଣସି ସ୍ୱାମୀ ପକ୍ଷେ ଅସହନୀୟ । କିନ୍ତୁ ଉପାୟ ନ ଥିଲା । ତାର ଏହି ଅନିଚ୍ଛାକୃତ ବିଚ୍ଛେଦ ଆଉ ଦୁର୍ଦ୍ଦଶା ଭିତରେ ନିବେଦିତା ଯେ ନିରନ୍ତର ଅନ୍ତର୍ଦାହ ସହୁଥିବ ଅରୂପର ତାହା ଅଜଣା ନାହିଁ । ତଥାପି ସାଧାରଣ, ସହଜ ଝିଅ ସେ ନୁହେଁ । ନିଜର ଅବସ୍ଥାକୁ ଆୟତ୍ତ କରି ସ୍ୱାମୀର ବାକିକାମରେ ସେ ମନୋନିବେଶ କରିଥିବ ।

 

ରତ୍ନପୁରରେ ଅରୂପ ଦେଖିଲା, ସାମୁଏଲ ଧୀରଙ୍କର ଘରଠାରୁ ଅଳ୍ପ ଦୂରରେ ତା ରହିବା ପାଇଁ ସମସ୍ତ ବନ୍ଦୋବସ୍ତ ହେଇସାରିଚି । ସାମୁଏଲ ଧୀର ତାଙ୍କର ସମସ୍ତ ଚାଷ ଜମି କୋଠଚାଷ ପାଇଁ ଦାନ କରି ସାରିଚନ୍ତି । ଅବଶ୍ୟ ଏଇଟା ସ୍ଵେଚ୍ଛାପ୍ରଣୋଦିତ ହେଇ କି ଅବସ୍ଥା ଚକ୍ରରେ ପଡ଼ି ଜାଣିବା ଆଦୌ ସହଜ ନୁହେଁ । ତଥାପି ସେ ଆଜି ଅରୂପର ଦଳଭୁକ୍ତ । ଚାଷୀ ମୂଲିଆର ଭାଇ ।

 

ଘରଭିତରକୁ ଆସି ଅରୂପ ଦେଖିଲା ନିବେଦିତା ପ୍ରସୂତି ଶଯ୍ୟାରେ । ପ୍ରାୟ ସପ୍ତାହେ ପୂର୍ବରୁ ସେ ଗୋଟିଏ ପୁତ୍ର ସନ୍ତାନ ପ୍ରସବ କରି ଶଯ୍ୟାଶାୟୀ ହେଇପଡ଼ିଚି । ଅନାତ୍ମୀୟମାନଙ୍କର ଯଥେଷ୍ଟ ଯତ୍ନ ଆଉ ଆଦର ଭିତରେ ଶିଶୁଟି ଭଲଥିଲେ ମଧ୍ୟ ନିବେଦିତାର ଅବସ୍ଥା ସାଂଘାତିକ ହେଇ ଉଠିଚି । ଓଡ଼ିଶା ପଲ୍ଲୀର ଶୋଚନୀୟ ଅବ୍ୟବସ୍ଥା ଆଉ ଅଶିକ୍ଷା ଭିତରେ ଏ ପର୍ଯ୍ୟନ୍ତ ଆସନ୍ନ ଜନନୀମାନଙ୍କ ପାଇଁ କୌଣସି ସୁବନ୍ଦୋବସ୍ତ ହେଇ ପାରି ନାହିଁ । ଆଉରି ବହୁ ଅଭାଗୀମାନଙ୍କ ପରି ନିବେଦିତା ମଧ୍ୟ ସେହି ଦୁର୍ଗତିର ଶୀକାର ହେଇପଡ଼ିଚି । ଅରୂପ ପୁରୁଷ । ତଥାପି ଯେମିତି ତାର ଧୈର୍ଯ୍ୟ ବନ୍ଧ ଭାଙ୍ଗି ପଡ଼ିଲା । ନିବେଦିତାର ଶଯ୍ୟା ଧାରରେ ବସି ପଡ଼ି ଅରୂପ ଡାକିଲା, ନିବେଦିତା........

 

ବିଛଣାରେ ପଡ଼ି ପଡ଼ି ନିବେଦିତା ଆଖି ବୁଜିଥିଲା । ଦୁର୍ବଳ ହାତ, ଗୋଡ଼ ଯେଉଁଠି ସେଠି ଅଯତ୍ନରେ ବିଛଣାରେ ପଡ଼ି ରହିଥିଲା । ସତେ ଯେମିତି ତା ଭିତରର ଚେତନା ଶକ୍ତି ଏ ଜନ୍ମ ଛାଡ଼ି ପରଜନ୍ମର କେଉଁ ରହାସ୍ୟାଚ୍ଛନ୍ନ ଅନ୍ଧକାର ଭିତରେ ହଜି ଯାଇଥିଲା । ସହସା ଅରୂପର ସ୍ୱର ଶୁଣି ସେ ଯେପରି ଜାଗି ଉଠି ଧୀରେ ଧୀରେ ଆଖି ଖୋଲିଲା । ଯୁଗ ଯୁଗ ଧରି ପତିତା ପାଷାଣୀ ଭିତରେ ଯେମିତି ମାନବିକ ଚେତନା ଜାଗି ଉଠିଲା । ତାକୁ କୋଳରେ ତୋଳି ନେଇ ଅରୂପ ପୁଣି ଡାକିଲା, ନିବା........

 

ନିବେଦିତା ଯେପରି କଣ କହିବାକୁ ଇଚ୍ଛା କଲା । କିନ୍ତୁ ତାର ତୁଣ୍ଡ ଦେଇ କୌଣସି ଭାଷାର ପ୍ରକାଶ ହେଲାନାହିଁ । କେବଳ ନୀରବ ଅଶ୍ରୁର ଦୁଇଟି ଧାର ତାର ଦୁଇ ଗଣ୍ଡ ଦେଇ ଝରି ଆସିଲା ।

 

 

 

ଓଡ଼ିଶାର ସୁଦୂର ମଫସଲର ଏକ ଅଖ୍ୟାତ ପଲ୍ଲୀ ପାଇକପଡ଼ାର କନ୍ଦି ବିକନ୍ଦିରେ ଦୁଇଟି ବର୍ଷ ଏକ ସ୍ଵର୍ଣ୍ଣମୟ ଇତିହାସ ଲେଖିଦେଇ ମହାକାଳର ଅନନ୍ତ ଗହ୍ୱରରେ ବିଲୀନ ହେଇଗଲା । ଦୁଇ ତିନି ବର୍ଷ ତଳେ କେତେ ଘର ଚାଷୀ । ଚାରି ପାଞ୍ଚ ଘର ଓଡ଼ ଆଉ ହରିଜନର ବାସସ୍ଥଳୀ ଥିଲା ପାଇକପଡ଼ା । ଗ୍ରାସବାସୀମାନଙ୍କର ବାହ୍ୟଜଗତ ସହିତ ବିଶେଷ କୌଣସି ସଂପର୍କ ନଥିଲା । ତାଙ୍କର ପରିଚୟ ଥିଲା ପାଦତଳର ଏହି ସର୍ବଦାତ୍ରୀ, ସର୍ବଂସହା ପୃଥିବୀ ସହିତ । ନିତି ନିତି ସେମାନଙ୍କ ଆଖିରେ ନୂଆ ରୂପ ନେଉଥିଲା ଚାରିପାଖ ଘେରା ଏହି ଅସୀମ ବିଲ ପ୍ରାନ୍ତର ଆଉ ଏହି ଅନନ୍ତ ନୀଳ ଆକାଶ । ରତ୍ନାବତୀ ନଈର ପାଣି ପିଇ, ବର୍ଷାରେ ଭିଜି, ଖରାରେ ସିଝି ସେମାନେ ଜୀବନକୁ ଭଗବାନଙ୍କର ଆଶୀର୍ବାଦ ମନେ କରୁଥିଲେ ।

 

ଧାନ ପାଚିଲେ ଦଳ ଦଳ କେଳା କେଲୁଣୀ ସୁଦୂର ପଟିଆ ସୁକିନ୍ଦାଆଡ଼ୁ ଏ ଅଞ୍ଚଳକୁ ଆସି ରତ୍ନାବତୀ କୂଳରେ ବସା ବାନ୍ଧୁଥିଲେ । ସଖୀ ନାଚ, ଗୋପଲୀଳା ଦେଖେଇ, ଚିତାକୁଟେଇ, ମାଟିର ଖେଳନା, ତାଳପତ୍ର ଝୁମୁକା ବିକି ସେମାନେ ଏମାନଙ୍କୁ ସହଜରେ ଠକି ଦେଉଥିଲେ । କିନ୍ତୁ ସେହି ଠକିଯିବାରେ ବି ପାଇକପଡ଼ାର ଆବାଳ ବୃଦ୍ଧବନିତା ଜୀବନର ଚରମ ଆନନ୍ଦ ଉପଲବଧି କରୁଥିଲେ ।

 

କିନ୍ତୁ ଅରୂପ ଏଠି ପାଦ ଦେଲାପରେ ସେମାନଙ୍କ ଜୀବନରେ ଏକ ଛନ୍ଦ ସୃଷ୍ଟି ହେଇ ଯାଇଚି । ଏବେ ପାଇକପଡ଼ା ହିଁ ତାର ସୀମା ଅତିକ୍ରମ କରି ଅନେକ ଦୂର ଅବଧି ଗତିକରି ଯାଇଚି-। ପ୍ରଥମ ପ୍ରଥମ ଯେଉଁଗୁଡ଼ିକ ବେସରକାରୀ ଅନୁଷ୍ଠାନ ରୂପେ ଅରୂପ ଗଢ଼ି ଥୋଇଥିଲା ଏବେ ତାହା ସରକାରୀ ସ୍ୱୀକୃତି ଲାଭକରି ବହୁଗୁଣରେ ବଢ଼ି ଉଠିଚି । ଏହିକ୍ଷଣି ସେହି ଅଖ୍ୟାତ ରତ୍ନାବତୀର କୂଳେ କୂଳେ ଛାୟା ଘେରା ରାଜପଥ ଷ୍ଟେସନ ପାର ହେଇ ଦୂର ଗ୍ରାମ ସୀମା ପର୍ଯ୍ୟନ୍ତ ଲମ୍ବିଯାଇଚି । ଆଗେ ପାଇକପଡ଼ାର ଚାରିଆଡ଼େ ଥିଲା ରୁଅ, ବେତର ଝାଡ଼ । ଅନାବାଦି ଗୋଚର ପଡ଼ିଆ ଆଉ ଅସଂଖ୍ୟ ଗଡ଼ିଆ ଆଉ ମୁଣ୍ଡିଆ । ସୂର୍ଯ୍ୟାସ୍ତ ପରେ ବାଟୋଇ ଗ୍ରାମ ସୀମା ଛାଡ଼ି ଯାଇ ପାରୁନଥିଲା । ମଧ୍ୟବର୍ତ୍ତୀ ଜାଗାଗୁଡ଼ିକ ହେଟା ଆଉ ଚିତାବାଘର ଲୀଳାସ୍ଥଳୀ ଥିଲା । ଏବେ ସେଇ ଜାଗାମାନଙ୍କର ଉଜ୍ଜ୍ଵଳ ପାଲିଶ କରି ସ୍ୱାସ୍ଥ୍ୟ ସମ୍ପଦ ଦେଖିଲେ ବିଶ୍ୱାସ କରି ହୁଏନା-। ଜଙ୍ଗଲ କଟାଯାଇ, ଖାଲ, ଢିପ ସମାନ ହେଇ ଆଜି କାଲି ସେଠି ଗ୍ରାମପଞ୍ଚାୟତ ଅଫିସ, ଡାକଘର, ପ୍ରୌଢ଼ ଶିକ୍ଷା ଶିବିର ଡାକ୍ତରଖାନା, କୁଟୀରଶିଳ୍ପ ଅନୁଷ୍ଠାନ ଗଢ଼ି ଉଠିଛି । ଏହିକ୍ଷଣି ସପ୍ତାହରେ ଦୁଇଥର ହାଟ ବସୁଚି । ହାଟପାଳି ଦିନ ଦୂର ଦୂରାନ୍ତରରୁ କିଣାଳୀ ବିକାଳି ଦଳବାନ୍ଧି ଆସୁଚନ୍ତି । ତାହା ଛଡ଼ା ରେଳ ଲାଇନ ତଳେ ତଳେ ଗୋଟିଏ ଛୋଟ ଧରଣର ବଜାର ମଧ୍ୟ ବସିଗଲାଣି । ସନ୍ଧ୍ୟା ହେଲେ ପାଇକପଡ଼ାର ପଥେ ପଥେ ବିଜଳି ଆଲୁଅ ବିଞ୍ଚିହେଇ ପଡ଼େ । ଚାରିପଟର କୋଳାହଳ ଆଉ ଜଞ୍ଜାଳ ମଝିରେ ପାଇକପଡ଼ା କିଶୋରୀ ବଧୂ ପରି ଯେପରି କାହାର ଅପେକ୍ଷା କରିବସେ-। ପାଇକପଡ଼ାର ଏହି ଆକସ୍ମିକ ଉନ୍ନତିରେ ସମଗ୍ର ଓଡ଼ିଶା ଯେପରି ବିସ୍ମୟ ବିହ୍ୱଳ ହେଇ ଉଠିଚି-

 

ମହାଶ୍ୱେତାକୁ ଧରି ଯେଉଁ କଳ୍ପନା ବାସ୍ତବ ରୂପ ନେଇ ପାରିନାହିଁ, ତାହା ନିବେଦିତାକୁ ଧରି ସମ୍ଭବ ହେଇଚି । ଏଠି ଡାକ୍ତରଖାନା ନ ଥିଲା । ଉପଯୁକ୍ତ ଚିକିତ୍ସା ନ ପାଇ ଅକାଳରେ ଶହ ଶହ ଲୋକ ମୃତ୍ୟୁବରଣ କରୁଥିଲେ । କିନ୍ତୁ ଆଜି ବହୁ ଚେଷ୍ଟାପରେ ସେ ଅସୁବିଧା ଦୂର ହେଇଚି । ସରକାରଙ୍କ ତରଫରୁ ଜଣେ ପାସ୍‍କରା ଡାକ୍ତର, କମ୍ପାଉଣ୍ଡର ନର୍ସ, ଦୁଇଟି ଧାଈ ମୁକରିର ହେଇ ଯାଇଚନ୍ତି । କିନ୍ତୁ ସେମାନଙ୍କର ସପରିବାର ବାସ ପାଇଁ ଏପର୍ଯ୍ୟନ୍ତ କୌଣସି ସୁବନ୍ଦୋବସ୍ତ ହେଇ ପାରିନାହିଁ । ଡାକ୍ତରଖାନାର ପାଖେ ପାଖେ ସେହି ସବୁ ଘର ତିଆରି ଚାଲିଚି ଆଉ ତାର ସମସ୍ତ ଦାୟିତ୍ୱ ବହନ କରିଚି ଅରୂପ । ବିନୋଦ ତାର ପାଖେ ପାଖେ ରହି ତାର ନିର୍ଦ୍ଦେଶ ମୁତାବକ କାମ କରିଯାଉଚି ।

 

ଶରତର ଅପରାହ୍ନ ମଉଳି ଆସିଲାଣି । ତଥାପି ଖରାତେଜ ମଉଳି ନାହିଁ । ସେହି ଖରାରେ ଖୋଲା ଆକାଶ ତଳେ ଠିଆ ହେଇଚି ଅରୂପ । କପାଳରୁ ଥୋପି ଥୋପି ଝାଳ ଖସି ଆସୁଚି । ନିକଟରେ ନାନା ଯାନ୍ତ୍ରିକ ଶବ୍ଦ ଭିତରେ କାମ ଆଗେଇ ଚାଲିଚି । କିନ୍ତୁ ଅରୂପର ସେଆଡ଼େ ଦୃଷ୍ଟି ନାହିଁ । ସେ ଯେପରି ନିଜ ଅନ୍ତରର କେଉଁ ଅତଳରେ ନିମଗ୍ନ ହେଇ ଯାଇଚି ।

 

ତାର ପଛପଟରେ ଅନେକ କ୍ଷଣ ଅବଧି ଠିଆ ହେଇ ଲକ୍ଷ୍ୟ କରୁଥିଲା ବିନୋଦ । ଅରୂପ ମୁଣ୍ଡରେ ଟୋପିଟା ଲଗେଇ ଦେଇ ପଚାରିଲା, ଏ ଖରାରେ ଠିଆ ହେଇ କଣ ଭାବୁଚନ୍ତି କହିଲେ !

 

ଅରୂପ ମୁହଁ ବୁଲେଇ କହିଲା, ସତ କହିଚ ଭାଇ ! କାମରେ ମୁଁ ଆଦୌ ମନ ଲଗେଇ ନାହିଁ । ଆଜିକାଲି ଯେପରି କର୍ମସ୍ପୃହା ମରି ମରି ଆସୁଚି ।

 

ତାହାତ ହେବାର କଥା ।

 

ଦୀର୍ଘଶ୍ୱାସ ଛାଡ଼ି ବିନୋଦ କହିଲା, ଦୁଇବର୍ଷ ପୂରିଗଲାଣି । କିନ୍ତୁ ଅବସ୍ଥାର ଉନ୍ନତି ହେବା ପରିବର୍ତ୍ତେ ଅବନତି ଆଡ଼େ ଗତି କରିଯାଉଚି ।

 

ରହି ରହି ଅରୂପ କହିଲା, ସେଥିପାଇଁ ତ ମୁଁ ଆଉ କୌଣସି ଆଶା ରଖିନାହିଁ ବିନୋଦ ।

 

ତା’ କହିଲେ ଚଳିବ ନାହିଁ ଭାଇ !

 

ଆର୍ଦ୍ର ସ୍ୱରରେ ଅରୂପ କହିଲା, ଦୁଇ ଚାରି ଦିନ ହେବ ଆଉ ଏକ ନୂଆ ରୋଗ ଦେଖା ଦେଇଚି । ଦେହର ଗୋଟାଏ ଅଂଶ ଅଚଳ ହେଇ ଆସୁଚି । ପକ୍ଷାଘାତ....

 

କ’ଣ କହିଲେ...

 

ପ୍ରାୟ ଚିତ୍କାର କରିଉଠି ବିନୋଦ କହିଲା, ତେବେ ବି ଆପଣ ଘର ଛାଡ଼ି ଏଠି...

 

ଧୀରେ ଧୀରେ ଅରୂପ କହିଲା, ଉପାୟ କାହିଁ କହ...

 

ଉପାୟ ଖୋଜିବାକୁ ସମୟ ଲାଗେନାହିଁ । ମନ୍ଥିଲେ ଆପଣାଛାଏଁ ସମସ୍ତ ସୁବିଧା ହାତକୁ ଆସେ । ଆପଣ ତାଙ୍କ ଚିକିତ୍ସା ପାଇଁ ଶୀଘ୍ର କିଛି ବନ୍ଦୋବସ୍ତ କରନ୍ତୁ । ଆଚ୍ଛା ଭାଇ........

 

ବିନୋଦ ଅଟକିଗଲା । ହଠାତ କିଛି ପଚାରିବାକୁ ଯାଇ ସଙ୍କୋଚ ଯେମିତି ତାର କଣ୍ଠରୋଧ କରିଦେଲା ।

 

ଅରୂପ କହିଲା, କହ ଭାଇ.....

 

ଅରୂପ ମୁହଁକୁ ଅଳ୍ପ ଚାହିଁଲା ବିନୋଦ । ତାପରେ ନିମ୍ନସ୍ୱରରେ କହିଲା, ଏପର୍ଯ୍ୟନ୍ତ ପଚାରିବାକୁ ସାହସ ଆସିନାହିଁ । ତଥାପି କ୍ଷମା କରିବେ...

 

ଅରୂପ କହିଲା, ଗୌରଚନ୍ଦ୍ରିକାର ସମୟ ଏ ନୁହେଁ ବିନୋଦ ! ଅପେକ୍ଷା କରିବାପାଇଁ ଧୈର୍ଯ୍ୟ ରହୁନାହିଁ । କହ !

 

ବିନୋଦ କହିଲା, ଲେଖିଲେ ଏ ଦୁଃସମୟରେ କେହି ଆତ୍ମୀୟ କ’ଣ ସାହାଯ୍ୟ କରିବାକୁ ଆସନ୍ତେ ନାହିଁ ?

 

ଅରୂପ ଭିତରର ଦୀର୍ଘଶ୍ଵାସକୁ ଚାପିନେଲା । ତାର ଅଳ୍ପଦୂରରେ ଖେଳୁଥିବା କେଇଟା ଅଜ୍ଞାନ ଲଙ୍ଗଳା ଶିଶୁଆଡ଼େ ଅନେଇ ରହି କହିଲା, ସେ ଅନେକ ଦିନର ଅନେକ କାହାଣୀ ବିନୋଦ-! କହିବାକୁ ସମୟ ନାହିଁ କି ସବୁ ସମୟରେ କହିବା ସମ୍ଭବ ନୁହେଁ । ତେବେ ଏତିକି ଜାଣି ରଖ ସ୍ଵାର୍ଥପର ମଣିଷ କୌଣସିମତେ ଅନ୍ୟର ସ୍ଵାର୍ଥ ବୁଝେନା ।

 

ତାହେଲେ ନିଜେ ତ ବୁଝିବାକୁ ହେବ ।

 

ତା ସତ ଭାଇ ! ତେବେ କ’ଣ ବା ଆଉ ବୁଝିବାକୁ ଅଛି ?

 

ଅରୂପ ମୁହଁ ଫେରେଇ ନେଲା । ତା ଭିତରୁ ଯେପରି ଏକ ଆତ୍ମପିଣ୍ଡ ଯେଉଁଠି ସେଠି ଆତ୍ମପ୍ରକାଶ ପାଇଁ ବ୍ୟାକୁଳ ହେଇ ଉଠୁଚି ।

 

ବିନୋଦ କହିଲା, ଏଇକ୍ଷଣି ଘରକୁ ଯାଆନ୍ତୁ । କାଲି କିଛି ବ୍ୟବସ୍ଥା କରି ଏଥି ଭିତରେ ଚିକିତ୍ସା ବନ୍ଦୋବସ୍ତ କରନ୍ତୁ ।

 

କିଛି ସମୟ ଚୁପ୍‍ କରି ରହିଲା ଅରୂପ । ତାପରେ କହିଲା, ସେଥିପାଇଁ ଭାବିବାକୁ ଆଉ କିଛି ନାହିଁ ବିନୋଦ ! ମୁଁ କେବଳ ସେଇ ଅରକ୍ଷ ଛୁଆଟିର କଥା ଭାବୁଚି...

 

ଅରୂପର ଶେଷ କଥାତକ ଅସ୍ପଷ୍ଟ ଶୁଭିଲା । ତାର ହାତଧରି ପକେଇ ବିନୋଦ କହିଲା, ଭାଇ ବୋଲି ଯଦି ବିଶ୍ଵାସ କରନ୍ତି ଭରସା ପାଇବି ।

 

ଅଶ୍ରୁଜଡ଼ିତ ସ୍ୱରରେ ଅରୂପ ଡାକିଲା, ବିନୋଦ...

 

କଣ୍ଠରେ କାରୁଣ୍ୟ ଧରି ବିନୋଦ କହିଲା, ଆପଣ ଜାଣନ୍ତି ମୋର ବିବାହ ଅନେକ ଦିନୁ ହୋଇଯାଇଚି । କିନ୍ତୁ ମୋର ସ୍ତ୍ରୀ ଏ ଅବଧି ନିସନ୍ତାନା । ସନ୍ତାନର କ୍ଷୁଧାରେ ପ୍ରାଣ ଶକ୍ତି ତାର ନିଃଶେଷ ହେଇ ଆସୁଚି ।

 

କହି କହି ରହିଗଲା ବିନୋଦ । କଣ ଯେପରି ଭାବିବାକୁ ଲାଗିଲା ସେ । ଅଳ୍ପ ସମୟ ପରେ ସେ ପୁଣି କହିଲା, ବହୁ ବୁଭୁକ୍ଷାର ଅଞ୍ଜଳି ଭରି ଦେଇଚନ୍ତି ଆପଣ । ଆଜି ଯଦି ଜଣେ ସେହି ବୁଭୁକ୍ଷା ଧରି ଆପଣଙ୍କର ଆଶିଷ ଭିକ୍ଷା କରେ, ଅଶୋଭନୀୟ କିଛି କରି ବସିବ ନାହିଁ । ସେ ଭାର ମତେ ଦେଇଯାଉନ୍ତୁ ।

 

ମୁକ୍ତ ଆକାଶ ତଳେ ଦୁହେଁ ଠିଆ ହୋଇଥିଲେ । ଆଖପାଖରେ ବହୁଲୋକ କାରବାର ହେଉଥିଲେ । ତଥାପି ବିନୋଦକୁ କୋଳାଗ୍ରତ କରି ଅରୂପ କହିଲା, ଧନ୍ୟକଲ ମତେ ଭାଇ ।

 

ଘରକୁ ଫେରି ଆସିଲା ଅରୂପ । ପାଇକପଡ଼ାର ଉପକଣ୍ଠରେ ଯେଉଁଠି ରତ୍ନାବତୀ ଗତି ଫେରେଇ ଭିନ୍ନମୁଖୀ ହେଇ ଉଠିଛି, ସେହି ନିର୍ଜନ ବାସ ନିଜ ପାଇଁ ବାଛି ନେଇଛି ଅରୂପ । ଏ ଘରର ପରିକଳ୍ପନା ତାର ନୁହେଁ, ନିବେଦିତାର । ନିବେଦିତା ସ୍ଵାମୀର ମନ ବୁଝିଥିଲା । ନାନା ଦୁଃଖ, ଦୁର୍ଦ୍ଦଶା ଭିତରେ ଗତିକରି ଆସୁଥିଲେ ମଧ୍ୟ ଭିତରୁ ତାର ନିଜ ସଂସାରର ରଙ୍ଗ ମଉଳି ଯାଇ ନ ଥିଲା । ବିଶାଳ ସବୁଜ ପ୍ରାନ୍ତର ମଝିରେ ମଧ୍ୟମ ଧରଣର ପକ୍‍କା । ଚାରିପାଖ ଘେରି ଅଜସ୍ର ଫୁଲଗଛର ସମାବେଶ କରାଯାଇଚି । ତାହାରି ଭିତରେ ନିଜ ହାତରେ ନିବେଦିତା ରଚନା କରିଚି ସ୍ଵାମୀର ଲେଖାପୀଠ । ସକାଳର ରଙ୍ଗିନୀ ଆଲୋକ ପ୍ରଥମେ ବିଞ୍ଚି ହୋଇପଡ଼େ । ସନ୍ଧ୍ୟାରେ ଧରା ସୂର୍ଯ୍ୟର ବିଦାୟ ଅଶ୍ରୁ ସେଇଠି ଝରିଯାଏ । ପଶ୍ଚିମ ପଟର ଝରକା ଖୋଲିଲେ ଉଦାସ ଦୃଷ୍ଟି ନିସ୍ପନ୍ଦ ପଲ୍ଲୀମାଳ ଭେଦକରି ଦିଗନ୍ତ ପ୍ରସାରୀ ଶସ୍ୟକ୍ଷେତ ଆଡ଼େ ଚାଲିଯାଏ । ସ୍ୱଚ୍ଛ ସଲୀଳା ରତ୍ନାବତୀର ଅଙ୍କାବଙ୍କା ଗତି ଅଦୃଷ୍ଟର ରହସ୍ୟମୟ ଅନ୍ଧକାର କେଉଁ ଦୂରଦୂରାନ୍ତରରେ ଯେପରି ହଜି ଯାଇଚି । ପୂର୍ବପଟରେ ପାଇକପଡ଼ାର ସଭ୍ୟତାର ବିପୁଳ ଐଶ୍ଵର୍ଯ୍ୟ ଗଗନ ସ୍ପର୍ଶ କରି ଯାଉଚି । ମଧ୍ୟରାତ୍ରିର ଗଭୀର ନିସ୍ତବ୍‍ଧତା ଭିତରେ ଏଠି ଆସି ଚକ୍ରବାକୀର ବିଳାପ ପହଞ୍ଚେ । ମଝିରେ ମଝିରେ ଶୁଭେ ରତ୍ନାବତୀ ମାଝିର ବିଦାୟ ସଙ୍ଗୀତ । ସନ୍ଧ୍ୟା ହେଲେ ଦୁରାଗତ ନାଉରୀ ତାର ନାଆ ଖଟାଏ ।

 

ଅରୂପ ଆଖିରେ ଏ ଦୃଶ୍ୟ ନିତି ନିତି ନୂଆ ରୂପରେ ଦେଖାଦିଏ । ସକାଳ ଆସିଲେ, ସନ୍ଧ୍ୟାର ରଙ୍ଗିନୀ ଆଲୁଅ ମଝିରେ ଠିଆ ହୋଇ ଅରୂପ ଚାହିଁରହେ ଦୂରଦିଗନ୍ତ ରେଖାଆଡ଼େ । ଏ ନିୟମର ବ୍ୟତିକ୍ରମ କୌଣସି କାଳେ ଘଟିନାହିଁ । ଅନେକଦିନ ଧରି ଅରୂପ ଭିତରେ ସେ ଉତ୍ସାହ ବଞ୍ଚି ରହିଚି ।

 

ଗୋଡ଼ରୁ ଜୋତା ଖୋଲି ବାରଣ୍ଡାରେ ଗୋଟାଏ ଆରାମଚୌକି ଉପରେ ଦେହଭାର ଢାଳିଦେଲା ଅରୂପ । ଦିନର ଶେଷ ଆଲୁଅ ଧାନପତ୍ରର ଧାରେ ଧାରେ ହଜିଯାଉଚି । ଶରତ ଋତୁର ଶେଷା ଶେଷି । ବୋଧେ କୃଷ୍ଣପକ୍ଷର ଶେଷ ହେଇ ଆସୁଚି ।

 

ଅରୂପର ଏବେ ଆଉ କିଛି ମନେ ରହୁନାହିଁ । କେମିତି ଏକ ନିଷ୍ଫଳ ଅଭିମାନରେ ତାର କଣ୍ଠରୁଦ୍ଧ ହେଇ ଆସୁଚି । ଅନେକଦିନ ବିତିଗଲାଣି । ଏକ ଉଦ୍ଦାମ ଶକ୍ତି ଆଉ ଆବେଗ ଧରି ସେ ଆଗେଇ ଚାଲିଥିଲା । ସମସ୍ତେ ତାକୁ ତ୍ୟାଗକରି ଆଜି ଦୂରକୁ ଚାଲି ଯାଇଚନ୍ତି । ସେ କାହାକୁ ଉପେକ୍ଷା କରିନାହିଁ । ହୁଏତ ତାର ତ୍ରୁଟି ଥିଲା । କାର୍ଯ୍ୟକଳାପ ତାର ନିନ୍ଦନୀୟ ହେଉ କି ନ ହେଉ କ୍ଷମାର ମନୋବୃତ୍ତି ତାର ଥିଲା । କିନ୍ତୁ ମଣିଷର ଅବିଚାର ତାକୁ ବାରମ୍ବାର ବଞ୍ଚିତ କରି ଆସିଚି । ସେହି ବଞ୍ଚନାର ଇତିହାସ ପୃଷ୍ଠା ଓଲଟେଇଲେ, ଦେଖିବାକୁ ମିଳିବ କେବଳ ଗୋଟାଏ ରୁଢ଼ ପକ୍ଷପାତିତା । ପିତାର ସହାନୁଭୂତି ସେ ପାଇନାହିଁ । ମହାଶ୍ଵେତାକୁ ଅସ୍ୱୀକାର କରିଯାଇଚି । ସେ ଲିପିକାକୁ ଯଦି ଅନ୍ତରର କେଉଁ ଅନ୍ଧାରୀ ମୂଲକରେ ସଂଗୋପନରେ ରଖାଯାଇ ପରେ ହୁଏତ ଆଜି କିଛି ଲାଭହେବ । କିନ୍ତୁ ଯେଉଁ ନିର୍ମମ ଆଘାତରେ ଜୀବନ ତାର କ୍ଷତ ବିକ୍ଷତ ହେଇଯାଇଚି, ତାକୁ କେମିତି ସେ ଭୁଲିଯାଇ ପାରିବ ? କେମିତି ବା ସେ ଭୁଲିବ ତାର ଚରମ ଦୁର୍ଦ୍ଦିନରେ ନିରୁପମା ତାକୁ ଛାଡ଼ି ଚାଲି ଯାଇଚନ୍ତି । ତାପରେ ଏଇ ନିବେଦିତା, ସମଗ୍ର ପୃଥିବୀ ଯାହାକୁ ସ୍ୱୀକାର କରି ନେଇଛି ଅରୂପ ରାୟର ସ୍ତ୍ରୀ । ଯାହାର ସମସ୍ତ ପରିଚୟ ନିଜ ହାତରେ ପୋଛି ଦେଇ ନୂତନ ପରିଚିତିର ମଝିରେ ହାତଧରି ଠିଆ କରେଇଚି ସେ । ଯାହାପାଇଁ ଏହି ରହସ୍ୟମୟ ଜୀବନର ଅନ୍ଧକାର ଭିତରେ ସେ ଠିଆ ହେଇଚି । କାହିଁକି ପଚାରିଲେ, ତାର ସଠିକ୍ ଉତ୍ତର ହୁଏତ ଦୁଇଜଣ ଦେଇପାରିବେ ନାହିଁ । ସମ୍ଭବତଃ ତାର ଆଉ କୌଣସି ଉତ୍ତର ଏ ଜୀବନରେ ମିଳିବ ନାହିଁ । ଆଜି ସୁଦ୍ଧା ସେହି ଅସମ୍ବନ୍ଧି ନାରୀଟି ସହିତ ତାର କି ସମ୍ବନ୍ଧ ଗଢ଼ିଉଠିଚି ତାର ବ୍ୟାଖ୍ୟା ସେ କରିପାରିବ ନାହିଁ । ତାର ସ୍ତର ଭେଦ ବି କରିପାରିବ ନାହିଁ । ହୁଏତ ସେଥିପାଇଁ ଏ ବେଦନା ବୋଧ । ଏ ସଂଶୟ ଆଉ ବ୍ୟର୍ଥତା । ଏହି ହୃଦୟ ବନ୍ଧନର ମୂଳମନ୍ତ୍ର ହେଲା ଚୌମ୍ବିକ ଶକ୍ତି । ନହେଲେ ମଣିଷ କ’ଣ ନେଇବା ବଞ୍ଚି ଥାଆନ୍ତା ? ସେ ତ କେବଳ କାମର ମଣିଷ ନୁହେଁ । କେବଳ ତ୍ୟାଗୀ, ନିଷ୍ଠାପର, ଆଦର୍ଶବାଦୀ ନୁହେଁ । ରକ୍ତର ବିଳାପ ଆଉ ମାଂସର ବୁଭୁକ୍ଷା ଧରି ତାରୁଣ୍ୟତାର ହିଂସ୍ର ହୋଇଉଠେ । ଇଚ୍ଛାହୁଏ ନିଜକୁ ନିଃଶେଷ କରି ଅନ୍ୟକୁ ନିଃସ୍ୱକରି ତାର ସମସ୍ତ ସଂପତ୍ତି ଲୁଟି ଆଣିବାକୁ । କିନ୍ତୁ ବାରମ୍ବାର ଆଘାତ ଆଉ ଉପେକ୍ଷାର ହୃଦୟ ତାର ଭାଙ୍ଗି ପଡ଼ିଚି । ନିବେଦିତାର ଶଯ୍ୟାଧାରରେ ଶୋଇ ଶୋଇ ଥର ଥର କରି ବହୁଥର ସେ ଅଶ୍ରୁ ବିସର୍ଜନ କରିଚି । ମଣିଷର ଅବିଚାର ତାକୁ ଆଜି ସର୍ବହରା କରିଚି । ସବୁ ଅଛିର ଅହମିକା ମଝିରେ ଠିଆ ହେଇ କିଛିନାହିଁର ହାହାକାରରେ ପ୍ରାଣଶକ୍ତି ତାର ମରି ମରି ଆସୁଚି ।

 

ନିଜର ସେହି ଆକସ୍ମିକ ଅସୁସ୍ଥତା ପରେ ଅରୂପ ଏହି ସମୟଟା ପ୍ରାୟ ଏକ ରହେ । ଘର ଭିତରେ ରୋଗ ଶଯ୍ୟାରେ ଶୋଇଥାଏ ନିବେଦିତା । ଅରୂପର ବହୁ ଚିକିତ୍ସା ଆଉ ଯତ୍ନକୁ ବ୍ୟର୍ଥ କରି ସେ ଆଉ ଏକ କଠିନ ରୋଗରେ ଆକ୍ରାନ୍ତ ହେଇଚି । ତା ପାଇଁ ଆଉ କୌଣସି ଆଶାରଖି ପାରିନାହିଁ ଅରୂପ । ତଥାପି ତାକୁ ଧରି ଦୁଇଦିନ ପରେ ସମ୍ବଲପୁର ଯିବାକୁ ହେବ । ସେଠି ନିବେଦିତା ଚିକିତ୍ସାର ବନ୍ଦୋବସ୍ତ କରିବାକୁ ଅରୂପ ତାର ଜଣେ ବନ୍ଧୁକୁ ଅନୁରୋଧ କରି ଚିଠି ଲେଖିଚି ।

 

ଭାବି ଭାବି ଶରତର ସନ୍ଧ୍ୟା ଗଡ଼ିଗଲା । ସେଦିନ ଆଉ କିଛି କରିବାକୁ ଅରୂପର ସ୍ପୃହା ରହିଲା ନାହିଁ । କେବଳ ସେଇ ଦିଗାଚ୍ଛନ୍ନ ଅନ୍ଧକାର ଭିତରେ ସେ ନିଃଶବ୍ଦରେ ଠିଆ ହେଇ ରହିଲା ।

 

କେତେ ସମୟ ପର୍ଯ୍ୟନ୍ତ ସେ ଠିଆ ହେଇ ରହିଲା କହିହେବ ନାହିଁ । ହଠାତ୍‍ ଅବୋଧ ଶିଶୁର କାନ୍ଦଣାରେ ଘର ଭିତରକୁ ଫେରି ଆସିଲା ସେ । ନିବେଦିତାର ପାଦ ତଳେ ଠିଆ ହେଇ ନିଷ୍ପାପ ଶିଶୁ ବଞ୍ଚନାର ଲୁହଢ଼ାଳି ଦେଉଛି । ଏହି ନିରପରାଧ ବାଳକ କୌଣସି ଦିନ ଜନନୀ ହୃଦୟର ସ୍ପର୍ଶ ପାଇନାହିଁ । କୌଣସି ଦିନ ସେ ମୋ କୋଳର ଅଭୟ ଆଶ୍ରୟ ପାଇନାହିଁ ।

 

କିଛିକ୍ଷଣ ଚୁପ କରି ଠିଆହେଇ ରହିଲା ଅରୂପ । ଆକୁଳ ବେଦନାରେ ବୁକୁ ତାର ଭାଙ୍ଗି ପଡ଼ିଲା । ସହସା ଶିଶୁଟିକି ଛାତିରେ ଜାକିଧରି କାନ୍ଦି ଉଠିଲା ସେ । ଆଜି ଯେପରି ନୂଆକରି ତା ପିତୃ ଅନ୍ତରର ଉଦବୋଧନ ଘଟିଚି । ବହୁ ସମୟ ଧରି ଅଶ୍ରୁଧାର ବାଳକର ମୁଣ୍ଡ ଉପରେ ବହି ଚାଲିଲା । ଦୂରରେ ନଈ ସେପାରିରେ ରାତିର ଗଭୀରତା ସୂଚେଇ ନିଶାଚର ପକ୍ଷୀ ଡାକି ଉଠିଲା ।

 

ସମ୍ବଲପୁରର ଭଡ଼ାଘରଟି ଛୋଟ । ପ୍ରଧାନ ରାସ୍ତା ଛାଡ଼ି ଅଳ୍ପ ଭିତରକୁ ପଶିଲେ ଏକାନ୍ତ ପୁରୁଣା ଘରଟି ଆଖିର ପଡ଼େ । ଅଦୂରରେ ପୁଣ୍ୟ ନୀରା ମହାନଦୀ । ଦିନ ରାତି ତରଙ୍ଗର ବାହୁ ତୋଳି କାହା ଉଦ୍ଦେଶ୍ୟରେ ଛୁଟି ଚାଲିଚି ସେ । ତାର କ୍ଳାନ୍ତି ନାହିଁ । ସୀମା ନାହିଁ । ବାରଣ୍ଡାରେ ଠିଆ ହେଲେ ହୀରାକୁଦର ନୂତନ ସ୍ଥାପତ୍ୟ ଆଖିରେ ପଡ଼େ ।

 

ଘରର ଚାରିପଟ ଘେରି ବଣ୍ୟ ମଲ୍ଲିକା ଆଉ ମାଳତୀର ଜଙ୍ଗଲ ନିତି ନିତି ଅଜସ୍ର ଝରା ଫୁଲର ଗନ୍ଧରେ ବାୟୁମଣ୍ଡଳ ଆମୋଦିତ ହେଇଯାଏ, ହୁଏତ କେହି ପ୍ରେମିକ ଏଠି ତାର ଲତା ପ୍ରେୟସୀ ପାଇଁ ବେଦୀ ନିର୍ମାଣ କରିଥିଲା । ଏବେ ସୁଦ୍ଧା ତାର ଅବଶେଷ ରହିଯାଇଚି । ଅନେକ ଜାଗାରେ ଭଙ୍ଗା ଇଟା ପଥର ଗଦା ହେଇରହିଚି । ସମସ୍ତ ପରିବେଶଟା ଯେମିତି ମୃତ୍ୟୁର ନିଶବ୍ଦ ପଦ ସଂଚାରରେ ଭୀତ ଆକୁଳ ହେଇ ଉଠୁଚି ।

 

ଏଠି ରହି ନିବେଦିତା ଚିକିତ୍ସାର ବନ୍ଦୋବସ୍ତ କରିଚି ଅରୂପ । ପାଖରେ ଆଉ କେହି ନାହିଁ-। ଆତ୍ମୀୟ ସ୍ୱଜନ ଦିନେ ତାର ଥିଲେ ନିଶ୍ଚୟ । କିନ୍ତୁ ଆଜି ସମସ୍ତେ ପର ହେଇ ଯାଇଚନ୍ତି-। ତାଙ୍କୁ ମନେ ପକେଇବାକୁ ଇଚ୍ଛାକରି ଭୁଲିବାକୁ ଚେଷ୍ଟାକରେ ଅରୂପ । ଆଜିକାଲି ସେ ସ୍ମୃତି ତା ପକ୍ଷେ ଉତ୍‍ପୀଡ଼ନ ପରି ମନେହୁଏ । ବିନୋଦ ସାଙ୍ଗରେ ଆସିବାକୁ ଜିଦ୍‍ କରୁଥିଲା । କିନ୍ତୁ ତାକୁ ବହୁତ ବୁଝେଇ ସୁଝେଇ ନିଜ କାମର ଭାର ଦେଇ ଆସିଚି ସେ । ଆଜି ସେ ଏକା । ସଂପୂର୍ଣ୍ଣ ଏକା-

 

ନିବେଦିତାର ସେବା ଶୁଶ୍ରୂଷା ପାଇଁ ସେବିକା ନିଯୁକ୍ତ ହେଇଚନ୍ତି । ଆଜି ଆସି ନିଜର କର୍ମଭାର ସେ ଗ୍ରହଣ କରିବେ । ଅନ୍ୟାନ୍ୟ କାମ ପାଇଁ ଅରୂପ ଗୋଟିଏ ବୋଲକରା ପିଲା ଆଣି ପାଖରେ ରଖିଚି । ନାନା ପ୍ରକାର ପରୀକ୍ଷା ନିରୀକ୍ଷା ସାରି ଡାକ୍ତର ଫେରିଗଲେଣି । ପ୍ରାଥମିକ ଚିକିତ୍ସାର ମଧ୍ୟ ଆରମ୍ଭ କରାଯାଇଛି ।

 

ରୋଗିଣୀର ଅଳ୍ପ ଦୂରରେ ଶ୍ରାନ୍ତ ଅରୂପ ନତ ମୁଖରେ ବସିରହିଛି । ମନପ୍ରାଣର ନିଃଶବ୍ଦ କାରୁଣ୍ୟ ତାର ଅନ୍ତରକୁ ଯେପରି ପ୍ରତି ମୁହୂର୍ତ୍ତରେ ମନ୍ଥନ କରିଯାଉଛି । ସମସ୍ତେ ତାକୁ ଭୁଲି ଯାଇଚନ୍ତି । ବାପ, ମା, ଭଉଣୀ, ବନ୍ଧୁ, ବାନ୍ଧବ ସମସ୍ତେ ଆଜି ଦୂରକୁ ଚାଲିଯାଇଛନ୍ତି । ସମସ୍ତଙ୍କର ସ୍ନେହ ବନ୍ଧନରୁ ବିଚ୍ଛିନ୍ନ ହେଇ ସେ ଆସି ଛିଟିକି ପଡ଼ିଛି ଏହି ଭୟାବହ ନିଃସଙ୍ଗ ନିର୍ଜ୍ଜନତା ଭିତରେ ।

 

ଘରର ପ୍ରଥମ ଦ୍ଵାର ଅତିକ୍ରମ କରି ବୋଲକରା ଟୋକାଟି ଭିତରକୁ ପଶି ଆସିଲା । ତାର ପଛେ ପଛେ ଜଣେ ସଂଭ୍ରାନ୍ତ ମହିଳା ଆଗେଇ ଆସିଲେ । ଶାନ୍ତ ସଂଯତ ଚେହେରା । ନିସ୍ତବ୍ଦ ପଦପାତରେ ଯେପରି ପୂରି ରହିଛି ଲକ୍ଷେ ଯୁଗର ସାଧନା । ଆଗେ ଆଗେ ଆସି ଚାକର ଡାକିଲା, ବାବୁ....

 

ଅରୂପ ଦୁଇଟି ଉଦ୍‍ଭ୍ରାନ୍ତ ଆକୁଳ ଆଖି ତୋଳି ଚାହିଁଲା, ତାର କୌଣସି ସଂଶୟ ହେଲା ନାହିଁ । ଆସନ ଛାଡ଼ି ଉଠି ଆସିଲା ସେ । କିନ୍ତୁ ନମସ୍କାର ନ ଜଣେଇବାକୁ ଯାଇ ହାତ ଦୁଇଟି ତାର ଶିଥିଳ ହୋଇ ପଡ଼ିଲା । ସ୍ମିତ ମୁଖରେ ଭଦ୍ର ମହିଳା କହିଲେ, ନମସ୍କାର.....

 

ଅରୂପର ଅଭ୍ୟସ୍ତ ହାତ କପାଳ ସ୍ପର୍ଶ କଲା । କିନ୍ତୁ ତାର ସ୍ଥିର ଓଠ ଦୁଇଟିରେ ଭାଷା ଫୁଟିଲା ନାହିଁ । ନିଜର ଅଜ୍ଞାତ ସାରରେ ଥର ଥର କଣ୍ଠରୁ ତାର ବାହାରି ଆସିଲା, ସର୍ବଜୟା..

 

ସର୍ବଜୟାର ପାଦ ଅଟକି ରହିଲା । ଆଖି ଦୁଇଟି ତାର ଥରେ ଅରୂପର ସମଗ୍ର ଚେହେରା ନିରୀକ୍ଷଣ କରିଗଲା । ଚିହ୍ନିବାକୁ ବେଶୀ ଡେରି ନ ଲାଗିଲେ ମଧ୍ୟ ତାର ସନ୍ଦେହ ରହିଗଲା । ଯାହାର ସମ୍ବୋଧନ ସେ ଶୁଣିଲା, ସେ ତିନି ବର୍ଷ ତଳର ସେହି ସଦାନନ୍ଦ, ସୌମ୍ୟକାନ୍ତ କବି ଅରୂପ ରାୟ ନୁହେଁ । ସେ ଯେମିତି କ୍ଳାନ୍ତ, ଅବସନ୍ନ କେହି ଜଣେ ପୌଢ଼ ଭଦ୍ରଲୋକ । ଦେହର ସାମାନ୍ୟ ଆବରଣ ମଇଳା । ପାଦ ଦୁଇଟି ଖାଲି । ଅରୂପ କହିଲା, ଭୁଲ ହୋଇନାହିଁ ସର୍ବଜୟା........

ଅରୂପର କଣ୍ଠ ସ୍ୱର ସଂଯତ । କିନ୍ତୁ ତାହା ଯେପରି ସଜଳ କାରୁଣ୍ୟ ଆଉ ଅଭାବିତ ଦୁଃଖର ଆଘାତରେ ଭଗ୍ନ । ସର୍ବଜୟା ଆଜି ଗୃହବନ୍ଦୀ ସାଧାରଣ ବାଳିକା ନୁହେଁ । ତାର ଏହି ବିସ୍ମୟ ବିହ୍ଵଳତା ଯେପରି ଅନ୍ୟର ଦୃଷ୍ଟିଗୋଚର ନ ହୁଏ । ସେଥିଯୋଗୁ ଭିତରକୁ ଆଗେଇ ଯାଇ ସେ କହିଲା, ଭୁଲ ହେବା ତ କାଳର କୀର୍ତ୍ତି କିନ୍ତୁ ରୋଗିଣୀ କିଏ ?

ଅରୂପ କିଛିକ୍ଷଣ ଚୁପ୍‍ କରି ସର୍ବଜୟାକୁ ଅନେଇ ରହିଲା । ତା’ପରେ ଅସ୍ପଷ୍ଟ କଣ୍ଠରେ କହିଲା, ଆସ...

ଘରର ଶେଷ ମୁଣ୍ଡରେ ଗୋଟିଏ କୋଠରୀ । ଖୋଲା ଝରକା ଆଉ ଦୁଆର ଦେଇ ଅବାଧ ଶୀତଳ ପବନ କୋଠରୀ ଭିତରେ ସଞ୍ଚରି ଯାଉଚି । ଗୋଟିଏ ପଟରେ ଠିଆ ହୋଇ ଚାହିଁଲେ, ଦିଶେ ଶାନ୍ତ, ଶ୍ୟାମଳା ବନଶ୍ରୀ । ତାହାରି ମଝିରେ ମଝିରେ ଅଙ୍କା ବଙ୍କା ଚଲାପଥ ଦୂର ପାର୍ବତ୍ୟ ପଲ୍ଲୀର ସୀମା ସ୍ପର୍ଶ କରି ଯାଉଛି । ଅନ୍ୟ ପାଖରେ ମହାନଦୀର ନୀଳ ଜଳଧାରା ଉପରେ ଅପରାହ୍ନର ସୂର୍ଯ୍ୟକିରଣ ସ୍ୱର୍ଣ୍ଣରେଣୁ ବିଞ୍ଚି ଦେଉଛି । ନଈ ସେପାରିରେ ନୂଆ ହୀରାକୁଦ ଦୁର୍ଗମ ଭବିଷ୍ୟତଆଡ଼େ ଅନେଇ ରହିଚି ।

 

ଘର ଭିତରେ ସାମାନ୍ୟ ଆସବାବ ମାତ୍ର । ଗୋଟିଏ ପାଖରେ ଟେବୁଲ ଉପରେ ଔଷଧ ଆଉ ଖାଦ୍ୟପେୟର କେଇଟି ପାତ୍ର । ଅନ୍ୟ ପାଖରେ ରୋଗିଣୀର ପରିଚ୍ଛନ୍ନ ଶଯ୍ୟା । ସେହି ଶଯ୍ୟା ଧାର ନିକଟରେ ଆସି ଠିଆ ହେଲା ଅରୂପ । ତାର ପାଖେ ପାଖେ ସର୍ବଜୟା । ଅନେକ ରୋଗୀ ଦେଖିଛି ସର୍ବଜୟା ! ସେବା କରିବାର ଅଭିଜ୍ଞତା ମଧ୍ୟ ତାର ନ୍ୟୁନ ନୁହେଁ । ସେ ପଥ ତା ଜୀବନରେ ବ୍ରତ ନ ହେଲେ ମଧ୍ୟ ତା ଜୀବନ ଧାରଣର ପନ୍ଥା । କିନ୍ତୁ ଆଜି ଯେପରି ତାର ସମସ୍ତ ଅଭିଜ୍ଞତା ସଂଯମ ଆଉ ଦକ୍ଷତା ଉପରେ ଆଘାତ କରି ତା ଭିତରେ ଏକ ଭାବାବେଗ ଦେଖା ଦେଇଛି । ତାର ପ୍ରକାଶରେ ସମସ୍ତ ସାଧନା ଯେପରି ତାର ବିପଦାପନ୍ନ ହୋଇ ଉଠିବ ।

 

ସର୍ବଜୟା ରୋଗିଣୀର ବିଛଣା ଉପରେ ବସିପଡ଼ିଲା । କିଛି କହିବାକୁ ତାର ଯେପରି ସାହସ ହେଉନାହିଁ । ରୋଗିଣୀର ଜରା ବିବର୍ଣ୍ଣ ମଳିନ ଦେହ ଉପରେ ହାତ ବୁଲେଇ ବୁଲେଇ ସର୍ବଜୟା ଅରୁପ ଆଡ଼କୁ ଚାହିଁଲା । ଅରୂପ ବୁଝିଲା ସର୍ବଜୟା କଣ ଜାଣିବାକୁ ଚାହେଁ । ନିମ୍ନ ସ୍ୱରରେ ସେ କହିଲା, ସେ ତମର ଅପା ନୁହନ୍ତି ସର୍ବଜୟା....

 

ତଥାପି ଯେପରି ସର୍ବଜୟାର ବୁଝିବାକୁ ବହୁତ ବାକି ରହିଗଲା । ନିର୍ବାକ ଜିଜ୍ଞାସା ଧରି ସେ କେବଳ ଅରୂପ ମୁହଁକୁ ଚାହିଁଲା ।

 

ଅରୂପ କହିଲା, ଗୋପାଳପୁର ତମର ମନେଅଛି ? ମୋର ଆଜି ତମକୁ ଦେଖି ସବୁ ମନେ ପଡ଼ି ଯାଉଛି ଜୟା ! ଏ ଥିଲେ କୁମାର ସମ୍ଭବର ପାର୍ବତୀ ।

 

ନିବେଦିତା ଦେବୀ.....

 

ଅରୂପର ଅଭାବିତ ଉତ୍ତର ସର୍ବଜୟା ନିଜ କଳ୍ପନାରେ ସୁଦ୍ଧା ଅବଧାରଣା କରି ପାରି ନ ଥିଲା । ସେ କେବଳ, ବିସ୍ମୟ ବିସ୍ଫାରିତ ଦୃଷ୍ଟିରେ ଅରୂପକୁ ଅନେଇ ରହିଲା । ଶାନ୍ତ ସ୍ଵରରେ ଅରୂପ କହିଲା, ହଁ ନିବେଦିତା ଦେବୀ ! ବଞ୍ଚନା ଭୋଗିଲେ ମଣିଷ ବଞ୍ଚିତର ହୃଦୟ ବୁଝେ ଜୟା..

 

ଥାଉ...

ଦୀର୍ଘ ଶ୍ଵାସକୁ ଚାପି ସର୍ବଜୟା କହିଲା, ସେ ଦିନ ଯାଇଛି । ଭାଷାର ମାଧ୍ୟମରେ ତାକୁ ଆଜି ଫେରେଇ ଆଣିଲେ ଦୁଃଖ ଆସିବ । ଦୁଃଖ ଆଜି ଆବଶ୍ୟକ ନାହିଁ । ଆବଶ୍ୟକ ଧୈର୍ଯ୍ୟ ।

 

ଅରୂପ କହିଲା, ଜୀବନରେ ତମ କଥା ଶୁଣିବାକୁ ଅବସର ପାଇ ନାହିଁ । ଅବସର ମତେ ଦିଆ ଯାଇନାହିଁ । ଆଜି ସେ ଆପଣା ଛାଏଁ ଆସିଛି । ତମେ କିନ୍ତୁ ମତେ ସୁଯୋଗ ଦେଉନାହଁ ।

 

କଣ୍ଠରେ କାରୁଣ୍ୟ ଧରି ସର୍ବଜୟା କହିଲା, ଶୁଣିବାକୁ ତ କିଛିନାହିଁ । ତେବେ ଏତିକି ଶୁଣି ମନେରଖି ଥାଅ ଯେ ସେଦିନର ସର୍ବଜୟା ଏବେସୁଦ୍ଧା ବଞ୍ଚିଚି । କେବଳ ବଞ୍ଚି ନାହାନ୍ତି ମୋର ସେଦିନର ଅରୂପ ଭାଇ ।

 

ସର୍ବଜୟା ଘର ଛାଡ଼ି ବାହାରି ଗଲା । ଏଇଟା ବାର୍ତ୍ତାଳାପର ସମୟ ନୁହେଁ । କାମର ମଣିଷ ସେ । କାମ ତାର ହାତମୁଠାରେ ପହଞ୍ଚି ସାରିଛି । ଏଥର ନିଜର ଦାୟିତ୍ୱ ସେ ସୁଚାରୁ ରୂପେ ତୁଲେଇ ପାରିଲେ ଶ୍ରମ ତାର ସାର୍ଥକ ହେବ ।

 

ଦୀର୍ଘ ତିନି ବର୍ଷର କାହାଣୀର ସମୟ ହେଲେ ମଧ୍ୟ ରହସ୍ୟାଚ୍ଛନ୍ନ । ନାନା ସୁଯୋଗ ଦୁର୍ଯୋଗର ମଝିରେ ଦୁଃସ୍ଥ ଦୁର୍ଗତ ଜୀବନକୁ ରସମୟ କୁହା ଯାଇ ପାରିବ ନାହିଁ । ଭାଗ୍ୟର ବିପର୍ଯ୍ୟୟ, ଅଦୃଷ୍ଟର ବିଦ୍ର (...) ଆଉ ଚକ୍ରାନ୍ତ, ଆତ୍ମୀୟମାନଙ୍କର ବିଚ୍ଛେଦ ଆଉ ବିରୂପତା ସବୁ ମିଶି ଜୀବନଟାକୁ ଘଟଣା ବହୁଳ କରି ସାରିଥିଲେ ଆଉ ସେହି ଘଟଣାର ସ୍ରୋତରେ କ୍ଷୁଦ୍ର କ୍ଷୁଦ୍ର ଦୂଇଟି ଝରାପତ୍ର ପରି ଭାସି ଚାଲିଥିଲେ ଅରୂପ ଆଉ ସର୍ବଜୟା ।

 

ଦୁଇ ସପ୍ତାହ ଧରି ସେହି ଉତ୍‍ଥାନ ପତନର ଇତିହାସ, ସେହି କରୁଣ ଅଶ୍ରୁଳ ଜୀବନୀ, ସେହି ନିଷ୍ଠୁର ଅଭିଜ୍ଞତାର କାହାଣୀ, ଅରୂପ ସର୍ବଜୟା ମୁହଁରୁ ଶୁଣିଚି, ଶୁଣେଇଚି । ନିବେଦିତାର କୌଣସି ପରିଚୟ ସେ ଗୋପନ ରଖିନାହିଁ । ନିବେଦିତାର ସେହି ପରିଚିତ ଯେପରି ଚୁମ୍ବକ ପରି ସର୍ବଜୟାର ଆନ୍ତରିକ ଯତ୍ନ ଆଉ ସହାନୁଭୂତିକି ଆକର୍ଷଣ କରି ଆଣିଚି । ସର୍ବଜୟା ନିବେଦିତାର ଶଯ୍ୟାଧାରରେ ବସି ବସି ଅନୁଭବ କରିଚି ସେ ଯେମିତି ପେଶାଦାର ଶୁଶ୍ରୂଷାକାରିଣୀ ନୁହେଁ । ସେ ଆଜି ଏହି ଲାଞ୍ଚିତା, ଉତ୍ପୀଡ଼ିତା ରୁଗ୍‍ଣାର ମା କିମ୍ବା ଭଉଣୀ । ଅରୂପର ଗୁହ ଭାର ନିଜ ଇଚ୍ଛାରେ ସେ ବହନ କରିଚି କିନ୍ତୁ ତାର ସମସ୍ତ ଯତ୍ନ ଯେପରି ଧୀରେ ଧୀରେ ନିଷ୍ଫଳ ହେଇ ଆସୁଚି ।

 

ସକାଳେ ରୋଗିଣୀର ଅବସ୍ଥାରେ ବିଲକ୍ଷଣ ଦେଖି ଡାକ୍ତରଙ୍କୁ ଡାକିଥିଲା ଅରୂପ । ନାନା ପରୀକ୍ଷା ଆଉ ଔଷଧ ପ୍ରୟୋଗ ପରେ ଡାକ୍ତର ଯେତେବେଳେ ନୀରବରେ ବିଦାୟ ନେଲେ, ଅରୂପର ହୃଦୟ ଘୋର ନୈରାଶ୍ୟର ଚାପରେ ଭାଙ୍ଗି ପଡ଼ିଲା । କିନ୍ତୁ ସର୍ବଜୟା କହିଚି ଭାଙ୍ଗିପଡ଼ିଲେ କୌଣସିମତେ ଚଳିବ ନାହିଁ । ଯଥାସାଧ୍ୟ ସଂଯମ ରକ୍ଷାକରି ସେ ଡାକ୍ତରଙ୍କ ସହିତ ଚାଲୁ ଚାଲୁ ଡାକିଲା, ଡାକ୍ତର ବାବୁ........

 

ଆଗେ ଆଗେ ମୁଣ୍ଡନୁଆଇଁ ଦ୍ରୁତପଦରେ ଡାକ୍ତରବାବୁ ଚାଲି ଯାଉଥିଲା । ଅଟକିଯାଇ ପଚାରିଲେ, କ’ଣ କହିବେ ?

 

କରୁଣ ସ୍ୱରରେ ଅରୂପ କହିଲା, ଅବସ୍ଥା ସମ୍ବନ୍ଧରେ କିଛି ତ କହିଲେ ନାହିଁ ।

 

କଣ ବା କହିବାକୁ ଅଛି କହନ୍ତୁ........

 

କହି କହି ଅରୂପ ମୁହଁକୁ ଅନେଇଲେ ଡାକ୍ତରବାବୁ । ଅରୂପର ବିଷଣ୍ଣ କରୁଣ ଚେହେରା ତାଙ୍କର କଠିନତାକୁ ଯେପରି ତରଳେଇ ଦେଲା । ସ୍ୱର ନୁଆଁଇ ସେ କହିଲେ, କଣ ଆଉ ଆପଣଙ୍କୁ କହିବାକୁ ଅଛି କହନ୍ତୁ ! ଅବସ୍ଥାର କୌଣସି ଉନ୍ନତି ନ ହେଇଥିଲେ ମଧ୍ୟ ଅବନତି ତ ଦେଖିବାକୁ ପାଇଲି ନାହିଁ । କିନ୍ତୁ ଆପଣ ଏତେ ନିରୁତ୍ସାହିତ ହେଲେ ଚଳିବ ନାହିଁ ।

 

ପୁଣି ଆଗକୁ ପାଦ ପକେଇ ଅଳ୍ପସମୟ ଚୁପ୍‍ କରିଗଲେ ଡାକ୍ତର ବାବୁ । ତା’ପରେ ଲଳିତ କଣ୍ଠରେ କହିଲେ, ମୋ କଥା ଅକ୍ଷରେ ଅକ୍ଷରେ ମନେ ରଖିବେ । ରୋଗିଣୀ ଯେପରି ଉତ୍ତେଜିତ ନ ହୁଏ । କଥା କହିବାକୁ କିମ୍ଵା ଭାବିବାକୁ ଆଦୌ ଅବକାଶ ଦେବେନାହିଁ । ଏ ରୋଗରେ ରୋଗୀର ମାନସିକ ଉଲ୍ଲାସ ରକ୍ଷା କରିପାରିଲେ ଅନେକଟା ରୋଗ କମି ଯାଏ । ବୁଝିଲେ ନା ଆଜ୍ଞା !

 

ଏଥର ନିଜକୁ କୌଣସିମତେ ସମ୍ବୃତ କରି ପାରିଲାନାହିଁ ଅରୂପ । ଭଗ୍ନ ଆକୁଳ ସ୍ୱରରେ କହିଲା, ମୁଁ ସଠିକ୍ କଥାଟା ଜାଣିବାକୁ ଚାହୁଁଚି ଡାକ୍ତର ବାବୁ !

 

କିଛିକ୍ଷଣ ନିର୍ବାକ ହେଇ ଅରୂପକୁ ଅନେଇ ରହିଲେ ଡାକ୍ତର ବାବୁ । ତାପରେ ଧୀରେ ଧୀରେ କହିଲେ, ସଠିକ୍ କଥା ? ଆପଣ ଉଚ୍ଚଶିକ୍ଷିତ ଲୋକ ଅରୂପ ବାବୁ ! ଆପଣଙ୍କୁ ବୁଝେଇବାକୁ ହେବ ନାହିଁ । ଜାଣନ୍ତି ତ ଏ ପର୍ଯ୍ୟନ୍ତ ସେହି ସଠିକ୍ ଉତ୍ତର ଦେବାପାଇଁ କେହି ଯୋଗ୍ୟତା ହାସଲ କରି ପାରି ନାହିଁ ।

 

ଘରର ପରିଧି ଅତିକ୍ରମ କରି ଗାଡ଼ି ପାଖକୁ ଆଗେଇ ଚାଲିଲେ ଡାକ୍ତର ବାବୁ । ଅରୂପ କହିଲା, ତାହେଲେ ମତେ କ’ଣ କରିବାକୁ ହେବ ?

 

ଅରୂପର କଣ୍ଠସ୍ଵର ସଂଯତ ନୁହେଁ । କିନ୍ତୁ ତାହା ଯେପରି ନିଷ୍କମ୍ପ କାରୁଣ୍ୟ ଆଉ ଅସ୍ୱାଭାବିକ ଜଡ଼ତାରେ ରୁଦ୍ଧ ହେଇ ଆସୁଚି । ରହି ରହି ଡାକ୍ତର ବାବୁ କହିଲେ, ମନେଥିବ ଆପଣଙ୍କର । ବହୁଦିନ ତଳେ ପଢ଼ିଥିବା ଆମର ରାମାୟଣ, ମହାଭାରତ । ନ ହେଲେ ବୁଢ଼ୀମା ତୁଣ୍ଡରୁ ଶୁଣିଥିବା ସେହି ରୂପକଥା । ନାଗକନ୍ୟାର ଗରଳ ପେଡ଼ିରେ ମୃତ୍ୟ ସଂଜୀବନୀ ସାଇତା ରହିଥିଲା । ଆଜି ମୋର ମନେହୁଏ ଦିନେ ନା ଦିନେ ସେହି ଗରଳ ପେଡ଼ି ଖୋଲି ଅମୃତମୟ ଅମରମନ୍ତ୍ର ବାହାରି ଆସିବ ଆଉ ମୃତ୍ୟୁର ସେହି ମୋହଫାଶକୁ ଛିନ୍ନ କରି ନବଜୀବନର ଆଲୋକ ଜାଳିଦେବ । ଆଚ୍ଛା, ମୁଁ ଆସୁଚି । ନମସ୍କାର........

 

ଚାଲି ଚାଲି ଗାଡ଼ିରେ ଉଠିଗଲେ ଡାକ୍ତର ବାବୁ । ଅଧୀର ଭାବରେ ଅରୂପ କହିଲା, ଆପଣଙ୍କୁ ଡାକି ପଠେଇବି ?

 

ଡାକିବା କିଛି ଦରକାର ନାହିଁ । ମୁଁ ଠିକ୍ ସମୟରେ ଆସିଯିବି ।

 

ରାଜପଥ ଉପରେ ଗାଡ଼ି ଛୁଟେଇ ଡାକ୍ତର ବାବୁ ଚାଲିଗଲେ । ନିଜକୁ ଦମନ କରି କୌଣସିପ୍ରକାର ଭିତରକୁ ଫେରି ଆସିଲା ଅରୂପ ।

ଅନେକକ୍ଷଣ ଅବଧି ଶୋଇରହି ଧୀରେ ଧୀରେ ଜାଗି ଉଠିଲା ନିବେଦିତା । ମୃଦୁ ଅବଶକଣ୍ଠରେ ଡାକିଲା–

ଜୟା........

ଏ କେତଦିନ ଭିତରେ ସର୍ବଜୟାର ସହିତ ନିବେଦିତାର ନିବିଡ଼ ବନ୍ଧୁତ୍ୱ ଆସି ଯାଇଚି । କିନ୍ତୁ ସର୍ବଜୟାର ସମସ୍ତ ପରିଚୟ ତା ନିକଟରେ ଲୁଚେଇ ରଖିଚି ଅରୂପ । ଅତୀତର ଆବୃତ୍ତି ଘଟିଲେ ମନରେ ତାର ଆଘାତ ଲାଗିପାରେ । ସେଥିପାଇଁ କିଛି ଜାଣିବାକୁ ଦେଇ ନ ଥିଲା ଅରୂପ । ସର୍ବଜୟା ମଧ୍ୟ ନିଜକୁ ଯଥାସାଧ୍ୟ ଗୋପନ ରଖିଥିଲା । ନିବେଦିତା ବୁଝିଥିଲା, ନବାଗତା ଜୟା ଜଣେ ନର୍ସ ମାତ୍ର ।

ନିବେଦିତାର ବିଷଣ୍ଣ କପାଳଲେ ହାତ ବୁଲେଇ ସର୍ବଜୟା କହିଲା, ଅରୂପ ବାବୁଙ୍କୁ ପାଖକୁ ଡାକିବି ?

ଅସ୍ପଷ୍ଟ ସ୍ୱରରେ ନିବେଦିତା କହିଲା, ନା ଭଉଣୀ, ଯିଏ ପାଖରେ ନାହିଁ ତାକୁ ଡାକି ଆଣିଦିଅ ।

ଆଜି ଆସିବ ସେ । ବିନୋଦକୁ ଟେଲିଗ୍ରାମ ହେଇଚି । ନିଶ୍ଚୟ ଆସିବ ।

ମିଛ କହୁଚ........

ନିବେଦିତାର ସଜଳ ପ୍ରତୀକ୍ଷାମାନ ଦୃଷ୍ଟି ଦୂରଦିଗନ୍ତ ରେଖା ସ୍ପର୍ଶ କରିଗଲା ଥରେ । ତାପରେ ପୁଣି ଆସ୍ତେ ଆସ୍ତେ ବୁଜିହେଇ ଆସିଲା । ନିରୁପାୟ ସର୍ବଜୟା ଆକୁଳ ଆଖିରେ ବାହାରକୁ ଅନେଇ ରହିଲା ।

ଯଥା ସମୟରେ ରୋଗିଣୀର ଆକାଂକ୍ଷା ଅରୂପକୁ ଜଣେଇ ଦେଇଚି ସେ । ଯେଉଁ ବାଳକକୁ ନିବେଦିତା କ୍ଷଣକପାଇଁ କୋଳରେ ଧରି ସ୍ତନ୍ୟ ଦାନ କରି ନାହିଁ, କଦର୍ଯ୍ୟ ଆତ୍ମଗ୍ଳାନି ଆଉ ଧିକୃତ ଅନୁଶୋଚନା ଭିତରେ ଯେଉଁ ଶିଶୁର ଜନ୍ମ ଆଜି ତା ପାଇଁ ଜନନୀର ଅଶ୍ରୁ ଝରି ଯାଉଚି । ଅରୂପ ମଧ୍ୟ ସେ ଅଶ୍ରୁର ଅବମାନନା କରି ନାହିଁ । ବିନୋଦକୁ ସବୁ ଘଟଣା ଜଣେଇ, ପୁଅକୁ ନେଇ ଆସିବାପାଇଁ ଟେଲିଗ୍ରାମ କରି ଦେଇଚି ସେ । କିନ୍ତୁ ନିଜର ଅଧୀର କାମନାକୁ ଆଉ ଯେପରି ନିବେଦିତା ସହ୍ୟ କରି ପାରିନାହିଁ । ପୁଣି ଆଖି ଖୋଲି କ୍ଳାନ୍ତ ଜଡ଼ିତ ସ୍ୱରରେ ସେ ଡାକିଲା, ଜୟା........

କ’ଣ ଭଉଣୀ........

ସତେ କ’ଣ ସେ ଆସିବ........

ଆସିବ........

ଅଳ୍ପସମୟ ଚୁପ୍‍ କରି ନିବେଦିତା କହିଲା, ସେ ଆଜି ପ୍ରଥମକରି ତାର ମାକୁ ଦେଖିବ ? ଚିହ୍ନି ପାରିବ ତ ?

 

କଣ୍ଠରେ ଆଶ୍ଵସନା ଭରି ସର୍ବଜୟା କହିଲା, କାହିଁକି ଚିହ୍ନି ପାରିବ ନାହିଁ । ରୋଗ କ’ଣ କାହାକୁ ହୁଏନା ନିବା !

 

ରୋଗ ! ନିବେଦିତା ଯେମିତି ନୀରବରେ କଣ ଭାବିବାକୁ ଲାଗିଲା । ତାପରେ ଅଧୀର ସ୍ୱରରେ କହିଲା, ସେ ମତେ କ୍ଷମା କରି ପାରିବ ତ ?

 

ସର୍ବଜୟା ବୁଝିଲା । ନିବେଦିତା ଯେପରି ସମସ୍ତଙ୍କର ଅଲକ୍ଷ୍ୟରେ ବାରମ୍ବାର ବିବେକର ଦଂଶନ ସହୁଚି । ଏଠି କିଛି ଉତ୍ତର ଦେଲେ ହୁଏତ ସେହି ଦଂଶନର ଜ୍ୱାଳା ବଢ଼ିଯିବ । ଜବାବ ନ ପାଇ ପୁଣି ନିବେଦିତା କହିଲା, ସେ ମତେ ଦେଖି ପାରିବ ନାହିଁ ଜୟା........

 

ଛି ନିବା, ଏମିତି କଣ ହେଇଚି ଯେ ତାକୁ ଦେଖିବାକୁ ସମୟ ରହିବ ନାହିଁ ।

 

ନ ରହୁ । ନ ଦେଖୁ ସେ । ଦେଖିଲେ, ଜାଣିଲେ ମାକୁ ତାର ସେ କ୍ଷମା କରି ପାରିବ ନାହିଁ । ତା ହାତରୁ ଏ ଅବିଚାର ମୁଁ ପାଇବା ଆଗରୁ ଚାଲିଯାଏ । ତାହେଲେ ଆଉ ରହିବ ନାହିଁ । ଉଃ........

 

ହଠାତ ବନ୍ଦ ହେଇଗଲା ନିବେଦିତା । କେଉଁଠି ଯେପରି ତାର କଣ ହେଇ ଯାଉଚି । ଅଳ୍ପସମୟ ପରେ ରହି ସେ ପୁଣି କହିଲା, ସତ କହିବା ଜୟା ! ମୁଁ କଣ ଯଶୋଦାଜନନୀ ହେଇ ପାରି ନ ଥାନ୍ତି ।

 

ଏ ସବୁ ଆଜି କ’ଣ କହୁଚ ଭଉଣୀ !

 

କହୁଚି ଆଉ କହିବାକୁ ହେବନାହିଁ ବୋଲି । ଶୋଇ ଶୋଇ ଗୋଟାଏ ସୁନ୍ଦର ସ୍ୱପ୍ନ ଦେଖିଲି । ଆଚ୍ଛା ଜୟା, ମୋ କଥା ସିଏ ଶୁଣୁ ନାହାନ୍ତି ତ ? ଯାଅ ତମେ ଦେଖି ଆସ........

 

ସର୍ବଜୟା ଉଠି ବାହାରକୁ ଆସିଲା । କଣ ଯେପରି ଆଖିର ଇଙ୍ଗିତରେ କହିଲା ଅରୂପକୁ । ଅରୂପ ଧୀରେ ଧୀରେ ପଛପଟର ଦୁଆର ଦେଇ ବାହାରିଗଲା । ସର୍ବଜୟା ଭିତରକୁ ଫେରିଆସି ନିବେଦିତାର ବିଛଣା ଉପରେ ବସିପଡ଼ିଲା । କହିଲା, ନା ସେ ନାହାନ୍ତି ।

 

ନିବେଦିତା ଚାରିଆଡ଼େ ଥରେ ସତର୍କ ଦୃଷ୍ଟିବୁଲେଇ କ୍ଷୀଣ ସ୍ୱରରେ କହିଲା, ହୃଦୟର ସମସ୍ତ ଉଚ୍ଛ୍ୱାସ ପ୍ରାଣରେ ସମସ୍ତ ଆବେଗ ଧରି ନୂଆ ରୂପରେ ସେ ଆସିଚନ୍ତି । ନିଜେ ନିଜ କୋଳରେ ବସୁଚନ୍ତି । ନିଜକୁ ଧରି ନିଜେ ଖେଳୁଚନ୍ତି । ତାଙ୍କରି ଆତ୍ମା, ଦେହ ନୂତନ ରୂପରେ ବିକାଶ ଲାଭ କରିଚି । କି ସୁନ୍ଦର ... କି କୋମଳ ...
 

 

ସର୍ବଜୟା ଭିତରେ ତାର ଏହି ଭାଷା ଯେ କି ଭାବର ସୃଷ୍ଟିକଳା, ବୁଝିବାକୁ ନିବେଦିତାର ଅବସର ରହିଲା ନାହିଁ । କହିବାକୁ ଆପ୍ରାଣ ଚେଷ୍ଟାକରି ସେ କହିଲା, ସେ ତରଙ୍ଗାୟିତ ଆଖିର ଚାହାଣୀ କି ଚପଳ........କି ନିବିଡ଼ ସେ ଦେହର ସ୍ପର୍ଶ........କି କଲ୍ୟାଣକର ସେହି ସ୍ପର୍ଶ........ସେହି ସ୍ପର୍ଶ ଧରି ଆମେ ଯାଉଛୁ ଅଜନ୍ତା, ଏଲୋରା କିମ୍ବା ଆଉ କେଉଁଠିକି । ଅଜନ୍ତାର ମାତୃମୂର୍ତ୍ତି ତମର ମନେପଡ଼େ ଜୟା !

ଅରୂପ ଆଉ ସ୍ଥିର ରହି ପାରିଲା ନାହିଁ । ନିବେଦିତା ଭିତରେ ଯେ ଏକ ମୁକ୍ତ କାମନାକୁ ପୀଡ଼ନ କରି ଚାଲିଥିଲା । ଆଜି ନୂଆ କରି ସେ ବେଦନାର ପ୍ରକାଶ ହେଇଚି । କିନ୍ତୁ ଆଜି ତା ପାଇଁ କିଛି କରିବାକୁ ନାହିଁ ଅରୂପର । ଅସହାୟ ହୃଦୟର ଅଶ୍ରୁ ଧରି ସେ ଆସି ଧୀରେ ଧୀରେ ଦୁଆର ମୁହଁରେ ଠିଆ ହେଲା । ତାର ଇଚ୍ଛା ହେଲା ନିବେଡ଼ିତାକୁ ନିବିଡ଼ ଆଲିଙ୍ଗନ ଦେଇ ଅନ୍ତିମ କାମନା ତାର ପୂର୍ଣ୍ଣ କରି ଦିଅନ୍ତା ।

 

ପ୍ରାୟ ଚାଳିଶ ମିନିଟ ପରେ ରୋଗିଣୀକି ଔଷଧ ଦେଲା ସର୍ବଜୟା । ଖାଇବାକୁ ଦେଇ କହିଲା, ଏଥର ଟିକିଏ ଶୋଇପଡ଼ ।

 

ସର୍ବଜୟାର ହାତଧରି ଅସ୍ଫୁଟ କଣ୍ଠରେ ନିବେଦିତା । ଶୋଇବାକୁ ଆଉ କହନା ଭଉଣୀ-। ଅନେକ ଶୋଇଚି ମୁଁ, ଅନେକ ବି ଶୋଇବି । ଏ ଜୀବନର ଆନନ୍ଦରୁ ମତେ ଆଉ ବଞ୍ଚିତ କରନା-। ଏଥର ଅନିଦ୍ରା ରହି ତାକୁ ଥରେ ମନଭରି ଦେଖି ନିଏ ଜୟା ! ମତେ ଆଉ ମନା କରନାହିଁ-। କାହିଁ ସେ ତ ଆସିଲା ନାହିଁ । ରୁଷିଚି କି......

 

ସର୍ବଜୟା ସେବିକା । ତଥାପି ଅଶ୍ରୁକମ୍ପିତ ସ୍ୱରରେ ସେ କହିଲା, ଏଇ ଆସିଲା.....

 

ଆସିଲା ? ମତେ ଟିକିଏ ଉଠେଇ ଧର ତ ଭଉଣୀ ! ମୁଁ ତାକୁ ଟିକିଏ ଦୁଧ ପିଆଇ ଦିଏ-। ଦିଅ ମୋ କୋଳକୁ ଦିଅ.....

 

ଟିକିଏ ଅଟକି ଯାଇ ନିବେଦିତା କହିଲା, ବଡ଼ ଅବୁଝା ଛୁଆଟା ! ଆଣ, ଆଣ....

 

ନିବେଦିତା ଉଠିବାକୁ ବହୁଚେଷ୍ଟା କରି ବିଫଳ ହୋଇ ପୁଣି ବିଛଣାରେ ପଡ଼ିଗଲା । ଏଇ ଟିକକରେ ସେ ଯେପରି ପ୍ରାଣାନ୍ତକ ପରିଶ୍ରମରେ କ୍ଳାନ୍ତ ହେଇ ପଡ଼ିଚି । ତାର ସମଗ୍ର ଚେହେରାରେ ଫୁଟିଉଠିଚି ନିବିଡ଼ କଳାଛାୟା । ଗଭୀର ଅବସାଦ ଆଉ ଦୁର୍ବଳତାରେ ଆଖି ଦୁଇଟି ତାର ଆସ୍ତେ ଆସ୍ତେ ବୁଜି ହେଇ ଆସିଲା । ସର୍ବଜୟା ତାର ସର୍ବାଙ୍ଗରେ ଲୁଗା ଢାଙ୍କିଦେଇ ଯେପରି କାହାର ପ୍ରତୀକ୍ଷା କରିବାକୁ ଲାଗିଲା ।

 

ରୋଗିଣୀର ଶେଷ ଆଶା ସାର୍ଥକ ହେଲା ନାହିଁ । ଅରୂପ ବାହାରକୁ ଆସି ଆକୁଳ ଆଗ୍ରହରେ କାହାର ବାଟ ବାରମ୍ବାର ଚାହିଁବାକୁ ଲାଗିଲା । ନିବେଦିତା ଥରେ କହିଥିଲା, ସାର୍ଥକ ଯଦି ହେଇଥାଏ, ତମକୁ ପାଇ । କିନ୍ତୁ ସାର୍ଥକ ସେ ହେଲାନାହିଁ । ତାକୁ ଧରି କାହାରି ଜୀବନ ସାର୍ଥକ ହେଲାନାହିଁ । ମହାଶ୍ଵେତା ଅଭିମାନ ନେଇ ରହିଗଲା । ନିରୁପମା ବିଫଳତାର ବୋଝ ବହନ କରିଗଲେ । ସାନ ଭଉଣୀ କୀର୍ତ୍ତିମାଳା ଶେଷ ପର୍ଯ୍ୟନ୍ତ ତା ଭାଇର ସାନିଧ୍ୟ ପାଇଲା ନାହିଁ । ଆଉ ନିବେଦିତା ହୁଏତ ସେହି ଅସମାପ୍ତିର ବ୍ୟଥାରେ ତିଳ ତିଳ କରି କ୍ଷୟ ହେଇ ଯାଉଚି । ନିଜର ଏହି ବ୍ୟର୍ଥତା ଆଉ ଅସାମର୍ଥ୍ୟ ପାଇଁ ନିଜକୁ ବଡ଼ ବିପନ୍ନ ବୋଧକଲା ଅରୂପ । ମଣିଷର ଶ୍ରେଷ୍ଠ ସାନ୍ତ୍ୱନା ଶେଷ ସମ୍ବଳ ଅଶ୍ରୁ ତାର ଆଖି ଫାଟି ଝରି ଆସିଲା ।

 

ରୋଗିଣୀର ଅବସ୍ଥାରେ ବିଲକ୍ଷଣ ଲକ୍ଷ୍ୟ କରି ଡାକ୍ତରଙ୍କୁ ପୁଣି ଖବର ପଠେଇଲା ଅରୂପ । କିନ୍ତୁ ଡାକ୍ତର ପହଞ୍ଚିବାର ବହୁ ପୂର୍ବରୁ ସଂସାର କ୍ଷେତ୍ରରେ ପ୍ରତି ନିମିଷରେ ପ୍ରତି ପଲକରେ ଯେଉଁ ଘଟଣାର ବାରମ୍ବାର ପୁନରାବୃତ୍ତି ଘଟେ ତାହାହିଁ ଘଟିଗଲା । ଅରୂପ ଆଉ ନିଜକୁ ସମ୍ଭୃତ କରି ପାରିଲା ନାହିଁ । ବିଫଳ ଅଶ୍ରୁର ଆବେଗରେ ନିବେଦିତାର ଜଡ଼ ଦେହ ଉପରେ ସେ ଲୋଟିପଡ଼ିଲା ।

 

ମହାନଦୀର ନୀଳାଭ ଜଳରାଶି ଉପରେ ସନ୍ଧ୍ୟାର ଶାନ୍ତଛାୟା ଓହ୍ଲେଇ ଆସିଚି । ଦୂରଦିଗନ୍ତ ରେଖାତଳେ ଜଗି ଉଠିଚି ତାର ସ୍ପର୍ଶ । ଅସ୍ତ ସୂର୍ଯ୍ୟର ରକ୍ତଆଭା ଚିତାଗ୍ନିର ଶିଖାରେ ଶିଖାରେ ଫୁଟି ଉଠିଚି । ଦିନ ଶେଷର ସନ୍ଧ୍ୟା ପବନ ବହୁଦୂରରେ ହୁ ହୁ କରି ସ୍ଫୁଲିଙ୍ଗ ବିଞ୍ଚି ଦେଉଚି-। ଅବଶେଷରେ ସେହି ଅଗ୍ନିକଣା ଧୀରେ ଧୀରେ ମଳିନ ହେଇ ଯାଉଚି ।

 

ଅଳ୍ପ ଦୂରରେ ସ୍ତବ୍‍ଧ ହେଇ ବସି ରହିଚି ସର୍ବଜୟା । ନଈର ଅତଡ଼ା ଉପରେ ଶାନ୍ତ ଅରୂପ ଅବଶ ହେଇ ଦୂର ଦିଗ୍‍ବଳୟ ଆଡ଼େ ଚାହିଁ ରହିଚି । ମଝିରେ ମଝିରେ କ୍ଳାନ୍ତ ଦୃଷ୍ଟି ତାର ଚିତାଶଯ୍ୟା ଭେଦ କରି ଯାଉଚି । କିନ୍ତୁ ସେ ଏ ଅବଧି ଅଦୃଷ୍ଟର ଏହି କୁଟ ଅଭେଦ୍ୟ ରହସ୍ୟକୁ ଭେଦ କରି ପାରୁନାହିଁ । ସାମାନ୍ୟ ମାନବ ସେ । ସ୍ୱଳ୍ପ ଚିନ୍ତାଶକ୍ତି ଆଉ ମୋହଗ୍ରସ୍ତ ମନ ନେଇ ନିୟତିର ଏହି ଚକ୍ରାନ୍ତଙ୍କୁ ଭେଦ କରିଯିବା ସହଜ ସମ୍ଭବ ନୁହେଁ । ପ୍ରତି ମୁହୂର୍ତ୍ତରେ ସେ କେବଳ ଅନୁଭବ କରୁଚି ସମଗ୍ର ମଣିଷ ଗୋଷ୍ଠୀ ଯେପରି ଅଦୃଶ୍ୟ ଅଚିନ୍ତ୍ୟ କେଉଁ ମହା ପ୍ରକୃତିର ନିରୁପାୟ, ଅଜ୍ଞ କ୍ରୀଡ଼ନକ ମାତ୍ର ।

 

ବିନୋଦ କେତେବେଳେ ବସି ଯେ ଶିଶୁଟିକି ଧରି ଆସି ପହଞ୍ଚିଚି । ଆଉ ଅରୂପ ନିକଟରେ ବସି ବସି ନିଜ ଅସୁବିଧା ସମ୍ବନ୍ଧରେ କଥାବାର୍ତ୍ତା କରି ଚାଲିଛି, ତାହା କେହି ଲକ୍ଷ୍ୟ କରି ପାରିନାହିଁ । ଅନେକ ସମୟ ଧରି ସେ ଜ୍ୱଳନ୍ତ ପ୍ରଖର ଅଗ୍ନି ଆଡ଼େ ଅନେଇ ଅନେଇ ଭୟାର୍ତ୍ତ ଅଜ୍ଞାନ ବାଳକ ବିନୋଦ କୋଳରେ ଶୋଇପଡ଼ିଚି ।

 

ଏକ ସମୟରେ ସଚେତନ ହେଇ ବିନୋଦକୁ ଦେଖିପାରିଲା ସର୍ବଜୟା । ତା କୋଳରେ ନିଦ୍ରିତ ଶିଶୁଟିକି ଚାହିଁ ଚାହିଁ ତାକୁ ଚିହ୍ନିବାକୁ ଡେରି ଲାଗିନାହିଁ । ସେ ଧୀରେ ଧୀରେ ଉଠି ଆସି ସେମାନଙ୍କ ପାଖରେ ଠିଆ ହେଲା । ଅସଂଯତ ସ୍ୱରରେ ପଚାରିଲା, ଆପଣ କ’ଣ ଠିକ୍ ସମୟରେ ଖବର ପାଇଲେ ନାହିଁ ?

 

କହୁ କହୁ କଣ୍ଠ ତାର ରୁଦ୍ଧ ହେଇଆସିଲା । ଧୀରତା ସହକାରେ ବିନୋଦ କହିଲା, ତା ପରଦିନ ଟେଲିଗ୍ରାମ ପାଇଲି । ମଝିରେ ଲାଇନ ଗୋଳମାଳ ଥିଲା । ସାଙ୍ଗେ ସାଙ୍ଗେ ଗାଡ଼ି ପାଇ ବାହାରି ଆସିଲି । ତଥାପି ମୋର ଶ୍ରମ ସାର୍ଥକ ହେଲାନାହିଁ ।

 

ଅଦୂର ଚିତାଗ୍ନିର ଲେଲିହାନ ଶିଖାକୁ ଅନେଇ ଅନେଇ ଆଖି ପୋଛିଲା ସର୍ବଜୟା । କହିଲା, ଅଭାଗୀର ଶେଷ ଇଚ୍ଛା ପୂର୍ଣ୍ଣ ହେଲାନାହିଁ ।

 

କହି କହି ପୁଣି କାନ୍ଦି ଉଠିଲା ସର୍ବଜୟା । କଣ୍ଠରେ ସଂଯମ ଧରି ଅରୂପ କହିଲା, କାନ୍ଦନା ସର୍ବଜୟା.....

 

ସର୍ବଜୟା ନିବେଦିତାର ନିଦ୍ରାବିଭୁତ ଶିଶୁ ସନ୍ତାନକୁ କୋଳକରି ଘରକୁ ଫେରି ଆସିଲା-

 

ପରଦିନ ନିବେଦିତାର ଶେଷ କୃତ୍ୟ ସାରି ଘରକୁ ଫେରି ଆସିଲା ଅରୂପ । ଏହିକ୍ଷଣି ବି ଅସୀମ ଜଡ଼ତା ଆଉ କ୍ଳାନ୍ତିରେ ତାର ମନ ଆଚ୍ଛନ୍ନ ହେଇ ରହିଚି । ଫେରି ଆସି ବିଛଣାରେ ପଡ଼ି ରହିଲା ସେ । ସମସ୍ତ ଘରଟା ଯେପରି ମୃତ୍ୟୁ ରହସ୍ୟ ଆଉ ଶୋକରେ ସ୍ତବ୍‍ଧ ହେଇ ରହିଚି ।

 

ବାହାରେ ଶରତର ରୌଦ୍ରଦଗ୍‍ଧ ମଧ୍ୟାହ୍ନ ମଉଳି ଯାଉଛି । ଶ୍ୟାମଳ ପୃଥିବୀରେ ଅପରାହ୍ନର ଶାନ୍ତ ସ୍ପର୍ଶ ଲାଗି ଲାଗି ଆସିଲାଣି । କିନ୍ତୁ ଭିତରେ କାହାରି ସୋର ଶବ୍ଦ ନାହିଁ । ଆଜି ସକାଳ ଗାଡ଼ିରେ ବିନୋଦକୁ ଫେରେଇ ଦେଇଛି ଅରୂପ । କିନ୍ତୁ ଶିଶୁଟି ରହିଯାଇଛି ସର୍ବଜୟା ନିକଟରେ । ତାକୁ ଛାଡ଼ି ଦେବାପାଇଁ ସର୍ବଜୟାର ବହୁ ଆପତ୍ତି ରହିଯାଇଚି ।

 

ଆଉରି କିଛିଦିନ ଅରୂପକୁ ଏଠି ରହିବା ପାଇଁ ହେବ । ନିବେଦିତାର ଦଶାହ କ୍ରିୟା ପରେ ତାକୁ ପୁଣି ନିଜ ବାଟରେ ଫେରିଯିବାକୁ ହେବ । କିନ୍ତୁ ସର୍ବଜୟାର ଏହି ଏହି ଶ୍ୱାସରୁଦ୍ଧ ପରିସ୍ଥିତି ଭିତରେ ଆଉ ରହିବା ପାଇଁ ଇଚ୍ଛାନାହିଁ । ତା’ପରେ ତାର ସମୟ ମଧ୍ୟ ନାହିଁ । କର୍ତ୍ତୃପକ୍ଷର ନିର୍ଦ୍ଦେଶ ତାକୁ ଏଇ ପର୍ଯ୍ୟନ୍ତ ଥିଲା । ଏଥର ତାକୁ ନିଜର କର୍ମକ୍ଷେତ୍ରକୁ ଫେରିଯାଇ ପୁଣି ସେହି ନିତ୍ୟ ନୈମିତ୍ତିକ ଘଟଣା ସହ ନିଜକୁ ମିଶେଇ ଦେବାକୁ ହେବ । କେବଳ ଏହି ଦୀର୍ଘ ଯାତ୍ରାପଥର ସମ୍ବଳ କରିନେବ ସେ ଅରୂପ ସାନିଧ୍ୟର ସାମାନ୍ୟ ସ୍ମୃତି ଟିକକ । ଏହାଠାରୁ କୌଣସି ଦିନ ସେ ନିଜ ପାଇଁ ଆଉ ବେଶୀ କିଛି ଆଶା କରି ପାରିନାହିଁ । ସେଥିଯୋଗୁ ବିଦାୟ ନେବାପାଇଁ ଅରୂପ ନିକଟରେ ସେ ଆସି ଠିଆ ହେଲା । ଡାହାଣ ବାହୁରେ ଆଖି ଚାପିରଖି ବିଛଣାରେ ପଡ଼ିରହିଛି ଅରୂପ । ଚେଇଁଚି କି ଶୋଇଚି ଜାଣିବାର ଉପାୟ ନାହିଁ । ଧୀର ପଦପାତରେ ଆଗେଇ ଆସି ସର୍ବଜୟା ଡାକିଲା, ଅରୂପ ଭାଇ ଚେଇଁଚ……..

 

ଆସ୍ତେ ଆସ୍ତେ ହାତ ଉଠେଇ ଆଖି ଖୋଲିଲା ଅରୂପ ।

 

କ’ଣ ଜୟା……

 

ଅରୂପର ପାଦଧୂଳି ମୁଣ୍ଡରେ ଲଗେଇ ସର୍ବଜୟା କହିଲା, ମୋର ସମୟ ସରିଛି । ଏଥର ମତେ ଯିବାକୁ ଦିଅ ।

ଅତି କ୍ଳିଷ୍ଟ ସ୍ୱରରେ ଅରୂପ କହିଲା, ଆଉ କିଛିଦିନ ଡେରିକଲେ କୌଣସି କ୍ଷତିର ଆଶଙ୍କା ନାହିଁ ତ ଜୟା

କରୁଣ ଶାନ୍ତ ହସ ସର୍ବଜୟାର ଓଠରେ ଫୁଟି ଉଠିଲା । ସେ କହିଲା ତମକୁ ବୁଝେଇବାକୁ ହେବନାହିଁ । ଅନ୍ୟପାଖରେ ପେଟ ପାଇଁ ମୁଣ୍ଡ ବିକି ତାର ହିସାବ ରଖି ହୁଏନା ଭାଇ-। ନିବେଦିତା ଆଜି ନାହିଁ । ମୋର କାମ ସରିଛି ।

କେଇଟି ନିଃଶବ୍ଦ ମୁହୂର୍ତ୍ତ କଟିଗଲା । ତା’ପରେ ରହି ରହି ଅରୂପ କହିଲା ଯିବାର ସମୟ ହୁଏତ ହେଇଚି ଜୟା ! କିନ୍ତୁ କାମ ତ ତମର ସରିନାହିଁ ।

ଅରୂପ ମୁହଁକୁ ଅର୍ଥହୀନ ଦୃଷ୍ଟିରେ କେବଳ ଅନେଇ ରହିଲା ସର୍ବଜୟା । କଣ୍ଠରେ ଧୀରତା ଧରି ଅରୂପ କହିଲା, ମୁଁ ନିଃସଙ୍ଗ । ଚିରକାଳ ଏହି ନିଃସଙ୍ଗତାର ବୋଝ ବହି ମତେ ଚାଲିବାକୁ ହେବ । ବାପ, ମା, ଆତ୍ମୀୟ ସ୍ଵଜନ । ସମସ୍ତଙ୍କୁ ପାଖକୁ ଡାକିଚି ମୁଁ । କିନ୍ତୁ ସମସ୍ତେ ମତେ ଦୂରକୁ ଠେଲି ନିଜ ବାଟରେ ଆଗେଇ ଯାଇଚନ୍ତି । ମୋର ସେଥିପାଇଁ ଦୁଃଖ ନାହିଁ । କିନ୍ତୁ ମୁଁ ଯେ ସମସ୍ତଙ୍କର କାମରେ ଲାଗି ପାରିଛି । ତାହା ହିଁ ମୋର ସବୁଠାରୁ ବଡ଼ ସାନ୍ତ୍ୱନା ।

ଅରୂପର କଣ୍ଠ ରୁଦ୍ଧ ହେଇ ଆସିଲା । ବହୁ କଷ୍ଟରେ ଆତ୍ମ ସମ୍ବରଣ କରି ସେ ପୁଣି କହିଲା ଅପରାଧ ଯଦି କରେ କରେ କ୍ଷମା କରିବ ଜୟା । ପଦେ ପଦେ ମନେ ରଖିବ ମୁଁ ତମର ସେଦିନର ସେହି ଅଧମ ବଞ୍ଚିତ ଅରୂ ଭାଇ ।

 

ସର୍ବଜୟା ଲୁଗା କାନିରେ ଆଖି ଚାପି ଧରିଲା । ଅରୂପ କହିଲା ମନେଥିବ ତମର । ସେଦିନ ତମ ଅପାଙ୍କ ପାଖରେ ମୁଁ ହରେଇ ଆସିଥିଲି ଅମୂଲ୍ୟ ସମ୍ପଦ । ତମେ ଅଞ୍ଜଳି ପାତି ଭିକ୍ଷା ମାଗିଥିଲ । କିନ୍ତୁ ଦେବାର ଅଧିକାର ମୋର ନଥିଲା । ଫେରିଆସି ପଥଧାରରେ ସେହି ସମ୍ପଦ ଖୋଜି ପାଇଲି । ଆଜି ମୋର ଦେବାର ଅଧିକାର ଆସିଚି । କିନ୍ତୁ ଜାଣେନା ତମେ ମୋର ସେହି ମୁଷ୍ଟିଦାନ ଗ୍ରହଣ କରିବ କି ନାହିଁ ।

 

ଅନାୟତ୍ତ ନିରାଶ୍ରୟା ସର୍ବଜୟା ଅରୂପର ପାଦତଳେ ଲୋଟି ପଡ଼ିଲା । ନିର୍ଜ୍ଜନ ଗୃହସ୍ଥଳୀରେ କେଉଁଠି ମାନବିକ ଚେତନାର ଚିହ୍ନ ନାହିଁ । କେବଳ ଧୀର ଶାରଦ ପବନ ଗଛପତ୍ର ଫାଙ୍କରେ ମର୍ମ୍ମର ଗୀତ ତୋଳିଚି । କମ୍ପିତ ହସ୍ତରେ ସର୍ବଜୟାକୁ ତଳୁ ତୋଳିଆଣିଲା ଅରୂପ । ଦିନଶେଷର ରଙ୍ଗିନୀ ଅଲୁଅ ଶ୍ୟାମା ରୂପସୀର ମୁହଁରେ ଅବିର ବୋଳି ଦେଉଚି । କାନରେ ବାଜୁଚି ନବଯୌବନର କଳ କଲ୍ଲୋଳ । ଅରୂପ ଭିତରେ ଲାଞ୍ଛିତ, ଉପେକ୍ଷିତ ତାରୁଣ୍ୟ ଯେପରି କରୁଣା ଭିକ୍ଷା କରୁଛି । ଅଞ୍ଜଳି ପାତି ମାଗୁଚି ଜୀବନ । ଅପେକ୍ଷା କରି ରହିଚି ଗୋଟିଏ ନିମିଷକୁ । ଚାରୋଟି ବିହ୍ୱଳ ଆଖିର ଗୋଟିଏ ପଲକକୁ ।

 

ଥର ଥର ସ୍ୱରରେ ଅରୂପ କହିଲା, ମୁଁ ନିରାଶ୍ରୟ । ଆଶ୍ରୟ ମୁଁ ପାଇନାହିଁ । ଅଭୟ ଆଶ୍ରୟ ମତେ କେହି ଦେଇନାହିଁ ।

 

ଦୁଇ ହାତରେ ଅରୂପର ଗଳା ବେଷ୍ଟନ କରି ସର୍ବଜୟା କହିଲା ଏହି ଆଶ୍ରୟ ମୁଁ ପଥେ ପଥେ ଖୋଜି ବୁଲୁଥିଲି । ସେଥିପାଇଁ କେଉଁଠି ମୁଁ ଆଶ୍ରୟ ନେଇନାହିଁ । ବାଟଚଲାର ଜୀବନରେ ମୋ ମନର ମଣିଷ ମୁଁ ଖୋଜି ପାଇଚି । ତାହା ହିଁ ମୋର ପରମ ସାର୍ଥକତା ।

 

ନିବିଡ଼ ଆଶ୍ଳେଷ ମଝିରେ ସର୍ବଜୟାର ମୁହଁ ତୋଳିଧରି ଅରୂପ କହିଲା, ଦୁଇଟି ଭଗ୍ନନୀଡ଼ ସାଥୀହୀନ ବିହଙ୍ଗ, ଆଜି ଅସୀମ ଆକାଶରେ ଅନନ୍ତ ପଥପାର୍ଶ୍ଵରେ ଦୁହେଁ ଦୁହିଙ୍କି ଭେଟିଚନ୍ତି । ଦୁହିଁଙ୍କ ପରିଚିତିର ନୂତନ ଉଦ୍‍ ବୋଧନ ଘଟିଚି । ଦୁହେଁ ପୁଣି ଉଡ଼ିଚାଲିବେ । କେଉଁ ସୁଦୂର ସାଗର ପାରିରେ, କେଉଁ ଶ୍ୟାମଳ ଅରଣ୍ୟାନୀ ମଝିରେ ସେ ପୁଣି ବାନ୍ଧିବେ ନୂତନ ନୀଡ଼, ରଚନା କରିବେ ନୂତନ ସଂସାର । ସଭ୍ୟତା ପଡ଼ି ରହିବ ବହୁ ପଛରେ । କେହି ଚିହ୍ନିବେ ନାହିଁ । କେହି ଜାଣିବେ ନାହିଁ । ସେ ସୃଷ୍ଟି କରିବେ ନୂତନ ସଭ୍ୟତା, ପ୍ରତିଷ୍ଠା କରିବେ ନୂତନ ଲୋକାଳୟ ।

 

ଅରୂପର ଛାତିରେ ମୁଣ୍ଡ ନୁଆଁଇ ମୁଗ୍‍ଧା ସର୍ବଜୟା କହିଲା ତମର ଇଚ୍ଛା ପୂର୍ଣ୍ଣ ହେଉ ।

Image